କରୋନା ଡ଼ାଏରୀ (୨୪)… ‘ବଟି’, ପୁଲିସ୍ ଓ ଗଣମାଧ୍ୟମ
ପ୍ରସାଦ ରାଓ
ନଭେମ୍ବର, ୦୧
କିଛି ଦିନ ହେଲା ରାଜ୍ୟରେ ‘ବଟି’କୁ ନେଇ ବଡ଼ ବିତର୍କ ଚାଲିଛି । ଭୁବନେଶ୍ୱର କମିସନରେଟ୍ ପୁଲିସ ‘ଦାଦାବଟିକୁ ନା’.. କାର୍ଯ୍ୟକ୍ରମ ଆରମ୍ଭ କରି ଏହି ବିତର୍କର ସୂତ୍ରପାତ କରିଛନ୍ତି । ଲୋକଙ୍କୁ ଭୟଭିତ କରି ମୋଟା ଅଂକର ‘ବଟି’ ଆଦାୟ କରୁଥିବା କିଛି ଜଣାଶୁଣା ଅପରାଧୀ ପୁଲିସ ଦ୍ୱାରା ଗିରଫ ହୋଇ ‘ଦାଦାବଟିକୁ ନା’ କାର୍ଯ୍ୟକ୍ରମର ଶିରୋନାମାରେ ଥିଲେ । ପରବର୍ତୀ ସମୟରେ ଗଣମାଧ୍ୟମ ଏହି ଶିରୋନାମାକୁ ଆସିଛି । କମିସନରେଟ୍ ପୁଲିସ ନିକଟରେ ତମାଣ୍ଡୋ ଅଂଚଳର ଜଣେ ବ୍ୟବସାୟୀଙ୍କ ଠାରୁ ମୋଟା ଅଂକର ଚାନ୍ଦା ମାଗି ଜୁଲମ କରିବା ଅଭିଯୋଗରେ ଛଅ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନେ ବ୍ୟବସାୟୀଙ୍କ କ୍ୟାସବକ୍ସରୁ ଟଙ୍କା ଲୁଟିଥିବା ମଧ୍ୟ ପୁଲିସ ଆଡୁ ଅଭିଯୋଗ ହୋଇଛି । ପୁଲିସ ସେମାନଙ୍କୁ ଡକାୟତି ମାମଲାରେ ଛନ୍ଦି ନ୍ୟାୟିକ ହାଜତକୁ ପଠାଇବା ଘଟଣା ସାମ୍ବାଦିକତା ପେଶାକୁ ନକାରାତ୍ମକ ଚର୍ଚ୍ଚାକୁ ଟାଣିଛି।
ରାଜ୍ୟର ଗ୍ରାମାଂଚଳ ଥାନାରେ ମଧ୍ୟ ଏଭଳି କିଛି ଗିରଫଦାରୀ ହେଲାଣି । ପୁଲିସ ମହାନିର୍ଦେଶକ ଅଭୟ ବଟି ଆଦାୟକାରୀଙ୍କ ପ୍ରତି ‘ଜିରୋ ଟଲରେନ୍ସ୍’ ନୀତି ଘୋଷଣା କରିବା ପରେ ଗ୍ରାମାଂଚଳ ପୁଲିସ ନିଜ ବନ୍ଧୁକ ସଜ କରି ଗଣମାଧ୍ୟମକୁ ମଧ୍ୟ ଶିକାର କରୁଛନ୍ତି । କେବଳ ୱେବ୍ ଚ୍ୟାନେଲ ନୁହଁ, ରାଜ୍ୟରେ ଏକ ନମ୍ବର, ଦୁଇ ନମ୍ବର ଖବର କାଗଜ ବୋଲି ନିଜକୁ ଦାବି କରୁଥିବା ସଂସ୍ଥାର କିଛି ଗ୍ରାମାଂଚଳ ପ୍ରତିନିଧି ‘ବଟି’ ଆଦାୟ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯିବା ସମସ୍ତଙ୍କୁ ଲଜ୍ଜିତ କରିଛି । କିଛି ବର୍ଷ ହେଲା ସାମ୍ବାଦିକତା ପକ୍ଷପାତିତା ଓ ଚାଟୁକାରିତା ପାଇଁ ବଦନାମ ରହିଛି । ଏବେ ‘ଦାଦାବଟି’ ଆଉ ଏକ କଳଂକ ହୋଇ ପେଶାକୁ ସମାଲୋଚନା ଭିତରକୁ ଟାଣି ଆଣିଛି । ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମଗୁଡିକ ପେଶାକୁ ମାର୍ଜିତ କରିବାର ବାଟ ବାହାର କରିବା ପରିବର୍ତେ ଅସଂଗଠିତ ୱେବ୍ ମିଡ଼ିଆକୁ ଟାର୍ଗେଟ୍ କରିବା ଏବଂ ନିଜକୁ ଶୁଦ୍ଧପୁତ ସାବିତ୍ କରିବାର ଅପଚେଷ୍ଟା କରିବା ମୁହଁଖୋରଙ୍କୁ ଉତ୍ସାହିତ କରିଛି । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଯେଉଁ ଟ୍ରୋଲ୍ ଚାଲିଛି, ତାହା ସାମ୍ବାଦିକତାର ପରିଭାଷାକୁ ବଦଳାଇ ଦେଲାଣି । ଏହି ପେଶା ସହ ଅନ୍ତରଂଗ ନ ଥିବା ଜନତା କିଛି ମୁଖ୍ୟସ୍ରୋତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ୱେବ୍ ମିଡ଼ିଆ ପ୍ରତି ହେଉଥିବା ‘ଟ୍ରୋଲ’କୁ ବିଶ୍ୱାସ କରି ସେଥିରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଚୋର, ଡ଼କାୟତ କହୁଛନ୍ତି । ସାମ୍ବାଦିକଙ୍କୁ ନିଯୁକ୍ତି ଦେବା ସମୟରେ ସଂସ୍ଥା ସେମାନଙ୍କୁ ଠିକ୍ ଭାବେ ପରଖିବା ଉଚିତ ବୋଲି ବିତର୍କରେ ଭାଗ ନେଇ ଥିବା କିଛି ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି । ଅନେକ ସାମ୍ବାଦିକତା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ସାଧାରଣ ଜ୍ଞାନ ପରୀକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ଆଉ କେହି ଭାଷାଜ୍ଞାନ କଥା ମଧ୍ୟ କହିଛନ୍ତି ।
ବାସ୍ତବରେ, ଭଲ ସାମ୍ବାଦିକ ହେବା ପାଇଁ ଏସବୁର ଆବଶ୍ୟକତା ରହିଛି । ସାମ୍ବାଦିକ ନିଯୁକ୍ତି ସମୟରେ ଏସବୁ ପ୍ରତି ଦୃଷ୍ଟି ଦିଆଯାଇଥାଏ । ତେବେ, ପରିସ୍ଥିତି ଏବଂ ପରିବେଶ ଏଭଳି କିଛି ଘଟଣା ଘଟାଉଛି ଯଦ୍ୱାରା ସମସ୍ତ ସାମ୍ବାଦିକତା ପେଶା ବଦନାମ ହେଉଛି । ମୁଖୁରା ଲୋକମାନେ ଗଣମାଧ୍ୟମକୁ ‘ଟ୍ରୋଲ୍’ କରିବା ସୁଯୋଗ ପାଉଛନ୍ତି । ଗୋଟିଏ ସମୟ ଥିଲା, ସର୍ବସାଧାରଣରେ ଆଲୋଚନା ହେଉଥିଲା – ‘ଯାହାର ଅନ୍ୟ ଗତି କିଛି ନାହିଁ ସେ ରାଜନୀତି ବା ସାମ୍ବାଦିକତା କରେ । ଅଶି ଦଶକରେ ଶିକ୍ଷିତ ମହଲରେ ମଧ୍ୟ ଏଭଳି ଏକ ଧାରଣ ଥିଲା । କାରଣ, କାମଧନ୍ଦା ନଥିବା ଲୋକ ହିଁ ସାମ୍ବାଦିକ ବା ରାଜନେତା କରନ୍ତି ବୋଲି ସମସ୍ତେ ଭାବୁଥିଲେ । ପଣ୍ଡିତ ଗୋପବନ୍ଧୁ ଦାସ, ଶଶୀ ଭୂଷଣ ରଥ, ଡ଼କ୍ଟର ରାଧାନାଥ ରଥ, ଡକ୍ଟର ହରେକୃଷ୍ଣ ମହତାବ, ବାଳକୃଷ୍ଣ କର, ଦେବେନ୍ଦ୍ର ଶତପଥୀଙ୍କ ଅମଳର ସାମ୍ବାଦିକତାର ସ୍ୱଭାବ ଭିନ୍ନ ଥିଲା । ସ୍ୱାଧୀନତା ସଂଗ୍ରାମ ସହ ସାମ୍ବାଦିକତା ଯୋଡି ହୋଇ ରହି ଥିଲା । ତେଣୁ, ଏହା ସେବାମୂଳକ କାର୍ଯ୍ୟ ବୋଲି ସମସ୍ତେ ବିଚାର କରୁଥିଲେ । ସ୍ୱାଧୀନତା ପରବର୍ତୀ ସମୟରେ ମଧ୍ୟ ତାହା ଥିଲା ସେବାମୂଳକ କାର୍ଯ୍ୟର ଅଂଶ । ନିଜ ସ୍ୱାର୍ଥକୁ ଜଳାଂଜଳୀ ଦେଇ ଯେଉଁମାନେ ଏହି ସେବାମୂଳକ କାର୍ଯ୍ୟରେ ଭାଗ ନେଉ ଥିଲେ ସେମାନେ ପାରିଶ୍ରମିକ ପାଉ ନ ଥିଲେ ବା ଅତି ସ୍ୱଳ୍ପ ପାରିଶ୍ରମିକ ପାଉଥିଲେ । ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଆୟପନ୍ଥା ଦେଖୁ ଥିଲେ ।
ମୁଁ ଜାଣିବାରେ ୧୯୮୪ ମସିହା ପର୍ଯ୍ୟନ୍ତ ଗ୍ରାମାଂଚଳ ସାମ୍ବାଦିକଙ୍କୁ ପୋଷ୍ଟେଜ୍ ଖର୍ଚ୍ଚ ବ୍ୟତୀତ ଆଉ କିଛି ମିଳୁ ନ ଥିଲା । ପାରିଶ୍ରମିକ କଥା ଉଠାଇଲେ ସଂପାଦକମାନେ ବିଗିଡ଼ି ଯାଉଥିଲେ । ଗ୍ରାମାଂଚଳରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଅଂଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ପରିବାର ପୋଷଣ କରୁଥିଲେ । କେବଳ ସହରାଂଚଳରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସଂସ୍ଥାରୁ କିଛି କିଛି ପାରିଶ୍ରମିକ ମିଳୁ ଥିଲା । ତେବେ, ପରିବାର ପୋଷଣ ପାଇଁ ତାହା ଯଥେଷ୍ଟ ନଥିଲା । ସାମ୍ବାଦିକତାରେ ରୁଚି ରଖୁଥିବା ଯୁବକମାନେ ଏହାକୁ ପେଶା ନ କରି ଶକ ‘ପ୍ଲାଟଫର୍ମ’ ଭାବେ ବ୍ୟବହାର କରୁଥିଲେ । ତେଣୁ, ସଂପାଦନା ବିଭାଗରେ ପ୍ରତ୍ୟହ ନୂଆ ନୂଆ ମୁହଁଙ୍କ ଆବିର୍ଭାବ ଘଟୁଥିଲା । ୧୯୮୪ରେ ଓଡ଼ିଆ ସାମ୍ବାଦିକତାରେ ନୂଆ ମୋଡ ଆସିଲା । ନୂତନ ମୁଦ୍ରଣ କୌଶଳ ଓ ସାଜସଜ୍ଜା ସାମ୍ବାଦିକତା ପ୍ରତି ଯୁବକମାନଙ୍କୁ ଆକୃଷ୍ଟ କରିଥିଲା । ଖବର କାଗଜ ଛାପିବା ଆଉ ସେବା ନୁହେଁ, ବ୍ୟବସାୟ ବୋଲି ମାଲିକମାନେ ଧାରଣା ସୃଷ୍ଟି କରିବା ପରେ ସହରାଂଚଳ ଓ ଗ୍ରାମାଂଚଳରେ ସାମ୍ବାଦିକତାର ରୂପରେଖ ବଦଳି ଗଲା । କାର୍ଯ୍ୟରତ ସାମ୍ବାଦିକମାନେ ପାରିଶ୍ରମିକ ପାଇ ନିଜ ପରିବାର ପୋଷଣ କରି ପାରିଲେ।
ରାଜ୍ୟରେ ପ୍ରଥମେ ବିଶ୍ୱବିଦ୍ୟାଳୟ ଏବଂ ପରେ କଲେଜ ଶିକ୍ଷାରେ ସାମ୍ବାଦିକତା ପାଠ୍ୟକ୍ରମର ପ୍ରଚଳନ ହେବାରୁ ଗ୍ରାଜୁଏସନ୍ ପରେ ସାମ୍ବାଦିକତା ପଢିବାକୁ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କଲେ । ଛାତ୍ରଛାତ୍ରୀଙ୍କ ଆଗ୍ରହ ଦେଖି ଘରୋଇ ସଂସ୍ଥା ଓ ବ୍ୟକ୍ତିବିଶେଷ ମଧ୍ୟ ବିଜେଏମସି, ଏମଜେଏମସି ପାଠକ୍ରମ ଆରମ୍ଭ କଲେ । ବର୍ତମାନ ତାଲିମ ପ୍ରାପ୍ତ ଶିକ୍ଷିତ ଯୁବକମାନେ ହିଁ ବହୁଳ ଭାବେ ସାମ୍ବାଦିକତାକୁ ପେଶା କରିଛନ୍ତି । ଛାପା ଗଣମାଧ୍ୟମ ଅପେକ୍ଷା ବୈଦ୍ୟୁତିକ ଗଣମାଧ୍ୟମ ଯୁବ ସମାଜକୁ ବେଶ୍ ଆକର୍ଷିତ କରିଛି । କିଛି ବର୍ଷ ହେଲା ସାମାଜିକ ଗଣମାଧ୍ୟମ ବୈଦ୍ୟୁତିକ ଗଣମାଧ୍ୟମର ସ୍ଥାନ ନେଇଛି । ହାତ ପାଆନ୍ତାରେ ଇଂଟରନେଟ୍ ସୁବିଧା । ଖବର ମିଳୁ ମିଳୁ ସତ୍ୟାସତ୍ୟ ବୁଝିବା ଅପେକ୍ଷା ତାହା ପୋଷ୍ଟ୍ କରି ଭାଇରାଲ୍ କରିବା ଯୁବ ସମାଜର ଏକ ନିଶା ହୋଇଛି । ତାହା ସାମ୍ବାଦିକତାର ଢାଂଚା ବଦଳାଇ ଦେଇଛି । କିଛି ଅନଭିଜ୍ଞ ଏହାର ସୁଯୋଗ ନେଇ ମନ୍ଦ ଉଦେ୍ଦଶ୍ୟ ସାଧନ କରୁଛନ୍ତି । ଏଭଳି ସାମ୍ବାଦିକତା ସାମାଜିକ ସଂକଟ ସୃଷ୍ଟି କରୁଥିଲେ ମଧ୍ୟ ତାହାକୁ ରୋକିବା ସମ୍ଭବ ହେଉନି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଚିନ୍ତାଗ୍ରସ୍ତ । ସୁପ୍ରିମ କୋର୍ଟ ମଧ୍ୟ ଏହା ଉପରେ ଅଂକୁଶ ଲଗାଇବାକୁ କହିଲେଣି । କିନ୍ତୁ, କିପ୍ରକାର ଅଂକୁଶ ଲଗାଇ ହେବ ତାହା ନିର୍ଦ୍ଧାରଣ ହୋଇପାରୁନି ।
ଏବେ ମୂଳ ସମସ୍ୟାକୁ ଆସିବା । ଗ୍ରାମାଂଚଳ ହେଉ ବା ସହରାଂଚଳ – ସାମ୍ବାଦିକତାକୁ ପେଶା କରିବାକୁ ଆସୁଛନ୍ତି ଦୁଇଟି ବର୍ଗ । ଆର୍ଥିକ ସ୍ୱଚ୍ଛଳ ଓ ଅସ୍ୱଚ୍ଛଳ । ଯେଉଁମାନେ ଆର୍ଥିକ ସ୍ୱଚ୍ଛଳ ସେମାନେ ସାମ୍ବାଦିକତା ଜରିଆରେ ନିଜର ଅନ୍ୟ ସବୁ ବ୍ୟବସାୟ, ରାଜନୀତି ବା ସାମାଜିକ ସ୍ୱୀକୃତିକୁ ସୁରକ୍ଷିତ ରଖିବା ପ୍ରୟାସ କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳମାନେ ଏହି ପେଶାରୁ ରୋଜଗାର କଥା ଭାବୁଛନ୍ତି । କାମ କରି ସଂସ୍ଥାରୁ ପାରିଶ୍ରମିକ ପାଇଲେ ସେମାନଙ୍କ ପରିବାର ଚଳୁଛି । ୯୦ ଦଶକରେ ରାଜ୍ୟରେ ବୈଦ୍ୟୁତିକ ଗଣମାଧ୍ୟମର ବିସ୍ତାର ପୂର୍ବରୁ ଛାପା ଓ ରେଡିଓ ସାମ୍ବାଦିକତାର ଯେଉଁ କ୍ରେଜ୍ ଥିଲା ତାହା ଏବେ ବହୁ ମାତ୍ରାରେ କମିଛି । ତେବେ, ଛାପା ଗଣମାଧ୍ୟମ ତାହାର ପୂର୍ବ ପ୍ରଭାବ ହରାଇ ନାହିଁ । କାରଣ, ବିସ୍ତୃତ ଖବର ଜାଣିବା ଓ ଖବରର ବିଶ୍ଲେଷଣ ପଢିବା ପାଇଁ ପାଠକମାନେ ଛାପା ଗଣମାଧ୍ୟମକୁ ନିର୍ଭର କରୁଛନ୍ତି । ଛାପା ଗଣମାଧ୍ୟମରେ ଲେଖା ହିଁ ସର୍ବସ୍ୱ ଥିବାରୁ ଭାଷାଜ୍ଞାନ ଏବଂ ଲେଖିବା ଶୈଳୀକୁ ଗୁରୁତ୍ୱ ଦିଆଯାଏ । କିନ୍ତୁ, ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହି ଜ୍ଞାନର ଆବଶ୍ୟକତା ପଡୁନି ।
ପୂର୍ବରୁ ଛାପା ଗଣମାଧ୍ୟମକୁ ଆସୁଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି ପୂର୍ବରୁ ପରୀକ୍ଷା ଦେବାକୁ ପଡୁଥିଲା । ଉପଯୁକ୍ତ ତାଲିମ ଦିଆଯାଇ ନିଯୁକ୍ତିପତ୍ର ପ୍ରଦାନ କରାଯାଉଥିଲା । ତେବେ, ଗ୍ରାମାଂଚଳ ସମ୍ବାଦଦାତାଙ୍କ ପାଇଁ କେବେ ଭାଷାଜ୍ଞାନ ବା ଲେଖିବା ଶୈଳୀକୁ ଗୁରୁତ୍ୱ ଦିଆଯାଇନି । ଖବରକାଗଜ ବିତରଣ ବା ପ୍ରସାରଣରେ ସେମାନଙ୍କ ଅଭିଜ୍ଞତ ଓ ଦକ୍ଷତାକୁ ପ୍ରାଥମିକତା ଦିଆଯାଇଛି । ପରେ ଖବର ସଂଗ୍ରହ ଓ ପରିବେଷଣ ଦକ୍ଷତା ବିଚାର କରାଯାଉଛି । ତେଣୁ, ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିମାନେ ସମ୍ବାଦପତ୍ରର ଏଜେଂଟ ରହି ସାମ୍ବାଦିକର ପରିଚୟପତ୍ରଟିଏ ପାଉଛନ୍ତି । ସ୍ୱୀକୃତିପତ୍ରଟି ଧରି ସେମାନେ ନିଜ ଅଂଚଳରେ ଅବାଧ ବିଚରଣ କରୁଛନ୍ତି । ତେବେ, ଆଜିର ଦିନରେ ପରିସ୍ଥିତିରେ କିଛିଟା ପରିବର୍ତନ ହେଲାଣି । କିଛି କିଛି ଖବରକାଗଜ ରାଜ୍ୟରୁ ଜିଲ୍ଲା ଓ ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ ଶିକ୍ଷିତ ଓ ତାଲିମପ୍ରାପ୍ତ ଯୁବକଙ୍କୁ ଗଣମାଧ୍ୟମ ପ୍ରତିନିଧି ଭାବେ ନିଯୁକ୍ତି ଦେବା ଫଳରେ ସାମ୍ବାଦିକତାର ଗୁଣାତ୍ମକମାନ ବଢିଛି । ବୈଦ୍ୟୁତିକ ଗଣମାଧ୍ୟମରେ କାମ କରିବାକୁ ଭାଷାଜ୍ଞାନର ବିଶେଷ ଆବଶ୍ୟକତା ରହୁନି । ଚାରି, ଛଅ ଧାଡିର ସ୍କ୍ରିପ୍ଟ୍, ତା’ସହ ସପକ୍ଷ ଓ ବିପକ୍ଷରେ ଦୁଇଟି ବାଇଟ୍ ମିଳିଲେ କାମ ସରିଲା । ଭାଷା ଓ ବିଷୟ ଜ୍ଞାନ ନ ଥିଲେ ମଧ୍ୟ ବୁମ୍ ଧରି କ୍ୟାମେରା ସାମନାରେ ଅନର୍ଗଳ ଗପିବା ଦକ୍ଷତା ଥିଲେ ଷ୍ଟାର୍ ସାମ୍ବାଦିକ । ତେଣୁ, ଷ୍ଟାର୍ ହେବାକୁ ଦୌଡ ବେଶି ।
ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରତି ଦିନ ଯେଉଁ ସବୁ ବିତର୍କ କାର୍ଯ୍ୟକ୍ରମ ହେଉଛି ସେଥିରେ ବିଷୟ ଓ ଭାଷା ଜ୍ଞାନ ଅପେକ୍ଷା ଆଂକର ଆକ୍ଷେପ, ପ୍ରତ୍ୟାକ୍ଷେପକୁ ଗୁରୁତ୍ୱ ଦେଉଛନ୍ତି । ଆଂଚଳିକ ହେଉ ବା ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ – ବଡ ପାଟି କରି ଯିଏ ଅନ୍ୟକୁ ଚୁପ୍ କରାଇ ପାରିଲା ସେ ହେଉଛି ଷ୍ଟାର୍ । ଆଜି ଦିନରେ ଅଧିକାଂଶ ଆଂଚଳିକ ଓ ଜାତୀୟ ଗଣମାଧ୍ୟମ ଶାସକ ଦଳ ସହ ରହିଛନ୍ତି । ତେଣୁ, ଟେଲିଭିଜନ ବିତର୍କକୁ ଶାସକ ଦଳକୁ ସୁହାଇଲା ଭଳି ଅତିଥି ନିମନ୍ତ୍ରିତ ହେଉଛନ୍ତି । ବିରୋଧୀଙ୍କୁ ଡକା ଯାଉଛି କେବଳ ଔପଚାରିକତା ଦୃଷ୍ଟିରୁ । ସେମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ୱ ହେଉଛି ଆଂକର୍ଂକ । ପରିସ୍ଥିତି ଏଭଳି । ସାମ୍ବାଦିକତାରେ ନିଷ୍ଠା ବା ଆଦର୍ଶ ଆସିବ କେଉଁଠୁ ? ସାମାଜିକ ଗଣମାଧ୍ୟମ ମଧ୍ୟ ଏହାଦ୍ୱାରା ଅନୁପ୍ରାଣିତ । ହାତରେ ବୁମ୍ ଓ କାନ୍ଧରେ କ୍ୟାମେରା ଥିଲେ ସମସ୍ତଙ୍କୁ ନତମସ୍ତକ କରି ହେବ, ଏଭଳି ଧାରଣା ନେଇ ଅନଭିଜ୍ଞମାନେ ମଧ୍ୟ ସର୍ବସାଧାରଣରେ ଗଣମାଧ୍ୟମର ପ୍ରତିନିଧିତ୍ୱ କରୁଛନ୍ତି । ଅଭିଜ୍ଞ ଲୋକଙ୍କୁ ଚାକିରୀରେ ରଖିଲେ ମୋଟା ଅଂକର ଦରମା ଦେବାକୁ ପଡିବ ଏବଂ ନିଜର ମନମାନି ଚାଲିବ ନାହିଁ ଭାବି ଆଜିର ଦିନରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କମ୍ ଦରମାରେ ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି । କାଗଜ ବା ଚ୍ୟାନେଲ ଚଲିଲେ ହେଲା । ରଜନୈତିକ ବସ୍ ମାନେ ହେଉଛନ୍ତି ସାମ୍ବାଦିକତାର ପ୍ରକୃତ ନିୟନ୍ତ୍ରକ ।
ଖବରକାଗଜ ହେଉ ବା ବୈଦ୍ୟୁତିକ ଗଣମାଧ୍ୟମ, ତାହାକୁ ଚଳାଇବା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ପଡୁ ଥିବାରୁ ସାମ୍ବାଦିକତା ଆଜି ଦଲାଲଙ୍କ ଚରାଭୂଇଁ ହୋଇଛି । ମାଲିକମାନେ ବର୍ଷକୁ ବର୍ଷ ଆୟର ଟାର୍ଗେଟ୍ ବଢାଉଛନ୍ତି । ସହରାଂଚଳ ଓ ଗ୍ରାମାଂଚଳରେ ସାମ୍ବାଦିକତାକୁ ପେଶା କରିଥିବା ଲୋକମାନେ ନିଜ ଆୟପନ୍ଥା ଓ ପରିଚୟପତ୍ରକୁ ସୁରକ୍ଷିତ ରଖିବା ସକାଶେ ବାର୍ଷିକ ୨୦ରୁ ୩୦ ପ୍ରତିଶତ ଟାର୍ଗେଟ୍ ବୃଦ୍ଧିକୁ ଗ୍ରହଣ କରୁଛନ୍ତି । ମାଲିକଙ୍କ ଯୁକ୍ତି ହେଉଛି- ବଜାରରେ ଅନ୍ୟାନ୍ୟ ବ୍ୟବସାୟ ଯେଭଳି ଅନୁପାତରେ ବଢୁଛି ଗଣମାଧ୍ୟମ ବ୍ୟବସାୟ ମଧ୍ୟ ସେହି ଅନୁପାତରେ ବଢିବା ହକ୍ ରଖୁଛି । ତେଣୁ, ବର୍ଷ ଶେଷରେ ଟାର୍ଗେଟ୍ ଦେଇ ନ ପାରିଲେ ଚାକିରୀରୁ ବିଦା ହେବା ଭୟରେ ସାଧୁ ହେଉ ବା ଅସାଧୁ ଉପାୟରେ ସାମ୍ବାଦିକ ଓ ମାର୍କେଟିଂ ଷ୍ଟାଫ୍ ଲାଗୁଛନ୍ତି ଟାର୍ଗେଟ୍ ପଛରେ । ଗ୍ରାମାଂଚଳ ସମ୍ବାଦିକମାନେ ପରିଚୟପତ୍ର ଓ ବୁମ୍ ସୁରକ୍ଷିତ ରଖିବା ପାଇଁ ଯାହା କରୁଛନ୍ତି, ତାହା ସମସ୍ତେ ଜାଣନ୍ତି । ଓଡ଼ିଶାର ସହରାଂଚଳ ଓ ଗ୍ରାମାଂଚଳରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଅଧିକାରୀ (ପୁଲିସ ମଧ୍ୟ) ଓ କର୍ମଚାରୀ ଏହି ଧାରା ସହ ପରିଚିତ । ଚୁପ୍ ଚାପ୍ ସବୁ ହୁଏ । ଯଦି କେଉଁଠି ବିରୋଧାଭାସ ଦେଖାଦିଏ ସେଠି ତାହା ‘ବଟି’ ହୋଇଯାଏ । ‘ବଟି’ର ବିଷଚକ୍ରରେ ପୁଲିସ ଅଧିକାରୀରୁ ଆରମ୍ଭ କରି ବିଡ଼ିଓ, ତହସିଲଦାର, ଚପରାସୀ, ଯନ୍ତ୍ରୀ, ଶିକ୍ଷକ ପର୍ଯ୍ୟନ୍ତ ସମସ୍ତେ ସାମିଲ । ସରକାରୀ କାର୍ଯ୍ୟାଳୟରେ ଖୋଲାଖୋଲି ‘ପିସି’ ନିଆଯାଏ । ପୁଲିସ, ଅବକାରୀ ଓ ଅନ୍ୟ ଏନଫୋର୍ସମେଂଟ୍ କର୍ମଚାରୀ ନିଜ ନିଜ ନିଆରା ବାଟରେ ଟାର୍ଗେଟ୍ ପୂରଣ କରନ୍ତି । ସେସବୁ ଦେଖୁଥିବା ଓ ଜାଣୁଥିବା ଗଣମାଧ୍ୟମ ପ୍ରତିନିଧି ଆଂଗୁଠି ତେଢା କରି ଭାଗ ଚାହିଁଲେ ତାହା ‘ବଟି’ କୁହାଯାଏ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଂଜୀକୃତ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମମାନେ ପ୍ରତି ବର୍ଷ କୋଟି କୋଟି ଟଙ୍କାର ବିଜ୍ଞାପନ (କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ) ପାଉ ଥିଲେ ମଧ୍ୟ ଏହି ବିଷଚକ୍ରରୁ ମୁକ୍ତ ନୁହନ୍ତି । ଆଉ ଅଣ-ପଂଜୀକୃତ ୱେବ୍ ସାଇଟ୍ ବା ଚ୍ୟାନେଲ୍ – ଆଖି ସାମନାରେ ପଂଜୀକୃତଙ୍କ ଲୁଟ୍ ଦେଖି ଲୋଭରେ ସେଥିରେ ଫସୁଛନ୍ତି । ଚୋର, ଡ଼କାୟତ ବୋଲି ସମାଲୋଚିତ ହେଉଛନ୍ତି । ବିଲେଇ ଭଳି ଆଖି ବୁଜି କ୍ଷୀର ପିଉଥିବା ସାଧୁମାନେ ‘ଟ୍ରୋଲ୍’ କରୁଛନ୍ତି ଏବଂ ବାହାର ଲୋକ ବି ସେଥିରେ ସାମିଲ ହେଉଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତିରେ ଥିବା ଅସଂଗତି ଅଣପଂଜୀକୃତଙ୍କୁ ଅସାଧୁ କରୁଛି । କେନ୍ଦ୍ର ସରକାର ଡ଼ିଏଭିପି ଓ ରାଜ୍ୟ ସରକାର ସୂଚନା ଓ ଲୋକସଂପର୍କ ବିଭାଗ ମାଧ୍ୟମର ପଂଜୀକୃତଙ୍କୁ ସରକାରୀ ବିଜ୍ଞାପନ ଦିଅନ୍ତି । ଏକ ନମ୍ବର ଖବରକାଗଜ ତାହାର ସର୍କୁଲେସନ୍ ରିପୋର୍ଟରୁ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ତାହାର ଟିଆରପିରୁ କେତେ ପରିମାଣର ସରକାରୀ ବିଜ୍ଞାପନ ପାଇବ ଧାର୍ଯ୍ୟ ହୋଇଥାଏ । ଘରୋଇ ବିଜ୍ଞାପନ ପାଇବା ସକାଶେ ସରକାରୀ ପଂଜୀକରଣର ବେଶ୍ ଗୁରୁତ୍ୱ ରହୁଛି । ଟିଆରପି ଜାଲିଆତି ଭଳି ସର୍କୁଲେସନ୍ ଜାଲିଆତି ଓଡ଼ିଶାରେ କିଛି ନୂଆ କଥା ନୁହେଁ । ସରକାର ରାଜ୍ୟରେ ଯେତେ ସଂଖ୍ୟକ ଗଣମାଧ୍ୟମକୁ ପଂଜୀକୃତ କରିଛନ୍ତି ସମସ୍ତଙ୍କ ଖବରକାଗଜ ନ୍ୟୁଜ୍ ଷ୍ଟାଣ୍ଡକୁ ଆସୁଛି କି ? ଆଂଗୁଠି ଆଗରେ ଗଣି ହେବା ଭଳି ଖବରକାଗଜ ଛାପି କିଏ ବଜାରରେ ଥାଏ ତ ଅନ୍ୟ କେହି ରାଜ୍ୟ ସରକାରଙ୍କ ପଂଜୀକରଣ କାଏମ୍ ରଖିବା ପାଇଁ ପିଆର କାର୍ଯ୍ୟାଳୟ ଓ ବିଜ୍ଞାପନଦାତାଙ୍କୁ ନିହାତି ଯେତିକି ସଂଖ୍ୟାର କାଗଜ ଦେବାକୁ ପଡିବ ସେହି ସଂଖ୍ୟାର କପି ଛାପି କାମ ଚଳାନ୍ତି । ସରକାର ସେମାନେ ବିଜ୍ଞାପନ ଦିଅନ୍ତି । ଆଉ ବୈଦ୍ୟୁତିକ ଗଣମାଧ୍ୟମ, ଦେଶରେ କିଭଳି ଟିଆରପି ଜାଲିଆତି ଚାଲିଛି ତାହା ନିକଟରେ ମୁମ୍ବାଇ ପୁଲିସ ଖୁଲାସା କରିଛି । ରାଜ୍ୟର ଅଧିକାଂଶ ବୈଦ୍ୟୁତିକ ଗଣମାଧ୍ୟମର ଟିଆରପି ଅତି କମ୍ । ତଥାପି ସେମାନେ କୋଟି କୋଟି ଟଙ୍କାର ସରକାରୀ ବିଜ୍ଞାପନ ପାଉଛନ୍ତି। କିନ୍ତୁ, ସାମାଜିକ ଗଣମାଧ୍ୟମ ଆଜି ମଧ୍ୟ ଅଣ-ସ୍ୱୀକୃତ ।
ରାଜ୍ୟରେ ଶତାଧିକ ୱେବ୍ ଚ୍ୟାନେଲ୍ ଓ ୱେବ୍ ସାଇଟ୍ ରହିଛି । ଅଧିକାଂଶ ବର୍ଷାଧିକ ସମୟ ହେଲା ପଂଜୀକରଣ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ସରକାର ସେମାନଙ୍କୁ ପଂଜୀକୃତ କରୁ ନାହାନ୍ତି କିମ୍ବା ଏହାର କାରଣ କଣ ଜଣାଉ ନାହାନ୍ତି । ଏହାର କାରଣ ହେଉଛି, ସାମାଜିକ ଗଣମାଧ୍ୟମ ପାଇଁ ସରକାରଙ୍କ କିଛି ସ୍ପଷ୍ଟ ନୀତି ନାହିଁ । କିଛି ୱେବ୍ ଚ୍ୟାନେଲ୍ ଓ ୱେବ୍ ସାଇଟ୍ ଶାସକ ଦଳର ହୋଇ ଥିବାରୁ ବା ଶାସକ ଦଳର ସ୍ୱାର୍ଥସାଧନ କରୁଥିବାରୁ ଗଳା ବାଟ ଦେଇ ପଂଜୀକୃତ । ସରକାର ସେମାନଙ୍କୁ ବିଭିନ୍ନ ବାଟରେ ଲକ୍ଷାଧିକ ଟଙ୍କାର ବିଜ୍ଞାପନ ଦେଉଛନ୍ତି । ସାମାଜିକ ଗଣମାଧ୍ୟମ ପଂଜୀକରଣ ସଂପର୍କରେ ବିଭାଗୀୟ ମନ୍ତ୍ରୀଙ୍କ ବିଶେଷ ଜ୍ଞାନ ନାହିଁ । ଆଇଏଣ୍ଡ୍ ପିଆର ବିଭାଗ ଶାସନ ସଚିବ ରିସ୍କ୍ ନେବାକୁ ପ୍ରସ୍ତୁତ ନୁହନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଅନ୍ୟ ଅଧିକାରୀମାନେ ମଧ୍ୟ ଆଗ୍ରହ ଦେଖାଉ ନାହାନ୍ତି । ‘ଗୁଗୁଲ ଆନାଲିଟିକ୍ସ’ ରିପୋର୍ଟ ଭିତ୍ତିରେ (‘ୟୁନିକ ଭ୍ୟୁଅର୍ସ’ ଏବଂ ୟୁ-ଟ୍ୟୁବ୍ ଭ୍ୟୁଅର୍ସ) ୱେବ୍ ସାଇଟ୍ ଓ ଚ୍ୟାନେଲର ପଂଜୀକରଣ ବ୍ୟବସ୍ଥା ଥିବା ବେଳେ ୨୦୧୭-୧୮ରେ ରାଜ୍ୟ ସରକାର ‘କ’ ଶ୍ରେଣୀ ପଂଜୀକରଣ ପାଇଁ ୩୦ ହଜାର ‘ୟୁନିକ ଭ୍ୟୁଅର୍ସ’ (ଛଅ ମାସର ଅଭେରେଜ୍ ) ଚାହିଁ ଥିଲେ । କିଛି ୱେବ୍ ସାଇଟ୍ ଓ ଚ୍ୟାନେଲକୁ ସେହି ଭିତ୍ତିରେ ପଂଜୀକୃତ ହୋଇଛନ୍ତି । ସେହି ଆଧାରରେ ୨୦୧୮ରେ ଆବେଦନ କରିଥିବା ୱେବ୍ ସାଇଟ୍ ଓ ୱେବ୍ ଚ୍ୟାନେଲ୍ ଏପର୍ଯ୍ୟନ୍ତ ପଂଜୀକୃତ ହେବା ସୁଯୋଗ ପାଇ ନାହାନ୍ତି । ୨୦୧୯ ନିର୍ବାଚନ ବର୍ଷ ଥିବାରୁ ତତ୍କାଳୀନ ପି.ଆର ନିର୍ଦେଶକଙ୍କ ଅନୁମୋଦନ ସତ୍ୱେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ଆବେଦନପତ୍ର ସବୁ ପକାଇ ରଖି ଥିଲେ। ୨୦୧୯ ଭୋଟ ସରିବା ପରେ ବିଭାଗୀୟ ମନ୍ତ୍ରୀ ଓ ନିର୍ଦେଶକ ବଦଳି ଗଲେ ସିନା ଶାସନ ସଚିବ କିନ୍ତୁ ବଦଳି ନାହାନ୍ତି । ତେବେ, ପଂଜୀକରଣ ପାଇଁ ତାଙ୍କ ଟେବୁଲକୁ ଯାଇଥିବା ଆବେଦନପତ୍ର ସବୁ ଡଷ୍ଟବିନ୍ କୁ ଚାଲି ଯାଇଛି ।
୨୦୧୯ରେ ସାଧାରଣ ନିର୍ବାଚନ ଓ ୨୦୨୦ରେ କୋଭିଡ଼-୧୯ ଆଳ ଦେଖାଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଫାଇଲ୍ ସବୁ ଦବାଇ ରଖିଥିବା ବେଳେ ବାରମ୍ବାର ଚାପ ପଡିବାରୁ ୨୦୨୦ରେ ନୂଆ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେଥିରେ, ‘କ’ ଶ୍ରେଣୀରେ ପଂଜୀକରଣ ପାଇଁ ଛଅ ମାସର ଅଭେରେଜ୍ ୩୦ ହଜାର ‘ୟୁନିକ ଭ୍ୟୁଅର୍ସ’ ସ୍ଥାନରେ ୫୦ ଲକ୍ଷ ‘ୟୁନିକ ଭ୍ୟୁଅର୍ସ’ ରହିଥିବା ଆବଶ୍ୟକ କୁହାଯାଇଛି । ଓଡ଼ିଶାରେ କୌଣସି ବଡ ଚ୍ୟାନେଲ୍ ର ସେହି ପରିମାଣର ‘ୟୁନିକ ଭ୍ୟୁଅର୍ସ’ ନଥିବେ । ଛୋଟ ୱେବ୍ ସାଇଟ୍ ବା ୱେବ୍ ଚ୍ୟାନେଲ୍ କେଉଁଠୁ ପାଇବେ ? ଏତେ ସଂଖ୍ୟାରେ ‘ୟୁନିକ ଭ୍ୟୁଅର୍ସ’ ପାଇବା ଏକ ଅସମ୍ଭବ ବ୍ୟାପାର । ସରକାର ଏହା ଜାଣିଛନ୍ତି । ତେବେ, ୱେବ୍ ସାଇଟ୍ ଓ ୱେବ୍ ଚ୍ୟାନେଲଗୁଡିକୁ ପଂଜୀକରଣରୁ ଦୂରେଇ ରଖିବାକୁ ଏଭଳି ଚକ୍ରାନ୍ତ କରିଥିବା ଅନୁମାନ କରାଯାଉଛି । ଏସଂପର୍କରେ ବିଭାଗୀୟ ମନ୍ତ୍ରୀଙ୍କ କୌଣସି ଅଭିଜ୍ଞତା ନାହିଁ । କିନ୍ତୁ, ସଚିବ ତ ଅନଭିଜ୍ଞ ନୁହନ୍ତି ! କାଳେ କେହି ପିଆର ବିଭାଗ ୱେବ୍ ସାଇଟ୍ରେ ଜାରି ବିଜ୍ଞପ୍ତିକୁ ଅଦାଲତରେ ଚ୍ୟାଲେଂଜ କରି ଦେବ, ଏଭଳି ଆଶଙ୍କା କରି ପରେ ତାହା ହଟାଇ ନିଆ ଯାଇଛି । ପଂଜୀକୃତ ଓ ଅଣପଂଜୀକୃତ କଥା କହି ନିଜ ବୁଦ୍ଧିକୁ ପରଖୁ ଥିବା ଗଣମାଧ୍ୟମ ସଂସ୍ଥା ମାଲିକ ଓ ସଂପାଦକମାନେ ଏକଥା ଜାଣିଛନ୍ତି ତ ?
ପରିସ୍ଥିତିରେ ପଡି କିଛି ଗଣମାଧ୍ୟମ ପ୍ରତିନିଧି ନିର୍ଲଜ୍ଜ କାର୍ଯ୍ୟ କରିଥାଇ ପାରନ୍ତି । ଆମେ ତାହାକୁ ସମର୍ଥନ କରୁନୁ । ତେବେ, ଏଭଳି ପରିସ୍ଥିତିର ସ୍ରଷ୍ଟା ରାଜ୍ୟ ସରକାର ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗକୁ ଆମେ ଦାୟି କରୁଛୁ । ସରକାରୀ ଚାଟୁକାରମାନେ ମୋ ସହ ଏକମତ ହୋଇ ନ ପାରନ୍ତି । ‘ବଟି’ ସବୁଠି ଚାଲିଛି । ସରକାରୀ, ବେସରକାରୀ କାର୍ଯ୍ୟାଳୟରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ତାହାର ଚେର ଲମ୍ବିଛି । ସବୁ ସଂସ୍ଥା ପୁଲିସର ସ୍କାନରେ ଅଛନ୍ତି କି ? ଏହା ତର୍ଜମା କରିବା ସମୟ ଆସିଛି । ଆଖିରେ କଳା ଚଷମା ପିନ୍ଧି କେବଳ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିନ୍ଦା କରୁଥିବା ଲୋକମାନେ ନିଜ ଭିତରକୁ ମଧ୍ୟ ଝାଂକିବା ଆବଶ୍ୟକ । ତାହା ହେଲେ ଜାଣି ପାରିବେ ସେମାନେ କେତେ ସଚ୍ଚୋଟ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS