ଆଇଆଇଏଫଏଲ୍ ଡକାୟତି : ଚମତ୍କାର ଯୋଜନା, କିନ୍ତୁ ଧରା ପଡିଗଲେ
ଭୁବନେଶ୍ୱର, ୨୫ ନଭେମ୍ବର
ସେମାନେ ରଚି ଥିଲା ଏକ ଚମତ୍କାର ଯୋଜନା । ଖେଳନା ବନ୍ଧୁକ ଦେଖାଇ ସୁନା ବଦଳରେ ଆର୍ଥିକ ଋଣ ଦେଉଥିବା କମ୍ପାନୀକୁ ଲୁଟିବେ ଏବଂ ପୁଲିସ ଆଖିରେ ଧୁଳି ଦେଇ ଖସି ଯିବେ । ଲୁଟ୍ ଅର୍ଥରେ ଅୟସ କରିବେ । ତେବେ, ସେମାନେ ଡାଳେ ଡାଳେ ଗଲା ବେଳେ କଟକ ପୁଲିସ ପତ୍ରେ ପତ୍ରେ ଯାଇ ମାମଲା ଉପରୁ ପରଦା ଉଠାଇ ଦେଇଛି ।
ଏହି ରୋଚକ କାହାଣୀର ଖଳନାୟକ ହେଉଛନ୍ତି କଟକ ଆଇଆଇଏଫଏଲ୍ (Indian Info Finance Limited)ର ସୁନା ମୂଲ୍ୟାୟନ ଅଧିକାରୀ ଲାଲା ଅମୃତ ସାଗର ରାୟ ଓ ଅନ୍ୟତମ ଅଧିକାରୀ ନିଳୀମା ଲେଙ୍କା । ସେମାନଙ୍କ ସହଯୋଗୀ ଥିଲେ କବି ପ୍ରସାଦ ପ୍ରଧାନ । ଲୁଟ୍ ନାଟକକୁ ବାସ୍ତବ ରୂପ ଦେବା ପାଇଁ ସେମାନେ ଯୋଗାଡ କରିଥିଲେ ରାଜକିଶୋର ସାହୁ, ପବିତ୍ର କୁମାର ବେହେରା, ପ୍ରକାଶ କୁମାର ସାହୁ ଓ ସନ୍ତୋଷ ଭୋଇ ନାମକ ୪ ଜଣଙ୍କୁ । ଆଇଆଇଏଫଏଲରୁ ସୁନା ଲୁଟ୍ ନାଟକରେ ବ୍ୟବହାର ହୋଇଥିବା ଖେଳନା ବନ୍ଧୁକ ଯୋଗାଇ ଦେଇଥିଲେ ମୁଖ୍ୟ ଖଳନାୟକ ଲାଲା ଅମୃତ ରାୟ । ନଭେମ୍ୱର ୧୯ ତାରିଖ ସକାଳ ୯ଟା ୫୮ ମିନିଟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥଲା । ୪ ଜଣ ମୁଖାପିନ୍ଧା ଲୁଟେରା ଏହି ସୁନା ବନ୍ଧକ ରଖି ଋଣ ଦେଉଥିବା ସଂସ୍ଥା ସକାଳେ ଖୋଲୁ ଖୋଲୁ ଭିତରେ ପ୍ରବେଶ କରି, କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୦ କୋଟି ଟଙ୍କାର ସୁନା ଗହଣା ଓ ଲକ୍ଷ ଲକ୍ଷ ନଗଦ ଅର୍ଥ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଏତେ ପରିମାଣର ସର୍ବସାଧାରଣଙ୍କ ସୁନା ଗହଣା ଏବଂ ନଗଦ ଅର୍ଥ ଆଖି ପିଛୁଳାକେ ଲୁଟ୍ ହୋଇଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଭୁବନେଶ୍ବର କମିଶନରେଟ ପୁଲିସକୁ ଝାଳେଇ ଦେଇଥିଲା ।
କଟକ ଲାଲବାଗ ଥାନରେ ନଭେମ୍ୱର ୧୯ ତାରିଖ ରାତି ୦୮ଟା ୨୦ ମିନିଟରେ ଆଇଆଇଏଫଏଲର କଟକ ସ୍ଥିତ ଟେରିତୋରିଆଲ ମ୍ୟାନେଜର ତପନ ରଞ୍ଜନ ସ୍ବାଇଁ କଟକ ଲାଲବାଗ ଥାନରେ ଏତାଲ ଦେଇଥିଲେ । ସଂସ୍ଥାର ନୟାସଡକ ଶାଖାରୁ ସକାଳେ ସୁନା ଗହଣା ଓ ବିପୁଳ ପରିମାଣର ନଗଦ ଅର୍ଥ ଡକାୟତି ହେଇଥିବା ଏତଲା ହେବା ପରେ ଥାନା ଅଧିକାରୀ ଆଶୁତୋଷ ମିଶ୍ର ତଦନ୍ତ ଆରମ୍ଭ କରିଥିଲେ । ଅବଶ୍ୟ ସକଳେ ଏହି ନାଟକୀୟ ଡକାୟତି ଘଟିବା ପରେ କମିଶନରେଟ ପୁଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ଅପରାଧ ସ୍ଥଳର ଅନୁଧ୍ୟାନ କରିସାରିଥିଲେ । ବିଧିବଦ୍ଧ ଏତଲା ହେବା ପରେ ପୁଲିସ କୁକୁର, ଫୋରେନ୍ସିକ ଦଳକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଥିଲେ । ପ୍ରମାଣ ଯୋଗାଡ ପାଇଁ ଆଖପାଖ ଅଂଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଇଥିଲା । ଅଭିଯୋଗକାରୀ ଓ ସମସ୍ତ ଷ୍ଟାଫ୍ ଜେରା ହେଇଥିଲେ । ୧୬୧ ସିଆରପିସିରେ ସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା । ମୋବାଇଲ କଲ୍ ରେକର୍ଡ ମଧ୍ୟ ଯାଞ୍ଚ ହୋଇଥିଲା ।
ଆଇଆଇଏଫଏଲ ଷ୍ଟାଫଙ୍କୁ ରିତିମତ ଜେରା ଏବଂ ଖବରୀଙ୍କ ମାଧ୍ୟମରେ ପୁଲିସ ଜାଣି ପାରିଥିଲେ ଯେ ସଂସ୍ଥାରେ ୨୦୧୧ରୁ କାର୍ଯ୍ୟ କରି ଆସୁଥିବା ଲାଲା ଅମୃତ ସାଗର ରାୟ ନୟାସଡକ ବ୍ରାଞ୍ଚରେ ବନ୍ଧକ ଥିବା ସାଧାରଣ ଲୋକଙ୍କ ବହୁ ପରିମାଣର ସୁନା ଅଳଙ୍କାର ହଡପ କହିଛନ୍ତି । ସେ ବନ୍ଧକ ପାଇଁ ଆସୁଥିବା ସୁନା ଅଳଙ୍କାରର ମୂଲ୍ୟାୟନ କରୁଥିଲେ । ତେଣୁ, କେହି ସନ୍ଦେହ କରୁ ନଥିଲେ । କଟକ ପୁଲିସ କହିବା ଅନୁଯାୟୀ, ଲାଲା ଅମୃତ ରାୟ ଆଇଆଇଏଫଏଲରୁ ସାଧାରଣ ଜନତାଙ୍କ ଦ୍ୱାରା ବନ୍ଧକ ରହିଥିବା ସୁନା ଅଳଙ୍କାରକୁ ନେଇ ମନ୍ନପୁରମ୍ ଗୋଲ୍ଡ ଲୋନ ସଂସ୍ଥାରେ ବନ୍ଧକ ରଖିବା ସହ ସେହି ଅର୍ଥରେ ମଉଜ କରୁଥିଲେ, ଅଡି କାର ଚଢୁଥିଲେ ଏବଂ ବଡ଼ ବଡ଼ ହୋଟେଲରେ ଉଠାବସା ଚାଲିଥିଲା । ଭୋଗ ବିଳାସ ତାଙ୍କୁ ଏଭଳି ଅପରାଧ ଭିତରକୁ ଟାଣି ନେଇଥିଲା ଯେ ଅଡିଟ ହେଲେ ଧରା ପଡିଯିବା ଭୟରେ ସେ ନଭେମ୍ବର ୧୯ ତାରିଖରେ ହେଇଥିବା ଡକାୟତି ନାଟକର ରଚନା କରି ସେଥିରେ ବ୍ରାଞ୍ଚ ମ୍ୟାନେଜର ନୀଳିମା ଲେଙ୍କା ଓ ତାଙ୍କ ସହ ଘନିଷ୍ଟ କବି ପ୍ରସାଦ ପ୍ରଧାନଙ୍କୁ ସାମିଲ କରିଥିଲେ । ଡକାୟତି ନାଟକକୁ ଜୀବନ୍ତ କରିବା ପାଇଁ ୪ ଜଣଙ୍କୁ ଯୋଗାଡ କରାଯାଇଥିଲା । ନଭେମ୍ବର ୧୬ ତାରିଖ ଦିନ ୭ ଜଣ ଯାକ ବୈଦ୍ୟେଶ୍ୱରରେ ଏକାଠି ହୋଇ ଡକାୟତି ଯୋଜନାର ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରିବା ପରେ ୧୯ ତାରିଖ ସକାଳେ ତାହାକୁ କାର୍ଯ୍ୟକାରୀ କରାଇଥିଲେ ।
କଟକ ଲାଲବାଗ ଥାନା ପୁଲିସ ଏହି ନାଟକୀୟ ଡକାୟତି ମାମଲାରେ ଉପରୋକ୍ତ ୭ ଜଣଙ୍କୁ ଗିରଫ କରି ୩ କେଜି ସୁନା ଅଳଙ୍କାର, ୫ ଲକ୍ଷ ଟଙ୍କା, ଗୋଟିଏ ଅଡି କାର, ଗୋଟିଏ ବଜାଜ ପଲ୍ସର୍ ମଟର ସାଇକେଲ, ଗୋଟିଏ ହୋଣ୍ଡା ଡ୍ରିମ୍ ୟୁଗା ମୋଟର ସାଇକଲ, ଗୋଟିଏ ଖେଳନା ପିସ୍ତଲ ଏବଂ ୫୦୦ ଗ୍ରାମ ନକଲି ଅଳଂକାର ଜବତ କରିଛନ୍ତି । ସମସ୍ତ ଅଭିଯୁକ୍ତ କଟକ ବାସିନ୍ଦା । ଲାଲବାଗ ଥାନା ପୁଲିସ ଏହି ଚମତ୍କାର ଡକାୟତି ଯୋଜନା ଉପରୁ ପରଦା ଉଠାଇ ସାରିଥିଲେ ମଧ୍ୟ ତଦନ୍ତ ସରିନି । ଅଧିକ ତଦନ୍ତ ଜାରି ରହିଛି ବୋଲି କଟକ ଡିସିପି ଏକ ପ୍ରେସ ବିବୃତିରେ କହିଛନ୍ତି ।
ପ୍ରସାଦ ରାଓ
ମୁଖ୍ୟ ସମ୍ପାଦକ
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS