ରାସ୍ତା କଡ଼ରେ ଆମ୍ବ ବିକୁଥିବା ଝିଅଟି…
ପ୍ରସାଦ ରାଓ
ଜୁନ ୨୬
ଖବରଟି ହେଉଛି ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁରର । ତୁଳସୀ କୁମାରୀ ନାମ୍ନୀ ୧୧ ବର୍ଷର ବାଳିକାଟିଏ ଜାମସେଦପୁରରେ ରାସ୍ତା କଡରେ ବସି ଆମ୍ବ ବିକ୍ରି କରେ । ସେଥିରୁ ଯାହା ଆୟ ହୁଏ ତାଙ୍କ ପରିବାରର ଅର୍ଥ କଷ୍ଟ କିଂଚିତ ମାତ୍ରାରେ ଦୂର ହୋଇଥାଏ । ତୁଳସୀଙ୍କ ବାପା ଶ୍ରୀମଲ କୁମାର ଗତ ବର୍ଷ ଏକ ଦୁର୍ଘଟଣାରେ ପଡି ଅକର୍ମଣ୍ୟ ହେବା ପରେ ତାଙ୍କ ନିକଟରେ କୌଣସି କାମ ନାହିଁ । ବଡ଼ ଭଉଣୀ ସହରରେ ଅନ୍ୟ ଘରେ କାମ କରି ପରିବାର ଚଳାଇଥାଏ । ତୁଳସୀ ସ୍ଥାନୀୟ ଏକ ସରକାରୀ ସ୍କୁଲରେ ପଂଚମ ଶ୍ରେଣୀ ଛାତ୍ରୀ । କୋଭିଡ଼ ପରିସ୍ଥିତିର ମୁକାବିଲା ପାଇଁ ସରକାର ‘ତାଲାବନ୍ଦ’ ଲାଗୁ କରିବା ଦିନରୁ ଶିକ୍ଷାନୁଷ୍ଠାନଗୁଡିକରେ ଚାବି ପଡି ଯାଇଛି । ଯାହା କିଛି ଚାଲିଛି ଅନ୍ ଲଇନରେ । ସେଥିପାଇଁ ସ୍ମାର୍ଟ ଫୋନ୍ ଓ ଇଂଟରନେଟ୍ ସୁବିଧାର ଆବଶ୍ୟକତା ରହିଛି । ତୁଳସୀ ପାଠ ପଢା ଜାରି ରଖିବାକୁ ଆମ୍ବ ବିକ୍ରି ଟଙ୍କାରୁ କିଛି ସଂଚୟ କରି ସ୍ମାର୍ଟ ଫୋନଟିଏ କିଣିବାକୁ ସଂଘର୍ଷ ଚଳାଇ ଥିଲା । ଝିଅଟିର ପାଠ ପଢିବା ପ୍ରତି ଏଭଳି ଝୁଙ୍କ୍ ଥିବା ଖବର ପାଇଁ ଅଭିଭୂତ ହୋଇଥିଲେ ମୁମ୍ବାଇରେ ‘ଭାଲ୍ୟୁଏବଲ୍ ଏଡ଼ୁଟେଇନମେଂଟ୍ ପ୍ରାଇଭେଟ ଲିମିଟେଡ଼’ ନାମକ ଏକ ସଂସ୍ଥା ଚଳାଇ ଥିବା ଅମିୟ ହେଟେ । ସେ ସଂପୃକ୍ତ ସଂସ୍ଥାର ପରିଚାଳନା ନିର୍ଦେଶକ ଅଛନ୍ତି ଏବଂ ତାଙ୍କ ସଂସ୍ଥା ଭର୍ଚୁଆଲ କ୍ଲାସ ମାଧ୍ୟମରେ ପିଲାଙ୍କୁ ପାଠ ପଢା ସୁବିଧା ଯୋଗାଉଛି । ଅନ୍ ଲାଇନରେ ପାଠ ପଢିବା ପାଇଁ ତୁଳସୀର ସଂଘର୍ଷ କଥା ଜାଣିବା ପରେ ହେଟେ ତୁଳସୀର ବାପା ଶ୍ରୀମଲ କୁମାରଙ୍କ ଆକାଉଂଟକୁ ୧ ଲକ୍ଷ ୨୦ ହଜାର ଟଙ୍କା ପଠାଇଛନ୍ତି ଏବଂ ସେହି ଟଙ୍କାରେ ଡ଼ଜନେ ଆମ୍ବ କିଣି ଥିବା ତୁଳସୀଙ୍କୁ ଜଣାଇଛନ୍ତି । ମୁମ୍ବାଇର ଜଣେ ‘ଅଙ୍କଲ୍’ ଗୋଟା ପିଛା ୧୦ ହଜାର ଟଙ୍କା ଦେଇ ତା’ଠାରୁ ଆମ୍ବ କିଣି ଥିବା ଜାଣିବା ପରେ ତୁଳସୀ ପ୍ରଥମେ ବିଶ୍ୱାସ କରିପାରି ନଥିଲା । ତୁଳସୀ କହିଛି, କରୋନା ମହାମାରୀ ଆରମ୍ଭ ଦିନଠାରୁ ‘ତାଲାବନ୍ଦ’ ଘୋଷଣା ଯୋଗୁଁ ସ୍କୁଲ ସବୁ ବନ୍ଦ ହୋଇଯାଇଛି । ଯାହା କିଛି ପାଠ ପଢା ହେଉଛି ଅନ୍ ଲାଇନରେ । ତା’ ପାଖରେ ସ୍ମାର୍ଟ ଫୋନ୍ ନ ଥିବାରୁ ସେ ଏହି ସୁବିଧାରୁ ବଂଚିତ ହେଉଥିଲେ । ତେଣୁ, ଆମ୍ବ ବିକ୍ରିରୁ କିଛି ରୋଜଗାର କରି ପରିବାରକୁ ସାହାଯ୍ୟ କରିବା ସହ ସ୍ମାର୍ଟ ଫୋନଟିଏ କିଣିବାକୁ ସଂଘର୍ଷ କରୁଥିଲା । ଏବେ ସେ ସ୍ମାର୍ଟ ଫୋନଟିଏ କିଣିଛି ଏବଂ ପୁଣି ଥରେ ଅନ୍ ଲାଇନରେ ପାଠ ପଢିବା ଆରମ୍ଭ କରିବ । ମୁମ୍ବାଇରୁ ‘ଭାଲ୍ୟୁଏବଲ୍ ଏଡ଼ୁଟେଇନମେଂଟ୍ ପ୍ରାଇଭେଟ ଲିମିଟେଡ଼’ର ଏମଡ଼ି ଅମିୟ ହେଟେ କହିଛନ୍ତି, ଝିଅଟି ପାଠ ପଢିବାକୁ ଆଗ୍ରହୀ ଥିଲେ ମଧ୍ୟ ଆର୍ଥିକ ସଂକଟ ପାଇଁ ନିଜ ଭାଗ୍ୟକୁ ଦୋଷ ନଦେଇ ବା କାହାରି ପାଖରେ ହାତ ନ ପତାଉ ନିଜ ଉଦ୍ୟମରେ ଅର୍ଥ ଉପାର୍ଜନ କରୁଥିଲା ଏବଂ ସେଥିରେ ପରିବାରର ସହାୟକ ହେବା ସହ ସ୍ମାର୍ଟ ଫୋନଟିଏ କିଣି ପାଠ ପଢିବାକୁ ମନ ବଳାଇ ଥିଲା । ଝିଅଟି ସଂପର୍କରେ ଖବର ପାଇ ଓ ତା’ର ଦୃଢ ମନୋବଳ ଦେଖି ସେ ଅଭିଭୂତ ହେଲେ ଏବଂ ୧ ଲକ୍ଷ ୨୦ ହଜାର ଟଙ୍କା ବଦଳରେ ଡ଼ଜନେ ଆମ୍ବ କିଣି ଥିବା ଝିଅଟିକୁ ଜଣାଇ ସେହି ଟଙ୍କା ତା’ ବାପାଙ୍କ ଆକାଉଂଟକୁ ପଠାଇ ଦେଇଥିଲେ । ଏହା କରି ସେ କୌଣସି ଦାନଧର୍ମ ବା ଚ୍ୟାରିଟି କରି ନାହାନ୍ତି । ତାଙ୍କର ଉଦ୍ଦେଶ୍ୟ ଝିଅଟିକୁ ଉତ୍ସାହିତ କରିବାକୁ କେବଳ ଉଦ୍ଦିଷ୍ଟ ନଥିଲା, କାମ କରିବାର ମର୍ଯ୍ୟାଦାକୁ ସ୍ୱୀକୃତି ଦେବା ମଧ୍ୟ ତାଙ୍କ ଉଦ୍ଦେଶ୍ୟ ଥିଲା । ଏହାଦ୍ୱାରା ଅନ୍ୟ ଗରୀବ ଛାତ୍ରଛାତ୍ରୀ ମଧ୍ୟ ଉତ୍ସାହିତ ହେବେ । କୌଣସି ପରିସ୍ଥିତିରେ ହାର୍ ନମାନି ଲକ୍ଷ୍ୟ ସାଧନ ପାଇଁ ସଂଘର୍ଷ ଜାରି ରଖିବାକୁ ପ୍ରେରଣା ପାଇବେ ବୋଲି ହେଟେ କହିଛନ୍ତି । ପଠାଇ ଥିବା ଟଙ୍କା ତୁଳସୀର ପାଠ ପଢାରେ ବିନିଯୋଗ କରିବାକୁ ସେ ଶ୍ରୀମଲ କୁମାରଙ୍କୁ କହିବା ସହ ତାଙ୍କ ସଂସ୍ଥା ତୁଳସୀର ପାଠ ପଢାର ଅଗ୍ରଗତି ଉପରେ ନଜର ରଖିବ ଏବଂ ତୁଳସୀ ଯେଭଳି ଶିକ୍ଷିତ ହୋଇ ବାହାରିବ ତାହା ଦେଖିବ ବୋଲି ହେଟେ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ହେଟେଙ୍କ କଂପାନୀ ‘ଭାଲ୍ୟୁଏବଲ୍ ଏଡ଼ୁଟେଇନମେଂଟ୍ ପ୍ରାଇଭେଟ ଲିମିଟେଡ଼’ ବ୍ରିହନ୍ ମୁମ୍ବାଇ ମୁନସିପାଲ୍ କର୍ପୋରେସନ୍ ଓ ଅନ୍ୟାନ୍ୟ ସରକାରୀ ସଂଗଠନ ସହାୟତାରେ ଭର୍ଚୁଆଲ ଶିକ୍ଷାର ସୁବିଧା ସୃଷ୍ଟି ଦିଗରେ କାର୍ଯ୍ୟ କରିଥାଏ । ହେଟେଙ୍କ ବଦାନ୍ୟତା ଯୋଗୁଁ ଏବେ ତୁଳସୀ ଆମ୍ବ ବିକି ଭଉଣୀକୁ ଘର ଚଳାଇବାରେ ସାହାଯ୍ୟ କରିବା ସହ ଅନ୍ ଲାଇନରେ ପାଠ ମଧ୍ୟ ପଢିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS