ଜମ୍ମୁ-କଶ୍ମୀର: ଜୁନ ୨୪ ଆଲୋଚନା ଉପରେ ସମସ୍ତଙ୍କ ନଜର
ପ୍ରସାଦ ରାଓ
ଜୁନ ୨୧
୨୦୧୯ ଅଗଷ୍ଟ ୧୫ ତାରିଖ । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ରାଜ୍ୟକୁ ମିଳୁ ଥିବା ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗକୁ ରଦ୍ଦ କରି ଦେଲେ । ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଗଠନ କଲେ । ଜମ୍ମୁ-କଶ୍ମୀର ଓ ଲଦାଖକୁ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତି ଅଂଚଳର ମାନ୍ୟତା ମିଳିଲା । ଲଦାଖ ଜମ୍ମୁ-କଶ୍ମୀରରୁ ଅଲଗା ହୋଇ ଭିନ୍ନ ଏକ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବା ପରେ ଲଦାଖବାସୀଙ୍କ ସନ୍ତୋଷର ସୀମା ନଥିଲା । ତେବେ, କେନ୍ଦ୍ର ସରକାରଙ୍କ ଏହି ଆକସ୍ମିକ କାର୍ଯ୍ୟାନୁଷ୍ଠାନ ଦେଶରେ ତଥା ଦେଶ ବାହାରେ ବେଶ୍ ଆଲୋଡ଼ନ ସୃଷ୍ଟି କଲା । ବିରୋଧୀ ରାଜନୈତିକ ଦଳମାନେ ସରକାରଙ୍କ ପଦକ୍ଷେପକୁ ଦୃଢ ସମାଲୋଚନା କରି ଝଡ଼ ସୃଷ୍ଟି କଲେ । ଜମ୍ମୁ-କଶ୍ମୀରର ଆଂଚଳିକ ରାଜନୈତିକ ଦଳ ଓ ନେତାମାନେ ମଧ୍ୟ ବିରୋଧର ପାହାଡ ଠିଆ କରାଇଲେ । ପଡୋଶୀ ପାକିସ୍ତାନ ଏବଂ ଚୀନ ଏହାକୁ ଏକ ଆନ୍ତର୍ଜାତିକ ପ୍ରସଙ୍ଗ କରିବାକୁ ପଛାଇଲେ ନାହିଁ । ଚୀନ ତ ଲଦାଖ ସୀମାନ୍ତରେ ଭାରତରେ ଅନୁପ୍ରବେଶ ଉଦ୍ୟମ କରି ଦୀର୍ଘ ଦିନ ଧରି ଉତ୍ତେଜନା ଜାରି ରଖି ଥିଲା ।
ଏସବୁ ସତ୍ତ୍ୱେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ସରକାର ବିଚଳିତ ନହୋଇ ଜମ୍ମୁ-କଶ୍ମୀର ନିଷ୍ପତ୍ତିରେ ଅଟଳ ରହି ଥିଲେ ଏବଂ ଦୁଇ ରାଜ୍ୟରେ ଦୁଇ ଜଣ ଲ୍ୟୁଟିନାଂଟ ଗଭର୍ଣ୍ଣର (ଏଲଜି)ଙ୍କୁ ନିଯୁକ୍ତି ଦେଇ ଦିଲ୍ଲୀରୁ ଶାସନ ଡୋର ସମ୍ଭାଳି ଥିଲେ । ବିଭାଜନ ପରେ ଜମ୍ମୁ-କଶ୍ମୀରରେ ବାତାବରଣ ଅଶାନ୍ତ ହେବା ଏବଂ ପଡୋଶୀ ରାଜ୍ୟ ପ୍ରୟୋଜିତ ହିଂସା ବୃଦ୍ଧି ପାଇବା ଆଶଙ୍କା ରାଜ୍ୟରେ ବ୍ୟାପକ ସଂଖ୍ୟାରେ କେନ୍ଦ୍ରୀୟ ସୁରକ୍ଷା ବଳର ମୁତୟନ ହୋଇଥିଲା । ଦେଶୀ, ବିଦେଶୀ ସାମ୍ବାଦିକଙ୍କ ଜମ୍ମୁ-କଶ୍ମୀରରେ ପ୍ରବେଶ ଉପରେ କଡା କଟକଣା ଜାରି କରାଯିବା ସହ ରାଜ୍ୟର ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହେବୁବା ମୁଫତିଙ୍କ ସମେତ ବହୁ ରାଜନେତାଙ୍କୁ ଦୀର୍ଘ ଦିନ ଧରି ଅଟକ ବନ୍ଦୀ କରି ରଖା ଯାଇଥିଲା । ଆନ୍ତର୍ଜାତିକ ସମୁଦାୟ ଆଡୁ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ବିଚଳିତ ନହୋଇ ନିଜ ଆଜେଣ୍ଡାକୁ କାର୍ଯ୍ୟକାରୀ କରିବାରେ ଧ୍ୟାନ ଦେଲେ ।
ଜମ୍ମୁ-କଶ୍ମୀର ବିଭାଜିତ ହୋଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବାର ବର୍ଷେ ଆଠ ମାସ ବତିଲାଣି, ଦୁଇଟି ଯାକ କେନ୍ଦ୍ର ଶାସିତ ଅଂଚଳରେ ସ୍ଥିତି ସ୍ୱାଭାବିକ ହେବାକୁ ଯାଉଥିବା ଦେଖିବାକୁ ମିଳୁଛି । ଲଦାଖ ଜମ୍ମୁ-କଶ୍ମୀରରୁ ବିଚ୍ଛିନ୍ନ ହୋଇ ନୂତନ କେନ୍ଦ୍ର ଶାସିତ ଅଂଚଳ ହେବା ପରେ ସେଠାକାର ବାସିନ୍ଦା ଖୁସି ଥିଲେ । ଏବେ, ରାଜ୍ୟରେ ଚାଲିଥିବା ବିକାଶକୁ ଦେଖି ଜମ୍ମୁ-କଶ୍ମୀର ଜନତା ମଧ୍ୟ ସନ୍ତୁଷ୍ଟ ଥିବା କେନ୍ଦ୍ର ସରକାର ଦାବି କରୁଛନ୍ତି । ଜମ୍ମୁ-କଶ୍ମୀର ଜନତା ଖୁସି ନ ଥିଲେ ୨୦୨୦ରେ ଅନୁଷ୍ଠିତ ଡ଼ିଡ଼ିସି ନିର୍ବାଚନ ନିରପେକ୍ଷ ଓ ଶାନ୍ତପୂର୍ଣ୍ଣ ହୋଇଥା’ନ୍ତା କେମିତି (?) ବୋଲି ସରକାରଙ୍କ ଆଡୁ ପ୍ରଶ୍ନ ହେଉଛି । ୨୦୨୦ରେ ୨୭୮ ଆସନ ବିଶିଷ୍ଟ ଡ଼ିଡ଼ିସି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧିନ ମେଂଟ ‘ପିପୁଲ୍ସ ଆଲାଏନ୍ସ ଫର ଗୁପକାର ଡ଼ିକ୍ଲାରେସନ୍’ (ପିଏଜିଡ଼ି) ମଧ୍ୟ ଭାଗ ନେଇଥିଲା । ମେଂଟ ୧୧୦ଟି ଆସନରେ ବିଜୟୀ ହୋଇଥିବା ସମୟରେ ବିଜେପି ଏକାକୀ ୭୫ ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା ।
ଏହି ନିର୍ବାଚନରେ ୫୦ଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୨୬, ଅପନି ପାର୍ଟିକୁ ୧୨, ମେହେବୁବା ମୁଫତିଙ୍କ ପିଡ଼ିପି ଓ ନ୍ୟାସନାଲ ପାନ୍ଥେର ପାର୍ଟିକୁ ଦୁଇଟି ଲେଖାଏଁ ଆସନ ଏବଂ ବିଏସପିକୁ ଗୋଟିଏ ଆସନ ମିଳିଥିଲା । ଦୁଇଟି ଆସନରେ ନାଗରିକତା ବିଷୟକୁ ନେଇ ଭୋଟ ଗଣତି ବନ୍ଦ ଥିଲା । ଡ଼ିଡ଼ିସି ନିର୍ବାଚନରେ ସଫଳତା କେନ୍ଦ୍ର ସରକାରଙ୍କୁ ଆଉ ପାଦେ ଆଗକୁ ଯିବାକୁ ସୁଯୋଗ ଦେଇଛି । ଜମ୍ମୁ-କଶ୍ମୀରକୁ ପୁଣି ଥରେ ରାଜ୍ୟର ମାନ୍ୟତା ଦେବା ସହ ବିଧାନସଭା ନିର୍ବାଚନ କରାଇବାକୁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳୁଛି । ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖ ଦିନ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଛନ୍ତି । ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଭାଗ ନେବାକୁ ଜମ୍ମୁ-କଶ୍ମୀରର ଚାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ରାଜନେତାଙ୍କୁ ନିମନ୍ତ୍ରଣ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଜମ୍ମୁ-କଶ୍ମୀରର ୧୪ ରାଜନେତାଙ୍କ ମଧ୍ୟରୁ କିଏ ଯୋଗ ଦେବେ, କିଏ ନାହିଁ – ତାହା ସୋମବାର ସୁଦ୍ଧା ଅସ୍ପଷ୍ଟ ଥିଲେ ମଧ୍ୟ ଜାତୀୟ କନ୍ଫରେନ୍ସ (ଏନସି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏଥିରେ ଯୋଗ ଦେବାର ସୂଚନା ମିଳୁଛି । ତେବେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହେବୁବା ମୁଫତି ମନ ସ୍ଥିର କରି ନାହାନ୍ତି । ତାଙ୍କୁ ମନାଇବା ସକାଶେ ଜମ୍ମୁ-କଶ୍ମୀର ପ୍ରଶାସନ ରବିବାର ଦିନ ମେହେବୁବା ମୁଫତିଙ୍କ ମାମୁଁ ସରତାଜ ମାଦାନୀ ଓ ଘନିଷ୍ଟ ସହଯୋଗୀ ନଇମ ଅଖତରଙ୍କୁ ମୁକ୍ତ କରିଥିଲେ ସୁଦ୍ଧା ମେହେବୁବା ଝୁଲାଇ ରଖିଛନ୍ତି । ରାଜ୍ୟରୁ ୨୦୧୯ ଅଗଷ୍ଟ ୧୫ ତାରିଖ ଦିନ ୩୭୦ ଧାରା ଉଚ୍ଛେଦ ହେବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ବିଭାଜନ କରାଯିବା ପରେ ତାହାର ଦୃଢ ବିରୋଧ କରିଥିବା ଫାରୁକ ଅବଦୁଲ୍ଲାଙ୍କ ଓ ମେହେବୁବା ମୁଫତିଙ୍କ ଦଳ ସମେତ ରାଜ୍ୟର ଛଅଟି ରାଜନୈତିକ ଏକାଠି ହୋଇ ଏକ ରାଜନୈତିକ ମେଂଟ (ପିଏଜିଡ଼ି) ଗଠନ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଫାରୁକଙ୍କ ବାସଭବନରେ ମେଂଟର ବୈଠକ ଥିବାରୁ ୨୪ ତାରିଖ ବୈଠକ ସଂପର୍କରେ ସେଠାରେ ନିଷ୍ପତ୍ତି ହେବା ସ୍ପଷ୍ଟ ହେଉଛି ।
ଇତିମଧ୍ୟରେ, ଜମ୍ମୁ-କଶ୍ମୀର ଏଲଜି ମନୋଜ ସିହ୍ନା ଏକ ଜାତୀୟ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ଗତ ବର୍ଷେ ଆଠ ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ଆଷଳାଚନ କରିଛନ୍ତି । ସେ କହିଛନ୍ତି, ଏଲଜି ଭାବେ ଦାୟିତ୍ୱ ନେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଦୁଇଟି ଗୁରୁ ଦାୟିତ୍ୱ ଦେଇଥିଲେ । ପ୍ରଥମଟି ହେଲା, ରାଜ୍ୟର ସାଧାରଣ ଜନତା ଏବଂ ବିଭିନ୍ନ ରାଜନୈତିକ ସଂଗଠନ ସହ ଲଗାତର ବାର୍ତ୍ତା ଜାରି ରଖିବା । ଦ୍ୱିତୀୟଟି ହେଲା, ରାଜ୍ୟରେ ଯଥାଶୀଘ୍ର ରାଜନୈତିକ ପ୍ରକ୍ରିୟାର ପୁନଃ ପ୍ରତିଷ୍ଠା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବା । ଏହି ଦୁଇଟି କାର୍ଯ୍ୟ ସଫଳତାର ସହ ଚାଲିଛି । ରାଜ୍ୟରେ ୨୦୨୦ରେ ଡ଼ିଡ଼ିସି (ଜିଲ୍ଲା ଉନ୍ନୟନ କମିଟି) ନିର୍ବାଚନ ନିରପେକ୍ଷ ଭାବେ ସମାପିତ ହୋଇଛି । ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି । ଡ଼ିଡ଼ିସି ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ଜାରି ହୋଇ ସାରି ଥିଲା । ପ୍ରଥମ ଥର ପାଇଁ ରାଜ୍ୟରେ ତ୍ରୀ-ସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଆଗରୁ କାହିଁକି ତାହା ହୋଇପାରୁ ନଥିଲା, ରାଜ୍ୟବାସୀ ବିଚାର କରିବେ । ‘ଆମେ କେବଳ ସ୍ୱୟଂ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ କରି ନାହୁଁ, ତାହାକୁ ସୁଦୃଢ କରିବା ଦିଗରେ ମଧ୍ୟ ସମସ୍ତ ପଦକ୍ଷେପ ନେଇଛୁ’ ବୋଲି ସିହ୍ନା କହିଛନ୍ତି ।
ସେ କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ଭିତ୍ତିଭୂମିର ବିକାଶ ନିମନ୍ତେ ବିସ୍ତୃତ ଆଲୋଚନା ହୋଇ ବିଜେଟ ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟାରେ ଡ଼ିଡ଼ିସି ସଭ୍ୟଙ୍କୁ ସାମିଲ କରାଯାଇଛି ଏବଂ ଏବାବଦ ବଜେଟକୁ ଦୁଇ ଗୁଣ କରାଯାଇ ୫,୧୬୨ କୋଟିରୁ ୧୨,୬୦୦ କୋଟି କୁ ବୃଦ୍ଧି କରାଯାଇଛି । ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇ ସାରି ଥିବା ଏବଂ ସେଥିରେ ଜନସାଧାରଣଙ୍କ ଭାଗିଦାରୀ ଓ ବିଶ୍ୱାସରେ ବୃଦ୍ଧି ପାଇଥିବା ଏଇଥିରୁ ସ୍ପଷ୍ଟ ବାରି ହେବ । କେନ୍ଦ୍ର ସରକାର ରାଜ୍ୟରୁ ୩୭୦ ଧାରା ଉଚ୍ଛେଦ କରି ଜମ୍ମୁ-କଶ୍ମୀରରେ ବିଭାଜନ କରିବା ପରେ ରାଜ୍ୟର ଅଧିକାଂଶ ରାଜନେତାଙ୍କୁ ଅଟକ ବନ୍ଦୀ ରଖିଥିଲେ । ଏହା ଜନସାଧାରଣରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରି ନାହିଁ କି (?) ବୋଲି ପ୍ରଶ୍ନ ହେବାରୁ ସିହ୍ନା କହିଛନ୍ତି, କେନ୍ଦ୍ର ସରକାର ଗତ ୧୦ରୁ ୧୧ ମାସ ମଧ୍ୟରେ ରାଜ୍ୟବାସୀଙ୍କ ହୀତ ପାଇଁ ଯାହା ସବୁ ପଦକ୍ଷେପ ନେଇଛନ୍ତି ସେସବୁ ଏକପାଖିଆ ବା ପାତରଅନ୍ତର କଲା ଭଳି ନଥିଲା । ତେଣୁ, ଅବିଶ୍ୱାସର ପ୍ରଶ୍ନ ଉଠୁ ନାହିଁ ।
୨୦୨୨ ମାର୍ଚ୍ଚରେ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ସରିବା ଲକ୍ଷ୍ୟ ଥିବାରୁ ତାହା ସରିବା ପରେ ବିଧାନସଭା ନିର୍ବାଚନ ହେବ କି (?) ବୋଲି ପ୍ରଶ୍ନର ଉତ୍ତରରେ ସିହ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ତାହା ଘୋଷଣା କରିଛନ୍ତି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ମଧ୍ୟ ସଂସଦରେ ତାହାର ବିସ୍ତୃତ ବିବରଣୀ ରଖିଛନ୍ତି । ସରକାରଙ୍କ ଉପରେ ଦେଶବାସୀ, ବିଶେଷକରି ଜମ୍ମୁ-କଶ୍ମୀର ଜନତାଙ୍କ ଆସ୍ଥା ରହିଛି । ଆଉ ବିଧାନସଭା ନିର୍ବାଚନ କଥା – ନିର୍ବାଚନ କମିସନ ସମୟ ଧାର୍ଯ୍ୟ କରିବା ଉପରେ ତାହା ନିର୍ଭର କରୁଛି । ଜମ୍ମୁ-କଶ୍ମୀରକୁ ପୁନଃ ରାଜ୍ୟର ମାନ୍ୟତା ଦିଆଯିବା ଉପରେ ସିହ୍ନାଙ୍କ ଉତ୍ ତର ହେଉଛି – ଏସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ପାର୍ଲାମେଂଟରେ ଦେଇଥିବା ବିସ୍ତାରିତ ବିବରଣୀ କେନ୍ଦ୍ର ସରକାରଙ୍କ ଡ଼ୋମିନରେ ରହିଛି । ତାହା ଉପରେ ଅଧିକ କିଛି କହିବା ଉଚିତ ହେବ ନାହିଁ ।
ରାଜ୍ୟର ସୁରକ୍ଷା ସ୍ଥିତି ଉପରେ ମଧ୍ୟ ସିହ୍ନା ଉତ୍ତର ରଖିଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷର ରାଜ୍ୟର ସୁରକ୍ଷା ସ୍ଥିତି ଅଧିକ ଭଲ ଥିବା ଓ ପ୍ରତି ସପ୍ତାହରେ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇ କୌଶଳରେ ପରିବର୍ତ୍ତନ କରାଯାଉଥିବା ଜମ୍ମୁ-କଶ୍ମୀର ଏଲଜି କହିଛନ୍ତି । ରାଜ୍ୟରେ ବେକାର ଯୁବକ, ଯୁବତୀଙ୍କ ନିଯୁକ୍ତି ଏବଂ ସ୍କୁଲ ପାଠ୍ୟକ୍ରମକୁ ଅପ୍ଡେଟ କରାଯାଇ ସେଥିରେ ବୈଜ୍ଞାନିକ ପଦ୍ଧତ ଶିକ୍ଷା ସାମିଲ କରାଯାଇଥିବା, ଯୁବବର୍ଗଙ୍କ ନିମନ୍ତେ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ‘ମିଶନ ୟୁଥ୍’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିବା ସୂଚନା ଦେଇ ସିହ୍ନା କହିଛନ୍ତି, ରାଜ୍ୟର ଘରୋଇ ଉଦ୍ୟୋଗମାନେ ବେକାର ଯୁବକ, ଯୁବତୀଙ୍କୁ ତାଲିମ ଦେଇ ସେମାନଙ୍କ ସଂସ୍ଥାର ନଯୁକ୍ତି ଦେବା ଦିଗରେ ଉଦ୍ୟମ ହେଉଛି । ଫଳରେ, ସେ ଦାୟିତ୍ୱ ନେବା ସମୟରେ ରାଜ୍ୟରେ ବେକାର ସଂଖ୍ୟା ୧୯ ପ୍ରତିଶତ ଥିବା ବେଳେ ତାହା ୯ ପ୍ରତିଶତକୁ କମିଥିଲା । ଅବଶ୍ୟ, ପରେ ତାହା ୧୧ ପ୍ରତିଶତକୁ ବଢିଛି । କିନ୍ତୁ, ଦିଲ୍ଲୀ, ବିହାର, ଗୋଆ ବା ରାଜସ୍ଥାନ ତୁଳନାରେ ରାଜ୍ୟର ସ୍ଥିତି ଭଲ ରହିଛି ବୋଲି ସିହ୍ନା କହିଛନ୍ତି ।
ଅପରପକ୍ଷରେ, ଜମ୍ମୁ-କଶ୍ମୀରକୁ ନେଇ କଂଗ୍ରେସ ତାହାର ସରକାର-ବିରୋଧୀ ଅଭିମୁଖ୍ୟ ଜାରି ରଖିଛି । ନିକଟରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କଂଗ୍ରେସ ଦଳ କ୍ଷମତାକୁ ଫେରିଲେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ୩୭୦ ଧାରାର ପୁନଃ ଲାଗୁ କରିବ ବୋଲି ମନ୍ତବ୍ୟ ରଖି ବିରୁଡ଼ି ବସାରେ ହାତ ମାରି ଥିଲେ । ଦିଗବିଜୟଙ୍କ ମତ କଂଗ୍ରେସ ଦଳର ମତ ନୁହେଁ ତ (?) ବୋଲି ବିଜେପି ପ୍ରଶ୍ନ କରିବା ସହ ଦଳକୁ ସ୍ପଷ୍ଟୀକରଣ ମାଗି ଥିଲା । ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏକାଭଳି ଆଭିମୁଖ୍ୟ ଦୋହରାଇଛନ୍ତି । ଜମ୍ମୁ-କଶ୍ମୀରକୁ ପୁନଃ ରାଜ୍ୟ ମାନ୍ୟତା ଦେବା ଦିଗରେ ସରକାର ରାଜ୍ୟରେ ଲାଗୁ କରିଥିବା ସମସ୍ତ ‘ଆପତ୍ତିଜନକ’ ଆଇନକୁ ଆଗାମୀ ମୌସୁମୀ ଅଧିବେଶନରେ ପ୍ରତ୍ୟାହାର କରି ନେବାକୁ ଏବଂ ରାଜ୍ୟରେ ପୂର୍ବ ସ୍ଥିତି ପୁନଃ ବାହାଲ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଜମ୍ମୁ-କଶ୍ମୀରକୁ ପୁନଃ ରାଜ୍ୟ ମାନ୍ୟତା ଦେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖ ଦିନ ଦିଲ୍ଲୀରେ ଡାକିଥିବା ଉଚ୍ଚସ୍ତରୀୟ ବୈଠକ ପରିପ୍ରେକ୍ଷୀରେ ଚିଦାମ୍ବରଙ୍କ ଏହି ବିବୃତି କଂଗ୍ରେସ ଦଳର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିଛି । କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ମଧ୍ୟ ଏକ ବିବୃତି ଦେଇ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତାରୁ ବଂଚିତ କରାଯିବା ଏବଂ ରାଜ୍ୟବାସୀଙ୍କୁ ନିଜ ଇଚ୍ଛା ମୁତାବକ ଲୋକପ୍ରତିନିଧି ବାଛିବାକୁ ଦିଆନଯିବା ଗଣତନ୍ତ୍ର ଓ ସମ୍ବିଧାନିକ ବ୍ୟବସ୍ଥା ପ୍ରତି ଶକ୍ତ କୁଠାରାଘାତ ବୋଲି କହିଛନ୍ତି । କଂଗ୍ରେସ ଦଳର ଏଭଳି ବୟାନ ଏବଂ ୨୪ ତାରିଖ ବୈଠକକୁ ନେଇ ଜମ୍ମୁ-କଶ୍ମୀରର ବିଭିନ୍ନ ଦଳର ନେତାଙ୍କ ଆଭିମୁଖ୍ୟ ପୁନର୍ବାର କଶ୍ମୀର ପ୍ରସଙ୍ଗକୁ ଉଜ୍ଜୀବିତ କରିଛି । ବର୍ଷକରୁ ଅଧିକ ସମୟ ହେଲା ଦେଶବାସୀ କୋଭିଡ଼ ମହାମାରୀର ଏକାଧିକ ଲହରର ସମ୍ମୁଖୀନ ହୋଇ ବିଭିନ୍ନ ଜାତୀୟ ପ୍ରସଙ୍ଗଠାରୁ ଦୂରେଇ ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୪ରେ ଉଚ୍ଚସ୍ତରୀୟ ବୈଠକ ଡାକି ସେସବୁ ପ୍ରସଙ୍ଗକୁ ତାଜା କରିଛନ୍ତି । ତେଣୁ, ଜମ୍ମୁ-କଶ୍ମୀରକୁ ନେଇ ହେବାକୁ ଥିବା ଆଲୋଚନାରୁ କି ନିଷ୍କର୍ଷ ବାହାରିବ, ତାହା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS