ଆଳୁ ଖୋଳୁ ଖୋଳୁ ମହାଦେବ !
ପ୍ରସାଦ ରାଓ
ନୂଆଦିଲ୍ଳୀ
୦୫ ଫେବୃୟାରୀ
ଆଳୁ ଖୋଳୁ ଖୋଳୁ ମାଟି ତଳୁ ମହାଦେବଙ୍କ ଆବିର୍ଭାବ ଭଳି ଏବେ ଦିଲ୍ଲୀ ସୀମାନ୍ତ ଚାଷୀ ଆନ୍ଦୋଲନର ଅବସ୍ଥା ହୋଇଛି । ଗଲା ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଭୂମିକା ପ୍ରତିରକ୍ଷାତ୍ମକ ଥିଲା । ଚାଷୀମାନେ ସରକାରଙ୍କୁ ଲଂଠନ ଦେଖାଉ ଥିଲେ । ବର୍ତ୍ତମାନର ପରିସ୍ଥିତି ଓଲଟି ଯାଇଛି । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ ଚଳାଇ ଥିବା ଚାଷୀ ସଂଗଠନମାନେ ଗଲା ଜାନୁୟାରୀ ୨୬ ତାରିଖ ଜନତନ୍ତ୍ର ଦିବସ ଅବସରରେ କି ଟ୍ରାକ୍ଟର ର୍ୟାଲି କଲେ କେଜାଣି ସବୁ ଭାଗ ମାପ ଏପାଖ ସେପାଖ ହୋଇଯାଇଛି । ସରକାରୀ ପ୍ରୟୋଜିତ ହେଉ ବା ଅନ୍ୟ କୌଣସି ବାହ୍ୟଶକ୍ତିଙ୍କ ଦ୍ୱାରା ପ୍ରୟୋଜିତ ଜାନୁୟାରୀ ୨୬ ତାରିଖ ଟ୍ରାକ୍ଟର ର୍ୟାଲି ହିଂସାତ୍ମକ ହେବା ଗ୍ରହଣୀୟ ନୁହେଁ । କିଛି ଅସାମାଜିକ ଶକ୍ତି ଚାଷୀ ଆଢୁଆଳରେ ପୁଲିସ ଅବରୋଧ ଭାଂଗି ଦିଲ୍ଲୀ ସହରରେ ପଶି ଗଲେ ଏବଂ ଲାଲକିଲ୍ଲା ପର୍ଯ୍ୟନ୍ତ ମାଡି ଯାଇ ସେହି ଐତିହାସିକ ପୀଠରେ ନିଜର ଧାର୍ମିକ ପତାକା ଉଡାଇଲେ । ଯେଉଁ ଲାଲକିଲ୍ଲା ଦେଶର ଗର୍ବ ଓ ଗୌରବର ପ୍ରତୀକ ଏବଂ ତାହା ଉପରେ ଉଡୁଥିବା ତ୍ରିରଙ୍ଗା ପାତକା ଦେଶ ଓ ଜାତିକୁ ଗୌରବାନ୍ୱିତ କରିଥାଏ ସେହି ସ୍ଥାନରେ କିଛି ଅସାମାଜିକ ତତ୍ତ୍ୱ ଧସେଇ ପଶି ପ୍ରବଳ ହିଂସାକାଂଡ ଭିଆଇବା ଏବଂ ଜାତୀୟ ପତାକାକୁ ଅସମ୍ମାନ କଲା ଭଳି ଏକ ଧାର୍ମିକ ପତାକା ଉଡାଇବା ନିଶ୍ଚିତ ଭାବେ ନିନ୍ଦନୀୟ । ସେଦିନର ଏହି ଦୁର୍ବଳ ମୂହୂର୍ତ୍ତ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୁଇ ମାସରୁ ଉଦ୍ଧ୍ୱର୍ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଥିବା ଚାଷୀ ସଂଗଠନଙ୍କ ପ୍ରତି ଅବିଶ୍ୱାସର ବାତାବରଣ ସୃଷ୍ଟି କରିବା ପାଇଁ ଯଥେଷ୍ଟ । କେନ୍ଦ୍ର ସରକାର ବୋଧହୁଏ ଏଭଳି ପରିସ୍ଥିତି ସୃଷ୍ଟି ହେବା ଚାହୁଁ ଥିଲେ ବା ଆଗୁଆ ଆଶଙ୍କ କରିଥିଲେ । ଅସାମାଜିକ ତତ୍ତ୍ୱଙ୍କୁ ଲାଲକିଲ୍ଲା ପର୍ଯ୍ୟନ୍ତ ପହଂଚିବାକୁ ଢିଲା ଛଡା ଯାଇଥିଲା । ହିଂସା ପରେ ସରକାର ଓ ପୁଲିସ ଏହାକୁ ସୁଯୋଗ ଭାବେ ବ୍ୟବହାର କରି ଚାଷୀ ସଂଗଠନଙ୍କୁ ଦମନ କରିବାକୁ ପଛାଇ ନାହାନ୍ତି । ବହୁ ଚାଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି । ଶତାଧିକ ଚାଷୀ ନେତା ଗିରଫ ହୋଇଛନ୍ତି । କିଛି ଚାଷୀ ନେତା ଏଯାବତ୍ ଲାପତ୍ତା ଅଛନ୍ତି । ଦିଲ୍ଲୀ ପୁଲିସ ପାଖାପାଖି ୪୦ ମାମଲା ରୁଜୁ କରି ଚାଷୀଙ୍କ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଚଳାଇଛି । ଚାଷୀଙ୍କ କଥା ଦେଶବାସୀଙ୍କ ସାମନାରେ ପହଂଚାଉ ଥିବା ବରିଷ୍ଠ ସାମ୍ବାଦିକ ଓ ସଂପାଦକମାନେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନରୁ ବାଦ ପଡି ନାହାନ୍ତି । ଦେଶଦ୍ରୋହ ମାମଲାର ଶିକାର ହୋଇ ଏବେ ସେମାନେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ । ୨୬ ଜାନୁୟାରୀ ହିଂସାକାଣ୍ଡ ପରେ ଚାଷୀଙ୍କୁ ଦମନ କରିବାରେ ନେଇ କେନ୍ଦ୍ର ସରକାର ଏକ ସୁବିଧାଜନକ ସ୍ଥିତିରେ ଅଛନ୍ତି । ଆନ୍ଦୋଳନକାରୀ ଚାଷୀମାନେ ସେମାନଙ୍କ ପ୍ରତି ଚାଲି ଥିବା ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ କ୍ଷୁବ୍ଧ । ସରକାର ଓ ଚାଷୀ ସଂଗଠନ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଉଭୟ ପକ୍ଷ ପରିସ୍ଥିତିକୁ ନିଜ ନିଜ ସପକ୍ଷରେ ନେବାକୁ କଳ, କୌଶଳର ଆଶ୍ରୟ ନେଇଥିବା ଆଜି ଭାରତୀୟ ଗଣତନ୍ତ୍ରକୁ ଲୋକହସା କରିଛି । କେନ୍ଦ୍ର ସରକାର ୨୬ ତାରିଖ ହିଂସାର ଖିଅ ଖୋଜି ଖୋଜି ପହଂଚିଛନ୍ତି ସ୍ୱିଡ଼େନର ପରିବେଶ କର୍ମୀ ଗ୍ରେଟା ଥନବର୍ଗଙ୍କ ନିକଟରେ । ବୁଧବାର ରାତିରେ ଗ୍ରେଟା ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ ସଂପର୍କରେ ଟ୍ୱିଟ୍ କରି ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜ୍ଞାପନ କରିବାରୁ କେନ୍ଦ୍ର ସରକାରଙ୍କ ଚକ୍ଷୁଶୂଳ ହୋଇଛନ୍ତି । ଦିଲ୍ଲୀ ପୁଲିସ ଏହି ଟ୍ୱିଟ୍ ପଛରେ ଦେଶ ବିରୋଧୀ ଖାଲିସ୍ତାନୀ ଗୋଷ୍ଠୀର ହାତ ଖୋଜୁଛି । ଏକ ମାମଲା ରୁଜୁ କରି ତଦନ୍ତକୁ ଯୋରଦାର କରିଛି । ଗ୍ରେଟା ଟ୍ୱିଟ୍ କରିଥିବା ‘ଟୁଲ୍ କିଟ୍’ର ପ୍ରସ୍ତୁତିକର୍ତ୍ତାକୁ ଖୋଜି ବାହାର କରିବା ସକାଶେ ସମସ୍ତ ଶକ୍ତି ଲଗାଇଛି । ଦିଲ୍ଲୀ ପୁଲିସର ଏତଲାରେ ଗ୍ରେଟାଙ୍କ ନାମ ନାହିଁ । କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ (ଆଇପିସିର ୧୨୪ ‘କ’), ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତୃଭାବ ସୃଷ୍ଟି କରିବା (ଆଇପିସିର ୧୫୩ ‘କ’) ଏବଂ ଆପରାଧିକ ଷଡଯନ୍ତ୍ର (୧୨୦-ଖ) ମାମଲା ରୁଜୁ ହୋଇଛି । ମାମଲାରେ କାହାରି ନାମ ନାହିଁ । କିଛି ଅଜଣା ବ୍ୟକ୍ତିଙ୍କୁ ସେଥିରେ ଅଭିଯୁକ୍ତ ଦର୍ଶାଯାଇ ପରବର୍ତ୍ତୀ ସମୟରେ ଲମ୍ବା କାର୍ଯ୍ୟାନୁଷ୍ଠାନ ସକାଶେ ବାଟ ଖୋଲା ରଖା ଯାଇଛି । ଦିଲ୍ଲୀ ପୁଲିସ ଓ ତାହାର ସାଇବର ସେଲ୍ ଗ୍ରେଟା ଅପଲୋଡ୍ କରିଥିବା ଓ ପରେ ତାହାକୁ ଡ଼ିଲିଟ୍ କରିଥିବା ଟ୍ୱିଟ୍ ସବୁକୁ ଖୋଳି ସେଥିରୁ ମହାଦେବଙ୍କୁ ବାହାର କରିବା ଉଦ୍ୟମ କରୁଛନ୍ତି । ଆବଶ୍ୟକ ମନେ କଲେ ପୁଲିସ ଗ୍ରେଟାଙ୍କୁ ନୋଟିସ୍ କରିବେ ବୋଲି ସୂଚନା ମିଳୁଛି । କେବଳ ଗ୍ରେଟା ନୁହନ୍ତି, ବିଦେଶୀ ପପ୍ ଷ୍ଟାର୍ ରେହାନା ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତ ସରକାରଙ୍କ ଚକ୍ଷୁଶୂଳ । ଅନେକ କେନ୍ଦ୍ର ମନ୍ତ୍ରୀ ଓ କିଛି ଭାରତୀୟ ସେଲେବ୍ରିଟି ଏବେ ରେହାନାଙ୍କୁ ସମାଲୋଚନା କରି କେନ୍ଦ୍ର ସରକାରଙ୍କ ନିକଟତର ହେବାର ପ୍ରୟାସ ଚଳାଇଛନ୍ତି । ଭାରତର ଆନ୍ତଃରୀଣ ବ୍ୟାପାରରେ ଏହା ବାହ୍ୟଶକ୍ତିଙ୍କ ହସ୍ତକ୍ଷେପ କୁହାଯାଉଛି । ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ସମୟରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଦେଶର ଅଧିକାଂଶ ବିରୋଧୀ ରାଜନୈତିକ ଦଳ ଏକତ୍ର । ସଂସଦ ଭିତରେ ଓ ବାହାରେ ସେମାନଙ୍କୁ ସରକାରଙ୍କୁ ଘେରୁଛନ୍ତି । ଚାଷୀ ଅଶାନ୍ତିରୁ ବିରୋଧୀ ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି, ଏଥିରେ କିଛି ସନ୍ଦେହ ନାହିଁ । ତେବେ, ଚାଷୀ ତ ହେଉଛି ଅନ୍ନଦାତା ! ମା’ ମହାଲକ୍ଷ୍ମୀଙ୍କୁ ଆମେ ଅନ୍ନପୂର୍ଣ୍ଣ ଡ଼ାକିି ପୂଜା କରୁଛେ । ବର୍ଷକୁ ବାର ମାସ ଖରା, ବର୍ଷା, ଶୀତ, କାକରରେ ହାଡଭଂଗା ପରିଶ୍ରମ କରି ଚାଷୀ ଆମ ପେଟ ଭରୁଛି । ଫସଲ ଉଜୁଡି ଗଲେ ଋଣ ଶୁଝି ନ ପାରି ସେ ଆତ୍ମହତ୍ୟା କରୁଛି । ଭଲ ଫସଲ ହେଲେ ଲାଭ ସାହୁକାର ଖାଉ ଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ନିଜ ଉତ୍ପାଦିତ ଫସଲର ଉପଯୁକ୍ତ ସହାୟକ ମୂଲ୍ୟକୁ ଆଇନସମ୍ମତ କରାଇବା ସକାଶେ ଆଜି ସେ ଯେତେବେଳେ ଲଢୁଛି ଆମେ ମୁହଁ ମୋଡିବା କେତେଦୂର ଗ୍ରହଣୀୟ ? ଗଲା ୨୬ ଜାନୁୟାରୀରେ ଘଟିଥିବା ହିଂସାରେ କେଉଁମାନେ ସଂପୃକ୍ତ ତାହା ସମସ୍ତେ ଜାଣନ୍ତି । କିନ୍ତୁ, ସେହି ହିଂସା ପାଇଁ ସରକାର ଚାଷୀଙ୍କୁ ଅଂଗୁଠି ଦେଖାଉ ଥିବା ବେଳେ ଚାଷୀ ଷଡଯନ୍ତ୍ରର ଶିକାର ହୋଇଥିବା କହୁଛି । ଏହି ଛକାପଂଝାରୁ ଫାଇଦା ନେଉଛନ୍ତି ବାହ୍ୟଶକ୍ତି । ଆନ୍ଦୋଳନକୁ ଉସୁକାଇବାରେ ବିଦେଶୀ ଶକ୍ତି ଓ ଦେଶ ବିରୋଧୀଙ୍କ ହାତ ରହିଛି କହି ସରକାର ନିଜର ଉତ୍ତରଦାୟିତ୍ୱ ଭୁଲିଯିବା ଉଚିତ ହେବ କି ? ଭାରତରେ ଚାଲି ଥିବା ଚାଷୀ ଆନ୍ଦୋଳନ ନେଇ ଗତକାଲି ଆମେରିକାର ବିଡ଼େନ ପ୍ରଶାସନର ବିବୃତି ଆସିଛି । ଆଲୋଚନା ମାଧ୍ୟମରେ ଚାଷୀ ସମସ୍ୟାର ସମାଧାନ ପ୍ରକୃତ ଗଣତନ୍ତ୍ରର ପରିଚୟ ହେବ ବୋଲି ଆମେରିକା କହିଛି । ଏହାକୁ ମଧ୍ୟ ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ କୁହାଯାଇପାରେ । ତେବେ, ଆମେରିକା କୃଷିର ବ୍ୟବସାୟୀକରଣ ଓ ଉଦ୍ୟୋଗୀକରଣକୁ ସମର୍ଥନ ଦେଇ ଥିବାରୁ ଭାରତ ସରକାରଙ୍କ ପ୍ରତିକ୍ରିୟା ସାମାନ୍ୟ ନରମ ରହିଛି । ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଲେ ଦେଶଦ୍ରୋହ ଏବଂ ସରକାରୀ ନୀତିକୁ ସମର୍ଥନ ଦେଲେ ଦେଶଭକ୍ତି – ଏଭଳି ମାନସିକତା ହିଁ ଆଜି ରେହାନା ଓ ଗ୍ରେଟାମାନଙ୍କୁ ପ୍ରୋତ୍ସାହିତ କରୁଛି । ଆମେ ଯେତେ ଆଖି ବୁଜି କ୍ଷୀର ପିଇଲେ ମଧ୍ୟ ଆମକୁ କେହି ଜଣେ ଦେଖୁଛି – ତାହା କଣ ଜାଣି ମଧ୍ୟ ଅଜଣା । ତେଣୁ, ଆମେ ଲୋକହସା ହେଉଛେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS