ମମତା ବାନାର୍ଜୀଙ୍କ ସଂପର୍କରେ କିଛି ଜାଣିବା କଥା…
– ବଂଗଳାର ବାଘୁଣୀ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ବାହାରକୁ କଠୋର ଦିଶନ୍ତି ସିନା ବାସ୍ତବରେ ତାଙ୍କ ଜୀବନଯାପନ ଶୈଳୀ ବେଶ୍ ସରଳ ।
– ପ୍ରତିଟି ସମାବେଶରେ ତାଙ୍କୁ ନୀଳ ରଙ୍ଗର ବର୍ଡର ଥିବା ଧଳା ଶାଢ଼ି ଏବଂ ପାଦରେ ହାୱାଇ ଚପଲରେ ଦେଖିବାକୁ ମିଳିଥାଏ । ସେ ପିନ୍ଧୁ ଥିବା ଶାଢ଼ି ହୁଗୁଳି ଜିଲ୍ଲାର ଧାନେଖାଲିର ହସ୍ତତନ୍ତ ଶିଳ୍ପୀମାନେ ବୁଣି ଥାନ୍ତି ।
– ଏହା ତାଙ୍କର ସରଳତା ସହ ପିଲା ଦିନର ଆର୍ଥିକ ଦୁର୍ଦ୍ଦିନର ପ୍ରତୀକ ହୋଇ ରହିଛି । ମମତାଙ୍କ ଜନ୍ମ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ୧୭ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇ ଥିଲେ । ଉପଯୁକ୍ତ ଚିକିତ୍ସା ଅଭାବରୁ ପିତାଙ୍କ ଦେହାନ୍ତ ହେବା ପରେ ମମତା ଆର୍ଥିକ ସଂକଟର ସାମ୍ନା କରିବାକୁ ଯାଇ ମିଲ୍କ୍ ବୁଥ୍ ଭେଂଡର ଭାବେ କାର୍ଯ୍ୟ କରିଥିଲେ ।
– ଆର୍ଥିକ ଅଭାବ ତାଙ୍କ ଅଦମନୀୟ ଇଚ୍ଛାଶକ୍ତିକୁ ରୋକି ପାରି ନଥିଲା । ସଂଘର୍ଷ ମଧ୍ୟରେ ସେ ନିଜ ଜୀବନକୁ ଗଢି ଥିଲେ । ସେ ତାଙ୍କ ପାଠ ପଢା ଜାରି ରଖି କଲିକତା ବିଶ୍ୱ ବିଦ୍ୟାଳୟରୁ ଇତିହାସରେ ବିଏ ଡିଗ୍ରୀ, ଇସ୍ଲାମିକ୍ ଇତିହାସରେ ଏମ.ଏ ଡିଗ୍ରୀ ଏବଂ ଏଜୁକେସନ୍ ଆଣ୍ଡ୍ ଲ’ରେ ମାଷ୍ଟର୍ ଡିଗ୍ରୀ ହାସଲ କରିଥିଲେ । ୨୦୧୧ରେ ସେ ପଶ୍ଚିମ ବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାହା ପୂର୍ବରୁ ସେ ସାତ ଥର ସାଂସଦ ଏବଂ ଏକାଧିକ ଥର କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ।
– ମମତାଙ୍କ ରାଜନୈତିକ କ୍ୟାରିୟର ଲମ୍ବା ଏବଂ ସଂଘର୍ଷପୂର୍ଣ୍ଣ । ସତୁରୀ ଦଶକରେ ସେ ଯୁବ କଂଗ୍ରେସରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ନିଜର ଦକ୍ଷତା ବଳରେ ମହିଳା କଂଗ୍ରେସ ଏବଂ ନିଖିଳ ଭାରତ ଯୁବ କଂଗ୍ରେସ ସାଧାରଣ ସଂପାଦିକା ହୋଇଥିଲେ । ୧୯୮୪ରେ ସେ ଅଷ୍ଟମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ଥିଲେ ସଂସଦର ସର୍ବକନିଷ୍ଠ ସାଂସଦ । ତେବେ, କଂଗ୍ରେସ ନେତୃତ୍ୱ ସହ ମତାନ୍ତର ହେବା ପରେ ମମତା ୧୯୯୭ରେ ‘ନିଖିଳ ଭାରତ ତୃଣମୂଳ କଂଗ୍ରେସ ପାର୍ଟି’ ଗଠନ କରିଥିଲେ ।
– ସେ ତାଙ୍କ ରାଜନୈତିକ ଜୀବନରେ ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଅଟଳ ବିହାରୀ ବାଜପେୟୀ ଓ ଡକ୍ଟର ମନମୋହନ ସିଂହଙ୍କ ସହ କାର୍ଯ୍ୟ କରିଛନ୍ତି । ସେ ଉଭୟ ଏନଡ଼ିଏ ଓ ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ । ବିଭିନ୍ନ ସମୟରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ମାନବ ସଂବଳ ବିକାଶ, ଯୁବ ବ୍ୟାପାର ଓ କ୍ରୀଡ଼ା, ମହିଳା ଓ ଶିଶୁ ବିକାଶ ଏବଂ କୋଇଲା, ଖଣି ଓ ରେଳବାଇ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଦେଶର ରେଳବାଇ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ‘ଟାଇମ୍ ମ୍ୟାଗାଜିନ୍’ ୨୦୧୨ରେ ତାଙ୍କୁ ବିଶ୍ୱର ସର୍ବାଧିକ କ୍ଷମତାଶାଳୀ ୧୦୦ ଜଣ ବ୍ୟକ୍ତଙ୍କ ମଧ୍ୟରେ ସ୍ଥାନୀତ କରିଥିଲା ।
– ମମତାଙ୍କ ସଂପର୍କରେ ଆଉ ଗୋଟିଏ ଗୁରୁତ୍ୱତ୍ପୂର୍ଣ୍ଣ କଥା ହେଉଛି, ସେ ତେଲ, ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ନାହିଁ । ଚାହା, ମୁଢ଼ି ଏବଂ ଚକୋଲେଟ୍ ହେଉଛି ତାଙ୍କ ପ୍ରିୟ ଖାଦ୍ୟ । ଛଣା ଆଳୁଚପ୍ ମଧ୍ୟ ତାଙ୍କ ପ୍ରିୟ । ସେ ବହୁ ପରିମାଣରେ ପାଣି ପିଇଥା’ନ୍ତି ।
– ମମତା ପ୍ରତିଦିନ ଟ୍ରେଡ୍ ମିଲ୍ ରେ ୫ରୁ ୬ କିଲୋମିଟର ଦୌଡ଼ନ୍ତି । ଏହା ସହିତ ବିଧାନସଭାରୁ ବାହାରିବା ପରେ ନିଜ ସହକର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କିଛି ବାଟ ଚାଲନ୍ତି । ରାଜନୈତିକ ପ୍ରଚାର ସମୟରେ ବି ମମତା ଅତିକମରେ ୧୦ କିଲୋମିଟର ଚାଲି ଚାଲି ପ୍ରଚାର କରିଥାଆନ୍ତି ।
– ସେ ଏକାଧାରରେ ଜଣେ ଉତ୍ତମ କବି ଏବଂ ପ୍ରକୃତିପ୍ରେମୀ । ସମୟ ପାଇଲେ ସେ ମେଦିନୀପୁର ଜଙ୍ଗଲ, ପାହାଡ ପର୍ବତ ଆଡେ ବୁଲିବାକୁ ଯାଆନ୍ତି । ସେ ମଧ୍ୟ ଜଣେ ରବୀନ୍ଦ୍ର ସଙ୍ଗୀତ ପ୍ରେମୀ । କଲିକତାର ପ୍ରତ୍ୟେକ ଟ୍ରାଫିକ୍ ସିଗନାଲ୍ ରେ ରବୀନ୍ଦ ନାଥ ଟାଗୋରଙ୍କ ସଙ୍ଗୀତ ବଜାଇବାକୁ ତାଙ୍କ ନିଦେ୍ର୍ଦଶ ରହିଛି । କାଜି କବି ନାଜରୁଲ୍ ଇସଲାମ୍ ଙ୍କ ଲିଖିତ ପଦ୍ୟ ଏବଂ ଗୀତର ସେ ବଡ଼ ପ୍ରଶଂସକ । ରାଜନୀତିରେ ପାଦ ଥାପିବା ପୂର୍ବରୁ ସେ ଜଣେ ଷ୍ଟେନୋ ଗ୍ରାଫର୍, ପ୍ରାଥମିକ ସ୍କୁଲ ଶିକ୍ଷକ, ପ୍ରାଇଭେଟ୍ ଟ୍ୟୁଟର୍ ଏବଂ ସେଲ୍ସ୍ ଗାର୍ଲ କାର୍ଯ୍ୟ ମଧ୍ୟ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS