ଓଡିଶାରେ ଦ୍ୱିତୀୟ ଲହରକୁ ନେଇ ସରକାର ଚିନ୍ତାରେ: ପୁଲିସର ସ୍ୱତନ୍ତ୍ର ଡ୍ରାଇଭ୍, ଗୋଟିଏ ଦିନରେ ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ
ଭୁବନେଶ୍ୱର
ଏପ୍ରିଲ ୦୮
ଓଡ଼ିଶାରେ କରୋନା ଦ୍ୱତୀୟ ଲହରକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ଏହି ଲହର ଅଧିକ ଭୟଂକର ହୋଇ ଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟରେ ପୁଲିସ ପ୍ରଶାସନ ମାଧ୍ୟମରେ ବୁଧବାରରୁ ୧୦ଦିନ ପାଇଁ ସ୍ୱତନ୍ତ୍ର ସଚେତନତା ଡ୍ରାଇଭ୍ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ଦ୍ୱୈତ ମହାନଗରୀ ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଅଭିଯାନର ନେତୃତ୍ୱ ନେଇଥିବା ବେଳେ ଜିଲ୍ଲାସ୍ତରରେ ପୁଲିସ ଏସପିମାନେ ନେତୃତ୍ୱ ନେଇଛନ୍ତି । ଘରୁ ବାହାରିଲେ ନାକ, ପାଟି ଘୋଡାଇ ହେବା ଭଳି ମାସ୍କ୍ ପରିଧାନ କରିବା ଓ ପରସ୍ପର ମଧ୍ୟରେ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୌଳିକ ଲକ୍ଷ୍ୟ । ତେବେ, ଅମାନିଆ ଗତ ବର୍ଷକ ମଧ୍ୟରେ ୬୭ କୋଟି ଟଙ୍କା ଜରିମାନା ଦେଇ ମଧ୍ୟ ଚେତି ନାହାନ୍ତି । ଗତ ୨୪ ଘଂଟା ମଧ୍ୟରେ ପୁଲିସ ମାସ୍କ୍ ଓ ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ୨୫ ଲକ୍ଷ ୦୭ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରିଥିବା ଆଜି ସୂଚନା ମିଳିଛି । ଅଭିଯାନର ପ୍ରଥମ ଦିବସରେ ହିଁ ୯,୪୦୦ ଜଣ ଫାଇନ୍ ଦେଲେଣି । କରୋନା ଦ୍ୱିତୀୟ ଲହରକୁ ରୋକିବା ପାଇଁ ମାସ୍କ୍ ଓ ସାମାଜିକ ଦୂରତା ନିୟମ ମାନିବା ଜରୁରୀ ବୋଲି ବାରମ୍ବାର କୁହାଯାଉଥିଲେ ମଧ୍ୟ ଲୋକ ସଚେତନ ହେଉ ନାହାନ୍ତି । ଅମାନିଆମାନେ ରାସ୍ତାଘାଟରେ ମାସ୍କ୍ ଥୋଡି ପର୍ଯ୍ୟନ୍ତ ଖସାଇ ବା ମୋଟେ ମାସ୍କ୍ ନ ପିନ୍ଧି ବୁଲାବୁଲି କରୁଛନ୍ତି । ରାସ୍ତା କଡ଼ ଫାଷ୍ଟ୍ ଫୁଡ୍ ଦୋକାନ, ଗୁପଚୁପ୍ ଦୋକାନ ଓ ଆମିଷ ହୋଟେଲରେ ରୋଲ୍, ଚ୍ୟାଉମିନ୍ ଖାଇବା ଲୋକଙ୍କ ଭିଡ଼ ଦେଖିଲେ ମନେ ହେଉଛି ଆଉ କରୋନା ନାମକ କୌଣସି ରୋଗ ମର୍ତ୍ୟରେ ନାହିଁ । ବିଶେଷକରି ଯୁବପିଢୀ କରୋନା କଟକଣାକୁ ଜାଣତରେ ହେଉ ବା ଅଜାଣତରେ ଯେଭଳି ଉଲଂଘନ କରୁଛନ୍ତି ଏବଂ ନିର୍ଭୟ ହୋଇ ଆଡ୍ଡା ମାରୁଛନ୍ତି ସେମାନଙ୍କୁ ପୁଲିସ ହିଁ ସାବାଡ଼ କରି ପାରିବ । ତେଣୁ, ପୁଲିସ କାର୍ଯ୍ୟାନୁଷ୍ଠାନ କଡାକଡି ହେବା ଆବଶ୍ୟକ ବୋଲି ଅନେକଙ୍କ ମତ । ରାଜ୍ୟରେ କରୋନା ଗ୍ରାଫ୍ ପୁଣି ଥରେ ଉପର ମୁହାଁ ହେଉଥିବା ଦେଖି ଅମାନିଆଙ୍କ ବିରୋଧରେ ସ୍ୱତନ୍ତ୍ର ପୁଲିସ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ତାରିଖ ଦିନ ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଥିଲେ । ୭ ତାରିଖରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି, ଯାହାକି ୧୦ଦିନ ଚାଲିବ । ପୁଲିସର ଏହି ଅଭିଯାନକୁ ନେଇ ଜନସାଧାରଣରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଦଳେ ସରକାରଙ୍କ ଏହି ଅଭିଯାନକୁ ସମର୍ଥନ କରି ଏହା ଅଧିକ କଡାକଡି ହେବା ଆବଶ୍ୟକ ବୋଲି ମତ ଦେଉଥିବା ବେଳେ ଆଉ କିଛି ପିପିଲିରେ ଚାଲି ଥିବା ଉପ ନିର୍ବାଚନକୁ ଆଂଗୁଠି ଦେଖାଇ ରାଜନୈତିକ ଦଳଙ୍କ ପାଇଁ କରୋନା କଟକଣା କଣ ଅଲଗା (?) ବୋଲି ପ୍ରଶ୍ନ କରୁଛନ୍ତି । ପିପିଲି ଉପ ନିର୍ବାଚନ ପାଇଁ ଶାସକ ବିଜେଡ଼ି ଓ ଅନ୍ୟ ରାଜନୈତିକ ଦଳଙ୍କ ପ୍ରଚାର ଜମିଛି । ତେବେ, ଭୋଟ ପ୍ରଚାର ସମୟରେ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନିୟମର ଖୋଲା ଉଲଂଘନ ହେଉଥିବା ଦେଖିବାକୁ ମିଳୁଛି । ପଶ୍ଚିମ ବଂଗରେ ବିଧାନସଭା ନିର୍ବାଚନ ପ୍ରଚାରରେ ଉଭୟ ଶାସକ ତୃଣମୂଳ କଂଗ୍ରେସ ପାର୍ଟି ଓ ପ୍ରତିଦ୍ୱନ୍ଦିତା ବିଜେପି ସମେତ ଅନ୍ୟ ରାଜନୈତିକ ଦଳମାନେ କରୋନା କଟକଣାକୁ ‘ଫୁ’ କରି ବିରାଟ ର୍ୟାଲି କରୁଥିବା ଦୃଶ୍ୟ ଟେଲିଭିଜନ ପରଦାରେ ଦେଖୁଥିବା ଦର୍ଶକମାନେ ପିପିଲି ନିର୍ବାଚନରେ ମଧ୍ୟ ସେହି ଅବସ୍ଥା ଦେଖି ସରକାରଙ୍କ କଟକଣାକୁ ‘ଫୁ’ କରିବାକୁ ପଛାଉ ନାହାନ୍ତି । ପୁଲିସ ପ୍ରଥମେ ପିପିଲି, ଡ଼େଲାଂଗ ଅଂଚଳକୁ ଯାଇ ମାସ୍କ୍ ଓ ସାମାଜିକ ଦୂରତା ନିୟମ ମାନୁ ନଥିବା ରାଜନୈତିକ ନେତା ଓ କର୍ମୀଙ୍କ ଠାରୁ ଜରିମାନା ଆଦାୟ କରୁ, ତା’ପରେ ଆମଠୁ ଜରିମାନା ନେବ ବୋଲି ସାମାଜିକ ଗଣମାଧ୍ୟମରେ ସଂଖ୍ୟାଗରିଷ୍ଠ ଜନମତ ଦେଖବାକୁ ମିଳିଛି । ତେବେ, ପୁଲିସ ପ୍ରଶାସନ ସ୍ୱତନ୍ତ୍ର ଅଭିଯାନ ନାମରେ ଲୋକଙ୍କୁ ଭୟଭୀତ ନ କରି ସଚେତନା କାର୍ଯ୍ୟ ଜାରି ରଖୁ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ
ପଡୋଶୀ ଛତିଶଗଡ଼ରୁ ଓଡ଼ିଶାର ସୀମାନ୍ତ ଜିଲ୍ଲାଗୁଡିକୁ ଲୋକଙ୍କ ଯିବା ଆସିବା ଲାଗି ରହି ଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ହେବା ଆଶଙ୍କା ବଢୁଛି । ଏହି ସବୁ ଜିଲ୍ଲା ଗସ୍ତ କରିଥିବା ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକମାନେ ସରକାରଙ୍କୁ ଏଭଳି ରିପୋର୍ଟ ଦେବା ପରେ ସୀମାନ୍ତ ଜିଲ୍ଲାଗୁଡିକରେ କରୋନା କଟକଣା ଅଧିକ କଡାକଡି କରାଯାଇଛି । ୬ ତାରିଖରୁ ରାଜ୍ୟର ୧୦ଟି ସୀମାନ୍ତ ଜିଲ୍ଲାରେ ରାତ୍ରୀ କର୍ଫ୍ୟୁ ଲାଗିଛି । ମାସ୍କ୍ ଓ ସାମାଜିକ ଦୂରତା ରକ୍ଷା ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହେଉଛି । ତଥାପି, ଅମାନିଆଙ୍କ ମନମାନି ରୋକି ହେଉ ନଥିବାରୁ ଓଡ଼ିଶାରେ ଛତିଶଗଡ଼ ଭଳି ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ ବୋଲି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡା ଆଜି ଗଣମାଧ୍ୟମକୁ କହିଛନ୍ତି । ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଭୂତାଣୁର ଏହି ଷ୍ଟ୍ରେନ୍ ଅଧିକ କ୍ଷତିକାରକ ଥିବା ଦର୍ଶାଇ ସେ କହିଛନ୍ତି, କରୋନା ଭୂତାଣୁର ଏହି ଦ୍ୱିତୀୟ ଷ୍ଟେନ୍ ଦୃତ ଗତିରେ ସଂକ୍ରମଣ ବଢାଉଛି । ତେଣୁ, ଏହାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି । ଲୋକେ ସଜାଗ ନ ହେଲେ ପରିସ୍ଥିତି ଭୟଂକର ହେବ ବୋଲି ପରିଡା ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ମଧ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧ ପାଉଥିବା କହିଛନ୍ତି । ଅଧିକ ଟେଷ୍ଟିଂ ହେଲେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ, ରାଜ୍ୟ ସରକାର ଏହି ଦ୍ୱିତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ଗୃହ ସଂଗରୋଧ ସୁବିଧା ନଥିଲେ ଆକ୍ରାନ୍ତଙ୍କୁ କୋଭିଡ଼ କେୟାର ସେଂଟରରେ ରଖା ଯାଉଛି, କୋଭିଡ଼ କେୟାର ସେଂଟର ପ୍ରସ୍ତୁତ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ଏବଂ ଅଧିକ ସଂକ୍ରମିତ ସ୍ଥାନକୁ ମାଇକ୍ରୋ କଂଟେନମେଂଟ୍ ଜୋନ୍ ଘୋଷଣା କରାଯାଇ ସଂକ୍ରମଣ ରୋକିବା ଉଦ୍ୟମ ହେଉଛି ବୋଲି ସରକାରୀ ଭାବେ କୁହାଯାଇଛି ।
ଟିକାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ
କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆବଶ୍ୟକତା ଅନୁସାରେ ଟିକା ଯୋଗାଇ ପାରୁ ନ ଥିବାରୁ ରାଜ୍ୟମାନଙ୍କରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ନିକଟରେ ବିଭିନ୍ନ ରାଜ୍ୟ ପକ୍ଷରୁ ଅଭିଯୋଗ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ର୍ୟ ମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନ ବୁଧବାର ଏକ ଟେଲିଭିଜନ ଲାଇଭ୍ କାର୍ଯ୍ୟକ୍ରମରେ କହିଛନ୍ତି, କୌଣସି ରାଜ୍ୟରେ କୋଭିଡ଼ ଟିକାର ଅଭାବ ନାହିଁ । ରାଜ୍ୟମାନଙ୍କୁ ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଇ ଦିଆଯାଇଛି । ଟିକା ଯୋଗାଣର ହିସାବ ତାଙ୍କ ପାଖରେ ରହିଛି । ମହାରଷ୍ଟ୍ର, ଦିଲ୍ଲୀ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ପ୍ରଭୃତି ରାଜ୍ୟ ସେମାନଙ୍କ ପାଖରେ ଗଚ୍ଛିତ ଥିବା ଟିକା ସରି ସରି ଆସୁଛି ବୋଲି ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ନାହିଁ । ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କୁ ରୁଦ୍ଧିବାକୁ ଯାଇ ସେ କହିଛନ୍ତି, ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇ ଥିବାରୁ ସେଥିରୁ ଜନତାର ଦୃଷ୍ଟି ହଟାଇବା ପାଇଁ ଟିକା ଅଭାବ ଅଭିଯୋଗ କରୁଛନ୍ତି । ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ଟିକାକରଣ କରାଯିବା ପ୍ରସ୍ତାବ ରଖିଛନ୍ତି, ଯାହାକି ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ । ଯେଉଁ ବର୍ଗଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯିବାକୁ କୁହାଯାଇଛି ସେହିମାନଙ୍କୁ ଆଗ ଟିକା ଦିଅ । ତାହା ପରେ ଅନ୍ୟ କଥା ବିଚାର କରାଯିବ । ବର୍ଦ୍ଧନଙ୍କ କହିବା ଅନୁସାରେ, ଦେଶରେ ଟିକା ଉତ୍ପାଦନ ଓ ଯୋଗାଣ ପରିମାଣ ସୀମିତ ଥିବାରୁ ସରକାର ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ଟିକାକରଣକୁ ପ୍ରାଥମିକତା ଦେଉଛନ୍ତି । ସବୁ ରାଜ୍ୟରେ କୋଭିଡ଼ ଟିକା ଗଚ୍ଛିତ ଅଛି, ରାଜ୍ୟମାନଙ୍କରେ ଟିକା ଅଭାବ ଅଭିଯୋଗ ଠିକ୍ ନୁହେଁ ବୋଲି ସ୍ୱସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହୁଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି କୁହାଯାଇଛି, କୋଭିଡ଼ ଟିକା ଅଭାବରୁ ରାଜ୍ୟରେ ୭୦୦ଟିକାଦାନ କେନ୍ଦ୍ର ବନ୍ଦ ହେଲାଣି । ଗୁରୁବାର ସନ୍ଧ୍ୟା ସୁଦ୍ଧା କେନ୍ଦ୍ର ସରକାର ୨୫ ଲକ୍ଷ ଡୋଜ୍ ଟିକା ନପଠାଇଲେ ଶନିବାର ଠାରୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବନ୍ଦ ହୋଇଯିବ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଇଥିବା ହିସାବ ମୂତାବକ ବୁଧବାର ଦିନ ରାଜ୍ୟରେ ମୋଟ ୧ ଲକ୍ଷ ୧୦ ହଜାର ୮୮୯ ଡୋଜ୍ ଟିକା ଦିଆଯିବା ପରେ ଆଉ ମାତ୍ର ୪ ଲକ୍ଷ ୩୫ ହଜାର ୩୨୦ ଡୋଜ୍ କୋଭିସିଲ୍ଡ ଓ ୧ ଲକ୍ଷ ୧୪ ହଜାର ୪୯୦ ଡୋଜ୍ କୋଭାକ୍ସିନ୍ ଟିକା ଗଚ୍ଛିତ ଅଛି । ସରକାରଙ୍କ ଧାର୍ଯ୍ୟ ଟିକାକରଣ ଟାର୍ଗେଟ୍ ଅନୁସାରେ ଟିକାଦାନ ହେଲେ ଗଚ୍ଛିତ ଡୋଜ୍ ଦୁଇ ଦିନରେ ସରି ଯିବ । ୧୦ ଦିନ ପାଇଁ ଆଉ ୨୫ ଲକ୍ଷ ଡୋଜ୍ ଟିକା ଆବଶ୍ୟକତା । ସେ କେନ୍ଦ୍ର ମନ୍ତ୍ରୀ ବର୍ଦ୍ଧନଙ୍କୁ ଚିଠି ଲେଖି ତୁରନ୍ତ ୨୫ ଲକ୍ଷ ଡୋଜ୍ ଟିକା ଦେବାକୁ ଅନୁରୋଧ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଗଣମାଧ୍ୟମକୁ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୮ ଲକ୍ଷ ୫୨ ହଜାର ୨୦୭ ଜଣଙ୍କୁ ଟିକାକରଣ ସରିଛି । ଟିକା ଅଭାବ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବର୍ଦ୍ଧନଙ୍କ ସବୁ ରାଜ୍ୟରେ ଟିକା ଗଚ୍ଛିତ ଅଛି, କେଉଁଠି ଅଭାବ ନାହିଁ ବୋଲି କହିବା ବିବଦମାନ ପରିସ୍ଥିତି ସୃଷ୍ଟି କରିଛି ।
ପ୍ରସାଦ ରାଓ
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS