ଜାରି ହେଲା ଜୁଲାଇ ଗାଇଡ଼ଲାଇନ : ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆଂଶିକ ‘ତାଲାବନ୍ଦ’
ପ୍ରସାଦ ରାଓ
ଜୁଲାଇ ୧୫
ଞ୍ଚ ‘କାଟାଗୋରୀ-ଏ’୨୦ ଜିଲ୍ଲାରେ ରାତି ୮ଟା ଯାଏଁ ଦୋକାନ, ବଜାର ଖୋଲିବ
ଞ୍ଚ ‘କାଟାଗୋରୀ-ବି’ ୧୦ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ, ବଜାର ଖୋଲିବ
ଞ୍ଚ ୧୦ ଜିଲ୍ଲାରେ ସପ୍ତାହାନ୍ତ ‘ସଟ୍ ଡାଉନ୍’ ଜାରି ରହିବ, ସନ୍ଧ୍ୟା ୫ରୁ ପରଦିନ ସକାଳ ୬ ଯାଏଁ କର୍ପ୍ୟୁ
ଞ୍ଚ ୨୦ ଜିଲ୍ଲାରେ ସପ୍ତାହର ସାତ ଦିନ ବଜାର ଖୋଲା, ରାତି ୮ରୁ ପରଦିନ ସକାଳ ୬ ଯାଏଁ କର୍ଫ୍ୟୁ
ଞ୍ଚ ରାଜ୍ୟର ସମସ୍ତ ଅଂଚଳରେ ରାଜ୍ୟ ଭିତରେ ବସ୍ ଚଳାଚଳ ଅନୁମତି
ଞ୍ଚ ତେବେ, ଜୁଲାଇ ୨୫ ଯାଏଁ ପୁରୀକୁ ବସ୍ ଚଳାଚଳ ମନା
ଞ୍ଚ ଆନ୍ତଃରାଜ୍ୟ ବସ୍ ଚଳାଚଳ ହେବ ନାହିଁ
ଞ୍ଚ ସମଗ୍ର ରାଜ୍ୟରେ ଅଟୋ ରିକ୍ସା, ଟ୍ୟାକ୍ସି ଚାଲିବ
ଞ୍ଚ ତେବେ, ବଜାର ଖୋଲିବା ସମୟରେ ହିଁଁ ଚଳାଚଳ ହେବ
ଞ୍ଚ କାଲିଠାରୁ ଖୋଲିବ ଜିମ୍, ସ୍ପା, ପାର୍ଲର ଓ ସେଲୁନ
ଞ୍ଚ ଶିକ୍ଷାନୁଷ୍ଠାନ, କୋଚିଂ ସେଂଟର, ପାର୍କ, ମଲ୍, ସିନେମା ହଲ୍, ଯାତ୍ରା, ମେଳା, ପ୍ରଦର୍ଶନୀକୁ ମନା
ଞ୍ଚ ବାହାଘର, ଶୁଦ୍ଧିକ୍ରିୟା ଉପରେ ପୂର୍ବ କଟକଣା ଲାଗୁ ରହିଲା
ଞ୍ଚ ସମଗ୍ର ରାଜ୍ୟରେ ‘ଇନଡୋର୍’, ‘ଆଉଟଡୋର୍’ ଫିଲ୍ମ ସୁଟିଂ ପାଇଁ ସରକାର ଦେଲେ ଅନୁମତି
ରାଜ୍ୟରେ ଜାରି ଥିବା ଆଂଶିକ ‘ତାଲାବନ୍ଦ’ ସମୟ ସୀମା କାଲି ସକାଳେ ଶେଷ ହେବାକୁ ଥିବା ବେଳେ ରାଜ୍ୟ ସରକାର ଜୁଲାଇ ମାସ ପାଇଁ ନୂଆ ନିର୍ଦେଶାବଳୀ ଜାରି କରିଛନ୍ତି । ୩୦ ଜିଲ୍ଲାକୁ ପୂର୍ବପରି ‘କାଟାଗୋରୀ-ଏ’ ଓ ‘କାଟାଗୋରୀ-ବି’ରେ ବିଭକ୍ତ କରାଯାଇ କଟକଣା ଜାରି ହୋଇଛି । ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ‘ଆଂଶିକ ତାଲାବନ୍ଦ’ ସମୟ ସୀମା ବଢାଇ ଦିଆଯାଇଛି ।
ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର ଆଜି ଅପରାହ୍ନରେ ଏହି ସୂଚନା ଦେଇଛନ୍ତି । ପୂର୍ବପରି ‘କାଟାଗୋରୀ-ଏ’ରେ ୨୦ଟି ଜିଲ୍ଲା ଓ ‘କାଟାଗୋରୀ-ବି’ରେ ୧୦ଟି ଜିଲ୍ଲା ରହିଛି । ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଂଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଂଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ‘କାଟାଗୋରୀ-ଏ’ରେ ରହି ଥିବା ବେଳେ ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲା ‘କାଟାଗୋରୀ-ବି’ରେ ରହିଛି ।
‘କାଟାଗୋରୀ-ଏ’ ଜିଲ୍ଲାରେ ସପ୍ତାହକ ସାତ ଦିନ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କଫ୍ୟୁ ଲାଗିବ । ପୂର୍ବ ଗାଇଡ଼ଲାଇନ ଅନୁଯାୟୀ, ‘କାଟାଗୋରୀ-ବି’ ଜିଲ୍ଲାରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲୁ ଥିଲା । ନୂଆ ଗାଇଡ଼ଲାଇନ ଅନୁଯାୟୀ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ, ବଜାର ଖୋଲିବ । ୧୦ ‘ଖ’ ଶ୍ରେଣୀ ଜିଲ୍ଲାରେ ସନ୍ଧ୍ୟା ୫ଟାରୁ ପର ଦିନ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ଜାରି ରହିବ । ପୂର୍ବ ପରି ଏହି ୧୦ ଜିଲ୍ଲାରେ ସପ୍ତାହାନ୍ତ ‘ସଟ୍ ଡାଉନ୍’ ମଧ୍ୟ ଜାରି ରହିବ । ସପ୍ତାହର ୫ ଦିନ ଦୋକାନ ବଜାର ଖୋଲା ରହିବ ।
ରାଜ୍ୟ ସରକାରଙ୍କ ନୂଆ ଗାଇଡ଼ଲାଇନରେ ପୁରୀ ବ୍ୟତୀତ ରାଜ୍ୟର ସମସ୍ତ ଅଂଚଳକୁ ବସ୍ ଚଳାଚଳ ଅନୁମତି ମିଳିଛି । ଟ୍ୟାକ୍ସି, ଅଟୋ ମଧ୍ୟ ଚାଳିବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଜୁଲାଇ ୧୨ ତାରିଖ ଦିନ ଶେଷ ହୋଇ ଥିଲେ ମଧ୍ୟ ବାହୁଡ଼ା ପର୍ବରୁ ‘ନୀଳାଦ୍ରୀ ବିଜେ’ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବାକୁ ଥିବାରୁ ଜୁଲାଇ ୨୫ ପର୍ଯ୍ୟନ୍ତ ପୁରୀକୁ ବସ୍ ଚଳାଚଳ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ରାଜ୍ୟରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଥିଲେ ମଧ୍ୟ ସିଟ୍ ସଂଖ୍ୟ ଯେତିକି ସେତିକି ଯାତ୍ରୀଙ୍କ ହିଁ ନେଇ ପାରିବେ ବୋଲି କହିଛନ୍ତି । ବସ୍ ଚଳାଚଳର ସମୟ ସୀମା ଉପରେ କଟକଣା ରଖି ନାହାନ୍ତି । ତେବେ, ରାଜ୍ୟ ଭିତରେ ହିଁ ବସ୍ ଚାଲିବ, ଆନ୍ତଃରାଜ୍ୟ ବସ୍ ଚଳାଚଳ ମନା ବୋଲି ସରକାର କହିଛନ୍ତି । ସବୁ ଜିଲ୍ଲାରେ ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳକୁ ଅନୁମତି ମିଳିଥିଲେ ମଧ୍ୟ ବଜାର ଯେତିକି ସମୟ ଖୋଲା ରହିବ ସେତିକି ସମୟ ପର୍ଯ୍ୟନ୍ତ ଅଟୋ ଓ ଟ୍ୟାକ୍ସି ଚାଲି ପାରିବ ବୋଲି ସରକାର କହିଛନ୍ତି ।
ଆସନ୍ତା କାଲିଠାରୁ ସମଗ୍ର ରାଜ୍ୟରେ ପାର୍ଲର, ସ୍ପା, ଜିମ୍, ସେଲୁନ ଖୋଲିବ । କୋଭିଡ଼ ଗାଇଡ଼ଲାଇନ ମାନି ସେମାନେ ଖୋଲିବାକୁ କୁହାଯାଇଛି । ଉଲଂଘନ ହେଲେ ସିଲ୍ କରି ଦିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । କାଲିଠାରୁ ସମଗ୍ର ରାଜ୍ୟରେ ‘ଇନଡୋର୍’ ଓ ‘ଆଉଟଡୋର୍’ ଫିଲ୍ମ୍ ସୁଟିଂ ପାଇଁ ସରକାର ଅନୁମତି ଦେଇଛନ୍ତି । ବିନା ଦର୍ଶକରେ ଆଉଟଡେର୍ ସ୍ପୋର୍ଟସ୍ କୁ ମଧ୍ୟ ଅନୁମତି ମିଳିଛି । ତେବେ, ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶିକ୍ଷାନୁଷ୍ଠାନ, କୋଚିଂ ସେଂଟର୍, ପାର୍କ, ସିନେମା ହଲ୍, ମଲ୍ ଖୋଲିବ ନାହିଁ । ମେଳା, ପ୍ରଦର୍ଶନୀ, ଯାତ୍ରା, ବାର୍ ମଧ୍ୟ ପୂର୍ବ ପରି ବନ୍ଦ ରହିବ । ହୋଟେଲ, ରେଷ୍ଟୁରାଂଟରୁ କେବଳ ଖାଦ୍ୟ ପାର୍ଶଲ ନେଇ ହେବ । ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା ପୂର୍ବ କଟକଣା ବଳବତ୍ତର ରହିଛି ।
ନୂଆ ଗାଇଡ଼ଲାଇନ୍ ଘୋଷଣା ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରୁ କରୋନା ମହାମାରୀର ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ । ଡ଼ବଲ ଡୋଜ୍ ଟିକା ନେବା ପରେ ମଧ୍ୟ ଲୋକ କରୋନା ପଜେଟିଭ୍ ବାହାରୁଛନ୍ତି । ବିଶେଷକରି, ରାଜଧାନୀ ଭୁବନେଶ୍ୱରରେ ଏହା ଦେଖିବାକୁ ମିଳୁଛି । ଦୁଇ ଡୋଜ୍ ଟିକା ନେଇ ଥିବା କରୋନା ପଜେଟିଭ୍ ମାନେ ନିଜେ ଗୁରୁତର ହେଉ ନ ଥିଲେ ମଧ୍ୟ ଅନ୍ୟମାନଙ୍କ ସଂକ୍ରମିତ କରିବା ଭୟ ରହିଛି । ତେଣୁ, ସମସ୍ତେ ଘରୁ ବାହାରିଲେ ମାସ୍କ୍ ପରିଧାନ କରିବା ସହ ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ନିୟମ ଉଲଂଘନକାରୀଙ୍କ ଉପରେ ଦୃଷ୍ଟି ରଖା ଯିବାକୁଏବଂ ଯେଉଁଠି ଉଲଂଘନ ହେଉଛି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS