ହିଂସାତ୍ମକ ବାତାବରଣରେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୦୫
ପଶ୍ଚିମ ବଂଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ନିକଟରେ ସରିଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବହୁମତ ପାଇ ଥିବା ଟିଏମସିର ମୁଖ୍ୟ ସୁଶ୍ରୀ ମମତା ବାନାର୍ଜୀ ଆଗି କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀପ ଧନକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇ ଥିଲେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ରାଜ୍ୟରେ କୋଭିଡ଼ ସଂକ୍ରମଣକୁ ନିୟନ୍ତ୍ରଣ କରିବା ତାଙ୍କ ସରକାରର ପ୍ରାଥମିକତା ହେବେ । ଏହାଛଡା, ନିର୍ବାଚନ ପରବର୍ତ୍ତୀ ହିଂସାକୁ ନିୟନ୍ତ୍ରଣ କରିବା ସକାଶେ ସେ ସବୁ ରାଜନୈତିକ ଦଳର ସହଯୋଗ ପାଇଁ ନିବେଦନ କରିଛନ୍ତି । ଆଜିଠାରୁ ସେ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ନିଜ ହାତକୁ ନେଉଛନ୍ତି । ହିଂସାକୁ ନିୟନ୍ତ୍ରଣ କରିବା ଦିଗରେ ଆବଶ୍ୟକ ପୁଲିସ ବଳକୁ ନିୟୋଜିତ କରାଯିବ । କରୋନା ମହାମାରୀ ଥମିବା ପରେ ଦୂ ପକ୍ଷରୁ ବିଜୟ ଉତ୍ସବ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ରାଜ୍ୟରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ହୋଇଥିବା ଆଠ ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଲ କଂଗ୍ରେସ ପାର୍ଟି (ଟିଏମସି) ୨୯୨ରୁ ୨୧୩ ଆସନରେ ବିଜୟୀ ହୋଇଛି । ବିରୋଧୀ ବିଜେପି ୭୭ଟି ଆସନରେ ସୀମିତ ରହିଛି । ରାଜ୍ୟର ୨୯୪ ବିଧାନସଭା ଆସନରୁ ୨୯୨ଟି ପାଇଁ ମତଦାନ ହୋଇଥିବା ବେଳେ ୨ଟି ଆସନରେ ନିର୍ବାଚନ ବାକି ରହିଛି । ଏହି ନିର୍ବାଚନରେ ବାମଦଳକୁ ମାତ୍ର ଗୋଟିଏ ଆସନ ମିଳି ଥିବା ବେଳେ ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳିଛି । କଂଗ୍ରସ ଦଳ ପଶ୍ଚିମ ବଂଗରେ ନିଜ ଖାତା ଖୋଲି ପାରି ନାହିଁ ।
ମେ’ ୨ ତାରିଖ ଦିନ ଭୋଟ ଗଣତି ହୋଇ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ପ୍ରବଳ ହିଂସାକାଣ୍ଡ ଓ ଜଳାପୋଡା ଚାଲିଛି । ଏହି ହିଂସାକାଣ୍ଡ ଓ ଜଳାପୋଡା ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ବାନାର୍ଜୀ ଓ ତାଙ୍କ ଦଳ ଟିଏମସିକୁ ଦାୟି କରିଥିବା ସମୟରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ବିଜେପିକୁ ଦାୟି କରିଛନ୍ତି । ନିର୍ବାଚନ ପରାଜୟ ପରେ ପୁରୁଣା ଫୁଟେଜ୍ ଦେଖାଇ ବିଜେପି ତାଙ୍କ ଦଳକୁ ନିନ୍ଦିତ କରିବାର ପ୍ରୟାସ ଚଳାଇଛି ବୋଲି ମମତା ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ, ପଶ୍ଚିମ ବଂଗ ରାଜ୍ୟପାଳ ଧନକର ନିର୍ବାଚନ ପରବର୍ତ୍ତୀ ହିଂସାକୁ ନିୟନ୍ତ୍ରଣକୁ ଆଣିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବ କହିବା ସହ କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସୁଶ୍ରୀ ବାନାର୍ଜୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଅମାନୁଷିକ ହିଂସା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଜରୁରୀ ଭିତ୍ତିରେ ପଦକ୍ଷେପ ନେବା ସହ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବେ ବୋଲି ରାଜ୍ୟପାଳ ଧନକର ଆଶା ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟାଭିଷେକ ଜମି ମାଫିଆ ବିରୋଧୀ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା । ସିଂଗୁରରେ ଛୋଟ କାର୍ ନିର୍ମାଣ ପାଇଁ ଟାଟା କଂପାନୀ ଜମି ଅଧିଗ୍ରହଣ କରିବା ପରେ ସେ ତାହା ବିରୋଧରେ ଦୁର୍ବାର ଆନ୍ଦୋଳନ ଆରମ୍ଭ କରି ସେଠାରୁ ଟାଟା କଂପାନୀକୁ ହଟାଇ ଥିଲେ । ନନ୍ଦିଗ୍ରାମରେ ମଧ୍ୟ ଚାଷୀଙ୍କୁ ସେମାନଙ୍କ ଜମିରୁ ବେଦଖଲ କରି ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ତତ୍କାଳୀନ ବାମପନ୍ଥୀ ସରକାର ଉଦ୍ୟମ କରିବାରୁ ତାହା ବିରୋଧରେ ମମତାଙ୍କ ନେତୃତ୍ୱରେ ଘୋର ଲଢେଇ ହୋଇଥିଲା ଏବଂ ପୁଲିସ ଗୁଳିରେ ଅନ୍ୟୁନ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ମମତା ବାନାର୍ଜୀଙ୍କ ‘ମାଆ, ମାଟି ଓ ମାନୁଷ…’ ସ୍ଲୋଗାନ ପଶ୍ଚିମ ବଂଗରେ ୩୪ ବର୍ଷ ଧରି ଲଗାତର କ୍ଷମତାରେ ରହି ଥିବା ବାମପନ୍ଥୀ ସରକାରଙ୍କୁ ଦୋହଲାଇ ଦେଇଥିଲା ।
୨୦୧୧ରେ ସେ ରାଜ୍ୟରେ ବାମପନ୍ଥୀଙ୍କୁ କ୍ଷମତାଚ୍ୟୁତ କରି ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଡୋର ସମ୍ଭାଳି ଥିଲେ । ଲଗାତର ଦ୍ୱତୀୟ ଥର ପାଇଁ ତାଙ୍କ ଦଳ ୨୦୧୬ ବିଧାନସଭା ନିର୍ବାଚନରେ ବହୁମତ ପାଇଁ ସରକାର ଗଠନ କରିଥିଲା ଏବଂ ମମତା ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୨୧ ବିଧାନସଭା ନିର୍ବାଚନ ତାଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଥିଲେ ମଧ୍ୟ ସେ ଦୁଇ ତୃତୀୟାଂଶରୁ ଅଧିକ ସଂଖ୍ୟାରେ ଆସନ ପାଇ କ୍ଷମତାକୁ ଫେରିଛନ୍ତି । ମମତାଙ୍କୁ କ୍ଷମତାଚ୍ୟୁତ କରି ବେଂଗଲ୍ ଦଖଲ ପାଇଁ ବିଜେପି ଗଲା ନିର୍ବାଚନରେ ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ ମଧ୍ୟ ଲକ୍ଷ୍ୟ ହାସଲ କରି ପାରି ନାହିଁ । ବିଜେପି ପାଇଁ ଏତିକି ଆଶ୍ୱାସନା ଯେ, ଦଳ ୨୦୧୬ ନିର୍ବାଚନରେ ରାଜ୍ୟରେ ମାତ୍ର ୩ଟି ବିଧାନସଭା ଆସନ ଜିତି ଥିବା ବେଳେ ୨୦୨୧ ନିର୍ବାଚନରେ ସେହି ସଂଖ୍ୟା ୭୭କୁ ବୃଦ୍ଧି କରିଛି ।
୨୦୨୧ ବିଧାନସଭା ନିର୍ବାଚନରେ ପୂର୍ବ ଦୁଇ ନିର୍ବାଚନ ତୁଳନାରେ ମମତାଙ୍କ ପାଇଁ ଅଧିକ କଠିନ ଥିଲା । ଏହି ନିର୍ବାଚନରେ ‘ମାଆ, ମାଟି ଓ ମାନୁଷ’ ସ୍ଲୋଗାନ କେଉଁ ଆଡେ ହଜି ଯାଇଥିଲା । ମମତା, ମୋଦୀ ଓ ମୁସଲିମ୍ ଭୋଟ ନିର୍ବାଚନର ମୁଖ୍ୟ ଆଧାର ହୋଇଥିଲା । ନାମାଙ୍କନ ଦାଖଲ ଦିନ ନିନ୍ଦିଗ୍ରାମରୁ ଫେରିବା ସମୟରେ ମମତା ବାମଗୋଡରେ ଗୁରୁତର ଆଘାତପ୍ରାପ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ, ବାହାରେ ବିଜେପିର ଷଣ୍ଡୁଆସୀ ନିର୍ବାଚନ ଆକ୍ରମଣ ତାଙ୍କୁ ହୁଇଲ୍ ଚେୟାରରେ ବସି ନିର୍ବାଚନ ପ୍ରଚାର ଡୋର ସମ୍ଭାଳିବାକୁ ବାଧ୍ୟ କରିଥିଲା ।
୨୧’ ନିର୍ବାଚନ ଏତେଦୂର ସଂଘର୍ଷପୂର୍ଣ୍ଣ ଥିଲା ଯେ ମମତା ପୁନର୍ବାର କ୍ଷମତାକୁ ଫେରିବେ କି ନାହିଁ ତାହା ଶେଷ ପର୍ଯ୍ୟନ୍ତ ଅନିଶ୍ଚିତ ଥିଲା । ଗୋଟିଏ ପଟେ ମମତାଙ୍କ ଲଗାତର ଦଶ ବର୍ଷର ଶାସନରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ‘ସରକାର ବିରୋଧୀ ଜନମତ’ ଏବଂ ଅନ୍ୟ ପଟେ ମୋଦୀ-ଶାହାଙ୍କ ବେଂଗଲ୍ ଜୟ ପାଇଁ କୂଟନୀତି ଏହି ନିର୍ବାଚନକୁ ଶେଷ ପର୍ଯ୍ୟନ୍ତ ରୋଚକ କରିଥିଲା । ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବା ପ୍ରଶାନ୍ତ କିଶୋର ୨୧’ ନିର୍ବାଚନରେ ବିଜେପି ଦୁଇ ଅଂକ ଟପିବ ନାହିଁ ବୋଲି ମମତାଙ୍କୁ ଆଶ୍ୱାସନା ଦେଇଥିଲେ ସୁଦ୍ଧା ମମତା ବିଜେପିର ଷଣ୍ଡୁଆସୀ ଆକ୍ରମଣରେ ଏକପ୍ରକାର ଅଣନିଶ୍ୱାସୀ ହୋଇପଡିଥିବା ଦେଖିବାକୁ ମିଳି ଥିଲା । ତଥାପି, ‘ଏକାକୀ ଅଭିମନ୍ୟୁ’ ଭଳି ସେ ସଂଘର୍ଷ ଜାରି ରଖିଲେ ଏବଂ କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଗୌରବ ମଧ୍ୟ ଅର୍ଜନ କଲେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS