ଦେଶରେ ପ୍ରତି ପାଂଚ ଜଣରେ ଜଣେ କେଭିଡ଼ ସଂକ୍ରମଣର ଶିକାର ହୋଇଛନ୍ତି – ଆଇସିଏମଆର୍
ପ୍ରସାଦ ରାଓ
ନୂଆଦିଲ୍ଳୀ
୦୫ ଫେବୃୟାରୀ
୨୦୨୦ ଡ଼ିସେମ୍ବର ମଧ୍ୟଭାଗ ସୁଦ୍ଧା ଦେଶର ଏକ ପଂଚମାଂଶ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ କୌଣସି ନା କୌଣସି ସମୟରେ କୋଭିଡ଼-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଆଇସିଏମଆର୍ ସେରୋଲୋଜିକାଲ୍ ସର୍ଭେ ରିପୋର୍ଟରୁ ସୂଚନା ମିଳିଛି । ଆଇସିଏମଆର୍ ପକ୍ଷରୁ ୨୦୨୦ ଡ଼ିସେମ୍ବର ୧୭ରୁ ଚଳିତ ବର୍ଷ (୨୦୨୧) ଜାନୁୟାରୀ ୮ ତାରିଖ ମଧ୍ୟରେ ଏହି ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ ହୋଇଥିଲା । ପୂର୍ବରୁ ଦୁଇଟି ଦଫାରେ ସଂସ୍ଥା ୨୧ଟି ରାଜ୍ୟର ୭୦ ଜିଲ୍ଲା ଅନ୍ତର୍ଗତ ୭୦୦ ଗ୍ରାମରେ ଏହି ସର୍ଭେ କରିଥିଲା । ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ମଧ୍ୟ ସେହି ସବୁ ଗ୍ରାମରେ ସୀମିତ ରହିଛି । ତେବେ, ସର୍ଭେରେ ଦିଲ୍ଲୀ ସାମିଲ ନାହିଁ । ଆଇସିଏମଆର୍ ଡ଼ିଜି (ମହାନିଦେ୍ର୍ଦଶକ) ବଳରାମ ଭାର୍ଗବ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ସଂସ୍ଥା ଦେଶରେ କୋଭିଡ଼ ସଂକ୍ରମଣ ସଂପର୍କିତ ତଥ୍ୟ ଓ ପରିସଂଖ୍ୟାନକୁ ବିଶ୍ଲେଷଣ କରି ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ପ୍ରତି ପାଂଚ ଜଣରେ ଜଣେ କୋଭିଡ଼-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଛି । ଯାହାକି, ଦେଶର ଜନସଂଖ୍ୟାର ୨୧.୪ ପ୍ରତିଶତ । ଦେଶରେ ୧୦ରୁ ୧୮ ବର୍ଷ ବୟସ ସୀମାର ୨୫.୩ ପ୍ରତିଶତ କୋଭିଡ଼-୧୯ରେ ସଂକ୍ରମିତ ହୋଇଥିବା ଏହି ବିଶ୍ଲେଷଣରୁ ଜଣାପଡିଛି । ୨୦୨୦ ଏପ୍ରିଲ ମାସରେ ଆଇସିଏମଆର୍ ପକ୍ଷରୁ ଦେଶରେ ପ୍ରଥମ ସେରୋଲୋଜିକାଲ୍ ସର୍ଭେ କରାଯାଇଥିଲା । ଦେଶର ୦.୭୩ ପ୍ରତିଶତ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତି କୋଭିଡ଼-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ସର୍ଭେରୁ ସୂଚନା ମିଳିଥିଲା । ୨୦୨୦ ଅଗଷ୍ଟରେ ସଂସ୍ଥାର ଦ୍ୱିତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ହୋଇଥିଲା, ଯେଉଁଥିରେ କି ୧୮ ବର୍ଷ ବୟସରୁ ଉଦ୍ଧ୍ୱର୍ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୭.୧ ପ୍ରତିଶତକୁ ବୃଦ୍ଧି ପାଇଥିଲା । ତୃତୀୟ ପର୍ଯ୍ୟାୟ ସର୍ଭେରେ ତାହା ୨୧.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିରୁ ଦେଶରେ କୋଭିଡ଼ ସଂକ୍ରମଣ ବଢୁଥିବା ସ୍ପଷ୍ଟ ସୂଚିତ ହେଉଛି । ବହୁ ସଂଖ୍ୟାରେ ଜନସାଧାରଣ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇ ନଥିବାରୁ ଆଗାମୀ ଦିନରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଥିବା ଆଇସିଏମଆର୍ ଆଶଙ୍କା କରୁଛି । କୋଭିଡ଼-୧୯ ସଂକ୍ରମଣ ପରେ ଦେଶବାସୀଙ୍କ ମଧ୍ୟରେ କେତେଦୂର ଆଂଟିବଡ଼ି ବିକଶିତ ହୋଇଛି ତାହା ଜାଣିବା ସକାଶେ ଆଇସିଏମଆର୍ ପକ୍ଷରୁ ହୋଇଥିବା ସେରୋ-ପ୍ରଭେଲେନ୍ସ୍ ସର୍ଭେରୁ ଏଭଳି ଆଶଙ୍କା ଦେଖା ଦେଇଛି । ଆଇସିଏମଆର୍ ର ଏହି ସର୍ଭେରୁ ଜଣାପଡିଛି, ଦେଶର ୨୫.୭ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଏବଂ ୨୬.୬ ପ୍ରତିଶତ ଡ଼ାକ୍ତର ଓ ନର୍ସ କୋଭିଡ଼-୧୯ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୨୦୨୦ ଡ଼ିସେମ୍ବର ମଧ୍ୟଭାଗରୁ ୨୦୨୧ ଜାନୁୟାରୀ ୮ ତାରିଖ ମଧ୍ୟରେ ହୋଇଥିବା ଏହି ସର୍ଭେରେ ଦେଶର ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ୨୧.୪ ପ୍ରତିଶତ ନିର୍ଦ୍ଧିଷ୍ଟ ବୟସ ସୀମାର ବ୍ୟକ୍ତିବିଶେଷ କୋଭିଡ଼ ମହାମାରୀରେ ସଂକ୍ରମିତ ହୋଇଥିବା ସୂଚନା ଆସିବା ପରେ ଆଗାମୀ ଦିନ ପାଇଁ ଅଧିକ ସତର୍କ ଅବଲମ୍ବନ କରାଯିବାକୁ ଏବଂ ପ୍ରତିଷେଧକ ବ୍ୟବସ୍ଥା ଜାରି ରଖିବାକୁ ପରାମର୍ଶ ଦିଆଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS