ଦେଶରେ ୧୦, ୫୮୪ ନୂଆ କୋଭିଡ଼ କେସ୍, ୭୮ ମୃତ୍ୟୁ
ନୂଆଦିଲ୍ଲୀ
୨୩ ଫେବୃୟାରୀ
ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୦,୫୮୪ ନୂଆ କୋଭିଡ଼-୧୯ କେସ୍ ସାମନାକୁ ଆସିଛି ଓ ୭୮ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ, ଦେଶର ମୋଟ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ୧୬ ହଜାର ୪୩୪ରେ ପହଂଚିଛି । ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ୭୮ ଜଣଙ୍କ ମୃତ୍ୟୁ ଘଟି ଥିବାରୁ ଦେଶରେ ମୋଟ କୋଭିଡ଼ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୪୬୩ ରହିଛି । ତେବେ, ଦେଶର ମୋଟ କୋଭିଡ଼-୧୯ ସଂକ୍ରମିତଙ୍କ ମଧ୍ୟରୁ ୧ କୋଟି ୦୭ ଲକ୍ଷ ୧୨ ହଜାର ୬୬୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଥିବାରୁ ଚିକିତ୍ସାଧୀନ ଥିବା କରୋନା ମହାମାରୀ ରୋଗୀ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୦୬କୁ ଖସି ଆସିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏହି ସୂଚନା ଦେଇଛନ୍ତି । ୨୦୨୦ ମାର୍ଚ୍ଚରୁ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହୋଇ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଥିଲା । ୨୦୨୦ ଅଗଷ୍ଟ ୭ ତାରିଖରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ, ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ତାହା ୪୦ ଲକ୍ଷ ଓ ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ଟପି ଥିଲା । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୯୭.୨୪ ପ୍ରତିଶତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧.୪୨ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା କରୋନା ଦ୍ୱାରା ସଂକ୍ରମିତ ଥିବା ରୋଗୀ ସଂଖ୍ୟା ୧.୩୪ ପ୍ରତିଶତ ରହିଛି । ତେବେ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ପଂଜାବ, ଜମ୍ମୁ- କଶ୍ମୀର, ଛତିଶଗଡ଼, ହରିୟାନା, ଦିଲ୍ଲୀ ପ୍ରଭୃତି ରାଜ୍ୟରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଦେଖା ଦେଇ ଥିବାରୁ ଏବଂ ନୂଆ ନୂଆ ରୋଗୀ ଚିହ୍ନଟ ହେଉ ଥିବାରୁ ଏହାକୁ ନେଇ ଦେଶବ୍ୟାପୀ ଶଙ୍କା ପ୍ରକାଶ ପାଇଛି । ଗତ ସପ୍ତାହରେ ମହାରାଷ୍ଟ୍ରରେ ସର୍ବାଧିକ ନୂଆ ସଂକ୍ରମିତଙ୍କ ସଂଖ୍ୟ ୮୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମଧ୍ୟ ପ୍ରଦେଶରେ ୪୩ ପ୍ରତିଶତ, ପଂଜାବରେ ୩୧ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୨୨ପ୍ରତିଶତ, ଛତିଶଗଡ଼ରେ ୧୩ ପ୍ରତିଶତ, ହରିୟାନାରେ ୧୧ ପ୍ରତିଶତ ଓ ଦିଲ୍ଲୀରେ ୪.୩ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଦେଶର ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୧୬ଟିରେ ଗତ ସପ୍ତାହରେ କଂରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ଅନ୍ୟ ରାଜ୍ୟମାନଙ୍କରେ ରୋଗୀ ସଂଖ୍ୟା ବୃଦ୍ଧି ୫ ପ୍ରତିଶତରୁ କମ୍ ଥିବାରୁ ଚିନ୍ତାଜନକ ନୁହେଁ ବୋଲି କୁହାଯାଉଛି । ଦେଶର ଅନେକ ରାଜ୍ୟରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳି ଥିବାରୁ ଏବଂ ନୂଆ କେସ୍ ସଂଖ୍ୟା ବୃଦ୍ଧି ପାଉ ଥିବାରୁ କେନ୍ଦ୍ର ସରକାର ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଦିନ ପରିସ୍ଥିତିା ସମୀକ୍ଷା କରିଥିଲେ । ମହାମାରୀକୁ ରୋକିବାକୁ ଭ୍ୟାକ୍ସିନେସନକୁ ଅଧିକ ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଥିଲେ । ୫୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟା ଏବଂ ୫୦ ବର୍ଷରୁ କମ୍ ବୟସର ହୋଇଥିଲେ ମଧ୍ୟ ହୃଦରୋଗ, ମଧୁମେୟ, ଉଚ୍ଚ ରକ୍ତଚାପ ଭଳି ଏକାଧିକ ରୋଗରେ ଆକ୍ରାନ୍ତଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବା କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି । କାରଣ, ଏହି ବର୍ଗର ୨୭ କୋଟି ଜନତାଙ୍କୁ ଟିକାକରଣ କରାଯିବା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ତେଣୁ, ଏଥିରେ ଘରୋଇ ହସପିଟାଲ, କର୍ପୋରେଟ୍ ହାଉସ୍, ଏନଜିଓଙ୍କ ଭଳି ଘରୋଇ ସଂସ୍ଥା ଅଧିକ ମାତ୍ରାରେ ସାମିଲ ହେବା ଆବଶ୍ୟକ ବୋଲି ନୀତି ଆୟୋଗ ସଦସ୍ୟ ଡ଼କ୍ଟର ଭି.କେ.ପଲ୍ କହିଛନ୍ତି । କରୋନା ମହାମାରୀର ଦ୍ୱତୀୟ ପର୍ଯ୍ୟାୟ (!) ସଂକ୍ରମଣକୁ ଦେଖି ମହାରାଷ୍ଟ୍ର ଭଳି କିଛି ରାଜ୍ୟ ସୀମିତ ‘ଲକ୍ ଡାଉନ୍’କୁ ଆପଣାଇ ଥିବା ବେଳେ କର୍ଣ୍ଣାଟକ କେରଳ ସହ ଥିବା ତାହାର ସୀମାକୁ ସିଲ୍ କରିଛି । କୋଭିଡ଼-୧୯ ନେଗେଟିଭ୍ ସାର୍ଟିଫିକେଟ ଥିଲେ ହିଁ ରାଜ୍ୟକୁ ପ୍ରବେଶ ଅନୁମତି ମିଳିବ ବୋଲି କର୍ଣ୍ଣାଟକ ସରକାର କହିଛନ୍ତି । ଓଡ଼ିଶାରେ ମଧ୍ୟ ନୂଆ ଷ୍ଟ୍ରେନ୍ କୁ ନେଇ ଆଶଙ୍କା ବଢିଛି । ରାଜ୍ୟ ସରକାର ପୁନର୍ବାର କୋଭିଡ଼ କଟକଣାକୁ କଡାକଡି କରିଛନ୍ତି । ଘରୁ ବାହାରିଲେ ମାସ୍କ୍, ହାତକୁ ବିଶୋଧନ କରିବା ଏବଂ ପରସ୍ପରଠାରୁ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ମୁହଁରେ ମାସ୍କ୍ ପିନ୍ଧି ନ ଥିବା ଲୋକଙ୍କୁ ପଦାରେ ଦେଖିଲେ ଫାଇନ୍ ଆଦାୟ ଆରମ୍ଭ ହୋଇଛି । କୋଭିଡ଼ କଟକଣାକୁ ଲୋକ ନ ମାନିଲେ ଆଉ ଥରେ ‘ତାଲାବନ୍ଦ’ କଟକଣା ଫେରିବ ବୋଲି ରାଜ୍ୟ ସ୍ୱସ୍ଥ୍ୟ ମନ୍ତ୍ରୀ ନବ ଦାସ ସେମବାର ଦିନ ଚେତାବନୀ ଦେଇଛନ୍ତି । ତଥାପି ଅମାନିଆମାନେ କଟକଣା କୋହଳ ହେବା ପରଠାରୁ ରାସ୍ତାଘାଟ ଓ ବଜାରରେ ବିନ୍ଦାସ ବୁଲୁ ଥିବା ସଚେତନ ନଗରିକଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS