ଜଷ୍ଟିସ ବୋବଡେ ବିଦାୟ, ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଏନ.ଭି.ରମଣା
ନୂଆଦିଲ୍ଲୀ
ଏପ୍ରିଲ ୨୪
ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଆଜି ଦେଶର ୪୮ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜଷ୍ଟିସ ରମଣାଙ୍କୁ ଶପଥ ପାଠ କରାଇଛନ୍ତି । କୋଭିଡ଼ ପ୍ରୋଟୋକଲ୍ ମଧ୍ୟରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଉପ ରାଷ୍ଟ୍ରପତି ଏମ.ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିରଳା, କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ । ଜଷ୍ଟିସ ରମଣା ହେଉଛନ୍ତି ଦ୍ୱତୀୟ ମୁଖ୍ୟ ବିଚାରପତି ଯିଏକି ଆନ୍ଧ୍ର ପ୍ରଦେଶରୁ ଆସିଛନ୍ତି । ତାଙ୍କ ପୂର୍ବରୁ ଆନ୍ଧ୍ରରୁ ଜଷ୍ଟିସ କେ.ସୁବ୍ବା ରାଓ ଦେଶର ମୁଖ୍ୟ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଜଷ୍ଟିସ ରମଣା ଏକ ବର୍ଷ ୪ ମାସ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ରହିବେ । ୨୦୨୨ ଅଗଷ୍ଟ ୨୬ରେ ସେ ଅବସର ଗ୍ରହଣ କରିବେ । ଏପ୍ରିଲ ୨୩ ତାରିଖରେ ଅବସର ଗ୍ରହଣ କରିଥିବା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ରମଣାଙ୍କୁ ଚୟନ କରି ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ପରେ ରାଷ୍ଟ୍ରପତି କୋବିନ୍ଦ ତାହାକୁ ଅନୁମୋଦନ କରିଥିଲେ । ଜଷ୍ଟିସ ରମଣାଙ୍କୁ ଦେଶର ମୁଖ୍ୟ ବିଚାରପତି କରାଇ ନ ଦେବା ଦିଗରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀଙ୍କ ପକ୍ଷରୁ ବଡ ଷଡଯନ୍ତ୍ର ହୋଇଥିଲା । ମୁଖ୍ୟମନ୍ତ୍ରୀ ରେଡ୍ଡୀ କେନ୍ଦ୍ର ସରକାରଙ୍କ ନିକଟରେ ଜଷ୍ଟିସ ରମଣାଙ୍କ ବିରୋଧରେ ଦୁର୍ନୀତି ଓ ପ୍ରିୟାପ୍ରୀତି ଅଭିଯୋଗ ଆଣି ଥିଲେ ମଧ୍ୟ ତାହା ମିଥ୍ୟା, କପୋଳକଳ୍ପତ ଓ ଉଦ୍ଦେଶ୍ୟମୂଳକ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତଦନ୍ତ କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲେ ।
ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତିଙ୍କୁ ନେଇ ଏହି ତଦନ୍ତ କମିଟି ଗଠନ ହୋଇଥିଲା । ବିଭିନ୍ନ ଗୁରୁତର ଅପରାଧ ମାମଲାରେ ବିଚାରଣାର ସାମ୍ନା କରୁଥିବା ବର୍ତ୍ତମାନର ବିଧାୟକ, ସାଂସଦ ଏବଂ ପୂର୍ବତନ ବିଧାୟକ ଓ ସାଂସଦମାନଙ୍କ ମାମଲାର ବିଚାରଣା କାର୍ଯ୍ୟ ବର୍ଷ ବର୍ଷ ଧରି ଗଡି ଆସୁ ଥିବାରୁ ତାହାକୁ ତ୍ୱରାନ୍ୱିତ କରାଯିବାକୁ ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ରାୟ ଦେବା ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ରେଡ୍ଡୀ ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ରମଣାଙ୍କୁ ଟାର୍ଗେଟ୍ କରିଥିଲେ ବୋଲି ତଦନ୍ତ କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲେ । ଜଷ୍ଟିସ ରମଣା ‘ସମସ୍ତଙ୍କୁ ନ୍ୟାୟ ମିଳିବା’ ତତ୍ତ୍ୱରେ ବିଶ୍ୱାସ କରୁଥିବାରୁ ତାଙ୍କ କାର୍ଯ୍ୟକାଳରେ ନ୍ୟାୟ ବ୍ୟବସ୍ଥା ଅଧିକ ସୁଦୃଢ ହେବ ବୋଲି ବିଶ୍ୱାସ କରାଯାଉଛି । ଏପ୍ରିଲ ୨୩ ତାରିଖ ଦିନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିବା ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କ କାର୍ଯ୍ୟକାଳ ମଧ୍ୟ ଥିଲା ମାତ୍ର ୧୭ ମାସ । ଜଷ୍ଟିସ ବୋବଡେ କୋଭିଡ଼ ମହାମାରୀର କଳାବାଦଳ ମଧ୍ୟରେ ଦେଶର ୪୭ତମ ମୁଖ୍ୟ ବିଚାରପତି ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଥିଲେ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅଦାଲତରେ ମାମଲାର ଶୁଣାଣୀ କରାଯିବା ଥିଲା ଏକ ବଡ଼ ନିଷ୍ପତ୍ତି । ଗତ ବର୍ଷକ ଭିତରେ ସୁପ୍ରିମ କୋର୍ଟରେ ୫୨ ହଜାରରୁ ଅଧିକ ମାମଲାର ଫଇସଲା ହୋଇଥିବା ଏକ ରେକର୍ଡ ବୋଲି ବିଚାର କରାଯାଉଛି । ଜଷ୍ଟିସ ବୋବଡେ ମୁଖ୍ୟ ବିଚାରପତି ହେବା ପୂର୍ବରୁ ଅଯୋଧ୍ୟା ବାବରୀ ମସଜିଦ-ରାମଲାଲା ମନ୍ଦିର ବିବାଦର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିବାଦୀୟ ସ୍ଥଳରେ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ତାହା ବଦରେ ମସଜିଦ୍ ନିର୍ମାଣ ପାଇଁ ମୁସଲିମ୍ ସଂପ୍ରଦାୟକୁ ସହର ଉପକଂଠରେ ଜମି ଯୋଗାଇ ଦେବାକୁ ସୁପ୍ରିମ କୋର୍ଟର ଫଇସଲା ସମୟରେ ଜଷ୍ଟିସ ବୋବଡ଼େ ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତି ଥିଲେ ।
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS