ସମସ୍ତଙ୍କୁ ନ୍ୟାୟ, ଏହି ଲକ୍ଷ୍ୟ ରଖି ଥିବା ଜଷ୍ଟିସ ରମଣା ଏପ୍ରିଲ ୨୪ରେ ମୁଖ୍ୟ ବିଚାରପତି ହେବେ
ନୂଆଦିଲ୍ଲୀ
ଏପ୍ରିଲ ୦୭
ମୋଅନୁଭବ.କମ୍
ଆସନ୍ତା ୨୪ ତାରିଖ ଶପଥ ଗ୍ରହଣ କରିବେ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା । ରାଷ୍ଟ୍ରପତି ରାମନାଥ କୋଭିନ୍ଦ ମଂଗଳବାର ଦିନ ତାଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟର ମୁଖ୍ୟ ବଚାରପତି ଭାବେ ନିଯୁକ୍ତ ଦେଇଛନ୍ତି । ବର୍ତ୍ତମାନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାପତି ଥିବା ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ୨୩ ତାରିଖ ଅବସର ଗ୍ରହଣ କରିବେ । ଜଷ୍ଟିସ ବୋବଡେ ହିଁ ସୁପ୍ରିମ କୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଥିବା ଜଷ୍ଟିସ ରମଣାଙ୍କ ନାମକୁ ତାଙ୍କ ଉତ୍ତରାଧିକାରୀ ଭାବେ ଚୟନ କରି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଜଷ୍ଟସ ରମଣା ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାର ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଓକିଲାତି କରିବା ପୂର୍ବରୁ ଏକ ଅଗ୍ରଣୀ ତେଲୁଗୁ ସମ୍ବାଦପତ୍ରରେ କିଛି ଦିନ ପାଇଁ ସାମ୍ବାଦିକତା କରିଥିଲେ । ଗଣତାନ୍ତ୍ରିକ ଅଧିକାରକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଥିବା ଜଷ୍ଟିସ ରମଣା ୨୦୦୧ରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।
୨୦୧୩ ସେପ୍ଟେମ୍ବରରେ ସେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୪ରେ ତାଙ୍କୁ ସୁପ୍ରିମ କୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳି ଥିଲା । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ରାଜ୍ୟକୁ ବିଭାଜନ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିବା ପରେ ସେଠାରେ ୪-ଜି ହାଇସ୍ପିଡ୍ ଇଂଟରନେଟ୍ ସେବାକୁ ସସ୍ପେଣ୍ଡ କରି ଦେଇଥିଲେ । ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟର ଏକ ବେଂଚ୍ ଏସଂପର୍କିତ ମାମଲାର ବିଚାର କରି ଇଂଟରନେଟ୍ ସେବା ପାଇବା ଜନସାଧାରଣଙ୍କ ଏକ ମୌଳିକ ଅଧିକାର ବୋଲି ରୁଲିଂ ଦେଇ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । ତାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଂଚ୍ ‘ସୁପ୍ରିମ କୋର୍ଟ ବନାମ ସୁବାସ ଚନ୍ଦ୍ର୍ର ଅଗ୍ରୱାଲ’ ମାମଲାର ବିଚାର କରି ସୁପ୍ରିମ କୋର୍ଟ ମୁଖ୍ୟ ବଚାରପତିଙ୍କୁ ‘ରାଇଟ୍ ଟୁ ଇନଫର୍ମେସନ୍ ଆକ୍ଟ’ ଅନ୍ତର୍ଭୁକ୍ତ କରିଥିଲେ । ଏହାଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ପାରଦର୍ଶିତା ବଢିବ ବୋଲି ସେ କହିଥିଲେ ।
ଜଷ୍ଟିସ ରମାଣାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଂଚ୍ ବର୍ଷେ ତଳେ ଏକ ରାୟ ଦେଇ ଯେଉଁ ସାଂସଦ ଓ ବିଧାୟକ ଏବଂ ପୂର୍ବତନ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଦୀର୍ଘ ବର୍ଷ ହେଲା ରହିଥିବା ଆପରାଧିକ ମାମଲା ସବୁର ବିଚାରକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରୋଡ୍ଡୀଙ୍କ ଭଳି ରାଜନେତାଙ୍କ ଚକ୍ଷୁଶୂଳ ହୋଇଥିଲେ । ମୁଖ୍ୟମନ୍ତ୍ରୀ ରେଡ୍ଡୀ ସୁପ୍ରମି କୋର୍ଟ ବିଚାରପତି ଜଷ୍ଟିସ ରମଣାଙ୍କ ବିରୋଧରେ ଦୁର୍ନୀତି, ପ୍ରିୟାପ୍ରିତି ଭଳି ଅଭିଯୋଗ ଆଣି ତାଙ୍କୁ ଅପଦସ୍ତ କରିବାକୁ ଚାହିଁଥିଲେ ମଧ୍ୟ ମୁଖ୍ୟ ବିଚାରପତି ବୋବଡେଙ୍କ ନେତୃତ୍ୱରେ ଗଠିତ ବରିଷ୍ଠ ବିଚାରପତିଙ୍କ ଏକ କମିଟି ତାହାର ତଦନ୍ତ କରି ଅଭିଯୋଗ ସବୁ ‘ମିଥ୍ୟା, କପୋଳକଳ୍ପିତ ଓ ଉଦେ୍ଦଶ୍ୟପ୍ରଣୋଦିତ’ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିଥିଲେ । ଜଷ୍ଟିସ ରମଣା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ହେବାରେ ପ୍ରତିବନ୍ଧକ ସୃଷ୍ଟି ପାଇଁ ହୋଇଥିବା ଏହି ଉଦ୍ୟମ ଶେଷରେ ବିଫଳ ହୋଇଥିଲା ।
ଜଷ୍ଟିସ ରମଣା ୨୦୨୨ ଅଗଷ୍ଟ ୨୬ରେ ଅବସର ଗ୍ରହଣ କରିବେ । ମାତ୍ର ୧୪ ମାସ ପାଇଁ ସେ ଦେଶର ମୁଖ୍ୟ ବିଚାରପତି ରହିବେ । ଏହି ସମୟ ମଧ୍ୟରେ ସମସ୍ତଙ୍କୁ ନ୍ୟାୟ ଦେବା ତାଙ୍କ ପ୍ରାଥମିକତା ରହିଛି । ଏହାଛଡା, ଦେଶର ନ୍ୟାୟାଳୟଗୁଡିକୁ ଅତ୍ୟାଧୁନିକ ଜ୍ଞାନ ଓ ବୈଷୟିକ କୌଶଳରେ ସମୃଦ୍ଧ କରିବା ପାଇଁ ଭିତ୍ତିଭୂମିର ବିକାଶ କରିବା ଏବଂ ଦୀର୍ଘ ସମୟ ଧରି ଖାଲି ପଡିଥିବା ବିଚାରପତି ପଦ ସବୁ ପୂରଣ କରିବା ସକଶେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଭଳି ବହୁ ଗୁରୁତ୍ୱ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିଛି । ସେ କମ୍ ସମୟ ମଧ୍ୟରେ କେତେଦୂର ସଫଳତା ହାସଲ କରିବେ ତାହା ଦେଖିବା ସମୟ ଆସିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS