ବିହାର ନିର୍ବାଚନ, କଡା ମୁକାବିଲାରେ ନୀତୀଶ ଓ ବିଜେପି
ପ୍ରସାଦ ରାଓ
ମୋଅନୁଭବ.କମ୍
ଅକ୍ଟୋବର, ୩୦
ଚଳିତ ବିହାର ବିଧାନସଭା ନିର୍ବାଚନରେ ଜେଡ଼ିୟୁ-ବିଜେପି ମେଂଟ ବିରୋଧରେ ନିର୍ବାଚନ ଲଢୁଥିବା ଆରଜେଡ଼ି (ରାଷ୍ଟ୍ରୀୟ ଜନତା ଦଳ) କ୍ଷମତାକୁ ଆସିଲେ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟର ୧୦ ଲକ୍ଷ ବେକାର ଯୁୁବକ, ଯୁବତୀଙ୍କୁ ସରକାରୀ ଚାକିରୀ ଯୋଗାଇ ଦେବ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିବାରୁ ଉଭୟ ଜେଡ଼ିୟୁ ଓ ବିଜେପିର ନିଦ ହଜି ଯାଇଛି । ବିଜେପି ନିଜର ଦୁର୍ଗ ରକ୍ଷା ପାଇଁ ତେଜସ୍ୱୀଙ୍କ ପଦାଂକ ଅନୁସରଣ କରି ୪ ଲକ୍ଷ ସରକାରୀ ଚାକିରୀ ଓ ୧୫ ଲକ୍ଷ ନୁଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଜେଡ଼ିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ‘ନିଯୁକ୍ତି’ ନାଁ ଶୁଣିଲେ ଚିହିଁକି ଉଠୁ ଥିବା ବିଭିନ୍ନ ନିର୍ବାଚନ ସଭାରେ ଦେଖିବାକୁ ମିଳୁଛି । ନୀତୀଶ ତେଜସ୍ୱୀଙ୍କ ସରକାରୀ କର୍ମ ନିଯୁକ୍ତି ପ୍ରତିଶ୍ରୁତିକୁ ‘ବୋଗସ୍’ କହି ଉଡାଇ ଦେଉଥିଲେ ମଧ୍ୟ ଭୋଟର ତେଜସ୍ୱୀଙ୍କ ଆଡେ ଢଳୁ ଥିବା ଦେଖି ବିଜେପି ତାଙ୍କ ପଦାଂକ ଅନୁସରଣ କରି ନିର୍ବାଚନ ଇସ୍ତାହାରରେ କର୍ମ ନିଯୁକ୍ତକୁ ପ୍ରାଧାନ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କଟାକ୍ଷ ବିଜେପି ପ୍ରତି ମଧ୍ୟ ଉଦ୍ଦିଷ୍ଟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବିହାରରେ ୨୪୩ ଆସନରେ ତିନି ପର୍ଯ୍ୟାୟରେ ବିଧାନସଭା ଭୋଟ ହେଉଛି । ପ୍ରଥମ ପର୍ଯ୍ୟାୟ ଭୋଟ ଅକ୍ଟୋବର ୨୮ରେ ସରି ଥିବା ବେଳେ ଆଉ ଦୁଇ ପର୍ଯ୍ୟାୟ ଭୋଟ ବାକି ଥିବାରୁ ପ୍ରଚାର ଯୋରଦାର ଚାଲିଛି । ନଭେମ୍ବର ୩ ଓ ୭ରେ ଆଉ ଶେଷ ଦୁଇ ପର୍ଯ୍ୟାୟ ଭୋଟ ହେବ ଏବଂ ନଭେମ୍ବର ୧୦ରେ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ପ୍ରକାଶ ପାଇବ । ତେଜସ୍ୱୀଙ୍କ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇବା ପରେ ବିହାର ନିର୍ବାଚନରେ ‘ନିଯୁକ୍ତି’ ସବୁଠାରୁ ବଡ ମୁଦ୍ଦା ହୋଇ ଉଭା ହୋଇଛି । ଶାସକ ଜେଡିୟୁ ଗତ ୧୫ ବର୍ଷର ଶାସନ କାଳରେ ବେକାର ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ପାଇଁ ଆଖିଦୃଶିଆ କିଛି କରି ନାହିଁ ବୋଲି ଅଭିଯୋଗ କରି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ମୁଖ୍ୟ ତେଜସ୍ୱୀ ପ୍ରତାପ ଯାଦବ (ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ରାବ୍ରୀ ଯାଦବଙ୍କ ପୁତ୍ର) ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଘେରିବାକ ଉଦ୍ୟମ କରୁଥିବା ବେଳେ ବିଜେପି ପରିସ୍ଥିତି ପ୍ରତିକୂଳ ଦେଖି ‘ବିକାଶ’ ମୁଦ୍ଦା ପଛରେ ପକାଇ ତେଜସ୍ୱୀଙ୍କ ପଦାଂକ ଅନୁସରଣ କରିଛି । ଆରଜେଡ଼ି କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ବେଳେ ବିଜେପି ନିଜ ନିର୍ବାଚନ ଇସ୍ତାହାରରେ ୪ ଲକ୍ଷ ସରକାରୀ ଚାକିରୀ ଓ ୧୫ ଲକ୍ଷ ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଇଛି । ଦୁଇ ଦଳ ବୋକର ଯୁବକ, ଯୁବତୀଙ୍କ ଦୁର୍ବଳତାକୁ ନେଇ ରାଜନୀତି କରୁଥିବା ବେଳେ ନୀତୀଶ ତାହାକୁ ‘ବୋଗସ୍’ କହି ଉଡାଇ ଦେବାକୁ ପଛାଉ ନାହାନ୍ତି । ସେ ବିଜେପିକୁ ଟାର୍ଗେଟ୍ ନ କରି ସିଧାସଳଖ ତେଜସ୍ୱୀଙ୍କୁ ଟାର୍ଗେଟ କରୁଥିଲେ ମଧ୍ୟ ତୀର ବିଜେପିକୁ ମଧ୍ୟ ଭେଦୁଛି ।
ରାଜ୍ୟରେ ଅକ୍ଟୋବର ୨୮ରେ ହୋଇଥିବା ଭୋଟରେ ୫୪ ପ୍ରତିଶତ ଭୋଟରଙ୍କ ଭୋଟଦାନ ପରିବର୍ତନର ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିବ୍ରତ କରିଛି । ସେ ଦୀର୍ଘ ୧୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି । ପାଂଚ ଥରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ନିର୍ବାଚନରେ ଯେଭଳି ଭାବେ ବିବ୍ରତ ଦେଖା ଯାଉଛନ୍ତି ସେଭଳି ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା ବୋଲି କୁହାଯାଉଛି । ନୀତୀଶ ଜଣେ ଶାନ୍ତ ସ୍ୱାଭାବର ରାଜନେତା । ଚଳିତ ନିର୍ବାଚନରେ ପ୍ରଚାର ସମୟରେ ସେ ଛୋଟ ଛୋଟ କଥାରେ ରାଗି ଯାଉଥିବା ଏବଂ ତେଜସ୍ୱୀଙ୍କ ସମେତ ତାଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ମାତା ରାବ୍ରୀ ଦେବୀଙ୍କୁ ତିରଷ୍କାର କରୁଥିବା ନୀତୀଶଙ୍କ ହତାଶା ଭାବକୁ ପଅତିଫଳିତ କରୁଛି । ଶୁକ୍ରବାର ଦିନ ଏକ ନିର୍ବାଚନ ରାଲିରେ ନୀତୀଶ ଆରଜେଡ଼ି ମୁଖ୍ୟ ତେଜସ୍ୱୀଙ୍କୁ ୩୧ ବର୍ଷ ବୟସର ଜଣେ ଅନଭିଜ୍ଞ ଯୁବକ ଭାବେ ସମାଲୋଚନା କରିବା ସହ ଆରଜେଡ଼ିର ୧୦ ଲକ୍ଷ ସରକାରୀ ଚାକିରୀ ପ୍ରତିଶ୍ରୁତିକୁ ‘ବୋଗସ୍’ କହି ‘ଭୋଟରଙ୍କୁ ପ୍ରତାରିତ କରିବା ପାଇଁ ଏଭଳି ପ୍ରତିଶ୍ରୁତି ଦିଆଯାଉଛି ବୋଲି ମନ୍ତବ୍ୟ ଦେଇଥିଲେ ।
ବିଜେପି ମଧ୍ୟ ଭୋଟରଙ୍କୁ ୪ ଲକ୍ଷ ସରକାରୀ ନିଯୁକ୍ତି ଓ ୧୫ ଲକ୍ଷ ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରତିଶ୍ରୁତି ଦେଇଥିବାରୁ ନୀତୀଶଙ୍କ ବାକ୍ୟବାଣ ଜେଡ଼ିୟୁ-ବିଜେପି ମେଂଟ ପାଇଁ ବୁମରୋଂ ହେଉ ନାହିଁ କି ବୋଲି ରାଜନୈତିକ ମହଲରେ ପ୍ରଶ୍ନ ହେଲାଣି । ଦେଶରେ କରୋନା ଜନିତ ଲକ୍ ଡାଉନ୍ ସମୟରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ଫେରିବା ସମୟରେ ଯେଭଳି ହଇରାଣ ହରକତ ହେବାକୁ ପଡିଲା ତାହା ସମସ୍ତେ ଦେଖିଛନ୍ତି । ଏହି ପ୍ରବାସୀଙ୍କ ସମେତ ରାଜ୍ୟର ବେକାର ଯୁବକ, ଯୁବତୀ କର୍ମ ଯୁନିକ୍ତି ନ ପାଇ ହଟ୍ଟହଟା ହେଉଥିବା ବେଳେ ଏହି ନିର୍ବାଚନ ବିହାର ସରକାରଙ୍କ ସମସ୍ୟା ବଢାଇ ଦେଇଛି ।
ତେବେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏତେ ଶୀଘ୍ର ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି । ରାଜ୍ୟରେ ୧୯୯୦ରୁ ୨୦୦୫ ପର୍ଯ୍ୟନ୍ତ ତେଜସ୍ୱୀଙ୍କ ପିତା ଲାଲୁ ଓ ମା’ ରାବଡି ଦେବୀଙ୍କ ସରକାର ଚାଲିଥିଲା । ସେମାନେ ମୁଖ୍ୟମନ୍ତ୍ରୀ ଭାବେ ଅବିଭକ୍ତ ବିହାର (ବର୍ତମାନର ବିହାର ଓ ଝାଡ଼ଖଣ୍ଡ)ରେ ୧୫ ବର୍ଷରେ ମାତ୍ର ୯୫ ହଜାର ନିଯୁକ୍ତି ଦେଇଥିବା ବେଳେ ତାଙ୍କ (ନୀତୀଶ) ସରକାର ୨୦୨୦ ସୁଦ୍ଧା ୬ ଲକ୍ଷରୁ ଅଧିକ କର୍ମ ନିଯୁକ୍ତି ଦେଲେଣି ବୋଲି ନୀତୀଶ ଦାବି କରିଛନ୍ତି । ନୀତୀଶଙ୍କ ଏଭଳି ଦାବି ସତ୍ୱେ ତାଙ୍କ ସଭାରେ ଜନସମାଗମ ହେଉ ନାହିଁ । ଅପରପକ୍ଷରେ, ତେଜସ୍ୱୀଙ୍କ ସଭାରେ ହେଉଥିବା ଭିଡ଼ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବିହାରରେ ଜେଡ଼ିୟୁ ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢୁଥିଲେ ମଧ୍ୟ ବିଜେପି ଭୋଟରଙ୍କ ମୁଡ୍ ଦେଖି ନୀତୀଶଙ୍କ ଠାରୁ ଦୂରେଇ ରହୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଉଭୟ ବିଜେପି ଓ ଶାସକ ଜେଡିୟୁ କେବଳ ଆରଜେଡ଼ି ଆଡୁ ନୁହେଁ, ନିଜ ଦଳର ବିଦ୍ରୋହୀଙ୍କ ଆଡୁ ମଧ୍ୟ ଦୃଢ ବିରୋଧର ସମ୍ମୁଖୀନ ହେଉ ଥିବାରୁ ୨୦୨୦ ବିହାର ବିଧାନସଭା ନିର୍ବାଚନ ପଳାଫଳ ଏକ ପରିବର୍ତନର ବାର୍ତାବହ ହେବା ଅନୁମାନ କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS