ଅହଂକାର ରାଜନୀତି – ଉତ୍ଥାନ ଭଳି ପତନ ଥିଲା ଅବିଶ୍ୟଂଭାବୀ
ପ୍ରସାଦ ରାଓ
ନଭେମ୍ବର, ୨୯
ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଆଜିର ଦିନରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । କୌଣସି ଭଲ କାମ ପାଇଁ ନୁହେଁ । ରାଜ୍ୟ ବନ ବିଭାଗର ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିବା ଅବସ୍ଥାରେ ରାଜ୍ୟକୁ କୋଟି କୋଟି ଟଙ୍କାର ଚୁନ ଲଗାଇ ନିଜର କଳା ସାମ୍ରାଜ୍ୟ ଗଢି ଥିବା ଏବଂ ଭିଜିଲାନ୍ସ ଜାଲରେ ପଡିବା ପରେ ଭୁବନେଶ୍ୱର ଝାରପଡ଼ା ଜେଲକୁ ଏବେ ନୂଆ ଠିକଣା କରିଥିବା ବରିଷ୍ଠ ଆଇଏଫଏସ୍ ଅଧିକାରୀ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଏହି କୁକାର୍ଯ୍ୟରେ ସହଯୋଗ କରିଥିବା ଅଭିଯୋଗରେ । ରାଜ୍ୟ ଭିଜିଲାନ୍ସ ବିଭାଗ ପାଠକ ପରିବାରକୁ ଲଂଗଳା ମୁକୁଳା କରିବା ପରେ ବିଧାୟକ ପାଣିଗ୍ରାହୀଙ୍କ ସଂପୃକ୍ତିର ରହସ୍ୟ ମଧ୍ୟ ଖୋଲିଛନ୍ତି । ଆକାଶ ପାଠକ ବିଧାୟକଙ୍କ ଜ୍ୱାଇଁ ହେବାର ଥିଲା । ଡ଼ିସେମ୍ବର ୧୧ ତାରିଖରେ ମହାଆଡମ୍ବରରେ ରାଜସ୍ଥାନର ଯୋଧପୁରରେ ଥିବା ଏକ ପଂଚ ତାରକା ହୋଟେଲରେ ଏହି ବିବାହ ଉତ୍ସବ ହେବାକୁ ଥିଲା ଏବଂ ୩୨ କୋଟି ଖର୍ଚ୍ଚର ବ୍ୟୟ ଅଟକଳ ହୋଇଥିଲା । ହୋଟେଲ୍ ବୁକିଂ ପାଇଁ ୨୦ ଲକ୍ଷ ଟଙ୍କା ଅଗ୍ରୀମ ମଧ୍ୟ ଦିଆ ସରିଥିଲା । ଏଭଳି ଅବସ୍ଥାରେ ବାପା ଅଭୟ ପାଠକଙ୍କ ସହ ପୁଅ ଅକାଶ ପାଠକ ଗଲା ୨୭ ତାରିଖ ଠକେଇ ଓ ଜାଲିଆତି ଅଭିଯୋଗରେ ଜେଲ୍ ଚାଲି ଯିବା ଏବଂ ଆକାଶଙ୍କ ଶ୍ୱଶୁର ହେବାକୁ ବିଧାୟକ ଡକ୍ଟର ପାଣିଗ୍ରାହୀଙ୍କ ସଂପୃକ୍ତ ପଦାରେ ପଡିବା ପରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିବା ପୁରା ଖେଳକୁ ବଦଳାଇ ଦେଇଛି ।
ଡକ୍ଟର ପାଣିଗ୍ରାହୀ ହେଉଛନ୍ତି ମୋ ନିର୍ବାଚନ ମଣ୍ଡଳୀର ବିଧାୟକ । ତେବେ, ତାଙ୍କୁ ମୁଁ ବିଧାୟକ ହେବାର ବହୁ ଆଗରୁ ଜାଣିଛି । ତାଙ୍କ ରାଜନୈତିକ ଉତ୍ଥାନ ଦେଖିଥିଲି । ଆଜି ତାଙ୍କ ପତନକୁ ମଧ୍ୟ ଦେଖୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢିବା ସମୟରୁ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ି ରାଜନୀତିରେ ସାମିଲ କରି ଆସି ଥିଲେ । ନବୀନ ବାବୁ ଆସିକା ସାଂସଦୀୟ ଆସନରୁ ନିର୍ବାଚନ ଲଢିବା ସମୟରେ ତାଙ୍କ ପଲିଟିକାଲ୍ ଏଜେଂଟ୍ ଥିବା ପୂର୍ବତନ ବିଧାୟକ ଦେବାଶୀଷ ନାୟକ (ବରୀ) ବିଧାନସଭା ନିର୍ବାଚନରେ ବ୍ୟସ୍ତ ରହିବାରୁ ତାଙ୍କ ସୁପାରିଶରେ ନବୀନ ହିଂଜିଳିରେ ତାଙ୍କ ରାଜନୈତିକ ଏଜେଂଟ୍ କରି ଥିଲେ ରବି ପାତ୍ର ନାମକ ଜଣେ ଯୁବ ବ୍ୟବସୟୀଙ୍କୁ । ରବି ପାତ୍ର ନବୀନ ବାବୁଙ୍କ ଗୋଟିଏ ନିର୍ବାଚନ ମ୍ୟାନେଜ୍ କରିଥିଲେ ମଧ୍ୟ ହିସାବପତ୍ରକୁ ନେଇ ସନ୍ଦେହ ଦେଖି ଦେବାରୁ ପ୍ରଦୀପ ପାଣିଗ୍ରାହୀଙ୍କ ଭାଗ୍ୟ ଉଦୟ ହୋଇଥିଲା । ସେହି ସମୟରେ ଗଂଜାମ ଜିଲ୍ଲାପାଳ ଥିଲେ ସନ୍ତୋଷ ଶତପଥୀ । ଯେହେତୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅତିଥି ଭବନ ଛାତ୍ର, ରାଜନେତା, ପ୍ରଶାସକ – ସମସ୍ତଙ୍କ ଆଡ୍ଡା ଥିଲା ଛାତ୍ର ନେତା ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜିଲ୍ଲାପାଳ ଶତପଥୀଙ୍କ ସଂପର୍କ ବଢି ଥିଲା ଏବଂ ତାଙ୍କ ମାଧ୍ୟମରେ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ପହଂଚି ଥିଲେ ବୋଲି ଚର୍ଚ୍ଚା ହୁଏ ।
ଡକ୍ଟର ପ୍ରଦୀପ ପାଣିଗ୍ରାହୀ ହିଂଜିଳି ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପଲିଟିକାଲ୍ ଏଜେଂଟ୍ ନିଯୁକ୍ତ ହେବା ପରେ ପଛକୁ ଫେରି ଚାହିଁ ନାହାନ୍ତି । ତାଙ୍କ ସ୍ୱଚ୍ଛତା ଅପେକ୍ଷା ଇଂରାଜୀ ଭାଷାରେ ଦକ୍ଷତା ନବୀନ ବାବୁଙ୍କୁ ଅଧିକ ଭାବେ ପ୍ରଭାବିତ କରିଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ ଭାବେ ପ୍ରଦୀପଙ୍କ ପତିଆରା ବଢିବା ସହ ଅହଂକାର ମଧ୍ୟ ବଢି ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେହେତୁ ୨୦ ବର୍ଷରୁ ଅଧିକ ହେଲା ଗଂଜାମ ଜିଲ୍ଲାର ହିଂଜିଳି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି ଜିଲ୍ଲାର ଭଲମନ୍ଦ ବୁଝିବା ପାଇଁ ଜଣେ ବିଶ୍ୱସ୍ତ ସହଯୋଗୀ ଚାହିଁଛନ୍ତି । ବର୍ତମାନର ୫-ଟି ସଚିବ ଭି.କାର୍ତ୍ତିକେଶ୍ୱର ପାଣ୍ଡିଆନ ଗଂଜାମ ଜିଲ୍ଲାପାଳ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦାୟିତ୍ୱ ତୁଲାଉ ଥିଲେ । ପରବର୍ତୀ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଏହି ଦାୟିତ୍ୱ ମିଳି ଗଲା । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଅନ୍ୟ ବିଧାୟକ ଓ କର୍ମୀଙ୍କ ଅଭାବ ଅସୁବିଧା ଶୁଣୁଥିଲେ । ତେବେ, ପ୍ରଦୀପଙ୍କ ଗୁରୁତ୍ୱ ଦେଉଥିଲେ । ଫଳରେ, ପ୍ରଦୀପ ନିରଂକୁଶ ଭାବେ ଜିଲ୍ଲାରେ ବିଜେଡ଼ି ନେତାଙ୍କ ନେତା ଭାବେ ନିଜକୁ ଜାହିର କରୁଥିଲେ । ଉଚ୍ଚ ଶିକ୍ଷିତ ହୋଇ ଥିବାରୁ ଅନ୍ୟମାନଙ୍କୁ ହେୟ ଦୃଷ୍ଟିରେ ଦେଖିବା ଏବଂ ବେଖାତିରି କରିବା ହେଉଛି ତାଙ୍କ ଚରିତ୍ରର ଏକ ବଡ ଦିଗ । ତେବେ, ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରୀୟ ।
ଡ଼କ୍ଟର ପାଣିଗ୍ରାହୀ ବ୍ରହ୍ମପୁରରେ ଅବସ୍ଥାନ କରୁଥିଲେ ମଧ୍ୟ ସ୍ଥାୟୀ ଠିକଣା ହେଉଛି ପାତ୍ରପୁର ଟାଟା କଲୋନୀ, ଲୁହାଝର । ୧୯୯୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଓ ବ୍ରହ୍ମପୁର ସାଂସଦ ପି.ଭି.ନରସିଂହ ରାଓ ଗୋପାଳପୁର ସମଦ୍ର ଉପକୂଳରେ ‘ଟାଟା ଷ୍ଟିଲ୍’ର ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠ ପାଇଁ ଶିଳାନ୍ୟାସ କରିବା ପରେ ଏହି ଉପକୂଳର ବିସ୍ତୁତ ଅଂଚଳ ଏହି କଂପାନୀ ଦ୍ୱାରା ଅଧିଗ୍ରହଣ ହୋଇଥିଲା । ଟାଟା କଂପାନୀର ଆର୍ଥିକ ସହାୟତାରେ ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଯେଉଁ ବିସ୍ଥାପିତ କଲୋନୀମାନ ପ୍ରତିଷ୍ଠା କରିଛନ୍ତି ସେଥିରେ ଡକ୍ଟର ପାଣିଗ୍ରାହୀ ମଧ୍ୟ ଜଣେ ହିତାଧିକାରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ବି.ପଟ୍ଟନାୟକଙ୍କ କଂଗ୍ରେସ ସରକାର ଅମଳରେ ଟାଟା ମେଗା ଇସ୍ପାତ କାରଖାନାର ଶିଳାନ୍ୟାସ, ଜମି ଅଧିଗ୍ରହଣ ଏବଂ ଇସ୍ପାତ କାରଖାନା ନିର୍ମାଣ ପାଇଁ ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହା ବିସ୍ଥାପନ ବିରୋଧୀ ଆନ୍ଦୋଳନ ଯୋଗୁ ଅସମୟରେ ଶୀତଳଭଣ୍ଡାରକୁ ଚାଲି ଯାଇଥିଲା । ଜେ.ବି.ଙ୍କ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର କ୍ଷମତାସୀନ ଥିଲା । ସେହି ସମୟରେ ମଧ୍ୟ ଗୋପାଳପୁର ଇସ୍ପାତ କାରଖାନା ମୁଣ୍ଡ ଟେକିଲା ନାହିଁ । ୨୦୦୦ ମସିହାରୁ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ଚାଲିଛି । ଇତିମଧ୍ୟରେ, ଟାଟା ଷ୍ଟିଲର ଗୋପାଳପୁର ଇସ୍ପାତ ପ୍ରକଳ୍ପ ପାଇଁ ଅଧିଗୃହୀତ ଜମି ଏସଇଜେଡ୍ (ସ୍ପେଶାଲ ଇକୋନୋମିକ୍ ଜୋନ୍) ଘୋଷିତ ହୋଇ ବିସ୍ତୁତ ପାଚେରୀ ଘେର ଭିତରେ ରହିଛି । କାଁ ଭାଁ ଶିଳ୍ପ ପ୍ରତିଷ୍ଠା ହେଲାଣି ସିନା ବିସ୍ଥାପିତଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ କର୍ମନିଯୁକ୍ତି ମିଳି ନ ଥିବାରୁ ଶିକ୍ଷିତ ବେକାରଙ୍କ ମଧ୍ୟରେ ଅଶାନ୍ତି ରହିଛି । ବିଭିନ୍ନ ସମୟରେ ବିସ୍ଥାପିତ ଅଂଚଳର ଶିକ୍ଷିତ ବେକାର ଯୁବକ, ଯୁବତୀ ଧାରଣ ଓ ଆନ୍ଦୋଳନ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳି ନାହିଁ ।
ଇତିମଧ୍ୟରେ, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ଜିଲ୍ଲାର ପ୍ରଭାବଶାଳୀ ବିଜେଡ଼ି ନେତା ଡକ୍ଟର ପ୍ରଦୀପ ପାଣିଗ୍ରାହୀ ୨୦୦୯ରୁ ଗୋପାଳପୁର ବିଧାନସଭା ଆସନରୁ ବିଧାୟକ ରହିଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦିଗରେ ବିଶେଷ କିଛି କରି ନାହାନ୍ତି । ଗଂଜାମବାସୀ ଗୋପାଳପୁର ମେଗା ଇସ୍ପାତ ପ୍ରକଳ୍ପ କଥା ପ୍ରାୟତଃ ଭୁଲି ଗଲେଣି । ରାଜ୍ୟ ସରାକର ଯାହା କିଛି ନୂଆ ଇସ୍ପାତ ପ୍ରକଳ୍ପ କରିଛନ୍ତି ସେସବୁ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅଂଚଳରେ । ଗୋଟିଏ ପଟେ ବିଧାୟକ ଓ ଅନ୍ୟପଟେ ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ରହିବା ଦ୍ୱାରା ଡକ୍ଟର ପାଣିଗ୍ରାହୀଙ୍କ ପତିଆରା ବଢିଥିଲା । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କୁ ଗୋଟିଏ ଟର୍ମ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ ନିଯୁକ୍ତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତ ଭାବେ ପରିଚିତ ଡକ୍ଟର ପାଣିଗ୍ରାହୀଙ୍କ ସହ ଗଂଜାମ ଜିଲ୍ଲାରେ କିଛି ବର୍ଷ ଡ଼ିଏଫଓ ଭାବେ କାର୍ଯ୍ୟ କରି ଆସିଥିବା ଆଇଏଫଏସ୍ ଅଧିକାରୀ ଅଭୟ କାନ୍ତ ପାଠକଙ୍କ ସଂପର୍କ ବୋଧହୁଏ ସେହି ସମୟରେ ସୁଦୃଢ ହୋଇଛି, ଯାହାକି ପାଣିଗ୍ରାହୀଙ୍କ ପତନର କାରଣ ହୋଇଛି ।
ରାଜ୍ୟ ସରକାରଙ୍କ ବନ ବିଭାଗର ଅତିରିକ୍ତ ପିସିସିଏଫ୍ ପଦରୁ ନିକଟରେ ନିଲମ୍ବିତ ହୋଇଥିବା ଅଭୟ କାନ୍ତ ପାଠକଙ୍କ କଳା ସାମ୍ରାଜ୍ୟର ଖୋଳତାଡ଼ କରୁଥିବା ରାଜ୍ୟ ଭିଜିଲାନ୍ସ ବିଭାଗ ପାଠକଙ୍କ ପୁଅ ଆକାଶ ପାଠକଙ୍କ ‘ଟାଟା ମୋଟର୍ସ’ ନାମରେ ଠକେଇ ଓ ଜାଲିଆତାର ପର୍ଦ୍ଦାଫାସ୍ କରିବା ପରେ ଗୋପାଳପୁର ବିଧାୟକ ଡକ୍ଟର ପାଣିଗ୍ରାହୀ ଚର୍ଚ୍ଚାକୁ ଆସିଥିଲେ । ଆକାଶ ନିଜକୁ ଟାଟା ମୋଟର୍ସ ଏମଡ଼ି ଭାବେ ଦର୍ଶାଇ ‘ଫେସ୍ ବୁକ୍’ରେ ଏକ ଜାଲ୍ ଆକାଉଂଟ ଖୋଲିବା ସହ ସେଥିରେ କଂପାନୀର ଲୋଗା ବ୍ୟବହାର କରି ନିଯୁକ୍ତି ବିଜ୍ଞାପନ ପ୍ରସାରିତ କରିଥିଲା । ବେକାର ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ଦେବା ନାମରେ ସେ କୋଟି କୋଟି ଟଙ୍କା ଚୁନ ଲଗାଇ ଥିବାର କାଗଜପତ୍ର ଭିଜିଲାନ୍ସ୍ ହାତରେ ଲାଗିଛି । ଭିଜିଲାନ୍ସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଏ ନେଇ ଖୋଳତାଡ ଆରମ୍ଭ କରିଛନ୍ତି । ୬୮ ଜଣ ଯୁବକ, ଯୁବତୀ ଠକେଇର ଶିକାର ହୋଇଥିବା ବେଳେ ସମସ୍ତେ ପ୍ରାୟ ସେହି ଗୋପାଳପୁର ଇସ୍ପାତ ପ୍ରକଳ୍ପ ବିସ୍ଥାପିତ ଅଂଚଳର ବୋଲି ଜଣାପଡିଛି । ଯେହେତୁ ଆକାଶ ପାଠକ ଗୋପାଳପୁର ବିଧାୟକ ଡକ୍ଟର ପାଣିଗ୍ରାହୀଙ୍କ ଜ୍ୱାଇଁ ହେବାକୁ ଥିଲା ଏବଂ ପାଠକ ପରିବାର ବିଧାୟକଙ୍କ ସୁରକ୍ଷା ପାଇ ଆସୁଥିଲେ ଏହି ଠକେଇରେ ବିଧାୟକ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରୁଛନ୍ତି । ଏବେ ଏସଆଇଟି ସେହି ଆଧାରରେ ତଦନ୍ତ ଆଗକୁ ନେବ ବୋଲି ସୂଚନା ମିଳୁଛି ।
ଭିଜିଲାନ୍ସ ବିଭାଗ ବିଧାୟକ ପାଣିଗ୍ରାହୀଙ୍କୁ ସନ୍ଦେହ ଘେରକୁ ଆଣିବା କାରଣ ହେଉଛି, ଗୋପାଳପୁର ସମୁଦ୍ର ଉପକୂଳରେ ଟାଟା ଷ୍ଟିଲ୍ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନବେ ଦଶକରେ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା ତାହାର କ୍ଷତିପୂରଣ ଜମି ମାଲିକମାନଙ୍କୁ ମିଳିଛି । କଂପାନୀ ଥଇଥାନ କଲୋନୀ ପ୍ରତିଷ୍ଠା କରି ବିସ୍ଥାପିତଙ୍କୁ ଥଇଥାନ କରିଛି । ବର୍ଷକ ପାଇଁ ସେମାନଙ୍କ ସମସ୍ତ ଖର୍ଚ୍ଚ ତୁଲାଇବା ପରେ ମୁଣ୍ଡରୁ ହାତ ଫେରାଇ ନେଇଛି । ବେକାର ଯୁବକ, ଯୁବତୀଙ୍କୁ କର୍ମନିଯୁକ୍ତି ମିଳି ନ ଥିବାରୁ ପ୍ରତି ବର୍ଷ ଆନ୍ଦୋଳନ, ଧାରଣା ହେଉଛି । ତେଣୁ, ଏହି ବେକାର ଯୁବକ, ଯୁବତୀଙ୍କୁ ଫସାଇବା ପାଇଁ ପାଠକ ପରିବାର ପକ୍ଷରୁ ଏକ ଚତୁର ଯୋଜନା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ କି ଗୋପାଳପୁର ବିଧାୟକଙ୍କ ସମେତ ବହୁ ସରକାରୀ ଅଧିକାରୀ ସାମିଲ ଥିବା ଭିଜିଲାନ୍ସ ସନ୍ଦେହ କରୁଛି । ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ଇଂଜିନିୟରିଂ ଡ଼ିଗ୍ରୀ ହାସଲ କରିଥିବା ଆକାଶ ପାଠକ ମହାରାଷ୍ଟ୍ରର ପୁଣେରେ ଟାଟା ମୋଟର୍ସ ପାସେଂଜର ଡ଼ିଭିଜନ ନାମରେ ଏକ ନକଲି ଅଫିସ ଖୋଲି ନିଜକୁ ତାହାର ଏମଡ଼ି ଭାବେ ଦର୍ଶାଇ ଥିଲେ । ଟାଟା ମୋଟର୍ସ ନାମରେ ଜାଲ୍ ଇ-ମେଲ୍ ଆଇଡ଼ି ଖୋଲା ଯାଇଥିଲା । ଟାଟା ମୋଟର୍ସ ଲୋଗୋ ଥାଇ ନିଯୁକ୍ତି ବିଜ୍ଞାପନ ଦିଆଯିବା ସହ ଗ୍ରାଜୁଏଟ୍ ଇଂଜିନିୟର ଟ୍ରେନି ଓ ମ୍ୟାନେଜମେଂଟ୍ ଟ୍ରେନି ନିଯୁକ୍ତି ପାଇଁ ଅବେଦନପତ୍ର ମଗା ଯାଇଥିଲା । ଗତ ଏପ୍ରିଲ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସାକ୍ଷାତକାର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ସାକ୍ଷାତକାର ପରେ ମନୋନୀତ ପ୍ରାର୍ଥୀଙ୍କୁ ବାର୍ଷିକ ୬ ଲକ୍ଷ ୧୦ ହଜାର ଟଙ୍କା ଦରମାରେ ନିଯୁକ୍ତିପତ୍ର ମଧ୍ୟ ମିଳିଥିଲା । ୨୧ ଦିନ ମଧ୍ୟରେ ନିଜ ନିଜ ଜବାବ ରଖିବାକୁ କୁହାଯାଇ ନିଯୁକ୍ତ ପାଇଁ ମନୋନୀତ ଯୁବକ, ଯୁବତୀଙ୍କ ତାଲିକା ଟାଟା ମୋଟର୍ସର ମାନବ ସମ୍ବଳ ବିଭାଗ ସିନିୟର ମ୍ୟାନେଜର ଅରୁଣ ଫୁଲେରଙ୍କ ନାମରେ ପ୍ରକାଶିତ ହୋଇଥିଲା । ଅଫର ଲେଟର୍ ମଧ୍ୟ ଏହି ଦସ୍ତଖତରେ ଯାଇଥିଲା ।
ପୁଣେ ଅଫିସରେ ଆକାଶ ପାଠକ ଉଚ୍ଚ ଦରମାରେ ଜଣେ ମ୍ୟାନେଜରଙ୍କୁ ନିଯୁକ୍ତି ଦେଇଥିଲେ । ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହୋଇଥିବା ଏବଂ ଏହାର ପରିମାଣ ୩ କୋଟିରୁ ଅଧିକ ଥିବା ଭିଜିଲାନ୍ସ ସନ୍ଦେହ କରୁଛି । ୧୫ ଦିନ ମଧ୍ୟରେ ଚାକିରୀେ ଯୋଗ ଦେବାକୁ ଅଫର୍ ଲେଟରରେ କୁହାଯାଇଥିବା ବେଳେ ଚାକିରୀ ନ ମିଳିବାରୁ ସଂପୃକ୍ତ ଯୁବକ ଯୁବତୀ ଟାଟା କଂପାନୀ ସହ ଯୋଗାଯୋଗ କରି ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଆକାଶ ପାଠକ ପୁଣେ ଅଫିସରେ ନିଯୁକ୍ତି ଦେଇଥିବା ସଂପୃକ୍ତ ମ୍ୟାନେଜରଙ୍କ ଘରେ ଚଢାଉ କରି ଭିଜିଲାନ୍ସ ଟିମ୍ ଯେଉଁ କାଗଜପତ୍ର ସବୁ ଜବତ କରିଛନ୍ତି ସେଥିରୁ ଏହି ଜାଲିଆତିର ସୁରାକ ମିଳିଛି । ପ୍ରଦୀପ ବିସ୍ଥାପିତ ଅଂଚଳର ଲୋକମାନଙ୍କ ପ୍ରବର୍ତ୍ତାଇ ଏହି ଠକାମୀର ଶିକାର କରାଇ ଥିବା ଭିଜିଲାନ୍ସ ସନ୍ଦେହ କରୁଛି । ଟାଟା ମୋଟର୍ସ କର୍ତୃପକ୍ଷ ଏହି ଜାଲିଆତି ସଂପର୍କରେ ଜାଣିବା ପରେ ପ୍ରମାଣ ସହ ରାଜ୍ୟ କ୍ରାଇମ୍ ବ୍ରାଂଚରେ ଏତଲା ଦେଇଥିଲେ ଏବଂ କ୍ରାଇମ୍ ବ୍ରାଂଚ୍ ଆଇଜି ଅମିତେନ୍ଦ୍ର ସିହ୍ନାଙ୍କ ଭେଟି ଲିଖିତ ଭାବେ ଜଣାଇ ଥିଲେ । ମେ’ ୧୮ ତାରିଖରେ ଟାଟା ମୋଟର୍ସର ଜଣେ ଭାରପ୍ରପ୍ତ ଅଧିକାରୀ କ୍ରାଇମ ବ୍ରାଂଚ୍ ଆଇଜି ସିହ୍ନାଙ୍କୁ ଭେଟି ଲିଖିତ ଭାବେ ଜଣାଇବା ପରେ କ୍ରାଇମ୍ ବ୍ରାଂଚ ମାମଲାଟିଏ ରୁଜୁ କରି ଚୁପଚାପ୍ ବସି ଯାଇଥିଲେ । କାହା ଚାପରେ ଏହି ମାମଲା ସାତ ମାସ ହେଲା ଦବି ଯାଇଥିଲା ତାହା ଏବେ ପ୍ରଶ୍ନବାଚୀ ହୋଇଛି ।
ଭିଜିଲାନ୍ସ ବିଭାଗ ଅତିରିକ୍ତ ପିସିସିଏଫ୍ ଅଭୟ କାନ୍ତ ପାଠକଙ୍କ କଳା ସାମ୍ରାଜ୍ୟ ଉପରେ ନଭେମ୍ବର ୨୬ ତାରିଖରୁ ଚଢାଉ ଆରମ୍ଭ କରି ଦୀର୍ଘ ୫୦ ଘଂଟାରେ ୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଥିବା ହିସାବ ପାଇଛନ୍ତି । ପାଠକ ବାପା, ପୁଅ ଦୁହେଁ ମିଶି ଠକ ସାମ୍ରାଜ୍ୟ ବିସ୍ତାର କରିଥିବା ଏହି ଚଢାଉରୁ ଜଣାପଡିଛି । ୨୭ ତାରିଖ ସନ୍ଧ୍ୟାରେ ବାପା ଅଭୟ କାନ୍ତ ଓ ପୁଅ ଆକାଶଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ସେମାନେ ଜାମିନ ଆବେଦନ ଖାରଜ କରି ଡ଼ିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବିଜାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଭୁବନେଶ୍ୱର ଝାରପଡ଼ା ଜେଲର ଦୁଇଟି ଭିନ୍ନ ଭିନ୍ନ କୋଠରୀରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ୧୪ ଦିନ ସଂଗରୋଧ ପରେ କରୋନା ଲକ୍ଷଣ ନ ଥିଲେ ଜେନେରାଲ୍ ସେଲକୁ ପଠାଯିବ ବୋଲି ସୂଚନା ମିଳିଛି ।
ଆଇଏଫଏସ୍ ଅଭୟ ପାଠକ ଦୀର୍ଘ ୩୩ ବର୍ଷ ହେଲା ରାଜ୍ୟ ସରକାରଙ୍କ ବନ ବିଭାଗରେ ଡ଼ିଏଫଓରୁ ଆରମ୍ଭ କରି ଅତିରିକ୍ତ ପିସିସିଏଫ୍ ପର୍ଯ୍ୟନ୍ତ ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟ କରି ଆସିଛନ୍ତି । ଦୁଇ ମାସ ପରେ ସେ ରାଜ୍ୟରେ ବନ ବିଭାଗର ସର୍ବୋଚ୍ଚ କର୍ତ୍ତା ପଦକୁ ପଦେନ୍ନତି ପାଇବାର ଥିଲା । କିନ୍ତୁ, କଳା ସାମ୍ରାଜ୍ୟ ପଦାରେ ପଡିବା ପରେ ସେ ନିଲମ୍ବିତ ହୋଇଛନ୍ତି । ପାଠକ ଗଂଜାମ ଜିଲ୍ଲାରେ ଡ଼ିଏଫଓ ଥିବା ସମୟରୁ ତାଙ୍କ ନାମାରେ ଚାରା ଦୁର୍ନୀତି ଅଭିଯୋଗ ରହି ଆସିଛି । ତଥାପି ଥରେ ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି । ଅତିରିକ୍ତ ପିସିସିଏଫ ଥିବା ତାଙ୍କୁ ରାଜ୍ୟ ସରକାର ରାଜ୍ୟର ବନୀକରଣ ଦାୟିତ୍ୱ ଦେଇ ଅଧିକ ଘୋଟାଲାର ବାଟ ଖୋଲି ଥିଲେ । ରାଜ୍ୟରେ ବନୀକରଣ ଓ ବନ ସଂରକ୍ଷଣ ବାବଦରେ ଆସୁଥିବା କୋଟି କୋଟି ଟଙ୍କା ସେ ହଡପ କରିଥିବା ଏବଂ ସେହି ଟଙ୍କାରେ ତାଙ୍କ ବିଳାସର ସାମ୍ରାଜ୍ୟ ଗଢି ଥିବା ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍କା ଅନୁମାନ କରୁଛି । ବାପା, ପୁଅ ମିଶି କଳା ଟଙ୍କାର ସଂରକ୍ଷଣ ଓ ବ୍ୟବହାର କରୁଥିଲେ ବୋଲି କୁହାଯାଉଛି । ଅତିରିକ୍ତ ପିସିସିଏଫ୍ ଅଭୟ ପାଠକଙ୍କ ଆୟ ବ୍ୟୟର ହିସାବ କରିବା ପରେ ଭିଜିଲାନ୍ସ ବିଭାଗ ୯ କୋଟି ୩୫ ଲକ୍ଷ ୪୨ ହଜାର ୫୯୪ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ କରିଛନ୍ତି । ବିଦେଶରେ ସେ ଆହୁରି ଅଧିକ ସଂପତ୍ତି ଲୁଚାଇ ରଖି ଥିବା ସନ୍ଦେହ କରା ଯାଉ ଥିବାରୁ ପ୍ରବର୍ତନ ନିର୍ଦେଶାଳୟ (ଇଡ଼ି) ତଦନ୍ତ କରିବା ସୂଚନା ମିଳୁଛି ।
ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କାର୍ଯ୍ୟ ଆଗେଇ ନେବା ପାଇଁ ଅତିରିକ୍ତ ଏସପି ହରିନାରାୟଣ ପତିଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯାଇଛି । ଭିଜିଲାନ୍ସ ସେଲ୍ ଏସପି ତଦନ୍ତର ତଦାରଖ କରିବେ ଏବଂ ବିଭାଗୀୟ ଡ଼ିଆଇଜି ତାହାର ଅନୁଧ୍ୟାନ କରିବେ । ଅଧିକ ପଚରା ଉଚୁରା ପାଇଁ ବାପା-ପୁଅଙ୍କୁ ରିମାଣ୍ଡରେ ଆଣିବାକୁ ଭିଜିଲାନ୍ସ ବିଭାଗ ସ୍ଥିର କରିଛି । ପାଠକ ପରିବାର ଦେଶର ବିଭିନ୍ନ ଅଂଚଳକୁ ଯିବା ସକାଶେ ଯେଉଁ ଚାର୍ଟର ବିମାନ ବ୍ୟବହାର କରୁଥିଲେ ତାହା ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ବୁକିଂ ହେଉଥିଲା ଜାଣିବା ପରେ ଭିଜିଲାନ୍ସ ବିଭାଗ ସେହି ଟ୍ରାଭେଲ୍ ଏଜେନ୍ସିକୁ ତଦନ୍ତ ପରିସରଭୁକ୍ତ କରିଛି । ଦୁଇ ଦିନର ଚଢାଉରେ ଅତିରିକ୍ତ ପିସିସିଏଫ୍ ଅଭୟଙ୍କ ସରକାରୀ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା, ୮୦୦ ଗ୍ରାମ ସୁନା ଅଳଂକାର, ତିନିଟି ଦାମୀ କାର୍, ତିନିଟି ଦାମୀ ବାଇକ୍, ଘାଟିକିଆ ବିପୁଲ୍ ଗାର୍ଡେନରେ ଥିବା ଫ୍ଲାଟ୍ ରୁ ନଗଦ ୫୦ ଲକ୍ଷ ଟଙ୍କା, ବିବେକାନନ୍ଦ ମାର୍ଗରେ ଥିବା ଫ୍ଲାଟ୍, ମୁମ୍ବାଇର ଜୁହୁରେ ଥିବା ଆକାଶ ପାଠକଙ୍କ ରେଷ୍ଟୁରାଂଟ୍, ପୁଣେ ଫାର୍ମ ହାଉସ୍, ଆକାଶର ସହଯୋଗୀର ଫ୍ଲାଟ୍, ୨୩ ଲକ୍ଷ ଟଙ୍କାର ସୁନା ଗହଣା କିଣା ବିଲ୍ ଓ ଚାର୍ଟର ବିମାନ ବ୍ୟବହାର ବାବଦରେ ଖର୍ଚ୍ଚ ପ୍ରାୟ ୩ କୋଟି ଟଙ୍କାର ବିଲ୍ ଜବତ ହୋଇଛି ।
ବିପୁଲ୍ ଗାର୍ଡେନ ଫ୍ଲାଟରେ ଅଭୟଙ୍କ ପୁତୁରା ହର୍ଷ ପାଠକ (ଦାନ୍ତ ଡାକ୍ତର) ରହୁଥିଲେ । ସେଠାରୁ ୫୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବାରୁ ୨୭ ତାରିଖ ଦିନ ଭିଜିଲାନ୍ସ ଅଧିକାରୀମାନେ ଅଭୟ ପାଠକ, ଆକାଶ ପାଠକ ଓ ହର୍ଷ ପାଠକଙ୍କୁ ସାମ୍ନାସାମ୍ନି କରି ଜେରା କରିଥିଲେ । ଭିଜିଲାନ୍ସ ଡ଼ିଆଇଜି ସଂଜୟ କୌଶଲ ଓ ଭିଜିଲାନ୍ସ ଏସପି ଏହି ଜେରାରେ ସାମିଲ ଥିଲେ । ଏତେ ସପତ୍ତି କେଉଁଠୁ ଆସିଲା, ଆଉ କେଉଁଠି କେଉଁଠି ସେମାନଙ୍କ ସଂପତ୍ତି ରହିଛି, ବିଦେଶରେ କିଛି ଆୟ ବହିର୍ଭୁତ ସଂପତ୍ତି ଲୁକ୍କାୟିତ ରଖିଛନ୍ତି କି (?), ତାଜ୍ ପ୍ୟାଲେସରେ ୯୦ ଲକ୍ଷ ଟଙ୍କାର ବିଲ୍ କେଉଁ ସୂତ୍ରରୁ ପୈଠ ହେଲା, ଉଦୟପୁରରେ ପୁଅ ବାହାଘର ପାଇଁ ହୋଇଥିବା ୩୨ କୋଟିର ବଜେଟ୍ କେଉଁଠୁ ସୂତ୍ରରୁ ହୋଇଛି ତାହା ସେମାନେ ଜାଣିବାକୁ ଚାହିଁ ଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ନାହାନ୍ତି । ଗୋପାଳପୁର ବିଧାୟକ ଡକ୍ଟର ପାଣିଗ୍ରାହୀଙ୍କ ସମେତ ପାଠକ ପରିବାର ସହ ସଂପର୍କ ଥିବା ବିଭିନ୍ନ ଅଧିକାରୀ, ରାଜନେତା, ପ୍ରଶାସକ ଏବେ ତଦନ୍ତ ପରିସରଭୁକ୍ତ ହୋଇଥିବା ସୂଚନା ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୋପାଳପୁର ବିଧାୟକ ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିଷ୍କାର କରିବା ପରେ ସରକାରଙ୍କ ମତିଗତି ସ୍ପଷ୍ଟ ହୋଇଛି । ଯେଉଁ ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ତାଙ୍କୁ ନିଜର ବିଶ୍ୱସ୍ତ ସୈନିକ ଭାବି ଗୁରୁ ଦାୟିତ୍ୱ ଦେଉଥିଲେ ଆଜି ସେ ହିଁ ତାଙ୍କୁ ନିର୍ଦ୍ଦୟ ହୋଇ ଦଳରୁ ବହିଷ୍କାର କରିଛନ୍ତି । ଏହା ବିଧାୟକ ପାଣିଗ୍ରାହୀଙ୍କ ଅହଂକାରର ଶେଷ ପରିଣତ କହିବା ବୋଧହୁଏ ଭୁଲ ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS