ଅଭୟଙ୍କ ସୁରକ୍ଷା କବଚ ଥିଲା କିଏ ? ଚର୍ଚ୍ଚାରେ ଅଛନ୍ତି ଗଂଜାମ ଜିଲ୍ଲାର ଜଣେ ବରିଷ୍ଠ ଶାସକ ଦଳ ବିଧାୟକ
ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୨୭
ରାଜ୍ୟ ସରକାରଙ୍କ ଅଭୟ ଆଶ୍ରୟରେ ରହି ବହୁ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଏବଂ ନିର୍ଭୟରେ ତାଙ୍କ ବିଳାସର ସାମ୍ରାଜ୍ୟ ବିସ୍ତାର କରିଥିବା ଆଇଏଫଏସ୍ ଅଫିସର ତଥା ରାଜ୍ୟ ସରକାରଙ୍କ ବନ ବିଭାଗ ଅତିରିକ୍ତ ପିସିସିଏଫ୍ ଅଭୟ କାନ୍ତ ପାଠକ କାହାର ଅଭୟ ‘ବର’ ପାଇଥିଲେ (?), ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଅଭୟଙ୍କ ସହ ତାଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ମଧ୍ୟ ଠକାମୀ ଅଭିଯୋଗ ରହିଛି । ନିଜକୁ ଟାଟା ମୋଟର୍ସର ଏମଡ଼ି ଦର୍ଶାଇ ଆକାଶ ଚାକିରୀ ଯୋଗାଇ ଦେବା ନାମରେ ଠକେଇ କରୁଥିଲେ । ଟାଟା ମୋଟର୍ସ ପକ୍ଷରୁ ଏସଂପର୍କରେ ରାଜ୍ୟ କ୍ରାଇମ୍ ବ୍ରାଂଚରେ ଅଭିଯୋଗ କରାଯାଇ ଆକାଶଙ୍କ ଏକ ଜାଲ୍ ଫେସ୍ ବୁକ୍ ଆଇଡି କ୍ରାଇମ୍ ବ୍ରାଂଚ ନିକଟରେ ଦାଖଲ କରାଯାଇଥିଲେ ସୁଦ୍ଧା ରାଜ୍ୟ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ । କାହା ଚାପରେ ରାଜ୍ୟ ପୁଲିସ କ୍ରାଇମ୍ ବ୍ରାଂଚ ଆକାଶଙ୍କୁ ସୁରକ୍ଷା ଦେଉଥିଲେ, ତାହା ମଧ୍ୟ ପ୍ରଶ୍ନବାଚୀ ହୋଇଛି । ଶାସକ ଦଳ (ବିଜେଡ଼ି)ର ଜଣେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ଝିଅଙ୍କୁ ଆକାଶ ଡ଼ିସେମ୍ବର ମାସରେ ବିବାହ କରିବାକୁ ଥିବାରୁ ଏହି ବିଧାୟକ ଜଣକ ହିଁ ଅଭୟ ଓ ଆକାଶ ପାଠକଙ୍କ ‘ଅଭୟ ଆଶ୍ରୟଦାତା’ ଥିଲେ ବୋଲି ଅନୁମାନ କରାଯାଉଛି । ରାଜ୍ୟ ଭିଜିଲାନ୍ସ ବିଭାଗ ସଂପୃକ୍ତ ବିଧାୟକଙ୍କ ନାମ ଏପର୍ଯ୍ୟନ୍ତ ଖୁଲାସା କରି ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଜଣେ ବିଧାୟକଙ୍କ ନାମ ଘୁରି ବୁଲୁଛି । ବିଧାୟକ ଜଣକ ଏବେ ଭିଜିଲାନ୍ସ ବିଭାଗର ସ୍କାନରରେ ଥିବା ଏବେ ଚର୍ଚ୍ଚା ହେଉଛି ।
ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଅତିରିକ୍ତ ପିସିସିଏଫ୍ ପାଠକ ଓ ତାଙ୍କ ପରିବାରର କଳା କାରନାମା ଆଜିର ନୁହେଁ, ଦୀର୍ଘ ବର୍ଷ ହେଲା ଚାଲି ଆସିଛି । ପାଠକ ବନ ବିଭାଗର ବିଭିନ୍ନ ଉଚ୍ଚ ପଦବୀରେ ଥିବା ସମୟରେ ତାଙ୍କ ବିରୋଧରେ ଚାରା ଦୁର୍ନୀତି ଭଳି ବହୁ ଦୁର୍ନୀତି ଅଭିଯୋଗ ସରକାରଙ୍କ ଦୃଷ୍ଟିକୁ ଆସି ଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା । ଜଂଗଲ ବିଭାଗ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ସେସବ ଅଭିଯୋଗ ଉପରେ ଚକାମାଡ଼ି ବସି ଯାଇଥିଲେ । ଫଳରେ, ଅଭୟ ପାଠକ କୋଟି କୋଟି ଟଙ୍କାର ସଂପତ୍ତି ଅସାଧୁ ଉପାୟରେ ଉପାର୍ଜନ କରିବା ସହ ପୁଅ ଆକାଶକୁ ମଧ୍ୟ ସେଥିରେ ଭାଗିଦାର କରି ଦେଇଥିଲେ । ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିବା ଆକାଶ ପାଠକ ଶାସକ ଦଳର ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ବରିଷ୍ଠ ବିଧାୟକଙ୍କ ଝିଅଙ୍କୁ ପ୍ରେମ ଜାଲରେ ପକାଇ ନିଜର ଓ ନିଜ ବାପାଙ୍କ କଳା ସାମ୍ରାଜ୍ୟକୁ ଅବାଧରେ ଆଗକୁ ବଢାଇ ଚାଲି ଥିଲେ । ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ ସମୟରେ ସଂପୃକ୍ତ ବିଧାୟକଙ୍କ ଝିଅକୁ ମଧ୍ୟ ଭିଭିଆଇର ସମ୍ମାନ ମିଳୁ ଥିଲା ଏବଂ ବାହୁବଳୀଙ୍କ ଘେରରେ ସେ ରହୁଥିଲେ ବୋଲି ଭିଜିଲାନ୍ସ ତଦନ୍ତ ସମୟରେ ଖୁଲାସା ହୋଇଛି । ଏଇମିତି ତ ଆକାଶ ଭିଭିଆଇପି ଜୀବନ ବିତାଉ ଥିଲେ । ଦେଶର ବଭିନ୍ନ ସ୍ଥାନକୁ ଭ୍ରମଣ କରିବା ସମୟରେ ସେ ନିଜେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ପରିବାର ମଧ୍ୟ କୋଟିରେ ଖେଳୁ ଥିଲେ ।
ଗତ ଏପ୍ରିଲ ମାସରେ ଆକାଶ ନିଜକୁ ‘ଟାଟା ମୋଟର୍ସ’ର ଜଣେ ପଦାଧିକାରୀ ଦର୍ଶାଇ କୋଭିଡ଼ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଂଠିକୁ ୫ ଲକ୍ଷ ଟଙ୍କା ଦାନ କରି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ । ‘ଫେସ୍ ବୁକ୍’ରେ ଟାଟା ମୋଟର୍ସ ପାସେଂଜର ଡ଼ିଭିଜନ ଏମଡ଼ି ଭାବେ ନିଜକୁ ପରିଚୟ ରଖି ଜାଲ ଆଇଡି ଖୋଲିବା ସହ ସେଥିରେ ଟାଟା ମୋଟର୍ସର ‘ଲୋଗୋ’ ବ୍ୟବହାର କରିଥିଲେ । ସେହି ଏଫବି ପୃଷ୍ଠାରେ ସଂସ୍ଥାରେ କର୍ମ ନିଯୁକ୍ତି ଯୋଗାଇବା ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ଜାଲ୍ ଇ-ମେଲ୍ ଆଇଡ଼ିରେ ଆସିଥିବା ଆବେଦନପତ୍ରଗୁଡିକୁ ଯାଂଚ କରାଯାଇ ସେଥିରୁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡ଼କା ଯାଇଥିଲା । ଆକାଶ ପାଠକ ନିଜେ ସେମାନଙ୍କ ସାକ୍ଷାତକାର ନେଇଥିଲେ । ଚୂଡାନ୍ତ ତାଲିକାରେ ଯେଉଁମାନଙ୍କ ନାମ ରହିଲା ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଛି ।
ଟାଟା ମୋଟର୍ସ କର୍ତ୍ତୃପକ୍ଷ ଏହା ଜାଣିବା ପରେ ସଂସ୍ଥାର ଡ଼ିଜିଏମ ତ୍ରିଲୋଚନ ମହାନ୍ତି ମେ’ ୭ ତାରିଖରେ କ୍ରାଇମ୍ ବ୍ରାଂଚର ଦ୍ୱାରାସ୍ଥ ହୋଇଥିଲେ । ଏହି ଜାଲିଆତିରେ ଅଭିଯୁକ୍ତ ଆକାଶ ରାଜ୍ୟର ଅତିରିକ୍ତ ପିସିସିଏଫ ଅଭୟ କାନ୍ତ ପାଠକଙ୍କ ପୁଅ ବୋଲି ଅଭିଯୋଗପତ୍ରରେ ଦର୍ଶାଯିବା ସହ ଫେସ୍ ବୁକ୍ ଆଇଡିର ଫଟୋ, ମୁଖ୍ୟମନ୍ତ୍ରୀ ରିଲିଫ ପାଂଠିକୁ ଦିଆଯାଇଥିବା ସହାୟତାର ନ୍ୟୁଜ୍ କ୍ଲିପିଂ, ସ୍କ୍ରିନସଟ୍ ମଧ୍ୟ ସେଥିରେ ଯୋଡା ଯାଇଥିଲା । ଅଭିଯୋଗ ପରେ ପୁଲିସ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କ୍ରାଇମ୍ ବ୍ରାଂଚ ଆଜି ଥିବା ଅମିତେନ୍ଦ୍ର ସିହ୍ନାଙ୍କ ନିକଟରେ ଅଭିଯୋଗପତ୍ର ଦିଆଯିବା ପରେ ଆକାଶଙ୍କ ବିରୋଧରେ ଠକେଇ, ଜାଲିଆତି ଓ ଆଇଟି ଆକ୍ଟର ବିଭିନ୍ନ ସଂଗୀନ ଦଫା ଲାଗି ଥିଲା । କିନ୍ତୁ, ପୁଲିସ କୌଣସି ଚାପରେ ଆକାଶ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ନ ଥିଲେ । ଆକାଶ ପାଠକ ଆଇଏଫଏସ୍ ଅଧିକାରୀ ଅଭୟ କାନ୍ତ ପାଠକଙ୍କ ପୁଅ ଏବଂ ଶାସକ ଦଳର ଜଣେ ଟାଣୁଆ ବିଧାୟକଙ୍କ ଜାମାତା ହେବାକୁ ଥିବାରୁ ବୋଧହୁଏ ରାଜ୍ୟ କ୍ରାଇମ୍ ବ୍ରାଂଚ ତାଙ୍କୁ ହାତ ମାରିବାକୁ ସାହସ କରି ନଥିଲା ! ଏଇଥିରୁ ଜଣାପଡୁଛି ଆଇଏଫଏସ୍ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ କେତେ ପ୍ରଭାବଶାଳୀ ଥିଲେ । ପାଠକଙ୍କ ସମୁଦି ହେବାକୁ ଯାଉଥିବା ଶାସକ ଦଳ ବିଧାୟକ ଜଣକ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ନିକଟତମ ଭାବେ ପରିଚିତ ଥିଲେ । ୨୦୧୯ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିକଟତମ କୋଟରୀରୁ ଦୂରେଇ ଦେଇଥିବା ବେଳେ ନିଜ ଜିଲ୍ଲା ରାଜନୀତିରେ ମଧ୍ୟ କୋଣଠେସା ହୋଇ ରହିଥିବା ସୂଚନା ମିଳିଛି । କେନ୍ଦ୍ର ସରକାର ଅତିରିକ୍ତ ପିସିସିଏଫ୍ ଅଭୟ ପାଠକଙ୍କ କାର୍ଯ୍ୟକଳାପକୁ ନେଇ ଥିବା ସନ୍ଦେହ ରାଜ୍ୟ ସରକାରଙ୍କୁ ଜଣାଇବା ପରେ ସଂପୃକ୍ତ ଶାସକ ଦଳ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଦୂରେଇ ଦେଲେ କି (?) ବୋଲି ଏବେ ପ୍ରଶ୍ନ ହେଉଛି ।
୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଭୟ କାନ୍ତ ପାଠକ ଦୀର୍ଘ ୩୩ ବର୍ଷ ହେଲା ରାଜ୍ୟ ସରକାରଙ୍କ ଅଧିନରେ ବନ ବିଭାଗର ବିଭିନ୍ନ ଉଚ୍ଚ ପଦପଦବୀରେ ରହି ଆସିଛନ୍ତି । ଦୁଇ ମାସ ପରେ ସେ ଓଡ଼ିଶା ବନ ବିଭାଗ ମୁଖ୍ୟ ହୋଇଥା’ନ୍ତେ । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ବିଭାଗ ଓ ସରକାରଙ୍କ ପାଇଁ ନୂଆ ନଥିଲା । ତେବେ, ତାଙ୍କୁ ଧରିବା ସକାଶେ କେବେ ପ୍ରୟାସ ହୋଇ ନଥିଲା । ତେଣୁ, ସେ ନିର୍ଭୟରେ ତାଙ୍କ ଦୁର୍ନୀତିର ସାମ୍ରାଜ୍ୟ ବିସ୍ତାର କରିଥିଲେ ।ଏବଂ ଶାସକ ଦଳର ବିଧାୟକ ଜଣକ ତାଙ୍କ ପାଇଁ ସୁରକ୍ଷା କବଚ ହୋଇଥିଲେ ବୋଲି ତଥ୍ୟାଭିଜ୍ଞ ମହଲ ବିଶ୍ୱାସ କରୁଛନ୍ତି । ଦୁଇ ଦିନ ହେଲା ପାଠକ ପରିବାରର ଦୁର୍ନୀତି ସାମ୍ରାଜ୍ୟ ଉପରେ ରାଜ୍ୟ ଭିଜିଲାନ୍ସ ବିଭାଗର ଚଢାଉ ଚାଲିଛି । ବଛା ବଛା ୧୫୦ ଜଣ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ୧୨ ଭାଗରେ ବିଭକ୍ତ ହୋଇଥିବା ଚଢାଉ ଜାରି ରଖି ଥିବା ବେଳେ ପାଠକ ପରିବାରର ସଂପତ୍ତି ଆକଳନ କରିବାରେ ଏକାଧିକ ଚାଟର୍ଡ ଆକାଉଂଟାଂଟ ଓ ଆକାଉଂଟାଂଟଙ୍କ ସହାୟତା ନିଆଯାଇଛି । ୨୬ ତାରିଖ ସନ୍ଧ୍ୟାରେ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରାଥମିକ ଆକଳନରୁ ପାଠକ ପରିବାର ସଂପତ୍ତିର ଯେଉଁ ହିସାବ ମିଳିଛି ତାହା ଚଳଡାନ୍ତ ରିପୋର୍ଟରେ ବହୁ ଗଣ ବଢି ଯିବ ବୋଲି ଅନୁମାନ କରାଯାଉଛି ।
କେବଳ ଅଭୟ ପାଠକ ନୁହନ୍ତି, ତାଙ୍କ ପୁଅ ଆକାଶ ପାଠକ ମଧ୍ୟ କୋଟିପତି । ଆକାଶଙ୍କ ବିଭିନ୍ନ ବ୍ୟାଙ୍କ୍ ଖାତାରେ ୯.୪ କୋଟି ଟଙ୍କା ଜମା ଥିବା ଠାବ ହୋଇଛି । ସେଥିରୁ ୮.୪ କୋଟି ଟଙ୍କା ଭୁବନେଶ୍ୱରରେ ସହିଦ ନଗର ଓ ନୟାପଲ୍ଲୀର ବିଭିନ୍ନ ଏଟିଏମ୍ ମାଧ୍ୟମରେ ଜମା କରାଯାଇଛି । ଅଭୟ ପାଠକ ଓ ତାଙ୍କ ସଂପର୍କୀୟଙ୍କ ଘରୁ ଭିଜିଲାନ୍ସ୍ ଟିମ୍ ନଗଦ ୬୦ ଲକ୍ଷ ଟଙ୍କା, ୮୦୦ ଗ୍ରାମ ସୁନା ଅଳଂକାର ଓ ୨୩ ଲକ୍ଷ ଟଙ୍କାର ଗହଣା କିଣିଥିବା କାଗଜପତ୍ର ଜବତ କରିଛନ୍ତି । ଅଭୟଙ୍କ ଘାଟିକିଆ ‘ବିପୁଲ୍ ଗାର୍ଡେନ’ ଘର ପୋର୍ଟିକୋରୁ ଜବତ ହୋଇଥିବା ତିନିଟି ବିଳାସପୂର୍ଣ୍ଣ କାର୍ ଟାଟା ହାରିଅର୍, ବିଏମଡ଼ବ୍ଲୁ ଓ ମର୍ସିଡିଜ୍ ଏବଂ ତିନିଟି ୟାମହା ଏଫଜେଡଏସ୍ ବାଇକ୍ ଆକାଶଙ୍କ ନାମରେ ରହିଛି । ପୁନେରେ ଥିବା ପାଠକ ପରିବାରର ଆପାର୍ଟମେଂଟରୁ ମଧ୍ୟ ୩ଟି ଦାମୀ ମର୍ସିଡିଜ୍ କାର୍ ମିଳିଛି । ସେଥିରୁ ଦୁଇଟି ଭଡାରେ ନିଆଯାଇଥିବା ବେଳେ ଗୋଟିଏ ନିଜର । ଭିଜିଲ୍ାନ୍ସ ଟିମ୍ ଖୋଳତାଡ କରି ୨ଟି ଭଡା କାର ବାବଦରେ ସଂପୃକ୍ତ ଟ୍ରାଭେଲ୍ ଏଜେନ୍ସିକୁ ଭଡା ବାବଦରେ ୨୫ ଲକ୍ଷ ଟଙ୍କା ପୈଠ କରାଯାଇଥିବା ଜାଣିବାକୁ ପାଇଛନ୍ତି ।
ଭିଜିଲାନ୍ସ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ ବାପ, ପୁଅ ଅତ୍ୟନ୍ତ ରଂଗୀନ ଜୀବନଯାପନ କରୁଥିଲେ । ପଂଚ ତାରକା ହୋଟେଲରେ ରହିବା, ବିଦେଶ ବୁଲିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ଅଭୟ ପାଠକ ସପରିବାର ମାଲେସିଆ, ହଂକଂ, ବ୍ରିଟେନ୍, ୟୁଏଇ ଓ ମାଳଦ୍ୱୀପ ଯାଇ ବୁଲାବୁଲି କରିଥିବା ବେଳେ ଚାଟର୍ଡ ବିମାନରେ ଭୁବନେଶ୍ୱରରୁ ପୁଣେ, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ଯାଇଥିବା ଏବଂ ଏବାବଦରେ ୩ କୋଟି ଟଙ୍କା ଖର୍ଚ୍ଚର ବିଲ୍ ଭିଜିଲାନ୍ସ ବିଭାଗ ପାଇଥିବା ଜଣାପଡିଛି । ସବୁ ବିଲ୍ ମିଳିଲେ ଏହି ପରିମାଣ ଆହୁରି ଅଧିକ ହେବ । ପାଠକ ଡ଼ିସେମ୍ବର ୧୧ ତାରିଖରେ ପୁଅ ଆକାଶର ବାହାଘର କରୁଥିବାରୁ ଏଥି ସକାଶେ ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ ବୁକିଂ କରିଛନ୍ତି । ଏବାବଦରେ ଖର୍ଚ୍ଚ ପାଖାପାଖି ୫ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି । ହୋଟେଲ ବୁକିଂ ଆଡଭାନ୍ସ ବାବଦରେ ୨୦ ଲକ୍ଷ ଟଙ୍କା ଦିଆଯାଇ ଥିବାର ଏକ ବିଲ୍ ଭିଜିଲାନ୍ସ୍ ଟିମ୍ ହାତରେ ଲାଗିଛି । ପାଠକ ପରିବାର ପୁଣେର ୱାଟର୍ ଆପାର୍ଟମେଂଟ୍ ଓ ଗଡ୍ ବ୍ଲେସିଂ ଆପାର୍ଟମେଂଟରେ ଦୁଇଟି ଫ୍ଲାଟ୍ ଭଡାରେ ରଖି ଭଡା ବାବଦରେ ଏବେ ସୁଦ୍ଧା କୋଟିଏ ଟଙ୍କା ଦେଇଥିବା ଭିଜିଲାନ୍ସ ଠାବ କରିଛି । ଠକେଇ ରାସ୍ତାରେ ପାଦ ଦେଇଥିବା ଆକାଶ ପାଠକ ପୁଣେରେ ଏକ ଅଫିସ ଖୋଲି ସେ ବାବଦରେ ଲକ୍ଷାଧିକ ଟଙ୍କା ଭଡା ଦେଇଛି । ସେହି ଅଫିସ୍ ରେ ଅତି ଉଚ୍ଚ ଦରମାରେ ଜଷର ମ୍ୟାନେଜରଙ୍କୁ ମଧ୍ୟ ନିଯୁକ୍ତି ଦେଇଛି । ପୁଣେ ସାମନ୍ତ ନଗର ଅଂଚଳରେ ରହୁଥିବା ଏହି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଜଢାଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।
ପୁନେର ମୁଲସି ଭୂଗାଓଁରେ ପାଠକ ପରିବାର ଏକ ବିରାଟ ଫାର୍ମ ହାଉସ୍ ଠାବ କରାଯାଇଛି । ବାପ, ପୁଅ ସେଠାକ ଯାଇ ଅୟସ୍ କରିଥା’ନ୍ତି । ଜୁହୁ ବିଚ୍ ନିକଟରେ ସେମାନେ ଏକ ଘର ନେବା ଯୋଜନାରେ ଥିଲେ ବୋଲି ଜବତ ହୋଇଥିବା ନଥିପତ୍ରରୁ ଭିଜିଲାନ୍ସ ବିଭାଗ ଅନୁମାନ କରୁଛନ୍ତି । ୨୬ ତାରିଖ ସକାଳେ ଚଢାଉ ଆରମ୍ଭରେ ଅଭୟ କାନ୍ତଙ୍କ ଭୁବନେଶ୍ୱର ବିପୁଲ ଗାର୍ଡେନ୍ ସ୍ଥିତ ଫ୍ଲାଟରୁ ଭିଜିଲାନ୍ସ ଅଧିକାରୀମାନେ ନଗଦ ୫୦ ଲକ୍ଷ ଟଙ୍କା ଓ ୟୁନିଟ-୯ ସରକାରୀ ବାସଭବନରୁ ନଗଦ ୫ ଲକ୍ଷ ଟଙ୍କା ଜବତ କରିଥିଲେ । ପିପିଲିରେ ଥିବା ଅଭୟଙ୍କ କାର୍ ଡ୍ରାଇଭର ଘରୁ ୨୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା । ବିପୁଲ ଗାର୍ଡେନ୍ ଘରେ ପୁତୁରା ହର୍ଷ ରୁହେ । ସିଆରପି ଛକରେ ଥିବା ହର୍ଷର କ୍ଲିନିକରେ ମଧ୍ୟ ଗତକାଲି ଚଢାଉ ହୋଇଥିଲା । ଅଭୟଙ୍କ ସରକାରୀ ବାସଭବନରୁ ଏକ ଏୟାର ଗନ୍ ମଧ୍ୟ ଜବତ ହୋଇଛି । ଭିଜିଲାନ୍ସ୍ ଟିମ୍ ୨୬ ତାରିଖ ସନ୍ଧ୍ୟାରେ ପୁନେ କୋରେଗାଓଁରେ ଥିବା ଅଭୟ-ଆକାଶ ପାଠକଙ୍କ ଫାର୍ମ ହାଉସରେ ଚଢାଉ ସାରି ବିମାନରେ ମୁମ୍ବାଇରୁ ଭୁବନେଶ୍ୱର ଫେରିଛନ୍ତି । ୧୦ ଜଣିଆ ଟିମ୍ ଆକାଶ ପାଠକଙ୍କୁ ସାଂଗରେ ଆଣି ଏଠାର ଜେରା କରୁଛନ୍ତି । ଟାଟା ମୋଟର୍ସ ମାମଲାରେ କ୍ରାଇମ୍ ବ୍ରାଂଚ ମଧ୍ୟ ତାଙ୍କୁ ଜେରା କରିବା ଆଶା କରାଯାଉଛି । ଅଭୟ ପାଠକ ଗତକାଲି ଗିରଫ ହୋଇଥିବା ବେଳେ ଆକାଶ ପାଠକ ମଧ୍ୟ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।
ରାଜ୍ୟ ପୁଲିସ ଆଜି ଯାହା କରିଛନ୍ତି ତାହା ବହୁ ଆଗରୁ ହେବାର ଥିଲା । କିନ୍ତୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଆଖି ବୁଜି ବସି ଥିଲେ କାହିଁକି (?) ବୋଲି ପ୍ରଶ୍ନ ହେଉଛି । କେନ୍ଦ୍ର ସରକାର ଏପିସିସିଏଫ୍ ଅଭୟ ପାଠକଙ୍କ ସଂପର୍କରେ ରାଜ୍ୟ ସରକାରଙ୍କୁ ଆଲର୍ଟ କରିବାରୁ ହିଁ ଭିଜିଲାନ୍ସ ଚଢାଉ ସମ୍ଭବ ହେଲା । ନହେଲେ କଣ ରାଜ୍ୟ ସରକାର ପାଠକ ପରିବାରକୁ ହାତ ମାରିବାକୁ ସାହସ କରିଥା’ନ୍ତେ କି (?) – ଦୁଇ ଦିନ ହେଲା ସାମାଜିକ ଗଣମାଧ୍ୟମରେ ଏଭଳି ପ୍ରଶ୍ନ ହେଲାଣି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମାଲିକ । ତାଙ୍କ ସହଯୋଗୀ ଭାବେ ଜଣେ ଗୃହ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଅଛନ୍ତି । ଯାହା ଚାଲିଥିଲା ତାହା ସରକାରଙ୍କ ଲାପରବାହୀ କୁହାଯିବ ନା ଜାଣି-ସିଆଣିଆ ପଣ କୁହାଯିବ – ତାହାର ଉତ୍ତର କେବଳ ମୁଖ୍ୟମନ୍ତ୍ରୀ ଦେଇ ପାରିବେ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS