ଆଗକୁ ଅଧିକ ସୁଦିନ ଆସୁଛି !
ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୦୨
ପେଟ୍ରୋଲ, ଡ଼ିଜେଲ ଓ ରୋଷେଇ ଗ୍ୟାସର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ସାଧାରଣ ଉପଭୋକ୍ତାଙ୍କ ଚିନ୍ତାର କାରଣ ହୋଇଛି । ଗାଡିରେ ପେଟ୍ରୋଲ ବା ଡ଼ିଜେଲ ନ ଥିଲେ ଦୈନନ୍ଦିନ ଜୀବନ ଜୀବୀକା ଅଚଳ ମନେ ହେଉଛି । ସେହିଭଳି, ୯୦ ପ୍ରତିଶତ ଘରେ ଜାଲେଣୀ ଗ୍ୟାସ୍ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇସାରିଛି । ଓଳିଏ ଗ୍ୟାସ୍ ନ ଥିଲେ ଘର ଅଚଳ । ଏଭଳି ପରିସ୍ଥିତିରେ ତୈଳ ଦର ବୃଦ୍ଧି ଅସହ୍ୟ ହେବାରେ ଲାଗିଛି ।
ଦେଶରେ ରୋଷେଇ ଗ୍ୟାସ୍ (ଘରୋଇ ବ୍ୟବହାରଯୋଗ୍ୟ) ଦର ଗତ ଫେବୃୟାରୀ ମାସରେ ଚାରି ଥରରେ ୧୦୦ ଟଙ୍କା ବଢି ଥିବା ବେଳେ ତୈଳ କଂପାନୀମାନେ ମାର୍ଚ୍ଚ ୧ ତାରିଖରେ ଆଉ ୨୫ ଟଙ୍କା ବଢାଇଛନ୍ତି । ଫଳରେ, ସ୍ଥଳ ବିଶେଷରେ ଘରୋଇ ଗ୍ୟାସ୍ ର ସିଲିଣ୍ଡର ପିଛା ଦର ୮୨୦ରୁ ୮୫୦ ପର୍ଯ୍ୟନ୍ତ ପହଂଚିଛି । ଫେବୃୟାରୀ ମାସରେ ତାହା ୮୦୦ ଟଙ୍କା ତଳେ ଥିଲା । ୨୦୨୦ ଡ଼ିସେମ୍ବରରୁ ୨୦୨୧ ମାର୍ଚ୍ଚ ୧ ତାରିଖ ମଧ୍ୟରେ ଗ୍ୟାସ୍ ଦର ସିଲିଣ୍ଡର ପିଛି ୨୫୦ ଟଙ୍କା ବଢି ଥିବାରୁ ସାଧାରଣ ଉପଭୋକ୍ତାଙ୍କ ହାଂଡ଼ିଶାଳ ମୂଲ୍ୟବୃଦ୍ଧିର ଚାପରେ ‘ଚେପା’ ହେବାକୁ ବସିଲାଣି । ତୈଳ ଦର ନିର୍ଦ୍ଧାରଣ କରିବା ତୈଳ କଂପାନୀଙ୍କ ଏକକ ଦାୟିତ୍ୱ ହୋଇଥିଲେ ମଧ୍ୟ ଏହା ଉପରେ ଅଂକୁଶ ଲଗାଇବା ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର । ତେବେ, ଉଭରେ ପରସ୍ପରକୁ ଆଂଗୁଠି ଦେଖାଇ ଏହି ପ୍ରସଙ୍ଗକୁ ଏଡାଇ ଯିବାକୁ ଚାହୁଁଛନ୍ତି ।
ଅତୀତରେ, କଂଗ୍ରେସ ସରକାର କ୍ଷମତାରେ ଥିବା ବେଳେ ପେଟ୍ରୋଲ, ଡ଼ିଜେଲ ଓ ରୋଷେଇ ଗ୍ୟାସର ଦରବୃଦ୍ଧି ହେଲେ ବିଜେଡ଼ି ହଲ୍ଲାପଟା କରୁଥିଲା । ଏବେ କିନ୍ତୁ ପ୍ରତିକ୍ରିୟାଶୂନ୍ୟ । ଯେମିତି ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସ୍ ର ଆକାଶଛୁଆଁ ଦରବୃଦ୍ଧି ରାଜ୍ୟ ସରକାରଙ୍କ ପାଇଁ ଏକ ସ୍ୱାଭାବିକ ଘଟଣା ! ଅସ୍ୱାଭାବିକ ଦରବୃଦ୍ଧିକୁ ନେଇ ସରକାର ଯେଭଳି ପ୍ରତିକ୍ରିୟା ବ୍ୟକ୍ତ କରିବା କଥା କରୁ ନାହାନ୍ତି । କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ବିରୋଧରେ ଦେଶବ୍ୟାପୀ ‘ବନ୍ଦ’ ପାଳନ ସମୟରେ ରାଜ୍ୟ ସରକାର ଆଡୁ ତାହାକୁ ସମର୍ଥନ କରାଯାଇ ନଥିଲା ବା ବିରୋଧ ମଧ୍ୟ ହୋଇ ନଥିଲା । ସରକାର ଯେମିତି ନିଷ୍ପକ୍ଷ, ସେଭଳି ବ୍ୟବହାର କରିଥିଲେ । ଔପଚାରିକତା ଦୃଷ୍ଟିରୁ ‘ଭାରତ ବନ୍ଦ’ ସମୟରେ ଟ୍ରେନ୍, ବସ୍ ଚଳାଚଳ ଏବଂ ଅତ୍ୟାବଶ୍ୟକ ସେବା ଯେମିତି ବ୍ୟାହତ ନ ହେବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବ ସେଥିପ୍ରତି ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନଗୁଡିକୁ ନିର୍ଦେଶ ଦିଆଯାଇ ଦାୟିତ୍ୱ ସଂପାଦନ କରାଯାଇଥିଲା । ରାଜ୍ୟରେ ସରକାରୀ କାର୍ଯ୍ୟ ସ୍ୱାଭାବିକ ଚାଲି ଥିଲା । ତଥାପି, ‘ଭାରତ ବନ୍ଦ’କୁ ଜନସାଧାରଣ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଦେଇ ସଫଳ କରିଥିଲେ ।
ଏହାପରେ ମଧ୍ୟ ସରକାରଙ୍କ ନିଦ ଭାଂଗିନି । ଏହାର କାରଣ ହେଉଛି, ପେଟ୍ରୋଲ, ଡ଼ିଜେଲ ଓ ଅନ୍ୟ ତୈଳଜାତ ପଦାର୍ଥର ଦର ବୃଦ୍ଧି ପଛରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତ ରହିଛି । ଉଭୟ ସରକାର ଉପଭୋକ୍ତାଙ୍କ ଉପରେ ବିଭିନ୍ନ ଟିକସ ଲଦି ଲୁଟୁଛନ୍ତି । କେନ୍ଦ୍ରୀୟ ଟିକସ, ସେସ୍ ଓ ରାଜ୍ୟ ଟିକସ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ରାଜସ୍ୱ ଆଦାୟ କରୁଛନ୍ତି ତାହା ପେଟ୍ରୋଲ, ଡ଼ିଜେଲ ଓ ଅନ୍ୟ ତୈଳଜାତ ସାମଗ୍ରୀର ଦରକୁ ଦ୍ୱିଗୁଣିତ କରିଥିବା କାହାରିକୁ ଅଛପା ନାହିଁ । କୋଭିଡ଼ ମହାମାରୀ ସମୟରେ ଦେଶ ଓ ରାଜ୍ୟର ଅର୍ଥନୀତି ବିଯୁକ୍ତ ଥିଲା । ତାହା ଭରଣା କରି ରାଜସ୍ୱ ନିଅଂଟକୁ ଭରଣା କରିବା ଦୁଇ ସରକାରଙ୍କ ଲକ୍ଷ୍ୟ ହୋଇଛି । ଉପଭୋକ୍ତା ପଛେ ଚଲିକୁ ଯାଆନ୍ତୁ, ଅର୍ଥନୀତି ସୁସ୍ଥ ହେଉ – ଏହି ନ୍ୟାୟରେ କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧିକୁ ଆଖି ବୁଜି ଦେଇଛନ୍ତି । ଖାଉଟୀ ପାଟିତୁଣ୍ଡ କଲେ ରାଜ୍ୟ ସରକାର କେନ୍ଦ୍ର ଆଡକୁ ଆଂଗୁଠି ଦେଖାଇ କେନ୍ଦ୍ରୀୟ ଟିକସ ଓ ସେସ୍ ହ୍ରାସ ହେଲେ ତୈଳ ଦର କମିବ କହି ତାଳି ପକାଉ ଥିବା ବେଳେ କେନ୍ଦ୍ରୀୟ ନେତାମାନେ ରାଜ୍ୟ ସରକାର ନିଜ ଟିକସ କମାଉ ନାହାନ୍ତି କାହିିଁକି (?) ବୋଲି ପ୍ରଶ୍ନ କରି ଅଠା ରାଜ୍ୟ ମୁଣ୍ଡରେ ବୋଳୁଛନ୍ତି । ଏହି ଖେଳ ସାଧାରଣ ଉପଭୋକ୍ତାଙ୍କ ସମସ୍ୟାକୁ ଅଧିକ ଜଟିଳ କରିଛି ।
ନିକଟରେ, ଅସ୍ୱାଭାବିକ ତୈଳ ଦରର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତ କଟା ଘା’ରେ ଚୁନ ଲଗାଇଲା ଭଳି । ତୈଳ ଦର ବୃଦ୍ଧିରୁ ଆଦାୟ ରାଜସ୍ୱରୁ ଦେଶରେ ବିିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲିଛି । ମୂଲ୍ୟ ବୃଦ୍ଧି ନ ହେଲେ ବିକାଶ କାର୍ଯ୍ୟ କେମିତି ହେବ (?) ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ । ‘ଜାଡ’ କମିଲେ ତୈଳ ଦର କମିବ କହି ସେ ଯେଭଳି ହାଲକା ମନ୍ତବ୍ୟ ଦେଇଥିଲେ ତାହା ଉପଭୋକ୍ତାଙ୍କ ସମସ୍ୟାକୁ ପବନରେ ଉଡାଇ ଦେଲା ଭଳି ଥିଲା । ରାଜ୍ୟ ବିଜେପିର କିଛି ବିଧାୟକ ଏବଂ ସାଂଗଠନିକ କର୍ମକର୍ତ୍ତା ମଧ୍ୟ ମନ୍ତ୍ରୀଙ୍କ ମନ୍ତବ୍ୟରେ ପ୍ରଭାବିତ ହୋଇ ତୈଳ ଦର ବୃଦ୍ଧି ସ୍ୱାଭାବିକ ବୋଲି କହିଥିଲେ । ଯେହେତୁ ତୈଳ ଦର ବୃଦ୍ଧି ବିରୋଧରେ କଂଗ୍ରେସ ଆନ୍ଦୋଳନ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେପି ନେତାମାନେ ପରିହାସ କରିବା ସ୍ୱାଭାବିକ । କିନ୍ତୁ, ଓଡ଼ିଶାରେ ଏକ ଆଂଚଳିକ ଦଳ (ବିଜେଡ଼ି)ର ସରକାର ଥାଇ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବା ସରକାର ବିଜେପିର କାନି ତଳେ ମୁହଁ ଗୁଂଜିଲା ଭଳି ମନେ ହେଉଛି ।
ଆମେ ଏହି ପ୍ରସଙ୍ଗରେ ଆଲୋଚନା ବେଳେ ରାଜ୍ୟରେ ଚାଲିଥିବା ଏନଏମଏ ବାଇ-ଲ’ ବା ଉପ ନିୟମକୁ ନେଇ ଚାଲିଥିବା ବିବାଦକୁ ଉଲ୍ଲେଖ କରିବା ଉଚିତ ହେବ ମନେ କରୁଛି । ଏହି ବିବାଦ କେବଳ ରାଜ୍ୟ ସରକାର ଓ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଂଗୀ ମଧ୍ୟରେ ସୀମିତ ନାହିଁ । ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ମଧ୍ୟରେ ଲାଗି ରହିଥିବା କଳହକୁ ମଧ୍ୟ ପଦାକୁ ଆଣିଛି । ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ଚାଲି ଥିବା ସଂସ୍କାର କାର୍ଯ୍ୟକୁ ନେଉ କେତେ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣି ଥିଲେ । ରାଜ୍ୟ ସରକାର ନୋଏଡା ଓ ବେଂଗାଲୁରୁର ପୂର୍ବ ଅଭିଜ୍ଞତା ନଥିବା ଦୁଇଟି ଆର୍କିଟେକ୍ଚର ସଂସ୍ଥାକୁ କିଭଳି ଶହ ଶହ କୋଟି ଟଙ୍କାର କାମ ଦେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ । ରାଜ୍ୟର ଶାସକ ଦଳ ମୁଖପାତ୍ରମାନେ ଅପରାଜିତାଙ୍କ ଏହି ମୌଳିକ ପ୍ରଶ୍ନର ଉତ୍ତର ନ ଦେଇ ପରୋକ୍ଷରେ ତାଙ୍କୁ ଅଣ-ଓଡ଼ିଆ ହୋଇ ଥିବାରୁ ଓଡିଶାବାସୀଙ୍କ ଭାବାବେଗକୁ ବୁଝିପାରୁ ନାହାଁନ୍ତି କହି ଆକ୍ଷେପ କରିଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଧାନ ଅପରାଜିତାଙ୍କ ପ୍ରତି ହୋଇଥିବା ଆକ୍ଷେପର ଜବାବ ଦେବା ବଦଳରେ ରାଜ୍ୟ ସରକାରଙ୍କୁ ସମର୍ଥନ ଦେଲା ଭଳି ମତ ରଖିଛନ୍ତି ।
ଏନଏମଏ ଆଇନ ବା ଜାତୀୟ କୀର୍ତ୍ତିିରାଜି ଆଇନ ଏବଂ ଏଏସଆଇ ପ୍ରତି ବେଖାତିରି କରି ରାଜ୍ୟ ସରକାର ବହୁ ପୂରାତନ ଐତିହ୍ୟକୁ ଭାଂଗି ଦେଇଛନ୍ତି ବୋଲି ସାଂସଦ ଅପରାଜିତା ଅଭିଯୋଗ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କ ପ୍ରତିକ୍ରିୟା ହେଉଛି, ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରରେ ଚାଲି ଥିବା ସଂସ୍କାର କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ଅନୁଦାନ ମଧ୍ୟ ରହିଛି । ସମସ୍ତେ ଏଥିରେ ସହଯୋଗ କରିବା ଆବଶ୍ୟକ । ମନ୍ତ୍ରୀଙ୍କ ମନ୍ତବ୍ୟ ବିଜେପିର ଆନ୍ତଃରୀଣ କନ୍ଦଳକୁ ପଦାରେ ପକାଇବା ସହ ରାଜ୍ୟ ସରକାରଙ୍କ ପ୍ରତି ତାଙ୍କ ଆଭିମୁଖ୍ୟ ବଦଳି ଥିବା ସୂଚନା ମଧ୍ୟ ଦେଉଛି । ତୈଳ ଓ ଜାଲେଣୀ ଗ୍ୟାସ୍ ଦରବୃଦ୍ଧିକୁ ନେଇ ରାଜ୍ୟ ସରକାର ପ୍ରତିକ୍ରିୟାଶୀଳ ନହେବାର କାରଣ ଧର୍ମେନ୍ଦ୍ରଙ୍କ ଏହି ପରିବର୍ତ୍ତିତ ଆଭିମୁଖ୍ୟ ହୋଇପାରେ (?) ବୋଲି ଅନେକ ସନ୍ଦେହ କଲେଣି । ଅପରାଜିତାଙ୍କ ପଂଖ କତୁରିବାକୁ ଉଭୟ ରାଜ୍ୟ ସରକାର ଓ ଧର୍ମେନ୍ଦ୍ର ଗୋଷ୍ଠୀ ଚାହୁଁଛନ୍ତି । ତେଣୁ, କିଛି ଭିତିରି ବୁଝାମଣା ହୋଇଥାଇ ପାରେ ବୋଲି ସଂଦେହ କରିବା ଅମୂଳକ ହେବ ନାହିଁ ।
ଦେଶରେ ତୈଳ ଦଳ ବୃଦ୍ଧି ଆଗକୁ କିଭଳି ବିଷ୍ଫୋରକ ପରିସ୍ଥିତି ସୃଷ୍ଟି କରିବ, ତାହା ଉପରେ ନିକଟରେ ଏକ ତଥ୍ୟ ସମ୍ବଳିତ ଲେଖା ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି, ତେଲ ମହଂଗା ହୋବାରୁ ଆଗାମୀ ଦିନରେ ପ୍ରତ୍ୟେକ ସେବା ଓ ସମଗ୍ରୀ ମହଙ୍ଗା ହେବାକୁ ଯାଉଛି । ଅଟୋମୋବାଇଲ୍ ଶିଳ୍ପରୁ ଆରମ୍ଭ କରି ସାଧାରଣ ଖାଉଟୀ ସାମଗ୍ର ପର୍ଯ୍ୟୟ । ଟ୍ରକ୍ ଭଡା, ପ୍ୟାକେଜିଂ ସାମଗ୍ରୀ, କଂଚାମାଲ ମୂଲ୍ୟ ବଢୁ ଥିବାରୁ କଂପାନୀମାନେ ସେମାନଙ୍କ ଉତ୍ପାଦନର ମୂଲ୍ୟ ବୃଦ୍ଧି କଥା ଚିନ୍ତା କରୁଛନ୍ତି । ଆଜିର ଡ଼ିଜିଟାଲ ଯୁଗରେ ସାଧାରଣ ଜନତା ପ୍ରତ୍ୟେକ ସାମଗ୍ରୀ ପାଇଁ ‘ଆମାଜନ୍ ଇଣ୍ଡିଆ’, ‘ଫ୍ଲିପକାର୍ଟ’, ‘ସ୍ୱିଗି’, ‘ଜମାଟୋ’ ଭଳି ଗ୍ରାହକ ସେବା ସଂସ୍ଥାଙ୍କ ଉପରେ ନିର୍ଭରଶୀଳ ଥିବା ସମୟରେ ଏହି ସଂସ୍ଥାମାନେ ମଧ୍ୟ ସେମାନଙ୍କ ସେବା ଗ୍ରାହକଙ୍କ ନିକଟରେ ପହଂଚାଉ ଥିବା ଇ-କମର୍ସ ସଂସ୍ଥାଙ୍କ ଅଧିକ ଖର୍ଚ୍ଚ ଭରଣା ନିମନ୍ତେ କଂଟ୍ରାକ୍ଟ ମୂଲ୍ୟ ବଢାଇବା ସୂଚନା ଦେଲେଣି । ତୈଳ ଦର ବୃଦ୍ଧି ଟ୍ରକ୍ ଭଡା ବୃଦ୍ଧିର ମୁଖ୍ୟ କାରଣ ହୋଇଛି । ଫଳରେ, ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଟ୍ରାନ୍ସପୋର୍ଟ ଖର୍ଚ୍ଚ କେଜି ପିଛା ଏକ ଟଙ୍କା ବୃଦ୍ଧି ପାଇ ଥିବା ଲଜିଷ୍ଟିକ୍ ସଂସ୍ଥାମାନେ କହିଛନ୍ତି । ଫ୍ରାଇଟ୍ ରେଟ୍ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇଛି । ଟ୍ରକ୍ ଭଡା ସହ ବସ୍ ଓ ବିମାନ ସେବା ମହଂଗା ହେବାକୁ ଯାଉଛି ।
ସବୁ ମାଡ ଶେଷରେ ଖାଉଟୀ ମୁଣ୍ଡରେ ହିଁ ପଡିବ । ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଆଗରୁ ଏସଂପର୍କରେ ସରକାରଙ୍କୁ ସତର୍କ କରାଇ ଥିବା ସତ୍ତ୍ୱେ ତୈଳ ଦରରେ ଲଗାମ ଲାଗୁନି । ଆଗକୁ ଅଧିକ ସୁଦିନ ଆସୁଛି – ତାହା ଏହି ଦର ବୃଦ୍ଧିରୁ ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS