ଦିଲ୍ଲୀ ଦଂଗା ମାମଲା: ଅଭିଯୁକ୍ତଙ୍କୁ ଜାମିନ ମିଳିଛି ସତ, ମୁଣ୍ଡରେ ଖଣ୍ଡା ଝୁଲି ରହିଛି !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ୍ ୧୮
କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଗତ ବର୍ଷ ମେ’ ମାସରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ବଳରେ ଗିରଫ ହୋଇଥିବା ଜେଏନୟୁର ଦୁଇ ଛାତ୍ରୀ ନତାଶା ନରୱାଲ ଓ ଦେବାଂଗନା କାଲିଟା ଏବଂ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ଅସିଫ ଇକବଲ ତନ୍ହା ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇ ୪୮ ଘଂଟା ପରେ ତିହାର ଜେଲରୁ ମୁକୁଳି ଥିଲେ ମଧ୍ୟ ସେମାନଙ୍କ ମୁଣ୍ଡରେ ଆଇନର ଖଣ୍ଡା ଝୁଲି ରହି ଥିବା ଦେଖିବାକୁ ମିଳୁଛି । ଏହି ତିନି ଛାତ୍ରଛାତ୍ରଙ୍କୁ ପୁଲିସ ୟୁପିଏପି ଆଇନରେ ଗିରଫ କରି ବର୍ଷାଧିକ ସମୟ ଜେଲରେ ଅଟକ ରଖିବା ପଛରେ ଯଥେଷ୍ଟ କାରଣ ନଥିବା ଏବଂ ‘ପ୍ରତିବାଦ କରିବାର ଅଧିକାର’କୁ ‘ଆତଙ୍କବାଦୀ କାର୍ଯ୍ୟକଳାପ’ ଭାବେ ଚିତ୍ରଣ କରାଯିବା ଉଚିତ ନଥିବା ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ଦୁଇ ଦିନ ତଳେ ସେମାନଙ୍କ ଜାମିନ ମଂଜୁର କରିଛନ୍ତି ।
ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ ଦିଲ୍ଲୀ ପୁଲିସ ସେମାନଙ୍କୁ ଜେଲରୁ ମୁକ୍ତ ନକରି ଦିଲ୍ଲୀ ହାଇକୋର୍ଟରେ ସେମାନଙ୍କୁ ମିଳିଥିବା ଜାମିନ ଏବଂ ଜାମିନ ଆବେଦନର ବିଚାରଣା ସମୟରେ ହାଇକୋର୍ଟ ବିଚାରପତି ଦେଇଥିବା ଟିପ୍ପଣୀକୁ ରଦ୍ଦ କରିବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ଆଜି ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ଦିଲ୍ଲୀ ପୁଲିସର ଆବେଦନ ଉପରେ ଶୁଣାଣୀ କରି ତିନି ଛାତ୍ରଛାତ୍ରୀଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନ ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ତେବେ, ଏହି ଜାମିନ ଆଦେଶ ଏବଂ ଜାମିନ ମଂଜୁରୀ ବେଳେ ଦିଲ୍ଲୀ ହାଇକୋର୍ଟରେ ୟୁଏପିଏ ଆଇନକୁ ନେଇ ହୋଇଥିବା ତର୍ଜମାର ସୁଦୂର ପ୍ରସାରୀ (ସର୍ବଭାରତୀୟସ୍ତରରେ) ପ୍ରଭାବ ରହିଛି ବୋଲି ଦିଲ୍ଲୀ ପୁଲିସର ଯୁକ୍ତିକୁ ଗ୍ରହଣ କରି ତାହାର ସମୀକ୍ଷା କରିବାକୁ ରାଜି ହୋଇଛନ୍ତି ।
ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ଭି. ରାମାସୁବ୍ରମଣ୍ୟନଙ୍କୁ ଗଠିତ ଏହି ଖଣ୍ଡପୀଠ କହିଛନ୍ତି, ସଂପୃକ୍ତ ପକ୍ଷଙ୍କୁ ନୋଟିସ କରାଯାଇ ଆସନ୍ତା ମାସରେ ମାମଲାର ଶୁଣାଣୀ ହେବ । ତେବେ, ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ପ୍ରଦାନ କରିଥିବା ଆଦେଶ ସେହି ଧରଣର ଅନ୍ୟ କୌଣସି ମାମଲାର ବିଚାରଣା ସମୟରେ ଉଦାହରଣ ବା ଆଧାର ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଦିଲ୍ଲୀ ଦଂଗା ମାମଲାରେ ଛାତ୍ରୀ ନତାଶା ନରୱାଲ, ଦେବାଂଗନା କାଲିଟା ଓ ଛାତ୍ର ଅସିଫ ଇକବଲ ତନ୍ହାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ମଂଜୁର କରବାର ଦୁଇ ଦିନ ପରେ ଅର୍ଥାତ ଗତକାଲି ରାତିରେ ତିହାର ଜେଲରୁ ମୁକ୍ତି ମିଳିଛି ।
ଗତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଦେଶବ୍ୟାପୀ ବିରୋଧ କରା ଯାଇଥିଲା । ଏହି ଆଇନ ପ୍ରତ୍ୟାହାର ଦାବିରେ ଦେଶସାରା ବିରୋଧ ପ୍ରଦର୍ଶନ ଓ ଧାରଣା କାର୍ଯ୍ୟକ୍ରମ ହୋଇ ଥିଲା । ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଗତ ବର୍ଷ ଫେବୃୟାରୀରେ ଉତ୍ତର-ପୂର୍ବାଂଚଳ ଦିଲ୍ଲୀରେ ସିଏଏ ବିରୋଧୀ ଓ ସମର୍ଥକ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟି ୫୦ରୁ ଅଧିକ ମୃତ୍ୟୁ ଘଟି ଥିବା ଏବଂ ଶତାଧିକ ଆହତ ହୋଇଥିବା ପୁଲିସ ଅଭିଯୋଗ କରିଛି । ନତାଶା, ଦେବାଂଗନା ଓ ଅସିଫ ଇକବାଲ ଏକ ‘ହ୍ୱାଟସ୍ ଆପ୍’ ଗୃପ୍ ମାଧ୍ୟମରେ ସିଏଏ ବିରୋଧୀ ଆନ୍ଦୋଳନକୁ ଉସୁକାଇ ଥିଲେ ଏବଂ ଯେଉଁ ଦଙ୍ଗା ହେଲା ତାହାର ସେମାନେ ‘ମାଷ୍ଟର୍ ମାଇଣ୍ଡ୍’ ଥିଲେ ବୋଲି ଦିଲ୍ଲୀ ପୁଲିସ ଅଭିଯୋଗ କରିବା ସହ ଜେଏନୟୁ ଛାତ୍ରୀ ନତାଶା (୩୨), ଦେବାଂଗନା (୩୧) ଏବଂ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ର ଆସିଫ ଇକବଲ ତନ୍ହା (୨୫)ଙ୍କୁ ଗତ ବର୍ଷ ମେ’ ମାସରେ ୟୁଏପିଏ ଆଇନରେ ଗିରଫ କରିଥିଲା । ବର୍ଷାଧିକ ସମୟ ହେଲା ସେମାନେ ଦିଲ୍ଲୀର ତିହାର ଜେଲରେ ଅଟକ ଥିଲେ ।
ନତାଶା ଓ ଦେବାଂଗନା ଜେଏନୟୁ (ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ)ରେ ‘ଡିପାର୍ଟମେଂଟ୍ ଅଫ୍ ଓମେନ୍ସ ଷ୍ଟଡିଜ୍’ରେ ଡକ୍ଟରେଟ୍ କରୁଥିବା ସମୟରେ ଆସିଫ ଇକବଲ ତନ୍ହା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ବିଏ ପଢୁଛନ୍ତି । ଦେଶର ଅଖଣ୍ଡତା ଓ ସାର୍ବଭୌମତା ପ୍ରତି ବିପଦ ସୃଷ୍ଟି କରୁଥିବା ଅସାମାଜିକ ଲୋକଙ୍କ ବିରୋଧରେ ଲାଗୁ ପାଇଁ ପ୍ରଣୀତ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ) ନତାଶା, ଦେବାଂଗନା ଓ ଆସିଫଙ୍କ ବିରୋଧରେ ଲାଗୁ କରାଯାଇ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ବିଭିନ୍ନ ସମୟରେ ସେମାନେ ଜାମିନ ପାଇଁ ଆବେଦନ କିଥିଲେ ମଧ୍ୟ ନିମ୍ନ ଅଦାଲତରୁ ସେମାନଙ୍କୁ ଜାମିନ ମିଳୁ ନଥିଲା । ଶେଷରେ, ଦିଲ୍ଲୀ ହାଇକୋର୍ଟ ନିକଟରେ ସେମାନଙ୍କ ଜାମିନ ମଂଜୁର କରିଛନ୍ତି । ତେବେ, ଜାମିନ ଦେବା ସମୟରେ ହାଇକୋର୍ଟ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଦିଲ୍ଲୀ ପୁଲିସ ପାଇଁ ଗାତ୍ରଦାହ ହୋଇଛି ।
ଦିଲ୍ଲୀ ହାଇକୋର୍ଟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ସମୟରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ମାମଲାର ଏକ ‘ମିନି-ଟ୍ରାଏଲ୍’ ଜଣାପଡୁଛି । କୋର୍ଟ ଅଭିଯୁକ୍ତମାନଙ୍କ ବିରାଧରେ ୟୁଏପିଏ ଧାରା ଲାଗିବା ଅଯୌକ୍ତିକ ଦର୍ଶାଇଛନ୍ତି, ଯାହାକି ଆଇନକୁ ପାଣିଚିଆ କରି ଦେଇଛି । ଅନ୍ୟମାନେ ଏଥିରୁ ଫାଇଦା ନେବାର ଆଶଙ୍କା ଥିବାରୁ ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରନ୍ତୁ ବୋଲି ଦିଲ୍ଲୀ ପୁଲିସ ଆଜି ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ଦିଲ୍ଲୀ ପୁଲିସ କହିଛନ୍ତି ଯେ, ଦିଲ୍ଲୀ ଦଂଗା ମାମଲାରେ ପୁଲିସ ପକ୍ଷରୁ ହାଇକୋର୍ଟରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଥିଲା ଅଦାଲତ ତାହାକୁ ଅଣଦେଖା କରି ତିନି ଅଭିଯୁକ୍ତଙ୍କ ଜାମିନ ମଂଜୁର କରିଛନ୍ତି । ଫଳରେ, ୟୁଏପିଏ ଆଇନରେ ଅଭିଯୁକ୍ତ ଥାଇ ଅଦାଲତରେ ବିଚାରଣାର ସମ୍ନା କରୁଥିବା ଅନ୍ୟ ଅଭିଯୁକ୍ତମାନେ ଏହାର ଫାଇଦା ନେବା ଆଶଙ୍କା ରହିଛି । ତେଣୁ, ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆଦଶ ଉପରେ ସୁପ୍ରିମ କୋର୍ଟ ସ୍ଥଗିତାଦେଶ ଜାରି କରନ୍ତୁ ବୋଲି ପୁଲିସ ପକ୍ଷରୁ ଆବେଦନ ହୋଇଛି ।
ସୁପ୍ରିମ କୋର୍ଟ ଖଣ୍ଡପୀଠ ଆଜିର ଶୁଣୀଣୀ ସମୟରେ ଦିଲ୍ଲୀ ପୁଲିସର ଯୁକ୍ତି ସହ ସହମତ ହୋଇଥିଲେ ମଧ୍ୟ ତିନି ଅଭିଯୁକ୍ତଙ୍କ ଜାମିନକୁ ସାମୟିକ ଭାବେ କାଏମ ରଖିଛନ୍ତି । ତେବେ, ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ବିଚାରଣା ସମୟରେ ହାଇକୋର୍ଟ ୟୁଏପିଏ ଆଇନକୁ ଯେଭଳି ଭାବେ ତର୍ଜମା କରିଛନ୍ତି ତାହାର କିଛି ଆବଶ୍ୟକତା ଥିଲା କି ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ହାଇକୋର୍ଟ ବିଚାରପତିଙ୍କ ଏଭଳି ତର୍ଜମାର ସୁଦୂରପ୍ରସାରୀ ପ୍ରଭାବ ରହି ଥିବା ଯୁକ୍ତିକୁ ଗ୍ରହଣ କରି ଏହାର ସମୀକ୍ଷା କରାଯିବା ଜରୁରୀ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ସୁଚାଇ ଦେବା ସହ ‘ଆମେ ଅପର ପକ୍ଷକୁ ନୋଟିସ କରିବୁ ଏବଂ ସେମାନଙ୍କ ପକ୍ଷ ମଧ୍ୟ ଶୁଣିବୁ’ ବୋଲି କହିଛନ୍ତି ।
ଆଜି ଦିଲ୍ଲୀ ପୁଲିସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଖଣ୍ଡପୀଠ ସାମ୍ନାରେ ନିଜ ନିଜ ଯୁକ୍ତି ଉପସ୍ଥାପନ ରଖି ଥିଲେ । ତେବେ, ଆସନ୍ତା ମାସରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶର ତର୍ଜମା କରିବାକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ଯେଉଁ ନିର୍ଣ୍ଣୟ ନେଇଛନ୍ତି ସେଥିରେ ଉଭୟେ ଏକମତ ହୋଇଥିବା ସୂଚନା ମିଳିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS