ମୌସୁମୀ ଅଧିବେଶନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଖେଳିଲେ ସଂଖ୍ୟାଲଘୁ ଏବଂ ଓବିସି କାର୍ଡ଼ !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୧୯
ସଂସଦର ଉଭୟ ଗୃହର ପୂର୍ଣ୍ଣକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । କୋଭିଡ଼ ମହାମାରୀ ଯୋଗୁଁ ଗତ ବର୍ଷରୁ ତାହା ହୋଇ ନଥିଲା । ଏହା ହେଉଛି ସଂସଦର ପ୍ରଥମ ପୂର୍ଣ୍ଣକାଳୀନ ଅଧିବେଶନ । ଆଜି ପ୍ରାରମ୍ଭ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଉଭୟ ଗୃହରେ ଅଲଗା ଅଲଗା ଉଦ୍ବୋଧନ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ପରିଷଦର ସଂପ୍ରସାରଣ ପରେ ସଂସଦର ଏହା ପ୍ରଥମ ପୂର୍ଣ୍ଣକାଳୀନ ଅଧିବେଶନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନୂଆ କରି ଦାୟିତ୍ୱ ନେଇଥିବା ମନ୍ତ୍ରୀମାନଙ୍କୁ ସଂସଦର ଉଭୟ ଗୃହରେ ପରିଚିତ କରାଇବାକୁ ପ୍ରାଥମିକତା ଦେଇଥିଲେ । ତେବେ, ନୂତନ ମନ୍ତ୍ରୀଙ୍କୁ ପରିଚିତ କରାଇବା ବାହାନାରେ ପ୍ରଧାନମନ୍ତ୍ରୀ ମହିଳା, ସଂଖ୍ୟାଲଘୁ ଜାତି, ଜନଜାତି ଓ ଓବିସି କାର୍ଡ ଖେଳିବାକୁ ପଛାଇ ନଥିବା ଦେଖିବାକୁ ମିଳିଛି । ନୂତନ ମନ୍ତ୍ରୀ ପରିଷଦରେ ଅଧିକ ସଂଖ୍ୟାରେ ମହିଳା, ସଂଖ୍ୟାଲଘୁ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ସ୍ଥାନ ଦିଆଯାଇ ଥିବା ପ୍ରଧାନମନ୍ତ୍ରୀ ସୂଚନା ଦେବାରୁ ଲୋକସଭାରେ ବିରୋଧୀଙ୍କ ଆଡୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ହଟ୍ଟଗୋଳ ଫଳରେ ଭାଷଣ ବାଧାପ୍ରାପ୍ତ ହେବା ଦେଖି ପ୍ରଧାନମନ୍ତ୍ରୀ କହିଲେ, ନୂଆ ମନ୍ତ୍ରୀ ପରିଷଦରେ ଏତେ ସଂଖ୍ୟାରେ ମହିଳା, ସଂଖ୍ୟାଲଘୁ ଜାତି, ଜନଜାତି ଓ ଓବିସି ସଦସ୍ୟ ପ୍ରତିନିଧିତ୍ୱ ପାଇଥିବା ଦେଖି କିଛି ଲୋକ ବୋଧହୁଏ ତାହାକୁ ହଜମ କରିପାରୁ ନାହାନ୍ତି ।
ରାଜ୍ୟସଭାରେ ମଧ୍ୟ ଏକାଭଳି ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟସଭାରେ ନିଜ ନୂତନ ମନ୍ତ୍ରୀ ପରିଷଦ ସଦସ୍ୟଙ୍କୁ ପରିଚିତ କରାଇବା ବେଳେ ବିରୋଧୀ ଅନ୍ୟ ସବୁ ପ୍ରସଙ୍ଗ ଉଠାଇ ସ୍ଲୋଗାନ ଦେବା ସହ ଗୃହର ମଧ୍ୟ ଭାଗକୁ ଚାଲି ଯାଇ ଥିଲେ । ବିରୋଧୀ ପାଟିତୁଣ୍ଡ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ପୁନର୍ବାର ତାଙ୍କ କାର୍ଡ ଖୋଲି ଥିଲେ । ସେ ତାଙ୍କ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିବା ଚାଷୀଙ୍କ ସନ୍ତାନ, ମହିଳା, ସଂଖ୍ୟାଲଘୁ ଜାତି ଓ ଜନଜାତି ଏବଂ ଓବିସି ପ୍ରତିନିଧିଙ୍କୁ ସଦସ୍ୟମାନଙ୍କ ସହ ପରିଚିତ କରାଇବା ସୁଯୋଗ ପାଇଥିବା ବେଳେ କିଛି ସଦସ୍ୟ ତାହାର ପ୍ରତିବାଦ କରୁଛନ୍ତି । ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଏତେ ସଂଖ୍ୟାରେ ସଂଖ୍ୟାଲଘୁ ଜାତି, ଜନଜାତି, ମହିଳା ଏବଂ ଓବିସିଙ୍କୁ ପ୍ରତିନିଧିତ୍ୱ ମିଳିବା ବୋଧହୁଏ ବିରୋଧୀଙ୍କ ପାଇଁ ଅସହ୍ୟ ହୋଇଛି । କିଛି ଲୋକ ଏସବୁ ବର୍ଗଙ୍କ ଉତ୍ଥାନକୁ ସହ୍ୟ କରି ପାରୁ ନାହାନ୍ତି । ସେମାନଙ୍କୁ ପରିଚିତ କରାଇବାର ଗୌରବ ତାଙ୍କୁ ମିଳି ଥିବା ବେଳେ ଗୃହର କିଛି ସଦସ୍ୟ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିବା କି ପ୍ରକାର ମାନସିକତା (?) ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ସଂସଦର ଉଭୟ ଗୃହରେ କୋଭିଡ଼ ପ୍ରୋଟୋକଲ ପାଳନ ମଧ୍ୟରେ ଏହି ଅଧିବେଶନ ଆରମ୍ଭ ହୋଇଛି । ସାଂଦମାନେ ଯେଭଳି ନିଜ ଭିତରେ ଆବଶ୍ୟକ ଦୂରତା ବଜାୟ ରଖି ଗୃହରେ ବସି ପାରିବେ ସେଥିପ୍ରତି ସଂପୂର୍ଣ୍ଣ ଧ୍ୟାନ ଦିଆଯାଇଛି । ଉଭୟ ରାଜ୍ୟସଭା ଓ ଲୋକସଭା ଅଧିବେଶନ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ମୌସୁମୀ ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସ ରହିଛି । ଆସାମ, ପଶ୍ଚିମ ବଂଗ, ତାମିଲନାଡୁ, କେରଳ ଓ ପୁଡୁଚେରୀ ବିଦାନସଭା ନିର୍ବାଚନ ପରେ ଏହା ହେଉଛି ସଂସଦ ଉଭୟ ଗୃହର ପ୍ରଥମ ପୂର୍ଣ୍ଣକାଳୀନ ଅଧିବେଶନ । ଏହି ଅଧିବେଶନରେ ସବୁ ରାଜନୈତିକ ଦଳ କୋଭିଡ଼ ପରିଚାଳନା, ଟିକାକରଣ ଠାରୁ ଆରମ୍ଭ କରି ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସୁଯୋଗ ପାଇବେ । ତେବେ, ସେମାନେ ସରକାରଙ୍କୁ ଉତ୍ତର ରଖିବାକୁ ମଧ୍ୟ ସୁଯୋଗ ଦେବା ଆବଶ୍ୟକ ବୋଲି ମୌସୁମୀ ଅଧିବେଶନ ପୂର୍ବରୁ ଅନୁଷ୍ଠିତ ଗତକାଲିର ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିରଳା କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS