ବିଧାନସଭା ଉପ ନିର୍ବାଚନ: ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ କାଲି ଭୋଟ
ପ୍ରସାଦ ରାଓ
ନଭେମ୍ବର, ୦୨
ଓଡ଼ିଶାର ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ କାଲି (୩ ତାରିଖ) ହେବାକୁ ଯାଉଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ବାଲେଶ୍ୱରର ୮୬ ଓ ତିର୍ତୋଲର ୧୫୫ ଭୋଟ କେନ୍ଦ୍ର ଅତ୍ୟନ୍ତ ସ୍ପର୍ଶକାତର ଭାବେ ଚିହ୍ନଟ ହୋଇଛି । ବ୍ୟାପକ ସଶସ୍ତ୍ର ପୁଲିସ ମୁତୟନ ଏବଂ କୋଭିଡ଼ କଟକଣା ମଧ୍ୟରେ ଭୋଟ ହେବାକୁ ଯାଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ଏହି ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ପାଇଁ ୨୫୧ ଜଣ ପୁଲିସ ଅଧିକାରୀ ଓ ଛଅ କଂପାନୀ କେନ୍ଦ୍ରୀୟ ପୁଲିସ ବଳ ମୁତୟନ କରାଯାଇଛି । ଭୋଟଦାନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଗୋଟିଏ ବୁଥ୍ ରେ ୧୫୦୦ ଭୋଟର ଭୋଟ ଦେବା ବ୍ୟବସ୍ଥା ଥିଲା । ଏହି ଉପ ନିର୍ବାଚନରେ ତାହା ୧୦୦୦ରେ ସୀମିତ କରାଯାଇଛି । ଏହାଛଡା, ଦୁଇ ବିଧାନସଭା କ୍ଷେତ୍ରରେ ଭୋଟରଙ୍କ ସୁବିଧା ପାଇଁ ଭୋଟଦାନ କେନ୍ଦ୍ର (ବୁଥ୍) ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି । ତିର୍ତୋଲ ବିଧାନସଭା କ୍ଷେତ୍ରରେ ମତଦାନ କେନ୍ଦ୍ର ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି ହୋଇଥିବା ବେଳେ ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ରରେ ମତଦାନ କେନ୍ଦ୍ର ସଂଖ୍ୟା ୧୯୮ରୁ ୩୪୬କୁ ବୃଦ୍ଧି କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ କହିଛନ୍ତି ।
୨୦୧୯ ବିଧାନସଭା ନିର୍ବାଚନରେ ବାଲେଶ୍ୱର ସଦର ବିଧାନସଭା ଆସନରୁ ବିଜେପିର ମଦନ ମୋହନ ଦତ୍ତ ବିଧାୟକ ନିର୍ବାଚିତ ହୋଇଥିଲେ । ସେହିଭଳି, ତିର୍ତୋଲ ଆସନରୁ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ବିଜେଡ଼ିରୁ ବିଜୟୀ ହୋଇଥିଲେ । ଏହି ଦୁଇ ବିଧାୟକଙ୍କ ମୃତ୍ୟୁ ଘଟି ଥିବାରୁ ଦୁଇ ଆସନରେ କାଲି ଉପ ନିର୍ବାଚନ ହେଉଛି । ବାଲେଶ୍ୱର ସଦର ଆସନରୁ ପୂର୍ବତନ ବିଧାୟକ ଦତ୍ତଙ୍କ ପୁଅ ମାନସ ଦତ୍ତ ବିଜେପିରୁ ପ୍ରାର୍ଥୀ ଥିବା ସମୟରେ ତିର୍ତୋଲ ଆସନରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଦାସ ବିଜେଡ଼ି ପ୍ରାର୍ଥୀ ଅଛନ୍ତି । ଦୁହେଁ ଅନୁକଂପା ଭୋଟରେ ଜିତିବା ଆଶା ରଖିଛନ୍ତି । ତଥାପି, ବିଜେଡ଼ି ବାଲେଶ୍ୱର ସଦର ଆସନରୁ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛି ଏବଂ ତିର୍ତୋଲ ଆସନରେ ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରାଇ ବିଜେଡ଼ିକୁ କଡା ଟକ୍କର ଦେବାକୁ ଉଦ୍ୟମ କରୁଛି ।
ଉପ ନିର୍ବାଚନ ଯୁଦ୍ଧରେ କଂଗ୍ରେସ ମଧ୍ୟ ପଛରେ ନାହିଁ । ଦଳ ପକ୍ଷରୁ ବାଲେଶ୍ୱର ସଦର ଆସନରୁ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରାଯାଇ ବିଜେଡ଼ିରେ ଥିବା ଗୋଷ୍ଠୀ କନ୍ଦଳରୁ ଫାଇଦା ନେବା ଉଦ୍ୟମ ଚାଲିଛି । ତିର୍ତୋଲ ଆସନରେ କଂଗ୍ରେସ ହିମାଂଶୁ ଭୁଷଣ ମଲ୍ଲିକ ନାମକ ଜଣେ ଯୁବ ଆଇଟି ଇଂଜିନିୟରଂକୁ ପ୍ରାର୍ଥୀ କରିଛି । ବାଲେଶ୍ୱର ସଦର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୨୦୧୪ ଲୋକସଭା ନିର୍ବାଚନରେ ବାଲେଶ୍ୱର ସଂସଦୀୟ ଆସନରୁ ‘ଆମ୍ ଆଦମୀ ପାର୍ଟି’ରୁ ପ୍ରାର୍ଥୀ ଥାଇ ମାତ୍ର ୨, ୬୬୪ଟି ଭୋଟ ପାଇ ଥିଲେ । ୨୦୧୯ ନିର୍ବାଚନରେ ସେ ବାଲେଶ୍ୱରରେ କିଛି ବିଜେଡ଼ି ନେତାଙ୍କ ସହ ପ୍ରଚାରରେ ସାମିଲ ଥିଲେ ବୋଲି କୁହାଯାଉଛି । କିଛି ମାସ ତଳେ ସେ କଂଗ୍ରେସରେ ଯୋଗ ଦେଇ ବାଲେଶ୍ୱର ସଦର ବିଧାନସଭା ଉପ ନିର୍ବାଚନରେ ପ୍ରାର୍ଥୀ ହେବା ସୁଯୋଗ ପାଇଛନ୍ତି । ତିର୍ତୋଲ ଆସନରୁ ପ୍ରାର୍ଥୀ ଥିବା କଂଗ୍ରେସର ହିମାଂଶୁ କିଛି ବର୍ଷ ଦୁବାଇରେ କାମ କରି ଫେରିଛନ୍ତି । ସେ ଜଣେ ଶିକ୍ଷିତ ଯୁବକ ହୋଇ ଥିବାରୁ ଭୋଟର ତାଙ୍କୁ ପସନ୍ଦ କରି ପାରନ୍ତି ବୋଲି କଂଗ୍ରେସ ଆଶା ରଖିଛି ।
କୋଭିଡ଼ କଟକଣା ସତ୍ୱେ କାଲି ହେବାକୁ ଥିବା ଦୁଇ ବିଧାନସଭା ଉପ ନିର୍ବାଚନ ପାଇଁ କଂଗ୍ରେସ, ବିଜେପି ଓ ବିଜେଡ଼ି ପକ୍ଷରୁ ଭୋଟ ପ୍ରଚାର ବେଶ୍ ସରଗରମ ଥିଲା । କୋଭିଡ଼ କଟକଣାକୁ ଉଲଂଘନ କରାଯାଇଥିବା ଅଭିଯୋଗ ମଧ୍ୟ ଆସିଛି । ନିର୍ବାଚନ ପ୍ରଚାରରେ ଭୁବନେଶ୍ୱର ସାଂସଦ ତଥା ବିଜେପିର ଜାତୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଦୁଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବିଜେପିର ଷ୍ଟାର୍ କ୍ୟାଂପେନର୍ ଥିବା ବେଳେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ରାଜ୍ୟର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ପ୍ରଚାରରେ ସାମିଲ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରର ଶେଷ ପର୍ଯ୍ୟାୟରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଦୁଇ ବିଧାନସଭା କ୍ଷେତ୍ରର ଭୋଟରଙ୍କୁ ଉଦ୍ବୋଧନ ଦେଇ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ ।
ନିର୍ବାଚନ ପ୍ରଚାରରେ କଂଗ୍ରେସ ମଧ୍ୟ ପଛରେ ନ ଥିଲା । ଏଆଇସିସି ପକ୍ଷରୁ ଓଡ଼ିଶା ଦାୟିତ୍ୱରେ ଥିବା ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ପୁରୁଖା କଂଗ୍ରେସ ବିଧାୟକ ସୁର ରାଉତରାୟ, ତାରା ପ୍ରସାଦ ବାହିନୀପତିଙ୍କ ସମେତ ଦଳର ବହୁ ତୁଂଗ ନେତା ଓ କର୍ମୀ ପ୍ରଚାରରେ ସାମିଲ ହୋଇ ଥିଲେ । ଉଭୟ ବିଜେପି ଓ ବିଜେଡ଼ି ଓଡ଼ିଶାରେ ପରିସ୍ପର ବିରୋଧରେ ଲଢୁଥିଲେ ମଧ୍ୟ ଜାତୀୟ ସ୍ତରରେ ଗୋଟିଏ ମୁଦ୍ରାର ଦୁଇ ପାଖ ବୋଲି କଂଗ୍ରେସ ନେତାମାନେ ସମାଲୋଚନା କରିବା ସହ କୋଭିଡ଼ ପରିଚାଳନାରେ ଅବ୍ୟବସ୍ଥା ଓ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ । ନିର୍ବାଚନ ବାତାବରଣ ଯାହା ସେଥିରୁ ଦୁଇ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଜଣା ପଡୁଥିଲେ ମଧ୍ୟ ବାସ୍ତବରେ ବିଜେଡ଼ି ଓ ବିଜେପି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଯଦି ଅନୁକଂପା ଭୋଟ କାମ କରେ ତେବେ ବାଲେଶ୍ୱର ସଦରରୁ ବିଜେପି ଓ ତିର୍ତୋଲ ଆସନରୁ ବିଜେଡ଼ି ଜିତିବା ଏକପ୍ରକାର ନିଶ୍ଚିତ । ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଏହି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS