ସମଗ୍ର ଦେଶ ପାଇଁ ଏକକ ପିୟୁସି ସାର୍ଟିଫିକେଟ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ୍ ୧୭
କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଏକକ ପିୟୁସି ସାଟିଫିକେଟ୍ କାର୍ଯ୍ୟକାରୀ କରିବାକୁ ଗତ ୧୪ ତାରିଖ ଦିନ ବିଜ୍ଞପ୍ତି ଜାରି କରିଛନ୍ତି । ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ସେଂଟ୍ରାଲ ମୋଟର ଭେଇକିଲ୍ ରୁଲ୍ସ୍, ୧୯୮୯ ଅଧିନରେ ଯାନବାହନ ମାଲିକମାନଙ୍କୁ ଯେଉଁ ପିୟୁସି ବା ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ୍ ସାର୍ଟିଫିକେଟ୍ ଇସ୍ୟୁ କରାଯାଉଛି ତାହାର ଫର୍ମାଟ୍ ସମଗ୍ର ଦେଶ ପାଇଁ ଗୋଟିଏ ରହିବ ଏବଂ ସେଥିରେ ପ୍ରଦତ୍ତ ତଥ୍ୟ ଜାତୀୟ ରିଜିଷ୍ଟାର ସହ ସଂଲଗ୍ନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୮୯ ସେଂଟ୍ରାଲ ମୋଟର ଭେଇକିଲ୍ ଆକ୍ଟରେ ଆବଶ୍ୟକ ସଂଶୋଧନ କରାଯାଇ ପିୟୁସି ଫର୍ମରେ ଏକ କ୍ୟୁଆର କୋଡ ଛପା ଯିବ । ସେଥିରେ ବ୍ୟବହାରରେ ଥିବା ଗାଡ଼ି, ତାହାର ମାଲିକ, ମାଲିକାନା ଷ୍ଟାଟସ୍, ଗାଡ଼ି ମାଲିକଙ୍କ ମୋବାଇଲ୍ ନମ୍ବର, ସଂପୂର୍ଣ୍ଣ ଠିକଣା, ଗାଡ଼ିର ଇଂଜିନ ନମ୍ବର ଏବଂ ଚେସିସ୍ ନମ୍ବର ଉଲ୍ଲେଖ ରହିବ । ପିୟୁସି ଫର୍ମରେ ଗାଡ଼ି ମାଲିକଙ୍କ ମୋବାଇଲ୍ ନମ୍ବର ରହିବା ବାଧ୍ୟତାମୂଳକ ଏଇଥି ପାଇଁ ହୋଇଛି ଯେ, ସେହି ମୋବାଲ ନମ୍ବରରେ ଗାଡ଼ି ମାଲିକଙ୍କୁ ପିୟୁସିର ବୈଧ ସମୟ ଏବଂ ଫି’ ସଂପର୍କରେ ଏସଏମଏସ ଅଲର୍ଟରେ ସୂଚିତ କରାଯାଇ ପାରିବ । ପଲ୍ୟୁସନ୍ ଚେକିଂ ବେଳେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ପ୍ରଦୂଷଣ ଥିବା ଜଣାପଡିଲେ ଗାଡ଼ି ମାଲିକଙ୍କୁ ରିଜେକ୍ସନ୍ ସ୍ଲିପ୍ ଦେବା ବ୍ୟବସ୍ଥା ମଧ୍ୟ ହେଉଛି । ଗାଡ଼ିକୁ ସର୍ଭିସିଂ ପାଇଁ କୌଣସି ସର୍ଭିସ ସେଂଟରକୁ ନେଲେ ମାଲିକ ସେଠାରେ ଏହି ପିୟୁସି ସାର୍ଟିଫିକେଟ୍ ଦେଖାଇ ପାରିବେ । ପଲ୍ୟୁସନ୍ ଚେକ୍ ପାଇଁ କୌଣସି ପିୟୁସିସି ସେଂଟରକୁ ଯାଇଥିବା ସମୟରେ ସେଠାକାର ପ୍ରଦୂଷଣ ପରିମାପକ ଯନ୍ତ୍ର ଠିକ୍ ଭାବରେ କାମ କରୁ ନଥିବା ଜାଣିଲେ ଅନ୍ୟ କୌଣସି ସେଂଟରକୁ ଯାଇ ସେଠାରେ ଏହି କାଗଜ ଦେଖାଇ ଯାଂଚ କରାଇ ପାରିବେ । କୌଣସି ସ୍ଥାନରେ ଯାଂଚ ସମୟରେ ଯଦି ସଂପୃକ୍ତ ଅଧିକାରୀ ଗାଡ଼ିରୁ ଅଧିକ ପରିମାଣର ପ୍ରଦୂଷଣ ନିର୍ଗତ ହେଉଥିବା ଜାଣିବେ ବା ବିଶ୍ୱାସ କରିବେ ତେବେ ସଂପୃକ୍ତ ଗାଡ଼ିର ଡ଼୍ରାଇଭର ବା ଗାଡ଼ି ଦାୟିତ୍ୱରେ ଥିବା ଯେ କୌଣସି ବ୍ୟକ୍ତିବିଶେଷଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ପ୍ରଦୂଷଣ ଯାଂଚକାରୀ କେନ୍ଦ୍ରରେ ଟେଷ୍ଟିଂ କରାଇବାକୁ ଇଲୋକ୍ଟ୍ରୋନିକ୍ ମୋଡରେ ସୂଚାଇ ଦେଇ ପାରିବେ । ଗାଡ଼ିର ମାଲିକ ବା ଡ଼୍ରାଇଭର ଏହି ନିର୍ଦେଶକୁ କାର୍ଯ୍ୟକାରୀ ନକଲେ ଜରିମାନା ଦେବାକୁ ବାଧ୍ୟ ହେବେ । ତାହା ପରେ ମଧ୍ୟ ଗାଡ଼ି ମାଲିକ ଆଇନସଂଗତ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଉପସ୍ଥାପନ କରିବାରେ ବିଫଳ ହେଲେ ସଂପୃକ୍ତ ଗାଡ଼ି ରେଜିଷ୍ଟ୍ରେସନ୍ ଅଧିକାରୀ ଗାଡ଼ିର ରେଜିଷ୍ଟ୍ରେସନ୍ ଏବଂ ଯଦି କିଛି ରୁଟ୍ ପରମିଟ୍ ଦିଆଯାଇଥାଏ ତାହାକୁ ଉପଯୁକ୍ତ ସାର୍ଟିଫିକେଟ୍ ଉପସ୍ଥାପନ କରିବା ପର୍ଯ୍ୟନ୍ତ ନିଲମ୍ବିତ କରି ପାରିବେ ବୋଲି କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS