ଏନଟିଏଫ୍ ର ଶ୍ରେୟ ଯିବ କାହାକୁ ? କେଜରୀୱଲଙ୍କୁୁ ନା କେନ୍ଦ୍ରକୁ ??
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୦୯
ଲୋକପାଳ ଆଇନ ଦାବିକୁ ନେଇ ଆନ୍ନା ହଜାରେଙ୍କ ଆନ୍ଦୋଳନରୁ କ୍ଷମତା ରାଜନୀତିକୁ ଆସି ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଜଣେ ଚତୁର ଓ ଲଢୁଆ ରାଜନେତା, ତାହା ଅତୀତରେ ନେଇଥିବା ବିଭିନ୍ନ ନିଷ୍ପତ୍ତିରୁ ପ୍ରମାଣିତ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ପରେ ସେ ପ୍ରଥମେ ଦିଲ୍ଲୀବାସୀଙ୍କ ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଭଳି ବିଭିନ୍ନ ମୌଳିକ ସମସ୍ୟାକୁ ନେଇ କେନ୍ଦ୍ର ସହ ଲଢିଥିଲେ ଏବଂ ସମସ୍ୟ ସବୁ ଦୂର କରିବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । ୨୦୨୦ରେ କରୋନା ମହାମାରୀ ସମଗ୍ର ଦେଶକୁ କବଳିତ କରିବା ପରେ ଦିଲ୍ଲୀର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡି ଦିଲ୍ଲୀବାସୀଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ତାଙ୍କର ପ୍ରାଥମିକତା ଥିଲା । ୨୦୨୧ରେ କରୋନାର ଦ୍ୱତୀୟ ଲହର ସମଗ୍ର ଦିଲ୍ଲୀକୁ ଦୋହଲାଇ ଦେଇ ଗମ୍ଭୀର ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା ସମୟରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲକୁ ଯେମିତି ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ ଓ ମେଡ଼ିକାଲ ଉପକରଣ ଯୋଗାଇ ହେବ, ତାହାକୁ ଗୁରୁତ୍ୱ ଦେଇ ତାଙ୍କ ଲଢେଇ ଜାରି ରଖିଲେ । କେନ୍ଦ୍ର ସରକାର ତାଙ୍କ ଦାବିଗୁଡିକୁ ଅଣଦେଖା କରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କେଜରୀୱାଲ ଲଢେଇ ଜାରି ରଖି ଲକ୍ଷ୍ୟ ହାସଲରେ ସଫଳ ହୋଇଛନ୍ତି । ସିଧାସଳଖ ନହେଲେ ମଧ୍ୟ ସୁପ୍ରିମ କୋର୍ଟଙ୍କ ଜରିଆରେ ଦିଲ୍ଲୀବାସୀଙ୍କୁ ଯେପରି ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ବିଭିନ୍ନ ଜୀବନ ରକ୍ଷାକାରୀ ଔଷଧ ମିଳିବ ଏବଂ ହସ୍ପିଟାଲଗୁଡିକରେ ଆବଶ୍ୟକ ମେଡ଼ିକାଲ ଉପକରଣ ପହଂଚିବ ତାହା ସୁନିଶ୍ଚିତ କରି ଜଣେ ଚତୁର ରାଜନେତାର ପରିଚୟ ଦେଇଛନ୍ତି ।
କୋଭିଡ଼ର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦେଶରେ ସାଂଘାତିକ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଛି । ବିୋଷକରି, ଦେଶର ରାଜଧାନୀରେ, ଯେଉଁଠି କି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମାନ୍ତରାଳ ଭାବେ ଗାଦିସୀନ ଅଛନ୍ତି, ସେଠାରେ ସରକାରୀ ଓ ଘରୋଇ ହସପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ହସ୍ପିଟାଲ୍ ଶଯ୍ୟା, ଜୀବନ ରକ୍ଷାକାରୀ ଔଷଧର ଅଭାବ ଦିଲ୍ଲୀବାସୀଙ୍କୁ ହନ୍ତସନ୍ତ କରୁଛି । ସମଗ୍ର ଦେଶ ଦିଲ୍ଲୀ ସମେତ କୋଭିଡ଼-୧୯ର ଦ୍ୱିତୀୟ ଲହରରେ ଅଧିକ ସଂକ୍ରମଣର ସମ୍ମୁଖୀନ ହୋଇଥିବା ରାଜ୍ୟମାନଙ୍କ ଅବସ୍ଥା ଦେଖୁଛି । ସରକାରୀ ଓ ଘରୋଇ ହପ୍ପିଟାଲରେ ଅକ୍ସିଜେନ୍ ଅଭାବରୁ କୋଭିଡ଼ ରୋଗୀ ଚଟପଟ ହୋଇ ମରୁଛନ୍ତି । ହସ୍ପିଟାଲରେ ଅକ୍ସିଜେନ୍ ନାହିଁ । କିନ୍ତୁ, ବାହାରେ ଚଢା ମୂଲ୍ୟରେ ବା କଳାବଜାରରେ ତାହା ଅବାଧରେ ମିଳୁଛି । ଦିଲ୍ଲୀର ପୁଲିସ ବଳ କେନ୍ଦ୍ର ସରକାରଙ୍କ କତ୍ତୃତ୍ୱରେ ଥିବା ସମୟରେ ଅକ୍ସିଜେନ୍ କଳାବଜାରକୁ ରୋକିବା ରାଜ୍ୟ ସରକାରଙ୍କ ଦାୟିତ୍ୱ କହି କେନ୍ଦ୍ର ହାତ ଝାଡୁଛି । କୋଭିଡ଼ ଭଳି ଏକ ଗୁରୁତର ଜାତୀୟ ସ୍ୱାସ୍ଥ୍ୟ ସଂକଟ ସମୟରେ କେନ୍ଦ୍ର ସରକାର ରାଜ୍ୟ ଉପରେ ଦୋଷ ଦେଇ ନିରବ ବସିବା ଏବଂ ଦିଲ୍ଲୀବାସୀ ଅକ୍ସିଜେନ୍ ଭର୍ତ୍ତି ସିଲିଣ୍ଡରଟିଏ ପାଇଁ ‘ବାର ଦୁଆର, ଶୁଣ୍ଢିପାଣ୍ଡା’ ହେବା ନିଶ୍ଚିତ ଭାବେ ଲଜ୍ୟାଜନକ କୁହାଯିବ ।
କେନ୍ଦ୍ର ସରକାର ଏଭଳି ଏକ ସଂକଟ ସମୟରେ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇ ଦେବା ବଦଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ପକ୍ଷଛେଦନ ପାଇଁ ସର୍ବାଧିକ ଗୁରୁତ୍ୱ ଦେବା ଥିଲା ଆଉ ଏକ ଲଜ୍ୟାକର ଘଟଣା । ଅତୀତରେ ଦିଲ୍ଲୀ ସରକାର ଓ ଏଲଜିଙ୍କ ମଧ୍ୟରେ କ୍ଷମତା ବିବାଦର ସମାଧାନ କରିଥିଲେ ସୁପ୍ରିମ କୋର୍ଟ । ଏଲଜିଙ୍କ କ୍ଷମତା କଣ ଓ ନିର୍ବାଚିତ ରାଜ୍ୟ ସରକାରଙ୍କ କ୍ଷମତା କଣ ତାହା ସୁପ୍ରିମ କୋର୍ଟଙ୍କ ରାୟରେ ଅତ୍ୟନ୍ତ ସ୍ପଷ୍ଟ ଥିଲା । ତେବେ, କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ରାୟକୁ ଉପେକ୍ଷା କରି ନିର୍ବାଚିତ ସରକାରଙ୍କ କ୍ଷମତା ଅପହରଣ ପାଇଁ ବିଲ୍ ଆଣି ସଂସଦର ଉଭୟ ଗୃହରେ ପାରିତ କରାଇ ନେଲେ ଏବଂ ରାଷ୍ଟ୍ରପତି ମଧ୍ୟ ତାହାକୁ ଅନୁମୋଦନ ଦେଲେ । ବର୍ତ୍ତମାନ ଲ୍ୟୁଟିନାଂଟ ଗଭର୍ଣ୍ଣର ବା ଏଳଜି ହେଲା ଦିଲ୍ଲୀର ପ୍ରକୃତ ଶାସକ । ନିର୍ବାଚିତ ସରକାର ଓ ମୁଖ୍ୟମନ୍ତ୍ରୀ ଲ୍ୟୁଟିନାଂଟ ଗଭର୍ଣ୍ଣରଙ୍କ ଅନୁମତି ବିନା କୌଣସି କାର୍ଯ୍ୟ କରି ପାରିବେ ନାହିଁ । ବିଲ୍ ରେ ଏହା ସ୍ପଷ୍ଟ ଥିଲେ ମଧ୍ୟ କୋଭିଡ଼ ପରିଚାଳନାରେ ଅବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ଏଲଜିଙ୍କୁ ଉତ୍ତରଦାୟୀ ନ କରି ରାଜ୍ୟର ନିର୍ବାଚିତ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବା ରାଜନୀତି ବ୍ୟତୀତ ଅଉ କିଛି ନୁହେଁ । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ନିରସ୍ତ୍ର କରି ନିନ୍ଦିତ କରିବାର ଏକ ଷଡଯନ୍ତ୍ର କରିଥିବା ଏଥିରୁ ସ୍ପଷ୍ଟ ଅନୁମାନ କରିହେବ ।
ଦିଲ୍ଲୀବାସୀ ଗତ ଏପ୍ରିଲ ମାସରୁ ‘ଅକ୍ସିଜେନ୍’ ସଂକଟର ସାମ୍ନା କରୁଛନ୍ତି । ଗୁରୁତର କୋଭିଡ଼ ରୋଗୀଙ୍କ ପରିବାରକୁ ବାହାରୁ ଅକ୍ସିଜେନ୍ ଯୋଗାଡ କରିବାକୁ ପଡୁଛି । ନ ହେଲେ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ହସ୍ପିଟାଲଗୁଡିକ ମନା କରୁଛନ୍ତି । ଏଭଳି ହାହାକାର ପରିସ୍ଥିତିରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ମାତି ଥିଲେ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅଧିକାଂଶ ବିଜେପି ମନ୍ତ୍ରୀ ଓ କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତା ମାସାଧିକ କାଳ ଡ଼େରା ପକାଇ ଥିଲେ ବିଧାନସଭା ନିର୍ବାଚନ ଚାଲି ଥିବା ପାଂଚଟି ରାଜ୍ୟ ଆସାମ, ପଶ୍ଚିମ ବଂଗ, ତମିଲନାଡ଼ୁ, କେରଳ ଓ ପୁଡୁଚେରୀରେ । ମୁଖ୍ୟତଃ, ପଶ୍ଚିମ ବଂଗ, ଆସାମ ଓ ତାମିଲନାଡୁ ଥିବା ବିଜେପି ପାଇଁ ବଡ଼ ଟାର୍ଗେଟ୍ । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ପ୍ରତିଦିନ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁ ଥିବା ସମୟରେ ପ୍ରଧାନମନ୍ତ୍ରୀ ବା କେନ୍ଦ୍ର ଗୃହ ମନ୍ତ୍ରୀ ଦିଲ୍ଲୀରେ ଉପସ୍ଥିତ ନ ଥିବାରୁ ରାଜ୍ୟ ସରକାରଙ୍କ ଗୁହାରୀ କେହି ଶୁଣୁ ନଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ (ଲାଇଭ୍) କୋଭିଡ଼ ସମୀକ୍ଷା ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏହି ପ୍ରସଂଗ ଉଠାଇ କିଭଳି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅପଦସ୍ତ ହେଲେ, ତାହା ଦୁନିଆ ଦେଖିଛି । ଏହାର କାରଣ ଥିଲା ଆଲୋଚନାର ଲାଇଭ୍ ଚାଲି ଥିବା ସମୟରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ କରିବା । ଏହା ଅକ୍ଷମଣୀୟ ଅପରାଧ ବୋଲି ବିଜେପି ସମର୍ଥିତ ‘ଗୋଦୀ ମିଡ଼ିଆ’ ଟ୍ରୋଲ୍ କରିବାକୁ ପଛାଇ ନଥିଲେ । କେଜରୀୱାଲ ନିଜର ଏହି ଭୁଲ (!) ପାଇଁ ବିନମ୍ର ଭାବେ ହାତଯୋଡି ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବା ସତ୍ତ୍ୱେ ‘ଗୋଦୀ ମିଡ଼ିଆ’ରେ ଟ୍ରୋଲ୍ ବନ୍ଦ ହୋଇ ନଥିଲା ।
ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ତରଳ ମେଡ଼ିକାଲ୍ ଅକ୍ସିଜେନ୍ (ଏଲଏମଓ) ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ । ଦିଲ୍ଲୀର ସରକାରୀ ଓ ଘରୋଇ ହସ୍ପିଟାଲରେ ଅକ୍ସିଜେନ୍ ଅଭାବକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ସାମରିକ ବାହିନୀର ସହାୟତା ପାଇଁ କେନ୍ଦ୍ର ସରକାର ଅନୁମତି ଦିଅନ୍ତୁ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦୀଆ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ । ତାହାକୁ ନେଇ ଗୋଦୀ ମିଡ଼ିଆରେ ଟ୍ରୋଲ୍ ହେଲା ଏବଂ କେନ୍ଦ୍ର ସରକାର ତାହାକୁ ଅଗ୍ରାହ୍ୟ କଲେ । ତେବେ, ଦିଲ୍ଲୀ ହାଇକୋର୍ଟ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ସେଥିରେ ହସ୍ତକ୍ଷେପ କରି ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବା ସହ ତାହା କାର୍ଯ୍ୟକାରୀ ନ ହେଲେ କେନ୍ଦ୍ର ସରକାର ଓ ଅକ୍ସିଜେନ୍ ଯୋଗାଇବା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଧମକ ଦେଲେ । କେନ୍ଦ୍ର ସରକାର ଏଥିରେ କ୍ଷୁବ୍ଧ ହୋଇ ଦିଲ୍ଲୀ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମ କୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କଲେ । ସୁପ୍ରିମ କୋର୍ଟରେ ତାହାର ଶୁଣାଣୀ ହେଲା ଏବଂ ଦିଲ୍ଲୀ ହାଇକୋର୍ଟଙ୍କୁ ଅକ୍ସିଜେନ୍ ବଂଟନ ବ୍ୟତୀତ ଅନ୍ୟ ସମସ୍ତ କୋଭିଡ଼ ପରିଚାଳନାକୁ ତଦାରଖ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଗଲା ।
ପରିଶେଷରେ ସୁପ୍ରିମ କୋର୍ଟ ହିଁ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଲେ ଏବଂ ତାହା କାର୍ଯ୍ୟକାରୀ ନହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ । ବିଚାରପତି ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମ.ଆର.ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ନିର୍ଦେଶ ଦେବା ପରେ ଶନିବାର ଦିନ ଖଣ୍ଡପୀଠ ପକ୍ଷରୁ ଦିଲ୍ଲୀ ସମେତ ଦେଶର ସମସ୍ତ ରାଜ୍ୟଙ୍କ ଅକ୍ସିଜେନ୍ ଆବଶ୍ୟକତାକୁ ଅନୁଧ୍ୟାନ କରି ତାହା୍ ଯୋଗାଇ ଦେବାର ସୁ-ବନ୍ଦୋବସ୍ତ କରିବାକୁ ଦେଶବ୍ୟାପୀ ବିଶେଷଜ୍ଞଙ୍କୁ ନେଇ ଏକ ୧୨ ଜଣିଆ ଜାତୀୟ ଟାସ୍କ୍ ଫୋର୍ସ ବା ଏନଟିଏଫ) ଗଠନ ଘୋଷଣା କରିଛନ୍ତି । ଯାହାକି କେନ୍ଦ୍ର ସରକାରଙ୍କୁ ଉଚିତ ଜବାବ ହୋଇଛି । କେନ୍ଦ୍ର ସରକାର ଯଦି ନିଜେ ପାରୁ ନାହାନ୍ତି ତେବେ ଦେଶରେ ଦେଖା ଦେଇଥିବା କୋଭିଡ଼ ପରିସ୍ଥିତିର ମୁକାବିଲା ପାଇଁ ଜାତୀୟ ସ୍ତରରେ ଏକ ବିଶେଷଜ୍ଞ କମିଟି ଗଠନ କରି କମିଟି ହାତରେ କୋଭିଡ଼ ପରିଚାଳନା ଦାୟିତ୍ୱ ଛାଡିବା ଉଚିତ ବୋଲି ନିକଟରେ ଅର୍ଥନୀତି ବିଶେଷଜ୍ଞ ଅରବିନ୍ଦ ପାନଗାରିଆ ଏକ ଜାତୀୟ ଇଂରାଜୀ ଦୈନିକରେ ଲେଖିଥିବା ପ୍ରବନ୍ଧରେ ପରାମର୍ଶ ଯେଉଁ ଦେଇଥିଲେ ତାହା ଏବେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ନ ହୋଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଯାଉଛି ।
ସୁପ୍ରିମ କୋର୍ଟ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଇ ଦେବାକୁ କେନ୍ଦ୍ରକୁ ନିର୍ଦେଶ ଦେବା ପରେ ବୁଧବାର ଦିନ ଦିଲ୍ଲୀକୁ ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ ହୋଇଥିଲା । ତେବେ, ଦିଲ୍ଲୀକୁ ଦିଆଯାଉଥିବା ଅତିରିକ୍ତ ଅକ୍ସିଜେନ୍ ର ‘ଅଡ଼ିଟ୍’ ପାଇଁ ଅନୁମତି ଦେବାକୁ ସରକାର କୋର୍ଟରେ ଆବେଦନ କରି ପୁନର୍ବାର କେଜରୀୱାଲ ସରକାରଙ୍କୁ ହରଡଘଣାରେ ପକାଇବାକୁ ଉଦ୍ୟମ କରିଥିଲେ । ସରକାରଙ୍କ ଯୁକ୍ତି ଥିଲା, ଦେଶରେ ଉପଲବ୍ଧ ହେଉଥିବା ଅକ୍ସିଜେନ୍ କୁ ଆବଶ୍ୟକତାକୁ ନଜରରେ ରଖି ରାଜ୍ୟମାନଙ୍କ କୋଟା ଧାର୍ଯ୍ୟ ହେଉଛି । ଗୋଟିଏ ରାଜ୍ୟରେ ସମସ୍ତ ମେଡ଼ିକାଲ୍ ଅକ୍ସିଜେନ୍ ଠୁଳ କରାଗଲେ ଅନ୍ୟ ରାଜ୍ୟମାନେ ସେମାନଙ୍କ କୋଟା ପାଇବାରୁ ବଂଚିତ ହେବେ । ଦିଲ୍ଲୀକୁ ଦୈନିକ ୫୦୦ରୁ ୬୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ ହେଲେ ଯଥେଷ୍ଟ ବୋଲି ବିଶେଷଜ୍ଞମାନେ ରିପୋର୍ଟ ଦେଇଥିବା ବେଳେ ଦିଲ୍ଲୀ ସରକାରଙ୍କ ଅକ୍ସିଜେନ୍ ଦାବି ବଢି ଚାଲିଛି । ‘ଅକ୍ସିଜେନ୍ ଅଡ଼ିଟ’ ହେଲେ ରାଜ୍ୟକୁ ଯୋଗାଇ ଦିଆଯାଉ ଥିବା ଅକ୍ସିଜେନ୍ ର କିଭଳି ବିନିଯୋଗ ହୋଉଛି ଏବଂ ସେଥିରେ କିଛି ଲିକେଜ୍ ରହୁଛି କି ନାହିଁ ତାହା ଜଣାପଡିବ ।
ଦିଲ୍ଲୀ ସରକାରଙ୍କ ଓକିଲ ଏହାକୁ ଖଣ୍ଡନ କରି ‘ଅକ୍ସିଜେନ୍ ଅଡ଼ିଟ୍’ ହେଲେ କେବଳ ମରିଚିକା ପଛରେ ଧାଇଁବା ଭଳି ପରିସ୍ଥିତି ହେବ, କିଛି ସୁଫଳ ମିଳିବ ନାହିଁ ବୋଲି ଯୁକ୍ତି ରଖିଥିଲେ । ଅଡ଼ିଟ୍ ରୁ କେଉଁଠି କେତେ ଅକ୍ସିଜେନ୍ ବ୍ୟବହାର ହୋଇଛି, ତାହା ଜଣାପଡିବ ନାହିଁ । ଓଲଟା, କାଗଜପତ୍ର କାମ ବଢିଯିବ ଏବଂ ହସପିଟାଲ କତ୍ତୃପକ୍ଷ ଓ ମେଡ଼ିକାଲ୍ ପ୍ରଫେସନାଲମାନେ ରୋଗୀଙ୍କୁ ଅକ୍ସିଜେନ୍ ଦେବା ସମୟରେ ଅଡ଼ିଟ୍ ଭୟରେ ହାତକୁ ଛାପିବାକୁ ବାଧ୍ୟ ହେବେ । ଏଭଳି ପରିସ୍ଥିିତି ରୋଗୀ ସେବାକୁ ପ୍ରଭାବିତ କରିବ ବୋଲି ଦିଲ୍ଲୀ ସରକାରଙ୍କ ଓକିଲ ଯୁକ୍ତି କରିଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ‘ଅକ୍ସିଜେନ୍ ଅଡ଼ିଟ’କୁ ତ ଅନୁମତି ଦେଇ ନାହାନ୍ତି, ସୋମବାର ଅର୍ଥାତ ୧୦ ତାରିଖ ଦିନ ବର୍ଦ୍ଧିତ କୋଟାର କିଭଳି ବିନିଯୋଗ ହୋଇଛି ତାହା ସମୀକ୍ଷା କରିବେ ବୋଲି କେନ୍ଦ୍ରକୁ ଆଶ୍ୱସ୍ତ କରିଛନ୍ତି । ସରକାରଙ୍କ ମୁହଁ ବନ୍ଦ କରିଛନ୍ତି । ତେବେ, ସୁପ୍ରମି କୋର୍ଟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମ୍.ଆର.ଶାହା ଅକ୍ସିଜେନ୍ ବିତରଣକୁ ନେଇ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଫଇସଲା ପାଇଁ ଅଦାଲତଗୁଡିକୁ ପ୍ଲାଟଫର୍ମ ଭାବେ ବ୍ୟବହାର ପାଇଁ କିମ୍ବା ଦିଲ୍ଲୀ ସରକାରଙ୍କ ପିଛା ପଡିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ସୁପ୍ରମି କୋର୍ଟ ଖଣ୍ଡପୀଠ ଗୁରୁବାର ଦିନ ଏଭଳି ମନ୍ତବ୍ୟ ଦେଇ ଥିବା ବେଳେ ଶୁକ୍ରବାର ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ ସୁନିଶ୍ଚିତ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେବା ଏବଂ ଶନିବାର ଦେଶବ୍ୟାପୀ ଅକ୍ସିଜେନ୍ ର ଆବଶ୍ୟକତା, ତାହାର ଉପଲବ୍ଧୀ ଓ ବିତରଣକୁ ସୂଚାରୁ ଭାବେ ପରିଚାଳନା ପାଇଁ ଏକ ୧୨ ଜଣିଆ ଜାତୀୟ ଟାସ୍କ୍ ଫୋର୍ସ ଗଠନ କରିବା କେନ୍ଦ୍ର ଉପରେ ଦିଲ୍ଲୀ ସରକାରଙ୍କ ବିଜୟ ବୋଲି ବିଚାର କରାଯାଇପାରେ । କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ରାଜ୍ୟକୁ ଅକ୍ସିଜେନ୍ କୋଟା ଦୈନିକ ୧୨୦୦ ମେଟ୍ରିକ ଟନ୍ କୁ ବୃଦ୍ଧି କରିବା ପାଇଁ ନିକଟରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ । କେନ୍ଦ୍ର ସରକାର ଏଥିରେ କ୍ଷୁବ୍ଧ ହୋଇ ସୁପ୍ର୍ରିମ କୋର୍ଟକୁ ଯାଇଛନ୍ତି । କର୍ଣ୍ଣାଟକକୁ ଏବେ ଦୈନିକ ୯୬୨ ମେଟ୍ରିକ୍ ଟନ୍ ତରଳ ମେଡ଼ିକାଲ୍ ଅକ୍ସିଜେନ୍ (ଏଲଏମଓ) ଯୋଗାଣ ହେଉଛି ।
ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ କେନ୍ଦ୍ର ସରକାରଙ୍କ ଆବେଦନକୁ ଶୁଣାଣୀ କରୁଛନ୍ତି । ସୁପ୍ରିମ କୋର୍ଟ ଶନିବାର ଦିନ ୧୨ ଜଣିଆ ଟାସ୍କ ଫୋର୍ସ ଗଠନ କରି ଅକ୍ସିଜେନ୍ ବଂଟନକୁ ସୁନିୟନ୍ତ୍ରିତ କରିବାକୁ ପଦକ୍ଷେପ ନେବା ପରେ ଅକ୍ସିଜେ୍ ବିତରଣକୁ ନେଇ ଆଉ କେନ୍ଦ୍ର-ରାଜ୍ୟ ବିବାଦର ଅବକାଶ ରହିବ ନାହିଁ ବା ହାଇକୋର୍ଟମାନେ କେନ୍ଦ୍ର ସରକାରଙ୍କୁ ଏଭଳି ନିର୍ଦେଶ ଦେବାର ଆବଶ୍ୟକତା ପଡିବ ନାହିଁ । ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ଜାତୀୟ ଟାସ୍କ୍ ଫୋର୍ସ ରାଜ୍ୟଙ୍କ କଥା ବୁଝିବେ । ସୁପ୍ରିମ କୋର୍ଟଙ୍କ ଦ୍ୱାରା ଏନଟିଏଫ ଗଠନକୁ କେନ୍ଦ୍ର ସରକାର ମଧ୍ୟ ସ୍ୱାଗତ କରିଛନ୍ତି ଏବଂ ଏଥିରେ ସମସ୍ତ ସହଯୋଗ କରିବେ ବୋଲି ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ଏକ ବିଶେଷଜ୍ଞ ଦଳ ବା ଜାତୀୟ ଟାସ୍କ୍ ଫୋର୍ସ ଗଠନ ହେବା ସରକାର ଚାହୁଁଥିଲେ ଏବଂ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କ ମାଧ୍ୟମରେ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ନିକଟରେ ପ୍ରସ୍ତାବ ରଖି ଥିଲେ ବୋଲି ଏବେ କେନ୍ଦ୍ର ସରକାର ଦାବି କଲେଣି । ବାସ୍ତବରେ ଯଦି ତାହା ସତ୍ୟ, ତେବେ କେନ୍ଦ୍ର ସରକାର ନିଜ ଆଡୁ ତାହା ଗଠନ କରୁ ନଥିଲେ କାହିଁକି ? ସୁପ୍ରମି କୋର୍ଟଙ୍କ ଦ୍ୱାରା ଟାସ୍କ୍ ଫୋର୍ସ ଗଠନ ଶ୍ରେୟ କାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଖାତାକୁ ଚାଲି ଯିବ, ସେହି ଭୟରେ କେନ୍ଦ୍ର ସରକାର ଏଭଳି ନୂଆ ଫନ୍ଦିର କଲେଣି ବୋଲି ଏବେ ତଥ୍ୟାଭିଜ୍ଞ ମହଲ କହୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS