ଅକ୍ସିଜେନ୍ ପରେ ଟିକାକୁ ନେଇ ବିବାଦ
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୧୨
ଅକ୍ସିଜେନ୍ ପରେ ଟିକା ଏବେ ନୂଆ ବିବାଦର କ୍ଷେତ୍ର ହୋଇଛି । କେନ୍ଦ୍ର ସରକାରଙ୍କ ଟିକା ନୀତିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟୀକରଣ ମାଗିବା ସହ ସ୍ୱତଃ ଏକ ମାମଲାର ବିଚାର କରୁଛନ୍ତି । ଅପରପକ୍ଷରେ, କରୋନା ଟିକା ଅଭାବ ଯୋଗୁଁ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟ ମନ୍ଥର ଗତି ଧରି ଥିବାରୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି । ଓଡ଼ିଶା ସରକାର ଟିକା ଅଭାବ ସଂପର୍କରେ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖି ଜଣାଇବା ପରେ ମଧ୍ୟ ତାହାର ସମାଧାନ ହେଉ ନଥିବାରୁ ସରକାର ଗ୍ଲୋବଲ୍ ଟେଂଡର ମାଧ୍ୟମରେ ବିଶ୍ୱ ବଜାରରୁ ଟିକା କିଣିବାକୁ ନିଷ୍ପତ୍ତି ନେଲେଣି । ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଟିକା ଅଭାବକୁ ନେଇ ବର୍ଷିଛନ୍ତି । ଦେଶରେ ଟିକା ଉତ୍ପାଦନ ବହୁଗୁଣିତ କରିବା ସକାଶେ ‘ସେରମ୍ ଇନଷ୍ଟିଚ୍ୟୁଟ୍’ ଓ ‘ଭାରତ ବାୟୋଟେକ୍’ ବ୍ୟବହାର କରୁଥିବା ଫର୍ମୂଲାକୁ ଅନ୍ୟ ଫାର୍ମା କଂପାନୀଙ୍କୁ ମଧ୍ୟ ଯୋଗାଇ ଦିଆଯାଉ ବୋଲି ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ତିନି ମାସ ମଧ୍ୟରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଟିକାକରଣ କରିବା ସକାଶେ ଏକ ଜାତୀୟ ନୀତି ପ୍ରସ୍ତୁତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଉତ୍ପାଦନ ବହୁଗୁଣିତ କରାଯିବା ଜରୁରୀ ବୋଲି କେଜରୀୱାଲ ମତ ରଖିଛନ୍ତି ।
ଦେଶର ଅଧିକାଂଶ ରାଜ୍ୟରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏହାକୁ ସୀମିତ କରିବା ପାଇଁ ବିଭିନ୍ନ ରାଜ୍ୟରେ ‘ତାଲାବନ୍ଦ’ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାିଛି । ତଥାପି, ସଂକ୍ରମଣ ଓ ମୃତ୍ୟୁକୁ ରୋକି ହୋଉ ନାହିଁ । ବୁଧବାର ସକାଳ ସୁଦ୍ଧା ବିଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୮ ହଜାର ୫୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪, ୧୯୮ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ମୋଟ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ୪୦ ହଜାର ୫୬୧ରେ ପହଂଚିଛି । ସେଥିରୁ ପ୍ରାୟ ୧.୯୪ କୋଟି ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ସକ୍ରୀୟ ରୋଗୀ ସଂଖ୍ୟା ପାଖାପାଖି ୩୭ ଲକ୍ଷ ରହିଛି । କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୨୨୫ରେ ପହଂଚିଛି । ଓଡ଼ିଶାରେ ଗତ ୨୪ ଘଂଟାରେ ୧୦,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫, ୬୫, ୬୪୮ରେ ପହଂଚିଛି ଏବଂ ସକ୍ରିୟ ରୋଗୀ ସଂଖ୍ୟ ରହିଛି ୯୮,୨୩୦ । କରୋନାରେ ମୃତ୍ୟୁ ସଂଖ୍ୟା ୨,୨୩୨ ହେଲାଣି ।
ପୂର୍ବରୁ କରୋନା ହଟସ୍ପଟ୍ ଥିବା କିଛି ରାଜ୍ୟରେ ‘ତାଲାବନ୍ଦ’ ଭଳି କଠୋର କଟକଣାଲାଗୁ ହେବା ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କିଛିଟା କମିଛି ସିନା ଟିକାକରଣ କାର୍ଯ୍ୟ ସେହି ଅନୁପାତରେ ଆଗଉ ନ ଥିବାରୁ ସଂକ୍ରମଣ ଗ୍ରାଫ୍ ଉପର ତଳ ହେଉଛି । ଏଭଳି ଅବସ୍ଥାରେ କରୋନାର ତୃତୀୟ ଲହରକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ ଦେଶବାସୀଙ୍କ ଚିନ୍ତା ବଢିଛି । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଆବଶ୍ୟକତା ଅନୁସାରେ କୋଭିଡ଼ ଟିକା ପହଂଚୁ ନ ଥିବାରୁ ୪୫ ବର୍ଷରୁ ଉଦ୍ଧ୍ୱର୍ ଏବଂ ୧୮ରୁ ୪୪ ବର୍ଷ ବୟସ ସୀମାର ଲୋକଙ୍କ ଟିକାକରଣ କାର୍ଯ୍ୟ ମାନେ୍ଦଇ ଯାଇଛି । ପୁଣେର ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଡିଆ’ର ‘କୋଭିସିଲ୍ଡ’ ଓ ଆଇସିଏମଆର ସହ ସହଭାଗିତାରେ ଟିକା ପ୍ରସ୍ତୁତ କରୁଥିବା ‘ଭାରତ ବାୟୋଟେକ୍’ର ‘କୋଭାକ୍ସିନ୍’ ଟିକା କରୋନାରୁ ବଂଚିବା ପାଇଁ ଏକମାତ୍ର ସଂଜୀବନୀ ହୋଇଥିବା ବେଳେ ଦୁଇ ସଂସ୍ଥାଙ୍କ ଟିକା ଉତ୍ପାଦନ କ୍ଷମତା ସୀମିତ । ଏହାଛଡା, ବିଦେଶୀ ବଜାରକୁ ମଧ୍ୟ ସେମାନେ ଟିକା ଯୋଗାଉଛନ୍ତି । ଫଳରେ, ଦେଶ ଭିତରର ଆବଶ୍ୟକତାକୁ ସେମାନେ ମେଂଟାଇ ପାରୁ ନାହାନ୍ତି ।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଡିଆ (ଏସଆଇଆଇ) ପୂର୍ବ ପ୍ରତିଶ୍ରୁତି ମୁତାବକ ୟୁକେକୁ ୫୦ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ରପ୍ତାନୀ କରିବାକୁ ନିକଟରେ କେନ୍ଦ୍ର ସରକାରଙ୍କ ଅନୁମତି ମାଗି ଥିଲେ । ତେବେ, ଟିକାକୁ ନେଇ ସରକାର ବିଭିନ୍ନ ରାଜ୍ୟ ଓ ବିରୋଧୀଙ୍କ ଆଡୁ ଚାପରେ ଥିବାରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଉପରେ ରୋକ୍ ଲଗାଇଛନ୍ତି । ପ୍ରଥମେ ଦେଶର ନାଗରିକଙ୍କ ସୁରକ୍ଷା ସକାଶେ ଏହି ଟିକା ରାଜ୍ୟମାନଙ୍କୁ ଯୋଗାଇବାକୁ କେନ୍ଦ୍ର କହିଛି । ରାଜ୍ୟମାନେ ମଧ୍ୟ ଏସଆଇଆଇ ସହ ଯୋଗାଯୋଗ କରି ଏହି ଟିକା କିଣି ନେବାକୁ କୁହାଯାଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଗଚ୍ଛିତ ୫୦ ଲକ୍ଷ ଡୋଜ୍ ‘କୋଭିସିଲ୍ଡ୍’ ଟିକା କିଣି ନେଇ ରାଜ୍ୟମାନେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ କାର୍ଯ୍ୟ ଆଗେଇ ନେବାକୁ ସରକାର କହିଥିବା ବେଳେ ଘରୋଇ ହସ୍ପିଟାଲଗୁଡିକୁ ମଧ୍ୟ ଏଥିରୁ କିଛି ଟିକା ମିଳି ପାରିବ ବୋଲି ଇସାରା ଦେଇଛନ୍ତି । ତେବେ, ଓଡ଼ିଶା ସମେତ କିଛି ରାଜ୍ୟ ସରକାର ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ୍’ ଟିକାର ମନ୍ଥର ଉତ୍ପାଦନ ଏବଂ ଯୋଗାଣକୁ ଦେଖି ଦୁଇ ଟିକା ଉତ୍ପାଦନକାରୀଙ୍କ ଉପରେ ସଂପୂର୍ଣର୍ ଭରସା କରିପାରୁ ନାହାନ୍ତି । ସେମାନଙ୍କ ଉପରେ ନିର୍ଭର କଲେ ରାଜ୍ୟର ସମସ୍ତ ନାଗରିକଙ୍କୁ ଟିକାକରଣ କରିବାକୁ ହେଲେ ମାସ ମାସ ଲାଗି ଯିବ । ଆଜିର ଦିନରେ କୋଭିଡ଼ ମହାମାରୀର ଦ୍ୱିତୀୟ ଲହର ଯେଭଳି ବନ୍ଧବାଡ ନ ମାନି ଆଗକୁ ମାଡ଼ି ଚାଲିଛି, ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ରୋକିା ସକାଶେ ଟିକାକରଣ କାର୍ଯ୍ୟ ଦୃତ ଗତିରେ ହେବା ଆବଶ୍ୟକ । ତେଣୁ, ବିଶ୍ୱ ବଜାରରେ ଉପଲବ୍ଧ ବିଭିନ୍ନ ବିଦେଶୀ କଂପାନୀ ଟିକା କିଣିବା ଉପରେ ଓଡ଼ିଶା ଭଳି ରାଜ୍ୟମାନେ ଗୁରୁତ୍ୱ ଦେଲେଣି ।
ଓଡ଼ିଶାରେ ୪୫ ବର୍ଷ ବୟସରୁ ଉଦ୍ଧ୍ୱର୍ଙ୍କୁ କେନ୍ଦ୍ର ସରକାର ଦେଉ ଥିବା ଟିକା ମିଳୁଛି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଟିକା କିଣିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ସୀମାର ଲୋକ ସଂଖ୍ୟା ହେଉଛି ୧.୯୩ କୋଟି । ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ଡୋଜ୍ ଟିକା ଦେବାକୁ ହେଲେ ୩.୮୭ କୋଟି ଡୋଜ୍ ର ଆବଶ୍ୟକତା ରହିଛି । ରାଜ୍ୟ ସରକାର ୨.୨୦ କୋଟି ‘କୋଭିସିଲ୍ଡ’ ଟିକା ଓ ୧୦.୩୪ ଲକ୍ଷ ‘କୋଭାକ୍ସିନ୍’ ଟିକା କିଣିବାକୁ ସଂପୃକ୍ତ ଦୁଇ କଂପାନୀଙ୍କୁ ଅର୍ଡର ଦେଇଥିବା ବେଳେ ଉପଲବ୍ଧ ହୋଇଛି ୧.୫ ଲକ୍ଷ ଡୋଜ୍ ‘କୋଭାକ୍ସିନ୍’ ଓ ୧ ଲକ୍ଷ ଡୋଜ୍ ‘କୋଭିସିଲ୍ଡ୍’ ଟିକା । ଫଳରେ, ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଆଗେଇ ପାରୁ ନାହିଁ । ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ ହୋଇ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରକୁ ତାହା ସଂପ୍ରସାରିତ କରିବାକୁ ନିଷ୍ପତ୍ତି ହୋଇଛି । ଟିକା ମିଳିବା ଉପରେ ସବୁ କିଛି ନିର୍ଭର କରୁଛି ।
କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟମାନେ ମଧ୍ୟ ଟିକାକରଣକୁ ନେଇ ସମାନ ସମସ୍ୟା ଭୋଗୁଛନ୍ତି । ତେଣୁ, ଅକ୍ସିଜେନ୍ ସଂକଟ ପରେ ଟିକା ମିଳିବା ବଡ଼ ସମସ୍ୟା ହୋଇ ଦେଖା ଦେଇଛି । କେନ୍ଦ୍ର ସରକାର ଅକ୍ସିଜେନ୍ ସମସ୍ୟାର ସମାଧାନ କରି ନ ପାରିବାରୁ ସୁପ୍ରିମ କୋର୍ଟ ହସ୍ତକ୍ଷେପ କଲେ ଏବଂ ରାଜ୍ୟମାନଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ସେମାନଙ୍କୁ ସୂଚାରୁ ଭାବେ ତରଳ ମେଡ଼ିକାଲ୍ ଅକ୍ସିଜେନ୍ (ଏଲଲଓ) ଯୋଗାଣ କାର୍ଯ୍ୟ ସଂପାଦନ କରିବା ସକାଶେ ଦେଶର ବିଭିନ୍ନ ଅଂଚଳରୁ ବିଶେଷଜ୍ଞମାନଙ୍କୁ ନେଇ ୧୨ ଜଣିଆ ଜାତୀୟ ଟାସ୍କ୍ ଫୋର୍ସ ଗଠନ କଲେ । ଟାସ୍କ୍ ଫୋର୍ସକୁ ପୂର୍ଣ୍ଣ ସହଯୋଗ କରିବ ବୋଲି କେନ୍ଦ୍ର ସରକାର ଅଦାଲତକୁ ପ୍ରତିଶ୍ରୁତ ଦେଇଛନ୍ତି । ତେବେ, କୋଭିଡ଼ ଟିକାର ସୁଷମ ବଂଟନ ଏବଂ ସମାନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସରକାରଙ୍କ ଯୋଜନା କଣ (?) ବୋଲି ସୁପ୍ରମି କୋର୍ଟ ଜାଣିବାକୁ ଚାହିଁବାରୁ କେନ୍ଦ୍ର ସରକାର କ୍ଷୁବ୍ଧ । ନ୍ୟାୟାଳୟର ମାତ୍ରାଧିକ ଓ ଅବଂଛିତ ହସ୍ତକ୍ଷେପ ପରିସ୍ଥିତିକୁ ଅଧିକ ସଂକଟକୁ ନେଇ ପାରେ ବୋଲି ସରକାର ଉତ୍ତର ରଖିଛନ୍ତି ।
ସୁପ୍ରିମ କୋର୍ଟର ବିଚାରପତି ଡ଼ି.ୱାଇ.ଚନ୍ଦ୍ରଚୂଡ଼, ଏଲ.ଏନ. ରାଓ ଓ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସୋମବାର ଦିନ ସରକାରଙ୍କ ଟିକା ନୀତି ଉପରେ ଶୁଣାଣୀ କରିବାର ଥିଲା । ଶୁଣାଣୀ ପୂର୍ବରୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଟିକା ନୀତି ଓ ଯୋଜନା ଜାଣିବାକୁ ଚାହିଁ ଥିଲେ । ଗତ ରବିବାର ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧୮ ପୃଷ୍ଠାର ଏକ ସତ୍ୟପାଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାଧ୍ୟମରେ ଖଣ୍ଡପୀଠଙ୍କ ନିକଟରେ ଦାଖଲ ହୋଇଛି । ଏହି ସତ୍ୟପାଠରେ ସରକାର ନିଜର ଟିକା ନୀତିକୁ ଫଳପ୍ରଦ ବୋଲି ଦାବି କରିବା ସହ ସରକାରଙ୍କ ଟିକା ନୀତିରେ ନ୍ୟାୟିକ ହସ୍ତକ୍ଷେପ ହେଲେ ତାହା ଅପ୍ରତ୍ୟାଶିତ ଓ ଅବାଂଛିତ ପରିଣତିକୁ ଡ଼ାକି ଆଣିପାରେ ବୋଲି ଅଦାଲତଙ୍କୁ ଚେତାଇ ଦେଇଛନ୍ତି । ଟିକା ମୂଲ୍ୟରେ ରହୁଥିବା ପାର୍ଥକ୍ୟ, ଟିକାର ଅଭାବ ଏବଂ ଟିକାରକରଣର ମନ୍ଥର ଗତିକୁ ନେଇ ସୁପ୍ରିମ କୋର୍ଟ ନିଜ ଆଡୁ ଏକ ମାମଲାର ବିଚାରଣା ଆରମ୍ଭ କରିଥିବା ବେଳେ କେନ୍ଦ୍ର ସରକାର ଦେଖାଇ ଥିବା ଅଭିମୁଖ୍ୟ ସରକାର ଓ ସୁପ୍ରିମ କୋର୍ଟ ମଧ୍ୟରେ ମୁହାଁମୁହିଁ ହେଲା ଭଳି ପରିସ୍ଥିତି ସୃଷ୍ଟି କରିଛି ।
ସୋମବାର ସକାଳେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଡ଼ିଜିଟାଲ୍ ମୋଡ୍ ରେ ମାମଲାର ଶୁଣାଣୀ ଆରମ୍ଭ କରିଥିଲେ ମଧ୍ୟ ବୈଷୟିକ କାରଣରୁ ମାତ୍ର ଦୁଇ ମିନିଟ ଶୁଣାଣୀ କରି ଗୁରୁବାର ପର୍ଯ୍ୟନ୍ତ ତାହାକୁ ସ୍ଥଗିତ ରଖିଛନ୍ତି । କାଲି ତାହାର ଶୁଣାଣୀ ହେବ । କେନ୍ଦ୍ର ସରକାରଙ୍କ ଆଡୁ ଦାଖଲ ସତ୍ୟପାଠରେ କୁହାଯାଇଛି, କୋଭିଡ଼ ଭଳି ଏକ ବିଶ୍ୱ ମହାମାରୀ ପରିସ୍ଥିତିରେ କେନ୍ଦ୍ର ସରକାର ଜାତୀୟ ସ୍ତରରେ ମେଡ଼କାଲ ବିଶେଷଜ୍ଞଙ୍କ ଏବଂ ବୈଜ୍ଞାନିକଙ୍କ ପରାମର୍ଶ ଆଧାରଷର କୋଭିଡ଼ ମୁକାବିଲାର ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିରେ ନ୍ୟାୟିକ ହସ୍ତକ୍ଷେପର ତିଳେମାତ୍ର ସ୍ଥାନ ନାହିଁ । ଅଦାଲତ ବିଶେଷଜ୍ଞ ପରାମର୍ଶଦାତା ବା ପ୍ରଶାସନିକ ଅଭିଜ୍ଞତା ନଥାଇ ଏବଂ ଡ଼ାକ୍ତର, ବୈଜ୍ଞାନିକ, ବିଶେଷଜ୍ଞ ଓ ପ୍ରଶାସନିକ ଅଧିକାରୀଙ୍କୁ ଉପେକ୍ଷା କରି ଟିକା ନୀତିରେ ହସ୍ତକ୍ଷେପ କଲେ ତାହାର ପରିଣତି ଅପ୍ରତ୍ୟାଶିତ ଓ ଅବାଂଛିତ ହୋଇପାରେ ।
ଜୁଲାଇ ଶେଷ ସୁଦ୍ଧା ଦେଶରେ ମାସକୁ ୧୩ କୋଟିରୁ ଅଧିକ ଡୋଜ୍ ଭ୍ୟାକ୍ସିନ୍ ଉତ୍ପାଦନ ହେବ ବୋଲି ସରକାର ସତ୍ୟପାଠରେ ଜଣାଇଛନ୍ତି । ତେବେ, ଘରକୁ ଘର ବୁଲି ଲୋକଙ୍କୁ ଟିକାକରଣ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।
କେନ୍ଦ୍ର ସରକାର ଟିକା ଉଦ୍ଭାବନ ଓ ପରୀକ୍ଷଣ ପାଇଁ ‘ସେରମ୍ ଉନଷ୍ଟିଚ୍ୟୁଟ’ ବା ଓ ‘ଭାରତ ବାୟୋଟେକ୍’କୁ କୌଣସି ଅଗ୍ରୀମ ଅର୍ଥ ଦେଇ ନଥିଲେ । ତେବେ, ଏହି ଦୁଇଟି ଭ୍ୟାକ୍ସିନର କ୍ଲିନିକାଲ୍ ପରୀକ୍ଷଣ ପାଇଁ ଆଇସିଏମଆର (ଇଂଡିଆନ୍ କାଉନସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ)ମାଧ୍ୟମରେ ୪୬ କୋଟି ଟଙ୍କା ଦିଆଯାଇଛି । ସରକାର ମେ’, ଜୁନ ଓ ଜୁଲାଇ ମାସ ପାଇଁ କୋଭିଡ଼ ଟିକା କିଣିବାକୁ ‘ଭାରତ ବାୟୋଟେକ୍’ ଓ ଏସଆଇଆଇକୁ ଶତପ୍ରତିଶତ ଅର୍ଥ ପ୍ରଦାନ କରିଛନ୍ତି । ମୋଟ ୨,୫୨୦ କୋଟି ଟଙ୍କା ଅଗ୍ରୀମ ଆକାରରେ ଦିଆଯାଇଥିବା ବେଳେ ସେଥିରୁ ସେରମ୍ ଇନଷ୍ଟିଚ୍ୟୁଟ୍ (ଏସଆଇଆଇ) ୧୧ କୋଟି ଡୋଜ୍ ‘କୋଭିସିଲ୍ଡ’ ପାଇଁ ୧୭୩୨ କୋଟି ଟଙ୍କା ଓ ବିବଆଇଏଲ (ଭାରତ ବାୟୋଟେକ୍) ୫ କୋଟି ଡୋଜ୍ ‘କୋଭାକ୍ସିନ୍’ ଟିକା ଯୋଗାଇବା ପାଇଁ ୭୮୭.୫ କୋଟି ଟଙ୍କା ଅଗ୍ରୀମ ନେଇଛି । ଜୁଲାଇ ମାସ ବେଳକୁ ଏହି ଦୁଇ ସଂସ୍ଥା ମାସକୁ ୧୩ କୋଟିରୁ ଅଧିକ ଡୋଜ୍ ଟିକା ଉତ୍ପାଦନ କରିବେ । ଏହାଛଡା, ରଷିଆର ‘ସ୍ପୁଟନିକ ଭି’ ଟିକା ଭାରତର ଡ଼କ୍ଟର ରେଡ୍ଡିସ୍ ଲ୍ୟାବ୍ ରେ ଉତ୍ପାଦନ ପାଇଁ ଅନୁମତି ଦିଆଯାଇଛି । ଡ଼କ୍ଟର ରେଡ୍ଡିସ୍ ଲ୍ୟାବ୍ ମାସିକ ପ୍ରାୟ ୧.୨ କୋଟି ଡୋଜ୍ ଟିକା ଉତ୍ପାଦନ କରିବ । ବିଭିନ୍ନ ବିଦେଶୀ ଭ୍ୟାକ୍ସିନ୍ କୁ ମଧ୍ୟ ଦେଶରେ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଥିବା ଏବଂ ୧୧ଟି ନୂଆ ଭ୍ୟାକ୍ସିନ୍ ର କ୍ଲିନିକାଲ୍ ଟ୍ରାଏଲ୍ ବିଭିନ୍ନ ପର୍ଯ୍ୟାୟରେ ଚାଲି ଥିବା କେନ୍ଦ୍ର ସରକାର ସୁପ୍ରମି କୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶାଇଛନ୍ତି । ସୁପ୍ରିମ କୋର୍ଟ ଖଣ୍ଡପୀଠ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ସଂପୂର୍ଣ୍ଣ ଅନୁଧ୍ୟାନ କରିବାକୁ ସମୟ ପାଇ ଥିବେ । ତେଣୁ, କାଲି ସୁପ୍ରିମ କୋର୍ଟଙ୍କ ତିନି ଜଣିଆ ବେଂଚ୍ ବା ଖଣ୍ଡପୀଠରେ ଯେଉଁ ଶୁଣାଣୀ ହେବ ତାହା ଦେଶର ଟିକା ନୀତିକୁ କିଭଳି ମୋଡ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS