ନୂଆ ଆଇଟି ଆଇନ : ‘ଟ୍ୱିଟର୍’- ସରକାର ବିବାଦ ଥମିବା ନା’ ନେଉ ନାହିଁ


ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ ୨୮
କେନ୍ଦ୍ର ସରକାର ଓ ଆମେରିକୀୟ ସାମାଜିକ ଗଣମାଧ୍ୟମ ‘ଟ୍ୱିଟର’ ମଧ୍ୟରେ ନୂଆ ଆଇଟି ଆଇନର କାର୍ଯ୍ୟକାରିତାକୁ ନେଇ ବିବାଦ ଚରମ ସୀମାରେ ଥିବା ବେଳେ ‘ଟ୍ୱିଟର’ ନୂଆ ଏକ ବିବାଦକୁ ଚାଲି ଆସିଛି । ଏହି ବିଦେଶୀ ସାମାଜିକ ଗଣମାଧ୍ୟମର ‘ଟ୍ୱିପ୍ ଲାଇଫ୍’ ସେକ୍ସନରେ ପ୍ରକାଶିତ ଭାରତ ମାନଚିତ୍ର ନୂଆ ବିବାଦର ସୂତ୍ରପାତ କରିଛି । ପ୍ରାଶିତ ମାନଚିତ୍ରରେ କୁଆଡେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଭାରତ ବାହାରେ ସ୍ଥାନୀତ କରାଯାଇଛି ବୋଲି ଜଣେ ଟ୍ୱିଟର୍ ବ୍ୟବହାରକାରୀ ଅଭିଯୋଗ କରିବା ପରେ ଏଥି ପାଇଁ ଟ୍ୱିଟର ବିରୋଧରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ଏବଂ ଓଟିଟି ପ୍ଲାଟଫର୍ମଗୁଡିକ ପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ନୂଆ ଆଇଟି ଆଇନ ଜାରି କରିବା ସହ ତାହା ଲାଗୁ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ‘ଟ୍ୱିଟର’ ଏହି ଆଇନରେ ଥିବା କିଛି ପ୍ରାବଧାନକୁ ନେଇ ଆପତ୍ତି ଦର୍ଶାଇଛି । ବ୍ୟକ୍ତ ସ୍ୱାଧୀନତା ଓ ସ୍ୱାଧୀନ ମତ ରଖିବାର ଅଧିକାରକୁ ପ୍ରସଙ୍ଗ କରି ଭାରତ ସରକାରଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାରେ ହେଳା କରୁଛି । ଫଳରେ, ଗଲା କିଛି ମାସ ହେଲା କେନ୍ଦ୍ର ସରକାରଙ୍କ ସହ ‘ଟ୍ୱିଟର’ର ସଂପର୍କ ତୀକ୍ତ ରହିଛି । ‘ଟ୍ୱିଟର’ର ‘ଟ୍ୱିପ୍ ଲାଇଫ’ ସେକ୍ସନରେ ପ୍ରକାଶିତ ଭାରତ ମାନଚିତ୍ର ନୂଆ ବିବାଦର ସୂତ୍ରପାତ କରିଥିବା ବେଳେ ପୂର୍ବରୁ କଥିତ କଂଗ୍ରେସ ‘ଟୁଲ୍ କିଟ୍’କୁ ନେଇ ସରକାର ଓ ‘ଟ୍ୱିଟର’ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ।
ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ‘କଂଗ୍ରେସ ଟୁଲ୍ କିଟ୍’ ମନ୍ତବ୍ୟ ଉପରେ ଭାରତୀୟ ଜାତୀୟ କଂଗ୍ରେସ ଦୃଢ ପ୍ରତିବାଦ କରିବା ପରେ ‘ଟ୍ୱିଟର’ କତ୍ତୃପକ୍ଷ ତାହାର ଯାଂଚ କରି ପାତ୍ରଙ୍କ ସମେତ କିଛି ବିଜେପି ନେତାଙ୍କ ପୋଷ୍ଟ୍ ରେ ‘ମନିପୁଲେଟଡ୍ ମିଡ଼ିଆ’ ଟ୍ୟାଗ୍ ଲଗାଇ ଥିଲେ । କେନ୍ଦ୍ର ସରକାର ଏଥିରେ କ୍ଷୁବ୍ଧ ହୋଇ ସମ୍ବିତ ପାତ୍ରଙ୍କ ସମେତ ଅନ୍ୟ ବିଜେପି ନେତାଙ୍କ ପୋଷ୍ଟ୍ ରେ ଲଗା ଯାଇଥିବା ‘ମନିପୁଲେଟଡ୍ ମିଡ଼ିଆ’ଟ୍ୟାଗ୍ ତୁରନ୍ତ ହଟା ଯିବାକୁ ଚାପ ପକାଇବା ସହ କଂପାନୀ ତୁରନ୍ତ ନୂତନ ଆଇଟି ଆଇନକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ । ନୂଆ ଆଇନ ମୁତାବକ କଂପାନୀ ଟ୍ୱିଟର ବ୍ୟବହାରକାରୀଙ୍କ ଅଭିଯୋଗ ଶୁଣିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତରେ ଅବସ୍ଥାପିତ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ‘କଂପ୍ଲାଇଙ୍ଗ୍ ଅଫିସର’ ଭାବେ ନିଯୁକ୍ତି ଦେବାକୁ କୁହା ଗଲା । ତେବେ, ‘ଟ୍ୱିଟର’ କର୍ତ୍ତୃପକ୍ଷ ‘ମତବ୍ୟକ୍ତ କରିବାର ସ୍ୱାଧୀନତା’କୁ ପ୍ରସଙ୍ଗ କରି ସରକାରଙ୍କ ନିର୍ଦେଶକ ଟାଳିବାର ପ୍ରୟାସ କରୁଛନ୍ତି । ଏହି କାରଣରୁ ‘ଟ୍ୱିଟର’ ଭାରତରେ ତାହାର ଆଇନଗତ ସୁରକ୍ଷା ହରାଇଛି ।
କେନ୍ଦ୍ର ସରକାର ଓ ‘ଟ୍ୱିଟର’ ଆଇନଗତ ବିବାଦରେ ଛନ୍ଦି ହୋଇ ରହି ଥିବା ବେଳେ ମେ’ ୩୧ ତାରିଖ ଦିନ ‘ଟ୍ୱିଟର’ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛି, ସରକାରୀ ନିର୍ଦେଶ ପ୍ରକାରେ କଂପାନୀ ଭାରତରେ ଜଣେ ଗ୍ରିଭାନ୍ସ ରିଡ୍ରେସାଲ୍ ଅଫିସରଙ୍କ ନିଯୁକ୍ତି ଦେଇ ସାରିଛି । ଭାରତରେ ‘ଟ୍ୱିଟର’ର ଆଇନଗତ କାର୍ଯ୍ୟ ବୁଝୁଥିବା ଲ’ ଫାର୍ମର ଜଣେ ଅଂଶୀଦାର ଧର୍ମେନ୍ଦ୍ର ଚତୁରଙ୍କୁ ମଧ୍ୟବର୍ତ୍ତୀକାଳୀନ ‘ଗ୍ରିଭାନ୍ସ ରିଡ୍ରେସାଲ୍ ଅଫିସର’ ଭାବେ ନିଯୁକ୍ତି ଦିଆଯାଇଥିବା କଂପାନୀ ହାଇକୋର୍ଟଙ୍କୁ ଜଣାଇ ଥିବା ବେଳେ ସରକାର ତାହା ଗ୍ରହଣ କରି ନାହାନ୍ତି । ଜଣେ ବାହାର ଲୋକଙ୍କୁ ‘ଟ୍ୱିଟର’ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆନୁଷ୍ଠାନିକ ପଦବୀରେ ନିଯୁକ୍ତି ଦେବା ଗ୍ରହଣୀୟ ନୁହେଁ ବୋଲି ସରକାର କହିଛନ୍ତି । ଟ୍ୱିଟର ଦ୍ୱାରା ନିଯୁକ୍ତ ‘ଗ୍ରିଭାନ୍ସ ରିଡ୍ରେସାଲ୍ ଅଫିସର’ ଚତୁର ମଧ୍ୟ ସପ୍ତାହକ ପରେ ପଦ ଛାଡିଛନ୍ତି । ଏବେ, କଂପାନୀ ଆମେରିକାରେ ଅବସ୍ଥାପିତ ତାହାର ଗ୍ଲୋବାଲ୍ ଲିଗାଲ ପଲିସି ଡ଼ାଇରେକ୍ଟର ଜେରମି କେସେଲଙ୍କୁ ଭାରତରେ ‘ଗ୍ରିଭାନ୍ସ ଅଫିସର’ ଭାବେ ନିଯୁକ୍ତି ଦେଇଥିବା କହିଛି । ତେବେ, ନୂତନ ଆଇଟି ଆଇନରେ ଭାରତରେ ଅବସ୍ଥାପିତ କଂପାନୀର ଜଣେ ସ୍ଥାୟୀ ଅଧିକାରୀ ହିଁ ଏହି ପଦବୀରେ ରହି ପାରିବେ । ତେଣୁ, କେନ୍ଦ୍ର ସରକାର କେସେଲଙ୍କ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
‘କଂଗ୍ରେସ ଟୁଲ୍ କିଟ୍’ ମାମଲାରେ ‘ଟ୍ୱିଟର’ କିଛି ବିଜେପି ନେତାଙ୍କ ପୋଷ୍ଟ୍ ରେ ‘ମନିପୁଲେଟଡ୍ ମିଡ଼ିଆ’ ଟ୍ୟାଗ୍ ଲଗାଇବା ପରେ କ୍ଷୁବ୍ଧ କେନ୍ଦ୍ର ସରକାର ଟ୍ୟାଗ୍ ହଟାଇବାକୁ କଂପାନୀ ଉପରେ ଚାପ ପକାଇ ବିଫଳ ହେବା ପରେ କଂପାନୀର ଦିଲ୍ଲୀ ଓ ଗୁରଗାଓଁ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ ଦ୍ୱାରା ଚଢାଉ କରାଇ ଥିଲେ । ଦିଲ୍ଲୀ ପୁଲିସ କଂପାନୀକୁ ନୋଟିସ ଜାରି କରିବା ସହ ଦିଲ୍ଲୀ ଓ ଗୁରଗାଓଁ କାର୍ଯ୍ୟାଳୟରେ ପଶି ଯାଂଚ ନାମରେ କର୍ମଚାରୀଙ୍କୁ ଆତଂକିତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ପରେ, ଦିଲ୍ଲୀ ପୁଲିସ ବେଂଗାଲୁରୁ ଯାଇ ସେଠାରେ ଥିବା ‘ଟ୍ୱିଟର’ର ଭାରତ ମୁଖ୍ୟ ମନିଷ ମାହେଶ୍ୱରୀଙ୍କୁ ଜେରା କରିଥିଲେ । ତାହାକୁ ନେଇ ମଧ୍ୟ ତୁମ୍ବିତୋଫାନ ହୋଇଥିଲା । ନିକଟରେ, ବିଜେପି ଶାସିତ ଉତ୍ତର ପ୍ରଦେଶରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବୃଦ୍ଧଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ‘ଟ୍ୱିଟର’ରେ ପ୍ରସାରିତ ଏକ ଭିଡ଼ିଓକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ‘ଟ୍ୱିଟର’ ପ୍ରତି ସରକାରଙ୍କ ବିଦ୍ୱେଷ ଭାବକୁ ସ୍ପଷ୍ଟ କରିଛି ।
ଏହି ଭିଡ଼ିଓ ୟୁପିରେ ସାଂପ୍ରଦାୟିକ ସଦ୍ଭାବ ଭଂଗ କରିଥିବା ଏବଂ ତାହାର ପ୍ରସାରଣକୁ ରୋକିବାରେ ‘ଟ୍ୱିଟର’ର ଭାରତ ମୁଖ୍ୟ ବିଫଳ ହୋଇଥିବା ଦର୍ଶାଇ ୟୁପି ପୁଲିସ ପକ୍ଷରୁ ‘ଟ୍ୱିଟର’ର ଭାରତ ପାଇଁ ଥିବା ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଗାଜିଆବାଦ ଥାନାରେ ହାଜର ହେବାକୁ ସମନ କରାଯାଇଛି । ଗୁରୁବାର ଦିନ ସକାଳ ସାଢେ ୧୦ଟା ସମୟରେ ଗାଜିଆବାଦର ଲୋନି ବର୍ଡର ପୁଲିସ ଥାନାରେ ଉପସ୍ଥିତ ହେବାକୁ ପୁଲିସ ମାହେଶ୍ୱରୀଙ୍କୁ ନିର୍ଦେଶ ଦେଇଥିବା ବେଳେ ମାହେଶ୍ୱରୀ ୟୁପି ପୁଲିସ ଆଇନର ୪୧ଏ ଧାରାରେ ତାଙ୍କୁ ଯେଉଁ ନୋଟିସ ହୋଇଥିଲା ତାହାକୁ ଚ୍ୟାଲେଂଜ କରି କର୍ଣ୍ଣାଟକ ହାଇକୋର୍ଟର ଆଶ୍ରୟ ନେଇଥିଲେ । ଗୁରୁବାର ଦିନ କର୍ଣ୍ଣାଟକ ହାଇକୋର୍ଟ ତାହାର ଶୁଣାଣୀ କରି ମାହେଶ୍ୱରୀଙ୍କ ବିରୋଧରେ କୌଣସି ପ୍ରତିଷୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ନିବୃତ୍ତ ରହିବାକୁ ୟୁପି ପୋଲିସକୁ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଛନ୍ତି । ଗାଜିଆବାଦରେ ମାମଲାରେ ୟୁପି ପୁଲିସ ମାହେଶ୍ୱରୀଙ୍କୁ ଯଦି କିଛି ପଚରା ଉଚୁରା କରିବାକୁ ଚାହୁଁଛନ୍ତି ତେବେ ‘ଭର୍ଚୁଆଲ ମୋଡ୍’ରେ କରନ୍ତୁ ବୋଲି କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଜି.ନରେନ୍ଦ୍ର ନିର୍ଦେଶ ଦେଇଛନ୍ତି । କୋର୍ଟଙ୍କ ଆଦେଶ ମାହେଶ୍ୱରୀଙ୍କୁ ସାମୟିକ ଭାବେ ଆଶ୍ୱସ୍ତି ଦେଇଛି ।
ନୂଆ ଆଇଟି ଆଇନ ଲାଗୁ କରିବା ନେଇ ‘ଟ୍ୱିଟର’ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗି ରହିଥବା ଛକାପଂଝାରେ ଶୁକ୍ରବାର ଦିନ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳି ଥିଲା । ‘ଟ୍ୱିଟର’ କର୍ତ୍ତୃପକ୍ଷ ସେଦିନ ପାଖାପାଖି ଗୋଟିଏ ଘଂଟା ପାଇଁ କେନ୍ଦ୍ର ସରକାରଙ୍କ ଆଇଟି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକଉଂଟ ବ୍ଲକ୍ କରି ଦେଇ ଥିଲେ । ମନ୍ତ୍ରୀ ଆମେରିକାନ୍ କପି ରାଇଟ୍ ଆଇନର ଉଲଂଘନ କରିଥିବା ‘ଟ୍ୱିଟର’ ପକ୍ଷରୁ ଅଭିଯୋଗ କରାଯାଇ ଏହି ପଦକ୍ଷେପ ନିଆ ଯାଇଥିବା କୁହାଯାଇଥିଲା । କେନ୍ଦ୍ର ସରକାର ଓ ଶାସକ ଦଳର ତୁମ୍ବିତୋଫାନ ପରେ ‘ଟ୍ୱିଟର’ କତ୍ତୃପକ୍ଷ କେନ୍ଦ୍ର ମନ୍ତ୍ରୀଙ୍କ ଆକାଉଂଟ୍ କୁ ବାହାଲ କରି ଥିଲେ । ‘ଟ୍ୱିଟର’ର ଏଭଳି କାର୍ଯ୍ୟାନୁଷ୍ଠାନର ରହସ୍ୟ ଖୋଜୁ ଖୋଜୁ ହାଭାର୍ଡ ବିଶ୍ୱିବଦ୍ୟାଳୟର ‘ଲୁମେନ ଡ଼ାଟାବେସ୍’ରୁ ତାହାର ସୂରାକ ମିଳିଥିଲା ।
ମନ୍ତ୍ରୀ ରବି ଶଙ୍କର ୨୦୧୭ ଡ଼ିସେମ୍ବରରେ ଏହି ଭିଡ଼ିଓ ପୋଷ୍ଟ୍ କରି ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟ ସଂପର୍କରେ ଲେଖି ଥିଲେ । ସେହି ପୋଷ୍ଟ୍ ରେ ପ୍ରସିଦ୍ଧ ସଂଗୀତକାର ଏ.ଆର. ରହମନଙ୍କ ‘ମା ତୁଝେ ସଲାମ୍ ..’ ସଂଗୀତର ଭିଡ଼ିଓ ସଂଲଗ୍ନ କରାଯାଇଥିଲା । ଏ.ଆର.ରହମନଙ୍କ ଭିଡ଼ିଓର କପିରାଇଟ୍ ଅନ୍ୟ ପାଖରେ ଥିବା ବେଳେ ମନ୍ତ୍ରୀ ରବି ଶଙ୍କର ତାହା ପୋଷ୍ଟ୍ ରେ ସଂଲଗ୍ନ କରି ‘ଆମେରିକାନ୍ କପି ରାଇଟ୍ ଆକ୍ଟ୍’ର ଉଲଂଘନ କରିଛନ୍ତି ବୋଲି ‘ଟ୍ୱିଟର’ କହିଛି । ନିର୍ଦ୍ଧିଷ୍ଟ ଅଭିଯୋଗ ପାଇବା ପରେ ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟର ଆକାଂଉଣ ବ୍ଲକ ହୋଇଥିଲା ବୋଲି କଂପାନୀ ସଫେଇ ଦେଇଛି ।
ତେବେ, କେନ୍ଦ୍ର ମନ୍ତ୍ରୀଙ୍କ ପୋଷ୍ଟ୍ ଉପରେ ସାଢେ ତିନ ବର୍ଷ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବା ‘ଟ୍ୱିଟର’ କର୍ତ୍ତୃପକ୍ଷଙ୍କ ମାନସିକତାକୁ ସ୍ପଷ୍ଟ କରିଦେଇଛି । ମନରେ ଆବିଳତା ରଖି ଗଣମାଧ୍ୟମ ସହ ଲଢିଲେ ବେଳେ ବେଳେ ଏଭଳି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡେ -ତାହା ‘ଟ୍ୱିଟର’ର ଏହି କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ହେଉଥିବା ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS