ଚାପରେ ସାମାଜିକ ଗଣମାଧ୍ୟମ…
ପ୍ରସାଦ ରାଓ
ଜୁନ ୨୩
ଦେଶରେ ସାମାଜିକ ଗଣମାଧ୍ୟମର ଅନୁପ୍ରବେଶ ପୂର୍ବରୁ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରଭାବଶାଳୀ ରହିଛି ଏବଂ ଜନମତକୁ ପ୍ରଭାବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ନିର୍ବାଚନ ସମୟ ହେଉ ବା ସାଧାରଣ ପରିସ୍ଥିତିରେ – ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରି ଏହି ଦୁଇ ମାଧ୍ୟମ ଜନତାର ବିଶ୍ୱାସଭାଜନ ହୋଇଛନ୍ତି । ସାଧାରଣ ଜନତା ନିଜର ବ୍ୟକ୍ତଗତ ମତ ହେଉ ବା ଭିନ୍ନମତ, ତାହାର ପରିପ୍ରକାଶ ପାଇଁ ଏହି ଦୁଇ ମୁଖ୍ୟସ୍ରୋତ ଗଣମାଧ୍ୟମ ଉପରେ ନିର୍ଭାରଶୀଳ ରହିଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ପୂର୍ବରୁ ଦେଶରେ ଛାପା ଗଣମାଧ୍ୟମ ମାତ୍ରାଧିକ ପ୍ରଭାବଶାଳୀ ଥିଲା । ଜାତୀୟ ଏବଂ ଆଂଚଳିକସ୍ତରରେ ଜନସାଧାରଣ ଛାପା ଗଣମାଧ୍ୟମ ଜରିଆରେ ନିଜର ମତ ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଥିଲେ । ପ୍ରକାଶିତ ଖବର ବା ମତାମତକୁ ନେଇ ଯଦି କାହାର କିଛି ଆପତ୍ତି ରହୁଥିଲା ସେମାନେ ପ୍ରତିବାଦ କରିବାର ସୁଯୋଗ ପାଉଥିଲେ । ଛାପା ଗଣମାଧ୍ୟମରେ ତାହା ପ୍ରକାଶ ନ ହେଲେ ପୀଡ଼ିତ ପ୍ରେସ୍ କାଉନସିଲର ବା ଅଦାଲତର ଆଶ୍ରୟ ନେବାର ଅଧିକାର ରଖି ଥିଲେ । ତେବେ, ମୋଟାମୋଟି ଭାବେ ଛାପା ଗଣମାଧ୍ୟମ ଖବରକୁ ଜନସାଧାରଣ ବିଶ୍ୱାସ କରୁଥିଲେ । ସଂପାଦକ ଓ ସାମ୍ବାଦିକମାନେ ମଧ୍ୟ ପ୍ରତ୍ୟେକ ଖବରକୁ ଯାଂଚ କରି ସତ୍ୟାସତ୍ୟ ପରଖିବା ପରେ ତାହା ସର୍ବସାଧାରଣଙ୍କ ଉଦେ୍ଦଶ୍ୟରେ ପରିବେଷଣ କରୁଥିଲେ । ଅନେକ ସମୟରେ ସେମାନେ ସରକାରୀ ଆକ୍ରୋଶର ଶିକାର ହେଉଥିଲେ ସୁଦ୍ଧା ସର୍ବ ସାଧାରଣରେ ନିଜର ନିରପେକ୍ଷତା ଓ ବିଶ୍ୱସନୀୟତା ବଜାୟ ରଖିବାକୁ ଉଦ୍ୟମ କରୁଥିଲେ ।
ଭାରତୀୟ ଗଣମାଧ୍ୟମ ଜଗତରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରବେଶ ପରେ ଖବର ପରିବେଷଣ ଶୈଳୀ ବଦଳିଛି । ତୁରନ୍ତ ଓ ନିରନ୍ତର ଖବର ପରିବେଷଣ ଉପରେ ଗୁରୁତ୍ୱ ବଢିଛି । ଫଳରେ, ଛାପା ଗଣମାଧ୍ୟମ ଭଳି ବୈଦ୍ୟୁତିକ ଗଣମାଧ୍ୟମରେ ଖବରକୁ ଯାଂଚ କରି ପରିବେଷଣ କରିବାର ସୁଯୋଗ କମିଛି । ସାମ୍ବାଦିକମାନେ ତତ୍କ୍ଷଣାତ ଖବର ପରିବେଷଣ କରିବାକୁ ଯାଇ ଭିଜୁଆଲ୍, ବାଇଟ୍ ଓ କାଉଂଟର ବାଇଟ୍ ସଂଗ୍ରହକୁ ପ୍ରାଥମିକତା ଦେଉଛନ୍ତି । ଟେଲିଭିଜନ ପରଦାରେ ପ୍ରସାରିତ ଖବର ତ୍ୱରିତ ଗତିରେ ପ୍ରସାରିତ ହେଉଥିବାରୁ ଏବଂ ସେଥିରେ ସଂପୃକ୍ତ ପକ୍ଷଙ୍କ ବାଇଟ୍ ଓ କାଉଂଟର ବାଇଟ୍ ରହୁ ଥିବାରୁ ଦର୍ଶକଙ୍କ ବିଶ୍ୱାସ ବଢିଛି । ସାଟେଲାଇଟ୍ ମାଧ୍ୟମରେ ବିଭିନ୍ନ ଖବର କମ୍ ସମୟରେ ଦେଶ ବିଦେଶରେ ପହଂଚୁ ଥିବାରୁ ବୈଦ୍ୟୁତିକ ଗଣମାଧ୍ୟମର ଲୋକପ୍ରିୟତା ମଧ୍ୟ ବଢିଛି । ଏଠି ମଧ୍ୟ ପ୍ରସାରିତ ଖବରକୁ ନେଇ କାହାରି କିଛି ଆପତ୍ତି ଥିଲେ ଆପତ୍ତି ଶୁଣିବାକୁ ଉପଯୁକ୍ତ ଫେରମ୍ ରହିଛି । ତେବେ, ୨୦୧୪ ସାଧାରଣ ନିର୍ବାଚନ ସମୟରେ ଡ଼ିଜିଟାଲ୍ ପ୍ଲାଟଫର୍ମର ବହୁଳ ପ୍ରସାର ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପରିସରକୁ କିଛିମାତ୍ରାରେ ସଂକୁଚିତ କରି ଦେଇଛି । ସାମାଜିକ ଗଣମାଧ୍ୟମରେ ତ୍ୱରିତ ଖବର ପରିବେଷଣ ହେଉଥିଲେ ମଧ୍ୟ ଖବରର ସତ୍ୟତାକୁ ନେଇ ଯାଂଚର ବ୍ୟବସ୍ଥା ନଥିବାରୁ ଏହି ମଧ୍ୟମ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏବେ ବିବାଦ ଘେରରେ ରହିଛି । ଫଳରେ, ଏହି ମାଧ୍ୟମ ଉପରେ ଅଂକୁଶ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ସାମାଜିକ ଗଣମାଧ୍ୟମର ବିଶେଷତ୍ୱ ହେଉଛି – ପାଖରେ ସ୍ୱାର୍ଟ ଫୋନ୍ ଓ ଇଂଟରନେଟ୍ ସୁବିଧା ଥିଲେ ଏବଂ ତାହାର ବ୍ୟବହାର ଜାଣି ଥିଲେ ଯେକୌଣସି ବ୍ୟକ୍ତ ଖବର ପରିବେଷଣ କରିପାରୁଛନ୍ତି । କୌଣସି ଅଂଚଳର କୌଣସି ଖବର ଆଉ ଚପି ଯାଉ ନାହିଁ ବା ଲୁଚାଇ ହେଉ ନାହିଁ । କାରଣ, ଗାଁ ଗହ. ସହର ବଜାରଠାରୁ ଆରମ୍ଭ କରି ସବୁଠି ସମସ୍ତଙ୍କ ହାତରେ ଇଂଟରନଟ୍ ସୁବିଧା ସଂପନ୍ନ ସ୍ମାର୍ଟ ଫୋନ୍ ରହିଛି । ଆଖି ପିଛୁଳାକେ ଖବର ଭାଇରାଲ୍ ବା ବହୁଳ ଭାବେ ପ୍ରସାରିତ ହେଉଛି । ଅଧିକାଂଶ କ୍ଷେତ୍ରରେ ମୁଖ୍ୟସ୍ରୋତ ଗଣମାଧ୍ୟମମାନେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ନେଇ କାମ ଚଳାଉ ଥିବା ଦେଖିବାକୁ ମିଳୁଛି । ଏହାଦ୍ୱାରା ସାମାଜିକ ଗଣମାଧ୍ୟମ ପ୍ରଭାବଶାଳୀ ହେବା ସହ ମୁଖ୍ୟସ୍ରୋତ ଗଣମାଧ୍ୟମ ଓ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି ।
ମୁଖ୍ୟସ୍ରୋତ ଗଣମାଧମଗୁଡ଼ିକ ଖବରର ଲାଂଜ ଧରିବା ପୂର୍ବରୁ ତାହା ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ବା ଲେଖା ଆକାରରେ ପ୍ରସାରିତ ହୋଇ ଜନମତକୁ ନିୟନ୍ତ୍ରଣ କରୁଥିବା ଦେଖି ସମସ୍ତେ ଚିନ୍ତାରେ । କାରଣ, ଅନେକ ସମୟରେ ଶୁଣାକଥା ଓ ଗୁଜବ ବହୁଳ ଭାବେ ପ୍ରସାରିତ ହୋଇ ହିଂସା ବା ଦଂଗା ପରିସ୍ଥିିତି ସୃଷ୍ଟି କରୁଛି । ତେଣୁ, ଏହି ଚଗଲା ଗଣମାଧ୍ୟମ ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ଆଇଟି (ସୂଚନା ଓ ବୈଷୟିକ ପ୍ରଯୁକ୍ତି) ଆଇନ ଏଦିଗରେ ପ୍ରାରମ୍ଭିକ ପଦକ୍ଷେପ କୁହାଯାଇପାରେ ।
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ନୂଆ ଆଇଟି ଆଇନ କାର୍ଯ୍ୟକାରୀ ହୋଇଛି, ଯାହାକି ପୂର୍ଣ୍ଣତଃ ସାମାଜିକ ଗଣମାଧ୍ୟମ ପାଇଁ ଉଦ୍ଦିଷ୍ଟ । ଇଂଟରନେଟ୍ ମାଧ୍ୟମରେ ଯଦି କିଛି ଆପତ୍ତିଜନକ ଖବର ପ୍ରସାରିତ ହେଉଛି ତାହାର ମୂଳ ଉତ୍ସ କିଏ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ତତ୍ପର ହୋଇଥିବା ବେଳେ ସଂପୃକ୍ତ ଖବର ସ୍ରଷ୍ଟା କିଏ ଚିହ୍ଟ କରି ତୁରନ୍ତ ଆପତ୍ତିଜନକ ଖବରକୁ ସାମାଜିକ ଗଣମାଧ୍ୟମରୁ ହଟାଇବାକୁ ଏବଂ ସରକାରଙ୍କ ଜଣାଇବାକୁ ଏହି ଆଇଟି ଆଇନରେ ନିର୍ଦେଶ ରହିଛି । ଏହି କାର୍ଯ୍ୟ କରିବା ସକାଶେ ‘ହ୍ୱାଟସ୍ ଆପ୍’, ‘ଫେସ୍ ବୁକ୍’, ‘ଟ୍ୱିଟର୍’ ଭଳି ବୃହତ ସାମାଜିକ ଗଣମାଧ୍ୟମମାନେ ନିଜ ନିଜ ସଂସ୍ଥାରେ ଏକାଧିକ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ସରକାରଙ୍କ ନିର୍ଦେଶ ସଂପୃକ୍ତ ସଂସ୍ଥାଙ୍କୁ ଚିନ୍ତାରେ ପକାଇଛି । କାରଣ, ‘ହ୍ୱାଟସ୍ ଆପ୍’ ଭଳି ବୃହତ ସାମାଜିକ ଗଣମାଧ୍ୟମ ଜରିଆରେ ଯେଉଁମାନେ ବାର୍ତ୍ତା ପ୍ରେରଣ କରୁଛନ୍ତି ବା ଗ୍ରହଣ କରୁଛନ୍ତି ସାଂପ୍ରତିକ ବ୍ୟବସ୍ଥାରେ ତାହାର ମୂଳରେ ପହଂଚିବାକୁ ହେଲେ ବ୍ୟକ୍ତିଗତ ତଥ୍ୟ ଆଦାନ-ପ୍ରଦାନରେ ଗୋପନୀୟତା ରକ୍ଷା କଥା ଆସୁଛି ।
ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ରହିଛି । ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସୁପ୍ରିମ କୋର୍ଟ ମଧ୍ୟ ସ୍ୱୀକୃତି ଦେଇଛନ୍ତି । ତେଣୁ, ବ୍ୟକ୍ତିଗତ ଗୋପନୀୟତା ଅଧିକାର ଉଲଂଘନ ହେଲା ଭଳି ନୂଆ ଆଇଟି ଆଇନରେ ଥିବା ପ୍ରାବଧାନକୁ ବୃହତ ସାମାଜିକ ଗଣମାଧ୍ୟମମାନେ ବିରୋଧ କରୁଛନ୍ତି । ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀଙ୍କ ମଧ୍ୟରେ ହେଉଥିବା ବାର୍ତ୍ତା ଆଦାନ ପ୍ରଦାନରେ ଗୁଇନ୍ଦାଗିରି କରିବାକୁ ମଧ୍ୟ ସେମାନେ ଚାହୁଁ ନାହାନ୍ତି । ତେଣୁ, ଭାରତରେ ଥିବା ସେମାନଙ୍କ କାର୍ଯ୍ୟାଳୟଗଡିକରେ ଗୁଇନ୍ଦାଗିରି କରିବା ପାଇଁ ଏକାଧିକ ନୋଡାଲ ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା ସକାଶେ ସରକାରଙ୍କ ନିର୍ଦେଶକୁ ଗ୍ରହଣ କରିବାକୁ ସେମାନେ ପ୍ରସ୍ତୁତ ନାହାନ୍ତି । ବ୍ୟକ୍ତିଗତ ଗୋପନୀୟତା ଏବଂ ସ୍ୱାଧୀନ ମତବ୍ୟକ୍ତ କରିବା ଅଧିକାର ଅକ୍ଷୁର୍ଣ୍ଣ ରହିବା ଭଳି ଯେକୌଣସି ଆଇନ ସେମାନଙ୍କ ପାଇଁ ଗ୍ରହଣୀୟ ବୋଲି ସେମାନେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଜଣାଇଛନ୍ତି । ତେବେ, କେନ୍ଦ୍ର ସରକାର ଏହି ଯୁକ୍ତିକୁ ଗ୍ରହଣ ନକରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାରୁ ସାମାଜିକ ଗଣମାଧ୍ୟମ ସହ ସରକାରଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
କେନ୍ଦ୍ର ସରକାର ଗୋଟିଏ ପଟେ ବ୍ୟକ୍ତି ସ୍ୱାଧୀନତା ଓ ଗୋପନୀୟତା ପ୍ରତି ଅଂଗୀକାରବଦ୍ଧ ଥିବା କହୁଥିବା ବେଳେ ଅନ୍ୟପଟେ ନୂତନ ଆଇଟି ଆଇନରେ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖିବାକୁ ସାମାଜିକ ଗଣମାଧ୍ୟମ ଉପରେ ଚାପ ସୃଷ୍ଟି କରୁଥିବାରୁ ସରକାରୀ ନୀତିକୁ ନେଇ ସମାଲୋଚନା ହେଉଛି । ସରକାରଙ୍କ ନୀତିକୁ ଚ୍ୟାଲେଂଜ୍ କରି ‘ହ୍ୱାଟସ୍ ଆପ୍’ ଅଦାଲତକୁ ଯାଇଥିବା ବେଳେ ‘ଟ୍ୱିଟର୍’ ନୋଡାଲ ଅଧିକାରୀ ନିଯୁକ୍ତିରେ ହେଳା କରିବାରୁ ସରକାରୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛି । ସରକାର ଗୁଣଗାନ କରିଆସୁଥିବା ମୁଖ୍ୟସ୍ରୋତ ଗଣମାଧ୍ୟମମାନେ ଏହି ମଉକାରେ ସାମାଜିକ ଗଣମାଧ୍ୟମ ବିରୋଧରେ ଅଭିଯାନ ଜେରଦାର୍ କରିଛନ୍ତି । ଅଳ୍ପ କିଛି ଗଣମାଧ୍ୟମ, ଯେଉଁମାନେ କି ସରକାରଙ୍କ ନୂତନ ଆଇଟି ନୀତିରେ ଥିବା ବ୍ୟକ୍ତି ସ୍ୱାଧୀନତା ହରଣ ପ୍ରୟାସକୁ ବିରୋଧ କରୁଛନ୍ତି, ସେଇମାନେ ହିଁ ଏବେ ସରକାରୀ ନୀତିର ଆଲୋଚକ (ସମାଲୋଚନା) ରହିଛନ୍ତି । ସରାକରଙ୍କ ନୂଆ ସୂଚନା ଓ ପ୍ରଯୁକ୍ତି ଆଇନ ସଂପର୍କରେ ଆଲୋଚନା ବେଳେ ଆମେ ଦେଶରେ ସାମାଜି ଗଣମାଧ୍ୟମ ଉନ୍ମେଷ ଓ ପ୍ରଭାବ ଉପରେ ସମ୍ୟକ ଦୃଷ୍ଟିପାତ କରିବା ଉଚିତ ହେବ ବୋଲି ମନେ କରୁଛି ।
୨୦୦୫-୦୬ରୁ ଭାରତୀୟ ଗଣମାଧ୍ୟମ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ବିସ୍ତାର ଆରମ୍ଭ ହୋଇଥିଲେ ମଧ୍ୟ ୨୦୧୪ ସାଧାରଣ ନିର୍ବାଚନରେ ତାହାର ପ୍ରଭାବ ଦେଖିବାକୁ ମିଳିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ପ୍ରଚାର ପାଇଁ ‘ଡ଼ିଜିଟାଲ ମୋଡ୍’କୁ ପ୍ରାଧାନ୍ୟ ଦେଇଥିଲେ । ନିର୍ବାଚନ ସଂପର୍କରେ ପ୍ରାକ୍ ଅନୁମାନ ଲଗାଉ ଥିବା ସେଫୋଲୋଜିଷ୍ଟ୍ ମାନେ ଭୋଟରଙ୍କ ମନୋଭାବ ଜାଣିବା ସକାଶେ ବୃହତ ସାମାଜିକ ଗଣମାଧ୍ୟମକୁ ବହୁଳ ଭାବେ ବ୍ୟବହାର କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଭୋଟରଙ୍କ ‘ମୁଡ୍’ ଜାଣିବା ସକାଶେ ‘ଫେସ ବୁକ୍’, ‘ହ୍ୱାଟସ୍ ଆପ୍’, ‘ଇନ୍ଷ୍ଟାଗ୍ରାମ୍’, ‘ଟ୍ୱିଟର୍’ ଓ ‘ୟୁଟ୍୍ୟୁବ୍’ ଭଳି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରାଯାଇଥିଲା । ଏହାର କାରଣ ଥିଲା, ସାଧାରଣ ଜନତା ମଧ୍ୟରେ ଏସବୁ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର । ୨୦୦୯ରେ ଭାରତରେ ପ୍ରବେଶ କରିଥିବା ‘ହ୍ୱାଟସ୍ ଆପ୍’ ସର୍ବାଧିକ ବ୍ୟବହୃତ ଥିବା ଏବଂ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ବଢି ଚାଲିଥିବା ଏକ ଆକଳନରୁ ଜଣାପଡିଛି । ଆକଳନ ଅନୁଯାୟୀ, ୩୪ ପ୍ରତିଶତ ଭାରତୀୟ ‘ହ୍ୱାଟସ୍ ଆପ୍’ ବ୍ୟବହାର କରୁଥିବା ବେଳେ ୨୦୦୬ରୁ ଭାରତରେ ପ୍ରବେଶ କରିଥିବା ‘ଫେସ ବୁକ୍’ର ବ୍ୟବହାରକାରୀ ହେଉଛନ୍ତି ୩୨ ପ୍ରତିଶତ । ‘ୟୁଟ୍ୟୁବ’ ୨୦୦୫ରେ ଭାରତରେ ପାଦ ଥାପିଛି । ତେବେ, ଏହାର ବ୍ୟବହାରକାରୀ ସଂଖ୍ୟା ହେଉଛି ୩୧ ପ୍ରତିଶତ । ସେହିଭଳି, ୨୦୧୦ରେ ଭାରତରେ ପ୍ରବେଶ କରିଥିବା ‘ଇନ୍ଷ୍ଟାଗ୍ରାମ’ର ବ୍ୟବହାରକାରୀ ସଂଖ୍ୟା ୧୫ ପ୍ରତିଶତ (ଭୋଟଦାନ ବୟସର) ଥିବା ବେଳେ ୨୦୦୬ରୁ ସକ୍ରୀୟ ଥିବା ‘ଟ୍ୱିଟର୍’ର ବ୍ୟବହାରକାରୀ ସଂଖ୍ୟା ହେଉଛି ୧୨ ପ୍ରତିଶତ । ଏହି ପାଂଚଟି ବୃହତ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଭାରତୀୟ ରାଜନୀତିକୁୁ ପ୍ରଭାବିତ କରିଛି ।
ଦେଶରେ ଦୈନିକ ୮୫ ପ୍ରତିଶତ ବ୍ୟବହାରକାରୀ ‘ହ୍ୱାଟସ୍ ଆପ୍’ ବ୍ୟବହାର କରୁଥିବା ବେଳେ ୮୧ ପ୍ରତିଶତ ‘ୟୁଟ୍ୟୁବ୍’, ୭୨ ପ୍ରତିଶତ ‘ଫେସ୍ ବୁକ୍’ ଏବଂ ୬୦ ପ୍ରତିଶତ ‘ଇନ୍ଷ୍ଟାଗ୍ରାମ’ ବ୍ୟବହାର କରୁଥିବା ଏକ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋଟରୁ ସୂଚନା ମିଳିଛି । ଏହି ରିପୋର୍ଟ ଅନୁଯାୟୀ, ଦେଶରେ ଦୈନନ୍ଦିନ ‘ଟ୍ୱିଟର୍’ ବ୍ୟବହାରକାରୀଙ୍କ ସଂଖ୍ୟା ରହିଛି ୪୨ ପ୍ରତିଶତ । ୨୦୧୪ରୁ ୨୦୧୮ ମଧ୍ୟରେ ଏହି ପାଂଚଟି ବୃହତ ସାମାଜିକ ଗଣମାଧ୍ୟମର ବ୍ୟବହାର ଉତ୍ସାହଜନକ ଥିଲା । ୨୦୧୮ ପରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ୨୦୧୯ ପରେ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଛି ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୪ରେ ‘ଫେସ୍ ବୁକ୍’ ଏବଂ ‘ଟ୍ୱିଟର୍’ ବ୍ୟବହାରକାରୀଙ୍କ ସଂଖ୍ୟା ଯଥାକ୍ରମେ ୯ ପ୍ରତିଶତ ଓ ୨ ପ୍ରତିଶତ ଥିବା ବେଳେ ୨୦୧୭ରେ ତାହା ଯଥାକ୍ରମେ ୨୦ ପ୍ରତିଶତ ଓ ୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୨୦୧୮ ମେ’ରେ ତାହା ୩୨ ପ୍ରତିଶତ ଓ ୧୪ ପ୍ରତିଶତକୁ ବୃଦ୍ଧି ପାଇଲା । ୨୦୧୮ରୁ ୨୦୧୯ ମେ’ ମଧ୍ୟରେ ‘ଫେସ୍ ବୁକ୍’ ବ୍ୟବହାରକାରୀଙ୍କ ସଂଖ୍ୟା ଆପାତତଃ ସ୍ଥିର ଥିବା ବେଳେ ‘ଟ୍ୱିଟର୍’ର ବ୍ୟବହାର ସାମାନ୍ୟ ହ୍ରାସ ପାଇଥିଲା । ୨୦୧୮-୧୯ରେ ‘ହ୍ୱାଟସ୍ ଆପ୍’ ବ୍ୟବହାରରେ ମଧ୍ୟ ସେମିତି କିଛି ଅଭିବୃଦ୍ଧି ଘଟି ନଥିଲା । ତେବେ, ଗତ ଛଅ ମାସ ମଧ୍ୟରେ ହୋଇଥିବା ବିହାର, ଆସାମ, ପଶ୍ଚିମ ବଂଗ, କେରଳ ଓ ତାମିଲନାଡୁ ନିର୍ବାଚନରେ ସାମାଜିକ ଗଣମାଧ୍ୟମର ପ୍ରଭାବ ଉପରେ ଅନୁଧ୍ୟାନ ବେଳେ ଏହି ୫ଟି ରାଜ୍ୟରେ ଦୁଇ ବର୍ଷ ମଧ୍ୟରେ ‘ହ୍ୱାଟସ୍ ଆପ୍’ ବ୍ୟବହାରକାରୀଙ୍କ ସଂଖ୍ୟା ୩୧ ପ୍ରତିଶତରୁ ୪୧ ପ୍ରତିଶତକୁ , ‘ୟୁଟ୍ୟୁବ’ ବ୍ୟବହାରକାରୀଙ୍କ ସଂଖ୍ୟା ୨୮ରୁ ୩୮ ପ୍ରତିଶତକୁ, ‘ଫେସ୍ ବୁକ୍’ ବ୍ୟବହାରକାରୀଙ୍କ ସଂଖ୍ୟା ୩୧ରୁ ୩୭ ପ୍ରତିଶତକୁ, ‘ଇନ୍ଷ୍ଟାଗ୍ରାମ’ ବ୍ୟବହାରକାରୀଙ୍କ ସଂଖ୍ୟା ୧୩ରୁ ୨୧ ପ୍ରତିଶତକୁ ଏବଂ ‘ଟ୍ୱିଟର୍’ ବ୍ୟବହାରକାରୀ ସଂଖ୍ୟା ୧୨ରୁ ୧୭ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡିଛି । ଆଜିର ଦିନରେ ‘ଟ୍ୱିଟର୍’ର ଦୈନନ୍ଦିନ ବ୍ୟବହାର ବଢିଛି ।
ପାଂଚଟି ଯାକ ବୃହତ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ବୟସ୍କଙ୍କ ସଂଖ୍ୟା ୨୦୧୯ରେ ୯ ପ୍ରତିଶତ ଥିବା ସମୟରେ ତାହା ଆଜିର ଦିନରେ ୧୪ ପ୍ରତିଶତ ରହିଛି । ଦେଶରେ କୌଣସି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁ ନ ଥିବା ଜନତା ସଂଖ୍ୟା ୬୫ ପ୍ରତିଶତରୁ ୫୫ ପ୍ରତିଶତକୁ ଖସିଛି ଏବଂ ୨୦୧୯ରୁ ଦେଶରେ ବହୁ ସଂଖ୍ୟାରେ ଆଦିବାସୀ, ଦଳିତ, ମୁସଲମାନ ଓ ପଛୁଆ ବର୍ଗ ଏସବୁ ସାମାଜିକ ଗଣମାଧ୍ୟମ ସହ ଯୋଡି ହୋଇଥିବା ସୂଚନା ଆସିଛି । ତେଣୁ, ଏସବୁ ସାମାଜିକ ଗଣମାଧ୍ୟମ ବିରୋଧର ଯେ କୌଣସି ସରକାର କାର୍ଯ୍ୟାନୁଷ୍ଠାନ ଅନୁଚିତ ହୋଇପାରେ ବୋଲି ସଂପୃକ୍ତ ସର୍ଭେ ରିପୋଟରେ କୁହାଯାଇଛି ।
ଏହା ହେଉଛି ଆନ୍ତର୍ଜାତିକ ସ୍ତରରେ କାର୍ଯ୍ୟ କରୁଥିବା ବୃହତ ସାମାଜିକ ଗଣମାଧ୍ୟମଙ୍କ କଥା । ବିଶ୍ୱବ୍ୟାପୀ ସେମାନଙ୍କ ପତିଆରା ରହିଛି । କୋଟି କୋଟି ଅନୁଗାମୀ ଅଛନ୍ତି । ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ସେମାନଙ୍କ ହାତରେ ରହିଛି । ତେବେ, ସେମାନେ ଯେତେବେଳେ ଉତ୍ତରଦାୟୀ ହେବାକୁ କୁଂଠିତ ଛୋଟମୋଟ ସାମାଜିକ ଗଣମାଧ୍ୟମ କେନ୍ଦ୍ର ସରକାରଙ୍କ ନୂଆ ଆଇଟି ଆଇନକୁ କେତେଦୂର କାର୍ଯ୍ୟକାରୀ କରିପାରିବେ ? ଭାରତ ସରକାର ନୂଆ ଆଇଟି ଆଇନ ମାଧ୍ୟମରେ ସାମାଜିକ ଗଣମାଧ୍ୟମଗୁଡିକୁ ଆଇନର ଗଣ୍ଡିରେ ବାନ୍ଧିବାକୁ ପ୍ରୟାସ କରିବା ଅନୁଚିତ ନୁହେଁ । ତେବେ, ଦେଶର ଗ୍ରାମାଂଚଳ ଓ ସହରାଂଚଳରୁ ଖବର ପରିବେଷଣ କରୁଥିବା ସାମାଜିକ ଗଣମାଧ୍ୟମଗୁଡିକର ଆର୍ଥିକ ସ୍ଥିତିକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ । ମୁଖ୍ୟସ୍ରୋତ ଗଣମାଧ୍ୟମଙ୍କ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ବିଜ୍ଞାପନ ବଜେଟ ମେଲି ଦେଇଛନ୍ତି । କିନ୍ତୁ, ସାମାଜିକ ଗଣମାଧ୍ୟମଗୁଡିକୁ ସେଥିରୁ କାଣିଚାଏ ମିଳୁ ନାହିଁ । ସାମାଜିକ ଗଣମାଧ୍ୟମଗୁଡିକ ଆର୍ଥିକ ସ୍ୱଚ୍ଛଳ ନ ହେଲେ ସରକାରଙ୍କ ନୂଆ ଆଇଟି ଆଇନରେ ଥିବା ପ୍ରାବଧାନକୁ କେମିତି କାର୍ଯ୍ୟକାରୀ କରି ପାରିବେ ? ଏକଥା ଚିନ୍ତା କରିବାର ସମୟ ଆସିଛି । ସରକାର ସେ ଦିଗରେ ପଦକ୍ଷେପ ନ ନେଇ କେବଳ ଆଇନକୁ ଲଦି ଦେବାକୁ ଉଦ୍ୟମ କଲେ ତାହାର ସୁଫଳ ମିଳିବା ଆଶା କ୍ଷୀଣ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS