‘ଏୟାର ବେସ୍’ରେ ଡ୍ରୋନ୍ ଆକ୍ରମଣ ପଛରେ ଲସ୍କର ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ ୨୯
ରବିବାର ଜମ୍ମୁ-କଶ୍ମୀରର ଏକ ‘ଏୟାର ବେସ୍’ ଉପରେ ହୋଇଥିବା ‘ଡ୍ରୋନ୍’ ଆକ୍ରମଣରେ ପାକିସ୍ତାନ ଭିତ୍ତିକ ଲସ୍କର-ଇ-ତୋଇବାର ହାତ ଥିବା ସନ୍ଦେହ ଅଧିକ ଦୃଢିଭୂତ ହୋଇଛି । ସେନା ଓ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏହି ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଜେରା କରାଯିବା ପରେ ତାଙ୍କ ନିକଟରୁ ୪ କୋଜି ଓଜନର ଆଇଇଡ଼ି ଜବତ କରାଯାଇଛି । ‘ଡ୍ରୋନ୍’ ଆକ୍ରମଣରେ ଲସ୍କର-ଇ-ତୋଇବାର ସଂପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଏକପ୍ରକାର ସ୍ପଷ୍ଟ ହେଲାଣି ବୋଲି ଜମ୍ମୁ-କଶ୍ମୀର ପୁଲିସ ମୁଖ୍ୟ ଦୀଲବାଗ୍ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୋମବାର ଦିନ ମଧ୍ୟ ଜମ୍ମୁ-କଶ୍ମୀରର କାଲୁଛକ ସାମରିକ ଅଂଚଳରେ ଆଉ ଦୁଇଟି ‘ଡ୍ରୋନ୍’ ଉଡୁଥିବା ଠାବ ହୋଇଥିଲା । ସେନାର କୁଇକ୍ ରିଆକ୍ସନ୍ ଟିମ୍ ତୁରନ୍ତ ଆଲର୍ଟ ହୋଇ ‘ଡ୍ରୋନ୍’ ଦୁଇଟିକୁ ଗୁଳି ମାଡ଼ କରିବାରୁ ସେଗୁଡ଼ିକ ଖସି ପଳାଇ ଥିଲେ ।
ଜମ୍ମୁ-କଶ୍ମୀର ପୁଲିସ ମୁଖ୍ୟ ସିଂହ କହିବା ଅନୁଯାୟୀ, ସୋମବାର ପୂର୍ବାହ୍ନ ଓ ଅପରାହ୍ନରେ କାଲୁଛକ ସାମରିକ ଅଂଚଳ ଉପରେ ଦୁଇଟି ‘ଡ୍ରୋନ୍’ ଉଡୁଥିବା ଠାବ ହେବା ପରେ ଏହା ଆତଂକୀଙ୍କ କାର୍ଯ୍ୟକଳାପ ବୋଲି ସନ୍ଦେହ ଅଧିକ ପୃଷ୍ଟ ହୋଇଛି । ରବିବାର ‘ଡ୍ରୋନ୍’ ଆକ୍ରମଣରେ ଜମ୍ମୁ ‘ଏୟାର ବେସ୍’ର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଏହା ଏକ ଚେତାବନୀ କୁହାଯାଇପାରେ । ସେମାବାର କାଲୁଛକ ସାମରିକ ଅଂଚଳରେ ଦୁଇଟି ‘ଡ୍ରୋନ୍’ ଠାବ ହେବା ଏହାର ଅଂଶବିଶେଷ । ରବିବାର ‘ଡ୍ରୋନ୍’ ଆକ୍ରମଣ ଘଟଣାରେ ତୁରନ୍ତ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ୪ କୋଜି ଓଜନର ବିଷ୍ଫୋରକ ଡ଼ିଭାଇସ (ଆଇଇଡ଼ି) ଜବତ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତଙ୍କୁ ହୋଇଥିବା ଜେରାରୁ ରବିବାର ହୋଇଥିବା ‘ଡ୍ରୋନ୍’ ଆକ୍ରମଣ ପଛରେ ‘ଲସ୍କର୍’ର ସଂପୃକ୍ତ ସ୍ପଷ୍ଟ ହୋଇଛି । ଜମ୍ମୁ ‘ଏୟାର ବେସ୍’ରେ ରବିବାର ସକାଳେ ହୋଇଥିବା ‘ଡ୍ରୋନ୍’ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ନଦୀମ ଉଲ୍ ହକ୍ (୨୨) ଏବଂ ଘର ବାନିହାଲ ଅଂଚଳରେ । ନଦୀମ ଠାରୁ ଜବତ ୪ କେଜି ଓଜନର ଇଂପ୍ରୋଭାଇଜଡ୍୍ ଏକ୍ସପ୍ଲୋସିଭ ଡ଼ିଭାଇସ୍ ବା ଆଇଇଡ଼ି କୌଣସି ସିିଭିଲିଆନ୍ ଅଂଚଳରେ ପ୍ଲାଂଟ୍ କରିବା ସକାଶେ ଉଦ୍ଦିଷ୍ଟ ଥିବା ସିଂହ ଅନୁମାନ ପ୍ରକଟ କରିଛନ୍ତି ।
ପାକିସ୍ତାନ ସହ ଭାରତର ଆନ୍ତର୍ଜାତିକ ସୀମାରୁ ୧୪ କିମି ଦୂରରେ ଥିବା ଜମ୍ମୁ ‘ଏୟାର ବେସ୍’ରେ ରବିବାର ଏହି ଆକ୍ରମଣ ହୋଇଥିଲା । ପରେ, ସୋମବାର ପୂର୍ବାହ୍ନ ସାଢେ ୧୧ଟା ୩୦ ମିନିଟ ଓ ଅପରାହ୍ନ ଗୋଟାଏ ୩୦ ମିନିଟରେ ଆଉ ଦୁଇଟି ‘ଡ୍ରୋନ୍’ କାଲୁଛକ୍ ସାମରିକ ଅଂଚଳ ଉପରେ ଉଡୁ ଥିବା ଠାବ ହୋଇଥିଲା । ଜୁନ ୨୭-୨୮ ତାରିଖ ମଧ୍ୟରାତ୍ରୀରେ ମଧ୍ୟ ରତ୍ନୁଛକ-କାଲୁଛକ ମିଲିଟାରୀ ଅଂଚଳରେ ଦୁଇଟି ଅଲଗା ଅଲଗା ଡ୍ରୋନ୍ ଉଡୁ ଥିବା ଠାବ ହୋଇଥିବା ଏବଂ ତାହା ଠାବ ହେବା ପରେ ତୁରନ୍ତ ହାଇ ଆଲର୍ଟ ଜାରି କରାଯାଇ କୁଇକ୍ ରିଆକ୍ସନ୍ ଟିମ୍ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯିବା ସେନା ସ୍ୱୀକାର କରିଛି । ଗୁଳି ମାଡ଼ ହେବାରୁ ‘ଡ୍ରୋନ୍’ ଦୁଇଟି ଛତ୍ରଭଂଗ ଦେଇ ଥିଲେ ।
ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଜମ୍ମୁ-କଶ୍ମୀର ଉପଭୋଗ କରି ଆସୁଥିବା ସମ୍ବିଧାନର ୩୭୦ ଧାରାକୁ କେନ୍ଦ୍ର ସରକାର ଗତ ୨୦୧୯ ଅଗଷ୍ଟରେ ଉଚ୍ଛେଦ କରିଥିଲେ ଏବଂ ରାଜ୍ୟକୁ ଦୁଇଟି ଭାଗରେ ବିଭାଜନ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଗଠନ କରିଥିଲେ । ଫଳରେ, ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତାରୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଥିବା ବେଳେ ଲଦାଖ ନୂଆକେନ୍ଦ୍ର ଶାସିତ ଅଂଚଳ ହୋଇଛି । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ରାଜ୍ୟର ବିଭାଜନକୁ ପଡୋଶୀ ପାକିସ୍ତାନ ଓ ଚୀନ ଭଲ ଦୃଷ୍ଟିରେ ଦେଖୁ ନାହାନ୍ତି । ଫଳରେ, ଜମ୍ମୁ-କଶ୍ମୀରରେ ପାକିସ୍ତନ ପ୍ରୟୋଜିତ ଆତଂକୀ କାର୍ଯ୍ୟକଳାପ ଏବଂ ଲଦାଖ ସୀମାନ୍ତରେ ଚୀନର ଗଲୱାନ ଭଳି ଅନୁପ୍ରବେଶ ଘଟଣାମାନ ଘଟୁଛି । ତଥାପି, ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଂଚଳ ହେବାର ପାଖାପାଖି ଦୁଇ ବର୍ଷ ଭିତରେ ରାଜ୍ୟରେ ଆତଙ୍କୀ କାର୍ଯ୍ୟକଳାପ ବେଶ୍ ହ୍ରାସ ପାଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରରେ ରାଜନୈତିକ ପ୍ରକ୍ରିୟାର ପୁନର୍ବାହାଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
ଜମ୍ମୁ-କଶ୍ମୀରର ୧୪ ଜଣ ପ୍ରମୁଖ ରାଜନେତା ନିକଟରେ ଦିଲ୍ଲୀକୁ ନିମନ୍ତ୍ରୀତ ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପାଖାପାଖି ଚାରି ଘଂଟା ଧରି ଆଲୋଚନା ହୋଇଥିଲା । ରାଜ୍ୟରେ ରାଜନୈତିକ ପ୍ରକ୍ରିୟାର ପୁନର୍ବାହାଲ ହୋଇଥିବା ଆଲୋଚନା ସୌହାଦ୍ଧ୍ୟପୂର୍ଣ୍ଣ ଥିଲା ବୋଲି ଏହି ନେତାମାନେ ସ୍ୱୀକାର କରିଛନ୍ତି । ଜମ୍ମୁ-କଶ୍ମୀରରୁ ଲଦାଖ ବିଭାଜିତା ହେବା ଦ୍ୱାରା ରାଜ୍ୟରେ ଅଧିକ ସଂଖ୍ୟକ ବିଧାନସଭା ନିର୍ବାଚନ ମଣ୍ଡଳୀ ସୃଷ୍ଟି ପାଇଁ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଚାଲିଛି । କାର୍ଯ୍ୟ ସପୂର୍ଣ୍ଣ ହେବା ପରେ ଯାଇ ଜମ୍ମୁ-କଶ୍ମୀରକୁ ପୁନଃ ରାଜ୍ୟର ମାନ୍ୟତା ଫେରାଇବାକୁ ଏବଂ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଆଲୋଚନା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପଡୋଶୀ ପାକିସ୍ତାନରେ ଚେର ଜମାଇ ବସି ଥିବା ଏବଂ ଭାରତରେ ଆତଂକୀ କାର୍ଯ୍ୟକଳାପ ଚଳାଇ ଥିବା ଲସ୍କର-ଇ-ତୋଇବା ଭଳି ଆତଂକବାଦୀ ଗୋଷ୍ଠୀଙ୍କୁ ବିଚଳିତ କରିଛି । ସେମାନେ ହାତାଶ ହୋଇ ସୀମାନ୍ତରେ ପୁନର୍ବାର ଅଶାନ୍ତୀ ସୃଷ୍ଟି ଉଦ୍ୟମ କରୁଥିବା ଓ ଏଥିରେ ‘ଡ୍ରୋନ୍’କୁ ସାମିଲ କରିଥିବା ଅନୁମାନ କରାଯାଉଛି । ଜମ୍ମୁ-କଶ୍ମୀରରେ ଥିବା ସାମରିକ ଘାଟୀ ଉପରେ ‘ଡ୍ରୋନ୍’ ଆକ୍ରମଣ ହେବା ଏହା ପ୍ରଥମ ଘଟଣା । ଯାହାକି ଭାରତୀୟ ସାମରିକ ବିଶେଷଜ୍ଞମାନଙ୍କୁ ଚୌକନ୍ନା କରିଛି । କାରଣ, ସଂପ୍ରତି ଭାରତରେ କାର୍ଯ୍ୟକ୍ଷମ ଥିବା ରାଡ଼ର୍ ବ୍ୟବସ୍ଥା ଯୁଦ୍ଧ ବିମାନକୁ ଠାବ କରିବାକୁ ସକ୍ଷମ ଥିଲେ ମଧ୍ୟ ରିମୋଟ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଏବଂ ଅଳ୍ପ ଉଚ୍ଚରେ ଉଡ଼ିବାକୁ ସକ୍ଷମ ଥିବା ଅତି କ୍ଷୁଦ୍ର ଓ ବ୍ୟାଟେରୀ ଚାଳିତ ‘ଡ୍ରୋନ୍’କୁ ଠାବ କରିବାକୁ ସକ୍ଷମ ନୁହେଁ ।
ସେଇଥି ପାଇଁ ପାକ୍ ପ୍ରୟୋଜିତ ଆତଂକୀ ସଂଗଠନଗୁଡିକ ଭାରତର ସାମରିକ ଘାଟୀ ଏବଂ ସିଭିଲିଆନ ଅଂଚଳରେ ଆକ୍ରମଣ ପାଇଁ ଏହି ଏହି ନୂଆ ଯନ୍ତ୍ରର ବ୍ୟବହାର ଆରମ୍ଭ କରିଛନ୍ତି । ଏହି ନୂଆ ଆୟୁଧ ଏବେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବଡ଼ ବିପଦ ଭାବେ ଦେଖା ଦେଇଥିବା ସାମରିକ ବିଶେଷଜ୍ଞମାନେ ସ୍ୱୀକାର କଲେଣି । ପରିସ୍ଥିତିର ସାମ୍ନା କରିବାକୁ ହେଲେ ଭାରତୀୟ ରାଡ଼ାର୍ ବ୍ୟବସ୍ଥାର ବୈଷୟିକ ଉନ୍ନତିକରଣ ନିତାନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଲାଣି । ସୀମାନ୍ତରେ କାର୍ଯ୍ୟକ୍ଷମ ଥିବା ରାଡାର୍ ଗୁଡ଼ିକୁ ଅଧିକ ଶକ୍ତିଶାଳୀ କରିବାକୁ ହେଲେ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ତଥାପି କେନ୍ଦ୍ର ସରକାର ଏହାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଇଛି । କେନ୍ଦ୍ର ସରକାର ଏଦିଗରେ କି ପଦକ୍ଷେପ ନେବେ ତାହା ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS