ଜୁଲାଇ ୧୬ ପର୍ଯ୍ୟନ୍ତ କୋଭିଡ଼ ଗାଇଡ଼ ଲାଇନ୍: ୧୦ ଜିଲ୍ଲାରେ କଟକଣା କଠୋର ରହିଲା, ୨୦ ଜିଲ୍ଲାରେ କୋହଳ
ପ୍ରସାଦ ରାଓ
ଭୁବନେଶ୍ୱର
ଜୁନ ୩୦
ଜୁଲାଇ ୧୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ‘ତାଲାବନ୍ଦ’ ଜାରି ରହିବ । ତେବେ, କୋଭିଡ଼ ପଜେଟିଭ୍ ହାର ୫ ପ୍ରତିଶତରୁ କମ୍ ଥିବା ରାଜ୍ୟର ୨୦ଟି ଜିଲ୍ଲାରେ କଟକଣାକୁ ଅଧିକ କୋହଳ କରାଯାଇ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଅଧିକ ସୁଯୋଗ ଦିଆଯାଇଥିବା ବେଳେ ପଜେଟିଭିଟି ହାର ୫ ପ୍ରତିଶତରୁ ଅଧିକ ଥିବା ୧୦ଟି ଜିଲ୍ଲାରେ କଟକଣା କଡାକଡି ରହିଛି । ସରକାର ଟିପିଆର ୫ ପ୍ରତିଶତରୁ କମ୍ ଥିବା ୨୦ଟି ଜିଲ୍ଲାକୁ ‘କ’ ଶ୍ରେଣୀଭୁକ୍ତ କରି କଟକଣା କୋହଳ କରିଛନ୍ତି । ୫ ପ୍ରତିଶତରୁ ଅଧିକ ପଜେଟିଭିଟି ହାର ଥିବା ରାଜ୍ୟର ୧୦ଟି ଜିଲ୍ଲାକୁ ‘ଖ’ ଶ୍ରେଣୀଭୁକ୍ତ କରାଯାଇ ପୂର୍ବ ଭଳି କଡା କଟକଣା ଜାରି ରହିଛି । ‘କ’ ଶ୍ରେଣୀରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ଟି ଜିଲ୍ଲା ସମେତ ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ସ୍ଥାନ ପାଇଥିବା ବେଳେ ଅନ୍ୟ ୧୦ଟି ଜିଲ୍ଲା ‘ଖ’ ଶ୍ରେଣୀରେ ରହିଛନ୍ତି । ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ଇତିମଧ୍ୟରେ ଟିପିଆର (ଟେଷ୍ଟ୍ ତୁଳନାରେ ପଜେଟିଭିଟି ହାର) ୫ ପ୍ରତିଶତରୁ କମ୍ ଥିବାରୁ ଏହି ଜିଲ୍ଲାଗୁଡିକୁ ‘କ’ ଶ୍ରେଣୀକୁ ନିଆଯାଇଛି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ।
ଯେଉଁ ୨୦ ଜିଲ୍ଲାରେ ‘ତାଲାବନ୍ଦ’ କଟକଣା କୋହଳ ହୋଇଛି ସେସବୁ ଜିଲ୍ଲା ହେଉଛି-ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ଗଂଜାମ, ଗଜପତି, ନବରଂଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏହି ୨୦ ଜିଲ୍ଲାରେ କାଲିଠାରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଲ୍, ପାର୍ଲର, ସ୍ପା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ଖୋଲିବ । ସାପ୍ତାହିକ ହାଟ ମଧ୍ୟ ଖୋଲିବା ପାଇଁ ଅନୁମତି ମିଳିଛି । ଏହି ୨୦ ଜିଲ୍ଲାରୁ ସାପ୍ତାହିକ ‘ସଟ୍ ଡାଉନ୍’ ମଧ୍ୟ ହଟାଇ ନିଆ ଯାଇଛି । ତେବେ, ଜୁଲାଇ ୧୬ ସକାଳ ୫ଟା ପର୍ଯ୍ୟନ୍ତ ସନ୍ଧ୍ୟା ୬ରୁ ପରଦିନ ସକାଳ ୬ଟା ଯାଏଁ ‘ରାତ୍ରୀ କର୍ଫ୍ୟୁ’ ଜାରି ରହିବ ।
‘କ’ ଶ୍ରେଣୀଭୁକ୍ତ ୨୦ଟି ଜିଲ୍ଲାରେ ଜିଲ୍ଲା ଜିଲ୍ଲା ଭିତରେ ଯାତ୍ରୀବାହୀ ବସ୍ ଓ ଟ୍ୟାକ୍ସି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ, ବସ୍ ର ଯେତିକି ସିଟ୍ କ୍ୟାପାସିଟି ସେତିକି ଯାତ୍ରୀ ହିଁ ଯାଇ ପାରିବେ । ଟ୍ୟାକ୍ସିରେ ଡ୍ରାଇଭରଙ୍କ ବ୍ୟତୀତ ମାତ୍ର ଦୁଇ ଜଣ ଯାତ୍ରୀ ଯାତ୍ରା କରି ପାରିବେ ବୋଲି ସକରାକର କହିଛନ୍ତି । ଏହି ୨୦ ଜିଲ୍ଲା ପାଇଁ ‘ଇନ୍ ଡୋର୍’ ଓ ‘ଆଉଟ୍ ଡୋର୍’ ସୁଟିଂ ଅନୁମତି ମିଳିଥିବା ବେଳେ ‘ଖ’ ଶ୍ରେଣୀରେ ଥିବା ୧୦ ଜିଲ୍ଲାରେ କେବଳ ‘ଆଉଟ୍ ଡୋର୍’ ସିଟିଂ ହୋଇପାରିବ ବୋଲି ସରକାର କହିଛନ୍ତି । ସରକାର ସାରା ରାଜ୍ୟରେ ଛୋଟ ଛୋଟ ସାଲୁନ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ‘କ’ ଶ୍ରେଣୀ ଜିଲ୍ଲାରେ ଉଠା ଦୋକାନୀ ନିଜ ଦୋକାନ ଖୋଲି ପାରିବେ । କିନ୍ତୁ, ପାର୍ଶଲ ମାଧ୍ୟମରେ ସେମାନେ ଜିନିଷ ବିକି ପାରିବେ । ଠିଆ ହୋଇ କେହି ଖାଇବା ମନା । ବିବାହରେ ଭୋଜିଭାତ ହେବନି । ତେବେ, ପ୍ୟାକେଟ୍ ମାଧ୍ୟମରେ ଖାଦ୍ୟ ଦେଇ ହେବ । ଶେଷକୃତ୍ୟ କ୍ଷେତ୍ରରେ ମଧ୍ୟ ପୂର୍ବ କଟକଣା ଜାରି ରହିଛି । ସରକାର ଧର୍ମାନୁଷ୍ଠାନ ଖୋଲିବା ଉପରେ ପୂର୍ବଭଳି ନିଷେଧାଦେଶ ଜାରି ରଖିଛନ୍ତି । ଜୁଲାଇ ୧୬ ସକାଳ ପର୍ଯ୍ୟନ୍ତ ରାଜ୍ୟର କୌଣସି ଧର୍ମାନୁଷ୍ଠାନ ଖୋଲିବ ନାହିଁ । କିନ୍ତୁ, ନୀତିକାନ୍ତି ଜାରି ରହିବ ।
ରାଜ୍ୟରେ ଯେଉଁ ସବୁ ଜିଲ୍ଲା ‘ଖ’ ଶ୍ରେଣୀଭୁକ୍ତ ରହିଛି ସେଗୁଡିକ ହେଉଛି – ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ । ଏହି ୧୦ଟି ଜିଲ୍ଲାରେ ପଜେଟିଭିଟି ହାର ୫ ପ୍ରତିଶତରୁ ଅଧିକ ରହିଛି । କିଛି ଜିଲ୍ଲାରେ ଏହି ହାର ୧୦ ପ୍ରତିଶତରୁ ଅଧିକ ମଧ୍ୟ ରହିଛି । ତେଣୁ, ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ‘ଖ’ ଶ୍ରେଣୀ ଜିଲ୍ଲାରେ ଦୋକାନ ବଜାର ଖୋଲା ସମୟ ମାତ୍ର ଗୋଟିଏ ଘଂଟା ବଢା ଯାଇଛି । ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ହିଁ ଦୋକାନ ବଜାର ଖୋଲା ରହିବ । ଏହି ୧୦ ଜିଲ୍ଲାରେ ସପ୍ତାହାନ୍ତ ‘ସଟ୍ ଡାଉନ୍’ ମଧ୍ୟ ଜାରି ରହିବ । ଅନ୍ୟ ୨୦ ଜିଲ୍ଲା ପରି ଏହି ୧୦ ଜିଲ୍ଲାରେ ସନ୍ଧ୍ୟା ୬ରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ମଧ୍ୟ ।ଗୁ ହୋଇଛି । ‘ଖ’ ଶ୍ରେଣୀ ଜିଲ୍ଲା ପାଇଁ ଯାତ୍ରୀବାହୀ ବସ୍ ଓ ଟ୍ରାକ୍ସି ଚଳାଚଳ ଅନୁମତି ନାହିଁ । ରାଜ୍ୟ ସରକାର ଏହାକୁ ଗ୍ରାଜୁଆଲ୍ ଅନ୍-ଲକ୍ ପ୍ରୋସେସ୍ ବୋଲି କହିଛନ୍ତି । ଛୋଟ ସେଲୁନ ଓ ଉଠା ଦୋକାନ ଖାଲିବା ପାଇଁ ସରକାର ଅନୁମତି ଦେଇ ଥିବା ଦୃଷ୍ଟିରୁ କ୍ଷୁଦ୍ର ବ୍ୟବସାୟୀ ମହଲ ଆଶ୍ୱସ୍ତ ହୋଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS