ଟିକାର ‘ବିକେନ୍ଦ୍ରୀକରଣ’ ପରେ ମଧ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି ରାଜ୍ୟମାନଙ୍କୁ ?
ପ୍ରସାଦ ରାଓ
ଭୁବନେଶ୍ୱର
ଏପ୍ରିଲ ୨୯
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟମାନଙ୍କୁ ସିଧାସଳଖ ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବା ପରେ ଟିକା ବିତରଣରେ ବିକେନ୍ଦ୍ରୀକରଣ ଆରମ୍ଭ ହୋଇଛି । ନବୀନଙ୍କ ପରାମର୍ଶକୁ ଗ୍ରହଣ କରି କେନ୍ଦ୍ର ସରକାର ଦେଶର କୋଭିଡ଼ ଟିକା ଉତ୍ପାଦନକାରୀଙ୍କୁ ରାଜ୍ୟ ସରକାର ଓ ଘରୋଇ ସଂସ୍ଥାଙ୍କ ପାଇଁ ଟିକାର ମୂଲ୍ୟଧାର୍ଯ୍ୟ କରିବାକୁ କହିଥିଲେ । ଦେଶ ଭିତରେ କରୋନା ଟିକା ଉତ୍ପାଦନ କରୁଥିବା ଦୁଇ ସଂସ୍ଥା ଭାରତ ବାୟୋଟେକ୍ ଏବଂ ପୁନାର ସେରମ୍ ଇନିଷ୍ଟିଚ୍ୟୁଟ୍ ସେମାନଙ୍କ ଉତ୍ପାଦନର ୫୦ ପ୍ରତିଶତ କେନ୍ଦ୍ର ସରକାରଙ୍କୁ ଏବଂ ୫୦ ପ୍ରତିଶତ ରାଜ୍ୟ ସରକାର ଓ ଘରୋଇ ସଂସ୍ଥାଙ୍କୁ ବିକ୍ରି କରିବାକୁ ରାଜି ହୋଇଛନ୍ତି । ତେବେ, ସେମାନେ ରାଜ୍ୟ ସରକାର ଓ ଘରୋଇ ସଂସ୍ଥାଙ୍କ ପାଇଁ ଟିକାର ଯେଉଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ତାହା ବିତର୍କର ବିଷୟ ହୋଇଛି ।
କେନ୍ଦ୍ର ସରକାର ଟିକାକାରଣ ଆରମ୍ଭରୁ ଏହି ଦୁଇ ସଂସ୍ଥାର ଉତ୍ପାଦ ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ୍’ ଡୋଜ୍ ପିଛା ୧୫୦ ଟଙ୍କା ମୂଲ୍ୟରେ କ୍ରୟ କରି ଦେଶବ୍ୟାପୀ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ମାଗଣାରେ ଟିକାକରଣ କରୁଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଟିକା ବିତରଣର ବିକେନ୍ଦ୍ରୀକରଣ ହେବା ପରେ ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥା କେନ୍ଦ୍ର ସରକାରଙ୍କୁ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଟିକା ଦେବାକୁ ନିଷ୍ପତ୍ତି ନେଇ ଥିବା ବେଳେ ରାଜ୍ୟମାନଙ୍କ ପାଇଁ ଚଢା ଦର ଧାର୍ଯ୍ୟ କରିଛନ୍ତି । ତେବେ, ଦେଶର ଅଧିକାଂଶ ରାଜ୍ୟ ସବୁ ବର୍ଗର ହିତାଧିକାରୀଙ୍କୁ ମାଗଣାରେ ଟିକାକରଣ କରିବା ନିଷ୍ପତ୍ତି ଘୋଷଣା କରିବା ପରେ ଟିକା ମୂଲ୍ୟକୁ ନେଇ ବିବାଦରେ ପୂର୍ଣ୍ଣଛେଦ ପଡିଛି ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଟିକା ବିତରଣକୁ ବିକେନ୍ଦ୍ରୀକରଣ କରାଯିବାକୁ ପରାମର୍ଶ ଦେବା ପଛରେ ଯେଉଁ ଯୁକ୍ତି ଥିଲା – ତାହା ହେଉଛି ଟିକା ବିତରଣର ‘କେନ୍ଦ୍ରୀକରଣ’ ଦ୍ୱାରା ବିଭିନ୍ନ ରାଜ୍ୟକୁ ଟିକା ବିତରଣରେ ଦେଖା ଦେଲା ଅନିୟମିତତା । ଅଧିକ ସଂଖ୍ୟାରେ ସକ୍ରିୟ ରୋଗୀ ନଥାଇ ମଧ୍ୟ କିଛି ରାଜ୍ୟ ମେଂଚାଏ ଟିକା ପାଇଲେ ତ ଅଧିକ ସଂକ୍ରମଣ ଥିବା ରାଜ୍ୟଙ୍କ ଆବଶ୍ୟକତା ପୂରଣରେ ସରକାର ବିଫଳ ହୋଇ ବିତଣ୍ଡା ଯୁକ୍ତି କଲେ । କହିଲେ, ସବୁ ରାଜ୍ୟଙ୍କୁ ପର୍ଯ୍ୟାପ୍ତ ପରିମାଣର ଟିକା ଦିଆଯାଇଛି । କିଛି ରାଜ୍ୟ ତାହାର ଠିକ୍ ବିନିଯୋଗ କରି ନାହାନ୍ତି ଏବଂ କୋଭିଡ଼ ସଂକ୍ରମଣକୁ ରୋକିବାରେ ବିଫଳତା ପାଇଁ କେନ୍ଦ୍ର ମୁଣ୍ଡରେ ଅଠା ବୋଲୁଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଖୋଦ୍ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏଭଳି ଅଭିଯୋଗ କରିବା ପରେ ଟିକା ବିତରଣର ବିକେନ୍ଦ୍ରୀକରଣ ଉପରେ ରାଜ୍ୟମାନେ ଗୁରୁତ୍ୱ ଦେଇଥିଲେ । ଟିକାର ମୂଲ୍ୟ ଧାର୍ଯ୍ୟ ହୋଇ ରାଜ୍ୟମାନଙ୍କୁ ଟିକା କିଣିବାର ସିଧାସଳଖ ସୁଯୋଗ ଦିଆ ଗଲେ ଟିକା ବିତରଣକୁ ନେଇ କେନ୍ଦ୍ର ଓ ରାଜ୍ୟଙ୍କ ମଧ୍ୟରେ ଆଉ ବିବାଦର ଅବକାଶ ରହିବ ନାହିଁ ବୋଲି ଧାରଣା ସୃଷ୍ଟି ହୋଇଛି ।
ତଥାପି, ଟିକାକୁ ନେଇ ରାଜ୍ୟମାନେ କେନ୍ଦ୍ର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଏବେ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟିକାକରଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ଦେଖିବାକୁ ମିଳୁଛି । ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବୟସ ସୀମାର ସମସ୍ତଙ୍କୁ ଟିକାକରଣ କରିବା ସକାଶେ ଚଳିତ ଏପ୍ରିଲ ୨୮ ତାରିଖରୁ ‘କୋ-ୱିନ୍’, ‘ଉମଂଗ୍’ ଓ କେନ୍ଦ୍ର୍ର ସରକାରଙ୍କ ଅନ୍ୟାନ୍ୟ ଆପ୍ ମାଧ୍ୟମରେ ପଂଜୀକରଣ ଆରମ୍ଭ ହୋଇଛି । ଦେଶବାସୀଙ୍କୁ କୋଭିଡ଼ର ଦ୍ୱିତୀୟ ଲହର ଏତେଦୂର ଭୟଭୀତ କରିଛି ଯେ କାଲି ସୁଦ୍ଧା ଟିକାକୁ ନେଇ ସନ୍ଦେହ ପ୍ରକାଶ କରୁଥିବା ବିଭିନ୍ନ ବର୍ଗର ଲୋକ ସ୍ୱତଃ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଉଛନ୍ତି । ବିଶେଷକରି, ୧୮ରୁ ୪୪ ବର୍ଷ ବୟସ ସୀମାର ସମସ୍ତଙ୍କୁ ମେ’ ପହିଲାରୁ ଟିକାକରଣ ଆରମ୍ଭ କରିବାକୁ କେନ୍ଦ୍ର ସରକାର ରାସ୍ତା ସଫା କରିଥିବାରୁ ଏହି ବର୍ଗଙ୍କ ଟିକା ନେବାର ଆଗ୍ରହ ଚରମ ସ୍ତରରେ ପହଂଚିଛି । ଗୋଟିଏ ଦିନରେ ଏହି ବର୍ଗର ୧.୪୫ କୋଟି ଲୋକ ବିଭିନ୍ନ ଆପ୍ ମାଧ୍ୟମରେ ଟିକା ପାଇଁ ନାମ ପଂଜୀକରଣ କରିଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ସୂଚନା ମିଳିଛି । ତେବେ, ଟିକା ଅଭାବରୁ ମେ’ ପହିଲାରୁ ଏହି ବର୍ଗଙ୍କ ଟିକାକରଣ ଆରମ୍ଭ ହେବ କି ନାହିଁ, ସେ ନେଇ ସନ୍ଦେହରେ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, କୋଭିଡ଼ ମହାମାରୀରେ ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ଟିକାର ଅଭାବ ଯୋଗୁ ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବୟସ ସୀମାର ହିତାଧିକାରୀଙ୍କ ପାଇଁ ଟିକାକରଣ ଆରମ୍ଭ ସମ୍ଭବ ହେବ ନାହିଁ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ପଷ୍ଟ କରିଥିବା ବେଳେ ଦିଲ୍ଲୀ, ଛତିଶଗଡ଼, ତେଲେଂଗାନା, ଓଡ଼ିଶା, ଗୋଆ, ହିମାଂଚଳ ପ୍ରଦେଶ, ଝାରଖଣ୍ଡ, ଆନ୍ଧ୍ର ପ୍ରଦେଶ, ପଂଜାବ ଭଳି ଅନେକ ରାଜ୍ୟ ମଧ୍ୟ ତାହା ଜଣାଇ ଦେଲେଣି । ଟିକା ଯୋଗାଡ କରିବା ପରେ ହିଁ ମେ’ ଶେଷ ଆଡକୁ ଏହି ବୟସ ବର୍ଗଙ୍କ ଟିକାକରଣ କଥା ବିଚାର କରିବେ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲା କହିଛନ୍ତି, ଭାରତ ବାୟୋଟିକ୍ ର କୋଭାକ୍ସିନ୍ ଟିକା ପହଂଚିଲା ବେଳକୁ ଜୁଲାଇ ଶେଷ ହୋଇଯିବ । ତେଣୁ, ସେ ପର୍ଯ୍ୟନ୍ତ ରାଜ୍ୟର ୧୮ରୁ ୪୪ ବର୍ଷ ବୟସ ସୀମାର ଲୋକଙ୍କ ପାଇଁ ଟିକାକରଣ ଆରମ୍ଭ କରିବା ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ଉଚିତ ।
ତେଲେଂଗାନା ଓ ଦିଲ୍ଲୀ ସରକାର ଟିକା ଅଭାବ ଦର୍ଶାଇ ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ନେଇ ସନ୍ଦେହ ପ୍ରକାଶ କରିଥିବା ବେଳେ ମଧ୍ୟ ପ୍ରଦେଶ ଭଳି କିଛି ରାଜ୍ୟରେ ଟିକା ଅଭାବରୁ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଲୋକଙ୍କ ଟିକାକରଣ କାର୍ଯ୍ୟ କିଛି ମାତ୍ରରେ ଅଟକି ଯାଇଥିବା ସୂଚନା ମିଳିଛି । ଓଡ଼ିଶାରେ ମଧ୍ୟ ଏକାଭଳି ଅବସ୍ଥା ଦେଖିବାକୁ ମିଳୁଛି । ଟିକା ଅଭାବରୁ କିଛି ଜିଲ୍ଲାରେ ୪୫ ବର୍ଷରୁ ଉଦ୍ଧ୍ୱ ବୟସ୍କଙ୍କ ଟିକାକରଣ ବନ୍ଦ ରହି ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଟିକାକରଣ କେନ୍ଦ୍ରରେ ଦୈନିକ କୋଟା ଧାର୍ଯ୍ୟ ହୋଇ ଟିକାକରଣ ହେଉଛି । ଧାର୍ଯ୍ୟ କୋଟା ସରି ଗଲେ ଟିକା ନେବାକୁ ଲମ୍ବା ଧାଡିରେ ଥିବା ଲୋକମାନେ ପରଦିନ ପୁନଃ ନାମ ପଂଜୀକରଣ କରି ଧାଡିରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ଯେତେବେଳେ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କ ପାଇଁ ଦୁଇ ଡୋଜ୍ ଲେଖାଏଁ ଟିକା ମିଳିବାରେ ଏଭଳି ସମସ୍ୟା ଦେଖା ଦେଇଛି, ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ମେ’ ୧ରୁ କେମିତି ଆରମ୍ଭ ହେବ (?) – ତାହା ବଡ ପ୍ରଶ୍ନ ହୋଇଛି । କେବଳ, ଉତ୍ତର ପ୍ରଦେଶ ସରକାର ମେ’ ୧ ତାରିଖରୁ ପ୍ରତୀକାତ୍ମକ ଭାବେ ଏହି ବୟସ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ କରିବେ ବୋଲି କହିଛନ୍ତି ।
ଦେଶରେ ଟିକାକରଣକୁ ନେଇ ଏଭଳି ସଂକଟ ଉପୁଜିବାର କାରଣ ହେଉଛି, ଜାନୁୟାରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଟିକା ଉତ୍ପାଦନ ବଢାଇବା ଦିଗରେ ଉତ୍ପାଦନକାରୀ ସଂସ୍ଥାଙ୍କୁ ଆବଶ୍ୟକ ଆର୍ଥିକ ସହଯୋଗ ଦେଇ ନାହାନ୍ତି । ଭାରତ ବାୟୋଟେକ୍ (କୋଭାକ୍ସିନ୍) ଓ ସେରମ୍ ଇନଷ୍ଟିଚ୍ୟୁଟ୍ (କୋଭିସିଲ୍ଡ) ନିଜସ୍ୱ ପୁଂଜି ବିନିଯୋଗ କରି ଟିକାକୁ ନେଇ ଗବେଷଣା, ମାନବିକ ପରୀକ୍ଷଣ ଏବଂ ଟିକା ଉତ୍ପାଦନ ଦାୟିତ୍ୱ ତୁଲାଇ ଆସିଛନ୍ତି । ଟିକା ଉତ୍ପାଦନ ହେବା ପରେ କେନ୍ଦ୍ର ସରକାର ଡୋଜ୍ ପିଛା ୧୫୦ ଟଙ୍କା ମୂଲ୍ୟରେ ଟିକା ଯୋଗାଇବାକୁ ଉଭୟ ସଂସ୍ଥାଙ୍କ ସହ ଚୁକ୍ତିବଦ୍ଧ ହେବା ପରେ ସେମାନେ ପାରୁପର୍ଯ୍ୟନ୍ତ ଉତ୍ପାଦନ ଜାରି ରଖି ଥିଲେ । ସେରମ ଇନଷ୍ଟିଚ୍ୟୁଟ୍ ଟିକା ଉତ୍ପାଦନ ବଢାଇବା ସକାଶେ କେନ୍ଦ୍ର ସରକାରଙ୍କୁ ୩୦୦୦କୋଟି ଟଙ୍କାର ଆର୍ଥିକ ସହାୟତା ମାଗି ଥିଲା ସିନା ସରକାର ସେଥିରେ କର୍ଣ୍ଣପାତ କରି ନଥିଲେ ।
କେନ୍ଦ୍ର ସରକାର କୋଭିଡ଼ ପରିଚାଳନା ପାଇଁ ଗତ ଆର୍ଥିକ ବଜେଟରେ ୩୫,୦୦୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ କୋଭିଡ଼ ଟିକା ଉତ୍ପାଦନ କରୁଥିବା ସଂସ୍ଥାଙ୍କୁ ସେମାନଙ୍କ ଦାବି ମୁତାବକ ସ୍ୱଳ୍ପ ଆର୍ଥିକ ସହଯୋଗ ଦେବାରେ ଅସୁବିଧା ରହିଲା କେଉଁଠି ବୋଲି ପ୍ରଶ୍ନ ହେବା ପରେ ଏବେ କେନ୍ଦ୍ର ସରକାର ସେରମ୍ ଇନଷ୍ଟିଚ୍ୟୁଟ୍ କୁ ୩୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି । ତାହା ପୁଣି ସମଗ୍ର ଦେଶରେ ଟିକା ଅଭାବକୁ ନେଇ ସଂକଟ ଦେଖା ଦେବା ପରେ । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏତେଦୂର ସାଂଘାତିକ ହେବ ବୋଲି କେନ୍ଦ୍ର ସରକାର କେବେ ମଧ୍ୟ କଳ୍ପନା କରି ନଥିଲେ । ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇଥିବା କୋଭିଡ଼ର ପ୍ରଥମ ଲହର ନିମ୍ନମୁଖୀ ହେବା ପରେ ସରକାର ଏକପ୍ରକାର ନିଶ୍ଚିନ୍ତ ବସିଥିଲେ । ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ପଶ୍ଚିମ ବଂଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଯେକୌଣସି ମତେ କ୍ଷମତାକୁ ଆସିବା କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଏକମାତ୍ର ପ୍ରାଥମିକତା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ଓ ପରିଚାଳନାରେ ମାତି ଥିବା ବେଳେ କୁମ୍ଭମେଳା ଭଳି ଧାର୍ମିକ ଉତ୍ସବ କରୋନାର ଦ୍ୱତୀୟ ଲହରକୁ ଅଧିକ ସାଂଘାତିକ ରୂପ ଦେଲା ।
ଟିକା ପାଇଁ ରାଜ୍ୟମାନଙ୍କ ଗୁହାରୀ ଶୁଣିବାକୁ କେହି ନଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ନିକଟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଜୁଆଲ୍ କୋଭିଡ଼ ସମୀକ୍ଷା ବୈଠକରେ ସେହି କଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଭଳି ଅପଦସ୍ତ ହେଲେ ଏବଂ ଦେଶର ଶସକ ଦଳର ତୁଙ୍ଗ ନେତାମାନେ କିଭଳି ତାଙ୍କୁ ଅପମାନିତ କଲେ, ତାହା ସମଗ୍ର ଦେଶ ଦେଖିଛି । ଦେଶ ପାଇଁ କେତେ ପରିମାଣର ଟିକା ଉତ୍ପାଦନ ହେବା ଜରୁରୀ ତାହା ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ କୁ ଆଗୁଆ ଜଣାଇବାରେ କେନ୍ଦ୍ର ସରକାର ବିଫଳ ହେବାରୁ ଦେଶବ୍ୟାପୀ ଟିକାକୁ ନେଇ ସଂକଟ ଜାରି ରହିଛି । ଏପରିକି, ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଟିକା ଉତ୍ସବ’ ପାଳନ ପାଇଁ ଆହ୍ୱାନ ଦେଇ ପଶ୍ଚିମ ବଂଗ ନିର୍ବାଚନରେ ମାତି ଥିବା ସମୟରେ ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟ ଟିକା ଅଭାବ ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିନା ଆଜି ପର୍ଯ୍ୟନ୍ତ ଟିକାର ଅଭାବ ଦୂର ହୋଇ ନାହିଁ । ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ୟୁପି, ଛତିଶଗଡ଼ ପ୍ରଭୃତି ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ହୋଇ ଲୋକ ପୋକମାଛି ଭଳି ମରିବା ପରେ କେନ୍ଦ୍ର ସରକାରଙ୍କ ଚେତାନା ଉଦୟ ହୋଇଛି ।
ବର୍ତ୍ତମାନ ଟିକା ଉତ୍ପାଦନ ବଢାଇବାକୁ ଦୁଇ ଉତ୍ପାଦନକାରୀ ସଂସ୍ଥାଙ୍କୁ ସରକାର ନିର୍ଦେଶ ଦେବା ସହ ବିଦେଶରୁ ଟିକା ଯୋଗାଡ କରିବା ପ୍ରୟାସ ଆରମ୍ଭ କରିଛନ୍ତି । ସେରମ୍ ଓ ଭାରତ ବାୟୋଟେକ୍ ଟିକା ଉତ୍ପାଦନ ପାଇଁ ଯେଉଁ କଂଚାମାଲ ସମସ୍ୟା କଥା ଉଠାଇ ଥିଲେ ତାହା ଏବେ ଆମେରିକା ରାଷ୍ଟ୍ରପତି ଜୋସେଫ୍ ବିଡ଼େନ୍ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନନା ପରେ ଏକପ୍ରକାର ସମାଧାନ ହୋଇଛି । ବହୁ ବିଦେଶୀ ରାଷ୍ଟ୍ର ମଧ୍ୟ ଭାରତକୁ ସହାୟତାର ହାତ ବଢାଇଲେଣି । ଯଦି ଆଗରୁ ଏସବୁ ହୋଇଥା’ନ୍ତା ତେବେ ଆଜି ଦିନରେ ଭାରତ ଟିକା ସଂକଟର ସାମନା କରୁ ନଥା’ନ୍ତା ଏବଂ ରାଜ୍ୟମାନେ ଟିକା ବିତରଣର ବିକେନ୍ଦ୍ରୀକରଣ ସପକ୍ଷରେ ସ୍ୱର ଉଠାଇ ନଥା’ନ୍ତେ ବୋଲି କିଛି ଅର୍ଥନୀତି ବିଶେଷଜ୍ଞ ମତ ରଖିଛନ୍ତି ।
ଅର୍ଥନୀତି ବିଶେଷଜ୍ଞ ଅରବିନ୍ଦ ପାନଗାରିଆଙ୍କ ମତରେ, ଭାରତ ସରକାରଙ୍କ ଦୂରଦୃଷ୍ଟିର ଅଭାବରୁ ଆଜି ଦେଶରେ ଏଭଳି ଟିକା ସଂକଟ ଦେଖା ଦେଇଛି । ସରକାର କୋଭିଡ଼ର ପ୍ରଥମ ଲହରରେ ଭ୍ୟାକ୍ସିନ୍ ପରୀକ୍ଷଣ, ଉତ୍ପାଦନ ଓ ମାର୍କେଟିଂରେ ଯେଭଳି ଅର୍ଥ ବିନିଯୋଗ କରିବା କଥା, କରି ନାହାନ୍ତି । ଭ୍ୟାକ୍ସିନେସନ୍ ବିଳମ୍ବିତ ହେବା ଦ୍ୱାରା ଦେଶରେ କୋଭିଡ଼ର ଦ୍ୱିତୀୟ ଲହର ତାହାର ଘାତକ ରୂପ ଦେଖାଇଛି । ଦେଶ ଏକ ‘ଜାତୀୟ ଜନସ୍ୱାସ୍ଥ୍ୟ ଏମର୍ଜେନ୍ସୀ’ ଦେଇ ଗତି କରୁଥିବା ବେଳେ କେନ୍ଦ୍ର ସରକାର ଆମରିକା ଭଳି ‘ଏକକ ନେତୃତ୍ୱ’ ଉପରେ ଗୁରୁତ୍ୱ ଦେଇ କୋଭିଡ଼ ମହାମାରୀର ମୁକାବିଲା କରିବା କଥା । ଟିକା ଉତ୍ପାଦନ, ବଂଟନ ଏବଂ ସମଗ୍ର ଦେଶରେ କୋଭିଡ଼ ପରିଚାଳନା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରି ତାହାର କାର୍ଯ୍ୟାନ୍ୱୟ ରାଜ୍ୟମାନଙ୍କ ସହଯୋଗରେ କରିବାର ଆବଶ୍ୟକା ଥିବା ବେଳେ ସରକାର ବିକେନ୍ଦ୍ରୀକରଣକୁ ଗ୍ରହଣ କରି ରାଜ୍ୟମାନଙ୍କ ମୁଣ୍ଡରେ ଅଠା ବୋଲିବାର ବାଟ ସଫା କରିଛନ୍ତି । ସରକାର ଯଦି ଏହି ଦାୟିତ୍ୱ ତୁଲାଇ ପାରୁ ନଥିଲେ ବିଶେଷଜ୍ଞମାନଙ୍କ ଏକ କମିଟି ଗଠନ କରି ସେମାନଙ୍କ ହାତରେ କୋଭିଡ଼ ପରିଚାଳନା ଦାୟିତ୍ୱ ଛାଡି ଦେବା ଉଚିତ ଥିଲା ବୋଲି ନିକଟରେ ପକାଶିତ ଏକ ଆଲେଖ୍ୟରେ ପାନଗାରିଆ ମତ ରଖିଛନ୍ତି ।
ଏହି ଲେଖାରେ ସେ ଦର୍ଶାଇଛନ୍ତି, କ୍ଷମତା ବିକେନ୍ଦ୍ରୀକରଣରେ ବିଶ୍ୱାସ ରଖୁଥିବା ଆମେରିକା ମଧ୍ୟ କୋଭିଡ଼ ପରିଚାଳନାରେ ‘କେନ୍ଦ୍ରୀକରଣ’କୁ ପ୍ରାଧାନ୍ୟ ଦେଇ ପରିସ୍ଥିତିର ସାମନା କରିଥିଲା । ୨୦୨୦ ଫେବୃୟାରୀରୁ କୋଭିଡ଼ ଭ୍ୟାକ୍ସିନ୍ ଉଦ୍ଭାବନକୁ ନେଇ ହୋଇଥିବା ଗବେଷଣାରେ ଦେଶ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରିଥିଲା । ଟିକା ଉତ୍ପାଦନକାରୀଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଭ୍ୟାକ୍ସନ୍ ର ମାନବୀୟ ପରୀକ୍ଷଣ, ଟିକା ଉତ୍ପାଦନ ଏବଂ ଭବିଷ୍ୟତରେ ତାହାର ଖର୍ଦ୍ଦି ପାଇଁ ୨୦ ବିଲିୟନ୍ ଡ଼ଲାରରୁ ଅଧିକ ଅର୍ଥ ବ୍ୟୟବରାଦ କରିଥିଲା । ଜୋ’ ବାଇଡ଼େନ୍ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ବେଳକୁ ଦେଶ ଏବାବଦରେ ୧୫ ବିଲିୟନ୍ ଡ଼ଲାର ବିନିଯୋଗ କରି ସାରିଛି । ଏହି ଦୂରଦୃଷ୍ଟି ଯୋଗୁ ଏପ୍ରିଲ ୨୩ ତାରିଖ ସୁଦ୍ଧା ଆମେରିକାର ୩୬ ପ୍ରତିଶତ ୧୮ ବର୍ଷରୁ ଉଦ୍ଧ୍ୱର୍ ଜନସଂଖ୍ୟା ସଂପୂର୍ଣ୍ଣ ଭ୍ୟାକ୍ସିନେଟ୍ ହୋଇଥିବା ବେଳେ ୧୭ ପ୍ରତିଶତ ଜନତା ପ୍ରଥମ ଟିକା ନେଇ ସାରିଛନ୍ତି । ୨୦୨୦ରେ ଆମେରିକା ବିଶ୍ୱର ସର୍ବାଧିକ କୋଭିଡ଼ ସଂକ୍ରମିତ ଦେଶ ଥିଲା । ବର୍ତ୍ତମାନ ଆମେରିକାରେ କୋଭିଡ଼ ସ୍ଥିତିରେ ସୁଧାର ଆସିଥିବା ବେଳେ ଭାରତ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ଭାବେ ଉଭା ହୋଇଛି ।
ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କ ମଧ୍ୟରେ ଅନ୍ୟତମ ଥିବା ପାନଗାରିଆଙ୍କ ମତ ନିଜସ୍ୱ ହୋଇଥିଲେ ମଧ୍ୟ ସେଥିରେ ସତ୍ୟତା ଥିବା ସ୍ୱୀକାର କରିବାକୁ ପଡିବ । ଭାରତରେ ୨୦୨୦ ମାର୍ଚ୍ଚରୁ ପ୍ରଥମ ପର୍ଯ୍ୟାୟ କୋଭିଡ଼ ସଂକ୍ରମଣ ଆରମ୍ଭ ହୋଇ ବର୍ଷେ ପର୍ଯ୍ୟନ୍ତ ଦେଶବାସୀଙ୍କୁ ହନ୍ତସନ୍ତ କରିଥିଲା । ତାଲାବନ୍ଦ, ଅଚାନକ ସଟ୍ ଡାଉନ୍, କଂଟେନମେଂଟ୍ ଏବଂ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଗୁଡିକରେ ଉତ୍ପାଦନ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ଠପ୍ ହୋଇଯିବା ପରେ ସେସବୁ ରାଜ୍ୟରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକ କିଭଳି ଭାବେ ହଟ୍ଟହଟା ହେଲେ, ତାହା ଦେଶବାସୀ ଦେଖିଛନ୍ତି । ରାସ୍ତାଘାଟରେ ଭୋକିଲା ମଣିଷ ଏବଂ ମୃତ୍ୟୁର ଦୁଃଖଦ ଚିତ୍ର ଆଜି ମଧ୍ୟ କରୋନାର ବିକଟାଳ ଚିତ୍ରକୁ ବହନ କରୁଛି । ସେହି ସମୟରେ ମହାମାରୀର ମୁକାବିଲା ପାଇଁ ସଂକ୍ରମଣର ଶୃଂଖଳ ଭାଂଗିବା ସରକାରଙ୍କ ସାମନାରେ ଏକମାତ୍ର ବିକଳ୍ପ ଥିଲା । ଦେଶରେ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଥିବାରୁ ତାହାକୁ ସଜାଡିବା ସହ ମହାମାରୀ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଓ ରାଜ୍ୟମାନେ ଗୁରୁତ୍ୱ ଦେଇଥିଲେ ।
ଦେଶର ଅର୍ଥନୀତି ବିଯୁକ୍ତାତ୍ମକ ହୋଇ ସଂକଟ ସୃଷ୍ଟି କରିବାରୁ କେନ୍ଦ୍ର ସରକାର ସ୍ଥିତି ସୁଧାରିବା ପାଇଁ ହଜାର ହଜାର କୋଟି ଟଙ୍କାର ଏକାଧିକ ପ୍ୟାକେଜ୍ ଘୋଷଣା କରିଥିଲେ । ବ୍ୟାଙ୍କମାନେ ଋଣଦାନ ବ୍ୟବସ୍ଥାକୁ କୋହଳ କରିବାକୁ କୁହାଯାଇଥିଲା । ତେବେ, ସାଧାରଣ ଜନତା ଏଥିରୁ କେତେ ଉପକୃତ ହୋଇଛନ୍ତି କେହି ଜାଣନ୍ତି ନାହିଁ । କରୋନାର ପ୍ରଥମ ଲହର ଥମିବା ପରେ ସରକାର ପଂଚାୟତ, ଜିଲ୍ଲା ଓ ରାଜ୍ୟସ୍ତରରେ ଖୋଲି ଥିବା କେଭିଡ଼ କେୟାର ସେଂଟର ସବୁ ବନ୍ଦ କରି ଦେଲେ । ମହାମାରୀ ମୁକାବିଲା ପାଇଁ ନିଯୁକ୍ତ ହଜାର ହଜାର ସଂଖ୍ୟକ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରି ଦିଆଗଲା । ଦିନେ ଯେଉଁମାନେ ନିଜକୁ କୋଭିଡ଼ ଯୋଦ୍ଧା କହି ଗର୍ବ ଅନୁଭବ କରୁଥିଲେ ସେମାନେ ସରକାରଙ୍କ ନିର୍ଦ୍ଦୟତା ବିରୋଧରେ ରାଜରାସ୍ତାରେ ଧାରଣା ଦେବା ବେଳେ କୌଣସି ମନ୍ତ୍ରୀ ବା ସରକାରୀ ଅଧିକାରୀ ସେମାନଙ୍କୁ ସହାୟତାର ହାତ ବଢାଇ ନଥିଲେ । କୋଭିଡ଼ ଟିକା ଆସିବା ପରେ ସଂକଟ ଟଳି ଗଲା ବୋଲି ଯେଉଁମାନେ ବିଶ୍ୱାସ କରୁଥିଲେ ସେମାନେ ଏବେ ତାହାର ପ୍ରତିଫଳ ଭୋଗୁଛନ୍ତି ।
କୋଭିିଡ଼ର ଦ୍ୱିତୀୟ (କିଛି ରାଜ୍ୟରେ ତୃତୀୟ ଲହର) ଲହର ପୁଣି ଥରେ ସରକାରଙ୍କୁ ‘ତାଲାବନ୍ଦ’ ଓ କଠୋର କଟକଣା ଆଡକୁ ଫେରାଇ ନେଇଛି । ଆଜି ଦିନରେ ଡ଼ବଲ ମ୍ୟୁଟାଂଟ, ତ୍ରିପଲ୍ ମ୍ୟୁଟାଂଟ୍ ଓ ଏକାଧିକ ଷ୍ଟେନ୍ କୁ ନେଇ ଗଣମାଧ୍ୟମ ଆଲୋଚନା ସାଧାରଣ ଜନତାକୁ ଭୟଭୀତ କଲା ଭଳି ହୋଇଛି । ଏହାଛଡା ହସ୍ପିଟାଲଗୁଡିକରେ ଶଯ୍ୟା ଅଭାବ, ଅକ୍ସିଜେନ୍ (ଅମ୍ଳଜାନ) ଅଭାବ ଯୋଗୁଁ ପ୍ରତି ଦିନ ଶହ ଶହ ମୃତ୍ୟୁ ଘଟୁଛି । ଶବ ସଂସ୍କାର ପାଇଁ ଶ୍ମଶାନରେ ସ୍ଥାନାଭାବ ଯୋଗୁଁ ଗୋଟିଏ ଜୁଇରେ ଏକାଧିକ ଶବ ଜଳୁ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏହାଛଡା, ଅକ୍ସଜେନ୍ ଓ ଜୀବନ ରକ୍ଷାକାରୀ ଔଷଧର କଳାବଜାର ସାଧାରଣ ଜନତାଙ୍କୁ ବ୍ୟତିବ୍ୟସ୍ତ କରିଛି । ୨୦୨୦ରେ ଦେଖିବାକୁ ମିଳିଥିବା ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଠାରୁ ଏହା ଅଧିକ ହୃଦୟବିଦାରକ ଓ ଯନ୍ତ୍ରଣାଦାୟକ । ଏବେ, ସିଂଗଲ ମାସ୍କ୍ ନୁହେ, ଡ଼ବଲ ମାସ୍କ୍ ପିନ୍ଧି ଘର ଭିତରେ ବନ୍ଦ ରହିବାକୁ ଓ ନିହାତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ମଣିଷ ଛିଂକିଲେ ସେଥିରୁ ଉତ୍ପନ୍ନ ହେଉଥିବା ଡ୍ରପଲେଟ୍ କେତେଦୂର ପର୍ଯ୍ୟନ୍ତ ସଂକ୍ରମଣକୁ ବହନ କରୁଛି- ତାହା ଏବେ ତର୍ଜମାର ବିଷୟ ହୋଇଛି ।
‘ଟିକା’ ହେଉଛି କରୋନା ମୁକାବିଲାର ଏକମାତ୍ର ମହୌଷଧୀ । ତାହା ମଧ୍ୟ ଏବେ ଅପହଂଚ ମନେ ହେଉଛି । ମେ’ ପହିଲାରୁ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ କେବଳ କେନ୍ଦ୍ର ସରକାର ଦେଉଥିବା ଟିକା ମିଳିବ । ଘରୋଇ ସଂସ୍ଥା ଓ ସରକାର ମିଶି ୧୮ରୁ ୪୪ ବୟସ ସୀମାର ଉପରୋକ୍ତାଙ୍କୁ ରାଜ୍ୟ କିଣୁଥିବା ଟିକାରେ ଟିକାକରଣ କରିବେ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଟିକାର ‘କେନ୍ଦ୍ରୀକରଣ’ ଓ ‘ବିକେନ୍ଦ୍ରୀକରଣ’କୁ ନେଇ ଯେଉଁ ରାଜନୀତିଆରମ୍ଭ ହୋଇଛି ତାହା ଟିକାକରଣକୁ ବାଟବଣା ନ କରୁ, ତାହା ହିଁ ଆମେ ଚାହୁଁଛୁ । କୋଭିଡ଼ର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବ କି ନାହିଁ ଏବଂ ଯଦି ଆସିବ, ଆଉ ତାହା କେତେଦୂର ସାଂଘାତିକ ହେବ – ସେକଥା ଏବେଠାରୁ ଆକଳନ କରି ହେବ ନାହିଁ । ତଥାପି, ଏଭଳି କିଛି ଆଶଙ୍କାକୁ ନଜରରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ନିଜ ନିଜ ତୂଣୀରକୁ ସଜାଡି ରଖିବା ଉଚିତ ବୋଲି ଆମେ ଭାବୁଛୁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS