ଚାଷୀଙ୍କୁ ସମର୍ଥନ ଦେବା କଣ ଦେଶଦ୍ରୋହ ? ଦିଶ୍ଶା ରବି ମାମଲାରୁ ସରକାର ଚେତିବା ଉଚିତ
ପ୍ରସାଦ ରାଓ
ଭୁବନେଶ୍ୱର
୨୪ ଫେବୃୟାରୀ
ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ତିନି ମାସ ହେଲା ଚାଲି ଥିବା ଚାଷୀ ଆନ୍ଦୋଳନକୁ ନେଇ ସରକାର କେତେ ବିବ୍ରତ ଓ ଅସହିଷ୍ଣୁ – ତାହା ‘ଟୁଲକିଟ୍’ ମାମଲାରୁ ସ୍ପଷ୍ଟ ହୋଇଛି । ଏହି ମାମଲା ସରକାରଙ୍କ ଅସହିଷ୍ଣୁତା ଓ ନିଷ୍ଠୁରତାର ମୁଖା ଖୋଲିଛି । ନୂଆ କୃଷି ଆଇନକୁ ବିରୋଧ ବା ସମାଲୋଚନା କରୁଥିବା ତତ୍ତ୍ୱଙ୍କୁ ଦମନ କରିବା ସକାଶେ ସରକାର ଯେକୌଣସି ସ୍ତରକୁ ଯାଇ ପାରନ୍ତି, ତାହା ବେଂଗାଲୁରୁର ଦିଶ୍ଶା ରବି ମାମଲାରୁ ଅନୁଭବ କରି ହେଉଛି ।
ମାମଲାର ପୃଷ୍ଠଭୂମି ହେଉଛି ଏହି ଭଳି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନି କୃଷି ଆଇନକୁ ବିରୋଧ କରି ପଂଜାବ, ହରିଆନା, ରାଜସ୍ଥାନ ସମେତ ଅନ୍ୟ କିଛି ରାଜ୍ୟର ଚାଷୀ ଦିଲ୍ଲୀର ବିଭିନ୍ନ ସୀମାନ୍ତରେ ଆନ୍ଦୋଳନ ଓ ଅବରୋଧ ଜାରି ରଖିଛନ୍ତି । ସରକାର ଚାଷୀ ନେତାଙ୍କ ସହ ଇତିମଧ୍ୟରେ ୧୧ ଥର ଆଲୋଚନା କଲେଣି । କିନ୍ତୁ, କୌଣସି ସମାଧାନ ହୋଇ ପାରୁ ନାହିଁ । ଆନ୍ଦାଳନକାରୀ ଚାଷୀଙ୍କ ଆଡୁ ସଂଶୋଧନ ପ୍ରସ୍ତାବ ଆସିଲେ ସରକାର ତାହା ବିଚାର କରି ଆବଶ୍ୟକ ସଂଶୋଧନ କରିବାକୁ ପ୍ରସ୍ତୁତ ବୋଲି ସରକାର କହୁଥିବା ବେଳେ ଚାଷୀ ନେତାମାନେ ସେମାନଙ୍କ ଉତ୍ପାଦନର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନଗତ ମାନ୍ୟତା ଦିଆଯିବା ଏବଂ ତିନି କୃଷି ଆଇନକୁ ସମୂଳେ ପ୍ରତ୍ୟାହାର କରାଯିବା ଦାବିରେ ଅଡି ରହିଛନ୍ତି । ଉଭୟେ ନିଜ ନିଜ ଜିଦରେ ଅଟଳ ।
ପରିସ୍ଥିତି ଏଭଳି ହୋଇଛି ଯେ, ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ (ଅଧିକ ସଂଖ୍ୟକ ଶିଖ୍ ଚାଷୀ ସାମିଲ ଥିବାରୁ) ଦେଶ ବିରୋଧୀ ଶକ୍ତି (ଖାଲିସ୍ତାନୀ ସମର୍ଥକ)ଙ୍କ ଦ୍ୱାରା ପରିଚାଳିତ ବୋଲି ଯୋରଦାର ସରକାରୀ ପ୍ରଚାର ଚାଲିଛି । ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ଷମତାସୀନ ବିଜେପିର ସମସ୍ତ ନେତା ଏହି ପ୍ରଚାରକୁ ବଳ ଦେଇ ତାହା ସିଦ୍ଧ କରିବାକୁ ଅଂଟା ଭିଡ଼ିଛନ୍ତି । ଏଭଳି ଅପପ୍ରଚାରକୁ ନେଇ ଚାଷୀ କ୍ଷୁବ୍ଧ । ଦାବୀ ହାସଲ ପାଇଁ ସେମାନେ ‘ଭାରତ ବନ୍ଦ’ରୁ ଆରମ୍ଭ କରି ସୀମିତ ସମୟ ‘ରୋଳ ରୋକୋ’ ପର୍ଯ୍ୟନ୍ତ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେଇ ସାରିଛନ୍ତି । ଗତ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ପକ୍ଷରୁ ଦିଲ୍ଲୀରେ ଏକ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି କରାଯିବା ସକାଶେ ନିଷ୍ପତ୍ତି ହୋଇଥିଲା ଏବଂ କେନ୍ଦ୍ର ସରକାର ସେଥିପାଇଁ ଅନୁମତି ଦେଇଥିଲେ । ଏହା ପଛରେ ସରକାରଙ୍କ ଉଦ୍ଦେଶ୍ୟ କଣ ଥିଲା, ଭିନ୍ନ କଥା । କିନ୍ତୁ, ରାଲିକୁ ହୋଇଥିଲା । ତେବେ, ତାହା ଶାନ୍ତିପୂର୍ଣ୍ଣ ନ ହୋଇ ହିଂସାତ୍ମକ ହେବାରୁ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହୋଇଥିଲେ ।
କିଛି ଆନ୍ଦୋଳନକାରୀ ପୁଲିସ ପ୍ରତି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ପୁଲିସର ଅବରୋଧ ଭାଂଗି ଐତିହାସିକ ଲାଲକିଲ୍ଲା ପର୍ଯ୍ୟନ୍ତ ମାଡି ଯିବାରୁ ଏବଂ ସେଠାରେ ଧର୍ମୀୟ ପତାକା ଉଡାଇବାରୁ ଦିଲ୍ଲୀ ପୁଲିସ ତାହାର ଫାଇଦା ନେଇ ଚାଷୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିଥିଲେ । ଶତାଧିକ ଚାଷୀ ଏହି ରାଲି ପରେ ଗିରଫ ହୋଇଛନ୍ତି । ଅନେକ ମଧ୍ୟ ନିଖୋଜ ଅଛନ୍ତି । ତେବେ, ହିଂସାର ମୁଖ୍ୟ କାରପଟଦାର୍ କୁହାଯାଉଥିବା ଅଭିନେତା ଦୀପ୍ ସିଦ୍ଧୁ ବିଳମ୍ବରେ ହେଲେ ସୁଦ୍ଧା ଗିରଫ ହୋଇଛନ୍ତି । ସିଦ୍ଧୁ ବଲିଉଡ୍ ଅଭିନେତା ସନ୍ନି ଦେଓଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉଠାଇ ଥିବା ଏକ ଫଟୋକୁ ବିରୋଧୀ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରି ଜାନୁୟାରୀ ୨୬ ତାରିଖ ହିଂସା ସରକାରୀ ପ୍ରୟୋଜିତ ବୋଲି ଦାବୀ କରିବାକୁ ପଛାଉ ନାହାନ୍ତି । ଅନ୍ୟ ପକ୍ଷରେ, ଏକ ଖାଲିସ୍ତାନୀ ସମର୍ଥିତ ସଂଗଠନ ଏହି ହିଂସା ପଛରେ ରହିଛି ବୋଲି ସରକାର ପାଲଟା ଅଭିଯୋଗ କରିଛନ୍ତି । ଦିଲ୍ଲୀ ପୁଲିସ ଏସଂପର୍କରେ କିଛି ଚାଷୀ ନେତାଙ୍କୁ ଜେରା କରିବାକୁ ନୋଟିସ ଜାରି କରିଥିବା ବେଳେ ତିନି କୃଷି ଆଇନ ପ୍ରତ୍ୟାହାର ଦାବୀରେ ଚାଲି ଥିବା ଚାଷୀ ଆନ୍ଦୋଳନକୁ ଦମନ କରିବା ପାଇଁ ଓ ସୀମାନ୍ତରୁ ସମସ୍ତ ଅବରୋଧ ହଟାଇବା ପାଇଁ ଏହା କେନ୍ଦ୍ର ସରକାରଙ୍କ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ଚାଷୀ ନେତାଙ୍କ ଆଡୁ ଅଭିଯୋଗ କରାଯିବା ସହ ଆନ୍ଦୋଳନ ଜାରି ରଖିବା ସକାଶେ ବଳ ଗୋଟାଇବା ପାଇଁ ବିଭିନ୍ନ ସ୍ଥାନରେ ଖାପ୍ ପଂଚାୟତ ଚାଲିଛି । ଏହାଦ୍ୱାରା ଆନ୍ଦୋଳନର ଶକ୍ତିବୃଦ୍ଧି ଘଟୁଥିବା ମଧ୍ୟ ସୂଚନା ମିଳୁଛି ।
ଏଭଳି ଏକ ଜଟିଳ ସ୍ଥିତିରେ ସାମନାକୁ ଆସିଛି ‘ଟୁଲକିଟ୍’ ମାମଲା । ଗ୍ରେଟା ଥମବର୍ଗ ନାମକ ଜଣେ ବିଦେଶୀ ପରିବେଶ କର୍ମୀ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇ ଥିବା ଭାରତୀୟ ଚାଷୀଙ୍କ ପ୍ରତି ସମର୍ଥନ ଜଣାଇ ନିଜ ଟ୍ୱିଟର୍ ହ୍ୟଣ୍ଡେଲ୍ ରେ ଟ୍ୱିଟ୍ କରିବା କଥାକୁ ନେଇ କେନ୍ଦ୍ର ସରକାର କ୍ଷୁବ୍ଧ । କେବଳ ଗ୍ରେଟା ନୁହନ୍ତି, ଅନ୍ୟ କିଛି ବିଦେଶୀ ସାମାଜିକ କର୍ମୀ ଓ ସେଲେବ୍ରିଟି ଚାଷୀ ଆନ୍ଦୋଳନ ସମର୍ଥନରେ ଟ୍ୱିଟ୍ କରିବା ପରେ ସରକାର ଆମେରିକୀୟ ମାଇକ୍ରୋବ୍ଲଗିଂ ସଂସ୍ଥା ‘ଟ୍ୱିଟର୍’କୁ ଏଥିପାଇଁ ଦାୟି କରି ନାଲି ଆଖି ଦେଖାଇବା ସହ ଭାରତରେ ଥିବା ତାହାର କାର୍ଯ୍ୟକର୍ତ୍ତାଙ୍କୁ ଜେଲ୍ ପଠାଇବାକୁ ଧମକ ଦେଇଥିଲେ । କିଛି ଦେଶୀ ସେଲେବ୍ରିଟି ସରକାରଙ୍କ ସମର୍ଥନରେ ଆଗକୁ ଆସି ବିଦେଶୀ ସେଲେବ୍ରେଟିଙ୍କୁ ‘ଟ୍ରୋଲ୍’ କରିବା ସହ ଏହା ଦେଶର ଆଭ୍ୟନ୍ତରୀଣ ମାମଲା ବୋଲି ଦର୍ଶାଇ ଏଭଳି ଟ୍ୱିଟ୍ ରୁ ନିବୃତ୍ତ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇ ଥିଲେ । ସେତିକିରେ କଥା ସରି ନଥିଲା । ଚାଷୀଙ୍କ ସମର୍ଥନରେ ବିଦେଶୀ ସେଲଲେବ୍ରିଟିଙ୍କ ଟ୍ୱିଟ୍ ପଛରେ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀଙ୍କ ହାତ ରହିଛି ବୋଲି ସରକାର ପ୍ରଚାର କରି ଗୁଗୁଲ ଡକୁମେଂଟ୍ ‘ଟୁଲକିଟ୍’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ।
ଦିଲ୍ଲୀ ପୁଲିସ୍ ‘ଟୁଲକିଟ୍’ ବିରୋଧରେ ଏତଲା ଦାଏର କଲେ ମଧ୍ୟ ସେଥିରେ ଗ୍ରେଟା ଥମବର୍ଗଙ୍କୁ ଅଭିଯୁକ୍ତ ନ ଦର୍ଶାଇ ‘ଟୁଲକିଟ୍’ ପ୍ରତିଷ୍ଠାତାଙ୍କୁ ଖୋଜିବା ଆରମ୍ଭ କଲେ । ଏହି ଅଭିଯାନ ସମୟରେ ଫେବୃୟାରୀ ୧୩ ତାରିଖ ଦିନ ପୁଲିସ ବେଂଗାଲୁରୁରୁ ଦିଶ୍ଶା ରବି ନାମକ ଜଣେ ୨୨ ବର୍ଷିଆ ପରିବେଶ କର୍ମୀଙ୍କୁ ଉଠାଇ ଅଣି ଦେଶଦ୍ରୋହ ମାମଲାରେ ଛନ୍ଦି ଦେଲେ । ପୁଲିସର ଅଭିଯୋଗ ହେଲା, ଦିଶ୍ଶା ରବି ଗ୍ରେଟାଙ୍କ ଟ୍ୱିଟ୍ କୁ ‘ଟୁଲକିଟ୍’ ସହାୟତାରେ ଏଡିଟ୍ କରିଛନ୍ତି ଏବଂ ପରେ କିଛି ଟ୍ୱିଟ୍ ସହ ‘ହ୍ୱାଟସ୍ ଆପ୍’ ଚାଟିଂକୁ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଡ଼ିଲିଟ୍ କରିଛନ୍ତି । ଜୁମ୍ ଆପ୍ ମାଧ୍ୟମରେ ସେ ଭିଡ଼ିଓ କନ୍ଫରେନ୍ସିଂ କରି ଜାନୁୟାରୀ ୨୬ ତାରିଖ ଟ୍ରାକ୍ଟର ରାଲି ସମୟର ହିଂସାକୁ ରୂପାୟିତ କରିଥିଲେ । ଦେଶ ବିରୋଧୀ ଖାଲିସ୍ତାନୀ ସଂଗଠନ ପିଜେଏଫ୍ ସହ ସେ ସଂପୃକ୍ତ ।
ଦିଲ୍ଲୀ ପୁଲିସ ଗୋପନୀୟତା ରକ୍ଷା କରି ଫେବୃୟାରୀ ୧୩ ଭୋରରେ ବେଂଗାଲୁରୁ ପହଂଚି ଥିଲେ । ସ୍ଥାନୀୟ ପୁଲିସକୁ କିଛି ନ ଜଣାଇ ଦିଶ୍ଶାଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲେ । ଏପରିକି, ଟ୍ରଂଜିଟ୍ ରିମାଂଡରେ ନେବା ସକାଶେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବାର ଆଇନଗତ ଲୌକିକତା ମଧ୍ୟ ଦିଲ୍ଲୀ ପୁଲିସ ଏଡାଇ ଯାଇଥିଲେ । ଏହାକୁ ନେଇ ବରିଷ୍ଠ ଆଇନଜୀବୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଅପରାଧର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତାହା ଜଘଣ୍ୟ ହୋଇଥିଲେ ଟ୍ରାଂଜିଟ୍ ରିମାଣ୍ଡ୍ ର ଆବଶ୍ୟକତା ପଡି ନ ଥାଏ ବୋଲି କିଛି ବରିଷ୍ଠ ଆଇନଜୀବୀ ଯୁକ୍ତି ରଖିଛନ୍ତି । ଦିଶ୍ଶାଙ୍କୁ ଦିଲ୍ଲୀ ଆଣାଯିବା ପରେ ପୁଲିସ ପକ୍ଷରୁ ଅଦାଲତରେ ହାଜର କରାଯାଇ ୫ ଦିନିଆ ରିମାଂଡରେ ନିଆ ଯାଇଥିଲା । ରିମାଂଡ ଅବଧି ପରେ ସେ ତିନି ଦିନ ପାଇଁ ନ୍ୟାୟିକ ହାଜତକୁ ଯାଇଥିଲେ ଏବଂ ଦିଶ୍ଶାଙ୍କ ଓକିଲ ଦିଲ୍ଲୀ ସେସନ୍ସ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ।
ଦିଲ୍ଲୀର ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣା ଦିଶ୍ଶାଙ୍କ ଜାମିନ ଆବେଦନର ଶୁଣାଣୀ କରି ପୁଲିସ ପକ୍ଷରୁ ହୋଇଥିବା ଦେଶଦ୍ରୋହ ଅଭିଯୋଗର ପ୍ରାମାଣିକ ତଥ୍ୟ ଉପସ୍ଥାପନ କରାଯିବା ସକାଶେ ନିର୍ଦେଶ ଦେଇଥିଲେ । ତେବେ, ଅଦାଲତରେ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ରାଜୁ ଥତମତ ହେବାରୁ ସେସନ୍ସ ଜଜ୍ ରାଣା ଅସନ୍ତୋଷ ପ୍ରକାଶ କରି ଠୋସ୍ ପ୍ରମାଣ ନ ଥାଇ କିଭଳି ଜଣେ ୨୨ ବର୍ଷର ବାଳିକାକୁ ପୁଲିସ ବେଂଗାଲୁରୁରୁ ଉଠାଇ ଆଣି ଜେଲରେ ପୁରାଇ ଦେଲେ ବୋଲି ପ୍ରଶ୍ନ କରିଥିଲେ । ପୁଲିସକୁ ଠୋସ୍ ପ୍ରମାଣ ସହ ୨୩ ତାରିଖ ଅଦାଲତରେ ଉପସ୍ଥିତ ହେବାକୁ ନିର୍ଦେଶ ଦେଇ ସେ ଦିଶ୍ଶାଙ୍କ ଜାମିନ ଆବେଦନ ଉପରେ ରାୟକୁ ଫେବୃୟାରୀ ୨୩ ପର୍ଯ୍ୟନ୍ତ ସ୍ଥଗିତ ରଖି ଥିଲେ । ତେବେ, ଦିଲ୍ଲୀ ପୁଲିସର ସାଇବର୍ ସେଲ୍ ୨୨ ତାରିଖ ଦିନ ଦିଶ୍ଶାଙ୍କୁ ଦିନିକିଆ ରିମାଂଡରେ ନେଇ ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ନିକିତା ଜାକୋବ ଓ ଶାନ୍ତନୁ ମୁଲୁକଙ୍କ ସହ ମୁହାଁମୁହିଁ କରିଥିଲେ । ତଥାପି, ପୁଲିସକୁ କାଣିଚାଏ ସୁଦ୍ଧା ପ୍ରମାଣ ମିଳି ନଥିଲା ।
ଫେବୃୟାରୀ ୨୩ରେ ଦିଶ୍ଶାଙ୍କ ଜାମିନ ଆବେଦନ ଉପରେ ରାୟ ଦେବା ପୂର୍ବରୁ ଦିଲ୍ଲୀ ଅତିରିକ୍ତ ସେସନ୍ସ ଜଜ୍ ରାଣା ଦିଲ୍ଲୀ ପୁଲିସକୁ ଦିଶ୍ଶାଙ୍କ ଅପରାଧ ସାବ୍ୟସ୍ତ କରିବାକୁ ପ୍ରମାଣ ଉପସ୍ଥାପନ ପାଇଁ କହିଥିଲେ । ତେବେ, ପୁଲିସ ତାହା କରି ନ ପାରି ଅଧିକ ଚାରି ଦିନ ରିମାଂଡ ମାଗିବାରୁ ବିଚାରପତି ବିରକ୍ତ ହୋଇ କୌଣସି ଠୋସ୍ ପ୍ରମାଣ ନ ଥାଇ ଜଣେ ୨୨ ବର୍ଷିଆ ଝିଅକୁ କେମିତି ୧୦ ଦିନ କାଳ ଜେଲରେ ପୁରାଇଲ ବୋଲି ପ୍ରଶ୍ନ କରିଥିଲେ । ଦିଶ୍ଶାଙ୍କ ଜାମିନ ମଂଜୁର କରି ସେ ଦେଇଥିବା ରାୟରେ ଅତିରିକ୍ତ ସେସନ୍ସ ଜଜ୍ ରାଣା ସରକାର ଓ ଦିଲ୍ଲୀ ପୁଲିସ ପ୍ରତି କଡା ଟିପ୍ପଣୀ ଦେଇଛନ୍ତି । ‘ଯେକୌଣସି ଗଣତନ୍ତ୍ରରେ ଜନତା ହେଉଛନ୍ତି ସରକାରଙ୍କ ମାର୍ଗଦର୍ଶକ (କନସାଇନ୍ସ କିପର୍) । ସରକାରଙ୍କ ନୀତି ସହ ସହମତ ନ ଥିବା ବ୍ୟକ୍ତିଙ୍କୁ ସେମିତି ଜେଲରେ ପୁରାଇ ଦେଇ ହେବ ନାହିଁ’ ବୋଲି ସେ ମତବ୍ୟକ୍ତ କରିଥିବା ଜଣାପଡିଛି ।
ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ୧୯ଧାରାରେ ଭିନ୍ନମତ ପ୍ରକାଶ କରିବା ଅଧିକାର ପ୍ରତ୍ୟେକ ନାଗରିକର ରହିଛି । ବାକ୍ ସ୍ୱାଧୀନତା, ତାହାର ପରିପ୍ରକାଶ କରିବା ଏବଂ ବିଶ୍ୱବାସୀଙ୍କ ନିକଟରେ ତାହା ପହଂଚାଇବା ଅଧିକାର ପ୍ରତ୍ୟେକଙ୍କର ରହିଛି । ତେବେ, ତାହା ଆଇନର ଚାରି କାନ୍ଥ ମଧ୍ୟରେ ରହି ଥିବା ଆବଶ୍ୟକ । ‘ହ୍ୱାଟସ୍ ଆପ୍’ ଗୃପ୍ ତିଆରି କରିବା ଓ ‘ଟୁଲକିଟ୍’କୁ ସଂପାଦନା କରିବା ଅପରାଧ ନୁହେଁ । ଯଦି ସଂପାଦିତ ତଥ୍ୟ ଆପତ୍ତିଜନକ ହୋଇ ନଥିବ । ସାମାନ୍ୟ ‘ହ୍ୱାଟସ୍ ଆପ୍’ ଚାଟ୍ ଡ଼ିଲିଟ୍ କୁ ନେଇ ଦିଶ୍ଶାଙ୍କୁ ପିଜେଏଫ୍ ସହ ଯୋଡିବା ମଧ୍ୟ ଅର୍ଥହୀନ । ଜାନୁୟାରୀ ୨୬ ତାରିଖ ଟ୍ରାକ୍ଟର ରାଲିକୁ ସରକାର ଅନୁମତି ଦେଇଥିଲେ । ତେଣୁ, ଦିଶ୍ଶାଙ୍କ ବନ୍ଧୁ ଶାନ୍ତନୁ ସେଥିରେ ଯୋଗ ଦେବାରେ କିଛି ଆଇନଗତ ସମସ୍ୟା ନାହିଁ । ଦିଶ୍ଶା କୌଣସି ପ୍ରକାର ଦେଶଦ୍ରୋହ ଅପରାଧରେ ସଂପୃକ୍ତ ଥିବା ପ୍ରମାଣ ଅଦାଲତ ସାମନାରେ ଉପସ୍ଥାପନ କରିବାରେ ପୁଲିସ ସକ୍ଷମ ନ ଥିବାରୁ ଏବଂ ଚାଷୀ ଆନ୍ଦୋଳନ ସଂପର୍କିତ ଦିଶ୍ଶାଙ୍କ ପୋଷ୍ଟ୍ ମଧ୍ୟ ଦେଶରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ନଥିବାରୁ ତାଙ୍କ ଜାମିନ ଆବେଦନକୁ ନାମଂଜୁର କରିବାର କୌଣସି କାରଣ ସେ ଦେଖୁ ନାହାନ୍ତି । ଅତିରିକ୍ତ ସେସନ୍ସ ଜଜ୍ ରାଣା ତାଙ୍କ ରାୟରେ ଏହା ଉଲ୍ଲେଖ କରି ଦିଶ୍ଶାଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ଏକ ଲକ୍ଷ ଟଙ୍କା ଟଙ୍କା ଲେଖାଏଁ ଦୁଇଟି ସ୍ୟୁରିଟିରେ ଜାମିନ ପ୍ରଦାନ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ହେଉଛି, ଦିଶ୍ଶା ରବିଙ୍କୁ ଦିଲ୍ଲୀ ପୁଲିସ ୧୦ ଦିନ ଜେଲ୍ ରେ ରଖି ଥିଲେ ମଧ୍ୟ ତାଙ୍କ ବିରୋଧରେ ଆଣିଥିବା ଦେଶଦ୍ରୋହ ଅଭିଯୋଗକୁ ସାବ୍ୟସ୍ତ କରି ପାରି ନାହାନ୍ତି । ଅଦାଲତରେ ପୁଲିସ କାଣିଚାଏ ପ୍ରମାଣ ମଧ୍ୟ ଉପସ୍ଥାପନ କରି ନାହାନ୍ତି । ଏହା ପୁଲିସର ଅପାରଗତା କୁହାଯିବ ନା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ମାତ୍ରାଧିକ ପ୍ରତିକ୍ରିୟା କୁହାଯିବ ? ଜାମିନ ଉପରେ ଶୁଣାଣୀ ସମୟରେ ଦିଶ୍ଶା ଅଦାଲତରେ କହିଥିଲେ, ଚାଷୀ ଆନଦୋଳନକୁ ସମର୍ଥନ ଦେଲେ ଯଦି ଜେଲ ଯିବାକୁ ପଡୁଛି ସେଥିପାଇଁ ସେ ପ୍ରସ୍ତୁତ । ଦିଶ୍ଶାଙ୍କ ଏହି ନିର୍ଭିକ ଉକ୍ତି ରାତାରାତି ତାଙ୍କୁ ସେଲିବ୍ରିଟିରେ ପରିଣତ କରିଛି । ଜାମିନ ମଂଜୁର କରି ବିଚାରପତି ରାଣା ଦେଇଥିବା ରାୟ ମଧ୍ୟ ଆଇନ ବିଶାରଦ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଅତୀତରେ ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ରାଜନେତା ଓ ସାମ୍ବାଦିକ କେନ୍ଦ୍ର ସରକାରଙ୍କ ଏଭଳି ଅସହିଷ୍ଣୁତା ଶିକାର ହୋଇଛନ୍ତି । ଦେଶଦ୍ରୋହ ମାମଲାରେ କେତେ ଜଣ ଜେଲରେ ଥିବା ବେଳେ ଆଉ କେତେ ଜଣ ସୁପ୍ରିମ କୋର୍ଟରେ ଆବେଦନ କରି ରାୟ ଅପେକ୍ଷାରେ ଅଛନ୍ତି । ସରକାର କଥା କଥାରେ ଯେଭଳି ଦେଶଦ୍ରୋହ ମାମଲା ରୁଜୁ କରୁଛନ୍ତି ସେଥିରେ ନିଜ ବନ୍ଧୁମାନଙ୍କ ସହ ‘ଜୋକ୍’ କରିବାକୁ ମଧ୍ୟ ଭୟ ଲାଗୁଛି ବୋଲି ଜଣେ ବରିଷ୍ଠ ଆଇନଜ୍ଞ ମନ୍ତବ୍ୟ ଦେଇଥିବା ବେଳେ ଭାରତୀୟ ଗଣତନ୍ତ୍ର ବର୍ତ୍ତମାନ ବିପଜ୍ଜନକ ସ୍ଥିତିରେ ବୋଲି ଆଉ କିଛି ଆଇନଜ୍ଞ ମତ ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ରେବେକା ଜନ୍ ନିକଟରେ ‘ଲାଇଭ୍ – ଲ’ ଦ୍ୱାରା ଆୟୋଜିତ ଏକ ୱେବ୍ନିଅର୍ରେ ନିଜ ମତ ରଖି ଅଦାଲତଗୁଡିକ ଦେଶଦ୍ରୋହ ଭଳି ଅଭିଯୋଗରେ ଅଭିଯୁକ୍ତଙ୍କୁ ପୁଲିସ ରିମାଂଡ ଦେବା ସମୟରେ ସାଧାରଣ କିରାଣୀ ଭଳି କାର୍ଯ୍ୟ ନ କରି ପୁଲିସ ଦ୍ୱାରା ଉପସ୍ଥାପିତ ସମସ୍ତ ନଥିପତ୍ରକୁ ତନ୍ନତନ୍ନ କରି ଯାଂଚ କରିବା ଉଚିତ ବୋଲି କହିଛନ୍ତି । ଦିଶ୍ଶାଙ୍କ ମାମଲାକୁ ନେଇ ଏବେ ଯେଭଳି ତର୍ଜମା ଚାଲିଛି ତାହା ଆଗାମୀ ଦିନରେ ପୁଲିସ ଓ ବିଚାର ବିଭାଗ ଅଧିକାରମାନଙ୍କୁ ଅଧିକ ସଚେତନ କରିବ ବୋଲି ଆଶା କରାଯାଉଛି।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS