ଆଜିର ଦିନରେ ଗଣତନ୍ତ୍ରର ଏକମାତ୍ର ‘ରକ୍ଷା କବଚ’ ହୋଇଛି ଦେଶର ବିଚାର ବ୍ୟବସ୍ଥା
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୦୬
କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ପ୍ରତି ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଏବଂ କରୋନା ମହାମାରୀ ହଜାର ହଜାର ସଂଖ୍ୟାରେ ମୁଣ୍ଡ ନେଉଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୨ ହଜାର ୩୬୬ ଜଣ ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୫୭୫ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ, ଦେଶରେ ମୋଟ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୮୫୫କୁ ବୃଦ୍ଧି ପାଇଛି । ସେହିଭଳି, କରୋନାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୮୩ରେ ପହଂଚିଛି । ଆଜି ସକାଳ ସୁଦ୍ଧା ଦେଶରେ କରୋନା ସକ୍ରିୟଙ୍କ ସଂଖ୍ୟା ୪ ଲକ୍ଷ ୧୮ ହଜାର ୩୭୭ ରହିଛି । ପୂର୍ବ ସଂଖ୍ୟାରେ ୧ ଲକ୍ଷ ୪୯ ହଜାର ୬୮୧ ଜଣ ନୂଆ ରୋଗୀ ଯୋଡି ହୋଇଛନ୍ତି ।
ଦେଶର ବିଭିନ୍ନ ସରକାରୀ ହସପିଟାଲରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ, ଆବଶ୍ୟକତା ଅନୁଯାୟୀ ଡ଼ାକ୍ତର, ନର୍ସିଂ ଷ୍ଟାଫ୍ ଏବଂ ଶଯ୍ୟାର ଅଭାବରୁ ବହୁ ସଂଖ୍ୟାରେ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଆଜି ଦିନରେ ଜାତୀୟ ଖବର ହୋଇଛି । ଏହାଛଡା, ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ କୋଭିଡ଼ ଟିକା ଯୋଗାଇ ପାରୁ ନ ଥିବାରୁ ଦେଶରେ ଟିକାକରଣ କାର୍ଯ୍ୟ ମଧ୍ୟ ମନ୍ଥର ଗତିରେ ଚାଲିଛି । ରାଜଧାନୀ ଦିଲ୍ଲୀ ସମେତ ଦେଶର ଅଧିକାଂଶ ଅଧିକ କରୋନା ସଂକ୍ରମିତ ରାଜ୍ୟରେ ଅକ୍ସିଜେନ୍ ର କୃତ୍ରିମ ଅଭାବ ସୃଷ୍ଟି କରାଯାଇ ଉପଲବ୍ଧ ଅକ୍ସିଜେନ୍ର ବ୍ୟାପକ କଳାବଜାର ଚାଲିଥିବା ଏବଂ କିଛି ରାଜ୍ୟରେ ଆମ୍ବୁଲାନ୍ସ ସେବା ମମଧ୍ୟ ସାଧାରଣ ଲୋକଙ୍କ ପାଇଁ ଅପହଂଚ ହୋଇଥିବା ଅଭିଯୋଗ ଆସିଲାଣି । ଗୁରୁତର ରୋଗୀଙ୍କ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସେମାନଙ୍କ ସଂପର୍କୀୟମାନଙ୍କ ଠାରୁ ୪୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଖବର ମଧ୍ୟ ବିଚଳିତ କଲା ଭଳି । କୋଭିଡ଼ ପରିସ୍ଥିତିରେ ଏଭଳି ଅମାନବୀୟତା ଗ୍ରହଣୀୟ ନ ହେଲେ ମଧ୍ୟ ଜନସାଧାରଣ ତାହା ସାମ୍ନା କରିବାକୁ ବାଧ୍ୟ ।
କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଅକ୍ସିଜେନ୍ ର କଳାବଜାର ଏବଂ ଆମ୍ବୁଲାନ୍ସକୁ ମିଳିବା ନେଇ ଉପୁଜି ଥିବା ଚିନ୍ତାଜନକ ପରିସ୍ଥିତିର ନିୟନ୍ତ୍ରଣ କରି କୋଭିଡ଼ ରୋଗୀଙ୍କୁ ଅକ୍ସିଜେନ୍ ଓ ଅମ୍ବୁଲାନ୍ସ ସେବା ଉଚିତ ମୂଲ୍ୟରେ ଯେମିତି ମିଳିବ, ତାହା ନିଶ୍ଚିତ କରିବା କଥା । କିନ୍ତୁ, ତାହା ହୋଉନି । କେନ୍ଦ୍ର ସରକାର ରାଜ୍ୟମାନଙ୍କ ମୁଣ୍ଡରେ ଅଠା ବୋଳି ନିଜ ହାତକୁ ଚିକ୍କଣ ରଖିବାକୁ ଚାହୁଁ ଥିବା ବେଳେ ରାଜ୍ୟମାନେ ଅସହାୟ ହୋଇ ଅଦାଲତକୁ ଭରସା କରୁଛନ୍ତି । ଦେଶର ବିଭିନ୍ନ ଅଦାଲତ ମଧ୍ୟ ମନବୀୟ ଦୃଷ୍ଟିକୋଣକୁ ନଜରରେ ରଖି କୋଭିଡ଼ ପରିଚାଳନାରେ ଦଖଲ ଦେବାକୁ ବାଧ୍ୟ ହେଉଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ତାଗିଦ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାର ଉଦ୍ୟମ କରୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଭାବେ ନିଆଯାଇପାରେ ନିକଟରେ ଦିଲ୍ଲୀ ହାଇକୋର୍ଟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପରିସ୍ଥିତିରେ ସୁଧାର ଆଣିବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ଅଦାଲତ ଅବମାନନା ଧମକକୁ ।
ବର୍ତ୍ତମାନର କୋଭିଡ଼ ପରିସ୍ଥିତିରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲ୍ ପାଇଁ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଆବଶ୍ୟକ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ । ଦିଲ୍ଲୀର ଅକ୍ସିଜେନ୍ ସଂକଟ ଦୂର କରି କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସକ୍ଷମ ହେଉ ନଥିବାରୁ ସେନା ବାହିନୀର ସହାୟତା ନିଆ ଯିବାକୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ନିବେଦନ କରିଥିଲେ । ଏହି ମାମଲା ସୁପ୍ରିମ କୋର୍ଟକୁ ମଧ୍ୟ ଯାଇଥିଲା । ସୁପ୍ରିମ କୋର୍ଟ ତାହା ବିଚାର ପାଇଁ ଗ୍ରହଣ କରିବାକୁ ମନା କରିଥିଲେ ମଧ୍ୟ କୋଭିଡ଼ ଯୋଗୁ ସୃଷ୍ଟି ହୋିଥିବା ପରିସ୍ଥିତିକୁ ସର୍ବୋଚ୍ଚ ଅଦାଲତ ଅଣଦେଖା କରି ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ଜଣାଇ ଦେଇଥିଲେ । ତଥାପି ଅକ୍ସିଜେନ୍ ସଂକଟ ଦୂର ନ ହେବାରୁ ଦିଲ୍ଲୀ ହାଇକୋର୍ଟ ରାଜ୍ୟକୁ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗଣ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେବା ସହ ତାହା କାର୍ଯ୍ୟକାରୀ ନ ହେଲେ କେନ୍ଦ୍ର ସରକାର ଏବଂ ଏହି ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଦାଲତ ଅବାମାନନା ନୋଟିସ୍ ଜାରି କରିବେ ବୋଲି ଧମକ ଦେଇ ଥିଲେ ।
ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି କଠୋର ଆଚରଣ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ବୁଧବାର (ମଇ ୫ ତାରିଖ) ଦିନ ଏହା ଉପରେ ଶୁଣାଣୀ କରି ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ ନ ହେଲେ କେନ୍ଦ୍ର ସରକାର ଏବଂ ସଂପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି ହେବ ବୋଲି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶନାମାକୁ ନାପସନ୍ଦ କରିବା ସହ ତାହାର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ତେବେ, ଦେଶରେ ଯେତିକି ପରିମାଣର ଅକ୍ସିଜେନ୍ ଉପଲବ୍ଧ ତାହାର ସମାନୁପାତିକ ବିତରଣ ନେଇ କେନ୍ଦ୍ର ସରକାର କି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଗୁରୁବାର ଖଣ୍ଡପୀଠଙ୍କ ନିକଟରେ ଉପସ୍ଥାପନ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି, ଦିଲ୍ଲୀରେ ଯେତିକି ସଂଖ୍ୟାରେ ସକ୍ରିୟ କରୋନା ରୋଗୀ ଅଛନ୍ତି ସେମାନଙ୍କ ମୁଣ୍ଡପିଛି ଆବଶ୍ୟକତାକୁ ଆଖିରେ ରଖି ବିଶେଷଜ୍ଞଙ୍କ ପରାମର୍ଶ ମୁତାବକ ମେଡ଼ିକାଲ୍ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଅନ୍ୟ କିଛି ରାଜ୍ୟରେ ମଧ୍ୟ ସେତିକି ସଂଖ୍ୟକ ସକ୍ରିୟ କରୋନା ରୋଗୀ ଚିକିତ୍ସାଧିନ ଅଛନ୍ତି । ସେସବୁ ରାଜ୍ୟକୁ ମୁଣ୍ଡପିଛା ଯେତିକି ଅକ୍ସିଜେନ୍ କୋଟା ଦିଆଯାଉଛି ଦିଲ୍ଲୀ ପାଇଁ ତାହାଠାରୁ ଯଥେଷ୍ଟ ଅଧିକ କୋଟା ଧାର୍ଯ୍ୟ ହୋଇଛି । ତଥାପି, ରାଜ୍ୟ ସରକାରଙ୍କ ଅକ୍ସିଜେନ୍ କୋଟା ବଢାଇବା ଦାବିରେ ଲଗାମ ରହୁନି ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ସୁପ୍ରିମ କୋର୍ଟରେ ଉପସ୍ଥିତ ରହି କୋଟଙ୍କୁ ତାହା ଜଣାଇ ଥିଲେ । ସେ କହିଥିଲେ, ଦିଲ୍ଲୀରେ ଯେତିକି ସଂଖ୍ୟକ ଅକ୍ଟିଭ୍ କରୋନା କେସ୍ ରହିଛି ତାହାକୁ ନଜରରେ ରଖି ବିଶେଷଜ୍ଞଙ୍କ ସୁପାରିଶ ଅନୁସାରେ ଦୈନିକ ୪୧୫ ମେଟ୍ରିକ ଟନ୍ ଅକ୍ସିଜେନ୍ କୋଟା ଧାର୍ଯ୍ୟ ହୋଇଥିଲା । ତେବେ, ରାଜ୍ୟକୁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରି ସେନାର ସହାୟତା ନେବାକୁ କେନ୍ଦ୍ରକୁ ନିବେଦନ କରିଥିଲେ । ଦିଲ୍ଲୀ ହାଇକୋର୍ଟ ରାଜ୍ୟ ସରକାରଙ୍କ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଆବଶ୍ୟକତାକୁ ଗୁରୁତ୍ୱ ଦେଇ କେନଦ୍ର ସରକାରଙ୍କୁ ତାହା ତୁରନ୍ତ ଯୋଗାଇ ଦେବାକୁ ନିର୍ଦେଶ ଦେବା ସହ ଏହି ଆଦେଶ କାର୍ଯ୍ୟକାରୀ ନ ହେଲେ ଅଦାଲତ ଅବମାନନା ନୋଟିସ ଜାରି କରିବେ ବୋଲି ଚେତାବନୀ ଦେଇଥିଲେ । ଏବେ, ଦିଲ୍ଲୀ ସରକାରଙ୍କ ଦାବି ଦୈନିକ ୯୦୦ ମେଟ୍ରିକ ଟନ୍କୁ ବଢିଲାଣି । କେନ୍ଦ୍ର ସରକାର ଦେଶରେ ଉପଲବ୍ଧ ଥିବା ଅକ୍ସିଜେନ୍ କୁ ନେଇ ବିଭିନ୍ନ ରାଜ୍ୟର କୋଟା ଧାର୍ଯ୍ୟ କରିଛନ୍ତି । ଗୋଟିଏ ରାଜ୍ୟରେ ତାହା ଠୁଳ କରି ଅନ୍ୟ ରାଜ୍ୟଙ୍କୁ ଉପେକ୍ଷା କରି ହେବ ନାହିଁ ବୋଲି ସଲିସିଟର ଜେନେରାଲ ମେହଟ୍ଟା ଅଦାଲତରେ ଯୁକ୍ତି ବାଢିଥିଲେ ।
ସଲିସିଟର ଜେନେରାଲ ମେହେଟ୍ଟାଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ କୋର୍ଟ ବର୍ତ୍ତମାନ ପାଇଁ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବା ସହ ଦିଲ୍ଲୀକୁ ମିଳୁଥିବା ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ର ଉପଯୋଗିତାକୁ ନେଇ ସୋମବାର ଦିନ ସମୀକ୍ଷା କରାଯିବ ବୋଲି କହିଛନ୍ତି । ଏବେଠାରୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଣ ବିଷୟକୁ ଛାଡି ଅନ୍ୟ ସମସ୍ତ କୋଭିଡ଼ ପରିଚାଳନା ବିଷୟ ସିଧାସଳଖ ତଦାରଖ କରିବେ ବୋଲି ମଧ୍ୟ ସୁପ୍ରିମ କୋର୍ଟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଦେଶର ସମସ୍ତ ରାଜ୍ୟକୁ ନିରନ୍ତର ଅକ୍ସିଜେନ୍ ଯୋଗାଇ ଦେବା ଦିଗରେ କେନ୍ଦ୍ର ସରକାର କି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଗୁରୁବାର ଅଦାଲତାରେ ଉପସ୍ଥାପନ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ଗୋଟିଏ ରାଜ୍ୟ ପାଇଁ ଅନ୍ୟ ରାଜ୍ୟମାନେ ବଳି ପଡିବା ଉଚିତ ନୁହଁ ବୋଲି ମଧ୍ୟ କୋର୍ଟ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ଦେଶବ୍ୟାପୀ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ରଚନା କରିଥିବା ବେଳେ ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକରେ ଯଥେଷ୍ଟ ସଂଖ୍ୟକ ଶଯ୍ୟା, ଚିକିତ୍ସା ଉପକରଣ, ଡ଼ାକ୍ତର, ନିର୍ସିଂ ଷ୍ଟାଫ୍, ଅକ୍ସିଜେନ୍ ଏବଂ ଜୀବନ ରକ୍ଷାକାରୀ ଔଷଧ ନଥିବାରୁ ଦେଶରେ କୋଭିଡ଼ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କୋଭିଡ଼ର ପ୍ରଥମ ଲହର ୨୦୨୦ ଶେଷ ଭାଗରେ ତଳମୁହାଁ ହେବା ପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଶ୍ଚିନ୍ତ ହୋଇଥିଲେ । କୋଭିଡ଼ ପରିଚାଳନା ପାଇଁ କେନ୍ଦ୍ର ଓ ରାଜ୍ୟମାନଙ୍କରେ ଯାହା ସବୁ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଥିଲା ସେଥିରେ ତାଲା ପଡି ଥିଲା । ଏହି କାର୍ଯ୍ୟ ସକାଶେ ନିଯୁକ୍ତି ଅସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ନିର୍ମମ ଭାବେ ଛଟେଇ କରାଯାଇଥିଲା । ୨୦୨୧ ଏପ୍ରିଲରେ କରୋନାର ଦ୍ୱିତୀୟ ଲହର ଆସି ଭୟଂକର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ପୁଣି ଥରେ ସରକାରଙ୍କ ଭିତ୍ତିଭୂମି ଅଭାବ କଥା ମନେ ପଡିଛି । ଅକ୍ସିଜେନ୍ ସମସ୍ୟା ସାମନାକୁ ଆସିବାରୁ, ଅକ୍ସିଜେନ୍ ଯୋଗାଡ କରିବା ରାଜ୍ୟମାନଙ୍କ ଦାୟିତ୍ୱ କହି କେନ୍ଦ୍ର ହାତ ଝାଡି ଦେବାକୁ ଉଦ୍ୟମ କରିଥିଲା । ତେବେ, କୋଭିଡ଼ ଭଳି ଏକ ଜରୁରୀ ସ୍ୱାସ୍ଥ୍ୟ ସଂକଟ ସମୟରେ ଅକ୍ସିଜେନ୍ ଭଳି ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱ ବୋଲି ସୁପ୍ରିମ କୋର୍ଟ ଟିପ୍ପଣୀ ଦେଇ କେନ୍ଦ୍ର ସରକାରଙ୍କ ଲଗାମ କଷି ଥିଲେ ।
କୋଭିଡ଼ ମହାମାରୀର ଦ୍ୱତୀୟ ଲହର ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ନିର୍ବାଚନ କମିସନ୍ ୨୦୨୧ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ବଂଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ କରିଥିଲେ । ନିର୍ବାଚନ ସମୟରେ ସେସବୁ ରାଜ୍ୟରେ କୋଭିଡ କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ନିର୍ବାଚନ କମିସନଙ୍କ ଦାୟିତ୍ୱ ଥିଲା । କିନ୍ତୁ, କମିସନ୍ ସେହି ଦାୟିତ୍ୱ ତୁାଇବାରେ ଯେଭଳି ବିଫଳ ହେଲେ ତାହା ସମଗ୍ର ଦେଶ ଦେଖିଛି । ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଓ ଜୀବନ ରକ୍ଷାକାରୀ ଔଷଧ ଅଭାବକୁ ନେଇ ହାହାକାର ଲାଗି ରହିଥିବା ବେଳେ କେନ୍ଦ୍ରରେ କ୍ଷମତାସୀନ ଦଳ ବିଜେପି ନେତୃବୃନ୍ଦ ରାଜ୍ୟମାନଙ୍କ ଉପରେ କୋଭିଡ଼ ପରିଚାଳନା ଦାୟିତ୍ୱ ଛାଡି ନିର୍ବାଚନ ପ୍ରଚାରରେ ମାତିଥିଲେ । ନିର୍ବାଚନ ସଭାଗୁଡିକରେ ଲକ୍ଷାଧିକ ଜନସମାଗମ ଦେଖି ଉଲ୍ଲସିତ ହେଉଥିବା ରାଜନେତାମାନେ କୋଭିଡ଼ ପରିସ୍ଥିତିକୁ ଅଣଦେଖା କରିଥିବା ବେଳେ ନିର୍ବାଚନ କମିସନ୍ ମଧ୍ୟ ସେମାନଙ୍କୁ ରୋକିବାରେ ବିଫଳ ହୋଇଥିଲା ।
ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ନିର୍ବାଚନ କମିସନ ଅଧିକାରୀଙ୍କ ବିରୋଧରେ ‘ହତ୍ୟା ଆରୋପ ଲାଗିବା କଥା’ ବୋଲି ମାଡ୍ରାସ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଟିପ୍ପଣୀ ଦେବା ପରେ ନିର୍ବାଚନ କମିସନ୍ କ୍ଷୁବ୍ଧ ହୋଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିର୍ବାଚନ କମିସନ୍ ଏକ ସ୍ୱାଧୀନ ଏବଂ ସାମ୍ବିଧାନିକ ସଂସ୍ଥା ହୋଇଥିବା ବେଳେ ଓ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ପୁଲିସ ଓ ସିଆରପିଏଫ ଉପରେ ନ୍ୟସ୍ତ ଥିବା ସମୟରେ ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ ଅଧକାରୀଙ୍କ ବିରୋଧରେ ଏଭଳି କଟୁ ମନ୍ତବ୍ୟ ଦେବା କମିସନ୍ ଙ୍କୁ ବାଧିଛି ବୋଲି ନିର୍ବାଚନ କମିସନ୍ ଙ୍କ ଓକିଲ ରାକେଶ ଦ୍ୱିବେଦୀ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଏସଏଲପିରେ ଦର୍ଶାଇଛନ୍ତି । ଏଥିରେ କୁହାଯାଇଛି, ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ହେଉଛି ନିର୍ବାଚନ କମିସନ୍ ଙ୍କ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ବା ଜଣେ କେହି ମୁଖ୍ୟମନ୍ତ୍ରୀ ନିର୍ବାଚନ ର୍ୟାଲି କରି ଲକ୍ଷାଧିକ ଜନସମାଗମ କଲେ ନିର୍ବାଚନ କମିସନ୍ କଣ କରି ପାରିବେ ? ପୁଲିସ ବା ସିଆରପିଏଫ୍ ନିର୍ବାଚନ କମିସନଙ୍କ ନିୟନ୍ତ୍ରଣାଧୀନ ନୁହନ୍ତି । ନିର୍ବାଚନ ସମୟରେ କୋଭିଡ଼ କଟକଣା ପାଳନ ହୋଇ ନଥିବା କାରଣରୁ ନିର୍ବାଚନ କମିସନ୍ ଓ ତାହାର ଅଧିକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହେବା ଉଚିତ ବୋଲି ମାଡ୍ରାସ୍ ହାଇକୋର୍ଟ ଟିପ୍ପଣୀ ଦେଲେ ‘ଆମେ କଣ କରିପାରିବୁ’ ବୋଲି ସେ ପ୍ରଶ୍ନ କରିଛନ୍ତି ।
ନିର୍ବାଚନ କମିସନଙ୍କ ଆତ୍ମ ମର୍ଯ୍ୟାଦା ସୁରକ୍ଷିତ କରାଯାଉ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନରେ ବିଚାରପତି ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ଏମ.ଆର.ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଦିନ ଶୁଣାଣୀ କରି କମିସନଙ୍କ ପ୍ରତି ଅଦାଲତର ପୂର୍ଣ୍ଣ ସହାନୁଭୂତି ଥିବା ଜଣାଇଛନ୍ତି । ତେବେ, ନାଗରିକଙ୍କ ସ୍ୱାର୍ଥ ଜଡିତ ମାମଲାରେ ବିଚାରପତିମାନେ ସଂପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ଠାରୁ କଥା ଆଦାୟ ପାଇଁ ଗୁଡେଇ ତୁଡେଇ ପ୍ରଶ୍ନ କରିଥା’ନ୍ତି ଏବଂ ଅନେକ ସକାଶେ କଠୋର ଶବ୍ଦ ମଧ୍ୟ କହିଥା’ନ୍ତି, ଯାହା ଉପରେ ରୋକ୍ ଲଗାଇବା ସମ୍ଭବ ନୁହେଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଦୀର୍ଘ ୭୦ ବର୍ଷ ହେଲା ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ କରି ଗଣତନ୍ତ୍ରକୁ ବଂଚାଇ ରଖିବାରେ ନିର୍ବାଚନ କମିସନଙ୍କ ଭୂମିକା ପ୍ରଶଂସନୀୟ ବୋଲି ଦର୍ଶାଇ ଖଣ୍ଡପୀଠ ମାଡ୍ରାସ୍ ହାଇକୋର୍ଟର ମନ୍ତବ୍ୟ ଉପରେ କମିସନ୍ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ଏସଏଲପି ଉପରେ ରାୟ ଗୁରୁବାରକୁ ସ୍ଥଗିତ ରଖିଛନ୍ତି ।
ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଣରେ ଅବହେଳା ମମାଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ରୁନ୍ଧି ଥିଲେ । ଗତ ବିଧାନସଭା ନିର୍ବାଚନ ସମୟରେ ବିଭିନ୍ନ ନିର୍ବାଚନ ର୍ୟାଲିରେ କୋଭିଡ଼ ନିୟମ ଉଲଂଘନ ହୋଇ ଲକ୍ଷାଧିକ ଜନସମାଗମ ହେବା ଘଟଣାରେ ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ରୁନ୍ଧିଛନ୍ତି । ଦୁଇଟି ଯାକ ଘଟଣା ଏବେ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି । ସୁପ୍ରିମ କୋର୍ଟ ଏହି ଦୁଇ ଘଟଣାରେ ସଂପୃକ୍ତ ହାଇକୋର୍ଟଙ୍କ ଟିପ୍ପଣୀକୁ ‘ଅନାବଶ୍ୟକ’ କହି ଲଗାମ ଲଗାଇବା ଉଦ୍ୟମ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କୁ ଏପର୍ଯ୍ୟନ୍ତ କ୍ଲିନ୍ ଚିଟ୍ ଦେଇ ନାହାନ୍ତି । ତାହା ହିଁ ହେଉଛି ଭାରତୀୟ ବିଚାର ବ୍ୟବସ୍ଥାର ଏକ ନିରପେକ୍ଷ ଦିଗ । ସେଇଥି ସକାଶେ ଅଦାଲତ ଉପରେ ଆଜି ମଧ୍ୟ ଦେଶବାସୀଙ୍କ ଅତୁଟ ବିଶ୍ୱାସ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS