ଖବର ଭିତରେ ଖବର… ମହିଳା ବିଚାରପତିଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇ ଓକିଲ ହରଡଘଣାରେ !


ପ୍ରସାଦ ରାଓ
ଜୁନ୍ ୧୯
ଘଟଣାଟି ଘଟିଛି ମଧ୍ୟ ପ୍ରଦେଶରେ । ବିଜୟ ସିଂହ ଯାଦବ ନାମକ ଜଣେ ଓକିଲ ରତଲାମ ଜିଲ୍ଲା କୋର୍ଟର ଜଣେ ମହିଳା ବିଚାରପତିଙ୍କୁ ଜାନୁୟାରୀ ମାସରେ ଜନ୍ମଦିନ ଶୁଭେଚ୍ଛା ଜଣାଇ ଗତ ଫେବୃୟାରୀ ମାସ ୯ ତାରିଖ ଦିନ ଗିରଫ ହୋଇଥିଲେ । ଚାରି ମାସରୁ ଅଧିକ ସମୟ ପରେ ସେ ଜେଲରୁ ମୁକୁଳିଛନ୍ତି । ମଧ୍ୟ ପ୍ରଦେଶ ହାଇକୋର୍ଟ ବିଚାରପତି ସୁବୋଧ ଅଭୟଂକର ନିକଟରେ ଓକିଲ ବିଜୟ ସିଂହ ଯାଦବଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ସମପରିମାଣର ସି୍ୟୁରିଟ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ଯାଦବ ନିୟମିତ ଭାବେ ବିଚାରଣା ଚାଲି ଥିବା ଅଦାଲତରେ ହାଜର ହେବେ ବୋଲି ହାଇକୋର୍ଟଙ୍କ ନିର୍ଦେଶ ରହିଛି । ପୁଲିସ ରୁଜୁ କରିଥିବା ମାମଲା ଅନୁଯାୟୀ, ଗତ ଜାନୁୟାରୀ ୨୯ ତାରିଖ ଦିନ ଓକିଲ ବିଜୟ ସିଂହ ଯାଦବ ରତଲାମ ଜିଲ୍ଲା କୋର୍ଟର ସଂପୃକ୍ତ ମହିଳା ବିଚାରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ପଠାଇ ଥିଲେ । ଏଥିସକାଶେ ସେ ମହିଳା ବିଚାରପତିଙ୍କ ବ୍ୟକ୍ତିଗତ ‘ଫେସ୍ ବୁକ୍’ ଆକାଉଂଟକୁ ଯାଇ ତାଙ୍କ ଫଟୋ ଡ଼ାଉନଲୋଡ କରିଥିବା ଏବଂ ତାହାକୁ ଜନ୍ମଦିନ ଶୁଭେଚ୍ଛା ବର୍ତ୍ତା ସହ ସଂଲଗ୍ନ କରିଥିବା ଅଭିଯୋଗ ହୋଇଛି । ପୁଲିସ ଯାଦବଙ୍କୁ ଜାଲିଆତି, ଅସାଧୁ ଉପାୟରେ ଜଣକ ବ୍ୟକ୍ତିଗତ ସଂପତ୍ତି ଚୋରୀ କରିବା ଏବଂ ତାହାକୁ ପ୍ରେରଣ କରିବା, ଜାଲିଆତି ମାଧ୍ୟମରେ ଜଣକ ବ୍ୟକ୍ତିଗତ ସୁନାମରେ ଆଂଚ ଆଣିବା ପ୍ରଭୃତି ଅଭିଯୋଗରେ ଗିରଫ କରିଥିଲେ । ଯାଦବ ଜେଲରେ ଥାଇ ଏପ୍ରିଲ ୨୭ ତାରିଖ ଦିନ ଟ୍ରାଏଲ୍ କୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା । ତାଙ୍କ ଦ୍ୱିତୀୟ ଜାମିନ ଆବେଦନର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଣାଣୀ ଚାଲିଥିବା ବେଳେ ମଧ୍ୟ ପ୍ରଦେଶ ହାଇକୋର୍ଟ ବିଚାରପତି ଅଭୟଂକରଙ୍କ ଏହି ଜାମିନ ପ୍ରଦାନ କରିଛନ୍ତି । ଯେହେତୁ ଓକିଲ ଯାଦବଙ୍କ ବିରୋଧରେ ଚାଲି ଥିବା ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରି ସାରିଛନ୍ତି ଏବଂ ଅଭିଯୁକ୍ତ ସଂପୃକ୍ତ ମହିଳା ବିଚାରପତିଙ୍କୁ ନିଃସର୍ତ୍ତ କ୍ଷମତା ପ୍ରାର୍ଥନା କରିସାରିଛନ୍ତି କୋଭିଡ଼ର ନୂଆ ଲହରରେ ବିଚାର ପ୍ରକ୍ରିୟା ଦୀର୍ଘ ଦିନ ଧରି ଚାଲିବାକୁ ଥିବାରୁ ଓ ଅଭିଯୁକ୍ତ ଫେବୃୟାରୀ ୯ ତାରିଖରୁ ଜେଲରେ ଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଗଲା ବୋଲି ବିଚାରପତି ଅଭୟଂକର ମନ୍ତବ୍ୟ ରଖିଛନ୍ତି । ବିଚାରପତି ଅଭୟଂକର ମାମଲାର ମେରିଟ୍ ଭିତରକୁ ନ ଯାଇ ଜାମିନ ମଂଜର କରିଥିବା ବେଳେ ଯାଦବ ଜାମିନରେ ବାହାରିବା ପରେ ସଂପୃକ୍ତ ମହିଳା ବିଚାରପତିଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଯୋଗାଯୋଗ ଉଦ୍ୟମ କରିବେ ନାହିଁ ବା କୌଣସି ପ୍ରକାର ହଇରାଣ ହରକତ କରିବେ ନାହିଁ ବୋଲି ଯେଉଁ ସର୍ତ୍ତ ରଖିଛନ୍ତି । ଏଥିରେ ଖିଲାପ ହେଲେ ଜାମିନ ଆଦେଶ ବାତିଲ ହୋଇ ଯିବ ଏବଂ ପୁଲିସ ତାଙ୍କୁ ଗିରଫ କରିପାରିବେ ମଧ୍ୟ ବିଚାରପତି ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଯାଦବଙ୍କ ବିରୋଧରେ ଆଇଟି (ସୁଚନା ଓ ପ୍ରଯୁକ୍ତି) ଆଇନ,୨୦୦୦ରେ ମଧ୍ୟ ଲାଗୁ ହୋଇଛି ।
କୃଷି ମନ୍ତ୍ରୀ ପୁରୁଣା କଥା ଦୋହରାଇଲେ, ଚାଷୀ ଆନ୍ଦୋଳନ ଥମିବା ଆଶା କ୍ଷୀଣ
କୋଭିଡ଼ର ଦ୍ୱିତୀୟ ଲହର ଏବଂ ଦେଶବ୍ୟାପୀ ଚାଲି ଥିବା ଟିକାକରଣର କୋଳାହଳ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନି କୃଷି ଆଇନର ପ୍ରତ୍ୟାହାର ଦାବିକୁ ନେଇ ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ ଫିକା ପଡିଛି ସିନା ମଉଳି ନାହିଁ । ଆନ୍ଦୋଳନ ଚଳାଇ ଥିବା ଚାଷୀ ସଂଗଠନମାନେ ବିଭିନ୍ନ ବାଟରେ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି ।
ଚାଷୀଙ୍କ ସହ ଆଲୋଚନା ‘ମାତ୍ର ଗୋଟିଏ ଫୋନ୍ କଲ୍ ଦୂରରେ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ କହୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ବା ତାଙ୍କ ମନ୍ତ୍ରୀ ପରିଷଦର କୌଣସି ସଦସ୍ୟ ଚାଷୀଙ୍କ ସହ ଯୋଗାଯୋଗରେ ନାହାନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନି ନୂଆ କୃଷି ଆଇନ ସଂସଦର ଉଭୟ ଗୃହରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇ ସାରିଛି । ତେବେ, ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଫଳରେ ସେସବୁ ଆଇନ କାର୍ଯ୍ୟକାରୀ ହୋଇ ନାହିଁ । ଅପରପକ୍ଷରେ, ଜାରି ଥିବା ଚାଷୀ ଆନ୍ଦୋଳନ ଆଇନର କାର୍ଯ୍ୟକାରିତାରେ ବଡ଼ ବାଧକ ସାଜିଛି । ସରକାର ଆଲୋଚନା ପାଇଁ ଡାକିଲେ ସେମାନେ ଯିବାକୁ ପ୍ରସ୍ତୁତ ବୋଲି ଚାଷୀ ନେତାମାନେ ବାରମ୍ବାର କହୁଥିଲେ ମଧ୍ୟ ସରକାର ଜାନୁୟାରୀ ୨୨ ପରଠାରୁ ସେମାନଙ୍କୁ ଡାକୁ ନାହାନ୍ତି । କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଚାଷୀ ସଂଗଠନ କରୁଥିବା ଦାବିରୁ ସଂପୂର୍ଣ୍ଣ ଓହରିଲେ ଯାଇ ଆଲୋଚନା କଥା ଉଠିବ ବୋଲି ସରକାର କହୁଛନ୍ତି । କେନ୍ଦ୍ର୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ନିକଟରେ କରିଥିବା ଟ୍ୱିଟର୍ ରେ ପୋଷ୍ଟ୍ (ଭିଡ଼ିଓ ବାର୍ତ୍ତା)ରେ ଏକା କଥା ଦୋହରାଇଛନ୍ତି । ତିନି କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରୁ ଚାଷୀ ସଂଗଠନ ଓହରିଲେ ଏବଂ ସେସବୁ ଆଇନରେ ଥିବା ପ୍ରାବଧାନ ଉପରେ ହିଁ ଆଲୋଚନା ପାଇଁ ରାଜି ହେଲେ ସୋନେ ରାତି ଅଧରେ ଚାହିଁଲେ ବି ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ତୋମର କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ସରକାରଙ୍କ ଦ୍ୱାରା ପ୍ରଣୀତ ତିନି କୃଷି ଆଇନ ବିରୋଧରେ ପଂଜାବ, ହରିୟାନା ଓ ପଶ୍ଚିମ ଉତ୍ତର ପ୍ରଦେଶର ଚାଷୀମାନେ ଦିଲ୍ଲୀର ସିଂଘୁ ସୀମାନ୍ତ ସମେତ ଅନ୍ୟାନ୍ୟ ସୀମାନ୍ତରେ ଦୀର୍ଘ ଛଅ ମାସରେ ଆନ୍ଦୋଲନ ଜାରି ରଖିଛନ୍ତି । ଏମଏସପି (ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଲାଭଜନକ ମୂଲ୍ୟ)କୁ ଆଇନର ମାନ୍ୟତା ମିଳିଲେ ସେମାନେ ଆନ୍ଦୋଳନରୁ ଓହରିବେ ବୋଲି ମଧ୍ୟ ଚାଷୀ ସଂଗଠନଗୁଡିକ ସରକାରଙ୍କୁ ଇସାରା ଦେଇଛନ୍ତି । ସରକାର ଓ ଚାଷୀ ସଂଗଠନ ମଧ୍ୟରେଗତ ଜାନୁୟାର ୨୨ ତାରିଖ ମଧ୍ୟରେ ୧୧ ରାଉଣ୍ଡ୍ ଆଲୋଚନା ହୋଇଥିଲା ତେବେ, ଆଲୋଚନା ସବୁ ବିଫଳ ହୋଇଛି । ଆନ୍ଦୋଳନ ଶାନ୍ତପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଜାନୁୟାର ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କିଛି ଦୁର୍ବୁତ୍ତ ଅଚାନକ ହିଂସାକୁ ଉତୁରି ଯିବାରୁ ସେହି ଆଳରେ ସରକାର ଚାଷୀ ସଂଗଠନଙ୍କ ସହ ଆଲୋଚନା ବନ୍ଦ କରି ଦେଲେ । ଜାନୁୟାରୀ ୨୬ ହିଂସା ପଛରେ କେଉଁମାନେ ସଂପୃକ୍ତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନଥିଲେ ମଧ୍ୟ ଦିଲ୍ଲୀ ପୁଲିସ ବହୁ ସଂଖ୍ୟାରେ ଚାଷୀ ନେତାଙ୍କୁ ଗିରଫ କରିଛି ଏବଂ ଚାଷୀ ଆନ୍ଦୋଳନକୁ ଦବାଇବାକୁ ଉଦ୍ୟମ କରିଛି ବୋଲି ଅଭିଯୋଗ ହୋଇଛି । ଏହି ଆନ୍ଦୋଳନ ସମୟରେ ବହୁ ଚାଷୀଙ୍କ ମୃତ୍ୟୁ ମଧ୍ୟ ଘଟିଛି । କିନ୍ତୁ, କେନ୍ଦ୍ର ସରକାର ଏଥିରେ ପ୍ରଭାବିତ ନୁହନ୍ତି । ତିନି କୃଷି ଆଇନର ପ୍ରତ୍ୟାହାର ପାଇଁ ସରକାର ରାଜି ନଥିବା ବେଳେ ଏମଏସପିକୁ ଆଇନଗତ ମାନ୍ୟତା ଦେଉ ନାହାନ୍ତି । ଆନ୍ଦୋଳନରେ ସାମିଳ ଥିବା ୪୧ଟି ଚାଷୀ ସଂଗଠନ ସହ ବସି ସରକାର ସମାଧାନ ପନ୍ଥା ବାହାର କରିବାରେ ବିଫଳ ହେବାରୁ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରି ତିନି ଆଇନର କାର୍ଯ୍ୟକାରିତା ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି । ଚାଷୀ ସମସ୍ୟାର ସମାଧାନ ପନ୍ଥା ବାହାର କରିବାକୁ ସୁପ୍ରିମ କୋର୍ଟ ପକ୍ଷରୁ ମଧ୍ୟ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ବିଶେଷଜ୍ଞ କମିଟିର ରିପୋର୍ଟ କେବେ ଆସିବ, ସେଥିରେ କିଭଳି ପ୍ରସ୍ତାବମାନ ରହିବ ଏବଂ ଆନ୍ଦୋଳନରତ ଚାଷୀ ସଂଗଠନମାନେ ତାହାକୁ କେତେଦୂର ଗ୍ରହଣ କରିବେ – ତାହା ଅସ୍ପଷ୍ଟ । ଏହି ପରିସ୍ଥିତିରେ କେନ୍ଦ୍ର କୃଷି ମନ୍ତ୍ରୀ ତୋମରଙ୍କ ଭିଡ଼ିଓ ସ୍ଥିତାବସ୍ଥାରେ କିଛି ପରିବର୍ତ୍ତନ ଆଣିବା ଆଶା ଦିଶୁ ନାହିଁ ।
ସତର୍କତାରେ ଢିଲା ହେଲେ ଆସନ୍ତା ୬ରୁ ୮ ସପ୍ତାହରେ ତୃତୀୟ ଲହର
ଦେଶବ୍ୟାପୀ କୋଭିଡ଼ ମହାମାରୀର ଦ୍ୱିତୀୟ ଲହର ଭୟଂକର ରୂପ ଦେଖାଇବା ପରେ ଏବେ ନିମ୍ନମୁଖୀ ହୋଇଛି । ବିଭିନ୍ନ ରାଜ୍ୟରେ କଟକଣା ମଧ୍ୟ କୋହଳ ହେଲାଣି । ଅକ୍ଟୋବର ବେଳକୁ କୋଭିଡ଼-୧୯ର ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଥିବା ବେଳେ ସତର୍କତାରେ ଢିଲା ହେଲେ ଆସନ୍ତାରୁ ୬ରୁ ୮ ସପ୍ତାହ ମଧ୍ୟରେ ଦେଶ ମହାମାରୀର ତୃତୀୟ ଲହର ସାମ୍ନା କରିବ ବୋଲି ଏଆଇଆଇଏମସ୍ (ଏମ୍ସ୍) ମୁଖ୍ୟ ରଣଦୀପ ଗୁଲେରିଆ ଚେତାବନୀ ଦେଇଛନ୍ତି । ଗୁଲେରିଆ କହିଛନ୍ତି, ଦେଶର ଜନସଂଖ୍ୟାର ଏକ ବଡ ଭାଗ କୋଭିଡ଼ ଟିକା ଦ୍ୱାରା ସୁରକ୍ଷିତ ନହେବା ପର୍ଯ୍ୟନ୍ତ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ଼ ନିର୍ଦେଶାବଳୀକୁ ସମସ୍ତେ କଡାକଡି ଭାବେ ପାଳନ କରିବାକୁ ପଡିବ । ଦେଶରେ ଟିକା ନେବା ଯୋଗ୍ୟ ୯୫୦ ନିୟୁତ ଜନସଂଖ୍ୟାରୁ ମାତ୍ର ୫ ପ୍ରତିଶତ ଏପର୍ଯ୍ୟପ୍ତ କୋଭିଡ଼ ଟିକାର ଦୁଇ ଡୋଜ୍ ପାଇଛନ୍ତି ।
ବହୁ ସଂଖ୍ୟାରେ ଜନସାଧାରଣ ଟିକା ନେବାକୁ ବାକି ଥିବାରୁ କୋଭିଡ଼ ନିରଦେଶାବଳୀ ପ୍ରତି ଖାମଖିଆଲ ମନୋଭାବପ୍ରଦର୍ଶନ କରାଗଲେ ବହୁଳ ଭାବରେ ସଂକ୍ରମଣ ଏବଂ ମୃତ୍ୟୁ ଘଟିବ । ତେଣୁ, କୋଭିଡ଼ ପରିସ୍ଥିତି ପ୍ରତି ସତର୍କ ନଜର ରଖାଯିବା ସହ ଆବଶ୍ୟକ ସ୍ଥଳେ ରୋଗୀ ସଂଖ୍ୟା ବଢୁଥିବା ଅଂଚଳରେ ‘ଅଂଚଳ-ଭିତ୍ତିକ’ ତାଲାବନ୍ଦ ଲାଗୁ ହେବା ଜରୁରୀ । ଦେଶବ୍ୟାପୀ ‘ତାଲାବନ୍ଦ’ ହେଲେ ଅର୍ଥନୀତି ଉପରେ ଗରୀର ପ୍ରଭାବ ପଡୁ ଥିବା ଦର୍ଶାଇ ବୋଲି ଗୁଲେରିଆ କହିଛନ୍ତି, ତୃତୀୟ ଲହରରେ ୫ ପ୍ରତିଶତରୁ ଅଧିକ ପଜେଟିଭିଟି ରେଟ୍ ରହୁଥିବା ଅଂଚଳରେ ନିର୍ଦ୍ଧିଷ୍ଟ ଭାବେ ଅଂଚଳ ଭିତ୍ତିକ ତାଲାବନ୍ଦ ଓ କଂଟେନମେଂଟ ପଦକ୍ଷେପ ନିଆଯିବା ଉଚିତ । କୋଭିଡ଼ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାକୁ ସତ୍ୟ ତ୍ପ୍ରମାଣିତ କଲା ଭଳି ପ୍ରମାଣ ଏପର୍ଯ୍ୟନ୍ତ ମିଳି ନାହିଁ ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଅସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ କୋଭିଡ଼ର ତୃତୀୟ ଲହର ଦେଖିବାକୁ ମିଳିବ ବୋଲି ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ୱାସ କରୁଥିବା ରଏଟର୍ ଦ୍ୱାରା ହୋଇଥିବା ଏକ ସ୍ନାପ୍ ସର୍ଭେରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ, କୋଭିଡ଼ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ଅଧିକ ନିୟନ୍ତ୍ରଣାଧୀନ ରହିବ । ତଥାପି, ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ତାହା ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ଦେଶରେ କୋଭିଡ଼ର ଦ୍ୱିତୀୟ ନିମ୍ନମୁଖୀ ହୋଇ ଦୈନିକ ସଂକ୍ରମଣ ସଂଖ୍ୟା ୬୦ ହଜାରକୁ ଖସିଥିବା ବେଳେ ତୃତୀୟ ଲହରକୁ ନେଇ ଏଭଳି ଆଶଙ୍କା ସୃଷ୍ଟି ହେଲାଣି । ଶନିବାର ଦେଶରେ ୬୦,୭୫୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୬୪୭ ଜଣଙ୍କ ମୃତ୍ୟୁ ଘଟିଛି । ସକ୍ରୀୟ ରୋଗୀ ସଂଖ୍ୟା ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୨.୫୫ ପ୍ରତିଶତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ମନ୍ତ୍ରଣାଳୟରୁ ସୂଚନା ମିଳିଛି ।
ଏ.କେ.ଶର୍ମା ହେଲେ ୟୁପି ବିଜେପି ଉପସଭାପତି
ଆସନ୍ତା ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତମ ଭାବେ ପରିଚିତ ପୂର୍ବତନ ପ୍ରଶାସକ ଏ.କେ.ଶର୍ମାଙ୍କୁ ବିଜେପିର ରାଜ୍ୟ ଉପ ସଭାପତି ଭାବେ ନିଯୁକ୍ତ କରାଯାଇଛି । ଶର୍ମା ଏବେ ୟୁପି ବିଧାନ ପରିଷଦ ସଦସ୍ୟ ଅଛନ୍ତି । ରାଜ୍ୟ ମନ୍ତ୍ରୀ ପରିଷଦରେ ତାଙ୍କୁ ସ୍ଥାନ ମିଳିବ ବୋଲି କଳ୍ପନା ଜଳ୍ପନା ଚାଲିଥିଲା । ଶର୍ମା ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକସଭା ନିର୍ବାଚନ କ୍ଷେତ୍ର ବାରଣସୀରେ କୋଭିଡ଼ ପରିଚାଳନା ତଦାରଖ ଦାୟିତ୍ୱରେ ଥିଲେ । ଶର୍ମାଙ୍କ ଘର ୟୁପିର ମାଉ ଜିଲ୍ଲାରେ ବୋଲି ଜଣାପଡିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS