୨୮ ଜିଲ୍ଲାରେ ପଜେଟିଭ୍ ହାର ୧୦ ପ୍ରତିଶତରୁ ଅଧିକ… ‘ତାଲାବନ୍ଦ’ ଅବଧି ବଢିପାରେ
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୧୩
ମେ’ ମାସରେ ଓଡ଼ିଶାରେ କରୋନା ସଂକ୍ରମଣ ଯେଭଳି ଭାବେ ବଢିବ ବୋଲି ଆଶଙ୍କା କରାଯାଉଥିଲା ତାହା ଗତ ସପ୍ତାହରେ ଦେଖିବାକୁ ମିଳି ନଥିଲେ ମଧ୍ୟ ରାଜ୍ୟର ୩୦ ଜିଲ୍ଲାରୁ ୨୮ଟି ଜିଲ୍ଲାରେ ପଜେଟିଭିଟି ହାର ଶତକଡା ୧୦ ପ୍ରତିଶତରୁ ଅଧିକ ଥିବା ଜଣାପଡିଛି । ରାଜ୍ୟରେ ମେ’ ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ‘ତାଲାବନ୍ଦ’ ଘୋଷଣା ହୋଇଛି । ‘ତାଲାବନ୍ଦ’ ସମୟରେ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ୍ ପରିଧାନ ଉପରେ ପ୍ରଶାସନ ଗୁରୁତ୍ୱ ଦେବାରୁ ସଂକ୍ରମଣ ହାର କମ ରହିଛି ବୋଲି ବୁଧବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ନିରଂଜନ ମିଶ୍ର କହିଛନ୍ତି । ତେବେ, ସଂକ୍ରମଣକୁ ରୋକିବା ପାଇଁ ‘ତାଲାବନ୍ଦ’ ଫଳପ୍ରଦ ହେଉଥିବାରୁ ୧୯ ତାରିଖ ପରେ ‘ତାଲାବନ୍ଦ’ ଅବଧି ମେ’ ୩୧ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇ ପାରେ ବୋଲି ସେ କହିଛନ୍ତି । ମିଶ୍ର କହିଛନ୍ତି, ମେ’ ମାସରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୩,୨୪୯ରୁ ଅଧିକ ରହିବ ବୋଲି ଏପ୍ରିଲ ୨୭ରେ ତାଙ୍କ ବିଭାଗ ଆକଳନ କରିଥିଲା । ମେ’ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କେସ୍ ଲୋଡ୍ ଏହି ହାରରେ ବଢିବ ଓ ସକ୍ରୀୟ ରୋଗୀ ସଂଖ୍ୟା ୧ଲକ୍ଷ ୨୦ ହଜାରରୁ ଅଧିକ ହେବ ବୋଲି ସେମାନେ ଅନୁମାନ କରୁଥିଲେ । ତେବେ, ରାଜ୍ୟରେ ଦୈନିକ ସଂକ୍ରମଣ ହାର ୧୦ ହଜାର ଉପରେ ରହିଛି ଏବଂ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ୧ ଲକ୍ଷ ତଳେ ରହିଛି । ତଥାପି, ଦୈନିକ ଯେତିକି ସଂଖ୍ୟାରେ କୋଭିଡ଼ ପରୀକ୍ଷଣ ହେଉଛି ସେଥିରୁ ପଜେଟିଭ୍ କେସ୍ ଅଧିକ ସଂଖ୍ୟାରେ ଚିହ୍ନଟ ହେଉଥିବାରୁ ‘ତାଲାବନ୍ଦ’କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଭାଗ ସରକାରଙ୍କୁ ସୁପାରିଶ କରିଛି ।
ମେ’୫ରୁ ୧୧ ତାରିଖ ମଧ୍ୟରେ ରାଜ୍ୟରେ ଯେଉଁ କୋଭିଡ଼ ପରୀକ୍ଷଣ ହୋଇଥିଲା ସେଥିରୁ ହାରାହାରି କରୋନା ପଜେଟିଭିଟି ହାର ୨୨.୩୨ ପ୍ରତିଶତ ଥିବା ଜଣାପଡିଛି । ରାଜ୍ୟର ୩୦ଟି ଜିଲ୍ଲାରୁ ୨୮ଟି ଜିଲ୍ଲାରେ ପଜେଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ମାଲକାନଗିରି ଓ କାରାପୁଟ ଜିଲ୍ଲା ବ୍ୟତୀତ ୨୮ଟି ଜିଲ୍ଲାରେ କରୋନା ପରିସ୍ଥିତି ଚିନ୍ତାଜନକ । ୨୧ଟି ଜିଲ୍ଲାରେ ପଜେଟିଭିଟି ହାର ୨୧ ପ୍ରତିଶତରୁ ଅଧିକ ରହିଛି । କଳାହାଣ୍ଡି ଜିଲ୍ଲାରେ ପଜେଟିଭିଟି ହାର ୪୭.୧ ପ୍ରତିଶତ ଥିବା ବେଳେ ସମ୍ବଲପୁର ଜିଲ୍ଲାରେ ୪୩.୯ ପ୍ରତିଶତ, ଖୋର୍ଦ୍ଧା ଜିଲ୍ଲାରେ ୩୫.୧ ପ୍ରତିଶତ, ଅନୁଗୁଳ ଜିଲ୍ଲାରେ ୩୩.୪ ପ୍ରତିଶତ, ସୁନ୍ଦରଗଡ଼ ଜିଲ୍ଲାରେ ୩୨.୪ ପ୍ରତିଶତ ଓ ବରଗଡ଼ ଜିଲ୍ଲାରେ ୩୧ ପ୍ରତିଶତ ରହିଛି ।
ରାଜ୍ୟ ସରକାର ପରିସ୍ଥିତି ସଂପର୍କରେ ପୂର୍ଣ୍ଣ ଅବଗତ ଅଛନ୍ତି । ରାଜ୍ୟରେ ଦୈନିକ କୋଭିଡ଼ ଟେଷ୍ଟିଂ ୫୦ ହଜାରରୁ ୬୦ ହଜାରକୁ ବୃଦ୍ଧି କରିବା ଦିଗରେ ସପ୍ତାହକ ମଧ୍ୟରେ ବିଭାଗ ପଦକ୍ଷେପ ନେବାକୁ ଯାଉଛି । ଏଦିଗରେ ଭିତ୍ତିଭୂମି ପ୍ରସ୍ତୁତ ସହ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ମଧ୍ୟ ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ, ଦେଶରେ ୧୦ ପ୍ରତିଶତରୁ ଅଧିକ ପଜେଟିଭିଟି ରେଟ୍ ଥିବା ଜିଲ୍ଲାଗୁଡ଼ିକ ‘ତାଲାବନ୍ଦ’ରେ ରହିବ ବୋଲି ଆଇସିଏମଆର (ଇଂଡିଆନ୍ କାଉନସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ) ମୁଖ୍ୟ ବଳରାମ ଭାର୍ଗବ ବୁଧବାର କହିଛନ୍ତି । ଦେଶର ୭୩୦ରୁ ଅଧିକ ଜିଲ୍ଲା ମଧ୍ୟରୁ ୫୨୮ଟି ଜିଲ୍ଲାରେ ଗତ ଏକ ସପ୍ତାହ ହେଲା କରୋନା ପଜେଟିଭିଟି ହାରରେ ୧୦ ପ୍ରତିଶତରୁ ଅଧିକରେ ରହିଛି । ତେଣୁ, ଏସବୁ ଜିଲ୍ଲାରେ ‘ତାଲାବନ୍ଦ’ ଲାଗୁ ହେବା ସୁନିଶ୍ଚିତ ହୋଇଛି । ସମଗ୍ର ରାଜ୍ୟରେ କରୋନା ପଜେଟିଭିଟି ହାର ଅଧିକ ରହୁଥିଲେ ମଧ୍ୟ ସେଥିରୁ ୫୮ ପ୍ରତିଶତ କେସ୍ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ଅନୁଗୁଳ, ସମ୍ବଲପୁର, ପୁରୀ, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଖୋର୍ଦ୍ଧା ଜିଲ୍ଲାରେ ପଜେଟିଭ୍ ସଂଖ୍ୟା ୧୮.୨ ପ୍ରତିଶତ ଥିବା ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ତାହା ୧୦.୪ ପ୍ରତିଶତ, କଟକ ଜିଲ୍ଲାରେ ୭.୨ ପ୍ରତିଶତ, ଅନୁଗୁଳ ଜିଲ୍ଲାରେ ୪.୫ ପ୍ରତିଶତ, ସମ୍ବଲପୁର ଜିଲ୍ଲାରେ ୪.୫ ପ୍ରତିଶତ, ପୁରୀ ଜିଲ୍ଲାରେ ୪.୪ ପ୍ରତିଶତ, ବରଗଡ଼ ଜିଲ୍ଲାରେ ୪.୩ ପ୍ରତିଶତ ଓ ଝାରସୁଗୁଡ଼ା ଜିଲ୍ଲାରେ ୪.୧ ପ୍ରତିଶତ ଥିବା ଜଣାପଡିଛି ।
କୋଭିଡ଼ ଦ୍ୱିତୀୟ ଲହର ଟାର୍ଗେଟରେ ୧୭ରୁ ୪୦ ବୟସ ବର୍ଗ
ରାଜ୍ୟରେ କୋଭିଡ଼ର ପ୍ରଥମ ଲହରରେ ଟାର୍ଗେଟରେ ଥିଲେ ବୟସ୍କ ବ୍ୟକ୍ତି । ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିଲା । ତେବେ, ଚଳିତ ବର୍ଷର ଦ୍ୱିତୀୟ ଲହରରେ କୋଭିଡ଼ ଟାର୍ଗେଟ କରିଛି ୧୭ରୁ ୪୦ ବର୍ଷ ବୟସ ବର୍ଗଙ୍କୁ । ପ୍ରଥମ ଲହରରେ ରାଜ୍ୟରେ ୧୭ରୁ ୪୦ ବର୍ଷ ବୟସ୍କଙ୍କ ମଧ୍ୟରେ କୋଭିଡ଼ ଜନିତ ଯେତିକି ମୃତ୍ୟୁ ଘଟିଥିଲା ଦ୍ୱିତୀୟ ଲହରରେ ତାହାର ଦୁଇ ଗୁଣ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ।
ଅନୁଧ୍ୟାନ ରିପୋର୍ଟ ଅନୁଯାୟୀ, ଗତ ବର୍ଷ କୋଭିଡ଼ ପ୍ରଥମ ଲହରରେ ରାଜ୍ୟରେ କୋଭିଡ଼ ଜନିତ ମୃତ୍ୟୁର ୧୧.୧ ପ୍ରତିଶତ ଥିଲେ ୧୭ରୁ ୪୦ ବର୍ଷ ବୟସ ବର୍ଗ । ଚଳିତ ବର୍ଷର ଦ୍ୱିତୀୟ ଲହରରେ ମୋଟ ମୃତ୍ୟୁ ସଂଖ୍ୟାର ପ୍ରାୟ ୨୪.୮ ପ୍ରତିଶତ ରହିଛନ୍ତିି ୧୭ରୁ ୪୦ ବର୍ଷ ବୟସ ବର୍ଗ । ୨୦୨୧ ଜାନୁୟାରୀ ୧ରୁ ମେ’ ୧୦ ତାରିଖ ମଧ୍ୟରେ ରାଜ୍ୟରେ ୩୩୯ଟି କୋଭିଡ଼ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ୮୪ ଜଣ (୨୪.୮ ପ୍ରତିଶତ) ଅଛନ୍ତି ୧୭ରୁ ୪୦ ବର୍ଷ ବୟସ ବର୍ଗର । ଗତ ବର୍ଷ କୋଭିଡ଼ ମୃତ୍ୟୁ ସଂଖ୍ୟା ୧୮୭୬ ଥିଲା ବେଳେ ସେଥିରେ ୧୭ରୁ ୪୦ ବୟସ ବର୍ଗଙ୍କ ସଂଖ୍ୟା ଥିଲା ୨୦୯ (୧୧.୧ ପ୍ରତିଶତ) । ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ମୃତ୍ୟୁ ସଂଖ୍ୟା କମ୍ ରହିଛି । ୨୦୨୦ର ମୋଟ ମୃତ୍ୟୁ ସଂଖ୍ୟାର ୪୩.୯ ପ୍ରତିଶତ ଥିଲେ ୬୦ ବର୍ଷରୁ ଉଦ୍ଧ୍ୱର୍ । ଏହି ବୟସର ୮୨୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଦ୍ୱିତୀୟ ଲହରରେ ଏଯାବତ୍ ଘଟିଥିବା ୩୩୯ ମୃତ୍ୟୁ ମଧ୍ୟରୁ ୧୦୧ ଅର୍ଥାତ ୨୯.୮ ପ୍ରତିଶତ ହେଉଛନ୍ତି ୬୦ ବର୍ଷରୁ ଉଦ୍ଧ୍ୱ ବୟସ୍କ ।
ତେବେ, କୋଭିଡ଼ ପ୍ରଥମ ଓ ଦ୍ୱତୀୟ ଲହରରେ ୧୬ ବର୍ଷ ପର୍ଯ୍ୟନ୍ତ ବୟସ ସୀମାର ଶିଶୁ ଓ କିଶୋର ଏବଂ ୪୧ରୁ ୬୦ ବର୍ଷ ବୟସ ସୀମାର ମଧ୍ୟ ବୟସ୍କଙ୍କ ମୃତ୍ୟୁ ହାରରେ ବିଶେଷ ଫରକ ଦେଖିବାକୁ ମିଳି ନାହିଁ । ଗତ ବର୍ଷ କୋଭିଡ଼ରେ ପ୍ରାଣ ହରାଇ ଥିବା ମୋଟ ମୃତକଙ୍କ ମଧ୍ୟରୁ ୦.୫ ପ୍ରତିଶତ ଥିଲେ ୧୬ ବର୍ଷରୁ କମ୍ ବୟସ୍କ । ଦ୍ୱିତୀୟ ଲହରରେ ତାହା ୦.୬ ପ୍ରତିଶତ ରହିଛି । ସେହିଭଳି, ଗତ ବର୍ଷ କୋଭିଡ଼ ଜନିତ ମୃତ୍ୟୁର ପ୍ରାୟ ୪୪.୫ ପ୍ରତିଶତ ଥିଲେ ୪୧ରୁ ୬୦ ବର୍ଷ ବୟସ୍କ । ଦ୍ୱିତୀୟ ଲହରରେ ଏଯାବତ୍ ଘଟି ଥିବା କୋଭିଡ଼ ମୃତ୍ୟୁର ୪୪.୮ ପ୍ରତିଶତ ହେଉଛନ୍ତି ଏହି ବୟସ ବର୍ଗର । ୧୭ରୁ ୪୦ ବର୍ଷ ବୟସ ବର୍ଗର ଯୁବକମାନେ ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବାର କାରଣ ହେଉଛି – ଏହି ବୟସ ବର୍ଗର ଯୁବକ, ଯୁବତୀ ଜୀବିକା ଉପାର୍ଜନ ପାଇଁ ବହୁ ସଂଖ୍ୟାରେ ପଦାକୁ ବାହାରୁଛନ୍ତି । ତାହାଛଡା, ଟିକାକରଣ ହୋଇ ନଥିବାରୁ ସେମାନଙ୍କ ଇମ୍ୟୁନିଟିସ୍ତର ମଧ୍ୟ କମ୍ ରହୁଛି ।
ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ସୀମାର ଯୁବକ, ଯୁବତୀଙ୍କ ପାଇଁ ମେ’ ୩ରୁ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଟିକାର ଘୋର ଅଭାବ ଯୋଗୁଁ ତାହା ଆଗେଇ ପାରୁ ନାହିଁ ଗତ ସୋମବାର ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମରେ କାଁଭାଁ ଟିକାକରଣ ହୋଇଛି । ମଂଗଳବାରୁ ବ୍ରହ୍ମପୁର, ରାଉରକେଲା, କଟକ, ସମ୍ବଲପୁର ସହରରେ ଟିକାକରଣ ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ, ରାଜ୍ୟର ଯୁବ ପୀଢି କେବେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ହେବେ, ତାହା ବଡ଼ ପ୍ରଶ୍ନ ହୋଇଛି । ବୁଧବାର ସୁଦ୍ଧା ରାଜ୍ୟର ମୋଟ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୫.୬୫ ଲକ୍ଷ ଥିବା ସମୟରେ ସେଥିରୁ ୧୫ରୁ ୪୦ ବର୍ଷ ବୟସ ବର୍ଗର ସଂକ୍ରମିତଙ୍କ ସଂଖ୍ୟା ରହିଛି ୨.୯୫ ଲକ୍ଷ । ୪୧ରୁ ୬୦ ବର୍ଷ ବୟସ ସୀମାର ଆକ୍ରାନ୍ତଙ୍କ ସଂଖ୍ୟା ୧.୮୩ ଲକ୍ଷ ଥିବା ସମୟରେ ୬୦ ବର୍ଷରୁ ଉଦ୍ଧ୍ୱର୍ଙ୍କ ସଂଖ୍ୟା ରହିଛି ୫୮ ହଜାର । ୧୫ ବର୍ଷରୁ କମ୍ ବୟସର ଆକ୍ରାନ୍ତ ସଂଖ୍ୟା ହେଉଛି ମାତ୍ର ୨୮ ହଜାର।
ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ଅପେକ୍ଷାରେ ଅଛନ୍ତି ୨୨ ଲକ୍ଷ
ମେ’ ୧୨ ସୁଦ୍ଧା ରାଜ୍ୟରେ ୨୨ ଲକ୍ଷ ଲୋକ ଦ୍ୱତୀୟ ଡୋଜ୍ ଟିକା ନେବା ଅପେକ୍ଷାରେ ଅଛନ୍ତି । ତେବେ, ଟିକା ଅଭାବ ସେମାନଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି । ଭାରତ ବାୟୋଟେକ୍ ପକ୍ଷରୁ ଯୋଗାଇ ଦିଆଯାଉଥିବା ‘କୋଭିକ୍ସିନ୍’ ଟିକା କେବଳ ରାଜଧାନୀ ଭୁବନେଶ୍ୱରରେ ଦିଆଯାଉଥିବା ବେଳେ ଅନ୍ୟ ସମସ୍ତ ଅଂଚଳରେ ସେରମ୍ ଇନଷ୍ଟିଚ୍ୟୁଟ୍ ର ‘କୋଭିସିଲ୍ଡ୍’ ଟିକା ଦିଆଯାଉଛି । ଉଭୟ ‘କୋଭାକ୍ସିନ୍’ ଓ ‘କୋଭିସିଲ୍ଡ୍’ ଟିକା ଯୋଗାଣରେ ଘୋର ଅବ୍ୟବସ୍ଥା ଓ ଅଭାବ ଟିକାକରଣ କାର୍ଯ୍ୟକୁ ମନ୍ଥର କରିଛି । ରାଜ୍ୟ ସରକାର ଅଧିକ ପରିମାଣର ଟିକା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖୁଛନ୍ତି ସିନା କିଛି ସୁଫଳ ମିଳୁନି । କେନ୍ଦ୍ର ସରକାର ପ୍ରଥମେ କହୁଥିଲେ, ସବୁ ରାଜ୍ୟରେ ଯଥେଷ୍ଟ ପରିମାଣର ଟିକା ଗଚ୍ଛିତ ଅଛି, ରାଜ୍ୟମାନେ ତାହାର ସୁପରିଚାଳନା କରିପାରୁ ନଥିବାରୁ ଏବଂ ନିର୍ଦ୍ଧାରିତ ହାରରୁ ଅଧିକ ପରିମାଣର ଟିକା ନଷ୍ଟ ହେଉଥିବାରୁ ଟିକା ଅଭାବ ଅଭିଯୋଗ ହେଉଛି । ଏବେ କେନ୍ଦ୍ର କହିଲାଣି, ଉଭୟ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ର ଉତ୍ପାଦନ କ୍ଷମତା ସୀମିତ । ଜୁଲାଇ ସୁଦ୍ଧା ଟିକା ସମସ୍ୟା ସମାଧାନ ହେବ । କେନ୍ଦ୍ର ସରକାରଙ୍କ ଏଭଳି ‘ଦୋ-ମୁହାଁ’ ନୀତି ଦ୍ୱତୀୟ ଡୋଜ୍ ଟିକା ଅପେକ୍ଷାରେ ଥିବା ଲୋକଙ୍କୁ କେବଳ ନୁହେଁ, ମେ’ ପହିଲାରୁ କୋଭିଡ଼ ଟିକା ନେବାକୁ କେନ୍ଦ୍ରୀୟ ପୋର୍ଟାଲରେ ପଂଜୀକରଣ କରି ସ୍ଲଟ୍ ପାଉ ନଥିବା ୧୭ରୁ ୪୪ ବର୍ଶ ବୟସ ବର୍ଗ ଯୁବକ, ଯୁବତୀଙ୍କୁ ମଧ୍ୟ ହତାଶ କରିଛି । ଟିକା ନ ଥିବାରୁ ରାଜ୍ୟର ଅଧିକାଂଶ ଟିକାକରଣ କେନ୍ଦ୍ରରେ ‘ନୋ-ଭ୍ୟାକ୍ସିନ୍’ ବୋର୍ଡ ଝୁଲୁଛି । ତଥାପି, ରାଜ୍ୟ ସରକାର ନିରାଶ ନହୋଇ କେନ୍ଦ୍ରକୁ ହାତପତାଇ ଚାଲିଛନ୍ତି । ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟକୁ ଅନ୍ତତଃ ୨୫ ଲକ୍ଷ ଡୋଜ୍ ‘କୋଭିସିଲ୍ଡ୍’ ଟିକା ଯୋଗାଇ ଦେବାକୁ ଦାବି ରଖିଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟ ସରକାର ୨୫ ଲକ୍ଷ ଡୋଜ୍ ‘କୋଭିସିଲ୍ଡ୍’ ଟିକା ଯୋଗାଇ ଦେବା ସକାଶେ କେନ୍ଦ୍ର ସରକାରଙ୍କୁ ଦୁଇ ମାସରେ ଦୁଇ ଥର ଚିଠି ଲେଖି ଅନୁରୋଧ କରିଥିଲେ । କେନ୍ଦ୍ର ଶୁଣି ନଥିଲା । ଗତକାଲି ପୁଣି ଥରେ ଏହି ଦାବିକୁ ଦୋହରାଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର କେତେଦୂର କର୍ଣ୍ଣପାତ କରିବ, ତାହା ସମୟ କହିବ ।
୧୨ ବିରେଧୀ ନେତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି
ଦେଶରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯାଉ । ଟିକା ଅଭାବ ଦୂର କରିବା ସକାଶେ ଦେଶରେ ଟିକା ଉତ୍ପାଦନ ବଢାଇବା ସହ ବିଶ୍ୱ ବଜାରରୁ ଟିକା କିଣାଯାଉ । ଏଥିସକାଶେ କେନ୍ଦ୍ର ସରକାର ବଜେଟରେ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରନ୍ତୁ । ଦିଲ୍ଲୀରେ ଚାଲି ଥିବା ସେଂଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ବନ୍ଦ କରାଯାଇ ସେହି ଅର୍ଥରେ ଟିକା, ଅକ୍ସିଜେନ୍ ଓ ଡ଼ାକ୍ତରୀ ଉପକରଣ କିଣାଯାଇ କୋଭିଡ଼ ମହାମାରୀର ମୁକାବିଲା କରାଯାଉ । ଦେଶର ୧୨ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି ଅନୁରୋଧ କରିଛନ୍ତି । ସଂପୃକ୍ତ ନେତାମାନେ ହେଉଛନ୍ତି, ଏଆଇସିସିର ଅନ୍ତଃରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼ି. ଦେବେଗୌଡା, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତଥା ଆରଜେଡ଼ି ମୁଖ୍ୟ ତେଜସ୍ୱୀ ଯାଦବ, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସିପିଏମ ନେତା ସୀତାରାମ ୟେଚୁରୀ, ସିପିଆ ନେତା ଡ଼ି. ରାଜା ଓ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି (ନ୍ୟାସନାଲ୍ କନ୍ଫରେନ୍ସ) ମୁଖ୍ୟ ଫାରୁକ୍ ଅବଦୁଲ୍ଲା । କରୋନା ପରିସ୍ଥିତିର ମୁକାବିଲାରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ କରୋନା ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନଅଟି ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କେୟାର୍ ପାଂଣ୍ଠି (ପିଏମ୍ କେୟାର ଫଣ୍ଡ୍)ରୁ ଟଙ୍କା ବାହାର କରି କରୋନା ମୁକାବିଲାରେ ଖର୍ଚ୍ଚ କରାଯିବାକୁ, ଗରିବଙ୍କୁ ମାଗଣାରେ ଖାଦ୍ୟ ବଂଟନ ଜାରି ରଖା ଯିବାକୁ ଏବଂ ବେକାର ଲୋକଙ୍କୁ ମାସିକ ୬ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବାକୁ ଏହି ନେତାମାନେ ପରାମର୍ଶ ଦେଇଥିବା ବେଳେ ବିରୋଧୀଙ୍କ ଆଡ ଆଖିରେ ଅନାଉ ନଥିବା ପ୍ରଧାନମନ୍ତ୍ରୀ ସେମାନଙ୍କୁ କି ଜବାବ ଦେବେ ତାହା ଦେଖାକୁ ରହିଛି ।
ସୁପ୍ରିମ କୋର୍ଟରେ ଟିକା ନୀତି ଉପରେ ଶୁଣାଣୀ ସ୍ଥଗିତ
କେନ୍ଦ୍ର ସରକାରଙ୍କ ଟିକା ନୀତି ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣୀ ହେବାକୁ ଥିଲା । ବିଚାରପତି ଡ଼ି.ୱାଇ. ଚନ୍ଦ୍ରଚୂଡ, ବିଚାରପତି ଏଲ. ନାଗେଶ୍ୱର ରାଓ ଓ ବିଚାରପତି ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହା ଉପରେ ଶୁଣାଣୀ କରିଥା’ନ୍ତେ । ତେବେ, ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କୋଭିଡ଼ରେ ସଂକ୍ରମିତ ଥିବା ଜଣାପଡିବା ପରେ ଆଜିର ଶୁଣାଣୀ ସ୍ଥଗିତ ରହିଛି । ଏହି ଶୁଣାଣୀ ପୂର୍ବରୁ ଖଣ୍ଡପୀଠ କୋଭିଡ଼ ଟିକାର ମୂଲ୍ୟରେ ରହି ଥିବା ତାରତମ୍ୟ ଓ ଦେଶରେ ଟିକା ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ଚାହିଁଥିଲେ । କେନ୍ଦ୍ର ସରକାର ଗତ ରବିବାର ରାତିରେ ୨୧୮ ପୃଷ୍ଠାର ସତ୍ୟପାଠ ଦାଖଲ କରି ସରକାରଙ୍କ ଟିକା ନୀତି ଠିକ୍ ବାଟରେ ଅଛି, ସେଥିରେ କୌଣସି ପ୍ରକାର ନ୍ୟାୟିକ ହସ୍ତକ୍ଷେପ ଅବାଂଛିତ ଓ ଅପରିଣାମଦର୍ଶୀ ହୋଇପାରେ ବୋଲି ଖଣ୍ଡପୀଠଙ୍କୁ ଚେତାଇ ଦେଇଥିଲେ । ସୋମବାର ଦିନ କେନ୍ଦ୍ର ସରକାରଙ୍କ ଟିକା ନୀତି ଉପରେ ଡ଼ିଜିଟାଲ୍ ମୋଡ୍ ରେ ଶୁଣାଣୀ ହେଉଥିବା ବେଳେ ବୈଷୟିକ ତୃଟି ଦେଖା ଦେଇ ଦୁଇ ମିନିଟରେ ଶୁଣାଣୀ ବନ୍ଦ ହୋଇଯାଇଥିଲା । ଅଦାଲତ ଶୁଣାଣୀକୁ ଗୁରୁବାରକୁ ସ୍ଥଗିତ ରଖି ଥିଲେ । ଆଜି ଶୁଣାଣୀ ହେଲେ ଅଦାଲତଙ୍କ ଆଭିମୁଖ୍ୟ କଣ ହେବ ଦେଖିବା ସକାଶେ ସମସ୍ତେ ଉତ୍ସୁକ ଥିବା ବେଳେ ବିଚାରପତି ଚନ୍ଦ୍ରଚୂଡଙ୍କୁ କୋଭିଡ଼ ସଂକ୍ରମଣ ଯୋଗୁ ତାହା ସ୍ଥଗିତ ରହିଛି । ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସ୍ୱସ୍ଥ୍ୟ ଭଲ ଥିବା ଜଣାପଡିଛି । ତାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମ କୋର୍ଟ ଖଣ୍ଡପୀଠ କୋଭିଡ଼ ପରିଚାଳନା ସଂପର୍କିତ ବିଭିନ୍ନ ମାମଲାର ଶୁଣାଣୀ କରୁଛନ୍ତି ।
କୋଭିଡ଼ରେ ଦେଶରେ ୩୪ ବିଚାର ବିଭାଗ ଅଧିକାରୀ ଓ ୩ ହାଇକୋର୍ଟ ବିଚାରପତିଙ୍କ ମୃତ୍ୟୁ ଘଟିଛି
ଦେଶରେ ୨୭୬୮ ଜଣ ବିଚାର ବିଚାଗୀୟ ଅଧିକାରୀ ଓ ୧୦୬ ଜଣ ହାଇକୋର୍ଟ ବିଚାରପତି ଏଯାବତ୍ କୋଭିଡ଼ ସଂକ୍ରମିତ ହୋଇଛନ୍ତି । ଏଯାବତ୍ ୩୪ ଜଣ ବିଚାର ବିଭାଗୀୟ ଅଧିକାରୀ ଓ ୩ ଜଣ ହାଇକୋର୍ଟ ବିଚାରପତିଙ୍କ କୋଭିଡ଼ରେ ମୃତ୍ୟୁ ହୋଇଛି ବୋଲି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି । ସୁପ୍ରମି କୋର୍ଟର ଭର୍ଚୁଆଲ୍ ପ୍ରୋସିଡିଂଗୁଡିକ ଯେଭଳି ଗଣମାଧ୍ୟମକୁ ଉପଲବ୍ଧ ହୋଇପାରିବ ସେଥି ସକାଶେ ଏକ ଆପ୍ଲିକେସନ୍ ର ଲଂଚିଂ ସମୟରେ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଏହି ସୂଚନା ଦେଇଛନ୍ତି । ସେ ସାମ୍ବାଦିକତା ଥିବା ସମୟର ସ୍ମୃତିଚାରଣ କରି ସୁପ୍ରିମ କୋର୍ଟରେ ବିଚାରଣା ହେଉଥିବା ବିଭିନ୍ନ ମାମଲାର ପ୍ରୋସିଡିଂଗୁଡିକ ଲାଇଭ୍ ଟେଲେକାଷ୍ଟ୍ କରାଯିବା ପ୍ରସ୍ତାବ ସକ୍ରିୟ ବିଚାରାଧୀନ ଥିବା କହିଥିଲେ । ଏହା କାର୍ଯ୍ୟକାରୀ କରିବା ପୂର୍ବରୁ ସେ ସୁପ୍ରିମ କୋର୍ଟର ସମସ୍ତ ସହଯୋଗୀ ସଦସ୍ୟଙ୍କ ସହ ବିଚାର ବିମର୍ଷ କରିବେ ବୋଲି କହିଛନ୍ତି । ଏହି ଅବସରରେ ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ରମଣା କୋଭିଡ଼ ମହାମାରୀ ଦ୍ୱାରା ଦେଶର ବିଚାର ବିଭାଗର କିଭଳି କ୍ଷତି ଘଟିଛି ତାହା କହିଥିଲେ। ୨୦୨୦ ଏପ୍ରିଲ ୨୭ ତାରିଖରେ ସୁପ୍ରିମ କୋର୍ଟ ରେଜିଷ୍ଟ୍ରୀର ପ୍ରଥମ କର୍ମଚାରୀ କୋଭିଡ଼ରେ ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଦେଶର ୨୭୬୮ ବିଚାର ବିଭାଗୀୟ ଅଧିକାରୀ ଓ ୧୦୬ ଜଣ ହାଇକୋର୍ଟ ବିଚାରପତି କୋଭିଡ଼ ମହାମାରୀରେ ସଂକ୍ରମିତ ହୋଇଛନ୍ତି ଏବଂ ୩୪ ଜଣ ବିଚାର ବିଚାଗୀୟ ଅଧିକାରୀ ଓ ୩ ଜଣ ହାଇକୋର୍ଟ ବିଚାରପତିଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି । ଦୁଇଟି ପ୍ରମୁଖ ହାଇକୋର୍ଟରୁ ଏପର୍ଯ୍ୟନ୍ତ ତଥ୍ୟ ମିଳି ନଥିବା ଜଷ୍ଟିସ ରମଣା ସୂଚନା ଦେଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS