କୋଭିଡ଼ ନେଗେଟିଭ୍ ସାର୍ଟିଫିକେଟ୍ ନ ଥିବାରୁ ଓଡ଼ିଶା ଫେରିଲାନି ଯୁବକଙ୍କ ଶବ !
ପ୍ରସାଦ ରାଓ
ଜୁନ ୨୫
ବେଙ୍ଗାଲୁରୁରୁ ଏପରି ଏକ ଦୁଃଖଦ ଖବର ଆସିଛି । ଓଡ଼ିଶା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡ଼ ଗ୍ରାମର ଜଣେ ଯୁବକ ସଂଜିତ ସାହୁ ବେଙ୍ଗାଲୁରୁରେ କାରଖାନା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ‘ତାଲାବନ୍ଦ’ ଯୋଗୁଁ ଆର୍ଥିକ ଅନାଟନର ସମ୍ମୁଖୀନ ହୋଇ ଘୋର ମାନସିକ ଚାପରେ ଗତତ ଜୁନ ୧୫ ତାରିଖ ଦିନ ଆତ୍ମହତ୍ୟା କରିଛନ୍ତି । ବଡ଼ ଭାଇ ସଂଗ୍ରାମ ସାହୁ ବହୁ କଷ୍ଟରେ ୨୦ ହଜାର ଟଙ୍କା ଯୋଭାଡ କରି ସଂଜିତଙ୍କ ଶବ କୋଲକାତା ଦେଇ ଗାଁକୁ ଫେରାଇବାକୁ ଉଦ୍ୟମ କରି ମୃତକଙ୍କ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ନଥିବାରୁ ବିମାନରେ ଉଡାଣ ଅନୁମତି ନ ପାଇ ବେଙ୍ଗାଲୁରୁରେ ହିଁ ଶେଷକୃତ୍ୟ ସଂପନ୍ନ କରି ବୁଧବାର ଦିନ ସଂଜିତଙ୍କ ଦେହାବଶେଷ ସହ ଟ୍ରେନରେ ଗାଁକୁ ଫେରିଛନ୍ତି । କୋଭିଡ଼ ପରିସ୍ଥିତିରେ ସରକାରଙ୍କ ଅଧୌର୍ଯ୍ୟ ତାଲାବନ୍ଦ ନିଷ୍ପତ୍ତି ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟି ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସଂଜିତ ବେଙ୍ଗାଲୁରୁ ମହାଦେବପୁରା ଅଂଚଳରେ କାରଖାନା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କୋଭିଡ଼ ପରିସ୍ଥିତି ଯୋଗୁଁ ସହରରେ ପୁନର୍ବାର ‘ତାଲାବନ୍ଦ’ ଲାଗୁ ହେବାରୁ ସେ କର୍ମନିଯୁକ୍ତି ହରାଇ ଗାଁରେ ଥିବା ପରିବାରକୁ ଅର୍ଥିକ ସହାୟତା ପଠାଇବାକୁ ଅକ୍ଷମ ଥିଲେ । ଫଳରେ, ସଂଜିତ ମାନସିକ ଚାପର ଭିତରେ ରହୁଥିଲେ । ଜୁନ ୧୫ ତାରିଖ ସନ୍ଧ୍ୟାରେ ସେ ମହାଦେବପୁରାରେ ରହୁଥିବା ଘରେ ସିଲିଂରୁ ଝୁଲି ଆତ୍ମହତ୍ୟା କରିଥିଲେ । ସଂଜିତଙ୍କ ସହ ବେଙ୍ଗାଲୁରୁରେ ରହୁଥିବା ବଡ଼ ଭାଇ ସଂଗ୍ରାମ ସାହୁ ସଂଜିତଙ୍କ ମୃତ ଦେହ କୋଲକାତା ଦେଇ ଓଡ଼ିଶା ଆଣିବାକୁ ଜୁନ ୧୭ ତାରିଖ ଦିନ ଏକ ସ୍ଥାନୀୟ ଏଜେନ୍ସୀ ମାଧ୍ୟମରେ ‘ଏୟାର ଏସିୟା’ ବିମାନରେ ଦୁଇଟି ଟିକଟ ବୁକ୍ କରିଥିଲେ ମଧ୍ୟ ମୃତକଙ୍କ କୋଭିଡ଼ ନେଗେଟିଭ୍ ସାର୍ଟିଫିକେଟ୍ ନ ଥିବାରୁ ବିମାନ ବନ୍ଦରର ଗ୍ରାଉଣ୍ଡ୍ ଷ୍ଟ୍ରାଫ୍ ଶବକୁ ବିମାନର କାର୍ଗୋରେ ଚଢାଇବାକୁ ମନା କରିଥିଲେ । ଫଳରେ, ସଂଗ୍ରମ ସଂଜିତଙ୍କ ଶବକୁ ବେଙ୍ଗାଲୁରୁରେ ହିଁ ଦାହ କରି ଦେହାବଶେଷ ସହ ବୁଧବାର ଦିନ ଗାଁକୁ ଫେରିଛନ୍ତି । ଏସଂପର୍କରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡିଛି ଯେ, ସଂଗ୍ରାମ ସଂଜିତଙ୍କ ଶବ ସହ ୧୭ ତାରିଖ ରାତି ୧୧ଟାରେ ଥିବା ଏୟାର ଏସିୟା ଫ୍ଲାଇଟରେ କୋଲକାତା ଯାତ୍ରା କରିବାକୁ ଥିଲା । ସେ ବେଙ୍ଗାଲୁରୁ କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚି ଜାଣିଲେ ସଂଜିତଙ୍କ ମୃତ ଦେହକୁ ବିମାନର କାର୍ଗୋରେ ଆଣିବା ସକାଶେ କୋଭିଡ଼ ନେଗେଟିଭ୍ ସାର୍ଟିଫିକେଟ୍ ଥିବା ବାଧ୍ୟତାମୂଳକ । ବିମାନ ବନ୍ଦରର ଗ୍ରାଉଣ୍ଡ୍ ଷ୍ଟାଫ୍ କୋଭିଡ଼ ନେଗେଟିଭ୍ ସାର୍ଟିଫିକେଟ୍ ବାନା ମୃତକଙ୍କ ଶବ ବିମାନର କାର୍ଗୋରେ ଚଢାଇବାକୁ ମନା କରିବାରୁ ସଂଗ୍ରାମ ବାଧ୍ୟ ହୋଇ ବେଙ୍ଗାଲୁରୁରେ ହିଁ ଭାଇର ଶେଷକୃତ୍ୟ ସଂପନ୍ନ କରିଥିଲେ ଏବଂ ସେହି ଦୃଶ୍ୟ ହ୍ୱାଟସ୍ ଆପ୍ ଷ୍ଟ୍ରିମିଂ ମାଧ୍ୟମରେ ଗାଁରେ ଥିବା ସାନ ଭାଇର ପତ୍ନୀ ଓ ପୁତୁରାକୁ ଦେଖାଇ ଥିଲେ । ସବୁଠାରୁ ଅଧିକ ଦୁଃଖଦାୟକ କଥା ହେଉଛି, ଗତ ବର୍ଷ କୋଭିଡ଼-୧୯ ମାହାମାରୀର ପ୍ରାରମ୍ଭିକ ସମୟରେ ସଂଜିତ ବେଙ୍ଗାଲୁରୁରେ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୦ ମାର୍ଚ୍ଚରେ ଦେଶବ୍ୟାପୀ ‘ତାଲାବନ୍ଦ’ ଲାଗୁ ହେବାରୁ କର୍ମନିଯୁକ୍ତି ହରାଇ ଗାଁକୁ ଫେରି ଥିଲେ । ଗାଁକୁ ଫେରି ଦେଖିଲେ ସେଠାକାର ଅବସ୍ଥା ମଧ୍ୟ ଅଧିକ ଖରାପ । ତେଣୁ, କୋଭିଡ଼ ପ୍ରଥମ ଲହର ଥମିବା ପରେ କଳ କାରଖାନା ଚାଲୁ ହେବା ଦେଖି ଗତ ଫେବୃୟାରୀ ମାସରେ ବେଙ୍ଗାଲୁରୁ ଫେରି ଥିଲେ । ବଡ଼ ଭାଇ ସଂଗ୍ରାମ ମଧ୍ୟ ତାଙ୍କ ସହ ଯାଇଥିଲେ । ବେଙ୍ଗାଲୁରୁ ମହାଦେବପୁରୁରେ ଏକାଧିକ ମାନିଫାକ୍ଚରିଂ ୟୁନିଟ ରହିଛି । ସଂଗ୍ରାମ ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ ଆରମ୍ଭ କଲେ । ସଂଜିତ ମଧ୍ୟ ବେଙ୍ଗାଲୁରୁରେ କାରଖାନା ଶ୍ରମିକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ, ବିଧିର ବିଧାନ ଭିନ୍ନ । ସଂଜିତ ତାଙ୍କ ଦରମା ବାବଦ ପ୍ରଥମ ଚେକ୍ ପାଇବା ପୂର୍ବରୁ କୋଭିଡ଼ର ଦ୍ୱିତୀୟ ଲହର ଯୋଗୁଁ ବେଙ୍ଗାଲୁରୁରେ ‘ତାଲାବନ୍ଦ’ ଲାଗି ଗଲା । କପର୍ଦ୍ଦକଶୂନ୍ୟ ଅବସ୍ଥାରେ ସେ ଗାଁରେ ରହୁ ଥିବା ବୃଦ୍ଧ ବାପା, ମା’ ଏବଂ ପତ୍ନୀ, ପୁଅ ପାଇଁ ଘର ଚଳାଇବାକୁ କଉଡ଼ିଟିଏ ପଠାଇ ନ ପାରି ଘୋର ମାନସିକ ଚାପ ଭିତରେ ଥିଲେ । ଜୁନ ୧୫ ତାରିଖ ସନ୍ଧ୍ୟାରେ ସେ ସିଲିଂରେ ଝୁଲି ଆତ୍ମହତ୍ୟା କରିଥିବା ଜାଣିବା ପରେ ପତ୍ନୀ ଭାରତୀ ଓ ସାତ ବର୍ଷର ପୁଅ ସାଗର ଶେଷ ଦର୍ଶନ କରିବାକୁ ଚାହିଁବାରୁ ଭାଇ ସଂଗ୍ରାମ ସାଂଗ ସାଥୀଙ୍କଠାରୁ କରଜ କରି ୨୦ ହଜାର ଟଙ୍କା ବ୍ୟବସ୍ଥା କଲେ । ‘ଏୟାର ଏସିୟା’ ବିମାନରେ ଟିକଟ ମଧ୍ୟ ବୁକ୍ ହେଲେ । କିନ୍ତୁ, ମୃତ ଦେହ ଗାଁରେ ପହଂଚି ପାରିଲା ନାହିଁ । ଏହାଠାରୁ ବଡ଼ ଦୁର୍ଭାଗ୍ୟ କଣ ହୋଇପାରେ !
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS