ରାଷ୍ଟ୍ରପତିଙ୍କ କାନପୁର ଗସ୍ତକୁ ନେଇ ଟ୍ରାଫିକ କଟକଣାରେ ରାସ୍ତାରେ ଗୁରୁତର ଅସୁସ୍ଥ ମହିଳାଙ୍କ ମୃତ୍ୟୁ
ଲକ୍ଷ୍ନୌ
ଜୁନ ୨୬
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ୟୁପି ଗସ୍ତରେ ଯାଇ ଗତକାଲି ରାତିରେ ଟ୍ରେନ ଯୋଗେ କାନପୁରରେ ପହଂଚିଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କାନପୁରରେ ଟ୍ରାଫିକ କଟକଣା କଡାକଡି ଥିବା ସମୟରେ ଶ୍ରୀମତୀ ବନ୍ଦନା ମିଶ୍ରା ନାମକ ଜଣେ ୫୦ ବର୍ଷର ମହିଳାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଉ ଥିଲା । ସଂଯୋଗବଶତଃ ରାଷ୍ଟ୍ରପତି ସେହି ରୁଟ୍ରେ ଯିବାକୁ ଥିବାରୁ ଟ୍ରାଫିକ୍ କଟକଣା କଡାକଡି ଥିଲା ଏବଂ ରାସ୍ତା ଜାମ୍ ହୋଇ ଯାଇଥିଲା । ଫଳରେ, ବନ୍ଦନାଙ୍କୁ ନେଇ ତାଙ୍କ ପରିବାର ହସ୍ପିଟାଲରେ ପହଂଚିବା ବିଳମ୍ବିତ ହେବାରୁ ରାସ୍ତାରେ ବନ୍ଦନାଙ୍କ ମୃତ୍ୟୁ ଘଟି ଥିଲା । ହସ୍ପିଟାଲରେ ଡାକ୍ତର ବନ୍ଦନାଙ୍କ ମୃତ୍ୟୁ ଘଟି ସାରିଥିବା ପରିବାରକୁ ସୂଚନା ଦେଇଥିଲେ । ଏହି ଘଟଣାରେ କାନପୁର ପୁଲିସ ବନ୍ଦନାଙ୍କ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ମୃତକଙ୍କ ପରିବାରକୁ ଶୋକବାର୍ତ୍ତା ଦେଇଛନ୍ତି । ମୃତ ବନ୍ଦନା ଇଣ୍ଡିଆନ ଆସୋସିଏସନ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ କାନପୁର ଚାପ୍ଟରର ମହିଳା ୱିଙ୍ଗ୍ ମୁଖ୍ୟ ଥିଲେ । ନିକଟରେ ସେ କୋଭିଡ଼ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ଭଲ ହୋଇ ଘରକୁ ଫେରି ଥିଲେ । ତେବେ, ଗତକାଲି ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାରର ଲୋକ ତାଙ୍କୁ ଏକ ଘରୋଇ ହସପିଟାଲକୁ ନେଉ ଥିବା ସମୟରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ରାଷ୍ଟ୍ରପତିଙ୍କ ଯିବା ରୁଟ୍ ରେ ହିଁ ବନ୍ଦନାଙ୍କୁ ହସ୍ପିଟାଲକୁ ନିଆ ଯାଉଥବାରୁ ଓ ରାସ୍ତାରେ ଟ୍ରାଫିକ୍ କଟକଣା କଡାକଡି ଥିବାରୁ ବନ୍ଦନା ହସ୍ପିଟାଲରେ ପହଂଚିବା ବିଳମ୍ବିତ ହୋଇଥିଲା ବୋଲି ଜଣାପଡିଛି । ଏଭଳି ଅସ୍ୱାଭାବିକ ପରିସ୍ଥିତିରେ ବନ୍ଦନାଙ୍କ ମୃତ୍ୟୁ ଘଟି ଥିବାରୁ କାନପୁର ପୁଲିସ ମୁଖ୍ୟ ଅସୀମ ଅରୁଣ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ଓ ବନ୍ଦନାଙ୍କ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଭବିଷ୍ୟତରେ ଭିଭିଆଇପିଙ୍କ ରୁଟ୍ ପରିଚାଳନା ପାଇଁ ଏହା ଏକ ଶିକ୍ଷା ହୋଇଛି ବୋଲି ସେ କହିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ତୁରନ୍ତ ସେ କାନପୁର ପୁଲିସ କମିସନର ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଡ଼କାଇ ପରିସ୍ଥିତି ସଂପର୍କରେ ବୁଝିଥିଲେ ଏବଂ ମୃତକଙ୍କ ପରିବାର ନିକଟକୁ ତାଙ୍କ ଶୋକବାର୍ତ୍ତା ପଠାଇ ଥିଲେ । ଏହି ଘଟଣାରେ ଜଣେ ପୁଲିସ ଇନିସପେକ୍ଟର ଓ ତିନି ଜଣ କନେଷ୍ଟବଳଙ୍କୁ ସସ୍ପେଣ୍ଡ୍ କରାଯାଇଛି ଓ ଜଣେ ପଦସ୍ଥ ପୁଲିସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରପତି କୋବନ୍ଦ ଏହି ତିନି ଦିନିଆ ଗସ୍ତ ଅବସରରେ ‘କାନପୁର ଦେହାତ’ ଜିଲ୍ଲାରେ ଥିବା ତାଙ୍କ ନିଜ ଗାଁକୁ ଯିବେ । ସୋମବାର ଓ ମଂଗଳବାର ସେ ଲକ୍ଷ୍ନୌରେ କଟାଇବେ ବୋଲି ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS