‘ବ୍ୟଂଗଚିତ୍ର’କୁ ଜୀବୀକା କରିପାରୁ ନାହାନ୍ତି ଓଡ଼ିଶାର କାର୍ଟୁନିଷ୍ଟ୍ !


ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର, ୨୨
ସ୍କୁଲ,କଲେଜରେ ପାଠ ପଢିବା ସମୟରେ ଆମେ ଖବରକାଗଜ ସହ ଅଭ୍ୟସ୍ତ ଥିଲୁ ସିନା ରେଖାଚିତ୍ର ବା ବ୍ୟଂଗଚିତ୍ର ସହ ଅଭ୍ୟସ୍ତ ନ ଥିଲୁ । କାରଣ, ଯେଉଁ ସବୁ ଓଡ଼ିଆ ଖବରକାଗଜ ଘରକୁ ଆସୁଥିଲା ସେଥିରେ ଖବର ରହୁଥିଲା ସିନା କାର୍ଟୁନ୍ ଦୃଷ୍ଟି ଆକର୍ଷଣ କଲା ଭଳି ରହୁ ନ ଥିଲା । ଖବରକାଗଜର ପ୍ରଥମ ପୃଷ୍ଠାର ନିମ୍ନ ଭାଗରେ ଗୋଟିଏ କୋଣରେ ପ୍ରକାଶ ପାଉଥିବା ବ୍ୟଂଗଚିତ୍ର ବା କାର୍ଟୁନର ବିଷୟ ବସ୍ତୁ ଗୋଟାଏ ଥିବା ବେଳେ ରେଖାଚିତ୍ରଟି ମେଳ ଖାଉ ନ ଥିଲା । ତେଣୁ, ପାଠକଙ୍କୁ ତାହା ଆକର୍ଷିତ କରି ପାରୁ ନଥିଲା । ତେବେ, ସେହି ସମୟଖଣ୍ଡରେ ପ୍ରକାଶିତ ଇଂରାଜୀ ଖବରକଗଜ ଓ ପତ୍ରପତ୍ରିକାରେ ଯେଉଁ ରେଖାଚିତ୍ର ବା କାର୍ଟୁନମାନ ପ୍ରକାଶ ପାଉଥିଲା ସେଥିରେ ବିଷୟବସ୍ତୁକୁ ନିଖୁଣ ଭାବେ ରେଖାଚିତ୍ରରେ ପ୍ରସ୍ପୁଟିତ କରି କାର୍ଟୁନିଷ୍ଟମାନେ ପାଠକଙ୍କୁ ଆକୃଷ୍ଟ କରିବାରେ ବିଶେଷ ସଫଳତା ଅର୍ଜନ କରିଥିଲେ । ‘ଟାଇମ୍ସ ଅଫ୍ ଇଣ୍ଡିଆ’ର କାର୍ଟୁନିଷ୍ଟ୍ ବା ବ୍ୟଂଗ ଚିତ୍ରକର ଆର.କେ.ଲକ୍ଷ୍ମଣ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ । ଦୀର୍ଘ ୫୦ ବର୍ଷ ଧରି ସେ ଏହି ଇଂରାଜୀ ଦୈନିକ ସହ ଯୋଡି ହୋଇ ରହିଥିଲେ ଏବଂ ମୃତ୍ୟୁ ପରେ ମଧ୍ୟ ତାଙ୍କ ଦ୍ୱାରା ଅଂକିତ ରେଖାଚିତ୍ର ବା ବ୍ୟଂଗ ଚିତ୍ର ତାଙ୍କୁ ଅମର କରି ଦେଇଛି ।
ଦିବଂଗତ କାର୍ଟୁନିଷ୍ଟ୍ ଆର.କେ.ଲକ୍ଷ୍ମଣଙ୍କ ସଂପୂର୍ଣ୍ଣ ନାମ ହେଉଛି ରାସିପୁରମ କ୍ରିଷ୍ଣସ୍ୱାମୀ ଆୟାର ଲକ୍ଷ୍ମଣ ଓ କର୍ଣ୍ଣାଟକର ମହୀଶୂରରେ ତାଙ୍କ ଜନ୍ମ । ସେ ହେଉଛନ୍ତି ବିଶିଷ୍ଟ କଥାକାର ତଥା ବ୍ୟଙ୍ଗକାର ଆର.କେ.ନାରାୟଣଙ୍କ ଭାଇ । ‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ଆର.କେ.ଲକ୍ଷ୍ମଣଙ୍କ ଯେଉଁ ବ୍ୟଙ୍ଗଚିତ୍ର କ୍ରମାଗତ ଭାବେ ପ୍ରକାଶ ପାଉଥିଲା ତାହା ‘ଦି କମନ୍ ମ୍ୟାନ୍’ ଭାବେ ପରିଚିତ ଥିଲା । ‘ଦି କମନ୍ ମ୍ୟାନ୍’ର ଅର୍ଥ ହେଉଛି – ‘ଜଣେ ସାଧାରଣ ମଣିଷ’ । ଲକ୍ଷ୍ମଣ ଜଣେ ସାଧାରଣ ମଣିଷ ଭାବେ ଯାହା ଅନୁଭବ କରୁଥିଲେ ତାହା ତାଙ୍କ ବ୍ୟଂଗଚିତ୍ରରେ ପ୍ରସ୍ପୁଟିତ ହେଉଥିଲା । ସେ ସାମାଜିକ ଘଟଣା ହେଉ ବା ରାଜନୈତିକ, ନିର୍ଭୀକ ଭାବେ ସେ ବ୍ୟଂଗ କରୁଥିଲେ । ବ୍ୟଂଗର ଭାଷା ଯେତେ କଟୁ ହେଲେ ମଧ୍ୟ ତାହାକୁ ସମସ୍ତେ ଆଦର ଓ ସମ୍ମାନ କରୁଥିଲେ । ବିଶେଷକରି, ଆର.କେ.ଲକ୍ଷ୍ମଣଙ୍କ ରାଜନୈତିକ କାର୍ଟୁନ୍ । ଜଣେ ଧୋତି ପିନ୍ଧା ସାଧାରଣ ମଣିଷ ଛତାଟିଏ ଧରି ତାହାର ଗନ୍ତବ୍ୟପଥରେ ଯିବା ସମୟରେ ଯାହା ଦେଖୁଥିଲା ଓ ଅନୁଭବ କରୁଥିଲା ତାହାକୁ ନେଇ ଆଂକୁଥିଲା ରେଖାଚିତ୍ର ବା ବ୍ୟଂଗଚିତ୍ର । ସେହି ଧୋତି ପିନ୍ଧା ଛତା ଧରି ରାସ୍ତାରେ ଚାଲୁ ଥିବା ସାଧାରଣ ସରଳ ମଣିଷଟି ଥିଲା ଆର.କେ.ଲକ୍ଷ୍ମଣଙ୍କ ମାନସପୁତ୍ର ଓ ବ୍ୟଂଗଚିତ୍ରର ନାୟକ ।
କେବଳ ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ନୁହେଁ, ଆର.କେ.ଲକ୍ଷ୍ମଣଙ୍କ ଜୀବନ୍ତ ଓ ବ୍ୟଂଗଭରା ରେଖାଚିତ୍ର ବା କାର୍ଟୁନ ସବୁ ଦେଶର ବିଭିନ୍ନ ଜାତୀୟ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ସ୍ଥାନ ପାଇଛି । ୧୯୨୧ରୁ ୨୦୧୫ ଥିଲା ତାଙ୍କ ଦୀର୍ଘ କର୍ମମୟ ଜୀବନ । ଦେଶର ୫୦ ଜଣ ପ୍ରତିଭାଶାଳୀ କାର୍ଟୁନିଷ୍ଟଙ୍କ ତାଲିକାରେ ଆର.କେ.ଲକ୍ଷ୍ମଣଙ୍କ ନାମ ସର୍ବାର୍ଗେ ଥିବା ସମୟରେ ଏହି ତାଲିକାରେ ନାହାନ୍ତି ଜଣେ ହେଲେ ଓଡ଼ିଆ ବ୍ୟଂଗ ଚିତ୍ରକର । ମୁଁ ଭାବୁଥିଲି ଦେଶର ସର୍ବଶ୍ରେଷ୍ଠ ୫୦ କାର୍ଟୁନିଷ୍ଟଙ୍କ ତାଲିକାରେ ଥିବା ସତୀଶ ଆଚାର୍ଯ୍ୟ ଜଣେ ଓଡ଼ିଆ ବା ଓଡ଼ିଶାର ହୋଇଥିବେ । ତେବେ, ସେ ମଧ୍ୟ କର୍ଣ୍ଣାଟକର ଏବଂ ତାଙ୍କ ଘର କୁନ୍ଦପୁର ଗ୍ରାମରେ । ତାଲିକାରେ ସ୍ଥାନ ପାଇ ଥିବା ଅନ୍ୟ ଶ୍ରେଷ୍ଠ କାର୍ଟୁନିଷ୍ଟଙ୍କ ମଧ୍ୟରେ ଅଛନ୍ତି – ମହାରାଷ୍ଟ୍ରର ସିଂହ ଭାବେ ପରିଚିତ ବାଲ୍ ଠାକରେ ଓ ତାଙ୍କ ପୁତୁରା ରାଜ୍ ଠାକରେ । ବାଲ୍ ଠାକରେଙ୍କ ପୁଅ ତଥା ଆଜିର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଉଦ୍ଧବ ଠାକରେ ହେଉଛନ୍ତି ଜଣେ ଫଟୋଗ୍ରାଫର ।
ପାର୍ବଣ ଏବଂ କରୋନା ଭଳି ଜଟିଳ ପରିସ୍ଥିତି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିକଶିତ ହେଉଥିବା ଏକାଧିକ ଭ୍ୟାକ୍ସନ୍, ସେସବୁ ମାନବ ଉପଯୋଗୀ ସାବ୍ୟସ୍ତ ହେବା ପରେ ଭ୍ୟାକ୍ସିନ୍ ର ପ୍ରଥମ ପର୍ଯ୍ୟାୟ ବିତରଣ, ତାହାକୁ ନେଇ ଚାଲି ଥିବା ଯୋଜନା, ବିହାର ବିଧାନସଭା ନିର୍ବାଚନ ଏବଂ ଓଡ଼ିଶାରେ ନଭେମ୍ବର ୩ରେ ହେବାକୁ ଥିବା ତିର୍ତୋଲ ଓ ବାଲେଶ୍ୱର ବିଧାନସଭା ଉପ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଖବରକୁ ନେଇ ପାଠକଙ୍କ ଆଗ୍ରହ ଥିବା ସମୟରେ ମୁଁ ବ୍ୟଂଗଚିତ୍ରକର ବା କାର୍ଟୁନିଷ୍ଟଙ୍କୁ ନେଇ ଲେଖାଟିଏ ଲେଖିବା ସମସ୍ତଙ୍କୁ ଆଚମ୍ବିତ କରିପାରେ । କିନ୍ତୁ, କିଛି ‘ଅଫ୍ ବିଟ୍’ ଲେଖିବା ଉଦେ୍ଦଶ୍ୟରେ ଏହା ଲେଖୁଛି । ଏହା ସହ ମୋର ଜଣେ କାର୍ଟୁନିଷ୍ଟ୍ ବନ୍ଧୁଙ୍କ ବହୁ ଦିନର ଅନୁରୋଧ ମଧ୍ୟ ଜଡିତ ଅଛି । ଏହି କାର୍ଟୁନିଷ୍ଟ୍ ବନ୍ଧୁ ଜଣକ ହେଉଛନ୍ତି – ଓଡ଼ିଶାର ତଥା ଗଂଜାମ ଜିଲ୍ଲାର ବ୍ୟଂଗଚିତ୍ରକର ହିଂଗାଲା ସୁଦାମ ଶେଖର ରେଡ୍ଡୀ । ତାଙ୍କ ଘର ହେଉଛି ଗଂଜାମ ଜିଲ୍ଲା ଦିଗପହଣ୍ଡି ଗୋକର୍ଣ୍ଣପୁରରେ ଏବଂ ପେଶା ଚାଷ । ତେବେ, ତାଙ୍କ ନିଶା ରହିଛି ବ୍ୟଂଗଚିତ୍ର ଆଂକିବା ଏବଂ ତାହା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ କରାଇବାରେ ।
ଏବେ, କିଛି ଆଂଚଳିକ ଟିଭି ଚ୍ୟାନେଲ ତାଙ୍କ ଦ୍ୱାରା ପ୍ରସ୍ତୁତ କାର୍ଟୁନ୍ ପ୍ରସାରଣ କଲେଣି । ଫେସ୍ ବୁକ୍ ଭଳି ବହୁଳ ପ୍ରସାରିତ ସାମାଜିକ ଗଣମାଧ୍ୟମରେ ସୁଦାମ ଶେଖରଙ୍କ ପ୍ରସ୍ତୁତ କାର୍ଟୁନ୍ ବେଶ୍ ଲୋକପ୍ରିୟ । କେତେକ ଦୈନିକ ଖବରକାଗଜ ମଧ୍ୟ ସୁଦାମଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିଛି । ସୁଦାମଙ୍କ ଏହି ସଫଳତା (ଆର୍ଥିକ ଦୃଷ୍ଟିରୁ ନ ହେଲେ ମଧ୍ୟ ଟ୍ୟାଲେଂଟ୍କୁ ବିସ୍ତାରିତ କରିବାରେ)ର ସମସ୍ତ ଶ୍ରେୟ ଯିବ ସାମାଜିକ ଗଣମାଧ୍ୟମକୁ । ମୁଁ ‘ସମ୍ବାଦ’ ଦକ୍ଷିଣ ଓଡ଼ିଶା ସଂସ୍କରଣ ଦାୟିତ୍ୱରେ ଥିବା ସମୟରେ ସୁଦାମ ଅନେକ ଥର ବ୍ରହ୍ମପୁର କାର୍ଯ୍ୟାଳୟକୁ ଆସି ଭେଟିଛନ୍ତି । ତାଙ୍କ ଦ୍ୱାରା ପ୍ରସ୍ତୁତ କାର୍ଟୁନ ସବୁ ଦେଖାଇ ‘ସମ୍ବାଦ’ରେ ସୁଯୋଗଟିଏ ଦେବାକୁ ଅନୁରୋଧ କରିଛନ୍ତି । ତେବେ, ସେସବୁ ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ମାଲିକଙ୍କ କର୍ତୃତ୍ୱରେ ଥିବାରୁ ଏବଂ କିଶୋର ‘ସମ୍ବାଦ’ର ଏକକ କାର୍ଟୁନିଷ୍ଟ୍ ଥିବାରୁ ସୁଦାମଙ୍କୁ ସୁଯୋଗ ଦେବା ମୋ ନିୟନ୍ତ୍ରଣ ବାହାରେ ଥିଲା । ତଥାପି, ସେହି ସମୟରେ ମୁଁ ସଂପାଦନା କରୁଥିବା ‘ଦକ୍ଷିଣ ଓଡ଼ିଶା ସମ୍ବାଦ’ ପୃଷ୍ଠାରେ କିଛି କାର୍ଟୁନ ଦେବାକୁ କହି ତାଙ୍କ ଅନୁରୋଧ ରକ୍ଷା କରିବା ପ୍ରୟାସ କରିଥିଲି । ତେବେ, ସେଥିରେ କିଛି ପାରିଶ୍ରମିକ ମିଳିବା ପ୍ରତିଶ୍ରୁତି ନ ଥିବାରୁ ବୋଧହୁଏ ସୁଦାମ ବାବୁ ଆଗ୍ରହ ପ୍ରକାଶ କରି ନ ଥିଲେ ।
ଦୀର୍ଘ ବର୍ଷ ପରେ ସୁଦାମ ବାବୁ ମୋ ସହିତ ଯୋଡି ହୋଇଛନ୍ତି ସାମାଜିକ ଗଣମାଧ୍ୟମରେ । ‘ଫେସ୍ ବୁକ୍’ରେ ନିୟମିତ ଭାବେ ତାଙ୍କ ଅଂକିତ କାର୍ଟୁନ୍ ପ୍ରସାରିତ ହେଉଛି । ମୋ ୱେବ୍ ପୋର୍ଟାଲ ‘ମୋଅନୁଭବ.କମ୍’ରେ ମଧ୍ୟ ସୁଦାମଙ୍କ ଅଂକିତ ରେଖାଚିତ୍ର ବା କାର୍ଟୁନ୍ ସେୟାର ହେଉଛି । ତେବେ, ସୁଦାମ ଆଜି ପର୍ଯ୍ୟନ୍ତ ଚାଷ କାର୍ଯ୍ୟରୁ ବାହାରି କାର୍ଟୁନକୁ ପେଶା କରିବାକୁ ସକ୍ଷମ ନ ହେବା ରହସ୍ୟ ହେଉଛି – ଓଡ଼ିଶାର ଖବରକାଗଜ ବା ଅନ୍ୟନ୍ୟ ଗଣମାଧ୍ୟମର ମାଲିକମାନେ ଏଭଳି ଟ୍ୟାଲେଂଟ୍ ଙ୍କୁ କେବେ ପ୍ରୋତ୍ସାହନ ଦେବାକୁ ଚାହିଁ ନାହାନ୍ତି । ଜଣେ ଅଧେ କାଟୁନିଷ୍ଟଙ୍କୁ ନେଇ ଓଡ଼ିଆ ଗଣମାଧ୍ୟମ ଚାଲିଛି । ଆଜିର ଦିନରେ ‘ସମ୍ବାଦ’ରେ କାର୍ଯ୍ୟରତ କାର୍ଟୁନିଷ୍ଟ୍ କିଶୋରଙ୍କ ‘କଟାକ୍ଷ’ ସର୍ବାଧିକ ଲୋକପ୍ରିୟ ରହିଛି । କିଶୋର ଏହି ଦକ୍ଷତା ହାସଲ କରିବା ରହସ୍ୟ ମୋ ପାଇଁ ଅଜଣା । ତେବେ, ସୁଦାମ ରେଡ୍ଡୀ ଯେ କୌଣସି ତାଲିମ ନଥାଇ ପିଲା ବେଳୁ ରେଖାଚିତ୍ର ଆଂକିବା ପ୍ରତି ଥିବା ଆଗ୍ରହ ଯୋଗୁଁ ନିଜକୁ ପ୍ରତିପାଦିତ କରିଥିବା ତାଙ୍କ ସହ ଆଳାପରୁ ସୂଚନା ପାଇଛି ।
ସୁଦାମଙ୍କ ସହ ଆଲୋଚନାରୁ ଜଣାପଡିଛି, ସେ ବିଧିବଦ୍ଧ ଭାବେ ରେଖାଚିତ୍ର ଆଂକିବାରେ ତାଲିମ ପାଇ ନ ଥିଲେ ମଧ୍ୟ ୧୭ ବର୍ଷ ବୟସରୁ ରେଖାଚିତ୍ର ଆଂକୁଛନ୍ତି । ସାଂପ୍ରତିକ ପରିସ୍ଥିତିକୁ ନେଇ ରାଜନୈତିକ ବ୍ୟଂଗଚିତ୍ର ଆଂକିବାରେ ତାଙ୍କ ରୁଚି ରହିଛି । ପାଠ ପଢିଲା ବେଳେ ସ୍କୁଲ ଶିକ୍ଷକ ଏବଂ ଘରେ ବଡ ଭାଇ ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ ତାଙ୍କୁ ପ୍ରୋତ୍ସାହନ ଦେଇଛନ୍ତି । ୧୯୯୪ରେ ସେ ବ୍ୟଂଗଚିତ୍ର ପାଇଁ ‘ରାଷ୍ଟ୍ରଦୀପ’ ପତ୍ରିକା ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଷଷ୍ଠ ଶ୍ରେଣୀରେ ଗାଁ ସ୍କୁଲରେ ପାଠ ପଢିବା ସମୟରେ ସେ ରିସେସ୍ ବେଳେ ସାଂଗମାନଙ୍କ ସହ ସ୍କୁଲ କାନ୍ଥରେ ଚିତ୍ର ଆଂକି ଥିଲେ ଗାଁର ଜଣେ ପାଗଳ କାଳୁ ପଣ୍ଡାର । ଚିତ୍ରକୁ ଦେଖି ଶିକ୍ଷକମାନେ ତାଙ୍କୁ ନିର୍ଦ୍ଧୁମ୍ ଛେଚି ଥିଲେ । କାରଣ ଥିଲା, ସେ ପଢୁଥିବା ସ୍କୁଲରେ କାଳୀ ପଣ୍ଡା ନାମକ ଜଣେ ସାହିତ୍ୟ ଶିକ୍ଷକ ଥିଲେ ଏବଂ ସୁଦାମ ତାଙ୍କ ଚିତ୍ର ଆଂକି ତାଙ୍କୁ ବ୍ୟଂଗ କରିଛନ୍ତି ବୋଲି ଶିକ୍ଷକମାନଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା । ତେବେ, ଶିକ୍ଷକ କାଳୀ ପଣ୍ଡା କାନ୍ଥ ଉପରେ ଅଙ୍କା ଚିତ୍ରକୁ ଦେଖି ତାହା ତାଙ୍କର ନୁହେଁ ବୋଲି ସ୍ପଷ୍ଟ କରିବା ସହ ସୁଦାମଙ୍କ ଟ୍ୟାଲେଂଟ୍ କୁ ପ୍ରଶଂସା କରିଥିଲେ । ଜୀବନରେ ଅଧିକ ଉନ୍ନତି କରିବାକୁ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲେ ।
କଲେଜ ପଢା ସରିବା ବେଳକୁ ସୁଦାମ ସେ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକଙ୍କ ଏକ ବ୍ୟଂଗ ଚିତ୍ର ଆଂକି ଥିଲେ । ସାଂଗମାନଙ୍କ ଆଗ୍ରହଯୋଗୁ ସେ ଆଂକି ଥିବା ବିଜୁ ବାବୁଙ୍କ ଏହି ବ୍ୟଂଗ ଚିତ୍ର ରାଜ୍ୟର ବିଭିନ୍ନ ଅଂଚଳରେ ପୋଷ୍ଟର ଆକାରରେ କାନ୍ଥବାଡରେ ଲାଗି ଥିଲା । ସୁଦାମ ତାହା ଜାଣି ନ ଥିଲେ ମଧ୍ୟ ପୋଷ୍ଟର ତଳେ ଛପା ହୋଇଥିବା ନାମକୁ ଦେଖି ତାଙ୍କ ପାଖକୁ ପ୍ରଶଂସାପତ୍ରର ସୁଅ ଛୁଟି ଥିଲା । ସୁଦାମ ସେଇଠୁ ଜାଣିଲେ ତାଙ୍କ ଦକ୍ଷତା ସଂପର୍କରେ । ଆଜିର ଦିନରେ ବ୍ୟଂଗଚିତ୍ରକୁ ଦିଆଯାଉ ଥିବା ମାନ୍ୟତା ସଂପର୍କରେ ପ୍ରଶ୍ନ ହେବାରୁ ସୁଦାମ କହିଛନ୍ତି, ଭାରତରେ ଅନେକ ସୁବିଧା ଥିଲେ ମଧ୍ୟ ଜଣେ ବ୍ୟଂଗ ଚିତ୍ରକର ଭାବେ ପ୍ରତିଷ୍ଠିତ ହେବା ସହଜସାଧ୍ୟ ନୁହେଁ । ତେବେ, ଓଡ଼ିଶାରେ ବ୍ୟଂଗ ଚିତ୍ରକରଙ୍କ ମରୁଡି ରହିଛି । ଓଡ଼ିଶାରେ ଅନେକ ବ୍ୟଂଗ ଚିତ୍ରକର ବଣମଲ୍ଲୀ ଭଳି ଫୁଟି ସେଇଠି ଝଡି ଯାଉଛନ୍ତି । କାର୍ଟୁନକୁ ପେଶା କରି ଓଡ଼ିଶାରେ ବଂଚିବା କଷ୍ଟକର । ଆଜି ମଧ୍ୟ ରାଜ୍ୟରେ ପ୍ରତିଭାକୁ ସମ୍ମାନ ନାହିିଁ ।
ପୂର୍ବରୁ ନିଜ ବ୍ୟଂଗଚିତ୍ର ଦେଖି ରାଜନେତାମାନେ ଖୁସି ହେଉଥିଲେ । କିନ୍ତୁ, ଆଜିର ପରିସ୍ଥିିତି ଭିନ୍ନ । କୌଣସି କାର୍ଟୁନରେ ଯଦି ସାମାନ୍ୟ ତେର୍ଚ୍ଛା ମାଡ ରହିଛି ତେବେ ସିଧାସଳଖ ସଂପାଦକ, ମୁଖ୍ୟ ସଂପାଦକଙ୍କ ଫୋନ୍ ଆସୁଛି – ‘ସବୁ କରିବେ, କିନ୍ତୁ ଅମୁକଙ୍କ ବିଷୟରେ କୌଣସି କାର୍ଟୁନ କରିବେ ନାହିଁ । ଆମ ଉପରେ ବହୁତ ଚାପ ପଡୁଛି’ । ସେଉଁଠି ସଂପାଦକ, ମୁଖ୍ୟ ସଂପାଦକମାନେ ନିରସ୍ତ୍ର ଓ ଗୋଡାଣିଆ, ସେଠି ଜଣେ କାର୍ଟୁନିଷ୍ଟକ କେମିତି ସ୍ୱାଧୀନ ଭାବେ ମତବ୍ୟକ୍ତ କରି ପାରିବ ? ସାମାଜିକ ଗଣମାଧ୍ୟମ ଏହି ଦୃଷ୍ଟିରୁ ମୁକ୍ତ । ତେଣୁ, ଲୋକପ୍ରିୟ ହେଉଛି ବୋଲି ସୁଦାମ କହିଛନ୍ତି ।
ବାସ୍ତବରେ, ବ୍ୟଂଗଚିତ୍ର ଦୃଷ୍ଟିରୁ ଓଡ଼ିଶା ଆଜି ମଧ୍ୟ ପଛୁଆ । ଅଂଗୁଠି ଆଗରେ ଗଣି ହେଲା ଭଳି କିଛି ବ୍ୟଂଗ ଚିତ୍ରକର ଅଛନ୍ତି । ସେମାନେ ମଧ୍ୟ ଉଚିତ ପାଉଣା ପାଉଛନ୍ତି କି ନା, ତାହା ସନ୍ଦେହ ଘେରରେ । ଦେଶର ସର୍ବଶ୍ରେଷ୍ଠ ବ୍ୟଂଗକାର ଆର.କେ.ଲକ୍ଷ୍ମଣ ନିଜ ଶିକ୍ଷକଙ୍କ ପ୍ରେରାଣା ସଫଳତାର ଶିଖରରେ ପହଂଚି ପାରିଥିବା ତାଙ୍କ ସଂପର୍କରେ ଲେଖିତ ଲେଖାମାନଙ୍କରୁ ସୂଚନା ମିଳୁଛି । ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟାଳୟରେ ଲକ୍ଷ୍ମଣଙ୍କ ପାଇଁ ସ୍ୱତନ୍ତ୍ର ତଥା ବିସ୍ତୃତ ପ୍ରକୋଷ୍ଠ ରହି ଥିଲା । ସେ ସବୁ ଦିନ କାର୍ଯ୍ୟାଳୟକୁ ଆସିବା ନେଇ କିଛି ବାଧ୍ୟବାଧକତା ନ ଥିଲା । ଘରେ ବସି କାର୍ଟୁନ ପ୍ରସ୍ତୁତ କରି ସେ କାର୍ଯ୍ୟାଳୟକୁ ପଠାଇ ଦେଉଥିଲେ । ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ପୂର୍ଣ୍ଣ ସ୍ୱାଧୀନତା ତାଙ୍କୁ ମିଳି ଥିଲା । ତେଣୁ, ଲକ୍ଷ୍ମଣ କାର୍ଟୁନ୍ ମାଧ୍ୟମରେ ଦେଶବାସୀଙ୍କ ମନ ଜିଣି ଥିଲେ । ମୃତ୍ୟୁ ପରେ ବି ସେ ଅମର ହୋଇ ଯାଇଛନ୍ତି । ୨୦୧୪ରେ ମୁମ୍ବାଇ ଯାଇଥିବା ସମୟରେ ୱର୍ଲି ସି-ବିଚ୍ ରେ ଦେଖିଥିଲି କାର୍ଟୁନିଷ୍ଟ୍ ଆର.କେ.ଲକ୍ଷ୍ମଣଙ୍କ ଏକ ବିରାଟ ପ୍ରତିମୂର୍ତ୍ତୀ । ଏହି ପ୍ରତିମୂର୍ତ୍ତୀ ତାଙ୍କ ଜନପ୍ରିୟତାର ପରିଚୟ ଦେଉଥିଲା ।
ଓଡ଼ିଶାରେ କାର୍ଟୁନିଷ୍ଟ୍ ହେବାକୁ କିଛି ତାଲିମ ବ୍ୟବସ୍ଥା ବା ସୁଯୋଗ ନାହିଁ । ତେବେ, ଭାରତରେ ତାହା ରହିଛି । ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଟୁନିଷ୍ଟସ୍’ (ଆଇଆଇସି) ନାମକ ଏକ ବାଂଗାଲୁରୁ ଭିତ୍ତିକ ସଂସ୍ଥା କାର୍ଟୁନିଷ୍ଟ୍ ଏବଂ ସେମାନଙ୍କ ଦ୍ୱାରା ଅଂକିତ ବ୍ୟଂଗଚିତ୍ରର ପ୍ରସାର ଏବଂ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛି । ୨୦୦୧ରେ ପ୍ରତିଷ୍ଠିତ ଏହି ସଂସ୍ଥା ‘ଇଣ୍ଡିଆ କାର୍ଟୁନ୍ ଗ୍ୟାଲେରୀ’ ନାମରେ ଏକ ଗ୍ୟାଲେରୀ ପ୍ରତିଷ୍ଠା କରି ରୋଟେସନ୍ ଭିତ୍ତିରେ ଭାରତୀୟ ବ୍ୟଂଗ ଚିତ୍ରକରଙ୍କ ରେଖାଚିତ୍ର ପ୍ରଦର୍ଶନୀ ଆୟୋଜନ କରୁଛି । ୨୦୦୭ରୁ ୨୦୧୪ ମଧ୍ୟରେ ସଂସ୍ଥା ୧୪ଟି ପ୍ରଦର୍ଶନୀ ଆୟୋଜନ କଲାଣି । ପ୍ରତିଷ୍ଠିତ କାର୍ଟୁନିଷ୍ଟ୍ ସ୍ୱର୍ଗତ ମାୟା କାମାଥ (୧୯୫୧-୨୦୦୧)ଙ୍କ ସ୍ମୃତୀ ରକ୍ଷା ପାଇଁ ସଂସ୍ଥା ୨୦୦୮ରୁ ୨୦୧୮ ମଧ୍ୟରେ ୧୧ଜଣ ବ୍ୟଂଗଚିତ୍ରକରଙ୍କୁ ‘ମାୟା କାମାଥ ମେମୋରିଆଲ୍ ଆୱାର୍ଡ’ (ଏମକେଏମଏ) ପ୍ରଦାନ କରିଛି । ଏହି ସମ୍ମାନ ପାଇଥିବା ବ୍ୟଂଗ ଚିତ୍ରକରଙ୍କ ମଧ୍ୟରେ ଓଡ଼ିଶାରୁ କେହି ନାହାନ୍ତି । ତେଣୁ, ସମୟ ଆସିଛି, ସୁଦାମ ରେଡ୍ଡୀଙ୍କ ଭଳି ପ୍ରତିଭା ସଂପନ୍ନ ବ୍ୟଂଗ ଚିତ୍ରକରଙ୍କୁ ଉପଯୁକ୍ତ ତାଲିମ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସେମାନଙ୍କୁ ରୋଜଗାରକ୍ଷମ କରିବା । ତାହା ହେଲେ ହିଁ ଓଡ଼ିଶା ସର୍ବଭାରତୀୟ ସ୍ତରରେ ମୁକାବିଲା କରି ପାରିବ । ନହେଲେ ଆମ ବ୍ୟଂଗଚିତ୍ର ଆମ ପାଇଁ ହିଁ ବ୍ୟଂଗ ହୋଇ ରହିଯିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS