‘ଆତ୍ମନିର୍ଭର ଭାରତ’ର ଏବେ ବିଦେଶୀ ଟିକାକୁ ଭରସା !
ଭୁବନେଶ୍ୱର
ଏପ୍ରିଲ ୧୫
ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ବେଶ୍ ଚିନ୍ତାର କାରଣ ହୋଇଛି । ଏହି ଦ୍ୱିତୀୟ ଲହର ଦୃତ ଗତିରେ ଜନସାଧାରଣଙ୍କୁ ସଂକ୍ରମିତ କରୁଥିବା ବେଳେ ଏହାକୁ ରୋକିବା ପାଇଁ ଟିକାରକରଣ କାର୍ଯ୍ୟର ଧୀମାଗତି ଏକ ଅଭାଭନୀୟ ପରିସ୍ଥିତି ସୃଷ୍ଟି କରିଛି । ଦ୍ୱିତୀୟ ଲହରର ଦୃତ ସଂକ୍ରମଣକୁ ନେଇ ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ଯୁପି, ମଧ୍ୟ ପ୍ରଦେଶ ଭଳି ରାଜ୍ୟରୁ ଆସୁଥିବା ଚିତ୍ର ଅନ୍ୟ ରାଜ୍ୟଙ୍କ ପାଇଁ ଶଙ୍କାର କାରଣ ହୋଇଛି । ନୂଆ ଲହରରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ପ୍ରଥମ ଲହର ଅପେକ୍ଷା ବେଶ୍ ଅଧିକ ରହୁଥିବା ବେଳେ ଏହାର ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ଚିନ୍ତା ବଢାଉଛି । ଅଧିକ ସଂକ୍ରମିତ ରାଜ୍ୟରେ କରୋନା ମୃତ୍ୟୁ ହାର ଯଥେଷ୍ଟ ଅଧିକ ଥିବା ବେଳେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସପିଟାଲଗୁଡିକରେ ଯଥେଷ୍ଟ ସଂଖ୍ୟାରେ ଶଯ୍ୟା, ଆଇସିୟୁ ଓ ଭେଂଟିଲେଟର ନଥିବା, ମୃତକଙ୍କୁ ଶ୍ମଶାନକୁ ସ୍ଥାନାନ୍ତର କରିବା ସକାଶେ ଆବଶ୍ୟକତା ମୁତାବକ ଗାଡି ମିଳୁ ନ ଥିବାରୁ ଶବଗୁଡିକ ଟ୍ରକରେ (ଏକାଥରକେ ୬ରୁ ୭ଟି ଶବ) ବୁହା ହୋଇ ଶ୍ମଶାନକୁ ନିଆ ଯାଉଥିବା ଏବଂ ଶ୍ମଶାନରେ ମଧ୍ୟ ଶବଦାହ ପାଇଁ ସ୍ଥାନାଭାବ ଓ ଜାଳେଣୀ କାଠର ଘୋର ଅଭାବ ରହିଥିବା ଭଳି ଚିତ୍ର ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ଦିଲ୍ଲୀ ପ୍ରଭୃତି ରାଜ୍ୟରୁ ମିଳୁଛି । ୨୦୨୦ରେ କରୋନା ମହାମାରର ପ୍ରଥମ ଲହର ସମୟରେ ସମଗ୍ର ଦେଶରୁ ଯେଭଳି କରୁଣ ଚିତ୍ର ମିଳୁ ଥିଲା ତାହାଠାରୁ ଅଧିକ କରୁଣ ଚିତ୍ର ଏବେ ୨୦୨୧ର ଏପ୍ରିଲ ମାସରେ ଦେଖିବାକୁ ମିଳୁ ଥିବାରୁ ସମଗ୍ର ଦେଶ ଉଦବିଗ୍ନ । ତେବେ, ୨୦୨୧ ଜାନୁୟାରୀରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିବାରୁ ଦେଶବାସୀଙ୍କ ପାଇଁ ତାହା ଏକମାତ୍ର ଆଶ୍ୱସ୍ତି ହୋଇଛି ।
କରୋନା ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶରେ ଜାନୁୟାରୀ ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବା ପରେ ଏଥର ଅନ୍ତତଃ ମହାମାରୀରୁ ମୁକ୍ତିର ବାଟ ମିଳିଲା ବୋଲି ସମସ୍ତେ ଆଶା କରିଥିଲେ । ‘ଆତ୍ମନିର୍ଭର ଭାରତ’ର ପ୍ରବକ୍ତା ସାଜି ଥିବା କେନ୍ଦ୍ର ସରକାର ବିଦେଶୀ ଟିକାକୁ ନା’ କରି ଦେଶୀ ଟିକା ଉପରେ ଗୁରୁତ୍ୱ ଦେଇଥିଲେ । ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ (ଏସଆଇଆଇ) ଦ୍ୱାରା ପ୍ରସ୍ତୁତ ‘କୋଭିସିଲ୍ଡ’୍ ଓ ସ୍ୱଦେଶୀ ଟିକା ‘କୋଭାକ୍ସିନ୍’କୁ ଟିକାକରଣରେ ସାମିଲ କରାଯାଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ‘ଟିକା ଆସି ଯାଇଛି, ଏଥର କରୋନାକୁ ଭୟ କରିବାର ନାହିଁ’ ବୋଲି ସରକାର ସମଗ୍ର ଦେଶକୁ ବାର୍ତ୍ତା ଦେଇଥିଲେ ଏବଂ ଅଗ୍ରାଧିକାର ଭିତ୍ତିରେ କରୋନା ଯୋଦ୍ଧାଙ୍କୁ ଓ ପରେ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟିକାକରଣରେ ସାମିଲ କରିଥିଲେ । ୪୫ ବର୍ଷରୁ ଉଦ୍ଧ୍ୱର୍ ଏବଂ ବିବିଧ ରୋଗରେ ପିଡ଼ିତଙ୍କୁ ମଧ୍ୟ ଡ଼ାକ୍ତରୀ ସାର୍ଟିଫିକେଟ୍ ଦେଖାଉ ଟିକା ନେବା ସୁଯୋଗ ଦିଆଯାଇଥିଲା । ପରେ,୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ବିନା ଡ଼ାକ୍ତରୀ ପ୍ରମାଣପତ୍ରରେ ଟିକାକରଣରେ ସାମିଲ କରାଯାଇଛି । ଦେଶରେ ଟିକାର ଅଭାବ ନାହିଁ, ଜାତୀୟ ଓ ଆନ୍ତର୍ଜାତିକ ମାପଦଣ୍ଡକୁ ଭିତ୍ତି କରି ଟିକାକରଣ ଚାଲିଛି ବୋଲି ସରକାର କହିଥିଲେ । ଏବେ, କରୋନାର ଦ୍ୱିତୀୟ ଲହର ଭୟଂକର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଟିକାର ଅଭାବ ଏବେ ସରକାରଙ୍କୁ ବିଦେଶୀ ଟିକା ଉପରେ ନିର୍ଭର କରିବାକୁ ବାଧ୍ୟ କରିଛି । ରଷିଆର ‘ସ୍ପୁଟନିକ ଭି’ ଟିକାକୁ ଭାରତ ସରକାର ନିକଟରେ ଅନୁମୋଦନ ଦେଇଥିବା ବେଳେ ଆଉ କିଛି ବିଦେଶୀ ଟିକା ମଧ୍ୟ ଭାରତୀୟ ଟିକାକରଣରେ ସାମିଲ ହେବ ବୋଲି ସରକାର ନିକଟରେ ଘୋଷଣା କରି ଟିକା ସମସ୍ୟାର ଅତିଶୀଘ୍ର ସମାଧାନ ହେବ ବୋଲି ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ।
ତଥାପି, ଟିକାକୁ ନେଇ ରାଜନୀତି ଥମି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଟିକା ଉତ୍ସବ’ ପାଳନ ପାଇଁ ଆହ୍ୱାନ ଦେଇ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଆବଶ୍ୟକତା ଅନୁସାରେ ଟିକା ଯୋଗାଇ ଦେବାରେ ବିଫଳ ହୋଇଛି । ଫଳରେ, ଟିକାକୁ ନେଇ ଏପ୍ରିଲ ମାସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ହେଉଛି, ଚଳିତ ଏପ୍ରିଲ ମାସର କରୋନା ଗ୍ରାଫ୍ । ରାଜ୍ୟମାନେ ‘ତାଲାବନ୍ଦ’ ଭଳି ପଦକ୍ଷେପ ନେଇ ଜନଆକ୍ରୋଶର ସମ୍ମୁଖୀନ ହେବାକୁ ଚାହୁଁ ନୁହଁନ୍ତି । ଅଧିକରୁ ଅଧିକ ଟିକାକରଣ ମାଧ୍ୟମରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁ ଥିବା ବେଳେ ଟିକା ଅଭାବ ଚିନ୍ତାରେ ପକାଇଛି । ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବାକୁ ରାଜ୍ୟମାନେ କେନ୍ଦ୍ର ଉପରେ ଚାପ ସୃଷ୍ଟି ପକାଉ ଥିବା ବେଳେ କେନ୍ଦ୍ର ସରକାର ଟିକା ଯୋଗାଣରେ ଅସମାନତାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ସବୁ ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ଟିକା ରହିଛି । ମହାରାଷ୍ଟ୍ର ଭଳି କିଛି ରାଜ୍ୟ ଅଧିକ ପରିମାଣର ଟିକା ନଷ୍ଟ କରୁଛନ୍ତି । ଟିକାର ଅଭାବ କଥା କହି ରାଜ୍ୟମାନେ କେନ୍ଦ୍ର ଉପରେ ଅଯଥା ଚାପ ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଆଡୁ ପାଲଟା ଅଭିଯୋଗ ହେଉଛି ।
ଓଡ଼ିଶାରେ ମଧ୍ୟ ଟିକାର ଅଭାବ ଯୋଗୁଁ ଅଧିକାଂଶ ଟିକାକରଣ କେନ୍ଦ୍ରରେ ତାଲା ଝୁଲିଲାଣି । ରାଜ୍ୟ ସରକାର ଦିନକୁ ଦୁଇ ଲକ୍ଷ ଟିକାକରଣର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ବେଳେ ଟିକା ଅଭାବ କାର୍ଯ୍ୟକ୍ରମକୁ ମନ୍ଥର କରିଛି । ଏସଂପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱସ୍ଥ୍ୟ ବିଭାଗ ନିର୍ଦେଶକ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇବା ସତ୍ତ୍ୱେ ଙ୍କୁ ପର୍ଯ୍ୟାପ୍ତ ଟିକା ଯୋଗାଣ ହେଉ ନାହିଁ । ରାଜ୍ୟମାନଙ୍କ ଚାପକୁ ଏଡାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟଙ୍କ ଉପରେ ଦୋଷ ଲଦୁଛନ୍ତି । ସବୁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦିଆଯାଇଛି, ସବୁଠି ଟିକା ଗଚ୍ଛିତ ରହିଛି, ରାଜ୍ୟମାନେ କରୋନା ସଂକ୍ରମଣ ରୋକିବାରେ ବିଫଳ ହେଉ ଥିବାରୁ ଟିକା ଅଭାବର ବାହାନା କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପାଲଟା ତୀର ଚଳାଇ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୮ ତାରିଖ ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ସମୟରେ ‘ଭ୍ୟାକ୍ସିନ୍ ଅଭାବ’ ଅଭିଯୋଗ ଅମୂଳକ ବୋଲି କହିଛନ୍ତି । ‘ଭାରତର ଭ୍ୟାକ୍ସିନେସନ୍ ଷ୍ଟ୍ରାଟେଜି ବିଶ୍ୱର ଅଧିକାଂଶ ରାଷ୍ଟ୍ରର ଭ୍ୟାକ୍ସନେସନ୍ ଷ୍ଟ୍ରାଟେଜିଠାରୁ କୌଣସି ପ୍ରକାର ଭିନ୍ନ ନୁହେଁ’ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଅନ୍ୟମାନଙ୍କୁ ବଂଚିତ କରି ଗୋଟିଏ ରାଜ୍ୟରେ ସବୁତକ ‘ମାଲ୍’ ବା ଭ୍ୟାକ୍ସିନ୍ ଠୁଳ କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ । ଟିକା ଆସିବା ପରେ ଦେଶରେ ଟିକାକରଣକୁ ଗୁରୁତ୍ୱ ଦେଇଥିବା ପ୍ରଧାନମନ୍ତ୍ରୀ ହଠାତ୍ ୨୦୨୦ ମୋଡ୍ କୁ ଫେରିବା ପରାମର୍ଶ ଦେଇ ସମସ୍ତଙ୍କୁ ଆଚମ୍ବିତ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଯୁକ୍ତି ଥିଲା, ୨୦୨୦ ମାର୍ଚ୍ଚରୁ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ସମୟରେ କୌଣସି ପ୍ରତିଷେଧକ ଭ୍ୟାକ୍ସିନ୍ ନଥିଲା । ଲକ୍ ଡାଉନ୍, ସଟ୍ ଡାଉନ୍, କଂଟେନମେଂଟ୍, ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ମେଂଟ୍ ହିଁ ଥିଲା ସଂକ୍ରମଣ ରୋକିବାର ଏକମାତ୍ର ଉପାୟ । ସେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାରାମାନେ ଏହି ଉପାୟରେ କରୋନାର ମୁକାବିଲା କରିଥିଲେ । ବର୍ତ୍ତମାନ ସେ ନିଜେ ‘ତାଲାବନ୍ଦ’ ସପକ୍ଷରେ ନାହାନ୍ତି । କିନ୍ତୁ, କରୋନା ସଂକ୍ରମିତ ଅଂଚଳକୁ ମାଇକ୍ରୋ କଂଟେନମେଂଟ୍ ଜୋନ୍ ଘୋଷଣା କରି ଏବଂ ରାତ୍ରୀ କର୍ଫ୍ୟୁ ଜାରି କରି ସଂକ୍ରମଣକୁ ରୋକାଯାଇ ପାରିବ । ରାଜ୍ୟ ସରକାରମାନେ ଟିକା ସରି ଗଲା ବୋଲି ବାହାନା ନ କରି ଲକ୍ଷଣ-ବିହୀନ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ନିମନ୍ତେ ୭୦ ପ୍ରତିଶତ ଆରଟି-ପିସିଆର ଟେଷ୍ଟ୍ କରିବାକୁ ଏବଂ କରୋନା ସଂକ୍ରମଣକୁ ହାଲୁକାରେ ନେଇ ସଂକ୍ରମଣ ବଢାଉ ଥିବା ଜନତା ଓ ପ୍ରଶାସନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ‘ଭ୍ୟାକ୍ସିନ ଅଭାବ ଥିବା କହି ଯେଉଁମାନେ ରାଜନୀତି କରୁଛନ୍ତି, କରୁଥା’ନ୍ତୁ । ଆମର କିଛି କହିବାର ନାହିଁ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟ୍ କୌଶଳ ହିଁ ମହାମାରୀକୁ ଫଳପ୍ରଦ ଭାବେ ରୋକି ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାମିଲନାଡୁ ବ୍ୟତୀତ ଅନ୍ୟ ସମସ୍ତ ବୃହତ ରାଜ୍ୟ ଟିକାକୁ ନେଇ ସନ୍ତୁଳି ହେଉଥିବା ସରକାରୀ ହିସାବରୁ ଜଣାପଡିଛି ।
ଦେଶରେ କରୋନାର ଦ୍ୱିତୀୟ ଲହର ରାଜ୍ୟମାନଙ୍କ କେସ୍ ଲୋଡ୍ (ଆକ୍ରାନ୍ତ ସଂଖ୍ୟା) ବଢାଇ ଥିବା ବେଳେ କେଉଁ ରାଜ୍ୟକୁ କେତେ ପରିମାଣର ଟିକା ଦିଆଯିବ, କେଉଁ ବର୍ଗଙ୍କୁ ଟିକାକରଣରେ ସାମିଲ କରାଯିବ ତାହା ବ୍ୟୁରୋକ୍ରାଟମାନେ ନିର୍ଦ୍ଧାରଣ କରୁଥିବାରୁ ରାଜ୍ୟମାନଙ୍କରେ ଟିକାର ଅଭାବ ପରିସ୍ଥିତି ସୃଷ୍ଟି ହୋଇଥିବା ଜାତୀୟସ୍ତରର ସମୀକ୍ଷକମାନେ ଅଭିଯୋଗ କରୁଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ତାହାର ନିଜସ୍ୱ ଆୟରେ ଯଥେଷ୍ଟ ମାତ୍ରାରେ ଟିକା ଉତ୍ପାଦନ କରିପାରୁ ନଥିବାରୁ କେନ୍ଦ୍ର ସରକାରଙ୍କୁ ୩ ହଜାର କୋଟି ଟଙ୍କା ସହାୟତା ମାଗି ଥିଲା । ଏଥିରୁ ଜଣାପଡୁଛି, ସେରମ୍ ଇନଷ୍ଟିଚ୍ୟୁଟ୍ କୁ କୋଭିଡ଼ ଟିକା ପିଛା ଯେଉଁ ମୂଲ୍ୟ ମିଳୁଛି ତାହା କଂପାନୀ ପାଇଁ ଲାଭଜନକ ହୋଇପାରୁନି । ତେଣୁ, ସେରମ୍ ଇନଷ୍ଟିଚ୍ୟୁଟ୍ ଆବଶ୍ୟକତା ଅନୁସାରେ ଭ୍ୟାକ୍ସିନ୍ (କୋଭିସିଲ୍ଡ) ଉତ୍ପାଦନ କରିପାରୁନାହିଁ । କେନ୍ଦ୍ର ସରକାର କୋଭିଡ଼ ପରିଚାଳନା ବାବଦରେ ଚଳିତ ବର୍ଷର ବଜେଟରେ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖି ଥିବାରୁ ଭ୍ୟାକ୍ସନ ଉତ୍ପାଦନ ବଢାଇବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଟଙ୍କା ଦେବାରେ କିଛି ସମସ୍ୟା ହେବ ନାହିଁ ବୋଲି ସେମାନେ ମତ ଦେଇଛନ୍ତି । କରୋନା ମହମାରୀକୁ ରୋକିବା ପାଇଁ ‘ତାଲାବନ୍ଦ’, କଂଟେନମେଂଟ୍ ଓ ଅନ୍ୟାନ୍ୟ ବାବଦରେ ଯେତିକି ସରକାରୀ ବ୍ୟୟ ହେଉଛି ସେଥିରୁ ସମ୍ୟକ ପରିମାଣ ଭ୍ୟାକ୍ସିନ୍ ଉତ୍ପାଦନ ବଢାଇବାରେ ବିନିଯୋଗ କରାଗଲେ ରାଜ୍ୟମାନଙ୍କ ଭ୍ୟାକ୍ସନ୍ ସମସ୍ୟା ଦୂର ହୋଇଯିବ ବୋଲି ନିକଟରେ ଏକ ଜାତୀୟ ସମ୍ବାଦପତ୍ରର ସଂପାଦକୀୟରେ ପରାମର୍ଶ ଦିଆଯାଇଛି ।
ସରକାର ଟିକା ଅଭାବକୁ ସିଧାସଳଖ ସ୍ୱୀକାର କରୁ ନଥିଲେ ମଧ୍ୟ ବିଦେଶରେ ବ୍ୟବହାର ହେଉଥିବା ଏକାଧିକ ଟିକାକୁ ଆଣି ଦେଶର ଟିକାକରଣ ଅଭିଯାନରେ ସାମିଲ କରିବାକୁ ନିଷ୍ପତ୍ତି ନେବା ପରୋକ୍ଷ ସ୍ୱୀକାରୋକ୍ତି ଭାବେ ଧରାଯିବ । ‘କୋଭିସିଲ୍ଡ’, ‘କୋଭାକ୍ସିନ୍’ ସହ ରଷିଆର ‘ସ୍ପୁଟନିକ ଭି’ ଓ ଅନ୍ୟାନ୍ୟ ବିଦେଶୀ ଟିକା ଭାରତରେ ଟିକାକରଣରେ ସାମିଲ ହେଲେ ଏବଂ ଟିକାକରଣର ବୟସସୀମାକୁ ହଟାଯାଇ ସାର୍ବଜନୀନ ଟିକାକରଣ ଅଭିଯାନ ଚାଲିଲେ କରୋନା ଦ୍ୱିତୀୟ ଲହରର ମୁକାବିଲା ସମ୍ଭବ ହୋଇ ପାରିବ ବୋଲି ଅଶା କରାଯାଉଛି ।
ପ୍ରସାଦ ରାଓ
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS