ମାଗଣା ଟିକା – ମୁଖ୍ୟମନ୍ତ୍ରୀ କଣ ଘୋଷଣା କରିବେ, ତାହା କଣ ଅମର ଜାଣି ନଥିଲେ ?
ଭୁବନେଶ୍ୱର
ଏପ୍ରିଲ ୨୬
ରାଜ୍ୟବାସୀଙ୍କୁ ମାଗଣାରେ କୋଭିଡ଼ ଟିକା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରବିବାର ରାତିରେ ଘୋଷଣା କରିବା ପରେ ଟିକାକୁ ନେଇ ଉପୁଜି ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ରବିବାର ରାତି ୮ଟାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାର ଠିକ୍ ପୂର୍ବରୁ ବିଜେଡ଼ିର ତୁଂଗ ନେତା ଅମର ପଟ୍ଟନାୟକ ଗଣମାଧ୍ୟମ ସାମନାରେ ଯେଉଁ ବିବୃତି ରଖିଲେ ତାହା ମୁଖ୍ୟମନ୍ତ୍ରୀ କଣ ଘୋଷଣା କରିବାକୁ ଯାଉଛନ୍ତି ସେ ନେଇ ଦଳର ଦ୍ୱତୀୟ ଧାଡିର ନେତାମାନେ ଶେଷ ପର୍ଯ୍ୟନ୍ତ ଅନ୍ଧାରରେ ଥିବା ସ୍ପଷ୍ଟ ହୋଇଛି ।
ଦେଶରେ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ମେ’ ୧ ତାରିଖରୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଦେଶର ଟିକା ଉତ୍ପାଦନା କରୁଥିବା ସଂସ୍ଥା ‘ସେରମ୍ ଇନଷ୍ଟିଚୃୁଟ୍’ ଓ ‘ଭାରତ ବାୟୋଟେକ୍’ ସେମାନଙ୍କ ନିଜ ନିଜ ଉତ୍ପାଦିତ ଟିକାର ମୂଲ୍ୟ ଶନିବାର ଦିନ ଘୋଷଣା କରିଥିଲେ । ‘ଭାରତ ବାୟୋଟେକ୍’ ଦ୍ୱାରା ଉତ୍ପାଦିତ କୋଭିଡ଼-୧୯ ଟିକା ‘କୋଭାକ୍ସିନ୍’ର ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ଡୋଜ୍ ପିଛା ୬୦୦ ଟଙ୍କା ଓ ଘରୋଇ ହସପିଟାଲଙ୍କ ପାଇଁ ଡୋଜ୍ ପିଛା ୧୨୦୦ ଟଙ୍କା ଘୋଷଣା ହୋଇଥିବା ବେଳେ ‘ସେରମ୍ ଇନଷ୍ଟିଚ୍ୟୁଟ୍’ ତାହାର କୋଭିଡ଼ ଟିକା ‘କୋଭିସିଲ୍ଡ’ର ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ଡୋଜ୍ ପିଛା ୪୦୦ଟଙ୍କା ଓ ଘରୋଇ ହସପିଟାଲଙ୍କ ପାଇଁ ୬୦୦ଟଙ୍କା ଧାର୍ଯ୍ୟ କରିଥିବା ସୂଚାଇ ଥିଲା । ଉଭୟ ସଂସ୍ଥା ଟିକାକରଣ (ପ୍ରଥମେ ୬୦ ବର୍ଷରୁ ଉଦ୍ଧ୍ୱର୍ ଏବଂ ପରେ ୪୫ ବର୍ଷରୁ ଉଦ୍ଧ୍ୱର୍) ପ୍ରାରମ୍ଭରୁ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ଟିକା ଡୋଜ୍ ପିଛା ୧୫୦ ଟଙ୍କା ମୂଲ୍ୟରେ ଯୋଗାଉ ଥିବା ବେଳେ ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକାକରଣ କଥା ଆସିବାରୁ ଉଭୟ ସଂସ୍ଥା ରାଜ୍ୟମାନଙ୍କ ପାଇଁ ଟିକାର ମୂଲ୍ୟ ଯଥେଷ୍ଟ ଅଧିକ ରଖିବାରୁ ଏହା ଏକ ବିବଦମାନ ପରିସ୍ଥିତି ସୃଷ୍ଟି କରିଥିଲା ।
ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ କେନ୍ଦ୍ର ସରକାରଙ୍କ ପାଇଁ ଗୋଟିଏ ମୂଲ୍ୟ ଓ ରାଜ୍ୟ ସରକାରଙ୍କ ପାଇଁ ଆଉ ଗୋଟିଏ ମୂଲ୍ୟ ଧାର୍ଯ୍ୟ କରିବା କେତେଦୂର ଯଥାର୍ଥ ବୋଲି ରାଜ୍ୟମାନେ ପ୍ରଶ୍ନ ଉଠାଇ ଥିଲେ । ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକା ଓ ଗୋଟିଏ ମୂଲ୍ୟ ରହିବା ଉଚିତ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଖୋଲାଖୋଲି ମତ ରଖିଥିଲେ । ଓଡ଼ିଶା ସରକାର ଏସଂପର୍କରେ ନୀରବ ରହିବାରୁ ରାଜ୍ୟବାସୀ ଟିକାର ମୂଲ୍ୟକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଥିଲେ । ଏପର୍ଯ୍ୟନ୍ତ ରାଜ୍ୟରେ ମାଗଣା ଟିକାକରଣ ଚାଲିଥିବା ଦୃଷ୍ଟିରୁ ଆଗାମୀ ଦିନରେ ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇବେ ନା ଟିକା ଉତ୍ପାଦନକାରୀ ସଂସ୍ଥାଙ୍କ ଦ୍ୱାରା ଧାର୍ଯ୍ୟ ଦରକୁ ନେଇ ଟିକାର ମୂଲ୍ୟ ନିର୍ଦ୍ଧାରଣ କରିବେ (?), ସେ ନେଇ ଏକ ଅନିଶ୍ଚିତ ବାତାବରଣ ଦେଖିବାକୁ ମିଳିଥିଲା । ରାଜ୍ୟରେ ବିରୋଧୀ ଦଳରେ ଥିବା କଂଗ୍ରେସ ଓ ବିଜେପି ସରକାର ସମସ୍ତଙ୍କୁ ମାଗଣାରେ କୋଭିଡ଼ ଟିକା ଯୋଗଇ ଦେବା ଉଚିତ ବୋଲି ମନ୍ତବ୍ୟ ରଖି ରବିବାର ଦିନ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ବିଜେଡ଼ିର ବରିଷ୍ଠ ନେତା ଅମର ପଟ୍ଟନାୟକ ଗଣମାଧ୍ୟମରେ ସରକାରଙ୍କ ପକ୍ଷରୁ ମତ ରଖିବାକୁ ଯାଇ କହିଥିଲେ, ରାଜ୍ୟ ସରକାର କୋଭିଡ଼ ପରିଚାଳନା ପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ସେବାବଦରେ ନିଜସ୍ୱ ପାଂଠିରୁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ସରକାର ସ୍ୱାସ୍ଥ୍ୟ ବିଭାଗ ଭିତ୍ତିଭୂମିର ବିକାଶକୁ ନେଇ ଚାପଗ୍ରସ୍ତ ଥିବା ସମୟରେ ଟିକା ବାବଦ ଅତିରିକ୍ତ ବୋଝ ମୁଣ୍ଡାଇବା ସମ୍ଭବ ହେବ ନାହିଁ ।
କିଛି ବୈଦ୍ୟୁତିକ ଗଣମାଧ୍ୟମ (ସରକାରୀ ସମର୍ଥିତ)ଏହା ହିଁ ବୋଧହୁଏ ରାଜ୍ୟ ସରକାରଙ୍କ ରଣନୀତି ହେବ ବୋଲି ନିଷ୍କର୍ଷରେ ଉପନୀତ ହୋଇ ଟିକାକରଣ ବୋଝ ରାଜ୍ୟବାସୀ ମଧ୍ୟ ମୁଣ୍ଡାଇବା ଉଚିତ ବୋଲି ପରାମର୍ଶ ଦେବା ଆରମ୍ଭ କରି ଦେଇଥିଲେ । ଟିକା ପାଇଁ ଏଥର ବୋଧହୁଏ ପକେଟ୍ ଖାଲି କରିବାକୁ ପଡିବ ବୋଲି ରାଜ୍ୟବାସୀ ଏକପ୍ରକାର ନିଷ୍କର୍ଷରେ ପହଂଚି ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ମାହୋଲ୍ ବଦଳାଇ ଦେଇଛି । ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ବୟସ ସୀମାର ସମସ୍ତଙ୍କୁ ମେ’ ୧ ତାରିଖରୁ ମାଗଣାରେ କୋଭିଡ଼ ଟିକା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘେଶଣା କରିବା ସହ ଓଡ଼ିଶାର ସାଢେ ୪ କୋଟି ଜନତା ଗୋଟିଏ ପରିବାର ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦାୟିତ୍ୱ ସରକାରଙ୍କର ବୋଲି କହିଛନ୍ତି । ୪୫ ବର୍ଷରୁ ଉଦ୍ଧ୍ୱର୍ ସମସ୍ତେ ଏହି ମାଗଣା ଟିକାକରଣରେ ଅନ୍ତର୍ଭୁକ୍ତ, ତାହା ମୁଖ୍ୟମନ୍ତ୍ରୀଙ୍କ ଇଂଗିତରୁ ସ୍ପଷ୍ଟ ହେଉଛି । ଦେଶର ୧୩ଟି ରାଜ୍ୟ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ମିଗଣାରେ ଟିକାକରଣ କରିବାକୁ ପୂର୍ବରୁ ଘୋଷଣା କରିସାରିଛନ୍ତି । ରବିବାର ଦିନ ଓଡ଼ିଶା ଏବଂ ସୋମବାର ଦିନ ଦିଲ୍ଲୀ ସରକାର ଏଥିରେ ସାମିଲ ହୋଇଛନ୍ତି ।
ତେବେ, ଗୋଟିଏ ପ୍ରଶ୍ନ ମନକୁ ଆସୁଛି । କେନ୍ଦ୍ର ସରକାର ନିଜର ଟିକାକରଣ କାର୍ଯ୍ୟ ପାଇଁ ଟିକା ଉତ୍ପାଦନକାରୀଙ୍କ ଠାରୁ ଡୋଜ୍ ପିଛା ୧୫୦ ଟଙ୍କା ମୂଲ୍ୟରେ ଟିକା କିଣୁଥିବା ବେଳେ ରାଜ୍ୟମାନଙ୍କୁ ସିଧାସଳଖ ଟିକା ବିକିବା କଥା ଆସିବାରୁ ଟିକା ପାଇଁ ମାତ୍ରାଧିକ ମୂଲ୍ୟ ଧାର୍ଯ୍ୟ କରିବାକୁ ଉତ୍ପାଦନକାରୀଙ୍କୁ କେମିତି ଅନୁମତି ଦେଲେ ? ଏହାପଛରେ ଗୋଟିଏ କାରଣ ଥିବା ଅନୁମାନ କରାଯାଇପାରେ । ତାହା ହେଉଛି, ଦେଶରେ ୪୫ ବର୍ଷରୁ ଉଦ୍ଧ୍ୱର୍ ଜନସାଧାରଣଙ୍କୁ ମାଗଣାରେ ଟିକାକରଣ କରାଯିବା ସମୟରେ ସବୁ ରାଜ୍ୟଙ୍କୁ ସମାନ ଭାବେ ଟିକା ଯୋଗାଣ ହେଉ ନଥିବା ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଟିକା ଉତ୍ସବ’ ପାଳନ କରିବାକୁ ରାଜ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ ସିନା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କ ଦାବି ମୁତାବକ କୋଭିଡ଼ ଟିକା ଯୋଗାଇ ନ ପାରିବାରୁ ଓଡିଶା ସମେତ ବହୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବିଶେଷ ବାଧାପ୍ରାପ୍ତ ହୋଇଥିଲା । କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟରେ ଆବଶ୍ୟକତା ଅନୁସାରେ ଟିକା ଗଚ୍ଛିତ ରହିଛି ବୋଲି କହି ରାଜ୍ୟମାନଙ୍କ ଅଭିଯୋଗକୁ ଟାଳିବାକୁ ଉଦ୍ୟମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସି ଟିକା ଉତ୍ପାଦନକାରୀ ସଂସ୍ଥାମାନେ ରାଜ୍ୟମାନଙ୍କୁ ସିଧାସଳଖ ଟିକା ଯୋଗାଇ ଦେବା ସପକ୍ଷରେ ମତ ରଖିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସେ ଏହି ପ୍ରସ୍ତବ ରଖିବା ସହ ଟିକାର ମୂଲ୍ୟ ଧାର୍ଯ୍ୟ କରାଯାଇ ଘରୋଇ ସଂସ୍ଥାଙ୍କୁ ମଧ୍ୟ ଟିକା ଯୋଗାଣ ପାଇଁ କହିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନ ମୋହନ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କରୋନାର ଦ୍ୱତୀୟ ଲହରର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ସଂଗ୍ରହ କରାଯିବାକୁ ଏବଂ ଟିକାକରଣ କାର୍ଯ୍ୟକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ଓ ଘରୋଇ ସଂସ୍ଥାଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ପରାମର୍ଶକୁ ‘ଫୁ’ କରି ଉଡାଇ ଦେଇଥିଲେ ମଧ୍ୟ ସେହି ରାସ୍ତାରେ କାମ କରୁଥିବା ସ୍ୱୀକାର କରିଛନ୍ତି । ଅପରପକ୍ଷରେ, କୋଭିଡ଼ ଟିକାର ମୂଲ୍ୟ ଧାର୍ଯ୍ୟ ଏବଂ ରାଜ୍ୟ ସରକାର ଓ ଘରୋଇ ସଂସ୍ଥାଙ୍କୁ ସେହି ମୂଲ୍ୟରେ ଟିକା ଯୋଗାଇ ଦିଆଯିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ପରାମର୍ଶକୁ କେନ୍ଦ୍ର ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରିଛି । ରାଜ୍ୟମାନଙ୍କୁ ଚଢା ମୂଲ୍ୟରେ ଟିକା ବିକିବା ପାଇଁ ସେରମ୍ ଇନଷ୍ଟିଚ୍ୟୃୁଟ୍ ଓ ଭାରତ ବାୟୋଟେକ୍ ଘୋଷଣା କରିବା ପରେ ତୃତୀୟ ପର୍ଯ୍ୟାୟ ଟିକାକରଣର ରୂପରେଖ କଣ ହେବ – ଜାଣିବା ସକାଶେ ସବୁ ମହଲରେ ଉକ୍ରଂଠା ଥିଲା । କେନ୍ଦ୍ର ସରକାର ଟିକା କିଣାର ଅଧା ବୋଝ ରାଜ୍ୟମାନଙ୍କ ଉପରେ ଲଦି ଦେଇ ନିଶ୍ଚିନ୍ତ ହେବାକୁ ଚାହୁଁ ଥିଲେ । ରାଜ୍ୟମାନେ ସେହି ବୋଝ ମୁଣ୍ଡାଇବାକୁ ପ୍ରସ୍ତୁତ ଥିବା ଓଡିଶା ସମେତ ଅନ୍ୟୁନ ୧୫ଟି ରାଜ୍ୟ କେନ୍ଦ୍ରକୁ ଜଣାଇଲେଣି । ଅନ୍ୟମାନେ ମଧ୍ୟ ସେହି ରାସ୍ତା ଆପଣାଇବେ, ଏଥିରେ କିଛି ସନ୍ଦେହ ନାହିଁ ।
ଓଡ଼ିଶା ସରକାର ‘କାଳିଆ’ ଯୋଜନା ଓ ଅନ୍ୟାନ୍ୟ ଯୋଜନାରେ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ୧୮ରୁ ୪୪ ବର୍ଷ ବୟସ ସୀମାର ଯୁବକ, ଯୁବତୀଙ୍କ ଟିକାକରଣ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅମର ବାବୁ ଗଣମାଧ୍ୟମକୁ ବାଇଟ୍ ଦେବାକୁ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନ ଗହନ କଥା ଟିକେ ବୁଝି ପାରିଥିଲେ ବୋଧହୁଏ ମାଗଣା ଟିକାକରଣକୁ ବୋଝ ବୋଲି କହି ନଥା’ନ୍ତେ ଏବଂ ସରକାରୀ ମିଡ଼ିଆ ଜନସାଧାରଣ ଏହି ବୋଝ ମୁଣ୍ଡାଇବାକୁ ପରାମର୍ଶ ଦେଇ ସରକାରୀଙ୍କ ସ୍ତାବକ ସାଜି ନଥା’ନ୍ତେ ।
ପ୍ରସାଦ ରାଓ
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS