କୋଲ୍ ବ୍ଲକ୍ ବଂଟନ ମାମଲା: ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ, ୧୦ ଲକ୍ଷ ଟଙ୍କା ଜରିମାନା
ପ୍ରସାଦ ରାଓ
ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୧୯୯୯ରେ ହୋଇଥିବା ଏକ କୋଇଲା ଖଣି ଆବଂଟନରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ତିନି ବର୍ଷ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ହୋଇଛି । ଝାଡ଼ଖଣ୍ଡର ଗିରିଡିହରେ ଥିବା ବ୍ରହ୍ମଡିହ କୋଇଲା ଖଣି ସିଟିଏଲକୁ ଆବଂଟନ କରାଯିବାରେ ଦୁର୍ନୀତି ଓ ଆପରାଧିକ ଷଡଯନ୍ତ୍ର ହୋଇଥିବା ସିବିଆଇ ପକ୍ଷରୁ ଅଭିଯୋଗ ହୋଇଥିଲା । ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଚାଲିଥିବା ଏହି ମାମଲାର ଶୁଣାଣୀ ଚଳିତ ମାସର ପ୍ରଥମ ସପ୍ତାହରେ ସରିଥିଲା । ତେବେ, ସ୍ୱତନ୍ତ୍ର ବିଚାରପତି ଭରତ ପରାସର ମାମଲାର ରାୟକୁ ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଆଜି ସେ ତାଙ୍କ ରାୟ ଶୁଣାଇଛନ୍ତି ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ସେହି ସମୟରେ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରଣାଳୟରେ ବରିଷ୍ଠ ପ୍ରଶାସନିକ ପଦବୀରେ ଦୁଇ ଅଧିକାରୀଙ୍କ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ ହୋଇଥିବା ଏହି ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀ ହେଉଛନ୍ତି ତତ୍କାଳୀନ କୋଇଲା ସଚିବ ପ୍ରଦୀପ କୁମାର ବାନାର୍ଜୀ, ଅନ୍ୟତମ ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମ ।
ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଭରତ ପରାସର ଆଜି ଏହି ମାମଲାରେ ଦଣ୍ଡ ଘୋଷଣା କରିବା ସମୟରେ ସିବିଆଇ ପକ୍ଷରୁ ଓକିଲ ଭି.କେ.ଶର୍ମା ଓ ଏ.ପି.ସିଂହ ଅଦାଲତରେ ଉପସ୍ଥିତ ଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାୟ, ତକ୍ରାଳୀନ କୋଇଲା ମନ୍ତ୍ରଣାଳୟ ସଚିବ ବାନାର୍ଜୀ, ଅନ୍ୟତମ ବରିଷ୍ଠ ଅଧିକାରୀ ଗୌତମ ଏବଂ କୋଇଲା ବ୍ଲକ୍ ର ଲିଜ୍ ପାଇଥିବା କାଷ୍ଟ୍ରନ୍ ଟେକ୍ନୋଲୋଜିସ୍ ଲିମିଟେଡ଼ର(ସିଟିଏଲ୍)ର ନିର୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଦୃଷ୍ଟାନ୍ତମୂଳକ ଭାବେ ସର୍ବାଧିକ ଦଣ୍ଡ (ଆଜୀବନ କାରାଦଣ୍ଡ) ବିଧାନ କରାଯିବାକୁ ସେମାନେ ଅଦାଲତକୁ ନିବେଦନ କରିଥିଲେ । ତେବେ, ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ପୂର୍ବରୁ କେବେ କୌଣସି ମାମଲାରେ ଦଣ୍ଡିତ ହୋଇ ନ ଥିବା ଏବଂ ସେମାନଙ୍କ ବୟସାଧିକ ଦୃଷ୍ଟିରୁ ସେମାନଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରା ନ ଯିବାକୁ ସେମାନଙ୍କ ଓକିଲ ବିଚାରପତିଙ୍କୁ ନିବେଦନ କରିଥିଲେ । ବିଚାରପତି ପରାସର ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ୩ବର୍ଷ ଲେଖାଏଁ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ଶୁଣାଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ୧୯୯୯ରେ କେନ୍ଦ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଦିଲ୍ଲୀପ ରାୟ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ସମୟରେ ସିଟିଏଲ୍ କୁ ଝାଡ଼ଖଣ୍ଡ ଗିରିଡିହର ବ୍ରହ୍ମଡିହ କୋଲ୍ ବ୍ଲକ୍ ଆବଂଟନ ହୋଇଥିଲା । ଏହି କୋଲ୍ ବ୍ଲକ୍ ବଂଟନରେ ଆପରାଧୀକ ଷଡଯନ୍ତ୍ର ଓ ଦୁର୍ନତୀ ହୋଇଥିବା ଅଭିଯୋଗ ହେବାରୁ ସିବିଆଇ ତାହାର ତଦନ୍ତ କରି ତତ୍କାଳୀନ କୋଇଲା ରାଷ୍ଟ୍ରମନ୍ତ୍ରୀ ରାୟଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଅଭିଯୋଗପତ୍ର ଦାଖଲ କରିଥିଲା । ସ୍ୱତନ୍ତ୍ର ସିବିଆଇ ଅଦାଲତ ମାମଲାର ଶୁଣାଣୀ କରି ରାୟଙ୍କ ସମେତ ଅନ୍ୟମାନଙ୍କୁ ଦୋଷୀ ପାଇଥିଲେ । ଏହି ମାମଲାରେ କାଷ୍ଟ୍ରନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ର(ସିଟିଏଲ୍)ର ନିର୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାୟ (୬୪) ବିଜୁ ଜନତା ଦଳ (ବିଜେଡ଼ି)ର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜଣେ ଘନିଷ୍ଟ ସହଯୋଗୀ । ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ ସ୍ଥାନ ରହି ଥିଲେ । ବିଜୁ ବାବୁଙ୍କ ଅନ୍ତିମ ସମୟରେ ରାୟ ତାଙ୍କୁ ଦିଲ୍ଲୀସ୍ଥିତ ନିଜ ବାସଭବନରେ ରଖି ସମସ୍ତ ପ୍ରକାର ସେବା କରିଥିବା ସମସ୍ତେ ଜାଣନ୍ତି । ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତା ଦଳରେ ବିଭାଜନ କରି ବିଜୁଙ୍କ ନାମରେ ଯେଉଁ ‘ବିଜୁ ଜନତା ଦଳ’ ବା ବିଜେଡ଼ି ଗଠନ କଲେ ସେଥିରେ ରାୟଙ୍କ ବଳିଷ୍ଠ ଭୂମିକା ରହିଥିଲା । ୧୯୯୯ରେ ବିଜେଡ଼ି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡ଼ିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ)ରେ ସହ ଥିବା ସମୟରେ ରାୟ ରାଜ୍ୟ ସଭା ସଦସ୍ୟ ଥାଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ଦଳୀୟ ନିର୍ଦେଶକୁ ଅବମାନନା କରିଥିବା ଅଭିଯୋଗରେ ୨୦୦୨ରେ ତାଙ୍କୁ ବିଜେଡ଼ିରୁ ବିଦା ହେବାକୁ ପଡି ଥିଲା । ତେବେ, ସେ ସ୍ୱାଧୀନ ପ୍ରାର୍ଥୀ ରହି ରାଜ୍ୟସଭାକୁ ନିର୍ବାଚିତ ହେବାରେ ସକ୍ଷମ ହୋଇଥିଲେ ।
ରାଉରକେଲାରୁ ହୋଟେଲ ବ୍ୟବସାୟ ଆରମ୍ଭ କରିଥିବା ରାୟ ପରବର୍ତୀ ସମୟରେ ନିଜକୁ ଦେଶର ଜଣେ ଜଣାଶୁଣା ଉଦ୍ୟୋଗପତି ଭାବେ ପ୍ରତିଷ୍ଠିତ କରିଛନ୍ତି । ହୋଟେଲ ମେ’ ଫେୟାର ଗୃପ୍ ର ସେ ହେଉଛନ୍ତି ଅଧ୍ୟକ୍ଷ । ଦିଲ୍ଲୀପ ୧୯୮୫, ୧୯୯୦ ଓ ୨୦୧୪ରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୮୫ ଓ ୧୯୯୦ରେ ସେ ଜନତା ଦଳରୁ ଓ ୨୦୧୪ରେ ବିଜେପିରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୨ରେ ବିଜେଡ଼ିରୁ ବିଦା ହେବା ପରେ ସେ ୨୦୦୯ରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ, ସବୁ ନିଷ୍ପତ୍ତିରେ ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ଦିଲ୍ଲୀପ ୨୦୧୮ରେ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଦଳ କେନ୍ଦ୍ରୀୟ ତଦନ୍ତ ଏଜେନ୍ସକୁ ଲଗାଇ ତାଙ୍କ ବିରୋଧରେ କୋଇଲା ବ୍ଲକ୍ ବଂଟନ ଦୁର୍ନୀତିର ତଦନ୍ତ କରାଉ ଥିବା ସୂଚନା ପାଇ ସେ କ୍ଷବ୍ଧ ହେବା ସହ ବିଜେପିରୁ ଇସ୍ତଫା ଦେଇଥିଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ ।
ବିଜେପି ଛାଡିବା ପରେ ସେ ବିଜେଡିକୁ ଫେରିବାକୁ ବିଫଳ ପ୍ରୟାସ କରିଥିଲେ । ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗାଯୋଗରେ ରହିଥିଲେ । ତେବେ, କଣ ହେଲା କେଜାଣି ତାଙ୍କ ବିଜେଡ଼ି ଗ୍ରହଣ କଲା ନାହିଁ । ତତ୍ପରେ ସେ ରାଜନୀତିରେ ଆଉ ସକ୍ରିୟ ଥିବା ଜଣାପଡୁ ନାହିଁ । ଇସ୍ପାତ ନଗରୀ ରାଉରକେଲା ହେଉଛି ରାୟଙ୍କ କର୍ମକ୍ଷେତ୍ର । ପ୍ରକାଶ ପାଇଥିବା ସିବିଆଇ ସ୍ୱତନ୍ତ୍ର ଅଦାଲତ ରାୟକୁ ଉପର କୋର୍ଟରେ ଚ୍ୟାଲେଂଜ କରାଯିବ ବୋଲି ତାଙ୍କ ଓକିଲ କହିଥିବା ଏକ ଏଜେନ୍ସି ରିପୋର୍ଟରୁ ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ କି, ସିଟିଏଲ୍ ୱାସେରୀ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଝାଡ଼ଖଣ୍ଡ ଗିରିଡିହର ବ୍ରହ୍ମଡିହ କୋଇଲା ଖଣି ତାହା ସପକ୍ଷରେ ଆବଂଟନ କରାଯିବାକୁ ୧୯୯୮ ମେ’ରେ ଆବେଦନ କରିଥିଲା । ତେବେ, ଏହି ବ୍ରହ୍ମଡିହ କୋଇଲା ଖଣି ଖନନ ହେଲେ ଆଖପାଖରେ ଥିବା ସେଂଟ୍ରାଲ କୋଲ୍ ଫିଲ୍ଡର ଭୂତଳ କୋଇଲା ଉତ୍ତୋଳନ କାର୍ଯ୍ୟ ପ୍ରଭାବିତ ହେବ ଦର୍ଶାଇ ୧୯୯୮ ଅଗଷ୍ଟରେ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ସିଟିଏଲ୍ ପ୍ରସ୍ତାବରେ ଦ୍ୱିମତ ପ୍ରକାଶ କରିଥିଲା ।
ସିଟିଏଲ୍ ର ଫାଇଲ୍ ୧୯୯୯ ଏପ୍ରିଲ ୨୩ରେ କେନ୍ଦ୍ରରେ କୋଇଲା ରାଷ୍ଟ୍ର ମନ୍ତ୍ରୀ ଥିବା ଦିଲ୍ଲୀପ ରାୟଙ୍କ ଟେବୁଲକୁ ଆସି ଥିଲା । ସଂସ୍ଥା ତାହାର ଆବେଦନ ଉପରେ ତ୍ୱରିତ ବିଚାର କରାଯିବାକୁ ୧୯୯୯ ମେ’ ୧୨ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ପତ୍ର ଲେଖି ଥିଲା । ଗୋଟିଏ ଦିନ ପରେ ଅର୍ଥାତ ମେ’୧୩ ରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ସିଟିଏଲ୍ ଆବେଦନର ପୁନଃ ବିଚାର କରିବାକୁ ମନ୍ତ୍ରଣାଳୟକୁ ନିର୍ଦେଶ ଦେବା, ୧୪ ତାରିଖରେ ବିଭାଗୀୟ ଅଧିକାରୀମାନେ ସିଟିଏଲ୍ ସପକ୍ଷରେ ମତାମତ ଦେବା ଏବଂ ତାହାରି ଆଧାରରେ ବ୍ରହ୍ମଡିହ କୋଇଲା ଖଣି ସିଟିଏଲ୍ କୁ ଦେବାକୁ ୧୪ତମ ସ୍କ୍ରିନିଂ କମିଟି ସୁପାରିଶ କରିବା ଏବଂ କୋଇଲା ମନ୍ତ୍ରୀ ରାୟ ଚୂଡାନ୍ତ ଅନୁମୋଦନ ଦେବା ପରେ ୧୯୯୯ ସେପ୍ଟେମ୍ବର ୧ ତାରିଖରେ ଏହି କୋଇଲା ଖଣି ସିଟିଏଲ୍ କୁ ଆବଂଟନ କରାଯିବାରେ ଦୁର୍ନୀତିର ଗନ୍ଧ ବାରି ହେଉଥିଲା । ଦେଶରେ କୋଇଲା ଖଣି ଆବଂଟନରେ ଗୁରୁତର ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହେବାରୁ ସୁପ୍ରିମ କୋର୍ଟ ଏହାର ତଦନ୍ତ ପାଇଁ ସିବିଆଇକୁ ନିର୍ଦେଶ ଦେଇଥିଲେ । ୨୦୧୨ ସେପ୍ଟେମ୍ବରରେ ସିବିଆଇ ତତ୍କାଳୀନ କେନ୍ଦ୍ର କୋଇଲା ମନ୍ତ୍ରୀ ରାୟଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ କରିବା ସହ ୨୦୧୭ ଏପ୍ରିଲରେ ଚାର୍ଜସିଟ୍ ଦାଖଲ କରିଥିଲା । ୨୦୨୦ ଅକ୍ଟୋବରରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ମାମଲାର ବିଚାରଣା ଶେଷ କରି ରାୟଙ୍କୁ ଦଣ୍ଡିତ କରିଛନ୍ତି ।
ମୋଅନୁଭବ.କମ୍, ଅକ୍ଟୋବର, ୨୬
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS