କରୋନା ଡ଼ାଏରୀ (୨୩)… ବିହାର ଭୋଟରଙ୍କ ପାଇଁ ‘କୋଭିଡ଼ ଟୀକା’ ଥୋପ
ପ୍ରସାଦ ରାଓ
ଅକ୍ଟୋବର, ୨୪
କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସମଗ୍ର ବିଶ୍ୱ ସଂଘର୍ଷ କରୁଥିବା ବେଳେ ଭାରତୀୟ ରାଜନେତାମାନେ ସେଥିରୁ ସର୍ବାଧିକ ଫାଇଦା ନେବାକୁ ଉଦ୍ୟମ କରୁଥିବା ଦେଶବାସୀଙ୍କୁ ବିସ୍ମିତ କରିଛି । ମାର୍ଚ୍ଚ ମାସରେ ଏହି ମହାମାରୀ ଭାରତରେ ତାଣ୍ଡବ ଆରମ୍ଭ କରି ଥିଲା । ସେପ୍ଟେମ୍ବରରେ ତାହା ଚରମ ସ୍ତରକୁ ଯାଇ ଅକ୍ଟୋବରରେ ତଳ ମୁହାଁ ହୋଇଛି ସତ, କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ସରକାର ପୂର୍ବ ଭଳି ନମୁନା ପରୀକ୍ଷାକୁ ଗୁରୁତ୍ୱ ଦେଉ ନ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ ହୋଇଛି ବୋଲି ସମାଲୋଚନା ହେଉଥିବା ବେଳେ କେନ୍ଦ୍ର ବା ରାଜ୍ୟ ସରକାର ମୁହଁ ଖୋଲୁ ନାହାନ୍ତି । ଅକ୍ଟୋବର ମାସରେ କରୋନା ଆକ୍ରାନ୍ତଙ୍କ ଗ୍ରାଫ୍ ତଳମୁହାଁ ଥିଲେ ମଧ୍ୟ ଓଡ଼ିଶାରେ ୧ ତାରିଖରୁ ୨୪ ତାରିଖ ମଧ୍ୟରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ଦୁଇ ଅଂକ ରହିଛି । କରୋନା ମହାମାରୀର ମୁକାବିଲା ପାଇଁ ଟୀକା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ବିକଶିତ ହୋଇ ନାହିଁ । ମହାମାରୀକୁ ନେଇ ଜନସାଧାରଣରେ ଥିବା ଭୟ ମଧ୍ୟ ଦୂର ହୋଇ ନାହିଁ । ଶୀତ ପଡିଲେ କରୋନା ସଂକ୍ରମଣ ବଢିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିବା ଯୋଗୁଁ ଲୋକଙ୍କ ଭୟ ବଢିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇ ଭୟ ବଢାଇଛନ୍ତି ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତାକୁ ସମ୍ବୋଧନ କରି ଏହି ସତର୍କବାଣୀ ଶୁଣାଇବା ସହ ଭିଡ଼ରୁ ଦୂରରେ ରହିବାକୁ ଏବଂ କେରାନା ଟୀକା ବାହାରିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସମସ୍ତ ସତର୍କତାକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ, ଏଭଳି ଅସମୟରେ ଦେଶରେ ନିର୍ବାଚନ ହେଉ ଥିବାରୁ ଖୋଲାମେଲା ଜନସମାଗମକୁ ପ୍ରଶ୍ରୟ ଦିଆଯାଉଛି । ଶାସକ ଓ ବିରୋଧୀ-ଉଭୟେ ବେପରୁଆ ଢଂଗରେ ନିର୍ବାଚନ ପରିଚାଳନା କରୁଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ଆରଜେଡ଼ିର ମୁଖ୍ୟ ତେଜସ୍ୱୀ ଯାଦବ ଏବଂ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଗୋଟିଏ ଦିନରେ ରାଜ୍ୟରେ ଭିନ୍ନ ଭିନ୍ନ ନିର୍ବାଚନ ସଭା କରି ଯେଭଳି ଜନସମାଗମ କରାଇଲେ ତାହା ସରକାର ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଦେଉଥିବା ବାର୍ତାର ସଂପୂର୍ଣ୍ଣ ବିପରିତ, ଏକଥା କହିବା ଭୁଲ ହେବ ନାହିଁ । ତେଜସ୍ୱୀଙ୍କ ସଭାରେ ଭରପୁର ଜନସମାଗମ ଦେଖି ଉଭୟ ବିଜେପି ଓ ଜେଡିୟୁ ଛାନିଁଆ ।
୧୫ ବର୍ଷ ହେଲା ରାଜ୍ୟରେ ନୀତୀଶ କୁମାରଙ୍କ ସରକାର ରହିଛି । କେତେବେଳେ ବିଜେପି ସହ ତ କେତେବେଳେ ଆରଜେଡି ସହ ମେଂଟରେ ସେ ସରକାରରେ ଅଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେବେ, ଏହି ୧୫ ବର୍ଷରେ ରାଜ୍ୟର ବେକାର ସମସ୍ୟାର ସମାଧାନ ହୋଇ ନାହିଁ । ଓଡ଼ିଶା ଭଳି ବିହାରରେ ମଧ୍ୟ ଶିଳ୍ପାୟନ କେବଳ ପ୍ରତିଶ୍ରୁତିରେ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ ପରି ଆଗୁଆ କ୍ଷେତ୍ରରେ ରାଜ୍ୟ ପଛୁଆ ରହିଛି । ଏତିକି ମାତ୍ର ଆଶ୍ୱାସନାର ବିଷୟ ହୋଇଛି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ମଦ କାରବାରକୁ ସଂପୂର୍ଣ୍ଣ ନିଷିଦ୍ଧ କରି ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ଆରଜେଡ଼ି ମୁଖ୍ୟ ଲାଲୁ ଯାଦବ ବିହାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ଅପରାଧୀଙ୍କ ରାଜତ୍ୱ ଚାଲି ଥିଲା । ତାହା ନୀତୀଶଙ୍କ ଶାସନରେ କମିଛି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ଉନ୍ନତି ଘଟି ଥିବା କୁହାଯାଉଛି । ତେବେ, ଚାଷୀ ପୂର୍ବବତ୍ ସମସ୍ୟାରେ ହିଁ ରହିଛନ୍ତି । ଅପରପକ୍ଷରେ, ଲାଲୁ ପୁତ୍ର ତେଜସ୍ୱୀ ଦଳର ମଂଗ ଧରିବା ପରେ ପରିବାର ଭିତରେ ସଂକଟ ବଢିଛି । ତାଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଂଜ ମଧ୍ୟ ରହିଛି । ତଥାପି, ସେ ଯୁବ ପିଢିର ପ୍ରତିିନିଧିତ୍ୱ କରୁଥିବାରୁ ଆଗାମୀ ନିର୍ବାଚନରେ ଦଳ ଭଲ ଫଳାଫଳ କରିବ ବୋଲି ଆଶା ରଖିଛନ୍ତି । ତେଜସ୍ୱୀ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ତାଙ୍କ ବାପାଙ୍କ ବୟସର । ବିହାର ଜନସାଧାରଣ ସେମାନଙ୍କୁ ପରଖି ସାରିଛନ୍ତି । ବର୍ତମାନର ଯୁବ ପିଢି ତାଙ୍କୁ ଭରସା କରିବେ । ସେହି ଅଭିମୁଖ୍ୟକୁ ସାଥିରେ ରଖି ତେଜସ୍ୱୀ ୨୦୨୦ ବିହାର ନିର୍ବାଚନରେ ଏକ ବଡ ପରିବର୍ତନର ଆଶା ରଖିଛନ୍ତି ।
ଅପରପକ୍ଷରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଭିନ୍ନ ନିର୍ବାଚନ ସଭାରେ ଜନସାଧାରଣଙ୍କ ତୀବ୍ର ପ୍ରଶ୍ନବାଣର ସମ୍ମୁଖୀନ ହୋଇ ବିରକ୍ତି ଭାବ ପ୍ରକାଶ କରୁଥିବା ବେଳେ ତେଜସ୍ୱୀଙ୍କ ସଭାରେ ଆଶାତୀତ ଭିଡ଼, ଏଥର ବିହାର ଭୋଟ ଗଣିତ ବଦଳିବାର ସଂକେତ ଦେଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏହା ଚିନ୍ତାର କାରଣ ହେଇଛି । ତେଣୁ ସେ, ଭୋଟରଙ୍କ ମନ ଜିତିବା ପାଇଁ କରୋନାର ଶରଣ ନେଇଥିବା ଅନୁମାନ କରାଯାଉଛି । ତାଙ୍କ ସରକାର ଗତ ସାତ ମାସ ଧରି କିଭଳି ଭାବେ କରୋନା ମହାମାରୀର ମୁକାବିଲା କଲେ, ତାହା ପ୍ରଧାନମନ୍ତ୍ରୀ ବିହାର ଜନତାକୁ କହୁଛନ୍ତି । ରାଜ୍ୟରେ ଆଉ ଲଂଠନ ଯୁଗ ଫେରିବାର ନାହିଁ, ଏଥର ଏଲଇଡି ଯୁଗ ହିଁ ଚାଲିବ ବୋଲି ସମସ୍ତଙ୍କୁ ଭରସା ଦେଉଛନ୍ତି ଏବଂ ନୀତୀଶଙ୍କ ନେତୃତ୍ୱରେ ମେଂଟ ସରକାର ପୁନର୍ବାର କ୍ଷମତାକୁ ଫେରିଲେ ବିହାର ବାସିନ୍ଦାଙ୍କୁ ମାଗଣାରେ କୋଭିଡ଼ ଟୀକା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ନିର୍ବାଚନ ଇସ୍ତାହାରରେ ମଧ୍ୟ ଏହା ଉଲ୍ଲେଖ ରହିଛି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀଥାରମଣ ନିକଟରେ ଏହି ନିର୍ବାଚନ ଇସ୍ତାହାର ଜାରି କରି ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛନ୍ତି । ତାଙ୍କୁ ଦେଖି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଏହି ମାଗଣା ଟୀକା କଥା କହିଥିବା ବେଳେ ତାମିଲନାଡୁରେ ଆଗକୁ ନିର୍ବାଚନ ହେବାକୁ ଥିବାରୁ ସେଠାକାର ସରକାର ମଧ୍ୟ ବିଜେପିର ପଦାଙ୍କ ଅନୁସରଣ କରିଛନ୍ତି । ବିଜେପି ଶାସିତ ରାଜ୍ୟମାନେ ‘କରୋନା ଟୀକା’ ରାଜନୀତିକୁ ଯୋର୍ ଦେଇଥିବା ବେଳେ ଅଣ-ବିଜେପି ଶାସିତ ରାଜ୍ୟରେ ପ୍ରଶ୍ନ ଉଠିଲାଣି – ‘ଆମକୁ ମାଗଣା ଟୀକା ମିଳିବ ତ ?’ । ତେବେ, ବିହାର ଭୋଟରଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ‘ନଈ ନ ଦେଖୁଣୁ ଲଂଗଲା’ ଭଳି ହୋଇଛି । ବିଜେପିର ଜଣେ ପୂର୍ବତନ ସହଯୋଗୀ ତଥା ବର୍ତମାନ ଓଡ଼ିଶାର ଜଣେ ବରିଷ୍ଠ ବିଜେଡ଼ି ନେତା ଅରବିନ୍ଦ ଢାଲି ଏଭଳି ମନ୍ତବ୍ୟ ଦେଇ ବିଜେପି ହୁଂକାରେ ହାତ ମାରିଛନ୍ତି ।
ତାହା ହିଁ ବାସ୍ତବ ସ୍ଥିତି । କାରଣ, ଦେଶ ତଥା ଦେଶ ବାହାରେ ବିକଶିତ ହେଉଥିବା କୋଭିଡ଼ ଟୀକା ସବୁ ଦି୍ୱତୀୟ ବା ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ତରରେ ରହିଛି । ସେସବୁ ଟୀକା କେବେ ମାନବ ସେବା ଉପଯୋଗୀ ବୋଲି ଚୂଡାନ୍ତ ଭାବେ ସାର୍ଟିଫିକେଟ୍ ପାଇବ ଏବଂ ଜନସାଧାରଣଙ୍କ ଟୀକାକରଣ ସକାଶେ ବାହାରେ ଉପଲବ୍ଧ ହେବ, ତାହା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସଠିକ୍ ଭାବେ ଜାଣେନାହିଁ । ଏଭଳି ସ୍ଥିତିରେ କରୋନା ଟୀକା ମାଗଣାରେ ଯୋଗାଇ ଦେବାକୁ ସରକାରର ଦଳ ପ୍ରତିଶ୍ରୁତି ଦେଇ ବିହାର ଭୋଟରଙ୍କୁ ବୋକା ବନାଇବା ଉଦ୍ୟମକୁ ‘ମାତ୍ରାଧିକ ଚାଲାକି’ ହିଁ କୁହାଯିବ । ବିହାର ଜନତା ଏହି ‘ଚାଲାକି’କୁ ବୁଝି ପରିବର୍ତନ ସପକ୍ଷରେ ଭୋଟ ଦେବେ କି ନୀତୀଶ-ବିଜେପି ମେଂଟ ସପକ୍ଷରେ ଭୋଟ ଦେଇ ନିଜକୁ ବୋକା ସାବ୍ୟସ୍ତ କରିବେ, ତାହା ନଭେମ୍ବର ୧୦ ତାରିଖ ଭୋଟ ଫଳାଫଳରୁ ସ୍ପଷ୍ଟ ହେବ ।
କରୋନା କବଳରେ ଫଡ଼ନାଭିସ୍ ଓ ସାତ ଏନଡ଼ିଏ ନେତା
୨୮ ତାରିଖରେ ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ ନିର୍ବାଚନର ମଂଗ ଧରିଥିବା ବିଜେପି ନେତାମାନେ ଜଣେକ ପରେ ଜଣେ କରୋନାରେ ଆକ୍ରାନ୍ତ ହୋଇ ଏକାନ୍ତବାସରେ ଥିବା ଖବର ଆସୁଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନେ୍ଦ୍ର ଫଡ଼ନାଭିସ୍ ବିହାର ବିଧାନସଭା ନିର୍ବାଚନରେ ବିଜେପିର ମଂଗ ଧରିଛନ୍ତି । ଭୋଟ ପୂର୍ବରୁ ସେ କୋଭିଡ଼-୧୯ରେ ଆକ୍ରାନ୍ତ ହୋଇ ଏକାନ୍ତବାସକୁ ଗଲେଣି । ଫଡ଼ନାଭିସଙ୍କୁ ମିଶାଇ ବିହାରରେ ସାତ ଜଣ ଏନଡ଼ିଏ ନେତା ଏବେ କୋଭିଡ଼-୧୯ ପଜେଟିଭ୍ ଚିହ୍ନଟ ହୋଇ ଏକାନ୍ତବାସରେ ଅଛନ୍ତି । ଏହି ନେତାମାନେ ହେଲେ, ନୀତୀଶ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟର ବରିଷ୍ଠ ବିଜେପି ନେତା ସୁଶିଲ ମୋଦୀ, ରାଷ୍ଟ୍ରୀୟ ସ୍ତରରେ ବିଜେପିର ବରିଷ୍ଠ ନେତା ଥିବା ସାହନୱାଜ୍ ହୁସେନ, ରାଜୀବ ପ୍ରତାପ ରୁଢୀ, ମଂଗଳ ପାଣ୍ଡେ ଏବଂ ଜେଡ଼ିୟୁର ବରିଷ୍ଠ ନେତା ବିଜୟ କୁମାର ମାଂଝି । ନିକଟରେ କେନ୍ଦ୍ର ମନ୍ତ୍ରୀ ଥାଇ ମୃତ୍ୟୁବରଣ କରିଥିବା ଏଲଜେପି (ଲୋକ ଜନଶକ୍ତି ପାର୍ଟି) ପ୍ରତିଷ୍ଠାତା ତଥା ବରିଷ୍ଠ ନେତା ରାମ ବିଳାସ ପାଶ୍ୱାନ ଏନଡ଼ିଏର ଦଳିତ ମୁହଁ ଥିଲେ । ବିହାର ଥିଲା ତାଙ୍କ ରଣକ୍ଷେତ୍ର । ରାମ ବିଳାସଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପୁଅ ଚିରାଗ ପାଶ୍ୱାନ ଏଲଜେପିର ମଂଗ ସମ୍ଭାଳି ସାରି ଥିଲେ । କିନ୍ତୁ, ତାଙ୍କ ଲୋକପ୍ରିୟତା ବାପାଙ୍କ ଭଳି ନୁହେଁ । ସେ ବାପାଙ୍କ ମୃତ୍ୟୁ ପୂର୍ବରୁ ଘୋଷଣା କରିଥିଲେ ଯେ, ଏଲଜେପି ଦିଲ୍ଲୀରେ ଏନଡ଼ିଏରେ ଥିଲେ ସୁଦ୍ଧା ବିହାର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଲଢିବ । ଏହି ବିଧାନସଭା ନିର୍ବାଚନରେ ରାଜ୍ୟର ୨୪୩ ବିଧାନସଭା ଆସନରେ ଏଲଜେପି ପ୍ରାର୍ଥୀ ଦେବ ବୋଲି ମଧ୍ୟ ଚିରାଗ ଆସ୍ଫାଳନ କରୁଥିଲେ। ତେବେ, ରାମ ବିଳାସଙ୍କ ମୃତ୍ୟୁ ପରେ ସେ ନରମି ଯାଇଥିବା ଭଳି ମନେ ହେଉଛି । ଦିବଂଗତ ନେତା ରାମ ବିଳାସ ପାଶ୍ୱାନଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଯାଇଥିବା ବେଳେ ଚିରାଗ ତାଙ୍କ ପାଦ ଛୁଇଁ ଥିଲେ । ପରବର୍ତୀ ସମୟରେ ଗଣମାଧ୍ୟମରେ ସେ ଦେଇଥିବା ବିବୃତିରେ ନୀତୀଶଙ୍କ ପ୍ରତି ପୂର୍ବ ଆକ୍ରୋଶ ଥିବା ଭଳି ମନେ ହେଉ ନ ଥିଲା । ବିହାର ରାଜନୀତିରେ ତାଙ୍କ ଭୂମିକା କଣ ହେବ ତାହା ମଧ୍ୟ ସେ ଅସ୍ପଷ୍ଟ ରଖିଛନ୍ତି।
ମୋଦୀଙ୍କୁ ତେଜସ୍ୱୀଙ୍କ ପ୍ରଶ୍ନ – ନୀତୀଶଙ୍କ ଘୋଟାଲା ସଂଖ୍ୟା ଗଣୁଛ ତ ?
ଆରଜେଡ଼ି ମୁଖ୍ୟ ତେଜସ୍ୱୀ ପ୍ରତାପ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଦ୍ୟ ବିହାର ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଉଠାଇ ଥିବା ପ୍ରଶ୍ନ ଏବେ ଚର୍ଚ୍ଚାରେ ରହିଛି । ତେଜସ୍ୱୀ ଅଭିଯୋଗ କରିଛନ୍ତି ଯେ, ୨୦୧୫ ନିର୍ବାଚନ ସମୟ ବେଳକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘୋଟାଲା ସଂଖ୍ୟା ୩୫ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସେହି ସମୟରେ ଆୟୋଜିତ ବିଭିନ୍ନ ନିର୍ବାଚନ ସଭାରେ ନୀତୀଶଙ୍କ ଏହି ଘୋଟାଲା ତାଲିକା ପଢି ଶୁଣାଇ ଥିଲେ । ଗତ ପାଂଚ ବର୍ଷ ମଧ୍ୟରେ ସେଥିରେ ଆଉ ୨୫ଟି ଘୋଟାଲା ଯୋଡି ହୋଇ ସଂଖ୍ୟା ୬୦ରେ ପହଂଚିଛି । ଏକଥା ପ୍ରଧାନମନ୍ତ୍ରୀ ଜାଣି ନାହାନ୍ତି କି (?) ବୋଲି ତେଜସ୍ୱୀ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୫ ବିଧାନସଭା ନିର୍ବାଚନରେ ଆରଜେଡ଼ି ଓ କଂଗ୍ରେସ ସହ ମହାଗଠବନ୍ଧନରେ ଥିଲେ । କ୍ଷମତାକୁ ଆସିବା ପରେ ମଝିରୁ ଇସ୍ତଫା ଦେଇ ବିଜେପି ସହାୟତାରେ ପୁନର୍ବାର ସରକାର କରିଥିଲେ । ୨୦୨୦ ନିର୍ବାଚନରେ ସେ ବିଜେପି ସହ ମିଶି ନିର୍ବାଚନ ଲଢୁଛନ୍ତି ଏବଂ ବିଜେପି ତାଙ୍କୁ ନେତୃସ୍ଥାନରେ ରଖି ନିର୍ବାଚନ ପରିଚାଳନା କରୁଛି । ନିର୍ବାଚନ ମଇଦାନରେ ନୀତୀଶ ସାମନା କରୁଥିବା ଆକ୍ରୋଶ ଦେଖି ବିଜେପି ‘କରୋନା ଟୀକା’କୁ ଢାଲ କରୁଥିବା ଚର୍ଚ୍ଚା ହେଉଛି ।
ଆରଜେଡ଼ି କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରୀ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ମଇଦାନରେ ଥିବା ଆରଜେଡ଼ି (ରାଷ୍ଟ୍ରୀୟ ଜନତା ଦଳ) ମୁଖ୍ୟ ତେଜସ୍ୱୀ ଯାଦବ ଆଜି ତାଙ୍କ ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି । ଦଳ କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରୀରେ ବେକାର ଯୁବତୀ, ଯୁବକଙ୍କୁ ନିଯୁକ୍ତି ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡା, ଯୁଦ୍ଧକାଳୀନ ଭିତ୍ତିରେ ଶିକ୍ଷକ ନିଯୁକ୍ତି , ରାଜ୍ୟ ପାଇଁ ଏକ ନୂଆ ଶିଳ୍ପ ନୀତି ଘୋଷଣା, ଚାଷିଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ଲାଭଜନକ ମୂଲ୍ୟ (ଏମଏସପି) ଦିଆଯିବା ଏବଂ ରାଜ୍ୟର ଗ୍ରାମାଂଚଳକୁ ବିକାଶ ପଥରେ ଆଗେଇ ନେବାକୁ ସ୍ମାର୍ଟ ଯୋଜନା କାର୍ଯ୍ୟକାରୀ କରିବା ପ୍ରତିଶ୍ରୁତି ଦିଆଯାଇଛି । ନିର୍ବାଚନୀ ଇସ୍ତାହାର ଜାରି କରିବା ସମୟରେ ତେଜସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାକୁ ଭୁଲି ନାହାନ୍ତି । ଚାରା ଘୋଟାଲା ମାମଲାରେ ଦଣ୍ଡିତ ହୋଇ ଜେଲରେ ଥିବା ଲାଲୁ ଯାଦବଙ୍କୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ ନିକଟରେ କହିଥିଲେ ଯେ, ଆରଜେଡ଼ି ଶାସନରେ ବିହାରରେ ‘ଜଂଗଲ ରାଜ୍’ ଚାଲି ଥିଲା ଏବଂ ଆଇନଶୃଙ୍ଖଳା ବୋଲି କିଛି ନ ଥିଲା । ନୀତୀଶ ସରକାର ସେଥିରେ ସୁଧାର ଆଣିଛନ୍ତି । ତେଜସ୍ୱୀ ଏହି ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଗତ ୧୫ ବର୍ଷରେ ନୀତୀଶଙ୍କ ଘୋଟାଲା ସଂଖ୍ୟା ମନେ ପକାଇ ଦେଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS