‘ଦେଶଦ୍ରୋହ’ ଆଇନ ଓ ଜଷ୍ଟିସ ଏନ.ଭି.ରମଣା
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୧୭
ବ୍ରିଟିଶ ସରକାରଙ୍କ ଅମଳରେ ଜାତୀୟତାବାଦୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ କଂଠରୋଧ ପାଇଁ କାର୍ଯ୍ୟକାରୀ କରାଯାଇଥିବା ‘ଦେଶଦ୍ରୋହ’ ଆଇନ ଆଜି ମଧ୍ୟ କାଏମ ରହିଛି । ସରକାର ନିଜର ବିରୋଧୀ ଏବଂ ସମାଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ପୁଲିସ ମାଧ୍ୟମରେ ଏହି ଆଇନର ବ୍ୟାପକ ଦୁରୁପଯୋଗ କରୁଛନ୍ତି । ମହାତ୍ମା ଗାନ୍ଧୀ ଓ ବାଲ୍ ଗଂଗାଧର ତିଳକଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ବ୍ରିଟିଶ ସରକାର ପ୍ରୟୋଗ କରିଥିବା ଦେଶଦ୍ରୋହ ଆଇନର ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ପ୍ରାସଂଗିକତା ରହିଛି କି ? ଏଭଳି ଏକ ପ୍ରଶ୍ନ ଉଠାଇ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ସୋମବାର ଦିନ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ଦ୍ୱାରା ଏହି ଆଇନକୁ ନେଇ ଅଧିକ ଆଲୋଚନାର ସୁଯୋଗ ସୃଷ୍ଟି ହୋଇଛି ।
କେବଳ କିଛି ସରକାରଙ୍କ ସମାଲୋଚକ ନୁହନ୍ତି, ସରକାରଙ୍କ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିବା କିଛି ସାମ୍ବାଦିକଙ୍କ ବିରୋଧରେ ପୁଲିସ ଆଇପିସିର ୧୨୪ ‘ଏ’ ଧାରା ଲାଗୁ କରି ମାମଲା ରୁଜୁ କରିଥିବାରୁ ଏହି ଆଇନର ବୈଧତାକୁ ନେଇ ‘ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’ ପ୍ରଶ୍ନ ଉଠାଇଛି । ଏହି ଆଇନ ସ୍ୱାଧୀନ ଭାବେ ମତବ୍ୟକ୍ତ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ଏବଂ ସ୍ୱାଧୀନ ମତ ରଖିବାକୁ ଚାହୁଁଥିବା ଲୋକଙ୍କୁ ଭୟଗ୍ରସ୍ତ କରୁଛି ବୋଲି ଅବସରପ୍ରାପ୍ତ ମେଜର ଜେନେରାଲ ଏସ.ଜି.ଭୋମ୍ବାଟକେରେଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣୀ କରି ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ପ୍ରଶ୍ନ ଉଠାଇଛନ୍ତି । ଆଇପିସିର ଧାରା ୧୨୪ ‘ଏ’କୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବାକୁ ଅବସରପ୍ରାପ୍ତ ମେଜର ଜେନେରାଲ ଭୋମ୍ବାଟକେରେଙ୍କ ପକ୍ଷରୁ ଆବେଦନ କରାଯାଇଛି ।
ସୋମବାର ଦିନ ସୁପ୍ରିମ କୋର୍ଟ ଖଣ୍ଡପୀଠରେ ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କ ମତ ସହ ଏକ ପ୍ରକାର ସହମତ ହୋଇଥିଲେ ମଧ୍ୟ ଦେଶବିରୋଧୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ଆଇନରେ ଥିବା କେତେକ ପ୍ରାବଧାନକୁ କାଏମ ରଖାଯିବା ସହ ଦୁରୁପଯୋଗକୁ ରୋକିବା ନିମନ୍ତେ ଅନ୍ୟ କେତେକ ପ୍ରାବଧାନର କାର୍ଯ୍ୟକାରିତାକୁ ସୁପ୍ରିମ କୋର୍ଟ ମାର୍ଗଦର୍ଶିକା ଜାରି କରି ପାରନ୍ତି ବୋଲି ମତ ରଖି ଥିଲେ । ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ପକ୍ଷ ରଖିବାକୁ କହି ଥିବାରୁ ଆଗାମୀ ଦିନରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଦେଶଦ୍ରୋହ ଆଇନକୁ ନେଇ ଅଧିକ ତର୍ଜମାର ଅବକାଶ ସୃଷ୍ଟି ହୋଇଛି । ଆଇନକୁ ନେଇ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ଆଭିମୁଖ୍ୟ ମଧ୍ୟ ଏକପ୍ରକାର ସ୍ପଷ୍ଟ ଥିବା ସୂଚନା ମିଳୁଛି । ତେବେ, ମାମଲା ଶୁଣାଣୀ ଆରମ୍ଭ ହୋଇ ଥିବାରୁ ଅଦାଲତ କି ନିର୍ଣ୍ଣୟ ନେବେ, ତାହା ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ ।
ଆଜି ଦେଶରେ ଅଧିକ ଚର୍ଚ୍ଚାରେ ଥିବା ଆଇପିସିର ଧାରା ୧୨୪ ‘ଏ’ ବା ଦେଶଦ୍ରୋହ ଆଇନର ଇତହାସକୁ ଗଲେ ଜଣାପଡେ, ଦେଶ ବ୍ରିଟିଶ ସରକାରଙ୍କ ଏକ ଉପନିବେଶ ରହି ଥିବା ସମୟରେ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଜାତୀୟତାବାଦୀଙ୍କୁ ଭୟଭୀତ କରିବା ପାଇଁ ବା ଦମନ ପାଇଁ ୧୮୬୦ ମସିହାରେ ଦେଶଦ୍ରୋହ ଆଇନ କାର୍ଯ୍ୟକାରୀ ହୋଇଥିଲା । ତେବେ, ଆଇପିସିରେ ଏହି ଆଇନ ନେଇ କୌଣସି ଅଲଗା ଧାରା ନଥିବାରୁ ଥୋମାସ ୱାବିଂଗଟନ୍ ମାକଉଲେ ଏହି ଆଇନର ଲେକା ବା ଡ୍ରାଫ୍ଟ୍ ପ୍ରସ୍ତୁତ କରିଥିଲେ ଏବଂ ୧୮୭୦ରେ ତାହା ଆଇପିସିରେ ଯୋଡା ହୋଇଥିଲା । ଏହା ଏକ ଜାମିନ-ବିହୀନ ଅପରାଧ ଭାବେ ଆଇପିସିରେ ସ୍ଥାନିତ ହୋଇଥିଲା ।
ଆଇନସିଦ୍ଧ ଭାବେ ଦେଶର ପ୍ରତିଷ୍ଠିତ ସରକାର ବିରୋଧରେ ବାଚନିକ ହେଉ, ଲିଖିତ ଭାବେ ହେଉ ବା ଦସ୍ତଖତ ସଂଗ୍ରହ ଅଭିଯାନ ମାଧ୍ୟମରେ ହେଉ ଘୃଣାଭାବ ସୃଷ୍ଟି କରିବା ବା ଅଶାନ୍ତ ବାତାବରଣ ସୃଷ୍ଟି ଉଦ୍ୟମ କରିବା ସରକାରଙ୍କ ହୃଦବୋଧ ହେଲେ ସରକାର ସଂପୃକ୍ତି ବ୍ୟକ୍ତିବିଶେଷ ବା ଗୋଷ୍ଠୀ ବିରୋଧରେ ଏହି ଆଇନର ବ୍ୟବହାର କରୁଥିଲେ, ଯେଉଁ ଥିରେ କି ସର୍ବନିମ୍ନ ତିନି ବର୍ଷରୁ ସର୍ବାଧିକ ଆଜୀବନ କାରାଦଣ୍ଡ ଏବଂ ଜରିମାନାର ପ୍ରାବଧାନ ଥିଲା । ଏହି ଆଇନରେ ଯାହା ବିରୋଧରେ ମାମଲା ହେଉଥିଲା ତାଙ୍କୁ ସରକାରୀ ନିଯୁକ୍ତି ଆବେଦନ ଓ ପାସପୋର୍ଟରୁ ବଂଚିତ କରାଯାଉଥିଲା । କୋର୍ଟ ଯେତେବେଳେ ହାଜିର ହେବାକୁ କହିବେ ଅଭିଯୁକ୍ତ ଅଦାଲତରେ ହାଜର ହେବାକୁ ବାଧ୍ୟ ବୋଲି ଆଇନରେ ବ୍ୟବସ୍ଥା ଥିଲା ।
ଆଇପିସିର ଧାରା ୧୨୪ ‘ଏ’ ‘ପ୍ରିନ୍ସ ଆମଂଗ ଦି ପଲିଟିକାଲ ସେକ୍ସନ୍ସ୍ ଅଫ୍ ଦି ଆଇପିସି’ ବୋଲି ସେହି ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀ ମନ୍ତବ୍ୟ ରଖି ଥିବା ବେଳେ ପଣ୍ଡିତ ଜବାହାରଲାଲ ନେହେରୁ ଏହାକୁ ଅତ୍ୟନ୍ତ ‘ଅପ୍ରିତିକର ଓ ଆପତ୍ତିଜନକ’ ଆଇନ ବୋଲି ଦର୍ଶାଇ ଥିଲେ । ଦେଶବାସୀ ଏଭଳି ଆଇନରୁ ତୁରନ୍ତ ମୁକ୍ତି ପାଇବା ଆବଶ୍ୟକ ବୋଲି ମଧ୍ୟ ପଣ୍ଡିତ ନେହେରୁଙ୍କ ମତ ଥିଲା । ବ୍ରିଟିଶ ସରକାର ସେହି ସମୟରେ ଭାରତର ସ୍ୱାଧୀନତା ପାଇଁ ଲଢୁଥିବା ଜାତୀୟତାବାଦୀ ନେତା ବାଲ୍ ଗଂଗାଧର ତିଳକ, ଜାତିର ପିତା ମହାତ୍ମା ଗାନ୍ଧୀ, ସଂଗ୍ରମୀ ଭଗତ ସିଂହ ଏବଂ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ବିରୋଧରେ ଦେଶଦ୍ରୋହ ଆଇନର ପ୍ରାୟାଗ କରିଥିଲେ ଏବଂ ବାଲ୍ ଗଂଗାଧର ତିଳକ ଥିଲେ ପ୍ରଥମ ବ୍ୟକ୍ତି ଯାହାଙ୍କୁ କି ଏହି ଆଇନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।
ତିଳକ ମହାଶୟଙ୍କ ମରାଠୀ ସମ୍ବାଦପତ୍ର ‘କେଶରୀ’ରେ ପ୍ରକାଶିତ ଲେଖାଗୁଡିକ ବ୍ରିଟିଶ ସରକାରଙ୍କ ପ୍ଲେଗ୍ ମହାମାରୀ ମୁକାବିଲ କାର୍ଯ୍ୟକୁ ଭଣ୍ଡୁର କରିବା ପାଇଁ ଭାରତୀୟଙ୍କୁ ଉସୁକାଉଛି ବୋଲି ସେହି ସମୟରେ ବ୍ରିଟିଶ ସରମାର ଅଭିଯୋଗ କରି ତାଙ୍କୁ ଦେଶଦ୍ରୋହ ଆଇନରେ ଦୋଷୀ ସାବ୍ୟସ୍ତ କରିଥିଲେ । ବମ୍ବେ ହାଇକୋର୍ଟର ଏକ ନଅ ଜଣିଆ ବିଚାରପତି ମଣ୍ଡଳୀ ଏହି ମାମଲାର ବିଚାର କରି ୧୮୯୭ ମସିଆରେ ତିଳକଙ୍କ ପ୍ରତି ଦଣ୍ଡାଦେଶ ଘୋଷଣା କରିଥିଲେ । ଆଇପିସିର ୧୨୪ ‘ଏ’ ଧାରାରେ ତିଳକଙ୍କୁ ୧୮ ମାସ ଜେଲ ଦଣ୍ଡ ହୋଇ ଥିଲା । ବମ୍ବେ ହାଇକୋର୍ଟର ଏହି ନଅ ଜଣିଆ ବିଚାରପତି ମଣ୍ଡଳୀରେ ୫ ଜଣ ଗୋରା ବିଚାରପତି ଥିବା ସମୟରେ ୩ ଜଣ ଭାରତୀୟ ବିଚାରପତି ଥିଲେ । ଭାରତୀୟ ବିଚାରପତିମାନେ ତିଳକଙ୍କ ବିରୋଧରେ ଦଣ୍ଡାଦେଶକୁ ବିରୋଧ କରିଥିଲେ ମଧ୍ୟ ଗୋରା ସଂଖ୍ୟାଗରିଷ୍ଠ ବିଚାରପତି ଦଣ୍ଡାଦେଶ ସପକ୍ଷରେ ମତ ରଖିବାରୁ ବାଲ୍ ଗଂଗାଧର ତିଳକଙ୍କୁ ଜେଲ ଯିବାକୁ ପଡି ଥିଲା । ଅବଶ୍ୟ, ୟୁକେ ସରକାର ୨୦୦୯ ଶେଷ ଭାଗରେ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରି ୨୦୧୦ ପ୍ରାରମ୍ଭରୁ ଏହାକୁ ଆଉ କାର୍ଯ୍ୟକାରୀ କରୁ ନାହାନ୍ତି ।
ଦେଶ ସ୍ୱାଧୀନ ହେବା ପରେ ଏହି ବ୍ରିଟିଶ ଆଇନର ଉଚ୍ଛେଦ ସପକ୍ଷରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ମନ୍ତବ୍ୟ ରଖି ଥିବା ଯୋଗୁଁ ୧୯୪୮ ମସିହାରେ ଅନୁଷ୍ଠିତ ବିଧାୟକ ସଭାରେ ଏହା ଉପରେ ବିସ୍ତୃତ ଆଲୋଚନା ହୋଇ ସମ୍ବିଧାନରୁ ‘ଦେଶଦ୍ରୋହ’ ଶବ୍ଦ ହଟା ଯାଇଥିଲା । ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ଚିଠା ସମ୍ବାଧାନରେ ‘ଦେଶଦ୍ରୋହ’ ଶବ୍ଦ ରହି ଥିଲେ ମଧ୍ୟ କେ.ଏମ.ମୁନସି ଏକ ସଂଶୋଧନ ପ୍ରସ୍ତାବ ଆଣି ତାହାକୁ ହଟାଇ ଥିଲେ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଯେତେବେଳେ ଦେଶର ନୂଆ ସମ୍ବିଧାନ ଗୃହୀତ ହେଲା ସେଥିରୁ ‘ଦେଶଦ୍ରୋହ’ ଶବ୍ଦ ଆଉ ନଥିଲା । ଅପରପକ୍ଷରେ, ସମ୍ବିଧାନରେ ଥିବା ୧୯ (୧) ‘କ’ ଧାରରେ ଦେଶବାସୀଙ୍କୁ ସ୍ୱାଧୀନ ଭାବେ ଭାବେ ମତବ୍ୟକ୍ତ କରିବାର ଯଥେଷ୍ଟ ଅଧିକାର ଦିଆଯାଇଥିଲା ।
ତେବେ, ତତ୍କାଳୀନ ସରକାର ଆଇପିସିର ଧାରା ୧୨୪ ‘ଏ’କୁ ଉଚ୍ଛେଦ କରି ନଥିଲେ । ୧୯୫୧ ମସିହରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓଲଟା ସମ୍ବିଧାନରେ ପ୍ରଥମ ସଂଶୋଧନ କରି ୧୯ (୧) ‘କ’ ଧାରାକୁ ସାମାନ୍ୟ ସଂକୁଚିତ କରି ସମ୍ବିଧାନରେ ୧୯ (୨) ଧାରା ଯୋଡି ଥିଲେ । ଯାହାକି, ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ସଂକୋଚନ କରିଛି । ତାଙ୍କ କନ୍ୟା ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ୧୯୭୩ରେ ଯେଉଁ ନୂଆ ସିଆରପିସି (କୋଡ୍ ଅଫ୍ କ୍ରିମିନାଲ ପୋସିଡିଓର) ଲାଗୁ କଲେ ସେଥିରେ ଆଇପିସିର ଧାରା ୧୨୪ ‘ଏ’କୁ ଏକ ଧର୍ତ୍ତବ୍ୟ ଅପରାଧର ମାନ୍ୟତା ଦେଇଥିଲେ । ୧୯୭୪ ମସିହାରେ ଇନ୍ଦରା ସରକାର ବ୍ରିଟିଶ ଅମଳର ସିଆରପିସି,୧୮୯୮କୁ ଉଚ୍ଛେଦ କରି ସିଆରପିସି, ୧୯୭୩କୁ କାର୍ଯ୍ୟକାରୀ କରିଥିଲେ । ଏହି ନୂଆ ସିଆରପିସିରେ ‘ଦେଶଦ୍ରୋହ’କୁ ଏକ ଧର୍ତ୍ତବ୍ୟ ଅପରାଧର ମାନ୍ୟତା ଦିଆଯାଇ ବିନା ୱାରେଂଟରେ ପୁଲିସ ଯାହାକୁ ଚାହିଁବେ ଗିରଫ କରି ପାରିବେ ବୋଲି କ୍ଷମତା ପ୍ରଦାନ କରାଯାଇଥିଲା ।
୨୦୧୯ ଜୁଲାଇରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଟିଆରଏସ ସାଂସଦ ବାଂଦା ପ୍ରକାଶଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଜଣାଇ ଥିଲେ, ଦେଶରେ ବିଚ୍ଛନ୍ନତାବାଦୀ, ଆତଙ୍କବାଦୀ ଓ ଦେଶ ବିରୋଧୀ ଶକ୍ତିଙ୍କ ସହ ଫଳପ୍ରଦ ମୁକାବିଲା ପାଇଁ ଆଇପିସିର ୧୨୪ ‘ଏ’ ବା ଦେଶଦ୍ରୋହ ଆଇନ ଉଚ୍ଛେଦ ହେବା ପ୍ରସ୍ତାବ ନାହିଁ । ଏହି ଧାରା ବଳବତ୍ତର ରହିବ । ଦେଶଦ୍ରୋହ ଆଇନ ଉପରେ ୨୦୧୯ ଅଗଷ୍ଟରେ ‘ଲ’ କମିସନ୍ ଅଫ୍ ଇଣ୍ଡିିଆ’ ଦ୍ୱାରା ପ୍ରକାଶି ଏକ କନ୍ସଲଟେସନ୍ ପେପରରେ ମଧ୍ୟ ଜାତୀୟ ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ଦେଶଦ୍ରୋହ ଆଇନ ବଳବତ୍ତର ରହିବା ସପକ୍ଷରେ ମତ ଦିଆଯାଇଥିବା ଜଣାପଡିଛି । ତେବେ, ସ୍ୱାଧୀନ ମତବ୍ୟକ୍ତ କରିବା ଅଧିକାର ବିରୋଧରେ ଏହି ଆଇନର ପ୍ରୟୋଗ କରା ନ ଯିବାକୁ ପରାମର୍ଶ ଦିଆଯାଇଛି ।
ଦେଶର ସ୍ୱାଧୀନତା ପରବର୍ତ୍ତୀ ରାଜନୈତିକ ଇତିହାଶକୁ ଦେଖିଲେ ଗତ ୭୫ ବର୍ଷ ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ସରକାରମାନେ ବାରମ୍ବାର ସମ୍ବିଧାନ ସଂଶୋଧନ ଓ ସିଆରପିସିରେ ସଂଶୋଧନ କରିଥିଲେ ମଧ୍ୟ ‘ଦେଶଦ୍ରୋହ’ ଆଇନକୁ ଉଚ୍ଛେଦ କରିବା ଦିଗରେ ଆନ୍ତରିକତା ପ୍ରଦର୍ଶନ କରି ନାହାନ୍ତି । ଆଇପିସିର ଧାରା ୧୨୪ ‘ଏ’ ଉଚ୍ଛେଦ ହୋଇ ନ ଥିବାରୁ ଆଜି ମଧ୍ୟ ତାହା ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ସାବ୍ୟସ୍ତ କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କ ମୁଣ୍ଡରେ ଖଣ୍ଡା ଭଳି ଝୁଲୁଛି ।
ନ୍ୟାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ (ଏନସିଆରବି)ରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯ରେ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନଷିଦ୍ଧ ଆଇନ) ଆଇନ ବଳରେ ଦେଶରେ ଦେଶଦ୍ରୋହ ମାମଲା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ତେବେ, ଏହି ଆଇନରେ ଅଭିଯୁକ୍ତିଙ୍କ ଦୋକୁ ପ୍ରମାଣ କରି ଦଣ୍ଡିତ କରିବା ହାର ଖୁବ କମ୍ ରହିଛି । ମାତ୍ର ୩ ପ୍ରତିଶତ ମାମଲାରେ ଦୋଷୀଙ୍କୁ ଦଣ୍ଡ ବିଧାନ ହୋଇଛି । ୨୦୧୯ ବର୍ଷ ଦେଶରେ ଦେଶଦ୍ରୋହ ମାମଲା ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି ପାଇ ଥିବା ସମୟରେ ଗିରଫ ସଂଖ୍ୟା ୪୧ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ୯୩ଟି ଦେଶଦ୍ରୋହ ମାମଲା ହୋଇଛି, ୯୬ ଜଣ ଗିରଫ ହୋଇଛନ୍ତି ଓ ୭୬ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୨୦୧୮ରେ ଦେଶରେ ଦେଶଦ୍ରୋହ ମାମଲା ସଂଖ୍ୟା ଥିଲା ୭୦, ଗିରଫ ହୋଇଥିଲେ ୫୬ ଜଣ ଏବଂ ୨୭ଟି ମାଲାରେ ଚାର୍ଜସିଟ୍ ଚାର୍ଜସିଟ୍ ଦାଖଲ ହୋଇଥିଲା । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଫେବୃୟାରୀ ମାସରେ ରାଜ୍ୟସଭାରେ ଉପସ୍ଥାପନ କରିଥିବା ଲିଖିତ ଉତ୍ତରରେ ମଧ୍ୟ ୨୦୧୯ ବର୍ଷ ଦେଶରେ ଦେଶଦ୍ରୋହ ମାମଲାରେ ୯୬ ଜଣ ଗିରଫ ହୋଇଥିବା ବେଳେ ମାତ୍ର ୨ ଜଣ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ଓ ୨୭ ଜଣ ନିର୍ଦୋଷରେ ଖଲାସ ହୋଇଥିବା ସୂଚନା ଦିଆଯାଇଛି ।
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶରେ ୟୁପିଏ ସରକାର ଅପେକ୍ଷା ଏନଡ଼ିଏ ସରକାରରେ ଆଇପିସିର ଧାରା ୧୨୪ ‘ଏ’ର ସର୍ବାଧିକ ବ୍ୟବହାର ହୋଇଛି । ମାମଲା ବଢିଛି ଏବଂ ଗିରଫଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ବିଗତ ଦଶ ବର୍ଷ ମଧ୍ୟରେ (୨୦୧୦ରୁ) ଦେଶରେ ହୋଇଥିବା ୮୧୬ଟି ଦେଶଦ୍ରୋହ ମାମଲାରେ ୧୦,୯୩୮ଙ୍କୁ ଅଭିଯୁ୍କ୍ତ କରାଯାଇଛି । ଏଥିରୁ ୬୫ ପ୍ରତିଶତ ମାମଲାରେ ୨୦୧୪ ମେ’ରେ ଦେଶରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରେ ହୋଇଛି ।
୨୦୦୪ରୁ ୨୦୧୪ ୟୁପିଏ ସରକାର ଅମଳରେ ୨୦୧୧ରେ ଦେଶରେ ସର୍ବାଧିକ ୧୩୦ ଦେଶଦ୍ରୋହ ମାମଲା ହୋଇଥିଲା । କୁନ୍ଦନକୁଲମ୍ ଆଣବିକ ଶକ୍ତି କେନ୍ଦ୍ର ପ୍ରତିଷ୍ଠାର ବିରୋଧ କରୁଥିବା ଲୋକଙ୍କ ବିରୋଧରେ ସରକାର ଏସବୁ ମାମଲା ରୁଜୁ କରିଥିଲେ । ପରେ ଏନଡ଼ିଏ ସରକାରରେ ଧାରା ୧୨୪ ‘ଏ’ରେ ମାମଲା ସଂଖ୍ୟା ଆଶାତୀତ ବଢିଛି । ୨୦୧୫ରେ ୩୯ଟି ମାମଲା ହୋଇଥିବା ବେଳେ ୨୦୧୬ରେ ୭୨ ମାମଲା ହୋଇଥିଲା । ୨୦୧୪ରୁ ୨୦୧୯ ମଧ୍ୟରେ ୫୫୯ ଜଣ ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ବେଳେ ମାତ୍ର ୧୦ ଜଣ ଦଣ୍ଡିତ ହୋଇଛନ୍ତି । ସେଥିରୁ ୬୫ ପ୍ରତିଶତ ମାମଲା ବିହାର, କର୍ଣ୍ଣାଟକ, ଝାଡ଼ଖଣ୍ଡ, ୟୁପି ଓ ତାମିଲନାଡୁରେ ହୋଇଥିବା ଏନସିଆରବି ତଥ୍ୟରୁ ଜଣାପଡିଛି ।
ବେଆଇନ ଘୋଷିତ ମାଓବାଦୀ ସଂଗଠନଙ୍କ ସହ ସଂପର୍କରେ ଥିବା ଏବଂ ୨୦୧୮ ମସିହାର ମହାରାଷ୍ଟ୍ରର ଭୀମା-କୋରେଗାଓଁ ହିଂସା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୨୦୨୦ ଅକ୍ଟୋବରୁ ଗିରଫ ହୋଇ ନଅ ମାସ ହେଲା ତାଲୋଜା ଜେଲରେ ଅଟକ ଥିବା ୮୪ ବର୍ଷ ବୟସ୍କ ଫାଦର୍ ଷ୍ଟାନିସ୍ଲାଉସ୍ ଲୋର୍ଡୁସ୍ୱାମୀ ଓରଫ ଫାଦର ଷ୍ଟାନ୍ ସ୍ୱାମୀଙ୍କ ମୁମ୍ବାଇ ହୋଲି ଫ୍ୟାମିଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଦେଶ ବିଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଫାଦର ଷ୍ଟାନ ସ୍ୱାମୀ ଆଦିବାସୀଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିଲେ । ଥିଲା । ବିଭିନ୍ନ କାରଣରୁ ସରକାରଙ୍କ ଚକ୍ଷୁଶୂଳ ହୋଇ ସେ ଦେଶ ଏନଆଇଏ ଦ୍ୱାରା ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳି ନଥିଲା । ମୁମ୍ବାଇ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣୀ ଚାଲିଥିବା ବେଳେ ମୃତ୍ୟୁ ଖବର ପହଂଚି ଥିଲା ।
ଫାଦର ଷ୍ଟାନ୍ ସ୍ୱାମୀଙ୍କ ଭଳି ବହୁ ବ୍ୟକ୍ତି ଏବେ ମଧ୍ୟ ଦେଶଦ୍ରୋହ ଆଇନରେ ଗିରଫ ହୋଇ ଜେଲରେ ଷଢୁଛନ୍ତି । ଏଭଳି ଏକ ସମୟରେ ସୁପ୍ରମି କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଇପିସିର ଧାରା ୧୨୪ ‘ଏ’ର ଦୁରୁପଯୋଗ ହେଉଥିବା କହି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ବେଶ୍ ମହତ୍ତ୍ୱ ରଖୁଛି । ଏହି ଆଇନର ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ଆବେଦନ ହୋଇ ଥିବାରୁ କୋର୍ଟଙ୍କ ରାୟ କଣ ହେବ, ତାହା ଉପରେ ସମଗ୍ର ଦେଶର ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS