ଦୁଇଟି ହାଇଡ୍ରାମା, ବିବନ ବିଶ୍ୱାଳ ଓ ହାଇଦର୍ !
ପ୍ରସାଦ ରାଓ
ଭୁବନେଶ୍ୱର
ଏପ୍ରିଲ ୧୭
ଇତିମଧ୍ୟରେ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସର ଦୁଇଟି ହାଇଡ୍ରାମାକୁ ଦର୍ଶକ ଉପଭୋଗ କଲେଣିି । ପ୍ରଥମ ନାଟକ ହେଉଛି, ଅଂଜନା ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ଧରି ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରୁ ନାଟକୀୟ ଢଂଗରେ ଧରାପଡିବା ଏବଂ ଦ୍ୱତୀୟ ନାଟକଟି ହେଉଛି, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଏସ୍ କେ ହାଇଦର୍ କଟକ ଏସସିବି ମେଡ଼ିକାଲ କଲେଜ ହସପିଟାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇ ପାଂଚ ଦିନ ମଧ୍ୟରେ ହାଇଦ୍ରାବାଦରୁ ଗିରଫ ହେବା ଘଟଣା । ବିବନ ବିଶ୍ୱାଳ ନାଟକରୁ ପରଦା ହଟାଇ ଥିଲେ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ୍ ର ପୂର୍ବତନ କମିସନର୍ ଡକ୍ଟର ସୁଧାଂଶୁ ଷଡଙ୍ଗୀ । ଏବେ, ହାଇଦର୍ ନାଟକର ଅନ୍ତଃ ଘଟାଇଛନ୍ତି ବର୍ତ୍ତମାନର ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଅପରେସନ୍ ‘ସାଇଲେଂଟ୍ ଭାଇପର୍’ ବା ‘ନୀରବ ବୋଡା ସାପ’ ଭଳି ହାଇଦର୍ ଫେରାର୍ ଓ ଗିରଫ ଘଟଣା ରୋଚକ ହୋଇ ନ ଥିଲେ ମଧ୍ୟ ତାହା ଗଣମାଧ୍ୟମ ଓ ରାଜ୍ୟବାସୀଙ୍କୁ କିଛି ଦିନ ହେଲା ଖବର ଭିତରେ ମଜ୍ଜାଇ ରଖି ଥିବାରୁ ଆଜି ଏଠାରେ ଆଲୋଚନାର ବିଷୟବସ୍ତୁ ହୋଇଛି ।
ପୂର୍ବତନ ସିପି ସୁଧାଂଶୁ ଷଡଙ୍ଗୀଙ୍କ ଅପରେସନ୍ ‘ସାଇଲେଂଟ୍ ଭାଇପର୍’ ଏଇଥି ପାଇଁ ରୋଚକ କୁହାଯିବ ଯେ, ୧୯୯୯ ଜାନୁୟାରୀ ୯ ତାରିଖ ରାତିରେ ଘଟି ଥିବା ଗୋଟିଏ ଘୃଣ୍ୟ ଅପରାଧର ମୁଖ୍ୟ ଅଭିଯୁକ୍ତକୁ ଅତି ସନ୍ତର୍ପଣରେ ଗିରଫ କରିବାରେ ସେ ଓ ତାଙ୍କ ଟିମ୍ ସକ୍ଷମ ହୋଇଥିଲେ । ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲା ୨୨ ବର୍ଷ ତଳରେ ହୋଇଥିଲେ ମଧ୍ୟ ଏବେ ପୁଣି ଥରେ ସମସ୍ତଙ୍କ ମନରେ ରିଫ୍ରେସ୍ ହୋଇଯାଇଛି । ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ବିବନ ବିଶ୍ୱାଳ ଅନ୍ୟ ଦୁଇ ଜଣଙ୍କ ସହ ମିଶି ଏହି ଘୃଣିତ କାର୍ଯ୍ୟ କରିବା ପରେ ଫେରାର୍ ଥିଲା । ରାଜ୍ୟ କ୍ରାଇମ୍ ବ୍ରାଂଚ୍ ବା କେନ୍ଦ୍ର ସରକାରଙ୍କ ଅପରାଧ ତଦନ୍ତ ବ୍ୟୁରୋ (ସିବିଆଇ) ୨୨ ବର୍ଷ ହେଲା ତାହାର ଟେର୍ ପାଉ ନ ଥିଲେ । ବିବନ ସିବିଆଇ ଆଖିରେ ଧୁଳି ଦେଇ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରେ ଛଦ୍ମନାମରେ ଆତ୍ମଗୋପନ କରି ରହି ଥିଲା । ସୁଧାଂଶୁ ଭୁବନେଶ୍ୱର ସିପି ହେବା ପରେ ବିବନର ଅପରାଧ ଫାଇଲ୍ ପଢି ଥିଲେ ଏବଂ ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଅଭିଯାନ ଅତ୍ୟନ୍ତ ଗୋପନୀୟ ଥିଲା । ଶେଷରେ, ଅମ୍ବିଭ୍ୟାଲିରେ ଲୁଚି ରହିଥିବା ‘ନୀରବ ବୋଡା ସାପ’କୁ ଗାତ ଭିତରୁ ଘୋଷାଡି ଆଣି ଥିଲେ ସୁଧାଂଶୁ ।
ଏକଦା ଅଂଜାନା ମିଶ୍ର ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟ ଓ ଦେଶକୁ ଚହଲାଇ ଦେଇଥିଲା । ଏହି ଘଟଣାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ଜଣେ ଦକ୍ଷ ଓ ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀ କ୍ଷମତାଚ୍ୟୁତ ହେବାକୁ ବାଧ୍ୟ ହୋଇଥିଲେ । ରାଜ୍ୟ କ୍ରାଇମ୍ ବ୍ରାଂଚ୍ ମାମଲାର ତଦନ୍ତ କରି ମାମଲାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରି କୋଟରେ ଦଣ୍ଡିତ କରାଇବାରେ ସଫଳ ହୋଇଥିଲେ ମଧ୍ୟ ବିବନର ଛାଇ ମଧ୍ୟ ଛୁଇଁ ପାରି ନଥିଲା । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ଏହି ମାମଲାର ତଦନ୍ତ ହାତକୁ ନେଇ ଥିଲେ । ତେବେ, ସିବିଆଇ ଭଳି ଏକ ଅଭିଜ୍ଞତା ସଂପନ୍ନ ତଦନ୍ତକାରୀ ସଂସ୍ଥା ବିବନକୁ ଖୋଜିବାରେ ବିଫଳ ହୋଇ ତଦନ୍ତରେ ଡ଼ୋରି ବାନ୍ଧି ଦେଇଥିଲେ । ଧୀରେ ଧୀରେ ଓଡ଼ିଶାବାସୀ ଅଂଜନା ମିଶ୍ର ଏବଂ ତାଙ୍କୁ ପ୍ରତି ହୋଇଥିବା ଗଣ ଦୁଷ୍କର୍ମର ମୁଖ୍ୟ ନାୟକ ବିବନଙ୍କ କଥା ସଂପୂର୍ଣ୍ଣ ଭୁଲି ଯାଇଥିଲେ । ତେବେ, ପୁଲିସ କମିସନର ଭାବେ କାର୍ଯ୍ୟ କରୁଥିବା ସୁଧାଂଶୁ ଷଡଙ୍ଗୀ ନିଜ ଢଙ୍ଗରେ ମାମଲାର ତଦନ୍ତ କରି ଆମ୍ବିଭ୍ୟାଲିରୁ ବିବନକୁ ଘୋଷାଡି ଆଣି ଥିଲେ । ୨୨ ବର୍ଷ ପରେ ପୁଣି ଥରେ ଅଂଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ଓଡ଼ିଶାରେ ଚର୍ଚ୍ଚାକୁ ଆସିଥିଲା ଏବଂ ଓଡ଼ିଶାବାସୀ ସେହି କଳା ଦିନକୁ ମନେ ପକାଇ ଥିଲେ । ଆଜି ହାଇଦର୍ ମାମଲାରେ ଯେଭଳି ବର୍ତ୍ତମାନର ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ତାଙ୍କ ଟିମ୍ ଭୁରି ଭୁରି ପ୍ରଶଂସା ଗୋଟାଉଛନ୍ତି ବିବନ ବିଶ୍ୱାଳ ଗିରଫ ଘଟଣାରେ ତତ୍କାଳୀନ ସିପି ସୁଧାଂଶୁ ଷଡଙ୍ଗୀ ମଧ୍ୟ ସେହି ଭଳି ପ୍ରଶଂସା ଗୋଟାଇ ଥିଲେ । ତେବେ, ତାଙ୍କ ପାଇଁ କାଳ ହେଲା ମାତ୍ରାଧିକ ଉତ୍ସାହ ।
ସିବିଆଇ ଯାହା କରି ପାରିଲା ନାହିଁ ତାଙ୍କ ଟିମ୍ ତାହା କରି ଦେଖାଇଛି ବୋଲି ସୁଧାଂଶୁଙ୍କ ଆତ୍ମସ୍ପର୍ଦ୍ଧା କମିସନରେଟ୍ ପୁଲିସରୁ ତାଙ୍କ ବିଦାୟର ବାଟ ଖୋଲି ଦେଇଥିଲା । କମିସନରେଟ୍ ପୁଲିସରୁ ବିଦାୟ ହେବା ପରେ ସୁଧାଂଶୁ ଗଣମାଧ୍ୟମ ପାଇଁ ଅଲୋଡା ପାଲଟିଛନ୍ତି । ବିବନ ବିଶ୍ୱାଳ ଗିରଫ ହୋଇ ସିବିଆଇ ହେପାଜତକୁ ଚାଲି ଯିବା ପରେ ଏକାଧିକ ଥର ଜେରା ହେଲାଣି । ତଥାପି, ୧୯୯୯ ଜାନୁୟାରୀ ୯ ତାରିଖ ରାତିର ସେ ଯେଉଁ କୁକର୍ମ କଲା ତାହା ପଛରେ କେଉଁମାନଙ୍କ ଅଭୟାଶ୍ରୟ ଥିଲା ତାହା ଏପର୍ଯ୍ୟନ୍ତ ଖୁଲାସା ହୋଇନି ।
ଅଂଜନା କଟକରୁ ଭୁବନେଶ୍ୱର ଫେରୁ ଥିବା ବେଳେ ବାରଙ୍ଗ ନିକଟରେ ରାସ୍ତାରୁ ଅଂଜନାଙ୍କୁ କାର୍ ରୁ ଅପହରଣ କରି ନିଆଯିବା ଏବଂ ନିକଟସ୍ଥ ଏକ ଜଙ୍ଗଲରେ ବିବନ ସମେତ ତିନି ଜଣ ତାଙ୍କୁ ଦୁଷ୍କର୍ମ କରିବା ଏକ ସାଧାରଣ ଅପରାଧ ଘଟଣା ନଥିଲା, ଏହା ପଛରେ ଯେ ତତ୍କାଳୀନ ଶାସକ ଦଳ (କଂଗ୍ରେସ)ର ଏକ ବଡ ଷଡଯନ୍ତ୍ର ଛପି ରହି ଥିଲା, ତାହା ଅଂଜନା ନିଜେ ସନ୍ଦେହ କରନ୍ତି । ଓଡ଼ିଶାବାସୀଙ୍କ ମନରେ ମଧ୍ୟ ସେଭଳି ସନ୍ଦେହ ରହି ଆସିଛି । ବିବନ କମିସନରେଟ୍ ପୁଲିସ ହାତରେ ଧରା ପଡିବା ପରେ ପୁଲିସ ଓ ସିବିଆଇ ତାଙ୍କୁ ବାରମ୍ବାର ଜେରା କରିଛନ୍ତି । ସିବିଆଇ ଟିମ୍ କୁ ଅଂଜନା ବାରମ୍ବାର ଏକମାତ୍ର ପ୍ରଶ୍ନ କରୁଛନ୍ତି -‘ଷଡଯନ୍ତ୍ରକାରୀ କିଏ ଜଣାପଡିଲା କି’? କିନ୍ତୁ, ଆଜି ସୁଦ୍ଧା ତାଙ୍କୁ ବା ଓଡ଼ିଶାବାସୀଙ୍କୁ ଏହାର ଉତ୍ତର ମିଳି ନାହିଁ । ସେହି ସମୟରେ ଯେଉଁମାନେ ଏହି ଗଣଦୁଷ୍କର୍ମ ଷଡଯନ୍ତ୍ରର ମୁଖ୍ୟ ସୂତ୍ରଧର ବୋଲି ସନ୍ଦେହ କରାଯାଉଥିଲା ସେମାନେ ଏବେ ଜୀବିତ ନାହାନ୍ତି । ଓଡ଼ିଶା ପୁଲିସ ବା ସିବିଆଇ ଷଡଯନ୍ତ୍ରକାରୀ (ଯଦି ହୋଇଥାଏ)କେଉଁମାନେ ଥିଲେ (?) ତାହା କହିବାକୁ କାହିଁକି ଡରୁଛି !
ଏବେ ଆସିବା କଟକ ବଡ଼ ମେଡ଼ିକାଲରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଫେରାର ଘଟଣାକୁ । ସମ୍ବଲପୁର ଜେଲରେ ସଜ୍ଜା କାଟୁଥିବା ହାଇଦର୍ ଆସିଥିଲା କଟକ ବଡ ମେଡ଼ିକାଲକୁ ଅସ୍ତ୍ରୋପଚାର କରାଇବା ବାହାନାରେ । ସମ୍ବଲପୁର ଜେଲ କତ୍ତୃପକ୍ଷ ବା ପୁଲିସ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀ ପୁଲିସ କମିସନରେଟ୍ କୁ ଏହାର ସୂଚନା ମଧ୍ୟ ଦେଇ ନଥିଲେ । ହାଇଦର୍ କୁ କଟକ ବଡ଼ ମେଡିକାଲକୁ ଆଣିବା ପରେ ସମ୍ବଲପୁର ପୁଲିସ ଓ ଜେଲ୍ କର୍ମଚାରୀ (ଏସକର୍ଟ ପାର୍ଟି) କଡା ସୁରକ୍ଷା ବଳୟରେ ରଖିବା କଥା । କିନ୍ତୁ, ତାହା ହୋଇ ନାହିଁ । ଏସକର୍ଟ ପାର୍ଟି ହାଇଦର୍ କୁ ଜଗିବେ କଣ, ତା’ରି ପଇସାରେ ହୋଟେଲରେ ରହି ମଉଜ ମସ୍ତି କଲେ ଓ ବିରିଆନି ଖାଇଲେ । ହାଇଦର୍ ମଧ୍ୟ ନିଜ ବାଟରେ ମନୋରଂଜନ କରୁଥିଲା ବୋଲି ସେ ହସ୍ପିଟାଲରୁ ଫେରାର ହେବା ପରେ ହୋଇଥିବା ପୁଲିସ ତଦନ୍ତରୁ ଜଣାପଡିଛି । ହାଇଦର୍ ଯେମିତି ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଥିଲା ସେମିତି ଜାକିଜୁକି ହୋଇ ହାଇଦ୍ରାବାଦରୁ ଧରା ହୋଇ ଆସିଛି । ହାଇଦର୍ କୁ କେଉଁ ଧରଣର ସ୍ପେଶାଲାଇଜ୍ ଚିକିତ୍ସାର ଆବଶ୍ୟକତା ଥିଲା, ତାଙ୍କୁ କଟକ ବଡ଼ ମେଡ଼ିକାଲକୁ କିଏ ଓ କେଉଁର୍ ବିଭାଗକୁ ରେଫର୍ କରିଥିଲା ଏବଂ ଏସସିବିରେ ପହଂଚୁ ପହଂଚୁ କେବିନ୍ ମିଳି ଗଲା କେମିତି (?) – ଏଭଳି ଏନେକ ପ୍ରଶ୍ନ ଏବେ ତଦନ୍ତାଧୀନ ରହିଛି ।
ହାଇଦର୍ ଫେରାର୍ ହେବା ଘଟଣାରେ ଉଭୟ ପୁଲିସ ଓ ଜେଲ୍ ବିଭାଗ ସନ୍ଦେହ ଘେରରେ ଥିବା ବେଳେ ସେ କଟକ ବଡ଼ ମେଡ଼ିକାଲରୁ ଫେରାର ହେବା ଏବଂ ହାଇଦ୍ରାବାଦରୁ ଧରା ପଡିବା ଖବର ଗଣମାଧ୍ୟମରେ ପ୍ରମୁଖ ଖବର ରହିଛି । ଏହି ‘ମିଡ଼ିଆ ହାଇପ୍’ କେତେ ଦିନ ରହିବ ଆମେ ଜାଣିନାହୁଁ । କଟକରୁ ଫେରାର୍ ହାଇଦର୍ କୁ ପାଂଚ ଦିନ ମଧ୍ୟରେ କମିସନରେଟ୍ ପୁଲିସ ହାଇଦ୍ରାବାଦରୁ ଗିରଫ କରି ଥିବାରୁ ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ତାଙ୍କ ଟିମ୍ ବେଶ୍ ପ୍ରଶଂସିତ ହେଉଛନ୍ତି । ପୁରା ଟିମ୍ ଡ଼ିଜିଙ୍କ ସହ ଫଟୋ ଉଠାଇ ଗଣମାଧ୍ୟମରେ ଛାଡିଛନ୍ତି, ଯାହାକି ବହୁଳ ଭାବେ ପ୍ରସାରିତ ହେଉଛି । ପୂର୍ବତନ ସିପି ସୁଧାଂଶୁ ଷଡଙ୍ଗୀଙ୍କ ମିଡ଼ିଆ ମ୍ୟାନେଜମେଂଟ୍ ଦକ୍ଷତା ଥିଲା, ଏବେକାର ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ରହିଛି । ତେବେ, ପ୍ରଭେଦ ହେଉଛି, ପୂର୍ବତନ ସିପି ସୁଧାଂଶୁ ବାବୁଙ୍କ ମିଡ଼ିଆ ମ୍ୟାନେଜମେଂଟ୍ ରେ ସାମାନ୍ୟ ଅହଂକାରର ଝଲକ ରହୁଥିଲା, ଯାହାକି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିକଟରେ ଦେଖିବାକୁ ମିଳୁ ନାହିଁ । ସେ ଜଣେ ଅଭିଜ୍ଞ ପୁଲିସ ଅଧିକାରୀ ଭାବେ ମିଡ଼ିଆକୁ ପରିଚାଳନା କରୁଛନ୍ତି ।
ବର୍ତ୍ତମାନ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସର ମୂଳ କାର୍ଯ୍ୟ ହେଉଛି – କଟକ ବଡ ମେଡ଼ିକାଲରୁ ହାଇଦର୍ କୁ ଫେରାର୍ କରାଇବା ପଛରେ ଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ୍ କରିବା । ଏହି ଷଡଯନ୍ତ୍ରରେ କେବଳ କିଛି ପୁଲିସ ଓ ଜେଲ କର୍ମଚାରୀ ଏବଂ ହାଇଦରଙ୍କ ପରିବାର ସାମିଲ୍ ଅଛନ୍ତି ନାଁ ବାହାରର କିଛି ପ୍ରଭାବଶାଳୀ ବ୍ୟକ୍ତି ବା ଅଧିକାରୀ ସାମିଲ ଅଛନ୍ତି, ତାହା ଲୋକଲୋଚନକୁ ଆସିବା ଉଚିତ । ହାଇଦର୍ ହାଇଦ୍ରବାଦରୁ ଗିରଫ ହୋଇ କଟକ ଫେରିବା ପରେ ଏବେ ଚୌଦ୍ୱାର ଜେଲରେ ରହିଛି । ପୁଲିସ ସାତ ଦିନ ପାଇଁ ରିମାଂଡ ପାଇଛି । ତେଣୁ, ହାଇଦର୍ କୁ ରିମାଣ୍ଡରେ ଆଣି ତଦନ୍ତ ଆଗକୁ ନେବାକୁ ପୁଲିସ ବାହାରି ଥିବା ବେଳେ ହାଇଦର୍ କୋଭିଡ୍ ପଜେଟିଭ୍ ଥିବା ଜଣାପଡିଛି । ଜେଲ ଭିତରେ ହାଇଦର୍ ସଂଗରୋଧରେ ରହିଛି । ସେ ସୁସ୍ଥ ହେବା ପରେ ଯାଇଁ କମିସନରେଟ୍ ପୁଲିସ ତଦନ୍ତ ଆଗକୁ ନେବ । ତେବେ, ‘ଅପରେସନ୍ ସାଇଲେଂଟ୍ ଭାଇପର୍’ ଭଳି ‘ଅପରେସନ୍ ହାଇଦର୍’ ଉପରୁ ଗଣମାଧ୍ୟମର ନଜର ଥରେ ହଟି ଗଲେ ଷଡଯନ୍ତ୍ରର ସୂତା ହଜି ଯିବାର ଅବକାଶ ରହିଛି । କାହାଣୀ ଗରମ ଥିବା ବେଳେ ହିଁ ଷଡଯନ୍ତ୍ରର ପୃଷ୍ଠା ନ ଖୋଲିଲେ ଅଂଜନା ଗଣଦୁଷ୍କର୍ମ ଘଟଣାର ଷଡଯନ୍ତ୍ରକୁ ଖୋଜିବା ଭଳି ହାଇଦର୍ ଫେରାର୍ ମାମଲା ‘ରାତି ଗଲେ କଥା ସରିଲା’ ଭଳି ହୋଇଯିବା କିଛି ଅସମ୍ଭବ ନୁହେଁ ।
ପ୍ରସାଦ ରାଓ
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS