ରାଜନୀତିରେ ରାଜନୀତି !


ପ୍ରସାଦ ରାଓ
ଜୁନ ୨୪
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ବିକଳ୍ପ ବିରୋଧୀ ରାଜନୈତିକ ମେଂଟ ଗଠନ ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ଉଦ୍ୟମ ଆରମ୍ଭ କରିଥିବା କିଛି ଦିନ ହେଲା ଆଲୋଚନା ଚାଲିଥିଲା । ପାୱାରଙ୍କ ଦିଲ୍ଲୀ ବାସଭବନରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ସହ ତାଙ୍କ ମଧ୍ୟାହ୍ନ ଭୋଜନ ଓ ଦୀର୍ଘ ସମୟର ଆଲୋଚନା ପରେ ଏଭଳି ଏକ ଖବର ଗଣମାଧ୍ୟମଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇ ଥିଲା । କାଲି ପାୱାରଙ୍କ ଦିଲ୍ଲୀ ବାସଭବନରେ ପୂର୍ବତନ ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନ ତୃଣମୂଳ କଂଗ୍ରେସ ପାର୍ଟିର ଜାତୀୟ ଉପ ସଭାପତି ଥିବା ଯଶୋବନତ ସିହ୍ନାଙ୍କ ‘ରାଷ୍ଟ୍ର ମଂଚ’ ପକ୍ଷରୁ ଆୟୋଜିତ ଏକ ବୈଠକ ତୃତୀୟ ବିକଳ୍ପ ଗଠନ ସମ୍ଭାବନାକୁ ଅଧିକ ବଳ ଦେଇଛି । ତେବେ, ‘ରାଷ୍ଟ୍ର ମଂଚ’ ବିଜେପି ବିରୋଧୀ ନୁହେଁ ଏବଂ ଗତକାଲିର ବୈଠକ ଦେଶରେ ତୃତୀୟ ବିକଳ୍ପ ଗଠନ ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ବୈଠକ ପରେ ‘ରାଷ୍ଟ୍ର ମଂଚ’ର ପ୍ରବକ୍ତାମାନେ ସ୍ପଷ୍ଟ କରିଛନ୍ତି । ଦେଶ ସାମ୍ନା କରୁଥିବା ଏବଂ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଦ୍ୱାରା ଅସମାଧିତ ହୋଇ ରହିଥିବା ବିଭିନ୍ନ ରାଷ୍ଟ୍ରୀୟ ସମସ୍ୟା ଉପରେ ଆଲୋଚନା ପାଇଁ ସମ ବିଚାରଧାରା ସଂପନ୍ନ ରାଜନେତା ଓ ବ୍ୟକ୍ତିିବଶେଷ ଏକାଠି ହୋଇଥିଲେ ବୋଲି କୁହାଯାଇଛି । କାଲିର ବୈଠକରେ ‘ରାଷ୍ଟ୍ର ମଂଚ’ର ପ୍ରତିଷ୍ଠାତା ସିହ୍ନା ଓ ଏନସିପି ନେତା ପାୱାରଙ୍କ ସମେତ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ସିପିଏମ ନେତା ନିଳୋତ୍ପଳ ବସୁ,ସିପିଆଇ ନେତା ବିନୟ ବିଶ୍ୱମ୍, ଆରଏଲଡ଼ି ନେତା ଜୟନ୍ତ ଚୌଧୁରୀ, ଆମ୍ ଆଦମୀ ପାର୍ଟି (ଏଏପି)ର ଏମପି ଶିଶିର ଗୁପ୍ତା, ପୂର୍ବତନ ଜେଡ଼ିୟୁ (ୟୁ) ଏମପି ପବନ ବର୍ମା, ସମାଜବାଦୀ ପାର୍ଟିର ମୁଖପାତ୍ର ଘନଶ୍ୟାମ ତିୱାରୀ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ପି.ଶାହା, ଲିରିସିଷ୍ଟ୍ ଜାଭେଦ ଅକ୍ତାର, ସୁଧେନ୍ଦ୍ର କୁଳକର୍ଣ୍ଣି, ବହିଷ୍କୃତ କଂଗ୍ରେସ ମୁଖପାତ୍ର ସଂଜୟ ଝା ପ୍ରମୁଖ ବହୁ ନେତା ଓ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ସଂପନ୍ନ ବ୍ୟକ୍ତବିଶେଷ ଉପସ୍ଥିତ ଥାଇ ଅଲୋଚନାରେ ଭାଗ ନେଇଥିଲେ ।
ତେବେ, ଏନସିପି ମୁଖ୍ୟ ପାୱାର ଓ ବୈଠକର ଆବାହକ ‘ରାଷ୍ଟ୍ର ମଂଚ’ ପ୍ରତିଷ୍ଠାତା ଯଶୱନ୍ତ ସିହ୍ନାଙ୍କ ବ୍ୟତୀତ ଅନ୍ୟ କୌଣସି ବରିଷ୍ଠ ଜାତୀୟ ଦଳର ନେତା ଉପସ୍ଥିତ ନଥିବାରୁ ଏବଂ କଂଗ୍ରେସର ମଧ୍ୟ ପ୍ରତିନିଧିତ୍ୱ ନଥିବାରୁ ତାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲି ଥିଲା । କଂଗ୍ରେସକୁ ବାଦ୍ ଦେଇ ବିଜେପି ବିପକ୍ଷରେ ଏକ ବିରୋଧୀ ବିକଳ୍ପ ଗଠନ ଉଦ୍ୟମ ଆରମ୍ଭ ହେଉଛି କି (?) ବୋଲି ଚର୍ଚ୍ଚା ଆରମ୍ଭ ହୋଇଯିବାରୁ ‘ରାଷ୍ଟ୍ର ମଂଚ’ ତାହା ଖଣ୍ଡନ କରିଛି । ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଜେପି ବିରୋଧରେ ଏକ ବିକଳ୍ପ ରାଜନୈତିକ ମେଂଟ ଗଠନ ପାଇଁ ବୈଠକ ଉଦ୍ଦିଷ୍ଟ ନଥିଲା, ବିକଳ୍ପ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଲୋକଙ୍କୁ ଏକାଠି କରିବାର ଏହା ଏକ ପ୍ରୟାସମାତ୍ର ଥିଲା ବୋଲି ବୈଠକ ପରେ ଏନସିପିର ବରିଷ୍ଠ ନେତା ମଜିଦ ମେମନ୍ ଓ ସମାଜବାଦୀ ପାର୍ଟି ମୁଖପାତ୍ର ଘନଶ୍ୟାମ ତିୱାରୀ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି । ବୈଠକ ସରିବା ପରେ ଏନସିପି ମୁଖ୍ୟ ପାୱାର ଗଣମାଧ୍ୟମକୁ ସାମ୍ନା କରି ନଥିବା ବେଳେ ବୈଠକର ଆବାହକ ‘ରାଷ୍ଟ୍ର ମଂଚ’ର ପ୍ରତିଷ୍ଠାତା ଯଶୱାନ୍ତ ସିହ୍ନା ମଧ୍ୟ ସ୍ୱଳ୍ପ ସମୟ ପାଇଁ ଗଣମାଧ୍ୟମକୁ ମୁହଁ ଦେଖାଇ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ମେମନ୍ ଓ ତିୱାରୀଙ୍କୁ ଗଣମାଧ୍ୟମର ସବୁ ପ୍ରଶ୍ନର ଉତ୍ତର ଦେବେ କହି ପଳାଇ ଥିଲେ । ପାୱାରଙ୍କ ବାସଭବନରେ ପ୍ରାୟ ଅଢେଇ ଘଂଟା ଧରି ବୈଠକ ହୋଇଥିବା ବେଳେ କେନ୍ଦ୍ର୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଚାଲି ଥିବା ଚାଷୀଙ୍କ ଆନ୍ଦୋଳନ, ମୁଦ୍ରାସ୍ଫିତି ଓ ତୈଳ ଦର ବୃଦ୍ଧି, କେନ୍ଦ୍ର-ରାଜ୍ୟ ମଧ୍ୟରେ ସାଂପ୍ରତିକ ସଂପର୍କ, ଅର୍ଥନୀତି, ଗଣତନ୍ତ୍ର ପ୍ରଭୃତି ବିଷୟରେ ବୈଠକରେ ଚର୍ଚ୍ଚା ହୋଇଥିଲା ବୋଲି ବୈଠକ ପରେ ସମାଜବାଦୀ ପାର୍ଟି ମୁଖପାତ୍ର ତିୱାରୀ ଗଣମାଧ୍ୟମକୁ କହିଥିଲେ । ‘ରାଷ୍ଟ୍ର ମଂଚ’ କୌଣସି ରାଜନୈତିକ ବାଛବିଚାର ରଖୁ ନାହିଁ । ଦେଶର ବିକାଶ ପାଇଁ ଏକ ବିକଳ୍ପ ବିଚାରଧାରାକୁ ସଂଗଠିତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି । ବିଜେପି ଯାହା କରିବାରେ ସଫଳ ହୋଇ ନାହିଁ ତାହା ‘ରାଷ୍ଟ୍ର ମଂଚ’ ମାଧ୍ୟମରେ କରାଯିବାକୁ ଏବଂ ଦେଶ ସମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବାକୁ ବିଚାରଧାରା ମିଶୁଥିବା ରାଜନୈତିକ ଦଳ ଏବଂ ବ୍ୟକ୍ତିବିଶେଷଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା ବୋଲି ମେମନ୍ ଓ ଏସପି ନେତା ତିୱାରୀ କହିଛନ୍ତି । ‘ରାଷ୍ଟ୍ର ମଂଚ’ କଂଗ୍ରେସକୁ ବାଦ୍ ଦେଇ କାର୍ଯ୍ୟ କରିବାକୁ ବିଚାର ରଖି ନାହିଁ । ଦଳର ୫ ଜଣ ନେତାଙ୍କୁ ନିମନ୍ତ୍ରଣ କରାଯାଇ ଥିଲେ ମଧ୍ୟ ବିଭିନ୍ନ ବ୍ୟକ୍ତିଗତ କାରଣ ଦର୍ଶାଇ ସେମାନେ ଉପସ୍ଥିତ ନଥିଲେ ବୋଲି ମଂଚ ପକ୍ଷରୁ ସଫେଇ ଦିଆଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS