କୋଭିଡ଼ ମହାମାରୀ ଅତ୍ୟନ୍ତ ଘାତକ, ହାଲୁକାରେ ନିଅନ୍ତୁ ନାହିଁ … ମୃତ୍ୟୁ ପୂର୍ବରୁ ବାର୍ତ୍ତା ଛାଡ଼ି ଗଲେ ଦନ୍ତ ଚିକିତ୍ସିକା
ପ୍ରସାଦ ରାଓ
ନୂଆଦିଲ୍ଲୀ
ମେ’ ୧୨
କରୋନା ମହାମାରୀ ଅତ୍ୟନ୍ତ ଘାତକ । ତାହାକୁ ହାଲୁକାରେ ନିଅନ୍ତୁ ନାହିଁ । ଘରେ ହେଉ ବା ବାହାରେ, ଅନ୍ୟମାନଙ୍କ ସହ ମିଶିବା ଓ କଥା ହେବା ସମୟରେ ମୁହଁରେ ମାସ୍କ୍ ପରିଧାନ କରିବାକୁ ଭୁଲନ୍ତୁ ନାହିଁ । କୋଭିଡ଼ରେ ଆକ୍ରାନ୍ତ ହୋଇ ମରିବା ପୂର୍ବରୁ ଏଭଳି ଏକ ବାର୍ତ୍ତା ଛାଡି ଯାଇଛନ୍ତି ଜଣେ ଗର୍ଭବତୀ ଦନ୍ତ ଚିକିତ୍ସିକା ।
ଦିଲ୍ଲୀର ଏହି ୩୪ ବର୍ଷ ବୟସ୍କା ଦନ୍ତ ଚିକତ୍ସିକା ଜଣକ ହେଉଛନ୍ତି ଡକ୍ଟର ଡ଼ିମ୍ପଲ ଆରୋରା ଚାୱଲା । ସାତ ମାସର ଗର୍ଭବତୀ ଥିବା ଅବସ୍ଥାରେ ସେ ଗତ ଏପ୍ରିଲ ମାସରେ କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ । ଡ଼ିମ୍ପଲ୍ ତାଙ୍କ ଦ୍ୱିତାୟ ସନ୍ତାନକୁ ଜନ୍ମ ଦେବାକୁ ଥିଲା । ତେବେ, କୋଭିଡ଼ ଆକ୍ରାନ୍ତ ହେବାର ଦୁଇ ସପ୍ତାହ ପରେ ସେ ତାଙ୍କର ଗର୍ଭସ୍ଥ ସନ୍ତାନକୁ ହରାଇଲେ ଏବଂ ପରଦିନ ସେ ଆରପାରିକୁ ଚାଲି ଗଲେ । ପଛରେ ଛାଡି ଯାଇଛନ୍ତି ପତି ରଭିସ୍ ଚାୱଲା ଓ ତିନି ବର୍ଷର ଶିଶୁ ପୁଅକୁ । ମୃତ୍ୟୁର କିଛି ଦିନ ପୂର୍ବରୁ ଡ଼ିମ୍ପଲ୍ ପରିବାର ଓ ସାଂଗସାଥୀଙ୍କ ଉଦ୍ଦେଶ୍ୟରେ ଯେଉଁ ଭିଡ଼ିଓ ବାର୍ତ୍ତାଟି ଛାଡି ଯାଇଛନ୍ତି ତାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । ଏହି ଭିଡ଼ିଓରେ ସେ କୋଭିଡ଼ ମହାମାରୀକୁ କେହି ହାଲୁକାରେ ନ ନେବାକୁ ପରାମର୍ଶ ଦେବା ସହ ନିଜେ ଭୋଗୁଥିବା ଯନ୍ତ୍ରଣା ସଂପର୍କରେ ସୂଚନା ଦେଇଥିବା ଜଣାପଡିଛି ।
କୋଭିଡ଼ ମହାମାରୀ ଅତ୍ୟନ୍ତ ଘାତକ ଓ ଯନ୍ତ୍ରଣାଦାୟକ । ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି ମୁହଁକୁ ମାସ୍କ୍ ଦ୍ୱାରା ଭଲ ଭାବେ ଢାଂକି ନିଅନ୍ତୁ । ଘରେ ହେଉ ବା ବାହାରେ ଯଦି କାହା ସହିତ କଥା ହେଉଛନ୍ତି ମାସ୍କ୍ ପିନ୍ଧିବା ଭୁଲନ୍ତୁ ନାହିଁ । ନିଜ ପରିବାର ଓ ପ୍ରିୟବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଏହା କରିବା ନିତାନ୍ତ ଜରୁରୀ ବୋଲି ଡ଼ିମ୍ପଲ୍ ୨ ମିନିଟ ୨୦ ସେକେଂଡ୍ ର ଭିଡ଼ିଓ ବାର୍ତ୍ତାରେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏପ୍ରିଲ ୧୭ ତାରିଖରେ ଡ଼ିମ୍ପଲ୍ ଏହି ଭିଡ଼ିଓ ବାର୍ତ୍ତା ପ୍ରସ୍ତୁତ କରିଥିଲେ ବୋଲି ତାଙ୍କ ପତି ରଭିସ୍ ଚାୱାଲାଙ୍କ ଠାରୁ ସୂଚନା ମିଳିଛି । ଡ଼ିମ୍ପଲ୍ ଏହି ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନିଜର ସମସ୍ତ ବନ୍ଧୁ, ପରିଜନଙ୍କୁ ସୂଚାଇ ଦେବାକୁ ଚାହୁଁ ଥିଲେ – କୋଭିଡ଼ ମହାମାରୀ କେତେଦୂର ସାଂଘାତିକ ଓ ଯନ୍ତ୍ରଣାଦାୟକ । ଭିଡ଼ିଓ ପ୍ରସ୍ତୁତ କରିବା ସମୟରେ ସେ ଠିକ୍ ଭାବେ କଥା କହିବା ଅବସ୍ଥାରେ ନଥିଲେ । ତଥାପି, ଅତି କଷ୍ଟରେ ଏହି ଭିଡ଼ିଓଟି ପ୍ରସ୍ତୁତ କରିଛନ୍ତି ଏବଂ ଏହା ମାଧ୍ୟମରେ ନିଜ ଲୋକଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି ବୋଲି ଡ଼ିମ୍ପଲ୍ ଙ୍କ ପତି ରଭିସ୍ ଚାୱଲା କହିଛନ୍ତି ।
୩୪ ବର୍ଷ ବୟସ୍କା ଡ଼ିମ୍ପଲ୍ ଙ୍କ ମୃତ୍ୟୁ ପରେ ରଭିସ୍ ଏହି ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛନ୍ତି । ସେ କହିଛନ୍ତି, ତାଙ୍କ ପତ୍ନୀ କରୋନାର ଭୟାବହତା ସଂପର୍କରେ ସମସ୍ତଙ୍କୁ ସଚେତନତା କରୁଥିଲେ । ତେଣୁ, ନିଜେ କୋଭିଡ଼ ଆକ୍ରାନ୍ତ ହୋଇ କଷ୍ଟକର ପରିସ୍ଥିତିରେ ଥିବା ସମୟରେ ସେ (ଡ଼ିମ୍ପଲ୍) ନିଜ ପରିବାର ଓ ସାଂଗସାଥୀଙ୍କୁ କରୋନାର ଭୟଂକର ରୂପ ସଂପର୍କରେ ସଚେତନ କରିବାକୁ ଏହି ଭିଡ଼ିଓ ପ୍ରସ୍ତୁତ କରିଥିଲେ । ତେବେ, କରୋନାରେ ପତ୍ନୀଙ୍କ ମୃତ୍ୟୁ ଘଟିବାରୁ ସର୍ବସାଧାରଣଙ୍କୁ ସଚେତନ କରିବା ସକାଶେ ସେ (ରଭିସ୍) ଏହି ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛନ୍ତି । ‘ଆପଣମାନେ କେବଳ ନିଜ ସୁରକ୍ଷା ପାଇଁ ନୁହେଁ, ନିଜ ପରିବାର, ଘରେ ଥିବା ଗର୍ଭବତୀ ମହିଳା ଓ ପ୍ରିୟଜନଙ୍କ ସୁରକ୍ଷା ପାଇଁ ମାସ୍କ୍ ପରିଧାନ କରନ୍ତୁ’ – ଏହା ଥିଲା ତାଙ୍କ ପତ୍ନୀଙ୍କ ବାର୍ତ୍ତା । ପତ୍ନୀଙ୍କ ଅଧୁରା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସକାଶେ ସେ ସର୍ବସାଧାରଣରେ ସଚେତନା ସୃଷ୍ଟି ପାଇଁ ଏହି ଭିଡ଼ିଓଟି ପୋଷ୍ଟ୍ କରିଥିବା ରଭିସ୍ କହିଛନ୍ତି ।
ରଭିସ୍ ଦେଇତିବା ସୂଚନା ଅନୁଯାୟୀ, କୋଭିଡ଼ରେ ଆକ୍ରାନ୍ତ ହେବାର ୧୦ ଦିନ ପରେ ଡ଼ମ୍ପଲ୍ ବା ଦୀପିକା (ଡ଼ାକ ନାମ)ଙ୍କ ଅକ୍ସିଜେନ୍ ସ୍ତର ଅଚାନକ କମି ଯିବାରୁ ଏପ୍ରିଲ ୨୧ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରମାନେ ତାଙ୍କୁ (ଡ଼ିମ୍ପଲ୍ ଙ୍କୁ) ରେମଡ଼େସିଭିର୍ ସହ ଦୁଇ ରାଉଣ୍ଡ୍ ପ୍ଲାଜମା ଥେରାପି ଚିକିତ୍ସା ଦେଇଥିଲେ । ତେବେ, ଚିକିତ୍ସା ସମୟରେ ଡ଼ମ୍ପଲ୍ ଙ୍କ ଅବସ୍ଥା ଅଧିକ ଖରାପ ହୋଇଥିଲା । ପେଟରେ ଥିବା ସନ୍ତାନର ହାଲଚାଲ ଜାଣିବା ପାଇଁ ଏପ୍ରିଲ ୨୫ ତାରିଖ ଡ଼ିମ୍ପଲ୍ ଙ୍କ ଅଲଟ୍ରାସାଉଣ୍ଡ୍ କରାଯାଇଥିଲା । ଏହି ପରୀକ୍ଷଣରୁ ପେଟରେ ଥିବା ସନ୍ତାନର ପଲ୍ସ୍ କାମ କରୁ ନଥିବା ଜଣାପଡିଥିଲା । ପେଟ ଭିତରେ ହିଁ ପିଲାଟିର ମୃତ୍ୟୁ ଘଟି ଥିବାରୁ ଡ଼ିମ୍ପଲ୍ ଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଡ଼ାକ୍ତରମାନେ ସିଜେରିନ୍ କରାଯାଇ ମୃତ ଛୁଆଟିକୁ ପେଟରୁ ବାହାର କରି ଦେବା ସପକ୍ଷରେ ଥିଲେ । ତେବେ, ପରଦିନ ସକାଳେ ଡ଼ିମ୍ପଲ୍ ଆରପାରିକୁ ଚାଲି ଯାଇଥିଲେ ।
ଦେଶରେ କୋଭିଡ଼-୧୯ର ଦ୍ୱିତୀୟ ଲହର ତାହାର ଘାତକ ରୂପ ଦେଖାଉ ଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କ ସକାଶେ ଭ୍ୟାକ୍ସିନ୍ ବା ଟିକା ଉପଲବ୍ଧ ହେଲାଣି । କିନ୍ତୁ, ଏଯାବତ୍ ଭାରତରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଭ୍ୟାକ୍ସନ୍ ଉପଲବ୍ଧ ନଥିବାରୁ ଏହି ବର୍ଗଙ୍କ ସୁରକ୍ଷା ପ୍ରତି ଆଜିର ଦିନରେ ଅଧିକ ଧ୍ୟାନ ଦିଆଯିବା ଜରୁରୀ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS