କରୋନା ସକ୍ରୀୟ ଆକ୍ରାନ୍ତ ସଂଖ୍ୟାରେ ପୁଣେକୁ ପଛରେ ପକାଇଲା କର୍ଣ୍ଣାଟକର ବାଂଗାଲୁରୁ ସହର !
ବାଂଗାଲୁରୁ
ଏପ୍ରିଲ ୨୪
ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ରର ପୁଣେ ଜିଲ୍ଲା ଅଗ୍ରଣୀ ଥିଲା । ଆଜି କର୍ଣ୍ଣାଟକର ବାଂଗାଲୁରୁ ଜିଲ୍ଲା କରୋନା କେସ୍ ଲୋଡ୍ରେ ଦେଶର ଅଗ୍ରଣୀ ଜିଲ୍ଲାର ପରିଣତ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଶୁକ୍ରବାର (ଏପ୍ରିଲ ୨୩ ତାରିଖ) ସୁଦ୍ଧା ସକ୍ରିୟ କରୋନା କେସ୍ ସଂଖ୍ୟା ୧ଲକ୍ଷ ୧୬ ହଜାର ୬୦୨ ଥିବା ସମୟରେ କର୍ଣ୍ଣଟକର ବାଂଗାଲୁରରେ ଦେଢ ଲକ୍ଷ ପାଖାପାଖି ପହଂଚି ଥିବା ରାଜ୍ୟର ସ୍ୱାସ୍ଥ୍ୟ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଶୁକ୍ରବାର ଦିନ ବାଂଗାଲୁର ଜିଲ୍ଲାରୁ ୧୬ ହଜାର ୬୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୯ ହଜାର ୬୨୪ରେ ପହଂଚିଛି । ଅପରପକ୍ଷରେ, ଦିଲ୍ଲୀରେ ସକ୍ରୀୟ କରୋନା ରୋଗୀଙ୍କ ସଂଖ୍ୟା ପାଖାପାଖି ୧ ଲକ୍ଷ ଥିବା ସମୟରେ ମୁମ୍ବାଇରେ ୮୧ ହଜାର ୧୭୪ ରହିଛି । ମେ’ ୧ ତାରିଖ ସୁଦ୍ଧା ବାଂଗାଲୁରୁରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୨୫,୦୦୦ରେ ପହଂଚି ଯିବ ବୋଲି କର୍ଣ୍ଣାଟକର ମହାମାରୀ ରୋଗ ବିଶେଷଜ୍ଞ ତଥା କୋଭିଡ଼-୧୯ ବୈଷୟିକ ପରାମର୍ଶଦାତା କମିଟି ସଦସ୍ୟ ଡକ୍ଟର ଗିରିଧର ଆର ବାବୁ ଆକଳନ କରିଛନ୍ତି । ସେଥିରୁ ଯଦି ୫ ପ୍ରତିଶତଙ୍କ ଗୁରୁତର ରୋଗୀ ବାହାରନ୍ତି ତେବେ ରାଜ୍ୟ ସ୍ୱାସ୍ଥ୍ୟ ସେବାକୁ ସଂପ୍ରସାରିତ କରିବାକୁ ପଡିବ ବୋଲି ସେ କହିଛନ୍ତି । ବିବିଏମପିର ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର କମିସନର ରାଜେନ୍ଦ୍ର ଚୋଲାନ ପି କହିଛନ୍ତି, ବାଂଗାଲୁରୁର ସକ୍ରୀୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୦ରୁ ୯୨ ପ୍ରତିଶତ ହୋମ୍ ଆଇସୋଲେସନ୍ ବା ଗୃହ ସଂଗରୋଧରେ ରହିଛନ୍ତି । ସେମାନଙ୍କ ଉପରେ ନଜର ରଖିବା ହେଉଛି ସ୍ୱାସ୍ଥ୍ୟ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଂଜ୍ । ପାଲେସ୍ ଗ୍ରାଉଣ୍ଡ୍ ଓ ମ୍ୟାରେଜ୍ ହଲ୍ ଭଳି ସ୍ଥାନରେ କୋଭିଡ଼ କେୟାର ସେଂଟର ପ୍ରତିଷ୍ଠା କରି ଅକ୍ସିଜେନ୍ ଆବଶ୍ୟକତା କରୁଥିବା ସକ୍ରୀୟ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଆବଶ୍ୟକତା ରହିଛି ବୋଲି ବିବିଏମପିର ସ୍ୱସ୍ଥ୍ୟ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଥିବା ବେଳେ ଚୋଲାନ କହିଛନ୍ତି, ଗତବର୍ଷ ସିସିଆର (କୋଭିଡ଼ କେୟାର ସେଂଟର)ମାନ ଖୋଲା ଯାଇ ଆକ୍ରାନ୍ତଙ୍କୁ କୋଭିଡ଼ ମେଡ଼ିକାଲ କାଟ୍ ଯୋଗାଇ ଦେବା ବ୍ୟବସ୍ଥା ହୋଇଥିଲା । ବାଂଗାଲୁରୁରେ କୋଭିଡ଼ ରୋଗୀ ସଂଖ୍ୟା କମିଯିବା ପରେ ସିସିଆରଗୁଡ଼ିକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଖିଦୃଶିଆ ବୃଦ୍ଧି ପାଇଛି ସତ, କିନ୍ତୁ ସେଥିରୁ ୮୦ରୁ୮୫ ପ୍ରତିଶତ ହେଉଛନ୍ତି ଲକ୍ଷଣ-ବିହୀନ ବା ସାମାନ୍ୟ ଲକ୍ଷଣ ଦିଶୁଥିବା ରୋଗୀ । ତେଣୁ, ଯେଉଁ ୫ରୁ ୬ ପ୍ରତିଶତ ଗୁରୁତର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ପାଇଁ ହସପିଟାଲରେ ଶଯ୍ୟା ବ୍ୟବସ୍ଥା କରିବା ହେଉଛି ବିବିଏମପି ପାଇଁ ହୋଇଛି ବଡ଼ ଚ୍ୟାଲେଂଜ୍ । ବର୍ତ୍ତମାନ ବାଂଗାଲୁରୁରେ ଯେଭଳି ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ବଢୁଛି ତାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସଂପୂର୍ଣ୍ଣ ତାଲାବନ୍ଦ (ଲକ୍ ଡାଉନ୍) ନିତାନ୍ତ ଆବଶ୍ୟକ । ତେବେ, ଏହା ଶେଷ ବିକଳ୍ପ ହୋଇଥିବାରୁ ଅକ୍ସିଜେନ୍-ଯୁକ୍ତ ଶଯ୍ୟା ସଂଖ୍ୟା ବଢାଇବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ବିବିଏମପିର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS