ସାହିନବାଗ୍ ପରେ ସିଂଘୁ – ବିରୋଧୀ ମତକୁ ଚପାଇ ଦେବାର ସୁଚିନ୍ତିତ ଷଡଯନ୍ତ୍ର ଚାଲିଛି ?


ପ୍ରସାଦ ରାଓ
ଭୁବନେଶ୍ୱର
୨୪ ଡ଼ିସେମ୍ବର
କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ ୨୮ ଦିନ ଅତିକ୍ରମ କରିଛି । ଆନ୍ଦୋଳନକାରୀ ଚାଷୀମାନେ ସେମାନଙ୍କ ଏକଦଫା ଦାବୀରେ ଅଟଳ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏକତରଫା ନିଷ୍ପତ୍ତିରେ ଅଟଳ । କେହି ପାଦେ ଆଗକୁ ଆସି ସମାଧାନର ରାସ୍ତା ଖୋଲିବାକୁ ପ୍ରସ୍ତୁତ ନୁହନ୍ତି । ତେଣୁ, ଚାଷୀ ଆନ୍ଦୋଳନକୁ ନେଇ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି । ଦିଲ୍ଲୀର ଥଣ୍ଡା, କାକରରେ ଚାଷୀମାନେ ଶିକୁଡି ଯାଉଥିବା ବେଳେ ଦେଶର କୃଷି ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଶୀତତାପ ନିୟନ୍ତ୍ରୀତ କାର୍ଯ୍ୟାଳୟ ବା ବାସଭବନରେ ବସି ନିଜକୁ ଚାଷୀଙ୍କ ହିତାକାଂକ୍ଷୀ ସାବ୍ୟସ୍ତ କରିବାକୁ ସମାଧାନ ପ୍ରସ୍ତାବ ପଠାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ତଳସ୍ତର ନେତା ପର୍ଯ୍ୟନ୍ତ ସମସ୍ତେ ଆନ୍ଦୋଳନକାରୀଙ୍କୁ ‘ଦେଶ ବିରୋଧୀ’ ସାବ୍ୟସ୍ତ କରିବାକୁ ବ୍ୟଗ୍ର । ଚାଷୀ ନେତାମାନେ ମଧ୍ୟ ସରକାରଙ୍କ ସହ ଏକ ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ ଥିବାରୁ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ନିର୍ବାଚିତ ସରକାର ଓ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଯେଉଁ ବିଶ୍ୱାସର ସଂକଟ ଦେଖା ଦେଇଛି ତାହା ଭାରତୀୟ ଗଣତନ୍ତ୍ରକୁ ବିପଦ ମୁହାଁ କରିଥିବା ଆଲୋଚନା ହେଉଛି ।
କେନ୍ଦ୍ର ସରକାର କରୋନା ମହାମାରୀ ସମୟରେ ତରବରିଆ ଭାବେ ତିନି କୃଷି ଆଇନକୁ ସଂସଦରେ ଗୃହୀତ କରାଇବା ସହ ତାହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି । ଏହି ଆଇନ ବାସ୍ତବରେ ଚାଷୀଙ୍କ ହିତ ସାଧନ କରିବ କି ଏହି ତିନି ଆଇନ ଦ୍ୱାରା ଦେଶର କୃଷି ବ୍ୟବସ୍ଥା କର୍ପୋରେଟ୍ ନିୟନ୍ତ୍ରଣକୁ ଚାଲି ଯିବ, ସେ ନେଇ ଏବେ ବିଭିନ୍ନ ସ୍ତରରେ ତର୍ଜମା ଚାଲିଛି । ସରକାରୀ ସମର୍ଥିତ ଗଣମାଧ୍ୟମ (ପ୍ରକାରାନ୍ତରେ ଗୋଦୀ ମିଡ଼ିଆ ଭାବେ ପରିଚିତ) ଏବଂ ବିରୋଧୀ (ସରକାରଙ୍କ ଏକଚାଟିଆ ନୀତିର ବିରୋଧୀ) ଗଣମାଧ୍ୟମ ମଧ୍ୟରେ ସରକାରଙ୍କ ଏହି ନୂଆ ଆଇନକୁ ନେଇ ବିତର୍କ ମଧ୍ୟ ଚାଲିଛି । ନିଜ ନିଜ ମତକୁ ସାବ୍ୟସ୍ତ କରିବା ପାଇଁ ସେମାନେ ସେମାନଙ୍କୁ ସୁହାଇଲା ଭଳି ବିଶେଷଜ୍ଞ ମାନଙ୍କୁ ଆଣି ଷ୍ଟୁଡିଓରେ ବସାଉଛନ୍ତି ଓ ଯୋରଦାର ବତର୍କ କରାଉଛନ୍ତି । ଏସବୁ ବିତର୍କ ଶୁଣିଲେ ସାମ୍ବାଦିକତାରେ ଆଉ ନିରପେକ୍ଷତା ଭଳି କିଛି ନ ଥିବା ଅନୁଭବ କରି ହେଉଛି । ଏହାସତ୍ତ୍ୱେ ସପକ୍ଷ ଓ ବିରୋଧୀ ମତ ଶୁଣି ଦର୍ଶକ ନିଜର ଏକ ମତ ପ୍ରସ୍ତୁତ କରିବାକୁ ବାଧ୍ୟ ହେଉଛି । ତାହା ମଧ୍ୟ ସଂପୂର୍ଣ୍ଣ ଭାବେ ଠିକ୍ ବୋଲି କହି ହେବ ନାହିଁ ।
ଆଜିର ଦିନରେ ବିଶ୍ୱାସର ଏକ ସଂକଟ ଧୀରେ ଧୀରେ କାୟାବାସ୍ତାର କରୁଥିବା ଆମେ ଅନୁଭବ କରୁଛୁ । ଦେଶରେ ୨୦୧୪ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା କହିବା ଭୁଲ ହେବ । ସେତେବେଳେ ମଧ୍ୟ ବିଭିନ୍ନ କାରଣରୁ ସରକାର ଜନତାର ବିଶ୍ୱାସ ହରାଇ ଥିଲେ । ଏକଛତ୍ର ଶାସନ, ଅସ୍ଥିରତା ଓ ଦୁର୍ନୀତିଖୋର ଆଜରଣ ଯୋଗୁ ବହୁ ଦଳୀୟ ସରକାର ଜନସାଧାରଣରେ ନିନ୍ଦିତ ଥିଲା । ଏଭଳି ଏକ ସରକାର ଠାରୁ ମୁକ୍ତି ଚାହୁଁ ଥିବା ଦେଶବାସୀ ଉଚିତ ବିକଳ୍ପର ସନ୍ଧାନରେ ଥିଲେ । ଏକ ଦୁର୍ନୀତି-ମୁକ୍ତ ଓ ବିକାଶମୁଖୀ ବିକଳ୍ପ ସରକାରର ଲୋଭ ଦେଖାଇ ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସାମ୍ନାକୁ ଆସିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ ବିପୁଳ ଜନମତ ପାଇ ଦେଶକୁ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଭେଟି ଦେଇଥିଲେ । ତେବେ, ୨୦୧୪ରେ ଏନଡ଼ିଏ ସରକାର ପ୍ରତିଷ୍ଠା ସମୟରେ ଦେଶବାସୀଙ୍କ ମନରେ ଯେଉଁ ଆଶା ଓ ଉତ୍ସାହ ଥିଲା, ତାହା ଆଜି ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ଦୁଇ ପର୍ଯ୍ୟାୟରେ ଗଲା ଛଅ ବର୍ଷରୁ ଅଧିକ ସମୟ ହେଲା ଦେଶକୁ ଶାସନ କରୁଛନ୍ତି । ତେବେ, ‘ବିକାଶ’ ନାମକ ଚଢେଇକୁ ଏପର୍ଯ୍ୟନ୍ତ କେହି ଦେଖିବାକୁ ପାଉ ନାହାନ୍ତି ବା ଏପର୍ଯ୍ୟନ୍ତ ତାହା କାହା ହାତକୁ ଆସି ନାହିଁ ।
ତଥାପି, ଦେଶବାସୀ ମୋଦୀଙ୍କ ପ୍ରତି ଆସ୍ଥା ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ସରକାରରେ (୨୦୧୪) ସଂସଦରେ ବିଜେପି ସାଂସଦ ସଂଖ୍ୟା ଯାହା ଥିଲା ୨୦୧୯ ସାଧାରଣ ନିର୍ବାଚନରେ ଦଳକୁ ତାହା ଠାରୁ ଢେର ଅଧିକ ଆସନ ମିଳିଛି । ସଂସଦର ତଳ ସଦନରେ ବିଜେପିର ଏକଚାଟିଆ ସ୍ଥିତି ରହିଛି । ଲୋକସଭାରେ ଦଳର ସ୍ଥିତି ବେଶ୍ ସୁଦୃଢ ରହି ଥିବା ସମୟରେ ରାଜ୍ୟ ସଭାରେ ଦଳ ଓଡ଼ିଶାର ବିଜେଡ଼ି (ବିଜୁ ଜନତା ଦଳ) ଭଳି ସହଯୋଗୀଙ୍କ ସହାୟତାରେ ନିଜର ସଂଖ୍ୟା ବଢାଇଛି, ଯାହାକି ବିରୋଧୀଙ୍କୁ ଆତଂକିତ କରୁଛି । ପ୍ରଥମ ପର୍ଯ୍ୟାୟ ସରକାରରେ ପ୍ରଧାନମନ୍ତ୍ରୀ ମୋଦୀ ବିମୁଦ୍ରୀକରଣ, ଜିଏସଟି ଭଳି ଅର୍ଥନୈତିକ ସଂସ୍କାରମାନ ଆଣି ସଂସଦରେ ପାରିତ କରାଇ ଥିଲେ ଏବଂ ତାହା ହିଁ ବିକାଶର ମାର୍ଗ ବୋଲି ଜନସାଧାରଣରେ ବିଶ୍ୱାସ ଜନ୍ମାଇ ଥିଲେ । ତେବେ, ସରକାରଙ୍କ ଏହି ଦୁଇ ଅର୍ଥନୈତିକ ସଂସ୍କାର ଦେଶକୁ କେତେଦୂର ବିକାଶ ଆଡକୁ ନେଇଛି ସେନେଇ ଅର୍ଥନୀତି ବିଶେଷଜ୍ଞଙ୍କ ମଧ୍ୟରେ ଦ୍ୱିମତ ରହିଛି । ଦେଶବାସୀ ଏଥିରୁ ଲାଭବାନ ହେଲେ କି ତଳିତଳାନ୍ତ ହେଲେ – ତାହାକୁ ନେଇ ଏଯାବତ୍ ଚର୍ଚ୍ଚା ଥମି ନାହିଁ ।
କେନ୍ଦ୍ର ସରକାରଙ୍କ ଏହି ଅର୍ଥନୈତିକ ସଂସ୍କାର ଦ୍ୱାରା ସାଧାରଣ ଜନତା କେତେଦୂର ଲାଭାନ୍ୱିତ ହୋଇଛନ୍ତି ଭିନ୍ନ କଥା, କିନ୍ତୁ କିଛି ହାତଗଣତି ଉଦ୍ୟୋଗପତି ଓ କର୍ପୋରେଟ୍ ସଂସ୍ଥା ଏଥିରୁ ଲାଭ ପାଇଛନ୍ତି କହିବା ଅତ୍ୟୁକ୍ତି ହେବ ନାହିଁ । ସରକାରଙ୍କ ଆଭିମୁଖ୍ୟ ଜାଣିବା ପରେ କିଛି ପ୍ରତିଷ୍ଠିତ ଜାତୀୟକରଣ ଓ ଘରୋଇ ବ୍ୟାଙ୍କ ବିନା ଦ୍ୱିଧାରେ ସନ୍ଦିଗ୍ଧ ଋଣ କାରବାର କରିଛନ୍ତି । ବ୍ୟାଙ୍କମାନଙ୍କରୁ ଶହ ଶହ କୋଟି ଟଙ୍କା ଋଣ ଟଙ୍କା ସୌଦାଗରଙ୍କ ହାତକୁ ଯାଇଛି ଏବଂ ତାହା ହଡପ ହୋଇଛି । ଫଳରେ, ଦେଶରେ ଏନ୍.ପି.ଏ (ନନ୍ ପରଫର୍ମିଂଗ ଆସେଟ୍) ପରିମାଣ ବଢିଛି । ସରକାରଙ୍କ କେହଳ ନୀତିକୁ ଦେଖି ଦେଶର କିଛି ଉଦ୍ୟୋଗପତି ଓ ବୃହତ୍ ବ୍ୟବସାୟିକ ସଂସ୍ଥା ବ୍ୟାଙ୍କଗୁଡିକୁ ଚୁନ ଲଗାଇ କୋଟି କୋଟି ଟଙ୍କା ଋଣ ଉଠାଇଛନ୍ତି ଏବଂ ତାହା ନ ଶୁଝି ବିଦେଶକୁ ଲୁଚି ପଳାଇଛନ୍ତି । ପରବର୍ତ୍ତୀ ସମୟରେ ଋଣ ହଡପ ଅଭିଯୋଗରେ ସେମାନେ ଗିରଫ ହୋଇ ବିଦେଶୀ ଜେଲରେ ଅଛନ୍ତି ସତ, କିନ୍ତୁ ସେମାନଙ୍କ ଠାରୁ ଋଣ ଆଦାୟ ପ୍ରକ୍ରିୟା ଆଇନର ଜାଲରେ ଛନ୍ଦି ହୋଇ ଯାଇଛି । କେନ୍ଦ୍ର ସରକାର ଉତ୍ତରଦାୟୀ ହେବା ବଦଳରେ ବ୍ୟାଙ୍କଗୁଡିକୁ ପୁନଃ ସ୍ୱଚ୍ଛଳ କରିବା ଆଳରେ ଆରବିଆଇକୁ ବ୍ୟବହାର କରିଛନ୍ତି । ସରକାରଙ୍କ ଏହି ଛଅ ବର୍ଷ ଶାସନରେ ସବୁଠାରୁ ବଡ଼ ଉପଲବ୍ଧୀ ହେଉଛି ସଂଖ୍ୟାଲଘୁ ଦମନ ନୀତି । ସରକାରଙ୍କ ଏହି ନୀତି ସାଂପ୍ରଦାୟିକ ଶକ୍ତିଙ୍କୁ ଉତ୍ସାହିତ କରିଛି ଏବଂ ୟୁପି ଓ ଅନ୍ୟ କିଛି ବିଜେପି ଶାସିତ ରାଜ୍ୟରେ ‘ଲଭ୍ ଜିହାଦ’ ଆଇନ ଭଳି କଂଗାରୁ ଶାସନ ଆରମ୍ଭ ହୋଇଥିବା ବେଳେ ଭାରତ ଭଳି ବହୁ ଭାଷୀ ଓ ବିବିଧ ଧର୍ମକୁ ନେଇ ଗଠିତ ରାଷ୍ଟ୍ରର ଅସ୍ମିତା ଆଜି ସଂକଟରେ ପଡିଛି ।
କେନ୍ଦ୍ର ସରକାର ୨୦୧୯ରେ ଜାତୀୟ ନାଗରିକତା ସଂଶୋଧନ ଆଇନ (ଏନସିଏ ) କାର୍ଯ୍ୟକାରୀ କରିବାକୁ ନେଇ ଯେଭଳି ଜିଦଖୋର୍ ଥିଲେ ୨୦୨୦ରେ ତିନି ନୂଆ କୃଷି ଆଇନକୁ ନେଇ ମଧ୍ୟ ସେଭଳି ଜିଦଖୋର୍ ଅଛନ୍ତି । ମୋଦୀ ସରକାର ଦେଶରେ ଜାତୀୟ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିବା ସମୟରେ ‘ସାହିନବାଗ୍’ ଭଳି ଦୁର୍ବାର ବିରୋଧ ଦେଖିବାକୁ ମିଳି ଥିଲା । ଆଜି ଚାଷୀ ଆନ୍ଦୋଳନକୁ ନେଇ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ଏନସିଏ ଓ ଏନପିଏ ବିରୋଧରେ ଦୀର୍ଘ ଦିନ ଧରି ଅବରୋଧ ଚାଲି ଥିଲା । କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ସେତେବେଳେ ଏହି ୍ରଆନ୍ଦୋଳନକୁ ବିରୋଧୀ ଓ ଦେଶବିରୋଧୀ ଶକ୍ତିଙ୍କ ଦ୍ୱାରା ପ୍ରୟୋଜିତ କହି ଦେଶବସୀଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲେ । ସେତେବେଳେ ମଧ୍ୟ ତଥାକଥିତ ‘ଗୋଦୀ ମିଡ଼ିଆ’ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ତାହାର କୌଶଳ ପ୍ରଦର୍ଶନ କରିଥିଲା । ବିଗେପି ନେତାମାନେ ଆନ୍ଦୋଳନକାରୀଙ୍କୁ ଦେଶ ବିରୋଧୀ କହି ‘ଗୋଲି ମାରୋ’ ଭଳି ଆପତ୍ତିଜନକ ମନ୍ତବ୍ୟ ଦେବାକୁ ପଛାଇ ନଥିଲେ । କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ସେଥିରେ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏନସିଏ, ଏନପିଏ ସପକ୍ଷରେ ଦେଶବ୍ୟାପୀ ଜନମତ ଜାଗ୍ରତ ଅଭିଯାନ ଚଳାଇ ଥିଲେ । କୌଣସି ପରିସ୍ଥିତିରେ ଏହି ଆଇନ ପ୍ରତ୍ୟାହାର ହେବ ନାହିଁ ବୋଲି ସେମାନେ ଜିଦ୍ ରେ ଥିଲେ ।
୨୦୨୦ ଫେବୃୟାରୀ/ ମାର୍ଚ୍ଚରେ ଦେଶରେ କରୋନା ମହାମାରୀର ସଂକ୍ରମଣ ଆରମ୍ଭ ହେବା ପରେ ମାର୍ଚ୍ଚ ୨୪ରୁ ଦେଶବ୍ୟାପୀ ‘ଲକ୍ ଡାଉନ୍’ ଘୋଷଣା ହେଲା । ମହାମାରୀ ଆଇନ ଆଢୁଆଳରେ ‘ସାହିନବାଗ୍ ଆନ୍ଦୋଳନ’ ନିର୍ଣ୍ଣାୟକ ମୋଡରେ ପହଂଚିବା ପୂର୍ବରୁ ନିଷ୍ପ୍ରଭ ହୋଇଗଲା । ସରକାରଙ୍କ ମହାମାରୀ ନିୟନ୍ତ୍ରଣ ଆଇନ (ଏପିଡ଼େମିକ୍ ଆକ୍ଟ) ବିରୋଧୀଙ୍କ ଅସନ୍ତୋଷକୁ ଚପାଇ ଦେଲା । ତଥାପି, ସରକାର ଓ ବିରୋଧୀ ସାହିନବାଗ୍ ଏନସିଏ ବିରୋଧୀ ଆନ୍ଦୋଳନକୁ ଏକ ମିଶାଲ୍ ଭାବେ ଉପସ୍ଥାପନ କରୁଛନ୍ତି । କେନ୍ଦ୍ର ସରକାର ଏନସିଏ ବିରୋଧୀ ଆନ୍ଦୋଳନରେ ସାମିଲ ଜନତାକୁ ‘ବିରିୟାନୀ ଗ୍ୟାଂଗ୍’, ‘ଟୁକୁଡେ ଟୁକୁଡେ ଗ୍ୟାଂଗ୍’, ‘ପାକିସ୍ତାନ ସମର୍ଥିତ ଦେଶବିରୋଧୀ ଶକ୍ତି ଦ୍ୱାରା ପ୍ରୟୋଜିତ’ କହି ଏକ ବିଭ୍ରାନ୍ତିର ବାତାବରଣ ସୃଷ୍ଟି କରିଥିଲେ । ଆଜି ଠିକ୍ ସେହି କୌଶଳ ଅବଲମ୍ବନ ହେଉଛି । ତିନି କୃଷି ଆଇନକୁ ରଦ୍ଦ କରାଯିବା ଦାବିରେ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ ଚଳାଇ ଥିବା ଚାଷୀଙ୍କୁ ‘ଟୁକୁଡେ ଟୁକୁଡେ ଗ୍ୟାଂଗ୍’, ‘ଖଲିସ୍ଥାନ ସମର୍ଥକ’ ଏବଂ ଦେଶ ବିରୋଧୀ ଶକ୍ତି ଦ୍ୱାରା ପ୍ରବର୍ତ୍ତିତ କହି ନିନ୍ଦିତ କରିବା ଉଦ୍ୟମ ଚାଲିଛି ।
ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ ସମଗ୍ର ଦେଶର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, କେବଳ ପଂଜାବ, ହରିୟାନା ଚାଷୀ ଏବଂ ଏହି କାରବାରରେ ସଂପୃକ୍ତ ମଧ୍ୟସ୍ଥିଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ସରକାର ଆକ୍ଷେପ କରି ଆନ୍ଦୋଳନକୁ ଗୌଣ କରି ଦେବାକୁ ଯୋରଦାର ପ୍ରୟାସ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତଳସ୍ତର ବିଜେପି ନେତା ପର୍ଯ୍ୟନ୍ତ ସମସ୍ତେ ଆନ୍ଦୋଳନକୁ ‘ଦେଶ ବିରୋଧୀ’ କହି ଦେଶବାସୀଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି । ସରକାର ଗୋଟିଏ ପଟେ ତିନି ନୂଆ କୃଷି ଆଇନ ରଦ୍ଦ ହେବା ପ୍ରଶ୍ନ ଉଠୁନି କହି ଚାଷୀ ସଂଗଠନଙ୍କୁ କିଛି ସଂଶୋଧନ ପ୍ରସ୍ତାବ ସହ ଆଲୋଚନାକୁ ଆସିବାକୁ ନିମନ୍ତ୍ରଣ କରୁଛନ୍ତି, ଅନ୍ୟପଟେ ଆନ୍ଦୋଳନକାରୀ ଚାଷୀ ସଂଗଠନଙ୍କୁ ଦେଶ-ବିରୋଧୀ ଶକ୍ତି କହି ଦେଶର ବିଭିନ୍ନ ରାଜ୍ୟ ଓ ଅଂଚଳରେ ସମାବେଶମାନ କରୁଛନ୍ତି । ଅପରପକ୍ଷରେ, ତିନି ନୂଆ କୃଷି ଆଇନ ରଦ୍ଦ ହେବା ସେମାନଙ୍କ ଏକମାତ୍ର ଦାବି ଏବଂ ତାହା ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚାଷୀ ସଂଗଠନମାନେ ସରକାରଙ୍କୁ ଜଣାଇ ଦେଇ ଆଲୋଚନା ପ୍ରସ୍ତାବ ସବୁକୁ ପ୍ରତ୍ୟାଖାନ କରୁଛନ୍ତି । ତଥାପି ଚାଷୀଙ୍କୁ ଆଲୋଚନା ପ୍ରସ୍ତାବ ଦେଇ ସମୟ ଗଡାଇବା ଯୋଜନାରେ ଅଛନ୍ତି ସରକାର । ‘ସାହିନବାଗ୍’ ଏନସିଏ ଆନ୍ଦୋଳନ ଭଳି ଦିଲ୍ଲୀର ବିଭିନ୍ନ ସୀମାନ୍ତରେ ଚାଲି ଥିବା କୃଷି ଆଇନ ବିରୋଧୀ ଆନ୍ଦୋଳନକୁ ବଡ଼ ଝଟକା ଦେବା ସକାଶେ ସରକାର ଏଭଳି କୂଟନୀତିର ଆଶ୍ରୟ ନେଇଛନ୍ତି ବୋଲି ଏଥିରୁ ଅନୁମାନ କରାଯାଇପାରେ । ଏହା ଜାଣି ସୁଦ୍ଧା ଅନ୍ଧ ଭକ୍ତମାନେ ସରକାରଙ୍କୁ ସମର୍ଥନ କରୁଛନ୍ତି ଏବଂ ବିରୋଧୀ ସଂଗଠନ ଚାଷୀଙ୍କୁ । ଏହି ଛକାପଂଝାର ବାତାବରଣ ୨୮ ଦିନ ହେଲା ଚାଲିଛି।
ଆନ୍ଦୋଳନକାରୀ ଚାଷୀମାନେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦିଲ୍ଲୀ ସବୁ ସୀମାନ୍ତରେ ଅବରୋଧ ଜାରି ରଖି ଥିବା ବେଳେ ସେମାନେ କିଭଳି ଟେଂଟ୍ ଗୁଡିକରେ ଉଷୁମରେ ରହିବା ବ୍ୟବସ୍ଥା କରିଛନ୍ତି, ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କିଭଳି ମେସିନ ସବୁ ଲଗାଇଛନ୍ତି, ଆନ୍ଦୋଳନ ସ୍ଥଳରେ ପହଂଚୁ ଥିବା ହଜାର ହଜାର ସଂଖ୍ୟାରେ ଚାଷୀଙ୍କୁ ଖାଇବାକୁ ଦେବାକୁ କିଭଳି ଲଂଗର୍ ବ୍ୟବସ୍ଥା ହୋଇଛି, ଶୀତରୁ ବଂଚିବା ପାଇଁ ପାହାଡ଼ ଚଢାଳି ବ୍ୟବହାର କରୁଥିବା ଅତ୍ୟାଧୁନିକ ଟେଂଟ୍ ସବୁ କେମିତି ଚାଷୀ ଆନ୍ଦୋଳନ ସ୍ଥଳରେ ଲାଗିଛି, ସେଠାରେ ପରିମଳ ବ୍ୟବସ୍ଥା ଓ ଲୁଗାପଟା ସଫେଇ ପାଇଁ କେଉଁ ଧରଣର ବ୍ୟବସ୍ଥା ହୋଇଛି – ତାହା ଉପରେ ଏବେ ବୈଦ୍ୟୁତିକ ଗଣମାଧ୍ୟମମାନେ ଅଧିକ ରୁଚି ରଖୁଥିବା ଓ ରୋଚକ ଖବର ପରିବେଷଣ କରୁଥିବା ଦେଖିବାକୁ ମିଳୁଛି । ଗୋଦୀ ମିଡ଼ିଆ ସରକାରଙ୍କୁ ସୁହାଇଲା ଭଳି ସେସବୁର ଉପସ୍ଥାପନ କରୁଥିବା ବେଳେ ଆଂଗୁଠି ଆଗରେ ଗଣି ହେଉଥିବା ବିରୋଧୀ ଗଣମାଧ୍ୟମ ଚାଷୀ ଆନ୍ଦୋଳନ ପ୍ରତି ସରକାରଙ୍କ ରୁକ୍ଷତା ମନୋଭାବକୁ ସମାଲୋଚନା କରିବାକୁ ସେସବୁ ଫୁଟେଜ୍ ବ୍ୟବହାର କରୁଛନ୍ତି ।
ସାହିନବାଗ୍ ଆନ୍ଦୋଳନ ସମୟରେ ମିଡ଼ିଆ ଯୁଦ୍ଧ ଚାଲି ଥିଲା, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଦୀର୍ଘ ମାସ ଧରି ଏହି ଯୁଦ୍ଧ ଦେଖିବାକୁ ମିଳିଥିଲା । ଏବେ, ସିଂଘୁ, ଟିକିରି ଓ ଦିଲ୍ଲୀର ଅନ୍ୟ ସୀମାନ୍ତରେ କୃଷି ଆଇନ ବିରୋଧରେ ଚାଷୀଙ୍କ ଅବରୋଧ ସମୟରେ ମଧ୍ୟ ଏକାଭଳି ମିଡ଼ିଆ ଯୁଦ୍ଧ ଦେଖିବାକୁ ମିଳିଛି । ଏହାଦ୍ୱାରା ବୈଦ୍ୟୁତିକ ଗଣମାଧ୍ୟମର ବିଶ୍ୱସନୀୟତାକୁ ନେଇ ଦେଶରେ ସନ୍ଦେହର ବାତାବରଣ ସୃଷ୍ଟି ହେଲାଣି । ଚାଷୀ ସଂଗଠନମାନେ ନିଜ କଥା ଦେଶବାସୀଙ୍କ ନିକଟରେ ପହଂଚାଇବା ପାଇଁ ସାମାଜିକ ଗଣମାଧ୍ୟମ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ସମୟରେ ଏବେ ସରକାରଙ୍କ ଆଡୁ ସାମାଜିକ ଗଣମାଧ୍ୟମର ତଂଟି ଚିପିବା ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ, ଚାଷୀ ନେତା ତଥା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ଚାଷୀ ଆନ୍ଦୋଳନ ସପକ୍ଷରେ ‘ଫେସ୍ ବୁକ୍’ରେ ଏକ ଲାଇଭ୍ ସାକ୍ଷାତକାର ଚଳାଇ ବେଳେ ଅଧାରୁ ତାହାର ପ୍ରସାରଣ ରୋକି ଦିଆଯିବା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ।
ଏବେ ସାମାଜିକ ଗଣମାଧ୍ୟମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ କଂଟା ହୋଇଛି । ମୁଖ୍ୟସ୍ରୋତ ଗଣମାଧ୍ୟମ ଯେଉଁ ସବୁ ଖବରକୁ ଲୁଚାଇ ବା ଚପାଇ ପାରୁଥିଲେ ସେସବୁ ସାମାଜିକ ଗଣମାଧ୍ୟମର ଆବିର୍ଭାବ ପରେ ଉଭୟ ସରକାର ଓ ମୁଖ୍ୟସ୍ରୋତ ଗଣମାଧ୍ୟମ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ତେଣୁ, ଉଭୟେ ଖପ୍ପା । ସାମାଜିକ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରଣର ସୌଦାଗର ସାଜିଛି । ତେଣୁ ତାହା ଉପରେ ସରକାର ଅଂକୁଶ ଲାଗିବା ଉଚିତ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସ୍ୱର ମିଳାଇଲାଣି ମୁଖ୍ୟସ୍ରୋତ ଗଣମାଧ୍ୟମ । ଚାଷୀ ଆନ୍ଦୋଳନ ସମୟରେ ୩୦ ଜଣ ଚାଷୀଙ୍କ ମୃତ୍ୟୁ ଘଟି ଥିବା ଖବର ସାମାଜିକ ଗଣମାଧ୍ୟମରେ ପ୍ରଥମେ ପ୍ରସାରିତ ହେବା ପରେ ମୁଖ୍ୟସ୍ରୋତ ଗଣମାଧ୍ୟମ ତାହା ପ୍ରସାରଣ ପାଇଁ ବାଧ୍ୟ ହୋଇଥିଲେ । ସରକାର ସାମାଜିକ ଗଣମାଧ୍ୟମର କଂଠରୋଧ ଉଦ୍ୟମ ଆରମ୍ଭ କଲେଣି । ସେଥିରେ ଯଦି ସରକାରଙ୍କ ପୂର୍ଣ୍ଣ ସଫଳତା ମିଳିଯାଏ ତେବେ ଆଗାମୀ ଦିନରେ ଗଣମାଧ୍ୟମରେ ଆଉ ନିର୍ଭିକ ଖବର ନୁହେଁ, ସରକାର ଓ ବିରୋଧୀ ଯେତିକି ଚାହଉଁଛନ୍ତି ସେତିକି ହିଁ ଶୁଣିବାକୁ ମିଳିବ । ଏହା ଗଣତନ୍ତ୍ରର ସୁରକ୍ଷା ପାଇଁ କେତେଦୂର ଗ୍ରହଣୀୟ, ତାହା ଆଗାମୀ ସମୟ କହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS