ପ୍ରମାଣ ଦାଖଲରେ ପୁଲିସ ବିଫଳ, ଦିଶାଙ୍କୁ ଅଦାଲତରୁ ମିଳିଲା ଜାମିନ
ପ୍ରସାଦ ରାଓ
ନୂଆଦିଲ୍ଲୀ
୨୩ ଫେବୃୟାରୀ
ବେଂଗାଲୁରୁର ୨୨ ବର୍ଷିୟା ପରିବେଶ କର୍ମୀ ଦିଶା ରବିଙ୍କୁ ଆଜି ଦିଲ୍ଲୀର ପାତିଆଲା ହାଉସ କୋର୍ଟରୁ ଜାମିନ ମିଳିଛି । ତାଙ୍କ ବିରୋଧରେ ପୁଲିସ ଅଦାଲତରେ ଉପସ୍ଥାପନ କରିଥିବା ତଥ୍ୟ, ପ୍ରମାଣ ‘ଅଧୁରା’ ଦର୍ଶାଇ ଅଦାଲତ ଏକ ଲକ୍ଷ ଟଙ୍କା ମୁଚାଲିକା ବା ବେଲ୍ବଂଡରେ ତାଙ୍କୁ ଜାମିନ ଦେଇଛନ୍ତି । ପୁଲିସ ପକ୍ଷରୁ ତାଙ୍କୁ ଆଉ ୪ ଦିନ ସକାଶେ ରିମାଂଡରେ ନେବାକୁ ଆବେଦନ କରାଯାଇଥିଲା । ତେବେ, ଅଦାଲତ ତାହାକୁ ଗ୍ରହଣ ନ କରି ଦିଶାଙ୍କୁ ଜାମିନ ଦେଇଛନ୍ତି । ଗୁଗୁଲ ଡକୁମେଂଟ୍ ‘ଟୁଲକିଟ୍’ ମାଧ୍ୟମରେ ଦିଶା କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ତିନି ମାସରୁ ଅଧିକ ହେଲା ଚାଲି ଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଟ୍ୱିଟ୍ କରିଥିଲେ, ଯାହାକି କେନ୍ଦ୍ର ସରକାରଙ୍କୁ କ୍ଷୁବ୍ଧ କରିଥିଲା । ଦିଶା ଜୁମ୍ ଆପ୍ ବ୍ୟବହାର କରି ଅନ୍ୟମାନଙ୍କ ସହ ଭିଡିଓ କନ୍ଫରେନ୍ସଂ କରିଥିଲେ, ଦେଶ ବିରୋଧୀ ଖାଲିସ୍ତାନୀ ସମର୍ଥକଙ୍କ ସହ ତାଙ୍କର ସଂପର୍କ ରହିଛି ଏବଂ ସେ ଦେଶକୁ ନିନ୍ଦିତ କରିବା ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଷଡଯନ୍ତ୍ରରେ ସାମିଲ ଅଛନ୍ତି ଦର୍ଶାଇ ଦିଲ୍ଲୀ ପୁଲିସ ଗତ ୧୩ ତାରିଖ ଦିନ ତାଙ୍କୁ ବେଂଗାଲୁରୁ ସ୍ଥିତ ଘରୁ ଉଠାଇ ଆଣି ଥିଲେ । ୫ ଦିନ ଧରି ତାଙ୍କୁ ପୁଲିସ ହେପାଜତରେ ରଖା ଯାଇଥିଲା । ରିମାଂଡ ସରିବା ପରେ ତାଙ୍କୁ ପୁଲିସ ଅଦାଲତରେ ହାଜର କରିଥିଲେ । ତେବେ, ଦିଶା ତଦନ୍ତରେ ସହଯୋଗ କରୁ ନାହାନ୍ତି ବୋଲିି ପୁଲିସ ଆଡୁ ଅଭିଯୋଗ ହୋଇଥିଲା । ଅଦାଲତ ଦିଶାଙ୍କୁ ତିନି ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ଦିଶା ଜାମିନ ପାଇଁ ଦିଲ୍ଲୀ ସେସନ୍ସ ଜଜ୍ ଙ୍କ ଅଦାଲତରେ ଆବେଦନ କରିଥିଲେ । ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣା ଜାମିନ ଆବେଦନର ଶୁଣାଣୀ କରି ପୁଲିସ ଦିଶାଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରି ପରି ନଥିବାରୁ କ୍ଷୋଭ ପ୍ରକାଶ କରିବା ସହ କେବଳ ଅନୁମାନ ଭିତ୍ତିରେ ଏହି ଗିରଫଦାରୀ ହୋଇଛି କି ବୋଲି ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ । ପୁଲିସକୁ ଠୋସ୍ ପ୍ରମାର ସହ ଆସିବାକୁ ସେ ନିର୍ଦେଶ ଦେବା ସହ ଜାମିନ ଆବେଦନ ଉପରେ ରାୟକୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖି ଥିଲେ । ଅପରପକ୍ଷରେ, ଦିଲ୍ଲୀ ପୁଲିସର ସାଇବର୍ ସେଲ୍ ମାମଲାର ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କ ସହ ଦିଶାଙ୍କ ମୁହାଁମୁହିଁ କରିବା ଆଳ ଦେଖାଇ ପାତିଆଲା ଡାଉସ୍ ଅଦାଲତରୁ ଦିନକ ପାଇଁ ରିମାଂଡରେ ନେଇ ଥିଲେ । ସୋମବାର ଦିନ ଦିଶାଙ୍କୁ ଦିନିକିଆ ରିମାଂଡରେ ନେଇ ପୁଲିସ ମୁମ୍ବାଇ ହାଇକୋର୍ଟରୁ ଆଗୁଆ ଜାମି ଆଣିଥିବା ଅନ୍ୟ ଦୁଇ ଅଭିଯୁକ୍ତ ମୁମ୍ବାଇର ସାମାଜିକ କର୍ମୀ ନିକିତା ଜାକୋବ ଓ ଶାନ୍ତନୁ ମୁଲୁକଙ୍କ ସହ ମୁହାଁମୁହିଁ କରାଇଥିଲେ । ଆଜି ମଧ୍ୟ ପୁଲିସ ଆଉ ୪ ଦିନ ପାଇଁ ଦିଶାଙ୍କ ରିମାଂଡ ମାଗିବାରୁ ଅଦାଲତ ସେଥିପାଇଁ ଅନୁମତି ନ ଦେଇ ଦିଶାଙ୍କୁ ଜାମିନ ମଂଜୁର କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS