ଜିରୋ ଟଲରେନ୍ସରୁ ଅଭୟ ପାଠକଙ୍କ ବିଳାସ ସାମ୍ରାଜ୍ୟ ପର୍ଯ୍ୟନ୍ତ…
ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୨୬
୨୦୦୦ ମସିହାରୁ ଲଗାତର ୨୧ ବର୍ଷ ହେଲା ରାଜ୍ୟରେ ବିଜୁ ଜନତା ଦଳ (ବିଜେଡ଼ି) ସରକାର ଚାଲିଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ଦୁର୍ନୀତି କଥା ଉଠିଲେ ‘ଜିରୋ ଟଲରେନ୍ସ’ କଥା କୁହାଯାଉଛି । ରାଜ୍ୟରେ ଭିଜିଲାନ୍ସ ବିଭାଗ ମଧ୍ୟ ସକ୍ରୀୟ । ସରକାରୀ ବାବୁଙ୍କ ଉପରେ ଛୋଟ, ବଡ଼ ଚଢାଉ ହେଉଛି । ଆୟ ବହିର୍ଭୁତ ସଂପତ୍ତି ଠାବ ଓ ଜବତ ହେଉଛି । ତଥାପି ସରକାରୀ ବାବୁମାନେ ବେଖୋପ୍ । ରାଜ୍ୟ ସରକାର ଶାସନକୁ ସ୍ୱଚ୍ଛ ରଖିବା ପାଇଁ ୫-ଟି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତମ ଜଣେ ଆଇଏଏସ୍ ଅଧିକାରୀ ୫-ଟି ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଏହି ଅଧିକାରୀ ଜଣକ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ଯୋଜନାର କାର୍ଯ୍ୟକାରୀତାକୁ ସମୀକ୍ଷା କରୁଛନ୍ତି ଏବଂ ଆବଶ୍ୟକ ସ୍ଥଳରେ (ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅଣଦେଖା କରି) ନିଷ୍ପତ୍ତି ମଧ୍ୟ ନେଉଛନ୍ତି । ଏହି ସ୍ଥିତିରେ ସରକାର ଓ ସରକାରୀ କଳଠାରୁ ଅଧିକ ସ୍ୱଚ୍ଛତା ଆଶା କରିବା କଥା । କିନ୍ତୁ, ସରକାର ଡାଳେ ଡାଳେ ଯାଉଥିବା ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ପତ୍ରେ ପତ୍ରେ ଯାଉଥିବା ରାଜ୍ୟ ବନ ବିଭାଗ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିର ସାମ୍ରାଜ୍ୟକୁ ଦେଖିଲେ ଅନୁଭବ କରି ହେଉଛି ।
ପାଠକ ହେଉଛନ୍ତି ୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ । ସେ ଗଂଜାମ ଜିଲ୍ଲାରେ ବନ ବିଭାଗ ଡ଼ିଏଫଓ ଭାବେ କାର୍ଯ୍ୟ କରୁଥିବା ସମୟରୁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ସମୟକ୍ରମେ ସେ ପାହାଚ ପାହାଚ ଚଢି ରାଜ୍ୟ ବନ ବିଭାଗର ଅତିରିକ୍ତ ପିସିସିଏଫ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି । ରାଜ୍ୟରେ ବନୀକରଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିଛି । ଚାରା ଦୁର୍ନୀତି ଭଳି ଅଭିଯୋଗର ସାମନା କରି ଆସୁଥିବା ଜଣେ ବନ ବିଭାଗ ବରିଷ୍ଠ ଅଧିକାରୀ ରାଜ୍ୟ ବନ ବିଭାଗର ବନୀକରଣର ଦାୟିତ୍ୱ ତୁଲାଇବା ଏବଂ ତାଙ୍କ କାର୍ଯ୍ୟକଳାପ ପ୍ରତି ସରକାରଙ୍କ ତଳୁ ଉପରେ ପର୍ଯ୍ୟନ୍ତ ସମସ୍ତେ ଆଖି ବୁଜି ଦେବା ପଛରେ ସ୍ୱଚ୍ଛତାର ସ୍ଥାନ କେଉଁଠି ରହିଛି, ତାହା ଆଜି ବଡ ପ୍ରଶ୍ନ ହୋଇଛି । ଦାୟିତ୍ୱ ବଢିବା ସହ ବଢିବା ପାଠକଙ୍କ ଦୁର୍ନୀତିର ସାମ୍ରାଜ୍ୟ ବହୁଗୁଣ ବଢିଥିବା ବର୍ତମାନ ଚାଲିଥିବା ଭିଜିଲାନ୍ସ ଚଢାଉରୁ ସ୍ପଷ୍ଟ ହେଉଛି । ରାଜ୍ୟ ସରକାର ନିଜ ଇଚ୍ଛାରେ ଏହି ଚଢାଉ କରି ନାହାନ୍ତି । କରୋନା ଜନିତ ତାଲାବନ୍ଦ ସମୟରେ ପାଠକ ସପରିବାର ୨୦ରୁ ଅଧିକ ଥର ଘରୋଇ ବିମାନ ଭଡାରେ ନେଇ (ଚାଟର୍ଡ ବିମାନ)ରେ ଦେଶର ବିଭିନ୍ନ ଅଂଚଳ ଓ ବିଦେଶ ଗସ୍ତ କରିବା ଦେଖି କେନ୍ଦ୍ର ସରକାର ସନ୍ଦେହ ପ୍ରକଟ କରିବାରୁ ଏବଂ ତାହା ରାଜ୍ୟ ସରକାରଙ୍କୁ ଜଣାଇବାରୁ ରାଜ୍ୟ ସରକାରଙ୍କ ଆଡୁ ଭିଜିଲାନ୍ସ ତଦନ୍ତ ହେବା ସହ ଏହି ଚଢାଉ ହୋଇଥିବା ସୂଚନା ମିଳିଛି ।
ମଂଗଳବାରରୁ ଚାଲି ଥିବା ଚଢାଉରୁ ପାଠକଙ୍କ ଆୟ ବହିର୍ଭୁତ ସଂପତ୍ତିକୁ ନେଇ ଭିଜିଲାନ୍ସ ବିଭାଗର ଆକଳନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କଲା ଭଳି ହେବାକୁ ଯାଉଥିବା ଆଶା କରାଯାଉଛି । ଓଡ଼ିଶାରେ ଭିଜିଲାନ୍ସ ବିଭାଗର ଏହା ସବୁଠାରୁ ବଡ ଚଢାଉ ବୋଲି ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଚାଲିଥିବା ଚଢାଉରୁ ମିଳିଥିବା ତଥ୍ୟ ଅନୁସାରେ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ ଏତେ ପରିମାଣର (ଆୟ ବହିର୍ଭୁତ?) ସଂପତ୍ତିର ଅଧିକାରୀ ଯେ ସେ କୌଣସି ରାଜା ମହାରାଜାଙ୍କ ଠାରୁ କମ୍ ନୁହନ୍ତି । ତାଙ୍କ ରାଜକୀୟ ଜୀବନଯାପନରୁ ତାହା ସ୍ପଷ୍ଟ ହେଉଛି । ୫-ଟି ଶାସନର ନାକ ତଳେ ରାଜ୍ୟର ଜଣେ ବରିଷ୍ଠ ବନ ବିଭାଗ ଅଧିକାରୀ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଅର୍ଜନ କରିବା ଏବଂ ରାଜ୍ୟ ଭିତରେ ଏବଂ ବାହାରେ ନିଜର ବିରାଟ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପଛରେ ଯେ ସରକାରୀ ପ୍ରୋତ୍ସାହନ ନାହିଁ (!), ଏହା କହିବା ମୁର୍ଖାମୀ ହେବ । କେନ୍ଦ୍ର ସରକାରଙ୍କ ପାଠକଙ୍କ ଭଳି ଜଣେ ରାଜ୍ୟ ସରକାରଙ୍କ ଅଧିକାରୀ ବାରମ୍ବାର ଚାଟର୍ଡ ବିମାନ ବ୍ୟବହାରକୁ ଦେଶ, ବିଦେଶ ବୁଲୁଥିବା ଦେଖି ସନ୍ଦେହ ପ୍ରକାଶ କରିବା ଓ ରାଜ୍ୟ ସରକାରଙ୍କୁ ତାହା ଅବଗତ କରାଇବା ପରେ ହିଁ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ ଦିଗରେ ପଦକ୍ଷେପ ନେଇଛନ୍ତି । ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ପାଠକଙ୍କ ଯେଉଁ ବିଳାସିତ ସାମ୍ରାଜ୍ୟକୁ ଦେଖୁଛନ୍ତି ତାହା ସେମାନଙ୍କୁ ଆବାକାବା କରିଛି । ବିଭାଗୀୟ ମନ୍ତ୍ରୀ ଏବଂ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଅଗୋଚରରେ କଣ ପାଠକ ଏତେ ବଡ ସାମ୍ରାଜ୍ୟ ସୃଷ୍ଟି କରିପାରିଛନ୍ତି ? ଏହି ପ୍ରଶ୍ନ ରାଜ୍ୟ ସରକାରଙ୍କ ‘ଜିରୋ ଟଲରାନ୍ସ’ ଓ ୫-ଟି ଶାସନକୁ ପରିହାସ କଲା ଭଳି ହୋଇଛି ।
ପାଠକଙ୍କ ସଂପତ୍ତିର ଚେର ଓଡ଼ିଶା, ମହାରାଷ୍ଟ୍ର ଓ ବିହାରକୁ ବ୍ୟାପିଥିବା ତଦନ୍ତରୁ ଜଣାପଡିଥିଲେ ମଧ୍ୟ ତଦନ୍ତ ଚାଲୁ ରହି ଥିବାରୁ ଆହୁରି ଅଧିକ ସଂପତ୍ତି ଭୂମି ତଳୁ ବାହାରିବା ଆଶା କରାଯାଉଛି । ବର୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ପୁନେରେ ପାଠକ ପରିବାର ୫ ଲକ୍ଷ ଟଙ୍କା ଲେଖାଏଁ ଭଡାରେ ଗୋଟିଏ ଫାର୍ମ ହାଉସ୍ ଓ ଗୋଟିଏ ଫ୍ଲାଟ ଭଡାରେ ରଖିଛନ୍ତି । ସେଠାରେ ପାଠକଙ୍କ ବି.ଟେକ୍ ପୁଅ ଆକାଶ ବ୍ୟବସାୟ କରୁଛି । ଭୁବନେଶ୍ୱର ଘାଟିକିଆ ଅଂଚଳରେ ପାଠକଙ୍କ ସଂପର୍କୀୟଙ୍କ ନାମରେ ଏକ ଆଲିସାନ୍ ଫ୍ଲାଟ୍ ରହିଛି । ସେଠାରେ ତାଙ୍କ ଡେଂଟିଷ୍ଟ ପୁତୁରା ରହୁଛନ୍ତି । ସେହି ଘରୁ ଭିଜିଲାନ୍ସ ଅଧିକାରୀମାନେ ନଗଦ ୫୦ ଲକ୍ଷ ଟଙ୍କା ଜବତ କରିଛନ୍ତି । ସେହି ଆଲିସାନ୍ ଫ୍ଲାଟ୍ ୮୦୦୦ ବର୍ଗ ଫୁଟ ଅଂଚଳରେ ନିର୍ମିତ । ଘରର ଗାଡି ପାର୍କିଂରେ ମର୍ସିଡିଜ୍, ବିଏମଡ଼ବ୍ଲୁ, ହାରିଅର୍ ଭଳି ଦାମୀ କାର୍ ଥିବା ଦେଖିବାକୁ ମିଳିଥିଲା ବୋଲି ଭିଜିଲାନ୍ସ ବିଭାଗ କହିଛି । ଓଡ଼ିଶାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ରାଜ୍ୟ ସରକାର ମାର୍ଚ୍ଚ ୨୨ରେ ରାଜ୍ୟରେ ଏବଂ କେନ୍ଦ୍ର ସରକାର ମାର୍ଚ୍ଚ ୨୪ରୁ ଦେଶବ୍ୟାପୀ ତାଲାବନ୍ଦ୍ ବା ଲକ୍ ଡାଉନ୍ ଜାରି କରିଥିଲେ । ଏହି କଟକଣା ଓ ତାଲାବନ୍ଦ୍ ଫଳରେ ସାଧାରଣ ଜନତାର ଅର୍ଥନୈତିକ ସ୍ଥିତି ଓ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଆଇଏଫଏସ୍ ପାଠକଙ୍କ ବିଳାସ ଭିଜିଲାନ୍ସ ବିଭାଗକୁ ମୁହଁ ଆଁ କରି ରଖିବାକୁ ମାଧ୍ୟ କରିଛି । ଏହି ସମୟରେ ପାଠକ ଅନ୍ୟୁନ ୨୦ ଥର ଚାଟର୍ଡ ବିମାନରେ (ବ୍ୟକ୍ତିଗତ କାର୍ଯ୍ୟରେ ଭଡାରେ ନେଇଥିବା ବିମାନ) ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶ ଭ୍ରମଣରେ ଯାଇଥିବା ଏବଂ ସାଥିରେ ନିଜର ଚଢା ଦରମାରେ ନିଯୁକ୍ତ ଏକାଧିକ ଦେହରକ୍ଷୀଙ୍କୁ ନେଇଥିବା ଭିଜିଲାନ୍ସ ବିଭାଗ ଜାଣିପାରିଛନ୍ତି ।
ଆଇଏଫଏସ୍ ଅଭୟକାନ୍ତ ପାଠକ ରାଜ୍ୟରେ ବନୀକରଣ ଯୋଜନା ଦାୟିତ୍ୱରେ ଥିଲେ । ଜଂଗଲ ସୃଷ୍ଟି ତାଙ୍କ ଦାୟିତ୍ୱ ଥିଲା । ତେବେ, ସେ ରାଜ୍ୟ ପାଇଁ ନୁହେଁ, ନିଜ ପାଇଁ ଅର୍ଥର ଜଂଗଲ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି । ମଂଗଳବାରରୁ ଭିଜିଲାନ୍ସ ବିଭାଗର ୧୨ଟି ସ୍ଥାନରେ ଚଢାଉ ଚାଲିଛି । ଯେଉଁ ପରିମାଣର ସଂପତ୍ତି ଆଖି ଆଗକୁ ଆସିଲାଣି ତାହା ଚକିତ କଲା ଭଳି ଏବଂ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏଭଳି ଚଢାଉ ପ୍ରଥମ ବୋଲି ଭିଜିଲାନ୍ସ ଅଧିକାରୀମାନେ କହୁଛନ୍ତି । ଚଢାଉ ଜାରି ଥିବାରୁ ମୋଟ ଆୟବହିର୍ଭୁତ ସଂପତ୍ତିର ଆକଳନ ସରି ନାହିଁ । ତଥାପି, ତାହାର ପରିମାଣ ଆଖି ଖୋସି ଦେଲା ଭଳି ହେବ ବୋଲି ସେମାନେ ଅନୁମାନ କରୁଛନ୍ତି । ମଂଗଳବାର ସକାଳେ ଭିଜିଲାନ୍ସ ଟିମ୍ ପକ୍ଷରୁ ଭୁବନେଶ୍ୱର ୟୁନିଟ-୯ ସ୍ଥିତ ଏପିସିସିଏଫ୍ ପାଠକଙ୍କ ସରକାରୀ ବାସଭବନ, ଖଣ୍ଡଗିରି ନିକଟ ଘାଟିକିଆସ୍ଥିତ ବିପୁଲ୍ ଗାର୍ଡେନରେ ଥିବା ୮ ହଜାର ବର୍ଗଫୁଟର ଆଲିସାନ୍ ଫ୍ଲାଟ୍, ପିପିଲିରେ ଥିବା ପାଠକଙ୍କ ଡ୍ରାଇଭର ଘର, ବିହାର ଖଗରିଆରେ ଥିବା ତାଙ୍କ ପୈତୃକ ଘର, ପୁନେ କୋରେଗାଓଁରେ ସେ ନେଇ ଥିବା ଭଡା ଫ୍ଲାଟ୍ ଓ ଫାର୍ମ ହାଉସ୍ ଏବଂ ପୁଅ ବହାଘର ଭୋଜି ପାଇଁ ନିଆଯାଇ ଥିବା ରାଜସ୍ଥାନ ଉଦୟପୁର ପ୍ରାସାଦରେ ଏକା ସମୟରେ ଚଢାଉ ହୋଇଥିଲା । ବିପୁଳ ଗାର୍ଡେନରେ ଥିବା ଫ୍ଲାଟରୁ ନଗଦ ୫୦ ଲକ୍ଷ ଟଙ୍କା ଓ ଅଭୟକାନ୍ତଙ୍କ ସରକାରୀ ବାସଭବନରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଛି । ପୁଣେର କୋରେଗାଓଁରେ ଭଡାରେ ରଖା ଯାଇଥିବା ଫ୍ଲାଟ୍ ଓ ଫାର୍ମ ହାଉସ୍ ର ଦେଖାଶୁଣା କରୁଛନ୍ତି ପୁଅ ଆକାଶ । ଭୁବନେଶ୍ୱର ବିବେକାନନ୍ଦ ମାର୍ଗରେ ପାଠକଙ୍କ ଏକ ଥି୍ର-ବେଡରୁମ୍ ଫ୍ଲାଟ୍ ରହିଛି, ଯାହାକି ଭଡାରେ ଲାଗିଛି । ଘାଟିକିଆ ବିପୁଲ୍ ଗାର୍ଡେନରେ ଥିବା ଫ୍ଲାଟରେ ବର୍ଗଫୁଟ ୧୦୦୦ ଟଙ୍କାର ଦାମୀ ଟାଇଲ୍ ଲାଗିଛି ଏବଂ ପଂଚ ତାରକା ହେଟେଲ ଭଳି ଘରର ସାଜସଜ୍ଜା ହୋଇଛି । ସାଗୁଆନ, ଶାଳ, ପିଆଶାଳ ଭଳି ଦାମିକା କାଠରେ ଆଭ୍ୟନ୍ତରୀଣ ସାଜସଜ୍ଜା ହୋଇଥିବା ଜଣାପଡିଛି ।
ବିହାରରେ ଥିବା ପାଠକଙ୍କ ପୈତୃକ କୋଠା, ଏକାଧିକ ଲକର୍ , ବ୍ୟାଙ୍କ ଆକାଉଂଟ୍, ବୀମା ପଲିସି ମଧ୍ୟ ଯାଂଚ ପରିସରକୁ ଆସିଛି । ଠାବ ହୋଇଥିବା ସଂପତ୍ତିର ତାଲିକା ଲମ୍ବା ହୋଇ ଚାଲଛି । ହିସାବପତ୍ର ପାଇଁ ଯାଂଚ ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗ ଚାର୍ଟର୍ଡ ଆକାଉଂଟାଂଟ ଓ ଅର୍ଥ ବିଶେଷଜ୍ଞଙ୍କ ସହାୟତା ନେବାକୁ ବାଧ୍ୟ ହୋଇଛନ୍ତି । ପାଠକ ଚାଟର୍ଡ ବିମାନରେ ଆମେରିକା, ଇଟାଲି, ଫ୍ରାନ୍ସ, ଅଷ୍ଟ୍ରେଲିଆ ପ୍ରଭୃତି ରାଷ୍ଟ୍ର ମଧ୍ୟ ବୁଲିଥିବା ଭିଜିଲାନ୍ସ ବିଭାଗ ପ୍ରମାଣ ପାଇଛି । ପାଠକ ଲକ୍ ଡାଉନ୍ ସମୟରେ ସପରିବାର ଚାଟର୍ଡ ବିମାନରେ ପୁଣେ, ପାଟନା, ଦିଲ୍ଲୀ, ମୁମ୍ବାଇ, ରାଜସ୍ଥାନ, ବେଂଗାଲୁରୁ ଭଳି ସହରକୁ ୨୦ ଥର ଯାଇଥିଲେ । କଳିଂଗ ଏରୋ ଆଣ୍ଡ୍ ଆଲାଏଡ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡର ଚାର୍ଟର ବିମାନ ଟିକଟ ସବୁ ଭିଜିଲାନ୍ସ ହାତରେ ଲାଗିଛି । ବିମାନ ଭଡା ବାବଦରେ ୧୨ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ ହୋଇଛି । ବିଦେଶ ଗସ୍ତରେ ମଧ୍ୟ ବିପୁଳ ଅର୍ଥ ବ୍ୟୟ ହୋଇଥିବା ଭିଜିଲାନ୍ସ୍ ବିଭାଗ କହୁଛି । ପିପିଲିରେ ଥିବା ପାଠକଙ୍କ ଡ଼୍ରାଇଭର ଘରୁ ଭିଜିଲାନ୍ସ ବିଭାଗ ନଗଦ ୨୦ ଲକ୍ଷ ଟଙ୍କା ଜବତ କରିଛି । ଏହା ପାଠକଙ୍କ କଳାଧନ ବୋଲି କୁହାଯାଉଛି । ପାଠକଙ୍କ ପୁଅ ଆକାଶ ଭୁନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ବି.ଟେକ୍ କରିଛନ୍ତି । ତାଙ୍କ ବିରୋଧରେ ମଧ୍ୟ ଠକେଇ ଅଭିଯୋଗ ରହିଥିବା ଏବଂ ସେ ନିଜକୁ ଟାଟା ମୋଟର୍ସର ଏମ.ଡ଼ି କହି ଚାକିରି ଦେବା ନାଁରେ ଅନେକଙ୍କୁ ଠକିଥିବା କୁହାଯାଉଛି । ବିଜେଡ଼ିର ଜଣେ ବରିଷ୍ଠ ବିଧାୟକଙ୍କ ଝିଅକୁ ଆକାଶ ବିବାହ କରିବାକୁ ଥିବାରୁ ରାଜସ୍ଥାନର ଉଦୟପୁର ପ୍ୟାଲେସକୁ ଭଡାରେ ନିଆଯାଇଛି । ସେଠାରେ ବିବାହ ଭୋଜି ଆୟୋଜନ ଚାଲିଥିବା ବେଳେ ଭିଜିଲାନ୍ସ ଚଢାଉ ହୋଇଛି ।
ପାଠକ ଉଦୟପୁର ଯିବାକୁ ଥିବା ବରଯାତ୍ରୀଙ୍କ ପାଇଁ ଚାଟର୍ଡ ବିମାନ ବ୍ୟବସ୍ଥା କରିଛନ୍ତି । ଯେଉଁମାନେ ଉଦୟପୁର ଯାଇ ପାରିବେ ନାହିଁ ସେମାନଙ୍କ ପାଇଁ ଭୁବନେଶ୍ୱରରେ ଏକ ଭବ୍ୟ ଭୋଜିର ଆୟୋଜନ ହୋଇଥିଲା । ଏତେସବୁ ବିଳାସବ୍ୟସନ ଚାଲି ଥିବା ବେଳେ ‘ଜିରୋ ଟଲରେନ୍ସ’ କଥା କହୁଥିବା ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ କେମିତି କିଛି ଜାଣି ନ ଥିଲେ ? କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଆଖି ଖୋଲି ନ ଥିଲେ ବୋଧହୁଏ ପାଠକ ଆହୁରି ଅନେକ କିଛି କରିଥା’ନ୍ତେ । ଶାସକ ଦଳର ଜଣେ ବରିଷ୍ଠ ବିଧାୟକ (ପୂର୍ବତନ ମନ୍ତ୍ରୀ ?)ଙ୍କ ସହ ପାଠକ ପାରିବାରିକ ସଂପର୍କ ଯୋଡି ସାରି ଥିବା ତାଙ୍କ ପାଇଁ ରକ୍ଷା କବଚ ହୋଇଥିଲା ବୋଲି ଆଲୋଚନା ହେଉଛି । ରାଜ୍ୟ ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ ରହିଛି ବୋଲି ବିରୋଧୀ କହୁଛନ୍ତି ।
ରାଜ୍ୟ ସରକାରଙ୍କ ନିର୍ଦେଶ ପରେ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଅନୁମତିକ୍ରମେ ରଜ୍ୟ ଭିଜିଲାନ୍ସ ବିଭାଗ ଅଭୟ ପାଠକଙ୍କ ଆୟ ବହିର୍ଭୁତ ସଂପତ୍ତିର ଖୋଳତାଡ କରୁଛନ୍ତି । କଟକ ଓ ଭୁବନେଶ୍ୱର ଭିଜିଲାନ୍ସ ସେଲ୍, ଭୁବନେଶ୍ୱର ଭିଜିଲାନ୍ସ ଡ଼ିଭିଜନ, ବାଲେଶ୍ୱର, ସମ୍ବଲପୁର ସମତେ ବିଭିନ୍ନ ଭିଜିଲାନ୍ସ କାର୍ଯ୍ୟାଳୟର ବଛା ବଛା ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠିତ ୧୫୦ ଜଣିଆ ଟିମ୍ ୧୨ଟି ଟିମ୍ରେ ଭାଗ ହୋଇ ଭୁବନେଶ୍ୱରରେ ୫ଟି ସ୍ଥାନରେ, ମହାରାଷ୍ଟ୍ରର ପୁନେ ଓ ମୁମ୍ବାଇର ୬ଟି ସ୍ଥାନରେ ଏବଂ ବିହାରରେ ଚଢାଉ ଜାରି ରଖିଛନ୍ତି । ଚଢାଉର ଫଳାଫଳ ନିଶ୍ଚିତ ଭାବେ ସରକାରଙ୍କ ଆଖି ଖୋଲିବ । ତେବେ, ଅଭୟ ପାଠକଙ୍କୁ ଏହି ବିଳାସ ସାମ୍ରାଜ୍ୟ ଗଢିବାରେ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କ ମୁଖା ଖୋଲିବ ଉପରେ ସରକାର ‘ଜିରୋ ଟଲରାନ୍ସ’ ପ୍ରତି ନିଷ୍ଠା ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS