ରାମଦେବଙ୍କ ବିରୋଧରେ ଛତିଶଗଡ଼ରେ ମାମଲା


ରାୟପୁର
ଜୁନ୍ ୧୭
‘ଏଲୋପାଥି’ ଚିକିତ୍ସା ପଦ୍ଧତିକୁ ନେଇ ଅପପ୍ରଚାର ଚଳାଇ ଥିବା ଅଭିଯୋଗରେ ଯୋଗ ଗୁରୁ ରାମଦେବ ଓରଫ ରାମକୃଷ୍ଣ ଯାଦବଙ୍କ ବିରୋଧରେ ଛତିଶଗଡ଼ରେ ମାମଲା ରୁଜୁ ହୋଇଛି । ବାବା ରାମଦେବ କେବଳ ଏଲୋପାଥି ଚିକିତ୍ସା ପଦ୍ଧତିକୁ ନୁହେଁ, କୋଭିଡ଼-୧୯ ରେଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ ହେଉଥିବା ଏଲୋପାଥି ଔଷଧକୁ ନେଇ ମିଥ୍ୟା ପ୍ରଚାର ଚଳାଇଛନ୍ତି ବୋଲି ଇଂଡ଼ିଆନ ମେଡ଼ିକାଲ ଆସୋସିଏସନ (ଆଇଏମଏ) ଛତିଶଗଡ଼ ଶାଖା ପକ୍ଷରୁ ରାୟପୁରରେ ପୁଲିସରେ ଏତଲା ଦେଇଛି । ରାୟପୁର ପୁଲିସ ମଧ୍ୟ ମାମଲାର ତଦନ୍ତ କରି ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଆଇପିସିର ୧୮୮, ୨୬୯ ଓ ୫୦୪ ଦଫା ସମେତ ଅନ୍ୟାନ୍ୟ ଦଫାରେ ଏବଂ ମହାମାରୀ ପରିଚାଳନା ଆଇନ,୨୦୦୫ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛନ୍ତି ବୋଲି ରାୟପୁର ଏସଏସପି ଅଜୟ ଯାଦବ ସୂଚନା ଦେଇଛନ୍ତି । ପୁଲିସ ତଦନ୍ତ ଜାରି ଥିବା ସେ କହିଛନ୍ତି । ଆଇଏମଏ ହସ୍ପିଟାଲ ବୋର୍ଡ (ଛତିଶଗଡ଼ ଶାଖାର) ଅଧ୍ୟକ୍ଷ ରାକେଶ ଗୁପ୍ତା, ରାୟପୁର ଶାଖା ସଭାପତି ବିକାଶ ଅଗ୍ରୱାଲଙ୍କ ସମେତ ଅନ୍ୟ କେତେକ ଡ଼ାକ୍ତର ରାମଦେବଙ୍କ ବିରୋଧରେ ଏହି ଏତଲା ଦେଇଥିଲେ । ଯୋଗ ଗୁରୁ ରାମଦେବ ଗଲା ଏକ ବର୍ଷରୁ ଉଦ୍ଧ୍ୱର୍ ସମୟ ହେଲା କୋଭିଡ଼ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ ହେଉଥିବା ଔଷଧ ଏବଂ କେନ୍ଦ୍ର ସରକାର, ଆଇସିଏମଆର (ଇଣ୍ଡିଆନ କାଉନସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ) ଏବଂ ବିଭିନ୍ନ ଆଗୁଆ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱୀକୃତ ଚିକିତ୍ସା ପଦ୍ଧତି ବିରୋଧରେ ଅପପ୍ରଚାର ଚଳାଇଛନ୍ତି । ସମାଜିକ ଗଣମାଧ୍ୟମ ଜରିଆରେ ସେ ବିଭିନ୍ନ ଧମକପୂର୍ଣ୍ଣ ବିବୃତି ମଧ୍ୟ ଦେଉଛନ୍ତି । ଦେଶର ଡ଼ାକ୍ତର, ପାରା ମେଡ଼ିକାଲ କର୍ମଚାରୀ, ସରକାର ଏବଂ ପ୍ରଶାସକମାନେ କୋଭିଡ଼ ମହାମାରୀ ବିରୋଧରେ ମିଳିତ ସଂଗ୍ରାମ ଚଳାଇ ଥିବା ବେଳେ ବାବା ରାମଦେବ ମହାମାରୀର ଚିକିତ୍ସା ପାଇଁ ସ୍ୱୀକୃତ ପଦ୍ଧତି ବିରୋଧରେ ମିଥ୍ୟା ପ୍ରଚାର ଜାରି ରଖି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଆଇଏମଏ ପକ୍ଷରୁ ପୁଲିସରେ ଅଭିଯୋଗ ହୋଇଛି । ରାମଦେବଙ୍କ ଦ୍ୱାରା ପ୍ରସାରିତ ଭିଡ଼ିଓଗୁଡ଼ିକ ଛତିଶଗଡ଼ ସରକାରଙ୍କ ଗତ ବର୍ଷ ମାର୍ଚ୍ଚ ମାସରେ ଜାରି କୋଭିଡ଼ ନିର୍ଦେଶାବଳୀର ବିରୋଧାଚରଣ କରୁଛି ବୋଲି ମାମଲାର ତଦନ୍ତ ସମୟରେ ଜଣାପଡି ଥିବା ଛତିଶଗଡ଼ର ଜନୈକ ସରକାରୀ ଅଧିକାରୀ କହିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଆଗୁଆ ଅନୁମତି ନଥାଇ କୌଣସି ବ୍ୟକ୍ତି, ଅନୁଷ୍ଠାନ ବା ସଂଗଠନ କୋଭିଡ଼-୧୯ ସଂପର୍କିତ ସୂଚନା ଛାପା ବା ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ କରି ପାରିବେ ନାହିଁ ବୋଲି ଛତିଶଗଡ଼ ସରକାର ୨୦୨୦ ମାର୍ଚ୍ଚ ୧୩ ତାରିଖରେ ନିର୍ଦେଶାବଳୀ ଜାରି କରିଥିଲେ, ଯାହାକି କୋଭିଡ଼ ରୋଗୀଙ୍କ ଚିକିତ୍ସାକୁ ନେଇ ଅପପ୍ରଚାର ବା ଗୁଜବ ପ୍ରଚାର ରୋକିବାକୁ ଉଦ୍ଦିଷ୍ଟ ଥିଲା ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS