ନୀତୀଶ କୁମାର ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ, ତାରକିଶୋର-ରେଣୁ ଦେବୀ ଉପ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ
ନଭେମ୍ବର,୧୬
ଜେଡ଼ିୟୁ ମୁଖ୍ୟ ନୀତୀଶ କୁମାର ଆଜି ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଲଗାତର ଭାବେ ଚତୁର୍ଥ ପାଇଁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି ଅପରାହ୍ନରେ ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିଲା । ନୀତୀଶଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଜଣ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ଶପଥ ନେଇଛନ୍ତି । ବିଜେପିରୁ ୫ ଜଣ ଓ ଜେଡ଼ିୟୁରୁ ୫ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏନଡ଼ିଏ ଅଂଶୀଦାର ଭାବେ ନିର୍ବାଚନ ଲଢି ୪ଟି ଲେଖାଏଁ ବିଧାନସଭା ଆସନରୁ ବିଜୟୀ ହୋଇଥିବା ‘ହାମ୍’ ଓ ଭିଆଇପି ପାର୍ଟିକୁ ଗୋଟିଏ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ମିଳିଛି । ‘ହାମ୍’ରୁ ସନ୍ତୋଷ ମାଂଝୀ ଓ ଭିଆଇପି ପାର୍ଟିରୁ ମୁକେଶ ସାହାଣୀଙ୍କୁ ମନ୍ତ୍ରୀ ପଦ ମିଳିଛି । ଆଜି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଜେପିର ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ଅଭିଜ୍ଞ ବିଧାୟକ । ତାରକିଶୋର ବିହାର କଟିହାରରୁ ଚାରି ଥର ବିଧାୟକ ଭାବେ ନିର୍ବାଚତ ହୋଇଥିବା ବେଳେ ଓବିସି ବୈଶ୍ୟ ସମାଜରୁ ପ୍ରତିନିଧିତ୍ୱ କରୁଛନ୍ତି । ସେହିପରି, ରେଣୁ ଦେବୀ ମଧ୍ୟ ଜଣାଶୁଣା ଇବିସି ମହିଳା ମୁହଁ । ସେ ବେଟିଆରୁ ଚାରି ଥର ବିଧାୟକ ହୋଇଛନ୍ତି । ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଗତକାଲି ଏନଡ଼ିଏ ବିଧାୟକ ଦଳର ନେତା ଓ ଉପ ନେତା ଭାବେ ନିର୍ବାଚିତ କରାଯାଇ ସେମାନେ ଉପ ମୁଖ୍ୟମନ୍ତ୍ରୀ ହେଉଥିବା ବିଜେପି ସଂକେତ ଦେଇସାରି ଥିଲା । ଫଳରେ, ୧୯୯୦ରୁ ବିହାର ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ରହି ଆସିଥିବା ଏବଂ ରାଜ୍ୟରେ ବିଜେପି ସଂଗଠନକୁ ଗଢି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଏଥର ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇବାରୁ ବଂଚିତ ହୋଇଛନ୍ତି । ଦଳ ତାଙ୍କୁ ଜାତୀୟ ରାଜନୀତିରେ ସୁଯୋଗ ଦେବାକୁ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରିବାକୁ ଏଭଳି ଏକ ରହସ୍ୟମୟ ନିଷ୍ପତ୍ତି ନେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଆଜିର ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବ୍ୟତୀତ ବିଜେପିର ୫ ଜଣ, ଜେଡ଼ିୟୁର ୫ ଜଣ, ‘ହାମ୍’ରୁ ଜଣେ ଓ ଭିଆଇପି ପାର୍ଟିରୁ ଜଣେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏନଡ଼ିଏର ଅଂଶୀଦାର ଭାବେ ‘ହାମ୍’ ଗତ ବିଧାନସଭା ନିର୍ବାଚନରେ ୪ଟି ଆସନ ପାଇଥିବା ବେଳେ ଭିଆଇପି ପାର୍ଟି ୪ଟି ଆସନ ଜିତିଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡ଼ିଏର ସଂଖ୍ୟା ୧୨୫ ରହିଥିବା ବେଳେ ବିରୋଧୀ ଆଜେଡ଼ି ନେତୃତ୍ୱାଧୀନ ମହାଗଠବନ୍ଧନର ବିଧାୟକ ସଂଖ୍ୟା ୧୧୦ ରହିଛି । ଅନ୍ୟ ୮ ବିଧାୟକଙ୍କ ମଧ୍ୟରୁ ଜଣେ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ହୋଇଥିବା ବେଳେ ଓୱେସୀଙ୍କ ଏଆଇଏମଆଇଏମର ୫ ଜଣ, ବିଏସପିର ଜଣେ ବିଧାୟକ ଅଛନ୍ତି । ଏନଡ଼ିଏର ୧୨୫ ବିଧାୟକଙ୍କ ମଧ୍ୟରେ ବିଜେପିର ୭୪ ଜଣ ଥିବା ସମୟରେ ଜେଡ଼ିୟୁର ୪୩ ଜଣ ରହିଛନ୍ତି । ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନର ୧୧୦ ବିଧାୟକଙ୍କ ମଧ୍ୟରୁ ୭୫ ଜଣ ଆଜେଡ଼ିର ହୋଇଥିବା ବେଳେ କଂଗ୍ରେସର ୧୯ ଜଣ, ସିପିଆଇଏମଏଲର ୧୧ ଜଣ, ସିପିଏମର ୩ ଜଣ ଓ ସିପିଆଇର ୨ ଜଣ ଅଛନ୍ତି । ୨୦୨୦ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ତିନି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହୋଇଥିଲା । ଏନଡ଼ିଏର ନେତୃତ୍ୱ ନେଉ ଥିବା ବିଜେପି ୧୨୫ରୁ ୭୪ ଆସନ ପାଇଥିବା ବେଳେ ମାତ୍ର ୪୩ ଆସନ ପାଇଁ ନୀତୀଶ ପୁନର୍ବାର ବିହାର ମୁଖ୍ୟମନ୍ତ୍ରୀ ହେବା ବିହାର ବିଜେପି ନେତାଙ୍କୁ ଅଡୁଆ ଲାଗୁଛି ସତ, କିନ୍ତୁ ନୀତୀଶଙ୍କୁ ହାତଛଡା କରି କ୍ଷମତା ଆରଜେଡ଼ି ହାତକୁ ଟେକି ଦେବାକୁ ଚାହୁଁ ନ ଥିବାରୁ ବିଜେପି କେନ୍ଦ୍ରୀୟ ନେତାମାନ ନୀତୀଶଙ୍କୁ ସନ୍ତୁଷ୍ଟ ରଖିବା ରଣନୀତିକୁ ଆପଣାଇଛନ୍ତି । ତେବେ, ଆରଜେଡ଼ି କ୍ଷମତାକୁ ଆସିବା ଆଶା ଛାଡିନି । ରବିବାର ଅନୁଷ୍ଠିତ ଏନଡ଼ିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ନେତା ନିର୍ବାଚିତ ହୋଇଥିଲେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଏହି ନେତା ନିର୍ବାଚନ ହୋଇଥିଲା । ଏନଡ଼ିଏ ବିଧାୟକ ଦଳ ନେତା ହେବା ପରେ ନୀତୀଶ ରାଜନେତାଙ୍କ ସହ ରାଜଭବନକୁ ଯାଇ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଥିଲେ । ଆଜି ଅପରାହ୍ନରେ ଶପଥ ଗ୍ରହଣ ଉତ୍ସବ ସରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS