ବିଜେପିର ଓଡ଼ିଶା ଏକ୍ସପିରିମେଂଟ୍ ଏବେ ପଶ୍ଚିମ ବଂଗରେ…
ପ୍ରସାଦ ରାଓ
ଭୁବନେଶ୍ୱର
୨୮ ଫେବୃୟାରୀ
ଆଜି ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମନେ ପଡୁଛି ୨୦୧୯ରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନ କଥା । ୨୦୧୭ ପ୍ରାରମ୍ଭରେ ହୋଇଥିବା ପଂଚାୟତ ନିର୍ବାଚରେ ବିଜେପି ଓଡ଼ିଶାରେ ସଫଳତାର ସ୍ୱାଦ ଚାଖିବା ପରେ ବିଧାନସଭା ନିର୍ବାଚନକୁ ନେଇ ବେଶ୍ ଆଶାବାଦୀ ଥିଲା ଏବଂ ଓଡ଼ିଶା ଦଖଲ କରିବାକୁ ସମସ୍ତ ଶକ୍ତି ଖଟାଇ ଥିଲା । ରାଜ୍ୟର ୧୪୭ ବିଧାନସଭା ଆସନରୁ ୧୦୦ରୁ ଅଧିକ ଦଖଲ କରିବ ବୋଲି ବିଜେପି ଚାଣକ୍ୟ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ଆକଳନ କରିଥିଲେ । ପ୍ରତି ବ୍ଲକ ଓ ପଂଚାୟତରେ ଦଳ ସକ୍ରିୟ ହୋଇ ନିଜ ସଂଗଠନକୁ ମଜଭୂତ କରିଥିଲା । ୨୦ ବର୍ଷର ନବୀନ ସରକାରଙ୍କୁ ରାଜ୍ୟବାସୀ ବିତସ୍ପୃହ । ସେମାନେ ପରିବର୍ତ୍ତନ ଚାହୁଁଛନ୍ତି । ତେଣୁ, ଦଳ ନିଶ୍ଚିତ ଭାବେ କ୍ଷମତାକୁ ଆସିବ ବୋଲି ଆସ୍ଫାଳନ କରିଥିଲେ ରାଜ୍ୟ ଓ କେନ୍ଦ୍ରର ବିଜେପି ନେତୃବୃନ୍ଦ ।
ସାଧାରଣ ନିର୍ବାଚନ ଭୋଟ ପ୍ରଚାର ସମୟରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ତତ୍କାଳନୀ ସଭାପତି ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବେଶ୍ ଆକ୍ରମଣାତ୍ମ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୋହଳ ମନୋଭାବ ଦେଖାଇ ଥିଲେ ମଧ୍ୟ ଶାହା ବିଜେଡ଼ିକୁ ଗିଳି ଦେଲା ଭଳି ଭାଷଣବାଜୀ କରୁଥିଲେ । ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ ଏବଂ ପୋଡା ଟ୍ରାନ୍ସଫର୍ମର । ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ଏହି ସରକାରକୁ ବଂଗୋପସାଗରରେ ଫିଙ୍ଗି ଦିଆଯିବ ବୋଲି ଶାହା ଲଗାତର ଆକ୍ରମଣ କରିବା ସହ କେବଳ ଡ଼ବଲ ଇଂଜିନ ସରକାର ରାଜ୍ୟକୁ ବିକାଶ ଦେଇ ପାରିବ ବୋଲି ମନ୍ତବ୍ୟ ଦେଇ ଓଡ଼ିଶାବାସୀଙ୍କୁ ବିଜେପି ମୁହାଁ କରିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ଘନ ଘନ ଓଡ଼ିଶା ଗସ୍ତ ଏବଂ ସଭା, ସମ୍ମିଳନୀ ଓ କର୍ମୀ ସମ୍ମିଳନୀ ବିଜେପି ସପକ୍ଷରେ ହାୱାର ଭ୍ରମ ସୃଷ୍ଟି କରିଥିଲା । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତ ରହୁଥିଲେ ମଧ୍ୟ ଶାସକ ବିଜେଡ଼ି ବ୍ୟତିବ୍ୟସ୍ତ ହୋଇପଡିଥିଲା ।
ଜନସାଧାରଣରେ ଧାରଣା ସୃଷ୍ଟି ହୋଇଥିଲା, ଓଡ଼ିଶା ସରକାରଙ୍କ ବିରୋଧରେ ଅନ୍ତଃସ୍ରୋତ ରହି ଥିବାରୁ ଏଥର ବିଜେପି ଆସୁଛି । ତାହା ପୃଷ୍ଟି କରିବା ପାଇଁ ବିଜେପିର ଆକ୍ରମଣାତ୍ମକ ପ୍ରଚାର ସାମୟିକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ବିଚଳିତ କରିଥିଲା । ସେ ହଡବଡାଇ ଏକାକୀ ନିର୍ବାଚନ ପ୍ରଚାରରେ ବାହାରି ଥିଲେ । ସମଗ୍ର ରାଜ୍ୟ ଗସ୍ତ କରି ବିଜେପି ପ୍ରଚାରକୁ ପ୍ରତିହତ କରିଥିଲେ । ଭୋଟ ସରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଗାଡି ନିଶ୍ୱାସ ନେଇ ନ ଥିଲା । ନିର୍ବାଚନ ଫଳାଫଳ କଣ ହେଲା, ତାହା ଓଡ଼ିଶାବାସୀ ଜାଣନ୍ତି । ବିଜେପି ନେତୃବର୍ଗଙ୍କ ଆକ୍ରମଣାତ୍ମକ ପ୍ରଚାର ଏବଂ ସାଂଗଠନିକ ପୁନର୍ବିନ୍ୟାସ ସତ୍ତ୍ୱେ ରାଜ୍ୟର ୧୪୭ ଆସନରୁ ୧୪୬ଟିରେ ନିର୍ବାଚନ ହୋଇ ଶାସକ ଦଳ ହାତକୁ ୧୧୨ଟି ଆସନ ଆସିଥିଲା । ବିଜେପି ୨୩, କଂଗ୍ରେସ ୯ଟି, ସିପିଏମ୍ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇଥିଲେ । ଅବଶ୍ୟ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବିଜେପି ରାଜ୍ୟରେ ତିନି ନମ୍ବରରୁ ଦୁଇ ନମ୍ବରକୁ ଆସିଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଏବଂ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ ଓ ମାରାଥନ୍ ନିର୍ବାଚନ ପ୍ରଚାର ସତ୍ତ୍ୱେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବାରେ ବିଫଳ ହୋଇଥିଲେ ମଧ୍ୟ ବିଧାନସଭାରେ ୧୩ଟି ଅଧିକ ଆସନ ପାଇ ମୁଖ୍ୟ ବିରୋଧୀ ଦଳର ଭୂମିକାରେ ଅଛି । ନିର୍ବାଚନରେ ବିଜେଡ଼ି ୫ଟି ଓ ଭାରତୀୟ ଜାତୀୟ କଂଗ୍ରେସ ୭ଟି ଆସନ ହରାଇଛି । ପାଟକୁରା ଆସନରୁ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଠିକ୍ ଭୋଟ ପୂର୍ବରୁ ମୃତ୍ୟୁ ଘଟିବାରୁ ଏହି ଆସନରେ ନିର୍ବାଚନ ସ୍ଥଗିତ ରହି ଥିଲା । ପରବତ୍ ର୍ତୀ ସମୟରେ ହୋଇଥିବା ଉପ ନିର୍ବାଚନରେ ବେଦୁଙ୍କ ପତ୍ନୀ ବିଜେଡ଼ିରୁ ପ୍ରାର୍ଥୀ ହୋଇ ଏହି ଆସନ ଦଖଲ କରିଛନ୍ତି ।
୨୦୧୯ ବିଧାନସଭା ନିର୍ବାଚନର ଭୋଟ ପରସେଂଟେଜ୍ କୁ ଦେଖିଲେ ବିଜେଡ଼ି ରାଜ୍ୟରେ ୪୪.୭୧ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ୩୨.୪୯ ପ୍ରତିଶତ ଓ କଂଗ୍ରେସ ୧୬.୧୨ ପ୍ରତିଶତ ଭୋଟ ପାଇଛି । ବିଜେଡ଼ି ସରକାରଙ୍କ ବିରୋଧରେ ଅନ୍ତଃସ୍ରୋତ ଥିଲେ ମଧ୍ୟ ନବୀନଙ୍କ ମାରାଥନ୍ ପ୍ରଚାର ଦଳକୁ ପୂର୍ବ ନିର୍ବାଚନ ତୁଳନାରେ ୧.୩ ପ୍ରତିଶତ ଅଧିକ ଭୋଟ ଦେଇଥିବା ବେଳେ ବିଜେପିକୁ ଅଧିକ ୧୪.୫ ପ୍ରତିଶତ ଭୋଟ ମିଳିଛି । ତେବେ, ରାଜ୍ୟରେ କଂଗ୍ରେସର ଭୋଟ ୯.୬ ପ୍ରତିଶତ ଭୋଟ କମିଛି । ମୋଟାମୋଟି କହିବାକୁ ଗଲେ, ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ହିଁ ବିଜେପିର ଭୋଟ ହାର ବୃଦ୍ଧିର ପ୍ରମୁଖ କାରଣ ହୋଇଥିଲା । ଦଳ କଂଗ୍ରେସକୁ ତୃତୀୟ ସ୍ଥାନକୁ ଖସାଇ ରାଜ୍ୟ ବିଧାନସଭାରେ ଦ୍ୱିତୀୟ ସ୍ଥାନକୁ ଉଠି ଥିଲା ।
ଅବଶ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଭଲ ଫଳାଫଳ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଜାତୀୟତାବାଦ ନାମରେ ଭୋଟ ହୋଇ ଥିବାରୁ ଓଡ଼ିଶାବାସୀ ରାଜ୍ୟ ପାଇଁ ନବୀନଙ୍କୁ ଓ କେନ୍ଦ୍ର ପାଇଁ ମୋଦୀଙ୍କୁ ବାଛିଛନ୍ତି । ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେଡ଼ିକୁ ୧୨ଟି ଆସନ ମିଳିଥିବା ବେଳେ ବିଜେପି ତାହାର ସଂଖ୍ୟା ‘ଏକ’ରୁ ୮କୁ ବୃଦ୍ଧି କରିଛି । କଂଗ୍ରେସ ଦଳ ମାତ୍ର ଗୋଟିଏ ଆସନରେ ସୀମିତ ରହିଛି । ୨୦୧୯ ନିର୍ବାଚନରେ ବିଜେପି ପାଇଁ ବଡ଼ ସଫଳତା ଥିଲା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ମାନଜନକ ଆସନ ଭୁବନେଶ୍ୱରରୁ ବିଜୟୀ ହେବା । ଆଇଏଏସ୍ ବନାମ ଆଇପିଏସ୍ ଲଢେଇରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ (ପୂର୍ବତନ ଆଇଏଏସ୍) ବିଜେଡ଼ି ପ୍ରାର୍ଥୀ ଅରୁପ ପଟ୍ଟନାୟକ (ପୂର୍ବତନ ମୁଂବାଇ ପୁଲିସ କମିସନର ତଥା ଆଇପିଏସ୍)ଙ୍କୁ ପରାଜିତ କରି ବିଜେପିକୁ ସଫଳତାର ଶିରିପା ପିନ୍ଧାଇ ଥିଲେ । ଏହାଛଡା, ବାଲେଶ୍ୱର, ବରଗଡ଼, ବଲାଂଗୀର, କଳାହାଂଡି, ମୟୁରଭଂଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଭଳି ଅତି ସ୍ପର୍ଶକାତର ଓ ସମ୍ମାନଜନକ ଲୋକସଭା ଆସନ ଦଳ ହାତକୁ ଯାଇଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିକୁ ମାତ୍ର ଗୋଟିଏ ଲୋକସଭା ଆସନ ମିଳିଥିଲା, ତାହା ହେଉଛି ସୁନ୍ଦରଗଡ଼ । ୨୦୧୯ରେ ଦଳ ୮ଟି ଆସନ ପାଇଛି । ଭାରତୀୟ ଜାତୀୟ କଂଗ୍ରେସ ମାତ୍ର କୋରାପୁଟ ଲୋକସଭା ଆସନରେ ସୀମିତ ରହିଛି ।
୨୦୨୧ରେ ହେଉଥିବା ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ୨୦୧୯ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନର ଆଲୋଚନା ହେବା ପାଠକଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ତେବେ, ଏହି ଆଲୋଚନାର କାରଣ ହେଉଛି, ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶା ଦଖଲ ପାଇଁ ଯେଉଁ ରଣକୌଶଳ ପ୍ରସ୍ତୁତ କରିଥିଲା ତାହା ଏବେ ପଶ୍ଚିମ ବଂଗରେ ଦୋହରାଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲୋକଚକ୍ଷୁରେ ନିନ୍ଦିତ କରିବା ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ଭୋଟ ତାରିକ ଘୋଷରାର ବହୁ ପୂର୍ବରୁ ରାଜ୍ୟରେ ଟିଏମସି ବିରୋଧୀ ପ୍ରଚାର ଅଭିଯାନକ ୁ ଶାଣିତ କରିଛି । ଟିଏମସିରେ ବିଭାଜନ ସୃଷ୍ଟି କରି ଦଳର ବହୁ ତୁଂଗ ନେତାଙ୍କୁ ନିଜ ଆଡକୁ ଟାଣିଛି । ଓଡ଼ିଶାରେ ଯେଭଳି ଫିଲ୍ମ ଷ୍ଟାର୍ ଓ କ୍ରୀଡାବିତ୍ ଙ୍କୁ ଦଳକୁ ଟାଣିବାର ଉଦ୍ୟମ କରିଥିଲା ସେଭଳି ବଂଗଲାରେ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଓ କ୍ରିକେଟର୍ ସୌରଭ ଗାଂଗୁଲିଙ୍କୁ ବିଜେପିକୁ ଟାଣିବା ପ୍ରୟାସରେ ଅଛି । କୌଣସି ପ୍ରକାର ପଶ୍ଚିମ ବଂଗ ଦଖଲ କରିବା ଏହି ନିର୍ବାଚନରେ ବିଜେପିର ଏକମାତ୍ର ଲକ୍ଷ୍ୟ ହୋଇଛି ।
୨୦୧୪ରୁ ଦେଶରେ ବିଜେପି ନେତୃତ୍ୱାଧୀନ ସରକାର ପ୍ରତିଷ୍ଠା ହେବା ପରେ ଦଳ ତାହାର ବିସ୍ତାରବାଦୀ ଆଭିମୁଖ୍ୟକୁ ଶାଣିତ କରି ସମଗ୍ର ଦେଶକୁ ଭଗୁଆକରଣ କରିବାର ଯେଉଁ ଅଭିଯାନ ଚଳାଇଛି ସେଥିରେ ଆସାମକୁ ଗିଳି ସାରିଥିବା ବେଳେ ଓଡ଼ିଶା ଓ ପଶ୍ଚିମ ବଂଗ ଉପରେ ଦଳର ନଜର ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ତାହାର ଅକ୍ରମଣାତ୍ମକ ରାଜନୀତିର ପରୀକ୍ଷା ନରୀକ୍ଷା କରିଥିଲା । ସେଥିରେ ଆଶାସୂଚକ ସଫଳତା ମିଳି ନ ଥିବାରୁ ୨୦୨୪ ନିର୍ବାଚନକୁ ଆଖି ରଖିଛି । ବଂଗଳା ଦେଇ ଓଡ଼ିଶାକୁ ମାଡିବା ସକାଶେ ଦଳ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି ବୋଲି ନିଜେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ବିଭିନ୍ନସଭାରେ ମନ୍ତବ୍ୟ ଦେଇ ମନକୁ ଖୋଲି ସାରିଛନ୍ତି । ଏକୋଇସୀ ନିର୍ବାଚନରେ ପଶ୍ଚିମ ବଂଗ ଦଖଲ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ ବ୍ୟବସ୍ଥା ହୋଇଛି । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଆଉ ୭ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୯ ପର୍ଯ୍ୟନ୍ତ ଚାଲିବ । ମେ’୨ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।
ଦେଶର ମୁଖ୍ୟ ନିର୍ବାଚନ କମିସନର୍ ଶୁକ୍ରବାର (ଫେବୃୟାରୀ ୨୬ ତାରିଖ) ଦିନ ପଶ୍ଚିମ ବଂଗ ସମେତ ପାଂଚଟି ରାଜ୍ୟ ପାଇଁ ଭୋଟ ତାରିଖ ଘୋଷଣା କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ପଶ୍ଚିମ ବଂଗର ୨୯୪ ବିଧାନସଭା କ୍ଷେତ୍ରରେ ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬ ଓ ଏପ୍ରିଲ ୨୯ରେ ଭୋଟ ହେବ । ଆସାମରେ ତିନି ପର୍ଯ୍ୟାୟରେ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ଭୋଟ ହେବାକୁ ଥିବା ବେଳେ କେରଳ, ତାମିଲନାଡୁ ଓ କେନ୍ଦ୍ର ଶାସିତ ଅଂଚଳ ପୁଡୁଚେରୀରେ ଏପ୍ରିଲ ୬ ତାରିଖ ଗୋଟିଏ ପର୍ଯ୍ୟାୟରେ ଭୋଟ ସରିବ । ଆସାମରେ ବିଜେପିର ସରକାର ଅଛି । କେରଳ, ତାମିଲନାଡୁରେ କମ୍ୟୁନିଷ୍ଟ ଓ ଆଂଚଳିକ ଦଳଙ୍କ ପ୍ରଭାବ ପ୍ରାରମ୍ଭ ରହି ଆସିଥିବା ବେଳେ ନିକଟରେ ପୁଡୁଚେରୀର କଂଗ୍ରେସ ସରକାରଙ୍କୁ ସଂଖ୍ୟାଲଘୁ କରି କ୍ଷମତାଚ୍ୟୁତ କରିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି । କେବଳ ପଶ୍ଚିମ ବଂଗ ବିଜେପିର ଚିନ୍ତାର କାରଣ ରହିଛି ।
ବ୍ୟାପକ ସଂଖ୍ୟାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରି ଭୋଟ କେନ୍ଦ୍ରଗୁଡିକୁ ନିଜ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାର ଭାରତୀୟ ନିର୍ବାଚନ କମିସନଙ୍କୁ ପ୍ରଭାବିତ କରି ରାଜ୍ୟରେ ୮ଟି ପର୍ଯ୍ୟାୟରେ ଭୋଟ କରାଉଛନ୍ତି ବୋଲି ସିଇସିଙ୍କ ଦ୍ୱାରା ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଭୋଟ ପ୍ରଚାର ସାରି ତୁଂଗ ବିଜେପି ନେତାମାନେ ଯେଭଳି ସବୁ ପର୍ଯ୍ୟାୟ ଭୋଟ ପ୍ରଚାରରେ ନିଜ ଉପସ୍ଥିତି ଜାହିର କରି ପାରିବେ ସେଥିସକାଶେ ଏଭଳି ଧୃବୀକରଣ କରାଯାଇଛି ବୋଲି ମମତା କହିଛନ୍ତି । ତେବେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହା ଅସ୍ୱୀକାର କରି କହିଛନ୍ତି, ପଶ୍ଚିମ ବଂଗ ରାଜ୍ୟ ମାତ୍ରାଧିକ ହିଂସା ପ୍ରବଣ ଥିବାରୁ ସୁରକ୍ଷା ବଳର ସମୁଚିତ ବିନିଯୋଗ ଏବଂ କୋଭିଡ଼-୧୯ ଗାଇଡଲାଇନ୍ ସଠିକ୍ ପରିପାଳନ ମାଧ୍ୟମରେ ଭୋଟ କରାଇବାକୁ ନିର୍ବାଚନ କମିସନ ଚାହିଁ ଥିବାରୁ ରାଜ୍ୟରେ ୮ଟି ପର୍ଯ୍ୟାୟରେ ଭୋଟ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ କିଛି କରିବାର ନାହିଁ ।
ଅବଶ୍ୟ ପଶ୍ଚିମ ବଂଗରେ ବହୁ ପର୍ଯ୍ୟାୟରେ ବିଧାନସଭା ଭୋଟିଂ କରାଇବାକୁ କେନ୍ଦ୍ର ସରକାର ନିର୍ବାଚନ କମିସନଙ୍କୁ ଅନୁରୋଧ କରିଥିଲେ । ଯାହାବା ନିଷ୍ପତ୍ତି ହୋଇଛି, ତାହା ଏକାନ୍ତ ଭାବେ ନିର୍ବାଚନ କମିସନ୍ ର ବୋଲି ଶାହା ସଫେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହିଂସାତ୍ମକ ରାଜନୀତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶାହା କହିଥିଲେ, ପଶିଚିମ ବଂଗରେ ୩୦୦ ବିଜେପି କର୍ମୀଙ୍କୁ ଇତିମଧ୍ୟରେ ହତ୍ୟା କରାଗଲାଣି । ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଟିଏମସି କର୍ମୀମାନେ ବିଜେପି ସମର୍ଥକଙ୍କ ଉପରେ ନିତି ଦିନ ଆକ୍ରମଣ ଜାରି ରଖିଛନ୍ତି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବିରୋଧରେ ଏକାପରି ଅଭିଯୋଗ ଆଣି ଟିଏମସି କର୍ମୀଙ୍କ ଉପରେ ରିତିମତ ଆକ୍ରମଣ ହେଉଛି ବୋଲି ଅଭିଯୋଗ କରିଛନ୍ତି । ତାହା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟରେ ନିର୍ବାଚନର ପଦଧ୍ୱନୀ ଶୁଣିବାକୁ ମିଳିବା ପରଠାରୁ ଉଭୟ ଶାସକ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ସାରିଛି । ଭୋଟ ସମୟରେ ତାହା ବିସ୍ଫୋରକ ରୂପ ନେବା ଆଶଙ୍କା କରାଯାଉଛି । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ନିଜ କ୍ଷମତା ଜାହିର କରି ପରିସ୍ଥିତି ନିଜ ଆଡକୁ ନେବାକୁ ଉଦ୍ୟମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ରାଜ୍ୟ ପୁଲିସକୁ ବ୍ୟବହାର କରି ଏହାର ମୁକାବିଲା କରୁଛନ୍ତି । ବିଜେପି ଓ ଟିଏମସିର ଏହି ଆକ୍ରମଣାତ୍ମକ ରାଜନୀତିରେ ସାଧାରଣ ଭୋଟର ଅଶ୍ୱସ୍ତି ଅନୁଭବ କରୁଛନ୍ତି । ଭୋଟ ଆସିଲେକେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ସିବିଆଇ, ଇଡ଼ି, ଏନସିବି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ କିଭଳି ଭାବେ ସକ୍ରିୟ ହୋଇ ଉଠନ୍ତି, ତାହା କାହାରିକୁ ଅଛପା ନାହିଁ । ଓଡ଼ିଶାରେ ୨୦୧୯ ସାଧରଣ ନିର୍ବାଚନ ପୂର୍ବରୁ ଯେଭଳି ସିବିଆଇ ‘ଚିଟ୍ ଫଣ୍ଡ୍’ ଚଢାଉକୁ କ୍ରିୟାଶୀଳ କରି ଶାସକ ବିଜେଡ଼ିକୁ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ ୨୦୨୧ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ମଧ୍ୟ ଟିଏମସିକୁ ଭୟଭୀତ କରିବା ସକାଶେ ଦଳର ଦୁଇ ନମ୍ବର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ତାଙ୍କ ପତ୍ନୀ ଓ ଶାଳୀଙ୍କୁ ପଶ୍ଚିମ ବଂଗ ‘କୋଲ୍ ସ୍କାମ୍’ରେ ଜଡିତ କରି ଜେରା କରୁଛନ୍ତି । ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଭୟଭୀତ କରିବା ସକାଶେ ବିଜେପିର ଏହା ଏକ ପୁରୁଣା ଚାଲ୍ ବୋଲି ମମତା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏଭଳି ରଣନୀତିରେ ପଛୁଆ ନୁହଁନ୍ତି । ବିଜେପିକୁ ତା’ରି ଭାଷାରେ ବୁଝାଇବା ପାଇଁ କୋଲକାତା ପୁଲିସ ନିକଟରେ ପାମେଲା ଗୋସ୍ୱାମୀ ନାମକ ଜଣେ ବିଜେପି ନେତ୍ରୀଙ୍କୁ କେକେନ୍ ସହ ଗିରଫ କରିଛନ୍ତି । ପାମେଲାଙ୍କ କାର୍ ରୁ କୋକେନ୍ ଜବତ ହୋଇଛି । ତେବେ, ପାମେଲା ଏଥିସକାଶେ ରାଜ୍ୟର ଅନ୍ୟ ଜଣେ ବିଜେପି ନେତା ରାକେଶ ସିଂହଙ୍କ ଆଡକୁ ଆଂଗୁଠି ଦେଖାଇ ବିଜେପିର ଅଡୁଆ ବଢାଇଛନ୍ତି । ରାକେଶ ତାଙ୍କ ଗାଡିରେ କୋକେନ୍ ରଖି ତାଙ୍କୁ ଫସାଇ ଦେଇଛନ୍ତି ବୋଲି ପାମେଲା ଅଭିଯୋଗ କରିବା ପରେ କୋଲକାତା ପୁଲିସ ଉଭୟଙ୍କୁ ଗିରଫ କରି ଜେଲ୍ କୁ ପଠାଇଛନ୍ତି । ଏହି ଗିରଫଦାରୀ ଏକ ବଡ ଧରଣର ନିଷିଦ୍ଧ ମାଦକ ଦ୍ରବ୍ୟ କାରବାର କରୁଥିବା ଗ୍ୟାଂଗକୁ ପଦାରେ ପକାଇବାକୁ ଯାଉଛି ବୋଲି କୋଲକତା ପୋଲିସ କହିଛି । ଏହି ଘଟଣା ବିଜେପି ପାଇଁ ଅଡୁଆ ହୋଇଥିବା ବେଳେ ଏପ୍ରିଲ ୨୯ରେ ବିଧାନସଭା ନିର୍ବାଚନ ସରିବା ଭିତରେ ଏଭଳି ଅନେକ ରୋଚକ ଘଟଣା ସାମନାକୁ ଆସିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
୨୦୧୬ରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ୨୯୪ ଆସନରୁ ୨୦୯ଟି ଆସନରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ମିଳି ଥିଲା ମାତ୍ର ତିନିଟି ଆସନ । ଜିଜେଏମ୍ ୦୨, କଂଗ୍ରେସ ୨୩, ସିପିଏମ୍ ୧୯, ଅନ୍ୟ ବାମ ଦଳ ୦୨, ଆରଏସପି ୦୨ ଓ ଅନ୍ୟମାନେ ୨୪ ଆସନରେ ବିଜୟୀ ହୋଇଥିଲେ । ତେବେ, ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ୪୨ ଲୋକସଭା ଆସନ ମଧ୍ୟରୁ ୨୨ଟି ଟିଏମସିକୁ ମିଳି ଥିବା ବେଳେ ବିଜେପି ୧୮ରେ ବିଜୟୀ ହୋଇ ତାହା ଆଗାମୀ ବିଧାନସଭା ନିର୍ବାଚନରେ ଆସନ ଆକାରରେ ପ୍ରତିଫଳିତ ହେବ ବୋଲି ଆଶା ରଖିଛି । କଂଗ୍ରେସ ଦଳ ମାତ୍ର ୦୨ଟି ଲୋକସଭା ଆସରେ ବିଜୟୀ ହୋଇଥିଲା । ଟିଏମସି ଓ ବିଜେପିର ଲୋକସଭା ଆସନକୁ ନେଇ କିଛି ଗଣମାଧ୍ୟମ ଅନୁମାନ ଲଗାଇବା ଆରମ୍ଭ କରିଛନ୍ତି । ଏହି ଅଂକ ବିଧାନସଭା ନିର୍ବାଚନରେ ଯଦି କାମ କରେ ତେବେ ୨୦୨୧ ନିର୍ବାଚନରେ ଟିଏମସିକୁ ୧୭୧, ବଜେପିକୁ ୧୧୬ ଓ କଂଗ୍ରେସକୁ ୦୭ ଆସନ ମିଳିବ ବୋଲି ସେମାନେ ହିସାବ ଲଗାଇଛନ୍ତି ।
ଏଥର ରାଜ୍ୟରେ ଟିଏମସି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି । ତେବେ, କଂଗ୍ରେସ-ବାମପଂଥୀ ମେଂଟ ସହ ଦକ୍ଷିଣ ଭାରତରୁ ବିହାର ଦେଇ ଜାତୀୟ ରାଜନୀତିକୁ ଗୋଡ ମେଲାଇ ଥିବା ମୁସଲିମ୍ ସଂଗଠନ ଏଆଇଏମଆଇଏମ୍ ଏଥର ପଶ୍ଚିମ ବଂଗ ନିର୍ବାଚନରେ ଭାଗ ନେଇ ମମତାଙ୍କ ‘ମୁସଲମାନ ଗଡ଼’କୁ ଛିନ୍ନଛତର କରିବ ବୋଲି ବିଜେପି ଆଶା ରଖିଛି । ୨୦୨୧ ନିର୍ବାଚନରେ ଦଳ ରାଜ୍ୟରେ ୨୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଆଶା କରିବା ପଛରେ ଏଭଳି କିଛି ଗଣିତ ରହିଛି । ବିଜେପି ସମର୍ଥିତ ମିଡ଼ିଆ ବା ଗୋଦୀ ମିଡ଼ିଆ ପଶ୍ଚିମ ବଂଗରୁ ମମତା-ବିରୋଧୀ ରିପୋର୍ଟ ପ୍ରସାରଣ କରି ରାଜ୍ୟବାସୀ ‘ପରିବର୍ତ୍ତନ ସପକ୍ଷରେ ଅଛନ୍ତି’ ବୋଲି ଦେଶକୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ୨୦୧୯ ଓଡ଼ିଶା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ବନ୍ଦ ରଖି କାମରେ ତାଙ୍କ କମାଲ୍ ଦେଖାଇ ଥିଲେ । କିନ୍ତୁ, ମମତା ସେତେଟା ସରଳ ନୁହନ୍ତି । ରାଜ୍ୟରେ କମ୍ୟୁନିଷ୍ଟ-ବିରୋଧୀ ଲଢେଇକୁ ଶାଣିତ କରି ସେ ଟିଏମସିକୁ କ୍ଷମତାକୁ ଆଣିଛନ୍ତି । ରାଜ୍ୟରେ ୧୦ ବର୍ଷ ହେଲା ଶାସନ କରୁଛନ୍ତି । ବିଜେପିର ହଲ୍ଲାପଟାରେ ସେ କଣ ଡରି ଯିବେ ? ନିର୍ବାଚନ ତାରିଖ ଘୋଷଣାର ବହୁ ଆଗରୁ ମୋଦୀ-ଶାହାଙ୍କ ଘନଘନ ଗସ୍ତ, ମମତା-ବିରୋଧୀ ଅଭିଯାନ ଏବଂ ‘ଗୋଦି ମିଡ଼ିଆ’ର ବିଜେପି ସପକ୍ଷରେ ପ୍ରଚାର ମମତାଙ୍କୁ ବିଜୟ ପଥରୁ ରୋକିବାରେ କେତେଦୂର ସକ୍ଷମ ହେବ, ତାହା ବଡ଼ ପ୍ରଶ୍ନ ହୋଇଛି ।
ଏହି ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ ଅଡୁଆ କିଛି କମ୍ ନାହିଁ । କୋଭିଡ଼-୧୯ ଦେଶବ୍ୟାପୀ ତାଲାବନ୍ଦ ସମୟରେ ପ୍ରବାସୀ ଶ୍ରମିକ ଯେଭଳି ହତାଶ ହେଲେ ତାହାର କରୁଣ ଚିତ୍ର ବଂଗବାସୀ ଭୁଲି ନଥିବେ । ଏହାଛଡା, ଦେଶର ଅର୍ଥନୀତିର ବିପର୍ଯ୍ୟସ୍ତ ଅବସ୍ଥା, ସରକାରଙ୍କ ଜିଏସଟି ନୀତିକୁ ନେଇ ବ୍ୟବସାୟୀଙ୍କ ହତାଶା, ତୈଳ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, କର୍ମ ନିଯୁକ୍ତିର ଅଭାବ ଯୋଗୁଁ ଦେଶରେ ବେକାରୀ ସମସ୍ୟା ଚରମ ସ୍ତରରେ ପହଂଚି ଥିବା ସରକାରଙ୍କ ପାଇଁ ବଡ଼ ସମସ୍ୟା ହୋଇ ରହିଛି । ଏହାଛଡା, ଭିନ୍ନମତବାଦୀଙ୍କ ପ୍ରତି ସରକାରୀ ଅସହିଷ୍ଣୁତା, ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ତିନି ମାସ ହେଲା ଚାଲି ଥିବା ଚାଷୀ ଆନ୍ଦୋଳନର ସମାଧାନ କରିବା ପରିବତ୍ତେ ଚାଷୀଙ୍କୁ ‘ଖାଲିସ୍ତାନୀ’, ‘ଆନ୍ଦୋଳନଜୀବୀ’, ‘ପରଜୀବୀ’ କହି ସରକାର ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଏବଂ ଭିନ୍ନମତବାଦୀଙ୍କୁ ‘ଦେଶଦ୍ରୋହ’ ଅଭିଯୋଗରେ ଜେଲ୍ ପଠାଉ ଥିବା ପଶ୍ଚିମ ବଂଗବାସୀଙ୍କୁ ଅଛପା ନାହିଁ । ପଶ୍ଚିମ ବଂଗରେ ବିଜେପି କ୍ଷମତାସୀନ ହେଲେ ଜାତୀୟ ନାଗରିକ ଆଇନ ଲାଗୁ କରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଘୋଷଣା କରିସାରିଛନ୍ତି ।
ଅବଶ୍ୟ, ଏସବୁ ହେଉଛି ଜାତୀୟ ସମସ୍ୟା । ରାଜ୍ୟର ଭୋଟ ରାଜନୀତିକୁ ପ୍ରଭାବିତ କରିବା ଆଶା କ୍ଷୀଣ । ତଥାପି, ପଶ୍ଚିମ ବଂଗ ବିଧାନସଭା ଭୋଟରେ ଏସବୁ ସମସ୍ୟାକୁ ନେଇ ଜନମତ ପ୍ରତିପଳିତ ହେବ ବୋଲି ଆଶା କରାଯାଇପାରେ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଭୋଯରଙ୍କ ସାମନାରେ ଏଭଳି ଜାତୀୟ ପ୍ରସଙ୍ଗ ଥିଲା । କିନ୍ତୁ, ଜାତୀୟତାବାଦ ପ୍ରସଙ୍ଗରେ ଲୋକସଭା ଭୋଟ ହେବାରୁ ସେଥିରେ ସବୁ ଧୋଇ ଯାଇଥିଲା । ୨୦୨୧ ପଶ୍ଚିମ ବଂଗ ବିଧାନସଭା ଭୋଟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ବିରୋଧରେ ‘ରେଫରାଣ୍ଡମ୍’ ହେବ କି ରାଜ୍ୟର ଭୋଟର ଆଂଚଳିକ ସମସ୍ୟାରେ ସୀମିତ ରହି ପରିବର୍ତ୍ତନକୁ ବାଛିବେ ତାହା ମେ’ ୨ ଭୋଟ ଫଳାଫଳ ହିଁ ସ୍ପଷ୍ଟ କରିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS